Unknown

 

 

 

 

 

 

 

 

 

ପ୍ରଥମ ଅଧ୍ୟାୟ

ସାତକଡ଼ି ହୋତା

 

ଓଡ଼ିଶା ଗୋଟିଏ ଛୋଟ ରାଜ୍ୟ । ଆହୁରି ଛୋଟ ରାଜଧାନୀ ଭୁବନେଶ୍ୱର । ସକାଳ ପାହିଲେ ମୁହଁ ଚାହାଁଚୁହିଁ । କିନ୍ତୁ ତଥାପି ବନ୍ଧୁତ୍ୱ ରହୁନି । ଭାଙ୍ଗିଯାଏ ସମ୍ପର୍କର ସେତୁବନ୍ଧ । କଥା ଦେଇ କଥା ରଖି ହୁଏ ନାହିଁ । ଚାରିଆଡ଼େ ଅବିଶ୍ୱାସର ବିଷାକ୍ତ ପବନ । ଛୋଟ ମଣିଷର ମହାନୁଭବତା ବିରଳ ମୃତ୍ତିକା ପରି ପଡ଼ିରହେ ଅଚିହ୍ନା ଶବ ପରି । ବଡ଼ ମଣିଷଙ୍କର ମେଳା ମହୋତ୍ସବ ଏଠାରେ । ଏଠାରେ କ୍ଷମତାର ଉତ୍‌ଥାନ ପତନ । ମଣିଷ ବଡ଼ ହବାକୁ ଯାଇ ଛୋଟ ହୋଇଯିବାର ଦୃଶ୍ୟ ଯାଦୁଘରେ, ସୂଚନା ଭବନରେ ଏବଂ ଚାରୁକଳା ଭବନରେ ସାଇତା ହୋଇ ରହିଛି । ଛଳନା, ସବୁ ଛଳନା ।

 

ବସନ୍ତଋତୁରେ ଦିନେ ବାଜା ବଜେଇ, ରୋଷଣୀ କରି, ଗୀତ ଗାଇ ରାଜଧାନୀରେ ପାଦ ରଖିଲା ଶୈବାଳ ମହାପାତ୍ର । ପ୍ରାଚୀରପତ୍ରରେ ତା’ର ପରିଚୟ ଲେଖା ହେଲା । ରାସ୍ତା ଉପରେ ସ୍ଲୋଗାନ ଦିଆଗଲା । ସେ ଆଗାମୀର ପ୍ରବକ୍ତା । ଜନତା ଜନାର୍ଦ୍ଦନଙ୍କ ସେବାରେ ସେ ଉତ୍ସର୍ଗ କରିଛି ନିଜକୁ । ଅହମିକା ନୁହେଁ, ଉତ୍ସର୍ଗୀକୃତ ଶ୍ରମହିଁ ସାଧନାର ମୂଳମନ୍ତ୍ର ।

 

ଶୈବାଳ ମହାପାତ୍ରର ବଂଶ ପରିଚୟ ମଳିନ ପଡ଼ିଯାଇଛି । ବଂଶବୃକ୍ଷ ଦେଖିବାର ପ୍ରୟୋଜନ ଆଉ ନାହିଁ । ସେ ଜାରଜ ବା ବର୍ଣ୍ଣଶଙ୍କର ନୁହେଁ । ସେ ନିଜେ ନିଜର ପରିଚୟ, ପ୍ରମାଣପତ୍ର ।

 

ଶୈବାଳ ପଥପ୍ରାନ୍ତ ସଭାରେ ଘୋଷଣା କଲା ତାର ସଂକଳ୍ପ, ‘‘ଓଡ଼ିଆ ଜାତିକୁ ଏକ ମହାନ ସମୃଦ୍ଧ ଏବଂ ଶକ୍ତିଶାଳୀ ଜାତି ଭାବରେ ଗଢ଼ିବାକୁ ହେବ । ହୀନମନ୍ୟତାକୁ ପରିହାର କରିବାକୁ ହେବ । ପ୍ରକୃତିର ରତ୍ନଭଣ୍ଡାର ବିନିଯୋଗ ହୋଇ ନ ପାରି ପଡ଼ିରହିଛି ସର୍ବତ୍ର । ଶୈବାଳ ମହାପାତ୍ର ସୃଷ୍ଟି କରିବ ଐର ମେଘବାହନ ଖାରବେଳ, କପିଳେନ୍ଦ୍ର ଦେବ । ଇତିହାସ ପୁଣି ଲେଖା ହେବ । ଅତୀତର ଅଯୋଗ୍ୟତାର, ବିଫଳତାର ଏବଂ ବିଶ୍ୱାସଘାତକତାର କାହାଣୀକୁ ପୋଛିଦେଇ ରଚନା କରିବ ନବ ଜୀବନର କାହାଣୀ । ପୁଣି ଉତ୍କଳମଣି ଜନ୍ମ ହେବେ । ପୁଣି ଜନ୍ମ ନେବେ ସାରଳା ଦାସ । ପୁଣି ଫେରି ଆସିବେ ସୁରେନ୍ଦ୍ର ସାଏ ।’’

 

ହାଟକୁ ଯାଉଥିବା ମଣିଷଟି ପରିବା କିଣିବା କଥା ଭୁଲିଯାଇ ଛିଡ଼ା ହେଲା ଚୌଛକିରେ ବକ୍ତୃତା ଶୁଣିବା ପାଇଁ । ଅଫିସ ଫେରନ୍ତା ଭୋକିଲା କିରାଣୀଟି ଅଟଳି ଗଲା ଭାଗ୍ୟଗଣକ ପାଖରେ । ସାରାଦିନ ଅକ୍ଳାନ୍ତ ପରିଶ୍ରମ କରି ପିଇବାପାଇଁ ପାଣି ଟୋପାଏ ଖୋଜୁଥିବା ଦିନମଜୁରିଆଟି ଶୋଷ ଭୁଲି ଆଗାମୀର ପ୍ରତିଶ୍ରୁତିକୁ ଦୁଇ କାନରେ ଭଲ କରି ଶୁଣିବାପାଇଁ ବସିପଡ଼ିଲା ପାଣି ବାହାରୁ ନ ଥିବା ପାଣିକଳ ପାଖରେ ।

 

ଜନସଂଖ୍ୟା ବଢ଼ୁଛି । ଏକାମ୍ର ଭବନଠାରେ ଆଉ ଭୁବନେଶ୍ୱର ସହର ଅଟକି ଯାଇନାହିଁ, କୌଶଲ୍ୟାଗଙ୍ଗଠାରୁ ଚନ୍ଦ୍ରଶେଖରପୁର ଏବଂ ଖଣ୍ଡଗିରିଠାରୁ ମଞ୍ଚେଶ୍ୱର, ପୁଣି ଧଉଳିଠାରୁ ବାଣୀବିହାର ଅତିକ୍ରମ କରି ଚତୁର୍ଦ୍ଦିଗରେ ଖେଦି ଯାଉଛି ସହର ।

 

ରେଳ ଷ୍ଟେସନରେ ଓହ୍ଲେଇ ମୁହଁ ହାତ ଧୋଇ ଜଳଖିଆ ଚା’ ଖାଇ ଆସିବାବେଳେ ଶୈବାଳର ଶିଷ୍ୟ ନ ଥିଲେ । କିନ୍ତୁ ରାସ୍ତାରେ କାମ ନ ଥାଇ ଘୁରିବୁଲୁଥିବା ଅନେକ ଯୁବକ, ଯୁବତୀଙ୍କୁ ଦେଖିଲା ସେ । ସେମାନଙ୍କର ଆଖିରେ ହଜିଲା ସ୍ୱପ୍ନର ଛାଇ, ଓଠରେ ପରାଜୟର ମଳିନତା । କି ଅମୃତବେଳାରେ ଘରୁ ପାଦ ବାହାର କରିଥିଲା କେଜାଣି ସେମାନଙ୍କୁ ଏକତ୍ର କରିବାପାଇଁ ବେଶୀ ସମୟ ଲାଗିଲା ନାହିଁ । ସେମାନଙ୍କ ମୁହଁରେ ପୁଣି ଝଲସି ଉଠିଲା ଆଶାର ଦୀପ୍ତି, ପ୍ରସାରିତ ଦୃଷ୍ଟିରେ ଚମକି ଉଠିଲା ସ୍ୱପ୍ନ ।

 

ସୁଯୋଗ କାହାରି ଅପେକ୍ଷା କରେ ନାହିଁ ।

ସମୟ ବି କାହାରି ଅପେକ୍ଷା କରେ ନାହିଁ ।

 

ପୌରୁଷତ୍ୱ ଯାହାର କରାୟତ୍ତ, ସେ ସମୟର ଆହ୍ୱାନ ଶୁଣେ, ସୁଯୋଗର ଉପଯୋଗ କରେ । କର୍ଣ୍ଣ ପରି ବଂଶ ପରିଚୟକୁ ଉପେକ୍ଷା କରି ସେ କହିବ, ଉଚ୍ଚକୂଳରେ ଜାତ ହେବା ଦୈବର ଅଧୀନ, ପୁରୁଷକାର ମୋର ଅଧୀନ ।

 

ରାସ୍ତାକଡ଼ରେ ଚିନାବାଦାମ ଚୋବାଉଥିବା ବା ସିନେମା ପୋଷ୍ଟର ଦେଖୁଥିବା ଅନେକ ଆସି ରୁଣ୍ଡ ହେଲେ ଶୈବାଳ ପାଖରେ । ସେ ହେଲା ସେମାନଙ୍କର ନେତା । ତା’ର ପତାକା ଧରି ସେମାନେ ଚାଲିବେ । ତା’ର ଜୟଧ୍ୱନି ଦେବେ ତଣ୍ଟି ଫଟେଇ । ଫୁଲ ଯୋଗାଡ଼ କରିବାଠାରୁ ମାଳ ପିନ୍ଧେଇବା ପର୍ଯ୍ୟନ୍ତ ସବୁକାମ ସେମାନେ କରିବେ ।

 

ପଥପ୍ରାନ୍ତ ସଭା ଆରମ୍ଭ ହବାବେଳକୁ ସେମାନେ ସ୍ଲୋଗାନ ଦଉଥାନ୍ତି ।

 

ଦୁଃସ୍ଥ, ଦୁର୍ଗତ, ଦୁର୍ବଳମାନଙ୍କର କଥା କହିବାପାଇଁ ନୂଆ ଗାନ୍ଧୀ ଜନ୍ମ ହୋଇଛନ୍ତି । ଉତ୍କଳମଣି ଫେରି ଆସିଛନ୍ତି । ହୃତ୍‍ଗୌରବ ଫେରାଇ ଆଣିବା ନିମନ୍ତେ ଜନ୍ମ ନେଇଛି ଶୈବାଳ ମହାପାତ୍ର ।

 

ସାମାଜିକ ନ୍ୟାୟ, ଆଇନର ଶାସନ, ସମ୍ପଦର ସୁଷମ ବଣ୍ଟନ, ଦାରିଦ୍ର୍ୟ ଦୂରୀକରଣ ପାଇଁ ଏହି ହେଉଛି ଶେଷ ସୁଯୋଗ । ଚାଷୀ ଥରେ ହୁଡ଼ିଲେ ବରଷେ, କିନ୍ତୁ ନାଗରିକ ଥରେ ହୁଡ଼ିଲେ ପୁରୁଷେ । ପାଞ୍ଚବର୍ଷ ନାମକୁ ମାତ୍ର । ଯିଏ ଗାଦି ଆଣ୍ଟି ବସିଯିବ ଆସନରେ, ତାକୁ ଉଠେଇବାକୁ ପୁଅ କାହିଁ ? ସେଥିପାଇଁ ବ୍ୟକ୍ତିଗତ ସୁଖ ସମୃଦ୍ଧିକୁ ପାଦରେ ଦଳି ଦଳିତ ଓ ନିପୀଡ଼ିତ, ଦୁସ୍ଥ ଓ ଦୁର୍ବଳଙ୍କ କଥା କହିବା ପାଇଁ, ସେମାନଙ୍କର ହୋଇ ଲଢ଼ିବା ପାଇଁ, ନିଜର ଭବିଷ୍ୟତକୁ ଜଳାଞ୍ଜଳି ଦେଇ ଦେଶସେବା କରିବାପାଇଁ ଶପଥ ନେଇଛି ଶୈବାଳ ମାହାପାତ୍ର ।

 

ରୁହ, ଟିକେ ରହିଯାଅ ।

 

ଶୈବାଳ ମହାପାତ୍ର ଉଦାତ୍ତ କଣ୍ଠରେ କହିଲା, ‘‘ସବୁ ପ୍ରତିଶ୍ରୁତି ପାଣିର ଗାର ପରି ମିଶିଯାଇଛି ଅତୀତରେ, ସବୁ ବିଶ୍ୱାସ ଭାଙ୍ଗି ଯାଇଛି, ସବୁ ସମ୍ପର୍କ ତୁଟି ଯାଇଛି । କିନ୍ତୁ ଥରେ ମାତ୍ର ଶୁଣ, ମୋତେ ଶେଷ ସୁଯୋଗ ଦିଅ, ମୋର ବକ୍ତବ୍ୟ ଶୁଣ ।’’ ସେ କହି ଚାଲିଲା, ‘‘ଆଜି ମୁଁ ଯାହା କହୁଛି ତାହା ମୋ ରାଜନୈତିକ ଜୀବନର ସନନ୍ଦ, ମୋର ସଂକଳ୍ପ ଓ ସାଧୁତାର ଦଲିଲ । ତୁମେ ମୋ ପଛରେ ଛିଡ଼ାହୁଅ, ମୋ ହାତମୁଠାକୁ ଟାଣ କର, ମୁଁ ରାମରାଜ୍ୟ ପ୍ରତିଷ୍ଠା କରିବି । ଶୋଷଣ, ଉତ୍ପୀଡ଼ନ ଇତିହାସର ବସ୍ତୁ ହୋଇଯିବ । ମୋର କେବଳ ଲୋଡ଼ା ଅବିଭାଜ୍ୟ ଆନୁଗତ୍ୟ ।’’

 

‘‘ଏହାହିଁ ମୋର ଶେଷ ପ୍ରତିଶ୍ରୁତି । ଏହାପରେ ଲୋକେ ଆଉ ଶୁଣିବେ ନାହିଁ । ସେମାନେ ଶୁଣି ଶୁଣି ବଧିର ହୋଇଗଲେଣି । ପ୍ରତିଶ୍ରୁତି କୁଢ଼େଇ କୁଢ଼େଇ କ୍ଲାନ୍ତ ହୋଇ ଗଲେଣି । ଏହି ଶେଷ ସୁଯୋଗ । ଏଥର ବିଶ୍ୱାସଭଙ୍ଗ କଲେ ସେମାନେ କଦାପି କ୍ଷମା ଦେବେ ନାହିଁ । ଏକାମ୍ର ତୀର୍ଥରେ ପୁଣି ଆମେ ପ୍ରତ୍ୟକ୍ଷ କରିବା ନୂତନ ଜୀବନର ଜୟଯାତ୍ରା ।’’

 

‘‘ମୋତେ କଥା ଦିଅ, ମୁଁ ଯାହା କହିବି ମାନିବ, ଯାହା କରିବି ସମର୍ଥନ କରିବ; ମୋ ପ୍ରତି ରହିବ ତୁମର ଅବିଭାଜ୍ୟ ଆନୁଗତ୍ୟ... ।’’

 

ଉପସ୍ଥିତ ଜନତା ଉଲ୍ଲସିତ ହୋଇ ଧ୍ୱନି ଦେଲେ,

ଦେଶର ନେତା,

ଜାତିର ନେତା,

ଶୈବାଳ ମହାପାତ୍ର

ଆମର ନେତା ।

 

ସଭା ଭଙ୍ଗ ହବା ପରେ ଫୁଲମାଳଟାକୁ ଗୋଟେଇ ନେଇ ଜଣେ ଅନୁଗତ କର୍ମୀ ରଖିଦେଲେ ଥଳି ଭିତରେ, କାଳେ ଆଉ ଥରେ ଦରକାର ହୋଇପାରେ ।

 

ରେଢ଼ାଖୋଲର ଭୀମ ଭୋଇ କଲେଜରେ ବି.ଏ. ଫେଲ ହୋଇ ଘରେ ପହଞ୍ଚିବାବେଳକୁ ଖବର ପହଞ୍ଚି ଯାଇଥାଏ । ଭଲ ଖବର ପହଞ୍ଚିବା ପାଇଁ ସମୟ ନିଏ, କିନ୍ତୁ ମନ୍ଦ ଖବରର ଡେଣା ଅଛି, ଉଡ଼ି ଉଡ଼ି ଯାଏ । ସେଥିପାଇଁ କଥା ଅଛି, ହାଡ଼ି ବାଇଦ କୋଶେ, ତୁଣ୍ଡ ବାଇଦ ସହସ୍ର କୋଶ । ଗୁଜବ ହୋଇ ଉଡ଼ିଯାଏ କଥା । ଶୈବାଳ ଫେଲ ହବା କିଛି ନୂଆ କଥା ନୁହେଁ । ସେ ପରୀକ୍ଷାରେ ପ୍ରଥମ ଫେଲ ହୋଇନାହିଁ । ତା’ ଆଗରୁ ଅନେକ ଫେଲ ହୋଇଛନ୍ତି । ଆଜି ସାମାଜିକ, ରାଜନୈତିକ ଜୀବନରେ ଯେଉଁମାନେ ଗଣ୍ୟମାନ୍ୟ, ସେମାନଙ୍କ ମଧ୍ୟରୁ ଫେଲ ହୋଇ ପରବର୍ତ୍ତୀ ଜୀବନରେ କୃତକାର୍ଯ୍ୟ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ନିହାତି ନଗଣ୍ୟ ନୁହେଁ ।

 

ତଥାପି ବାପାଙ୍କୁ ମୁହାଁମୁହିଁ ଭେଟିବା ପାଇଁ ସଂକୋଚ ଲାଗୁଥିଲା । ସେ ଦାଣ୍ଡବାଟ ଦେଇ ଘରକୁ ନ ଯାଇ ବାରିପଟେ ବୁଲି ଆସିଲା । କିନ୍ତୁ ଯାହା କେବେ କରନ୍ତି ନି ବାପା ତାହା କରୁଥିବାର ଦେଖି ସେ ଅବାକ୍‌ ହୋଇଗଲା । ବାରିପଟୁ ଆସି ମାଆ ପଛରେ ଛିଡ଼ା ହେବାବେଳକୁ ବାପା ହାଜର ହୋଇ କହିଲେ, ଯାହା ହେବାର ହୋଇଗଲା । ସମସ୍ତେ ବି. ଏ. ପାସ୍‌ କରି ନାହାଁନ୍ତି-। ବି. ଏ. ଫେଲ ହୋଇ ବି ବଡ଼ ମଣିଷ ହୋଇପାରିବୁ ।

 

ବାପା ଇମିତି ବଦଳିଗଲେ କିପରି କିଛି ବୁଝିପାରିଲା ନାହିଁ ଶୈବାଳ । ତାଙ୍କର ଖୁବ୍‌ ଦୁଃଖ ଯେ ସେ ମାଟ୍ରିକ ପରେ ଆଉ ପଢ଼ି ପାରିଲେ ନାହିଁ । ରେଢ଼ାଖୋଲରେ କଲେଜ ନ ଥିଲା ସେତେବେଳେ । ଅନୁଗୁଳରେ ବି ନ ଥିଲା । କଲେଜରେ ପଢ଼ିବାପାଇଁ ତାଙ୍କୁ ଯିବାକୁ ହୋଇଥାଆନ୍ତା କଟକ । ସମ୍ବଳ ଅଭାବରୁ ସେ ଆଉ ଯାଇପାରିଲେ ନାହିଁ, ପାଠପଢ଼ା ଛାଡ଼ି ଦେଲେ । ସେଇ ଦୁଃଖ କିନ୍ତୁ ଭୁଲିଯିବାକୁ ଚାହିଁ ପୁଅଝିଅଙ୍କୁ ଉଚ୍ଚଶିକ୍ଷିତ କରିବାକୁ ମନସ୍ଥ କରିଥିଲେ । ସେ ସିନା ମ୍ୟାଟ୍ରିକରେ ରହିଗଲେ, ଶୈବାଳ କିନ୍ତୁ ଏମ୍‌. ଏ. ହବ ବୋଲି ସେ ନିଶ୍ଚିନ୍ତ ହୋଇ ବସିଥିଲେ ।

 

ଶୈବାଳ କୌଣସି ଉତ୍ତର ନ ଦେଇ ଛିଡ଼ା ହୋଇଥାଏ ।

 

ମା ବରଂ ଦୁଖ କଲେ । ଠାକୁରଙ୍କ ପାଖରେ ମାନସିକ କରିଥିଲେ, ଶୈବାଳ ପାସ୍‌ କଲେ ଖିରୀଖେଚେଡ଼ି ଭୋଗ ଦେବେ । ମନର କଥା ମନରେ ରହିଗଲା । ଠାକୁରଙ୍କୁ କିନ୍ତୁ ଖିରୀ ଖେଚଡ଼ି ଭୋଗଦେବେ ସୌଦାମିନୀ । ଶଙ୍କର ମହାପାତ୍ର ଖୁସି ହୋଇ କହିଲେ, ପୁଅ ପାସ୍‌ କରିଛି ବୋଲି ଧରିନିଅ । ପାସ୍‌ କରୁ ବା ଫେଲ ହଉ ସବୁ ତାଙ୍କରି ଇଚ୍ଛା । ତାଙ୍କ ଇଚ୍ଛା ପୂର୍ଣ୍ଣ ହେଉ ।

 

ଶୈବାଳର ତଣ୍ଟି ପାଖରେ କିନ୍ତୁ ପ୍ରଥମ ଖେଚେଡ଼ି ଗୁଣ୍ଡାଟା ଅଟକି ଯାଇଥିଲା । ସେଥିରୁ ଗୋଟିଏ ଭାତ ତାଳୁକୁ ଉଠିଗଲା ନା କଅଣ କାଶି ପକଇେଲା ଶୈବାଳ । ତା’ ମଥା ଉପରେ ହାତ ଥୋଇ କହିଲେ ସୌଦାମିନୀ, ‘‘ପାଣି ଟିକେ ପିଇଦେ, ସବୁ ଠିକ୍‌ ହୋଇଯିବ ।’’

 

ରାତିରେ ନିଦ ହଉ ନ ଥାଏ । ଗରମ ପଡ଼ିଥାଏ ବୋଲି ବାହାରେ ଖଟ ପଡ଼ିଥାଏ ସମସ୍ତଙ୍କର; ଗୋଟିଏ ମୁଣ୍ଡରେ ବାପାଙ୍କର, ଅନ୍ୟମୁଣ୍ଡରେ ମାଆଙ୍କର ଏବଂ ମଝିରେ ଶୈବାଳ ଏବଂ ଅନ୍ୟ ଭାଇଭଉଣୀମାନଙ୍କର । ସମସ୍ତେ ଶୋଇପଡ଼ିଥିବେ ଭାବି ବିଛଣା ଉପରେ ବସିଲା ଶୈବାଳ-। ଆଖିରେ ନିଦ ନ ଥାଏ, କିନ୍ତୁ ମନରେ ଗଜୁରୁ ଥାଏ ଅସଂଖ୍ୟ ଚିନ୍ତା । ଇମିତି କେତେବେଳେ ସେ ବସିଥିଲା କେଜାଣି ହଠାତ୍‌ କାହାର କୋମଳ ହାତର ପରଶ ପାଇ ଚମକି ପଡ଼ିଲାବେଳକୁ ସେ ଦେଖିଲା ତା’ କାନ୍ଧ ଉପରେ ମାଆଙ୍କର ହାତ ।

 

ଶୈବାଳର ଆଖି ସଜଳ ହୋଇ ଆସିଥିଲା । ତାକୁ ଶୁଆଇ ଦେଇ କହିଲେ ମା, ‘‘ଜୀବନ-ଯୁଦ୍ଧର ହାରଜିତ୍‌ ଗୋଟିଏ ଯୁଦ୍ଧର ପରିଣାମରୁ ନିର୍ଣ୍ଣୟ କରିହୁଏ ନାହିଁ, ସେଥିପାଇଁ ଅନେକ ଯୁଦ୍ଧ କରିବାକୁ ହୁଏ ।’’

 

ବାଷ୍ପାକୁଳ ହୋଇ ଶୈବାଳ କହିଲା ମାଆଙ୍କୁ, ‘‘ମୋତେ ଆଶୀର୍ବାଦ କର, ମୁଁ ଯେପରି ପଛକୁ ନ ଫେରି ଆଗକୁ ଯାଏ ।’’

 

ତା’ର ଠିକ୍‌ ଦୁଇଦିନ ପରେ ସେ ଘରୁ ବାହାରି ଆସିଲା ଢେଙ୍କାନାଳ । ମାମୁଁଘରେ ଥିବାବେଳେ ମାଷ୍ଟର ଚାକିରିଟିଏ ମିଳିଗଲା ଗୋଟିଏ ପ୍ରାଇଭେଟ୍‍ ସ୍କୁଲରେ । ଦରମା ବେଶୀ ନୁହେଁ, ମାତ୍ର ଶହେ ପଚିଶ ଟଙ୍କା । କିନ୍ତୁ ସେଇ ଯଥେଷ୍ଟ । ପାଞ୍ଚବର୍ଷ ସେଠାରେ ରହିଗଲା ଶୈବାଳ । ସ୍କୁଲର ସେକ୍ରେଟାରୀଙ୍କ ସହିତ ତା’ର ଥିଲା ଘନିଷ୍ଠ ବନ୍ଧୁତ୍ୱ । ସେକ୍ରେଟାରୀ ସ୍କୁଲର ଦାୟିତ୍ୱକୁ ଭବିଷ୍ୟତ ରାଜନୈତିକ ଜୀବନର ଲଞ୍ଚିଂ ପ୍ୟାଡ଼ ଭାବରେ ବ୍ୟବହାର କରୁଥିଲେ । ସେହି ସଂକ୍ରାନ୍ତରେ ତାଙ୍କ ସହିତ ସହଯୋଗ କରିବାକୁ ଯାଇ ଶୈବାଳ ଅନେକ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଲା ଯେଉଁମାନେ ସାଧାରଣ କର୍ମକ୍ଷେତ୍ରରୁ ଅସାଧାରଣକୁ ପ୍ରମୋସନ ପାଇଛନ୍ତି । ସେକ୍ରେଟାରୀ ନିକୁଞ୍ଜ ମହାନ୍ତି କହନ୍ତି ଯେ,ଦେଶର ବୃହତ୍ତର କାମ କରିବା ପାଇଁ ଯଦି ଆଗ୍ରହୀ, ତା’ହେଲେ ଗ୍ରାମରୁ ଆରମ୍ଭ କର । ସ୍କୁଲର ସେକ୍ରେଟାରୀ କାଳୀପୂଜା କମିଟିର ସଭାପତି ବା ସେହିପରି କିଛି ପଦ ଗ୍ରହଣ କଲେ ସୁବିଧା ହୁଏ କାର୍ଯ୍ୟରେ ।

 

ତାଙ୍କର କାର୍ଯ୍ୟକୁ ସମର୍ଥନ କରିବା ପାଇଁ ଗୋଟେ ଲବି କରିଥାନ୍ତି ନିକୁଞ୍ଜ ମହାନ୍ତି । ଗ୍ରାମର କେତେଜଣ ଯୁବକ ସେହି ଲବିର ସଭ୍ୟ । ନିକୁଞ୍ଜ ନିଆଁକୁ ଡେଇଁବା ପାଇଁ କହିଲେ ଦ୍ୱିଧା ନ କରି ବା ପ୍ରଶ୍ନ ନ ପଚାରି ସେମାନେ ଡେଇଁପଡ଼ିବେ ନିଆଁକୁ । ସେମାନଙ୍କର କ୍ଲବର ପ୍ରଧାନ ପୃଷ୍ଠପୋଷକ ନିକୁଞ୍ଜ ମହାନ୍ତି । କ୍ଲବର ବାର୍ଷିକ ଉତ୍ସବ, କାଳୀପୂଜା ଉପଲକ୍ଷେ ଆୟୋଜନ କରାଯାଉଥିବା ନାଟକକୁ ମଞ୍ଚସ୍ଥ କରିବା ଏବଂ ରଜ ସମୟରେ ଖେଳ କସରତ ପ୍ରତିଯୋଗିତା ପାଇଁ ଯେଉଁ ଅର୍ଥ ଆବଶ୍ୟକ ହୁଏ ତାହା ଯୋଗାଇ ଦବା ତାଙ୍କର କାମ । ସେ କୁହନ୍ତି, ଏଥିପାଇଁ ଚିନ୍ତା କରିବାର କଅଣ ଅଛି ଯେ ? ଏ ହାତର ଧନ ସେ ହାତକୁ ଯିବ, ସେଥିରେ ନିଜର କ୍ଷତି ହୁଏ ନାହିଁ, ବରଂ ଲାଭ ହୁଏ । ପୃଷ୍ଠପୋଷକତା ପାଇଁ କୃତଜ୍ଞ ହୁଅନ୍ତି ଅନେକେ ।

 

ଚାନ୍ଦା ଆଦାୟ କରିବା ଗୋଟିଏ ନିୟମିତ ଘଟଣା । ସମାଜ ଅନୁଷ୍ଠାନ ବ୍ୟତୀତ ତିଷ୍ଠିପାରିବ ନାହିଁ । ସାମାଜିକ ଜୀବନକୁ ପୁଷ୍ଟ କରନ୍ତି ଏଇ ଅନୁଷ୍ଠାନମାନେ । ଅନୁଷ୍ଠାନମାନଙ୍କୁ ବଞ୍ଚେଇ ରଖିବାର ଦାୟିତ୍ୱ କର୍ମୀମାନଙ୍କର । ସବୁ ଲୋକ ତ ସେହି କାମ କରିବେ ନାହିଁ । ଯେଉଁ କେତେଜଣ ସାଧାରଣଙ୍କ କାମ କରନ୍ତି ସେମାନେ ବି ଭୋକରେ ରହିବେ ନାହିଁ । ସେମାନେ କାମଧନ୍ଦା କଲେ କିଛି ତ ପୁଣି ଉପାର୍ଜନ କରନ୍ତେ ! ଏହି ପୂଜା ପାର୍ବଣ, ଖେଳ କସରତ ମାଧ୍ୟମରେ ସେମାନଙ୍କୁ କେବଳ ବ୍ୟସ୍ତ ରଖନ୍ତି ନାହିଁ ନିକୁଞ୍ଜ, ସେମାନଙ୍କର ଆବଶ୍ୟକତା ପୂର୍ଣ୍ଣ କରି ଦିଅନ୍ତି ।

 

ଏଥିପାଇଁ ଯେଉଁ ମହାନ୍‌ ବ୍ୟକ୍ତି ଚାନ୍ଦା ସଂଗ୍ରହ କରବାର ପଦ୍ଧତିଟି ପ୍ରଥମେ ଆବିଷ୍କାର କରିଥିଲେ ସେ ନିକୁଞ୍ଜ ବାବୁଙ୍କ ମତରେ ଯେ ପ୍ରାତଃସ୍ମରଣୀୟ ଏଥିରେ ସନ୍ଦେହ ନାହିଁ । ସେ ଯେଉଁ ଉପାୟ କହି ଦେଇ ଯାଇଛନ୍ତି ତାହା କାଳଜୟୀ ହୋଇଯାଇଛି । ନୂଆ ନୂଆ ପ୍ରଣାଳୀ ବି ଉଦ୍ଭାବିତ ହେଉଛି । ଆଉ ଦ୍ୱାର ଦ୍ୱାର ବୁଲି ମୁଷ୍ଟିଭିକ୍ଷା ସଂଗ୍ରହ କରିବାକୁ ପଡ଼ୁନାହିଁ । ଆକବରୀ ଖାଙ୍କ ଖାଲି ଗୁଡ଼ାଖୁ ଡିବା ବା ଶାଲିମାର କୋମ୍ପାନୀର ଖାଲି ନଡ଼ିଆ ତେଲ ଡିବା ଉପରେ କଣାଟିଏ କରି ପ୍ରତି ଘରେ ରଖି ଦିଆଯାଏ । ପାଞ୍ଚ ଦଶ ପଇସା ଯେତେବେଳେ ଯାହାର ଯେପରି ସୁବିଧା ସେହିପରି ପକାଏ ଡିବା ଭିତରେ । ଡାଲ୍‌ଡ଼ା ଡିବା ଧରି ବସ୍‌ଷ୍ଟାଣ୍ଡ ବା ହାଟକୁ ଯାଆନ୍ତି ଯୁବକମାନେ ଚାନ୍ଦା ସଂଗ୍ରହ କରିବାପାଇଁ । ଆଉ ଗୋଟିଏ ଅଭିନବ ଉପାୟ ଏବେ ନୂଆ କରି ପ୍ରଚଳନ କରାଯାଇଛି । ରାସ୍ତା ଉପରେ ଚଳପ୍ରଚଳ କରୁଥିବା ମୋଟର ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଉଛି । ଗାଡ଼ି ଛିଡ଼ା ହେବା ମାତ୍ରେ ଚାନ୍ଦା ଆଦାୟ ପାଇଁ ଡାଲ୍‌ଡ଼ା ଡିବା ବଢ଼େଇ ଦିଆଯାଏ । ମନାକଲେ ବିପଦ । ପମ୍ପ୍‌ ଖୋଲି ଦବା ବା ପମ୍ପଚର କରିବା କାମରେ ଅନେକ ଯୁବକ ଧୂରନ୍ଧର ହୋଇଗଲେଣି ।

 

ନିକୁଞ୍ଜ ମହାନ୍ତି ଜଣେ ଉଚ୍ଚଶିକ୍ଷିତ ଯୁବକକୁ ଖୋଜୁଥିଲେ ତାଙ୍କ କାମରେ ସହାୟତା କରିବା ପାଇଁ । ଯାହାକୁ କୁହନ୍ତି ଲେଫ୍‌ଟନାଣ୍ଟ୍‌ । ପାଖେ ପାଖେ ରହିବ, ସବୁକଥାକୁ ସମର୍ଥନ କରିବ ଏବଂ ଆବଶ୍ୟକ ସ୍ଥଳେ ପରାମର୍ଶ ବି ଦବ । ଏହି କାମଟି କରିବା ପାଇଁ ଶୈବାଳ ମହାପାତ୍ରଠାରୁ ଯୋଗ୍ୟତମ ବ୍ୟକ୍ତି ଖଣ୍ଡ ମଣ୍ଡଳରେ ଅଛନ୍ତି ବୋଲି ତାଙ୍କର ବିଶ୍ୱାସ ହୁଏନାହିଁ ।

 

ଶିକ୍ଷକ ଛାତ୍ରକୁ ଖଡ଼ିଧରି ଅକ୍ଷରଶିକ୍ଷା ଦବାପରି ଗୋଟି ଗୋଟି କରି କାମ କରିବାର କୌଶଳ ଶୈବାଳକୁ ଶିକ୍ଷାଦେଲେ ନିକୁଞ୍ଜ ବାବୁ । ତାର ମନକୁ ଦୃଢ଼ ଏବଂ ଜୀବନକୁ ଗୋଟିଏ ଦର୍ଶନ ଦେଇ ସେ କହିଲେ, ‘‘ଗୀତାରେ ସ୍ୱୟଂ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ କହିଛନ୍ତି -ଯୋଗ କର୍ମୁସୁ କୌଶଳମ୍‌ । କର୍ମକୁ କୁଶଳତାର ସହିତ କରିବାହିଁ ଯୋଗ । ପ୍ରବଚନ ଓ ପରମ୍ପରାକୁ ମାନିଲେ ଉନ୍ନତି ଅଗ୍ରେ ଧାବତି ଧାବତି ।’’ ନିକୁଞ୍ଜ ବାବୁଙ୍କର ସଂସ୍କୃତ ଓ ଶାସ୍ତ୍ରଜ୍ଞାନ ଦେଖି ଅବାକ୍‌ ହୋଇଯାଏ ଶୈବାଳ । ସେ ଯେ ଠିକ୍‌ ଜାଗାରେ ଆସି ପହଞ୍ଚିଛି ଏଥିରେ ଆଉ ତିଳେମାତ୍ର ସନ୍ଦେହ ରହେନାହିଁ ।

 

କିନ୍ତୁ ଦିନେ ହଠାତ୍‌ ନିକୁଞ୍ଜବାବୁ ସ୍କୁଲର ସେକ୍ରେଟାରୀ ପଦ ଛାଡ଼ି ତହିଁରେ ଜଣେ ଅନୁଗତ ଶିଷ୍ୟକୁ ଅଧିଷ୍ଠିତ କରି ଚାଲିଗଲେ ସହରକୁ । ଢେଙ୍କାନାଳ ଜିଲ୍ଲାର ସଦର ମହକୁମା । ସେଠାରେ ତାଙ୍କପରି ବୁଦ୍ଧିମାନ୍‌ ଓ କୌଶଳୀ ଲୋକଙ୍କର ପ୍ରୟୋଜନ । ଗ୍ରାମର ସମସ୍ୟା ବୁଝାଶୁଝା କରିବାକୁ ଅନ୍ୟ ଲୋକ ଅଛନ୍ତି । ସହରର ସମସ୍ୟା ବୃଦ୍ଧି ପାଉଛି । ସେଠାରେ ଯୋଗ୍ୟ ବ୍ୟକ୍ତି ନେତୃତ୍ୱ ନ ନେଲେ ଦେଶର ଏବଂ ସମାଜର ସମୂହ କ୍ଷତି ହେବ ।

 

ନିକୁଞ୍ଜ ବାବୁ ଯିବାବେଳେ ଶୈବାଳକୁ ଆଶ୍ୱାସନା ଦେଇ କହିଲେ, ‘‘ତୁମ ଭିତରେ ଯେଉଁ ବୀଜ ବୁଣିଛି ତାହା ବୃଥା ଯିବନାହିଁ । ତୁମେ ହତୋତ୍ସାହ ନ ହୋଇ କାମ କରିଯାଅ । ବରଂ ପ୍ରୟୋଜନ ହେଲେ ମୋତେ ସ୍ମରଣ କରିବ । ଦେଶର କାମ ଗ୍ରାମରେ ରହି କରି ହୁଏନାହିଁ, ସେଥିପାଇଁ ସହରକୁ ଯିବାକୁ ହୁଏ । ସହରରେ କ୍ଷେତ୍ର ଅଛି କାମ କରିବା ପାଇଁ । ପ୍ରତିଭାକୁ ସମ୍ମାନ ଦିଆଯାଏ ସେଠାରେ । ମୁଁ ଯାଉଛି, ପରେ ପରେ ତୁମେ ବି ଆସିବ ... ।’’

 

ଶୈବାଳ ସାନ୍ତ୍ୱନା ପାଇ ଖୁସି ହେଲା । ଦିନ କେତୋଟିରେ ଯେ ସହରକୁ ଯିବାର ସେହି ସୁଯୋଗ ପହଞ୍ଚିଯିବ ସେତେବେଳେ ତାହା ସେ ଜାଣି ନ ଥିଲା । ସପ୍ଲାଇ ଡିପାର୍ଟମେଣ୍ଟରେ ଲୋକ ନିଯୁକ୍ତ ହେଉଥିଲେ । ନିକୁଞ୍ଜ ବାବୁ କାମର ସୁବିଧା ପାଇଁ କୁହାବୋଲା କରି ଶୈବାଳକୁ ସପ୍ଲାଇ ବିଭାଗରେ କିରାଣୀ ଚାକିରିଟିଏ କରେଇ ଦେଲେ । ଆଗେ କଥା ଥିଲା -‘‘ମାଛ ଖାଇବ ଇଲିସି, ଚାକିରି କରିବ ପୁଲିସି’’ । ଏବକୁ ସେ କଥା ଅଚଳ ହୋଇ ଆସିଲାଣି । ପୁଲିସ୍‍କୁ ପଚାରୁଛି କିଏ ? ନାଲି ପଗଡ଼ି ବି ବଦଳି ଗଲାଣି । ନୀଳ ପଗଡ଼ି ଭୟ ସଞ୍ଚାର କରୁନାହିଁ । କିନ୍ତୁ ଯୋଗାଣ ବିଭାଗ ରଜା ବିଭାଗ । ଏଠାରେ ଯାହାକିଛି ହୁଏ ସବୁ ରାଜକୀୟ । ସିମେଣ୍ଟ, ଚିନି, ଚାଉଳ, ତେଲ, ଗହମ, ସୁଜି, ଅଟା, କାଗଜ, ସାଇକେଲ ଟାୟାର, ଡାଲଡ଼ା ସବୁ ରକମର ଜିନିଷ ଏହାର ପରିସରଭୁକ୍ତ । ନିକୁଞ୍ଜ ବାବୁଙ୍କର ବିଶ୍ୱାସୀ ଅଥଚ ଆପଣାର ଲୋକଟିଏ ଦରକାର ଥିଲା ସପ୍ଲାଇ ବିଭାଗରେ । ଭାବୀ ଲୋକପ୍ରତିନିଧି ନିକୁଞ୍ଜ ବାବୁ । ଲୋକଙ୍କୁ ହାତରେ ରଖିଲେ ଉପକାର ହେବ ଏହି ଆଶାରେ ଶୈବାଳକୁ ସେ କରେଇଦେଲେ କିରାଣୀ ଚାକିରିଟି । ଶୈବାଳ ରେଢ଼ାଖୋଲ ଛାଡ଼ି ଚାଲି ଆସିଲା ଢେଙ୍କାନାଳ ।

 

ଶୈବାଳର ବିଦ୍ୟା ଅଛି, ବୁଦ୍ଧି ବି ଅଛି । ଶୀଘ୍ର ମଧ୍ୟସ୍ଥ ପୁରୁଷର କାମ ସମ୍ଭାଳି ନେଲା ସେ । ଆଜିକାଲି ସବୁ ସଂସ୍ଥାରେ ମିଡ଼ଲ ମ୍ୟାନ୍‌ଟିଏ ଆବଶ୍ୟକ । ବଡ଼ ବଡ଼ ସହରରେ ମହିଳାମାନେ ଏ କାର୍ଯ୍ୟ କରନ୍ତି । ଓଡ଼ିଶା ପଛୁଆ ରାଜ୍ୟ, ଏ ଦିଗରେ ଅଗ୍ରଗତି କରିପାରିନାହିଁ । ନିକୁଞ୍ଜ ମହାନ୍ତି ଏବଂ ଯୋଗାଣ ବିଭାଗର କର୍ତ୍ତାଙ୍କ ମଧ୍ୟରେ ଶୈବାଳ ମଧ୍ୟସ୍ଥର କାମ କରେ । ଦବା ନବା ତା’ ହାତଦେଇ ହୁଏ ।

 

ନିକୁଞ୍ଜ ବାବୁ ସମୟକୁ ଜଗି ଚଳନ୍ତି । ଦେଶର ଯୁବଶକ୍ତିକୁ ଏକତ୍ରିକ କରି ଗୋଟିଏ ସ୍ୱେଚ୍ଛାସେବକ ଦଳ ଗଠନ କରିବା ଲାଗି ସିଦ୍ଧାନ୍ତ ନେଇଛନ୍ତି ସେ । ଦଙ୍ଗାହାଙ୍ଗାମାଠାରୁ ଆରମ୍ଭ କରି ବସ୍ତିରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା, ଅନ୍ୟାୟର ପ୍ରତିକାର କରିବା ଏବଂ କର୍ତ୍ତୃପକ୍ଷଙ୍କ ସହିତ ଜାତି ଗଠନ କାର୍ଯ୍ୟରେ ସହଯୋଗ କରିବା ଏହି ସ୍ୱେଚ୍ଛାସେବକ ଦଳର ଘୋଷିତ ନୀତି । ସେହି ସ୍ୱେଚ୍ଛାସେବକମାନଙ୍କ ଜରିଆରେ ଜରିଆରେ ପରମିଟ ଇସ୍ୟୁ ହୁଏ, ସେମାନେ ଦରଖାସ୍ତ ଆଣନ୍ତି । ଶୈବାଳ ଅଫିସରେ ଯାହା କରିବା କଥା କରେ ଏବଂ ସିମେଣ୍ଟ, ଚିନି ଓ ତେଲ ପ୍ରଭୃତି ବିରଳ ପଦାର୍ଥକୁ ଯଥା ସ୍ଥାନରେ ପହୁଞ୍ଚାଇ ଦିଆହୁଏ । ସେଥିରୁ ଉପକୃତ ବ୍ୟକ୍ତିମାନେ ସ୍ୱେଚ୍ଛାରେ ଯାହା ଦିଅନ୍ତି ତାହା ହିଁ ସ୍ୱେଚ୍ଛାସେବକମାନଙ୍କର ଆୟର ପ୍ରଧାନ ପନ୍ଥା ।

 

ଓଡ଼ିଆମାନେ ପରଶ୍ରୀକାତର । ଅନ୍ୟର ଶ୍ରୀବୃଦ୍ଧି ଦେଖି ସହିପାରନ୍ତି ନାହିଁ । ଯିଏ ଉପରକୁ ଉଠେ, ତଳୁ ତା’ ଗୋଡ଼ ଟାଣିବା ପାଇଁ ବହୁ ଲୋକ ଅଛନ୍ତି । ଏହି ଜାତୀୟ ଲକ୍ଷଣହିଁ ଶୈବାଳ ଏବଂ ନିକୁଞ୍ଜ ବାବୁଙ୍କର ଅନ୍ୟଥା ଉତ୍ତମ ସେବା କାର୍ଯ୍ୟର ପ୍ରଧାନ ଅନ୍ତରାୟ ହୁଏ । କେତେକ ଅସାଧୁ ଅସାମାଜିକ ବ୍ୟକ୍ତି ସ୍ୱାର୍ଥ ହାସଲ କରି ନ ପାରି ନିକୁଞ୍ଜ ବାବୁ ଓ ଶୈବାଳଙ୍କ ନାମରେ ନାନା ମିଥ୍ୟା ଓ କପୋଳକଳ୍ପିତ ଅପପ୍ରଚାର ଚଳେଇ ସେମାନଙ୍କୁ ବଦନାମ କରିବାକୁ ଚେଷ୍ଟା କରନ୍ତି । କୁତ୍ସା ଗୁଜବ ହୋଇ କାନରୁ କାନକୁ ପ୍ରସାରିତ ହୁଏ । ଗୁଜବର ପର ଅଛି ଉଡ଼ିବା ପାଇଁ । ଢେଙ୍କାନାଳର ଢିଙ୍କିଶାଳ କଥା ରାଜଧାନୀ ପର୍ଯ୍ୟନ୍ତ ଚାଲିଯାଏ ।

 

ନିକୁଞ୍ଜ ବାବୁ ସଜ ହଉଥାଆନ୍ତି ସାମାଜିକ ଜୀବନରେ ଶୁଦ୍ଧତା ଆଣିବାପାଇଁ । ସମାଜରେ ଘୁଣ ଲାଗିଲେ ଆଉ ସମ୍ଭାଳି ହେବନାହିଁ । ସମାଜର ସର୍ବବିଧ ଉନ୍ନତି ନିମନ୍ତେ କେତେକ ବ୍ୟକ୍ତିଙ୍କୁ ତ୍ୟାଗ କରିବାକୁ ହେବ । ଭୋଗର ପ୍ରସାର ଘଟୁଥିବାବେଳେ କିଏ ତ୍ୟାଗ କରିବ ସ୍ୱେଚ୍ଛାରେ ? କିନ୍ତୁ ନିକୁଞ୍ଜ ବାବୁ ନିଜ ଇଚ୍ଛାରେ ଘୋଷଣା କଲେ ଯେ ସେ ତ୍ୟାଗ କରିବେ । ରେଢ଼ାଖୋଲରେ ଜନ୍ମ ତାଙ୍କର । ଭୀମ ଭୋଇଙ୍କର ଉତ୍ତରାଧିକାରୀ ସେ । ଏତକ କରନ୍ତେ ନାହିଁ ?

 

ଭୀମ ଭୋଇଙ୍କର ଜୟନ୍ତୀ ପାଳନ କରିବା ପାଇଁ କମିଟିଟିଏ ଗଢ଼ାହେଲା । ଏଯାଏ ଭୀମ ଭୋଇଙ୍କୁ କନ୍ଧ କବି ବୋଲି ବୋଧହୁଏ ବାସନ୍ଦ କରି ରଖା ଯାଇଥିଲା । ତାଙ୍କର ସାର୍ବଜନୀନ ଲୋକପ୍ରିୟତାକୁ ଶିକ୍ଷିତ ସମାଜ ଆଗରେ ଉପସ୍ଥାପିତ କରିବା ପାଇଁ ରେଢ଼ାଖୋଲ ବାହାରେ ଏଇ ପ୍ରଥମ ଉଦ୍ୟମ ନାଗରିକମାନଙ୍କର । ନିକୁଞ୍ଜ ମହାନ୍ତି ସମ୍ପାଦକର ଦାୟିତ୍ୱ ଗ୍ରହଣ କରି ଘୋଷଣା କଲେ, ‘‘ଭୀମ ଭୋଇଙ୍କ ସ୍ୱପ୍ନକୁ କାର୍ଯ୍ୟରେ ପରିଣତ କରିବାର ଦାୟିତ୍ୱ ଯୁବକମାନଙ୍କର । ତାଙ୍କର କାଳଜୟୀ ଉକ୍ତି; ‘‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’’କୁ ଆଚରଣସିଦ୍ଧ କରିବାକୁ ପଡ଼ିବ । ଏଥିପାଇଁ ସମସ୍ତଙ୍କ ଆଗରେ ଈଶ୍ୱରଙ୍କ ନାମରେ ଶପଥ ନେଲେ ନିକୁଞ୍ଜ ମହାନ୍ତି-। ଲୋକ ଧନ୍ୟ ଧନ୍ୟ କଲେ । ଏପରି ଦୀନବନ୍ଧୁ ଦେଶବନ୍ଧୁ ଯେ ବିଂଶ ଶତାବ୍ଦୀରେ ଏହି ହତଭାଗ୍ୟ ଦେଶରେ ଏପର୍ଯ୍ୟନ୍ତ କେହି ଜନ୍ମଗ୍ରହଣ କରିନାହାଁନ୍ତି, ଏହା କହି ସଭାପତି ତାଙ୍କର ଅନ୍ତିମ ଭାଷଣରେ ନିକୁଞ୍ଜ ବାବୁଙ୍କର ଦୀର୍ଘ ଜୀବନ କାମନା କରି କହିଲେ, ‘‘ସ୍ୱାଧୀନତା ପଥେ ଅଛି ଯେତେ ଗାଡ଼, ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼ । ସ୍ୱାଧିନତା ଆସିଛି, କିନ୍ତୁ ଅର୍ଥନୈତିକ, ସାମାଜିକ, ସ୍ୱାଧୀନତା ଏ ଯାଏ ଆସିନାହିଁ । ଉତ୍କଳମଣିଙ୍କ ପରେ ନିକୁଞ୍ଜ ମହାନ୍ତି ଏ ଜାତିର ଯୋଗ୍ୟତମ ଦେଶସେବକ ।’’

 

ଦୁଇ ତିନି ବର୍ଷ କାମ ବେଶ୍‌ ଚାଲିଲା । ଭୀମଭୋଇ ସ୍ମୃତିରକ୍ଷା କମିଟି ପକ୍ଷରୁ ଅନେକ ଅର୍ଥ ଆଦାୟ କରାଗଲା । ଢେଙ୍କାନାଳ ସହରରେ ଦୀନଦୁଃଖୀଙ୍କ ପାଇଁ ଗୋଟିଏ ହୋମିଓପ୍ୟାଥିକ ଚିକିତ୍ସାଳୟ ଖୋଲାଗଲା । ପରିତ୍ୟକ୍ତ ବା ଅସହାୟ ମୃତ ବ୍ୟକ୍ତିଙ୍କର ଶବ ସତ୍କାର ପାଇଁ ମଧ୍ୟ ସମିତି ବ୍ୟବସ୍ଥା କଲେ । ଏତାଦୃଶ ରଚନାତ୍ମକ କାର୍ଯ୍ୟ ହାତକୁ ନେବାରୁ ସମିତିର ପ୍ରତିଷ୍ଠା ଏବଂ ପ୍ରସାର ମଧ୍ୟ ବୃଦ୍ଧିପାଇଲା । କୋଇଲା ଖଣି, କଳକାରଖାନା ଏବଂ ବାଣିଜ୍ୟ ବ୍ୟବସାୟରେ କାମ କରୁଥିବା ଲୋକଙ୍କ ପାଖରୁ ବହୁ ଅର୍ଥ ସଂଗ୍ରହ କରାଗଲା । କେତେକ ବେକାର ଯୁବକ ଏହି ଦେଶହିତକର କାର୍ଯ୍ୟରେ ନିଜକୁ ନିୟୋଗ କରିବାର ସୁବିଧା ମଧ୍ୟ ପାଇଲେ ।

 

କାମ ବେଶ୍‌ ସୁରୁଖୁରୁରେ ଚାଲୁଥିବାବେଳେ କେତେକ ପରଶ୍ରୀକାତର, ଅସହିଷ୍ଣୁ ବ୍ୟକ୍ତ ବିରୋଧ କଲେ ନିକୁଞ୍ଜ ବାବୁଙ୍କର । ସେମାନେ ଲକ୍ଷ୍ୟଭ୍ରଷ୍ଟ -ଏଥିରେ ନିଃସନ୍ଦେହ ହୋଇ ନିକୁଞ୍ଜ ବାବୁ କହିଲେ, ‘‘ଭଲ କାମ କରିବା ପାଇଁ ଶପଥ ନବା ସହଜ କିନ୍ତୁ କରିବା ସହଜ ନୁହେଁ । ଯେଉଁମାନେ ଛିଦ୍ର ଦେଖନ୍ତି ସେମାନେ କୂଆ ପରି । କିନ୍ତୁ ମୁଁ ଯେଉଁ କାମ ହାତକୁ ନେଇଛି, ସମ୍ପୂର୍ଣ୍ଣ ନ କରି ଛାଡ଼ିବି ନାହିଁ । କୁତା ଭୁକୁଥିବ, ହାତୀ ଚାଲୁଥିବା ।’’

 

ଜିଲ୍ଲାପାଳ ଏବଂ ଶେଷରେ ସରକାରଙ୍କ ଦ୍ୱାରସ୍ଥ ହେଲେ ବିଭିନ୍ନ ଦଳର ନେତାମାନେ । ସେମାନେ ଦୃଢ଼ଭାବରେ ଦାବି କଲେ ପାଣ୍ଠି ସଂଗ୍ରହ ପାଇଁ ଉଠା ଯାଇଥିବା ଚାନ୍ଦାର ପରିଣାମ ଏବଂ ଖର୍ଚ୍ଚର ସମୀକ୍ଷା କରିବା ପାଇଁ । ସାଧାରଣ ସଭାରେ ମଧ୍ୟ ନାଗରିକ କମିଟି ସେହି ଏକ ଦାବି କଲେ । ଆନ୍ଦୋଳନ ତେଜିଲା । ନିକୁଞ୍ଜ ବାବୁ ଅଫିସ ସେକ୍ରେଟାରୀ ଶୈବାଳ ମହାପାତ୍ରକୁ ହିସାବପତ୍ର ଦର୍ଶାଇବା ନିମନ୍ତେ କହି ମଧ୍ୟପ୍ରାଚ୍ୟକୁ ଯାଉଥିବା ଏକ ଶୁଭେଚ୍ଛୁ ଦଳର ସଭ୍ୟ ହୋଇ ବିଦେଶ ଭ୍ରମଣରେ ଚାଲିଗଲେ । ତିନିମାସ କାଳ ଏକା ଶୈବାଳ ସମ୍ଭାଳି ନେଲା । ବିଦେଶ ଭ୍ରମଣରୁ ଫେରି ଢେଙ୍କାନାଳ ଛାଡ଼ି କଟକ ଚାଲିଗଲେ ନିକୁଞ୍ଜ ମହାନ୍ତି ଦେଶର ଡାକରା ପାଇ । ଢେଙ୍କାନାଳର କ୍ଷୁଦ୍ର ପରିସର ଭିତରେ ଅଣନିଃଶ୍ୱାସୀ ହୋଇ ଯାଉଥିଲେ ସେ । କଟକରେ ରହି ବୃହତ୍ତର କ୍ଷେତ୍ରରେ ନିଜର ଯୋଗ୍ୟତାର ପ୍ରାମାଣ ଦବାପାଇଁ ଉପଯୁକ୍ତ ପରିବେଶ ପାଇବେ ସେ । କଟକ ଓଡ଼ିଶାର ପ୍ରାଣକେନ୍ଦ୍ର; ସଂସ୍କୃତି, ବାଣିଜ୍ୟ ଓ ଜାଗ୍ରତ ଜନଜୀବନର ପୀଠସ୍ଥଳୀ ।

 

ସେହିଠାରୁ ନୂତନ କରି ଆରମ୍ଭ କଲେ ନିକୁଞ୍ଜ ମହାନ୍ତି ।

ଶୈବାଳ ମଧ୍ୟ ଅଫିସରେ ତାଲା ପକାଇ ଚାଲି ଆସିଲା ତାଙ୍କ ପାଖକୁ ।

ଢେଙ୍କାନାଳର ସବୁ କାର୍ଯ୍ୟ ହଠାତ୍‌ ବନ୍ଦ ହୋଇଗଲା ।

 

ଲୋକେ ଭୁଲିଗଲେ ଢେଙ୍କାନାଳର କଥା । ପୁଣି ନୂତନ କରି ଆରମ୍ଭ କରିବା ପାଇଁ ନିଜର ପଥ ନିଜେ ବାଛିନେଲା ଶୈବାଳ । ଏତେବେଳକୁ ସେ ଆଉ ପର ଉପରେ ନିର୍ଭରଶୀଳ ଏକ ଯୁବକ ନୁହେଁ, ସେ ସ୍ୱୟଂଚାଳିତ ଯନ୍ତ୍ରପରି ନିଜ ଉପରେ ନିର୍ଭରଶୀଳ ଏକ କୁଶଳୀ କାର୍ଯ୍ୟଦକ୍ଷ ପୁରୁଷ ।

 

ଉଦ୍ଦେଶ୍ୟହୀନ ଭାବରେ ଏକା ଏକା କିଛିଦିନ ଦେଶସାରା ବୁଲିଲା ଶୈବାଳ । ସ୍ଥାନରୁ ସ୍ଥାନକୁ । ସହରରୁ ସହରକୁ । ଲକ୍ଷ୍ୟ ନାହିଁ, ଉଦ୍ଦେଶ୍ୟ ନାହିଁ । କେବଳ ବୁଲିବାହିଁ କାର୍ଯ୍ୟ । ଏକା ଏକା ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଟ୍ରେନ୍‌ରେ ବା ବସ୍‌ରେ ଯିବାର ଆନନ୍ଦ ନ ଥାଏ, ରୋମାଞ୍ଚ ବି ନ ଥାଏ । ତଥାପି ବାଧ୍ୟ ହୋଇ ଯିବାକୁ ପଡ଼ୁଥିଲା ତାକୁ । ଯେପରି ସେ ଚିହ୍ନା ପରିଚୟ ସହିତ ମୁହାଁମୁହିଁ ହବାକୁ ଡରୁଥିଲା, ନିଜ ସହିତ ସାକ୍ଷାତ୍‍ ନ କରି ଲୁଚି ଲୁଚି ପଳାଉଥିଲା ।

 

ସେଇ ଏକା ଏକା ବୁଲିବା ସମୟରେ ଦିନେ ସେ ଚିତ୍ରକୂଟରେ ସ୍ୱାମୀ ଅମୃତାନନ୍ଦଙ୍କର ପାଖରେ ପହଞ୍ଚିଗଲା । ଅମୃତାନନ୍ଦ ଅନ୍ତର୍ଭେଦୀ ଦୃଷ୍ଟିରେ ତାକୁ କଳନା କରି କହିଲେ - ଅନ୍ତର ଭିତରର ଅସ୍ଥିରତା ଶାନ୍ତ ନ ହେଲେ ଲକ୍ଷ୍ୟସିଦ୍ଧି ପାଇଁ ଆନ୍ତରିକ ଅଭିଳାଷ ଜାତ ହେବନାହିଁ । ଅନ୍ତଶୁଦ୍ଧି ବ୍ୟତୀତ କର୍ମଯୋଗ ହାସଲ କରିବା ସମ୍ଭବ ନୁହେଁ ।

 

ସ୍ୱାମୀଜୀଙ୍କର କୃପାରୁ ଆଶ୍ରମରେ ସ୍ଥାନ ପାଇଗଲା ଶୈବାଳ । ଆଶ୍ରମର ନିୟମ ଅନୁସାରେ ଚଳିଲା । ଆଶ୍ରମର ବ୍ରତାଚାରୀମାନଙ୍କ ପରି ବ୍ରତପାଳନ କଲା । ସାତଦିନ ରହିବାପାଇଁ ଆଜ୍ଞା ଦେଇଥିଲେ ସ୍ୱମୀଜୀ, କିନ୍ତୁ ପ୍ରାୟ ସାତ ମାସ ରହିଗଲା ଶୈବାଳ । ତା’ର ଆନ୍ତରିକତା, ସାଧନା ପାଇଁ ପ୍ରଚେଷ୍ଟା ଏବଂ ସର୍ବୋପରି ଯାହା ଅଛି ତାକୁ ଛାଡ଼ି ଆଉକିଛି ଅଧିକ ପାଇବାର ଦୁର୍ଦ୍ଦମନୀୟ ବ୍ୟାକୁଳତା ଦେଖି ଅମୃତାନନ୍ଦ ସନ୍ତୁଷ୍ଟ ହେଲେ । ସମସସ୍ତଙ୍କର ସିଦ୍ଧିଲାଭ ହୁଏ ନାହିଁ । ଅନେକ ସାଧନା ବି କରିପାରନ୍ତି ନାହିଁ । କିନ୍ତୁ ସାଧନା ବା ସିଦ୍ଧିରେ ନିମଜ୍ଜିତ ନ ହୋଇ ସେଥିପାଇଁ ବ୍ୟାକୁଳତା ପ୍ରକାଶ କରିବା କମ୍ ଶୁଭଲକ୍ଷଣ ନୁହେଁ ।

 

ଆଶ୍ରମର ସବୁ ସର୍ତ୍ତ ପାଳନ ନ କଲେ ମଧ୍ୟ ଗୋଟିଏ ବ୍ୟତିକ୍ରମକୁ ଅନୁମୋଦନ କରି ଶୈବାଳକୁ ଦୀକ୍ଷା ଦବାପାଇଁ ସିଦ୍ଧାନ୍ତ କଲେ ସ୍ୱାମୀଜୀ । ଶୁଭ ମୁହୂର୍ତ୍ତ ନିର୍ଦ୍ଧିଷ୍ଟ ହେଲା । ଦୀକ୍ଷା ଗ୍ରହଣ ନିମନ୍ତେ କାର୍ଯ୍ୟନିର୍ଘଣ୍ଟ ପ୍ରସ୍ତୁତ କରାଗଲା । କିନ୍ତୁ ସୁପ୍ରଭାତ ଜଣାଇ ପୁଣ୍ୟତୋୟାରେ ସ୍ନାନକରି ଆଶ୍ରମକୁ ଆସିବାର ସମୟବେଳେ ନଦୀ ତଟରେ ତାକୁ ଅନୁପସ୍ଥିତ ଦେଖି ପ୍ରଥମେ କେହି ବିସ୍ମିତ ହୋଇ ନ ଥିଲେ ମଧ୍ୟ ପରେ ସେ ନିଜର ଆଚରଣ ଯୋଗୁ ସମସ୍ତଙ୍କୁ ଯେ ବିସ୍ମିତ କରିଦେଲା ଏହା ନିଃସନ୍ଦେହ । ସ୍ୱୟଂ ଅମୃତାନନ୍ଦ ଚିନ୍ତିତ ହେଲେ ।

 

କିନ୍ତୁ ସୁଯୋଗ ଭିନ୍ନ ଭିନ୍ନ ରୂପରେ ଆସେ । ଶୁଭ ମୁହୂର୍ତ୍ତ ସମସ୍ତଙ୍କ ପାଇଁ ସମାନ ବାର୍ତ୍ତା ବହନ କରି ଆଣେ ନାହିଁ ।

 

ଶୈବାଳ ମହାପାତ୍ର ଚିତ୍ରକୂଟରୁ ସିଧା ଆସି ପହଞ୍ଚିଗଲା କଟକ ସହରରେ ।

 

ନିକୁଞ୍ଜ ମହାନ୍ତି ଦୀର୍ଘଦିନର ବ୍ୟବଧାନ ପରେ ବନ୍ଧୁଦର୍ଶନ କରି ବିସ୍ମୟ ଓ ଆନନ୍ଦରେ ଅଭିଭୂତ ହୋଇପଡ଼ିଲେ ।

 

ଶୈବାଳର ଚେହେରା ଅନେକ ବଦଳି ଯାଇଛି ସେତେବେଳକୁ । ଶରୀର ଓ ଆଚରଣରେ ସନ୍ନ୍ୟାସୀ ସନ୍ନ୍ୟାସୀ ଭାବ । ଲମ୍ବା ଦାଢ଼ି ମୁହଁରେ । ପଛକୁ ଲମ୍ବି ଯାଇଛି କୃଷ୍ଣ କେଶଗୁଚ୍ଛ-। ଗୈରିକ ପରିଧାନ । ଶୁଦ୍ଧ ଶୁଦ୍ଧ ଭାବ ।

 

ଚମକି ପଡ଼ିଲେ ଚିହ୍ନାଲୋକ ।

 

ନିକୁଞ୍ଜ ମହାନ୍ତି କହିଲେ ଶୈବାଳକୁ, ଭେକ ନ ଥିଲେ ଭିକ ମିଳେନାହିଁ । ତୁମର ପ୍ରଶିକ୍ଷଣ ବେଶ୍‌ କାର୍ଯ୍ୟରେ ଲାଗିବ । ତୁମେ ରଙ୍ଗମଞ୍ଚରେ ଅବତୀର୍ଣ୍ଣ ହୁଅ । ତୁମର ଭୂମିକା ଗ୍ରହଣ କର । ଦେଶର କର୍ମୀଙ୍କର ଅଭାବ ନାହିଁ, ନେତାଙ୍କର ଅଭାବ ଅଛି । ଶୂନ୍ୟସ୍ଥାନ ପୂର୍ଣ୍ଣ କର । ଅପୂର୍ଣ୍ଣ କାମକୁ ପୂର୍ଣ୍ଣ କରିବାପାଇଁ ଅଭିଯାନ ଆରମ୍ଭ ହେଉ । ଅତୀତକୁ ପୋଛିଦେଇ ତୁମେ ଯେଉଁ ନୂତନକୁ ବରଣ କରିଛ ତାର ବାଣୀ ପ୍ରସାରିତ ହେଉ ।

 

ଶୈବାଳ ଉତ୍‌ଫୁଲିତ ହୋଇ କହିଲା, ସଂସାର ଛାଡ଼ି ବୈରାଗୀ ହବାକୁ ବହୁ ଚେଷ୍ଟା କଲି । ସଂସାରକୁ ଶଙ୍କରାଚାର୍ଯ୍ୟଙ୍କ ପରି ସ୍ୱପ୍ନବତ୍‌ କହି ସତ୍ୟର ସନ୍ଧାନ କରି ବହୁସ୍ଥାନ ବୁଲିଲି, ବହୁ ଆଶ୍ରମରେ ରହିଲି, ବହୁ ଗୁରୁଙ୍କୁ ଭେଟିଲି । କିନ୍ତୁ କାହିଁ ଶାନ୍ତି ପାଇଲି ନାହିଁ । ଯେତିକି ବୁଲିଲି, ଅପ୍ରାପ୍ତିର ଯନ୍ତ୍ରଣାବୋଧ ମୋତେ ସେତିକି କାତର କଲା । ମୁଁ ନିଃଶଙ୍ଗ ହବାକୁ ଚେଷ୍ଟାକରି ସଙ୍ଗସୁଖ ପାଇଁ ବ୍ୟାକୁଳ ହୋଇ ଉଠିଲି ।

 

ନିକୁଞ୍ଜ ମହାନ୍ତି ସୁଯୋଗ ଉଣ୍ଡୁଥିଲେ । ହଠାତ୍‌ କହି ପକେଇଲେ, ସାଧନାରେ ସିଦ୍ଧିଲାଭ କରିଛ ଶୈବାଳ । ନିଜକୁ ନିଜ ଭିତରେ ପାଇବାର ଚେଷ୍ଟା ନ କରି ଅନ୍ୟଭିତରେ ପାଇବାକୁ ଚେଷ୍ଟା କର । ଅନ୍ୟର ମୁହଁରେ ତୁମ ମୁହଁର ହସ ପ୍ରତିଫଳିତ ହେଉ ।

 

ଶୈବାଳ କିଛିଦିନ ପାଇଁ ନିକୁଞ୍ଜ ମହାନ୍ତିଙ୍କ ସହିତ ରହିଗଲା ମହାନଦୀ କୂଳର ଏକ ଭଡ଼ାଘରେ ।

 

ସେତେବେଳକୁ ଦେଶରେ ଘନେଇ ଆସୁଥାଏ ସାମାଜିକ ଓ ସାଂସ୍କୃତିକ ସଙ୍କଟ । ପ୍ରତିଶ୍ରୁତି ଏବଂ ପ୍ରତିପାଳନ ମଧ୍ୟରେ ସମ୍ପର୍କଟି ଉଭେଇ ଯାଉଥାଏ କ୍ରମଶଃ । ପ୍ରତିଶ୍ରୁତି ଦବାଟା ବଡ଼କଥା, ତାକୁ ପୂର୍ଣ୍ଣ କରିବାର ତାଡ଼ନା ନାହିଁ, ଆଗ୍ରହ ବି ନାହିଁ । ରାଶି ରାଶି ପ୍ରତିଶ୍ରୁତି ପାହାଡ଼ ପରି ଗଦା ହୋଇଛି । ଅନ୍ୟ ଘରଟି ଶୂନ୍ୟ । ଚାରିଆଡ଼େ ନୈରାଶ୍ୟ, ବିଶୃଙ୍ଖଳା, ଅଶାନ୍ତି ଓ ଅସ୍ଥିରତା । ବାଟବଣା ହୋଇ ବାଟ ପାଉ ନ ଥିବା ଲୋକର ଦୁର୍ଦ୍ଦଶା ପରି ଏକ ଦୟନୀୟ ଅବସ୍ଥା ।

 

ଏହାହିଁ ଉପଯୁକ୍ତ ମୁହୂର୍ତ୍ତ ।

 

ସେଥିପାଇଁ ପଣ୍ଡିତମାନେ କୁହନ୍ତି ଯେ ସଂକଟହିଁ ନେତୃତ୍ୱ ସୃଷ୍ଟିକରେ । ଆବଶ୍ୟକତା ସୃଷ୍ଟିକରେ ଆବିଷ୍କାର ପାଇଁ ଆଲୋଡ଼ନ ଓ ଉଦ୍ୟମ ।

 

ଶୈବାଳ ମହାପାତ୍ର ଆଉ ପଛଗୋଡ଼ାଣିଆ ହୋଇ ରହିବାକୁ ଚାହେଁନାହିଁ । ସେ ନିଜର ପଥ ନିଜେ ତିଆରି କରିବ ।

 

ନିକୁଞ୍ଜ ମହାନ୍ତିଙ୍କୁ କଟକ ନଗରୀ ଛାଡ଼ିଦେଇ ସେ ବାଛିନେଲା ରାଜଧାନୀକୁ, ଯେଉଁଠାରେ ପଡ଼ି ରହିଛି ଅନାବିଷ୍କୃତ ଇଲାକା, ଦେଶସେବାର ଅପହୁଞ୍ଚ ଉର୍ବର ଚରାଭୂଇଁ ।

 

କାଳେ ବସ୍‌ରେ କି ଟ୍ରେନ୍‌ରେ ଆସିଲେ ନିଜର ଲଘୁତ୍ୱ ପ୍ରକାଶ ପାଇପାରେ ବୋଲି ସେ ଆସିଲା ଟାକ୍‌ସିରେ । ରେଳଷ୍ଟେସନରେ ଉଏଟିଂ ରୁମ୍‌ ଅଧିକାର ନ କରି ଦିନକୁ ପଚାଶ ଟଙ୍କା ଭଡ଼ା ଦେଇ ରହିଲା ରିଟାୟାରିଂ ରୁମରେ । କୋଠରୀଟି ଶୀତତାପ ନିୟନ୍ତ୍ରିତ । ହୀନମନ୍ୟତା ଓଡ଼ିଆକୁ ପଛକୁ ଟାଣୁଛି । ସେଇ ହୀନମନ୍ୟତା ବିରୁଦ୍ଧରେ ପ୍ରଥମେ ସଂଗ୍ରାମ ଘୋଷଣା କଲା ଶୈବାଳ ମହାପାତ୍ର ।

 

ରିଟାୟାରିଂ ରୁମ୍‌ରୁ ଓହ୍ଲେଇ ଆସିବାବେଳେ ସେ ଦୃଷ୍ଟି ଆକର୍ଷଣ କଲା କେତେଜଣ ବେକାର ଯୁବକଙ୍କର । କାମ ନ ଥିବା ଲୋକେ ଷ୍ଟେସନକୁ ଆସନ୍ତି ସମୟ କାଟିବାପାଇଁ । ବେକାରମାନେ ଆସନ୍ତି ନିଜର ଗ୍ଲାନିକୁ ଭୁଲିଯିବାପାଇଁ । ଆଉ କିଏ ଆସେ ଝିଅମାନଙ୍କୁ ଦେଖିବାପାଇଁ । ଆଉ କିଏ ଆସେ କୌଣସି ଲକ୍ଷ୍ୟ ନ ଥାଇ । ପକେଟ କାଟିବାକୁ ବି ଆସନ୍ତି କେହି କେହି ।

 

ଶୈବାଳକୁ ଦେଖି ପଛେଇ ଯାଉଥିବା ତିନିଜଣ ଶିକ୍ଷିତ ଯୁବକଙ୍କୁ ପାଖକୁ ଡାକି ସେ କହିଲା, ବହୁତ ହୋଇଛି, ଆଉ ପଛଘୁଞ୍ଚା ନାହିଁ, ଏଥର କେବଳ ଆଗେଇବାକୁ ହେବ । ଉତ୍କଳମଣିଙ୍କ ଅକ୍ଷୟ ବାଣୀ ମନେପକାଅ: ପଛଘୁଞ୍ଚା ନାହିଁ ବୀରର ଜାତକେ, ନମରେ ସେ କେବେ ପରାଣ ଆତଙ୍କେ । ଦିନକୁ ଶତବାର ନ ମରି ଦିନେ ମରିବା ଭଲ । ପାରିବ ?

 

ସେମାନେ ପରସ୍ପରର ମୁହଁକୁ ଅନେଇଲେ ।

 

କିନ୍ତୁ ସେମାନଙ୍କର ଉତ୍ତରକୁ ଅପେକ୍ଷା ନ ରଖି ଶୈବାଳ କହିଲା, ଧର୍ମପଦ କଥା ମନେପକାଅ । ସେ କଅଣ ଜାଣିଥିଲା ଯେ ବାରଶହ ବଢ଼େଇ ଯାହା ପାରିବେ ନାହିଁ ସେ ତାହା କରିପାରିବ ? କିନ୍ତୁ ବାରଶହ ବଢ଼େଇ କରିପାରି ନ ଥିବା କାମକୁ ସେ କେବଳ ସମ୍ପୂର୍ଣ୍ଣ କଲାନାହିଁ, ସେ ନିଜର ତ୍ୟାଗଦ୍ୱାରା ଇତିହାସରେ ଅମର ହୋଇଗଲା । ବାରଶହ ବଢ଼େଇର ଦାୟ କି ପୁଅରେ ଦାୟର ଉତ୍ତର ଧର୍ମପଦ ଦେଇଥିଲା । ତା’ପରେ ଆଠଶହ ବର୍ଷ ଅତୀତ ହୋଇଯାଇଛି, ସେହି ଉତ୍ତର ଦବାପାଇଁ ଆଉ କେହି ଭରସି କରି ଆଗେଇ ଆସିନାହିଁ । ତୁମର ମୁହଁ କହିଦେଉଛି ତୁମେ ସାମାନ୍ୟ ନୁହଁ, ଆପାଙ୍‍କ୍ତେୟ ବା ଅଲୋଡ଼ା ନୁହଁ । ତୁମେ ସାମାନ୍ୟ ଆବରଣ ଭିତରେ ଅସାମାନ୍ୟ-। ତୁମର ପ୍ରୟୋଜନ ଅଛି । ମୋତେ ଗୋଟିଏ ଉତ୍ତର ଦିଅ, ପାରିବ କି ନାହିଁ ?

 

ଶଶାଙ୍କ ନାଏକ, ମନ୍ନଥ ମିଶ୍ର ଏବଂ ପ୍ରାଣବନ୍ଧୁ ସାହୁ ଏକ ସ୍ୱରରେ କହିଲେ, ‘‘ପାରିବୁ-।’’

 

ସେମାନଙ୍କର ପିଠି ଥାପୁଡ଼ାଇ ଦୀକ୍ଷାଦବା ଭଙ୍ଗୀରେ କହିଲା ଶୈବାଳ, ଆଜିଠାରୁ ତୁମର ଚିନ୍ତା ମୋତେ ଲାଗିଲା । ତୁମର ସମସ୍ୟା ମୋର ସମସ୍ୟା । କିନ୍ତୁ ଗୋଟିଏ ସର୍ତ୍ତରେ–ମୋର ଲୋଡ଼ା ଅବିଭାଜ୍ୟ ସମ୍ପୂର୍ଣ୍ଣ ଆନୁଗତ୍ୟ । ଦେଇପାରିବ ?

 

ସମସ୍ୱରରେ ସେମାନେ କହିଲେ, ‘‘ପାରିବା ।’’

 

ଝାଳନାଳ ହୋଇ ଘରକୁ ଫେରିଲେ ଦୀନବନ୍ଧୁ ମିଶ୍ର । ପ୍ରାଇମେରୀ ଶିକ୍ଷକ । ସମ୍ମାନ ପ୍ରତିପତ୍ତି ଓ ବେତନରେ ରାଜଧାନୀର ସର୍ବକନିଷ୍ଠ କର୍ମଚାରୀ ।

 

ଆଜୀବନ ଶିକ୍ଷକ । ତିରିଷ ବର୍ଷ ହବ ଶିକ୍ଷକତା କରୁଛନ୍ତି । ରାଜଧାନୀର ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରୁ ସେ ରହିଛନ୍ତି ଏଇ ସହରରେ । ଏକ ନମ୍ବର, ଦୁଇ ନମ୍ବର, ଆଠ ନମ୍ବର, ଦଶ ନମ୍ବର, ପୁରୁଣା ବଜାର, ବାଣୀବିହାର, ପଟିଆ ହୋଇ ଶେଷରେ ପୁଣି ଫେରି ଆସିଛନ୍ତି ରାଜଧାନୀର ତିନି ନମ୍ବର ସ୍କୁଲକୁ । ତିନି ନମ୍ବରର ନାମ ଖାରବେଳ ନଗର । ଏଥର ମେଘବାହନ ଖାରବେଳଙ୍କର କୀର୍ତ୍ତି ଓ ମହିମାକୁ ପୁଣିଥରେ ସ୍ମରଣ କରି ନଗରପାଳିକା ତିନି ନମ୍ବର ୟୁନିଟକୁ ଏହି ପ୍ରାତଃସ୍ମରଣୀୟ ନାମରେ ନାମିତ କରିଛନ୍ତି । ସାଧୁ ଉଦ୍ୟମ ନିଶ୍ଚୟ ।

 

ଜୀବଦ୍ଦଶାରେ ନ ହେଉ, ମୃତ୍ୟୁପରେ ସମ୍ମାନ ଜଣାଇବାପାଇଁ ଅନ୍ତତଃ ଲୋକର ଅଭାବ ନାହିଁ ଏଠାରେ ।

 

ଦୀନବନ୍ଧୁ ବାବୁଙ୍କ ହାତକୁ ଗାମୁଛା ଏବଂ ଲୋଟାଏ ପାଣି ବଢ଼େଇ ଦେଇ କହିଥିଲେ ସୁଭଦ୍ରା, ‘‘ମୁହଁ ହାତ ଧୋଇନିଅ । କଳରେ ପାଣିନାହିଁ । ସୁରେଶବାବୁଙ୍କ ଘରୁ ବାଲ୍‌ତିଏ ପାଣି ମାଗି ଆଣିଛି ।’’

 

ଦୀନବନ୍ଧୁ ବାବୁ ଉଠିବାର ଉପକ୍ରମ ନ କରି କହିଲେ, ‘‘ପାଣି ବି ଶେଷରେ ନିଅଣ୍ଟ ପଡ଼ିଲା ! ରେସନିଂ କଲେ ତ ଗୋଟେ କିଛି ନୂଆ ବିଭାଗ ଖୋଲା ଯାଆନ୍ତା, କିଛି ପାଖଲୋକ କୁହାବୋଲା କରି ନିଜ ପୁଅ ପୁତୁରାକୁ ଲାଗେଇ ଦିଅନ୍ତେ କାମରେ ।’’

 

ସୁଭଦ୍ରା କହିଲେ, ‘‘ତୁମେ ଅଦା ବେପାରୀ, ଜାହାଜର ଖବର ନିଅ କାହିଁକି ?’’

 

ଦୀନବନ୍ଧୁ ବାବୁ ପତ୍ନୀଙ୍କୁ ଖୁସି କରିବାପାଇଁ କହିଲେ, ‘‘ଏଥର ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ । ଏପର୍ଯ୍ୟନ୍ତ କେବଳ ପ୍ରତିଶ୍ରୁତି ଦେଇ ନିଶ୍ଚିନ୍ତ ରହୁଥିଲେ ସମସ୍ତେ, ପ୍ରତିଶ୍ରୁତି ପୂର୍ଣ୍ଣ କରିବାର ଦାୟ ଦାୟିତ୍ୱ ନ ଥିଲା କାହାର । ଏବେ ସେହି ଦାୟିତ୍ୱଟିକୁ ନିର୍ବାହ କରିବା ପାଇଁ ଟୋକାମାନେ ବାହାରିଲେଣି ।’’

 

ସୁଭଦ୍ରା କହିଲେ, ‘‘ଟୋକାମାନେ ଯଦି ବାହାରନ୍ତେ ସତରେ କିଛିଗୋଟେ ହୁଅନ୍ତା । କିନ୍ତୁ ଟୋକାମାନଙ୍କ ହାତରେ ଏହି କାମ ପାଇଁ ସମୟ ନାହିଁ ।’’

 

ଦୀନବନ୍ଧୁ ଏତେଶୀଘ୍ର ପରାସ୍ତ ହବାପାଇଁ ଚାହୁ ନ ଥିଲେ । ସେ ସ୍ତ୍ରୀଙ୍କୁ ଆଜିକାଲିର ଯୁବକମାନଙ୍କ ସମ୍ପର୍କରେ ଅଧିକ ଜ୍ଞାନ ଦବାଲାଗି କହିଲେ, ‘‘ସମୟ ଏଯାଏ ଛପନ ପଉଟି ଭୋଗ ଖାଇ ଶୋଇଥିଲା ବଡ଼ଦାଣ୍ଡରେ । ଏବେ ଜଗନ୍ନାଥଙ୍କ ଜମି ବି ଖାସ୍‌ ହୋଇଯାଇଛି । ତାଙ୍କ ଜମିଦାରୀ ଯିବାପରେ ସେ ବି ବାହାରିଛନ୍ତି ଭାଇ ଭଉଣୀ ସାଙ୍ଗରେ ବସ୍‌ ଚଳେଇ ଗୁଜୁରାଣ ମେଣ୍ଟେଇବା ପାଇଁ । ଦେଖାଶିଖା ଓଡ଼ିଶା । ଟୋକାମାନେ ଏ ଦେଶର ଭବିଷ୍ୟତ । ସେମାନେ ପାରନ୍ତେ ନାହିଁ ?’’

 

ସୁଭଦ୍ରା ସ୍ୱାମୀଙ୍କ ସହିତ ପାରନ୍ତି ନାହିଁ । ଯେତେହେଲେ ସେ ଶିକ୍ଷକ । ପଛରେ ତିରିଶ ବର୍ଷର ଅଭିଜ୍ଞତା । ଗୃହିଣୀର ସେପରି ଅଭିଜ୍ଞତା କାହିଁ ? ଦିନରାତି ପହର ଗଣି ପଇସାର ଆୟବ୍ୟୟ ହିସାବ କରୁକରୁ କେତେବେଳେ ଯୌବନ ଅତିକ୍ରାନ୍ତ ହୋଇଯାଏ, ମୁଣ୍ଡର ବାଳ ପାଚିଯାଏ ସେ ଜାଣିପାରେ ନାହିଁ । ନିଜ ଦୁନିଆଟା ତା’ ପାଖରେ ଏତେବଡ଼ ଯେ ସେ ତା’ ବାହାରେ ଅନ୍ୟ ଦୁନିଆର ଖବର ରଖିବାକୁ ସମୟ ପାଏନାହିଁ । ସକାଳ ସଞ୍ଜ ସେଇ ଗୋଟିଏ କାମ । ଉଦୟାସ୍ତ ସେଇ ଗୋଟିଏ କାମ । ରନ୍ଧାବଢ଼ା, ପିଲାଜନ୍ମ ଏବଂ ପ୍ରତିପାଳନ, ଘର ସଂସାରର ଭଲମନ୍ଦ, ପ୍ରତିଦିନ ସୂର୍ଯ୍ୟଚନ୍ଦ୍ରର ଘୂର୍ଣ୍ଣନ ପରି ରୁଟିନବନ୍ଧା କାମ ଏବଂ ନିଜକଥା ଚିନ୍ତା କରିବାର ସମୟ କରି ନ ପାରି ନିଜର ବିଶ୍ୱାସ ଚାରିପାଖରେ ଅନ୍ଧପରି ଘୂରିବ, ମେରୁ ଚାରିପାଖରେ ଯେପରି ଘୂରେ ବଳଦ । ସେ ଭାବେ ତା’ର ପୃଥିବୀ ମେରୁଖୁଣ୍ଟରେ ବନ୍ଧା ହୋଇଛି, ଖସି ପଳେଇ ଯିବାର ଉପାୟ ନାହିଁ । ସମୟ ସ୍ଥିରହୋଇ ଛିଡ଼ା ହବାପରି ମନେହୁଏ; କିନ୍ତୁ ଦିନେ ମେରୁଖୁଣ୍ଟରୁ ଛାଡ଼ ପାଇ ସେ ବାହାରକୁ ଆସି ଦେଖେତ ପୃଥିବୀଟା ଏ ଭିତରେ ଅନେକ ବଦଳି ଯାଇଛି । ନିଜର ମୁହଁକୁ ଚାହିଁ ନିଜେ ନିଜକୁ ଚିହ୍ନିପାରେନାହିଁ ।

 

ସୁଭଦ୍ରାଙ୍କ ହାତରେ ଆହୁରି ଅନେକ କାମ । କ୍ଲାନ୍ତିରେ ଆଣ୍ଠୁ ଭାଙ୍ଗି ପଡ଼ିବା ପରି ଲାଗୁଛି-। କିନ୍ତୁ ନିରୂପାୟ । ସ୍ୱାମୀ ସକାଳେ ଯାଆନ୍ତି ଯେ ଫେରନ୍ତି ରାତିରେ । ଚାରିଟାରେ ସ୍କୁଲ ଛୁଟି ହବାପରେ ଦୁଇଯାଗାରେ ଟିଉସନ କରି ଫେରିବାବେଳକୁ ରାତି ସାଢ଼େଆଠ ବା ନଅ ବାଜିଯାଏ-। ଦିନେ ଦିନେ ଆହୁରି ଡେରିରେ ଫେରନ୍ତି ଦୀନବନ୍ଧୁ । ଛାତ୍ରର ଘରେ ହଠାତ୍‌ କେହି ଅତିଥି ପହଞ୍ଚିଲେ ଚାକର ଯଦି ସେହି ସମୟରେ ଅନ୍ୟତ୍ର କର୍ମବ୍ୟସ୍ତ ଥାଏ, ଦୀନବନ୍ଧୁ ବାବୁଙ୍କୁ ବଜାର ଯିବାକୁ ହୁଏ । ଜଳଖିଆ ବା ପରିବା କିଛି ନ ଆଣିଲେ ଅତିଥି ଚର୍ଚ୍ଚା ହବ କିପରି ? ଦୀନବନ୍ଧୁ ମହାଶୟ ବ୍ୟକ୍ତି । ଆଦର୍ଶ ସ୍କୁଲଶିକ୍ଷକ । ତାଙ୍କରି ଉପରେ ଭବିଷ୍ୟତ ବଂଶଧରମାନଙ୍କର ଭାଗ୍ୟ ଏବଂ ସୁଖ ସମୃଦ୍ଧି ନିର୍ଭର କରେ । ସେ ଉତ୍ସାହର ସହିତ ଏହି ବଳକା କାମ କରିଦିଅନ୍ତି । ଜଳଖିଆ ବଢ଼ା ହବାବେଳକୁ ତାଙ୍କୁ ଛୁଟି ମିଳେ । ସେ ଅନ୍ୟଘରକୁ ଯାଆନ୍ତି ପାଠ ପଢ଼େଇବା ପାଇଁ-

 

ଆହାରେ ! ଟିକେ ଜଳଖିଆ ଯଦି ଲୁଚେଇ କରି ଶିଷ୍ୟ ଗୁରୁଙ୍କୁ ଦେଇଥାଆନ୍ତା ତାଙ୍କ ପେଟତଳୁ ଗରମ ବାଷ୍ପ ଉପରକୁ ଉଠନ୍ତା ନାହିଁ ।

 

କିନ୍ତୁ ଭାଗ୍ୟର ବିଡ଼ମ୍ବନା ଏପରି ଯେ ରାସ୍ତାକଡ଼ର ପାଣିକଳଗୁଡ଼ାକର ପାଣି ମିଳେନି ସେତେବେଳେ ।

 

ସୁଭଦ୍ରା ତଥାପି ସ୍ୱାମୀଙ୍କୁ କହିଲେ, ‘‘ଜଲଦି ଜଲଦି କାମ ଶେଷ କର । ବଡ଼ଝିଅ ପାଇଁ ପ୍ରସ୍ତାବଟିଏ ଆସିଛି । ଖାଇସାରିବା ପରେ ନିରୋଳାରେ କହିବି ।’’

 

ଦୀନବନ୍ଧୁ ଏଯାଏ ପ୍ରତିଶ୍ରୁତି ପୂର୍ଣ୍ଣ କରାହେଉଥିବା ଆଉ ଗୋଟିଏ ସୁନ୍ଦର ପୃଥିବୀରେ ଭ୍ରମଣ କରୁଥିଲେ । ସେଠାରେ ଅଭାବ ନାହିଁକି ଅନାଟନ ନାହିଁ, ପଡ଼ିପ୍ରଥା ନାହିଁକି ବଢ଼ିମରୁଡ଼ି ନାହିଁ-। ସେଠାରେ ଖାଲି ସନ୍ତୋଷ, ସବୁଜ ସନ୍ତୋଷ ।

 

ତାଗିଦ୍‌ ପାଇ ସେହି ରାଜ୍ୟରୁ ଫେରିବାକୁ ବାଧ୍ୟ ହେଲେ ଦୀନବନ୍ଧୁ ।

 

ତେଲଲୁଣର ସଂସାରଟା ହାଁ କରି ଅନେଇ ରହିଛି ତାଙ୍କ ଆଡ଼କୁ ସତେ ଯେପରି ଗିଳି ପକାଇବ ତାଙ୍କୁ ।

 

ତାହାରି ମୁହଁ ଭିତରେ ବିଶ୍ୱଦର୍ଶନ କରି ଆଖି ମୁଦି ହୋଇଗଲା ତାଙ୍କର ।

 

ପାଞ୍ଚଟି ସନ୍ତାନ । ବଡ଼ଟି ଝିଅ । ବାଇଶ ବର୍ଷ । ଆଇ. ଏ. ପାସ୍‌ କରି ଘରେ ବସିଛି । ଦ୍ୱିତୀୟଟି ବି ଝିଅ । କୋଡ଼ିଏ ବର୍ଷ । ମ୍ୟାଟ୍ରିକ୍‌ ପାସ୍‌ କରି ନ ପାରି ସିଲେଇ ସ୍କୁଲରେ ଭର୍ତ୍ତି ହୋଇଛି-। ତୃତୀୟଟି ପୁଅ । ବୋବା । ବୟସ ଷୋହଳ । ଚତୁର୍ଥଟି ବି ପୁଅ । ବୟସ ଚଉଦ । ବୃତ୍ତି ପାଇ ଅଷ୍ଟମରେ ପଢ଼ୁଛି । ପଞ୍ଚମ ଝିଅ । ଦଶ ବର୍ଷ । ପ୍ରାଇମେରୀ ସ୍କୁଲର ଛାତ୍ରୀ । ଏ ବର୍ଷ ପରୀକ୍ଷା ଦବ-। ବଙ୍କେଇ ଚାଲେ । ପିଲାବେଳେ ପୋଲିଓ ଆକ୍ରମଣ କରିଥିଲା, ଭାଗ୍ୟକୁ ବର୍ତ୍ତିଯାଇଛି, ବେଶୀ କିଛି କ୍ଷତି ହୋଇନାହିଁ ।

 

ଘରେ ମା’ବାପା ନାହାଁନ୍ତି ସତ, କିନ୍ତୁ ବିଧବା ଭଉଣୀର ସବୁ ଦାୟିତ୍ୱ ତାଙ୍କ ଉପରେ । ପିଲାମାନଙ୍କର ଭବିଷ୍ୟତ ବି ତାଙ୍କ ଉପରେ । ଆଉ ସୁଭଦ୍ରା ! ସର୍ବଂସହା ଧରିତ୍ରୀ ପରି ମାନ ଅଭିମାନ, ଦୁଃଖ ସୁଖ ଭୁଲି ତିଳ ତିଳ କରି ନିଜକୁ ଖର୍ଚ୍ଚ କରି ଚାଲିଛନ୍ତି । ତାଙ୍କର ଖର୍ଚ୍ଚଖାତା ଲମ୍ବି ଲମ୍ବି ଯାଉଛି । ଜମାଖାତାରେ ଏକା ପତି ପରମଦେବତା !

 

ଏତିକି ହୋଇଥିଲେ ହୁଏତ ଚଳି ଯାଇଥାଆନ୍ତେ, କିନ୍ତୁ ଦୁଆର ଖୋଲିଲେ ବଡ଼ ଝିଅ ଏବଂ ଦ୍ୱିତୀୟାକୁ ଦେଖିବା ପାଇଁ ସାରା ଜଗତଟା ଯେପରି ଅନେଇ ରହିଛି । ଖାଲି ଅନେଇ ଥିଲେ ବି ଚିନ୍ତା ନ ଥିଲା । କିନ୍ତୁ ସେହି ଦୃଷ୍ଟିରେ ଦଂଶନ କରିବାର ଅସ୍ଥିରତା । ଇସ୍‌ ! କି ଯନ୍ତ୍ରଣା ସେହି ବିଷର !

 

ବରପାତ୍ର ଅନେକ । ଆସୁଛନ୍ତି ବି ଦେଖିବାପାଇଁ । ସେଥିରେ ମାସକୁ ପଚିଶ ତିରିଶ ଟଙ୍କା ବି ଖର୍ଚ୍ଚ ହୁଏ । ବେଳେ ବେଳେ ପଚାଶ ଷାଠିଏ ପର୍ଯ୍ୟନ୍ତ ବି ଖର୍ଚ୍ଚ ହୁଏ । କିନ୍ତୁ ଜଳଖିଆ ଖାଇ ସାରିବାବେଳକୁ ପ୍ରସ୍ତାବ ବି ସରିଯାଏ । ଦବାନବାର କଥା ଉଠିଲେ ତଣ୍ଟି ଶୁଖିଯାଏ ଦୀନବନ୍ଧୁଙ୍କର-। କିଛି ଜବାବ ଦେଇପାରନ୍ତି ନାହିଁ । ତାଙ୍କର ଜବାବ ନ ପାଇ ବରପକ୍ଷ ବି ଜବାବ ନ ଦେଇ ଚାଲିଯାଆନ୍ତି ।

 

ହେ ଈଶ୍ୱର ! ତୁମେ ଯଦି ଟିକେ ଦେଖନ୍ତ ଆଡ଼ ନୟନରେ !

 

ସୁଭଦ୍ରା ସ୍ୱାମୀଙ୍କୁ ହଲେଇ ଦେଇ କହିଲେ, ସେତିକିବେଳୁ କାଠପରି ବସିଛ ଗୋଟିଏ ଜାଗାରେ । ଆଜି କଅଣ ହେଇଛି ତୁମର ? ରାତି କେତେ ହେଲାଣି ଜାଣ ? ପିଲାମାନେ ଖାଇପିଇ ଶୋଇଲେଣି । ଯେତିକି ରାତି କରିବ ସେତିକି ବେଶି ଇଲେକ୍‌ଟ୍ରିକ୍‌ ଖର୍ଚ୍ଚ ବଢ଼ିବ ।

 

ହୁଏତ ଆଉ ଟିକେ ବସି ବିଶ୍ୱଦର୍ଶନ କରିଥାଆନ୍ତେ ଦୀନବନ୍ଧୁ । କିନ୍ତୁ ଇଲେକ୍‌ଟ୍ରିକ ବିଲ୍‌ ବେଶି ହବ–ଏହି ସତର୍କବାଣୀ ତାଙ୍କୁ ଚାବୁକ୍‌ ମାରି ଉଠେଇ ଦେଲା କ୍ଷଣକରେ । ଦେହକୁ ସକ୍‌ ମାରିବା ପରି ଲାଗିଲା ।

 

‘‘ଉଃ’’ ! କହି ଉଠିବସିଲେ ଦୀନବନ୍ଧୁ ବାବୁ ।

 

ତିନି କନ୍ୟା ସେବା, ଶୁଶ୍ରୁଷା ଏବଂ ସମାପ୍ତି ଶୋଇଗଲେଣି ସେତେବେଳକୁ । ଦୁଇ ପୁଅ ପ୍ରଶାନ୍ତ ଏବଂ ପ୍ରବୀର କେତେବେଳେ ଶୁଅନ୍ତି ଜାଣି ହୁଏ ନାହିଁ । ଏକତ୍ର ହବାକ୍ଷଣି କଜିଆ ଲାଗେ ଦୁହିଙ୍କ ମଧ୍ୟରେ ।

 

ଦୀନବନ୍ଧୁ ଦୁଇପୁଅଙ୍କ ଶୋଇବା ଘରକୁ ଉଙ୍କିମାରି ଦେଖିନେଇ କହିଲେ, ସବୁ ଦୁଃଖୀ ମଣିଷ ବୋବା ହବା ଉଚିତ । କହିବାକୁ ନ ଥିବ କିଛି । ଅଭିଯୋଗ ନ ଥିବ । ଅନୁରୋଧ ନ ଥିବ । କେବଳ ଶୁଣିବ, ଦେଖିବ । ଆଉ ଗୋଡ଼ ହାତ ସଚଳ ଥିବାଯାଏ କାମ କରିଯିବ । ପ୍ରତିବାଦ କରିବ ନାହିଁ, ପ୍ରତିରୋଧ କରିବ ନାହିଁ ।

 

ସେମାନେ ବି ବୋଧହୁଏ ଶୋଇଗଲେଣି ।

 

ଦୀନବନ୍ଧୁ ଉଠି ବସି ମୁହଁହାତ ଧୋଇ ଲୁଗା ବଦଳାଇଲେ । ପଞ୍ଜାବୀ ଖଣ୍ଡକ ଝାଳରେ ଜୁଡ଼ୁବୁଡ଼ୁ । ପ୍ରତିଦିନ ସଫା କରି ହୁଏ ନାହିଁ । ଦୁର୍ଗନ୍ଧ କଲାଣି । କାଲି ରବିବାର । ଛୁଟି । ଘରର ଅନ୍ଧିସନ୍ଧି, ନାଳ ନର୍ଦ୍ଦମା ଓ ପାଇଖାନା ସଫା କରିବା ପାଇଁ ସମୟ ହେବ । ସେହି ଅବସରରେ ଲୁଗା ଜାମା ବି ସଫା କରି ପକେଇବ ଦୀନବନ୍ଧୁ । ଗେଞ୍ଜି ଆଉ ବ୍ୟବହାର କରନ୍ତି ନାହିଁ । ଅଯଥା ପଇସା ଖର୍ଚ୍ଚ । ଭଦ୍ରଲୋକ ହବାପାଇଁ ଗୋଟିଏ ଆବରଣ ଯଥେଷ୍ଟ ।

 

ଦୀନବନ୍ଧୁ ପାଞ୍ଚ ମିନିଟରେ ସନ୍ଧ୍ୟା ଆହ୍ନିକ ଶେଷ କଲେ । ଏଇ କାମଟା ରୁଟିନ ଭିତରେ ପଡ଼ୁ ନ ଥିଲେ ବି ଅଭ୍ୟାସରେ ପଡ଼ିଯାଇଚି । ପ୍ରାଇମେରୀ ଶିକ୍ଷକର ସନ୍ଧ୍ୟା ଆହ୍ନିକ ଗୋଟିଏ ବଡ଼ ବିଳାସ, ଯିମିତି ଆଉ ଗୋଟିଏ ବିଳାସ ହେଉଛି ସ୍ୱପ୍ନ ଦେଖିବା । ବାସ୍ତବ ଜଗତରେ ଯେଉଁ ସୁଖରୁ ବଞ୍ଚିତ ହୋଇଛନ୍ତି, ସେଗୁଡ଼ାକ ସ୍ୱପ୍ନରେ ହାଉଯାଉ ଖାଆନ୍ତି । ସେ ସ୍ୱପ୍ନରୁ ଉଠିବା ପାଇଁ ନ ଚାହୁଥିବାବେଳେ କିନ୍ତୁ ସ୍ୱପ୍ନ ଭାଙ୍ଗିଯାଏ । ଉଠେଇ ଦିଅନ୍ତି ସୁଭଦ୍ରା ।

 

ସେବା ଓ ଶୁଶ୍ରୂଷା ବଡ଼ ହେଲେଣି । ସେମାନଙ୍କ ପାଇଁ ସ୍ୱପ୍ନ ଦେଖନ୍ତି ଦୀନବନ୍ଧୁ । ଦୁଇକନ୍ୟା ବାହା ହୋଇ ସ୍ୱାମୀଘରକୁ ଯିବେ । ସେମାନଙ୍କର ସୁଖର ସଂସାର ପୂର୍ଣ୍ଣ ହୋଇଉଠିବ କୋଳାହଳରେ । ମୁହଁରୁ ଉପୁଚି ପଡ଼ିବ ଜୀବନକୁ ଭଲ ପାଇବାର ଦୀପ୍ତି ।

 

ପଖାଳ କଂସାଏ ବାଢ଼ି ଦେଇଥିଲେ ସୁଭଦ୍ରା । ଶାଗଭଜା ଏବଂ ଆଳୁ ଭରତା ।

 

ଅତ୍ୟଧିକ ଚିନ୍ତା ହେତୁ ନିଦ ଭଲ ହୁଏନି ରାତିରେ । ସେଥିପାଇଁ ରାତିରେ ପଖାଳ ଖାଆନ୍ତି ଦୀନବନ୍ଧୁ । ନିଦ ବଟିକା ନ ଖାଇ ପଖାଳ ଖାଇ ନିଦରେ ଶୋଇପଡ଼ନ୍ତି । ପେଟ ଥଣ୍ଡା ହୁଏ-। ଖର୍ଚ୍ଚ ବି କମ୍‌ ହୁଏ । ଶାଗ ଭଜା, ଆଳୁ ଭରତା ଦେଇ ପଖାଳ ଖାଇହୁଏ, କିନ୍ତୁ ଭାତ ବା ରୁଟି ଖାଇବାକୁ କଷ୍ଟ ହୁଏ ।

 

ପଖାଳ ଗୁଣ୍ଡାଏ ଖାଇସାରି କହିଲେ ଦୀନବନ୍ଧୁ, ‘‘ପ୍ରସ୍ତାବ ଆସିଥିଲା କହୁଥିଲେ ଯେ...-।’’

 

ସୁଭଦ୍ରା ଗୋଟେ କଞ୍ଚାଲଙ୍କା ଲୁଣ ପାଖରେ ରଖି କହିଲେ, ଝୁନୁ ମାଉସୀ ବୁଲିବାକୁ ଆସିଥିଲେ, କହିଗଲେ । ତାଙ୍କ ପୁତୁରାର ବଡ଼ ପୁଅ । ମନ୍ତ୍ରୀଙ୍କର ପିଏ । ପିଲାଟି ଭଲ । ନିଶାପାଣି ଖାଏନି । ଦୁର୍ଗୁଣ ମଧ୍ୟରେ ଏତିକି ଯେ ପ୍ରଥମ ପକ୍ଷ ସହିତ ପଡ଼ୁନାହିଁ । ସେ ବାପଘରେ ଅଛି ନିଶ୍ଚିନ୍ତରେ ।

 

ଦୀନବନ୍ଧୁ କହିଲେ, ‘‘ମା’ ହୋଇ ତୁମେ ଶୁଣିଲ ପ୍ରସ୍ତାବଟା !’’

 

ସୁଭଦ୍ରା କହିଲେ, ‘‘ସବୁ ଶୁଣିବାକୁ ହୁଏ । ଭୀମ ବଳ କୁଇନ୍ତା ଜାଣେ । ଆଉ କଅଣ କହନ୍ତି କୁହ ?’’

 

ଦୀନବନ୍ଧୁ କହିଲେ, ‘‘ପଢ଼େଇ ପାରିଥିଲେ ପଢ଼ୁଥାଆନ୍ତା । କିନ୍ତୁ ଲେଖାପଢ଼ା ଆଉ ଯେତେବେଳେ ହେଲା ନାହିଁ, ଦୁଇହାତ କରିଦେବା ଭଲ । ସେବା ପରି ଝିଅ ଶହେରେ ଗୋଟିଏ । ଯାହା ଘରକୁ ଯିବ ହସିଉଠିବ ତା’ର ସଂସାର ।’’

 

ସୁଭଦ୍ରା କହିଲେ, ଝୁନୁ ମାଉସୀ କହୁଥିଲେ: କିଛି ଦାବି ନାହିଁ ତାଙ୍କର । କେବଳ କନ୍ୟାସୁନା ଉପରେ ଆଖି । ମନକୁ ପାଇଛି ।

 

‘‘ସେମାନେ ସେବାକୁ ପସନ୍ଦ କରିଛନ୍ତି ? କୋଉଠି ଦେଖିଲେ ?’’ ପଚାରିଲେ ଦୀନବନ୍ଧୁ-

 

‘‘ଆଜିକାଲି କନ୍ୟା ଦେଖିବା ପାଇଁ ବାପା ମାଆଙ୍କର ଅନୁମତି ଲୋଡ଼ା ହୁଏ ନାହିଁ । ସ୍କୁଲ, କଲେଜ, ସିନେମା, ଥିଏଟର ବା ସାଇପଡ଼ିଶାକୁ ଯିବାବେଳେ ଦେଖିନିଅନ୍ତି ଦେଖିବା ଲୋକ-।’’ କହିଲେ ସୁଭଦ୍ରା ।

 

ତଥାପି ଦୋହରା ବର । ମନ ହଉନି.... ।

ଆଉଥରେ ଭଲକରି ଚିନ୍ତାକର । ଘିଅ ଝିଅ । କେତେଦିନ ରହିବ ବାପଘରେ ?

 

ବାହା ହେବାଯାଏ ରହିବ । କିନ୍ତୁ ତା’ ବୋଲି ଦୋହରା ବର ପୁଣି ଆଇନ ବି ଏହାର ବିପକ୍ଷରେ ।

 

ମନ୍ତ୍ରୀଙ୍କ ପି.ଏ. ଟି ସେ ପିଲା । ଆଇନ ଗଢ଼ିବା ଯେପରି ସହଜ, ଆଇନ ଭାଙ୍ଗିବା ତା’ ପକ୍ଷରେ ଆହୁରି ସହଜ । ଝୁନୁ ମାଉସୀ କହିଲେ, ସେ ଦାଇତ୍ୱ ତାଙ୍କର । ମରଦ ପିଲା ଜଣକ ଉପରେ ସନ୍ତୁଷ୍ଟ ନ ହେଲା ତ ବାବାଜୀ ନ ହୋଇ ଆଉ ଗୋଟାକୁ ଗୋଟେଇ ନବ ।

 

ସେ କାଳ ଅତୀତ ହୋଇଗଲାଣି ସୁଭଦ୍ରା । ଏ କାଳର କାନୁନ୍ ଅଲଗା । ଦ୍ୱିତୀୟ ଦାର ଗ୍ରହଣ ଆଇନ ବିରୁଦ୍ଧ ।

 

ଲୋକେ ଆଇନ ଭାଙ୍ଗି ବେଶ୍ ସୁଖରେ ଅଛନ୍ତି । ତୁମେ ନୀତିନିୟମ ଆଇନ ମାନି ଚଳୁଛ ଯେ ଚାହା ଅଛି ତ ଚିନି ନାହିଁ । ଝଂକାର ତୋଳିଲେ ସୁଭଦ୍ରା ।

 

ତଥାପି ନୀତିନିୟମ ନ ମାନିଲେ ସମାଜ ରହିବ ? ଟିକସ ନ ଦେଲେ ସରକାର ତିଷ୍ଠିବ-?

 

କିନ୍ତୁ ଯୋଉମାନେ ଟିକସ ଫାଙ୍କନ୍ତି ସେମାନଙ୍କ ଉଆସ କିମିତି ବଢ଼ୁଛି ଦେଖୁଥିବ । ନୀତିନିୟମ ଭାଙ୍ଗୁଥିବା ଲୋକେ ନିଶମୋଡ଼ି ଗାଡ଼ି ଚଢ଼ି ବେଶ୍ ସୁଖରେ ବୁଲୁଛନ୍ତି । ଆଉ ତୁମେ ପଛକୁ ହଟୁଛ କାହିଁକି ?

 

ମୋର ସାହାସ କମ୍, ଶକ୍ତି ବି କମ୍ । ମୁଁ ପ୍ରାଥମିକ ଶିକ୍ଷକ । ମୋର ପିଠିରେ ପଡ଼ିବାପାଇଁ ତୁମ ବ୍ୟତୀତ ଆଉ କେହି ନାହିଁ । ମୋର ଶିକ୍ଷାଦୀକ୍ଷା ଅନ୍ୟ ରକମର ।

 

ତୁମେ ପୁରୁଣା ହୋଇଗଲଣି । ତୁମ ଶିକ୍ଷାଦୀକ୍ଷା ବି ଅଚଳ ହୋଇଗଲାଣି ।

 

ପଖାଳ ଗୁଣ୍ଡା ସାଙ୍ଗରେ କଞ୍ଚାଲଙ୍କା ଫାଳେ ଚୋବେଇ ସୁଆଦ ଚାଖୁଥିଲେ ଦୀନବନ୍ଧୁ ମିଶ୍ରେ ।

 

ସୁଭଦ୍ରା ବି ବସିଲେ ଖାଇବାପାଇଁ । ଯାହା ବଳିଥିଲା ଏକତ୍ର କରି ବସିଗଲେ ସେ । ତାଙ୍କବେଳକୁ ତରକାରୀପତ୍ର ନ ଥାଏ । ଲୁଣ, ପିଆଜ, ଲଙ୍କା ହେଲେ ସେ ସନ୍ତୁଷ୍ଟ ।

 

ସେ ଆଉଥରେ କହିଲେ, ‘‘ଭାବି ଦେଖ । ମନ୍ତ୍ରୀଙ୍କ ପିଏ । ଉଭା ଯେତେ ପୋତା ସେତେ । ବାହାଘରକୁ ବରଯାତ୍ରୀ ହୋଇ ସ୍ୱୟଂ ମନ୍ତ୍ରୀ ଆସିବେ ବୋଲି କହୁଥିଲେ ଝୁନୁ ମାଉସୀ ।’’

 

ଦୀନବନ୍ଧୁ କହିଲେ, ‘‘ମନ୍ତ୍ରୀ ଆମ ସାହିକୁ ଏ ଭିତରେ ଦୁଇଥର ଆସିଲେଣି ।’’

 

ସାହିକୁ ଆସିବା ଆଉ ଘରକୁ ଆସିବା ଭିନ୍ନ କଥା । ସେ ଆମ ଦୁଆରେ ପାଦ ଦେଲେ ଧନ୍ୟ ହୋଇଯିବ ଏ ଘର । ତୁମକୁ ମିଳୁ ନ ଥିବା ପ୍ରମୋସନ କଥା ବି ବିଚାର କର । ମନ୍ତ୍ରୀ ଚାହିଁଲେ ଏକାଦିନେ ଉପରକୁ ଉଠିଯିବ ।’’

 

ଦୀନବନ୍ଧୁ କହିଲେ, ‘‘ମୋର ଯାହା ପ୍ରାପ୍ୟ ନିଶ୍ଚୟ ଦିନେ ମିଳିବ । ଈଶ୍ୱର ଅଛନ୍ତି ।’’

 

ସୁଭଦ୍ରା କହିଲେ, ‘‘ଈଶ୍ୱର ଖାଲି ଆମଘରେ ନାହାଁନ୍ତି ସର୍ବତ୍ର ଅଛନ୍ତି । ଅଥଚ ସମସ୍ତଙ୍କ କଥା ବୁଝୁଛନ୍ତି, ଆମବେଳକୁ ଏଡ଼େ କାଣ୍ଟଛାଣ୍ଟ କାହିଁକି ?

 

ଦୀନବନ୍ଧୁ ଆଉ ବେଶି ନ ଆଗେଇ କହିଲେ, ଅନ୍ୟ ଜାଗା ବି ଦେଖିବା । ପ୍ରସ୍ତାବଟା ଆସିଛି ଯେତେବେଳେ ଭାଙ୍ଗିଦବା ନି, ହାତରେ ଥାଉ । ଯଦି ଆଉକିଛି ଭଲ ପ୍ରସ୍ତାବ ଆସେ । କିଏ ଜାଣେ ଭଗବାନଙ୍କର ଦୟା କେଉଁଦିଗରୁ ଆସିବ !

 

ସେବା ହୁ ହୁ ହୋଇ ବାଉଁଶଗଛ ପରି ବଢ଼ିଗଲା । ସମୟ ମିଳିଲା ନାହିଁ ଭାବିବାକୁ । ତା’ ପଛକୁ ଶୁଶ୍ରୂଷା । ସେବାର ଲାବଣ୍ୟ ଓ ଗାମ୍ଭୀର୍ଯ୍ୟ ତା’ ପାଖରେ ନାହିଁ, ସେ ଉଚ୍ଛଳ ଜଳଧାର ପରି ସଦା କଳ କଳ ।

 

ସେବା ମୁହଁ ଚାହିଁ ଶଙ୍କି ଯାଆନ୍ତି ଦୀନବନ୍ଧୁ । ତେଇଶ ବର୍ଷ । ଆସନ୍ତା ପଗୁଣରେ ଚବିଶରେ ପଡ଼ିବ ।

 

ସୁଭଦ୍ରା କହିଲେ, ‘‘ଚାକିରି କରୁଥିବା ଝିଅମାନଙ୍କର ବାହାଘର ସୁବିଧାରେ ହୋଇଯାଏ-। ସେବା ତ ବି. ଏ. ପାସ୍ କରିଛି । କୌଣସି ସ୍କୁଲରେ ରହିଯାଆନ୍ତା ଯଦି ... ।’’

 

ଦୀନବନ୍ଧୁ କହିଲେ, ‘‘ମୋର ବି ସେଇ ଇଚ୍ଛା । ଦୁଇବର୍ଷ ହବ ଲାଗିଛି ଇନିସ୍‌ପେକ୍ଟରଙ୍କ ପଛରେ । ହେଲେ ଫଳ କିଛି ହୋଇନି ।’’

 

‘‘ଖାଲି ହାତରେ ଏସବୁ କାମ ହୁଏନି । ତାଙ୍କୁ ମିଠେଇଖିଆ କିଛି ଦବାକଥା ।’’ କହିଲେ ସୁଭଦ୍ରା ।

 

‘‘ମୋ ହାତରେ ଶନି ପଡ଼ିଛି ଯେ ସଦା ଖାଲି । ତଥାପି କିଛି ଦେଇଥିଲେ ଚାକିରିଟା ହୁଏତ ଏତେବେଳକୁ ହୋଇଯାଇ ଥାଆନ୍ତା ।’’

 

‘‘କିଛି ଗୋଟେ କର । ହାତଗୋଡ଼ ଗୋଟେଇ ବସି ରହିଲେ ତ ଚଳିବ ନାହିଁ ।’’

 

‘‘ଇନିସ୍‌ପେକ୍ଟରଙ୍କର ସାନପୁଅ ପାଇଁ ଚତୁଭୁର୍ଜ ମାଷ୍ଟ୍ରେ କହୁଥିଲେ । ସେ ତାଙ୍କ ପାଖଲୋକ ।’’

 

‘‘ସାନପୁଅର ପଢ଼ା ସରିଲାଣି ?’’

 

‘‘ତା’ପାଇଁ ସବୁ ଦୁଶ୍ଚିନ୍ତା ଘରେ । ବି. ଏ. ଫେଲ । ହେଲେ କଅଣ ହବ କବିତା ଲେଖେ, ଅଭିନୟ କରେ । ଏବେ ‘ପାଞ୍ଚଜନ୍ୟ’ ଚିତ୍ରରେ ପ୍ରଥମ ଅଭିନୟ କରୁଛି । ବିଜିନେସ୍‌ କରିବ କହୁଛି-।”

 

‘‘ସେଇଠି ବୁଝ ତା’ହେଲେ....... ।’’

 

‘‘ଚରିତ୍ର ଦୋଷ ଅଛି । ତା’ଠାରୁ ଛଅବର୍ଷର ବଡ଼ ଜଣେ ସିନେମା ଅଭିନେତ୍ରୀ ସହିତ ତା’ର ସମ୍ପର୍କ ନେଇ ଥରେ କଥା ଉଠିଥିଲା ।’’

 

‘‘ପୁଅ ପିଲାଙ୍କର ଏତେ ଦୋଷ ବାଛିଲେ ଚଳିବ ନାହିଁ ।’’

‘‘କିନ୍ତୁ ସେବା ତାକୁ ବାହାହୋଇ ସୁଖୀ ହୋଇପାରିବ ?’’

 

‘‘ବାହା ହବାପରେ ସବୁ ଝିଅ ମାନି ନିଅନ୍ତି, ଯାହାମିଳେ ତାକୁ ନେଇ ଚଳିବାକୁ ଶିଖନ୍ତି । ଅଳ୍ପ କେଇଜଣ ବିଦ୍ରୋହ କରନ୍ତି । ସେମାନଙ୍କ ଦୁଃଖ କଥାରେ ସରିବ ନାହିଁ ।’’

 

‘‘ସେବା ସେପରି ଝିଅ ନୁହେଁ । ତା’ର ବ୍ୟକ୍ତିତ୍ୱ ଅଛି । ଯୋଗ୍ୟତା ଅଛି ।’’

 

‘‘ତୁମେ ଝିଅର ଦିଗଟା ଦେଖୁଛ, ତା’ର କଥା ଭାବୁନ । ଆଉ ଚାରିଟା ପିଲାର ଗତି କଅଣ ହବ ? ଶୁଶ୍ରୂଷା ପୁଅମାନଙ୍କ ସାଙ୍ଗରେ କିମିତି କନ କନ ହୁଏ ଦେଖିଛ ତ !’’

 

ଦୀନବନ୍ଧୁ ସବୁ ଦେଖି ବି କିଛି ନ ଦେଖିବା ପରି ରହିଯାଆନ୍ତି ।

 

ଖିଆପିଆ ଶେଷକରି ବାସନ ଧୋଇ ରୋଷେଇ ଘର ପରିସ୍କାର କରି ଝରକା କବାଟ ବନ୍ଦ କରି ଶୋଇବାବେଳକୁ ଅନେକ ରାତି ।

 

ଆଗେ ଦୀନବନ୍ଧୁ ସ୍ତ୍ରୀ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରୁଥିଲା, ଏବେ କିନ୍ତୁ ଅପେକ୍ଷା କରୁ କରୁ ଶୋଇପଡ଼ନ୍ତି । ବୟସ ହେଲାଣି । ଦେହଟା ଗୋଟେ ମେସିନ୍ । ତା’ର ବି କ୍ଳାନ୍ତି ଅଛି । ଯତ୍ନ ନ କଲେ ବିଗିଡ଼ି ଯିବାର ସମ୍ଭାବନା ।

 

ସେଦିନ କିନ୍ତୁ ଦୀନବନ୍ଧୁ ଆଖିକୁ ନିଦ ଆସିଲା ନାହିଁ ।

 

ସଂସାର ବୋଝ ବଢ଼ୁଛି ଦିନକୁ ଦିନ । ଆୟ ଉପାୟ ବଢ଼ୁନାହିଁ । ଉପାର୍ଜନ କରିବାକୁ ସେ ଏକା । ବାଇଗଣ କିଲୋ ତିନିଟଙ୍କା । ମାଛ କିଲୋ ପନ୍ଦର ଷୋହଳ ଟଙ୍କା । ପିଆଜ କିଲୋ ଦୁଇଟଙ୍କା । ଭାଗ୍ୟକୁ ଘର ଖଣ୍ଡକ ନିଜର ପୈତୃକ ସମ୍ପତ୍ତି, ନ ହେଲେ ଘରଭଡ଼ା ଦବାକୁ ହଉଥିଲେ ଭାତ ଗଣ୍ଡାକ ବି ନିଅଣ୍ଟ ହୁଅନ୍ତା । ସୁଭଦ୍ରା ଆଗେ ପାନ ଖାଉଥିଲେ । ଦଶବର୍ଷ ହବ ଅଭ୍ୟାସ ଛାଡ଼ିଛନ୍ତି ଖର୍ଚ୍ଚ କମେଇବା ପାଇଁ । ସେ ପାନ ଛାଡ଼ିପାରି ନାହାଁନ୍ତି । କେହି ପାଖରେ ନ ଥିଲେ ସେଇ ଗୋଟିଏ ଅବଲମ୍ବନ ।

 

ସୁଭଦ୍ରା ଆସି ପାଖରେ ଶୋଇଲେ । ଆହା ! ଉଦୟାସ୍ତ ଖଟି ଖଟି ହାଡ଼ କେତେଖଣ୍ଡ ଦୋହଲୁଛି । ତାଙ୍କରି ଉପରେ ସବୁଚାପ । ପୁଅଝିଅଙ୍କ ଜଞ୍ଜାଳ । ସେତେବେଳେ ଫେମିଲି ପ୍ଳାନିଙ୍ଗ ନ ଥିଲା । ସେଥିପାଇଁ ଜନ୍ମ ନିୟନ୍ତ୍ରଣ ସମ୍ପର୍କରେ ସେତେବେଳେ ସେ ଜାଣି ନ ଥିଲେ ଆଦୌ । ପାଞ୍ଚଟି ପୁତ୍ରକନ୍ୟାଙ୍କ ବଦଳରେ ଯଦି କେବଳ ଗୋଟିକି ଦୁଇଟି ଆସିଥାନ୍ତେ କୋଳକୁ, ସୁଖରେ ଥାଆନ୍ତେ ସମସ୍ତେ । ଲୁଗା କିଣିବା ପାଇଁ କଷ୍ଟକର । ସାଧାରଣ ଶାଢ଼ୀଟିର ଦାମ ପଚାଶ ଷାଠିଏ । ଗୋଟିଏ ଦୁଇଟି ଭଲ ଶାଢ଼ୀ ପ୍ରୟୋଜନ ଅନୁସାରେ ପିନ୍ଧନ୍ତି ମାଆ ଆଉ ବଡ଼ ଝିଅ । ମଝିଆଁ ଝିଅ ଏଯାଏ ସାଲ୍‌ୱାର କମିଜରେ ଅଛି , ଶାଢ଼ି ପିନ୍ଧି ନାହିଁ ।

 

ସୁଭଦ୍ରାଙ୍କ ଦେହରେ ହାତ ବୁଲାଇ ଦବାପାଇଁ ଇଚ୍ଛାହେଲା ।

 

ସୁଭଦ୍ରା ଆଦର ପାଇଁ ଆଉ ଟିକେ ପାଖକୁ ଲାଗି ଆସି କହିଲେ, ‘‘ତୁମ ଦେହ କଅଣ ହେଲାଣି ଦେଖୁଛ ? ଦେହର ଯତ୍ନ ନିଅ । ତୁମ ମୁହଁକୁ ଚାହିଁ ଏତେବଡ଼ କୁଟୁମ୍ବ ଚଳୁଛି ।’’

 

ଦୀନବନ୍ଧୁ ବାବୁଙ୍କୁ ସୁଯୋଗ ମିଳିଲା ସ୍ତ୍ରୀକୁ ଟିକେ ଆଦର କରିବାପାଇଁ । କୋଡ଼ିଏ ପଚିଶ ବର୍ଷ ତଳର ନିଆଁ ଦେହ ଭିତରେ ନିଭି ଯାଇଛି । ସେ ମନ ବି ଆଉ ନାହିଁ । ତଥାପି ମନେପଡ଼େ ଅତୀତର କଥା । ସେତେବେଳେ ପାଖରେ ଜାକିଯୁକି ହୋଇ ନ ଶୋଇଲେ ନିଦ ହଉ ନ ଥିଲା ଦୀନବନ୍ଧୁକୁ । ଜୀବନରେ ଆଉକିଛି ବିଳାସ ନ ଥିଲା ତାଙ୍କର । ସିନେମା, ଥିଏଟର, ଭୋଜିଭାତ, ଗୀତ ନାଚ ତାଙ୍କୁ କେବେଧରି ରଖିପାରି ନାହିଁ । ଯେଉଁଠି ଥିଲେ ବି ରାତି ଦଶ ହବାବେଳକୁ ଘରକୁ ଫେରି ଆସୁଥିଲେ ଦୀନବନ୍ଧୁ । ସେଥିପାଇଁ ପରିହାସ କରୁଥିଲେ ବନ୍ଧୁମାନେ । କୌଣସି ବାଧା ପ୍ରତିବନ୍ଧକ ନ ଥିଲା ।

 

କେତେଦିନୁ ସୁଭଦ୍ରାଙ୍କ ଦେହରେ ହାତ ବାଜି ନ ଥିଲା । ସେଥିପାଇଁ ହାତ ଲାଗିଲାକ୍ଷଣି ଚାଉଁକିନା ହୋଇଗଲା ସର୍ବାଙ୍ଗ । ଶୋଇ ପଡ଼ିଥିବା ପୃଥିବୀଟା ତେଜି ଉଠିଲା ପୁଣି । ସୁଭଦ୍ରା କହିଲେ ବୟସ ଯେତିକି ବଢୁଛି ସେତିକି ଟୋକା ହଉଛ ?

 

କିଏ ଶୁଣୁଛି ତାଙ୍କ କଥା । ସୁଭଦ୍ରା ସଦାବେଳେ ଇମିତି ମନା କରନ୍ତି । କିନ୍ତୁ ଦୀନବନ୍ଧୁ ପ୍ରତ୍ୟେକ ପ୍ରାଣତନ୍ତ୍ରୀର ଚିତ୍କାରରେ ଅନୁଭବ କରନ୍ତି ତାଙ୍କର ଶୀତ୍‌କାର । ସେହି ସୁଖର ସେ ଏକକ ଅଧିକାରୀ ନୁହଁନ୍ତି, ସୁଭଦ୍ରା ବି ଭାଗ ବସାନ୍ତି ସେଥିରେ ।

 

ଦୀନବନ୍ଧୁ କହିଲେ, ‘‘ମୋ ଦେହ ତ ସବୁଦିନ ଏକାପରି । କିନ୍ତୁ ହାଡ଼ମାଳ କିମିତି ଗଣିହେଉଛି । ତୁମ ଦିହରେ ଯଦି ଦେଖନ୍ତ, ଗାଳିଦିଅନ୍ତ ମତେ । ତୁମର ସୁନାର ଶରୀର ଆଉ ନାହିଁ-।’’

 

ସୁଭଦ୍ରା କହିଲେ, ‘‘ବୁଢ଼ୀ ହେଲିଣି, ଏତେ ସୁଆଗ ପାଇଁ ସମୟ ନାହିଁ ।’’

 

ଦୀନବନ୍ଧୁ ଆଶ୍ଚର୍ଯ୍ୟ ହୁଅନ୍ତି ଦାମ୍ପତ୍ୟ ଜୀବନର ମୋହ ଦେଖି । ଦୁହେଁ ଦୁହିଁଙ୍କର । ପ୍ରତ୍ୟେକ ପ୍ରତ୍ୟେକଙ୍କ ପାଇଁ ସୃଷ୍ଟି । ସେଇ ଏକାପରି ସବୁ ହୁଏ । ନୂତନତା କିଛି ନାହିଁ । କିନ୍ତୁ ଦୀନବନ୍ଧୁଙ୍କୁ ପ୍ରତିଥର ମନେହୁଏ ସେ ଯେପରି ନୂଆକରି ଆରମ୍ଭ କରୁଛନ୍ତି । ସୁଭଦ୍ରା ରସର ଅସରନ୍ତି ଭଣ୍ଡାର ।

 

ସୁଭଦ୍ରା କୁହନ୍ତି, ପିଲାଗୁଡ଼ା ବଡ଼ ବଡ଼ । ଆଉ କିଛିକରି ନ ବସ ଯିମିତି ।

 

ଦୀନବନ୍ଧୁ ସତର୍କ ହୋଇଯାଇ କୁହନ୍ତି, ‘‘ସେ ଭୟ ଆଉ ନାହିଁ । କୌଶଳ ଶିଖିଯାଇଛି ମୁଁ-।’’

 

ହସିପକେଇ କୁହନ୍ତି ସୁଭଦ୍ରା, ‘‘ଆଉ କାହା ପାଖରେ ଖଡ଼ିଧରି ଶିଖୁଛ କି ?’’

 

ତାଙ୍କୁ ନିସ୍ପେଷିତ କରି କୁହନ୍ତି ଦୀନବନ୍ଧୁ, ତୁମ ମୁହଁକୁ ଚାହିଁଲେ ଆଉକିଛି ମନେପଡ଼େନି-। ଇମିତି ସ୍ତ୍ରୀ କେତେକଙ୍କ ଭାଗ୍ୟରେ ଅଛି... ।

 

ସୁଭଦ୍ରା ମନବୋଧ କରିବାପାଇଁ ନିଶ୍ଚଳ ହୋଇ ପଡ଼ିରୁହନ୍ତି ।

 

ଦୀନବନ୍ଧୁଙ୍କର କ୍ଳାନ୍ତ ଦେହରେ ଚରିଯାଏ ସୁଖର ରୋମାଞ୍ଚ । ସେ ସଙ୍ଗେ ସଙ୍ଗେ ଶୋଇପଡ଼ନ୍ତି ନିଘୋଡ଼ ନିଦରେ ।

 

ସୁଭଦ୍ରା ମନକୁ ମନ ହସନ୍ତି ।

 

ଏଇ ସ୍ୱାମୀ ! ଏଇ ପତି ପରମଦେବତା ! ଆହା ! ସେ ସବୁଦିନ ସ୍ୱାମୀଙ୍କୁ ଏଇ ସୁଖ ଦେଇ ପାରୁଥାଆନ୍ତା କି !

 

ଆଶାତୀତ ସଫଳତା ଅର୍ଜନ କରି ନିଜ କୃତିତ୍ୱରେ ମୁଗ୍‌ଧ ହୋଇଗଲା ଶୈବାଳ ।

 

ମାସ କେତୋଟିରେ ଅନେକ ଶକ୍ତି ସେ ସଞ୍ଚୟ କରିଛି । ଦଳବଡ଼ ହୋଇଛି । ସଭ୍ୟସଂଖ୍ୟା ବୃଦ୍ଧିପାଇଛି ।

 

‘ଅଭ୍ୟୁଦୟ ସମାଜ’ ଏକ ରାଜନୈତିକ ଦଳ ନୁହେଁ, ଏକ ସାମାଜିକ ଦଳ । ରାଜନୈତିକ ଲକ୍ଷ୍ୟ ଯେ ନାହିଁ ତାହା ନୁହଁ, ବରଂ ସାମାଜିକ ଲକ୍ଷ୍ୟ ଅଗ୍ରାଧିକାର ପାଇଛି । ଶୈବାଳ କୁହେ, ରାଜନୀତି କରିବାପାଇଁ ଲୋକଙ୍କର ଅଭାବ ନାହିଁ, ଦଳ ବି କମ୍‌ ନାହାଁନ୍ତି, କିନ୍ତୁ ସମାଜ ସେବା କରିବାପାଇଁ ଲୋକଙ୍କର ଘୋର ଅଭାବ । ସମାଜ ସେବା କରିବା ସଙ୍ଗେ ସଙ୍ଗେ ଯଦି ଦେଶ ଚାହେଁ, ଲୋକ ଦାବି କରନ୍ତି, ରାଜନୀତି ଭିତରକୁ ଡେଁଇବାକୁ ହେବ ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ-। ତା’ ଆଗରୁ ନୁହେଁ ।

 

ଏଥିପାଇଁ ‘ଅଭ୍ୟୁଦୟ ସମାଜ’ ଅଳ୍ପଦିନ ମଧ୍ୟରେ ଏକ ପ୍ରଥମ ଶ୍ରେଣୀର ଅନୁଷ୍ଠାନରେ ପରିଣତ ହୋଇଛି । ରାଜନୀତିର ଦଳୀୟ କନ୍ଦଳରେ ବୀତସ୍ପୃହ ହୋଇ କେତେଜଣ ରଚନାତ୍ମକ କାର୍ଯ୍ୟ କରିବା ପାଇଁ ଅଭ୍ୟୁଦୟ ସମାଜରେ ଯୋଗ ଦେଇଛନ୍ତି । ଚାକିରି ଖୋଜୁଥିବା ଅନେକ ବେକାର ଯୁବକ ଶପଥ ନେଇଛନ୍ତି ଦେଶର ଓ ଦଶର କାମ କରିବେ ।

 

ଶୈବାଳ ସେମାନଙ୍କର ନେତା । ସଙ୍ଗଠନର ସଭାପତି ।

କେତେଗୁଡ଼ିଏ ଚମତ୍କାର ଧ୍ୱନି ନିଜେ ରଚନା କରିଛି ଶୈବାଳ ।

 

ଧ୍ୱନି ବ୍ୟତୀତ ସଙ୍ଗଠନର ଅସ୍ତିତ୍ୱ ରହେ ନାହିଁ । ସ୍ଳୋଗାନ ବିନା ଶୋଭାଯାତ୍ରା ବା ସଂଗ୍ରାମ ଚାଲେ ନାହିଁ ।

 

ଶୀତଦିନ କାମ କରିବାପାଇଁ ଅନୁକୂଳ । ଶୀତ ଋତୁରେ ‘ଅଭ୍ୟୁଦୟ ସମାଜ’ର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ ବସିବା ସ୍ଥିର ହେଲା । ପ୍ରତି ଜିଲ୍ଲା, ସବ୍‌ଡ଼ିଭିଜନ୍‌ ଏବଂ ବ୍ଳକରୁ ପ୍ରତିନିଧିମାନେ ଆସିବେ । ଦେଶର କେତେଜଣ ବର୍ଷିଆନ୍ ଗାନ୍ଧିବାଦୀ ମଧ୍ୟ ଆସିବା ଲଗି ସମ୍ମତି ଦେଇ ସାରିଲେଣି ।

 

ଖଣ୍ଡଗିରି ପାହାଡ଼କୁ ଲାଗି ସବୁ ଆୟୋଜନ କରାଯାଉଛି ।

 

ଖାରବେଳ ଏଇ ଖଣ୍ଡଗିରିର ଗୁମ୍ଫାରେ ନିଜ ରାଜତ୍ୱ ଏବଂ ନୀତି କଥା ଲେଖି ଯାଇଛନ୍ତି-। ତା’ପରେ ଆଉ କେହି ଲେଖି ନାହିଁ ଶିଳା ଉପରେ । ଖାରବେଳଙ୍କ ଅନେକ ପରେ କପିଳେନ୍ଦ୍ର ଦେବ ଏବଂ ତା’ର ଅନେକ ପରେ ପୁରୁଷୋତ୍ତମ ଦେବ... ।

 

ଶେଷରେ ଶୈବାଳ ମହାପାତ୍ର ।

ଶୈବାଳର ଲକ୍ଷ୍ୟ ଆକାଶ ପରି ଉଚ୍ଚ, ଆଶା ସାଗର ପରି ଗଭୀର ।

 

ବଡ଼ ଆଶ୍ଚର୍ଯ୍ୟର କଥା, ଆଜିକାଲି ପାଣ୍ଠିର ଅଭାବ ହୁଏ ନାହିଁ, ଅଭାବ ହୁଏ ଉତ୍ସାହର । ଶୈବାଳର କିନ୍ତୁ ଦୁଇଟିଯାକର ଅଭାବ ନାହିଁ । ପାଣ୍ଠି ଯେପରି ଆସୁଛି କାର୍ପଣ୍ୟ ନ କରି, ଉତ୍ସାହ ସେହିପରି ଆସୁଛି କୁଣ୍ଠା ନ କରି ।

 

ବ୍ୟକ୍ତିଗତ ଚାନ୍ଦା ଆଦାୟରୁ ସେ ଆରମ୍ଭ କରିଥିଲା । ତାହା ବନ୍ଦକରି ଦେଇଛି । ଅଯଥା ଶ୍ରମ ଏବଂ ଅପଚୟ କରି ଲାଭ ନାହିଁ । ବରଂ ଶକ୍ତି ଠୁଳ କରି ଗୋଟେ ଦୁଇଟା ଜାଗାରେ ଚାପଦେଲେ ସଫଳତା ମିଳିବ ଅନେକ ବେଶି ।

 

ଶୈବାଳ ମଧ୍ୟପ୍ରାଚ୍ୟ ଏବଂ ୟୁରୋପର ଦେଶ ସହିତ ସୌହାର୍ଦ୍ଦ୍ୟ ଓ ସହଯୋଗ ବୃଦ୍ଧି କରିବା ନିମନ୍ତେ ତିନି ଚାରୋଟି ଅନୁଷ୍ଠାନ ଗଠନ ଗଲା । ସଂସ୍କୃତି ବିନିମୟ ଏବଂ ବୌଦ୍ଧିକ କ୍ଷେତ୍ରରେ ସହଯୋଗ ଓ ସମନ୍ୱୟ ରକ୍ଷାକରି ବନ୍ଧୁତ୍ୱ ବୃଦ୍ଧି କରିବା ଏହି ଅନୁଷ୍ଠାନମାନଙ୍କର ଲକ୍ଷ୍ୟ ।

 

ମଧ୍ୟପ୍ରାଚ୍ୟରେ କାହିଁ ଅର୍ଥର ଅଭାବ ନାହିଁ । ତେଲପରି ତାହା ତରଳ ।

 

ଶୈବାଳ ବିଶ୍ୱଶାନ୍ତି ମିଶନ୍‌ର ପ୍ରତିନିଧି ଭାବରେ ଚାରି ପାଞ୍ଚୋଟି ଦେଶ ଏ ଭିତରେ ବୁଲି ଆସିଲାଣି । ଆହୁରି ତିନିଟା ଦେଶରୁ ନିମନ୍ତ୍ରଣ ଆସିଛି, ମାତ୍ର ଦିନ ଧାର୍ଯ୍ୟ ହୋଇନାହିଁ ।

 

ଆଉଥରେ ବିଦେଶ ଯାତ୍ରାକରିବା ସମୟରେ ଦଳେ କଳାକାର, ସଙ୍ଗୀତଜ୍ଞଙ୍କର ସେ ନେତୃତ୍ୱ ଗ୍ରହଣ କରିବ । ସେଥିପାଇଁ ପାଶ୍ଚାତ୍ୟ ଆଦବ କାଏଦା ଶିଖୁଛି । କାହାରି ସହିତ ସାକ୍ଷାତ୍‍ ହେଲେ ନମସ୍କାର ନ କରି କରମର୍ଦ୍ଦନ କରୁଛି ।

 

ଶୈବାଳ ସିଲଟ୍‌ ଉପରୁ ପୁରୁଣା ଲେଖାଗୁଡ଼ା ପୋଛିଦେଇ ନୂତନ ଭାବରେ ଆରମ୍ଭ କରିଛି ।

 

ନିକୁଞ୍ଜ ମହାନ୍ତି ରାଜନୀତି କରନ୍ତି । ସେ ରାଜନୈତିକ ମଞ୍ଚର ନାୟକ । ଲମ୍ବା ଲମ୍ବା ବକ୍ତୃତା ଦିଅନ୍ତି । ବେଶ୍ୟାବୃତ୍ତିଠାରୁ ମହାକାଶଯାନ ପର୍ଯ୍ୟନ୍ତ, ସେ କହିବାକୁ ଶକ୍ତି ଆୟତ୍ତ କଲେଣି-ପ୍ରତିନିଧି ହୋଇ ସଂସଦକୁ ଯିବାର କଥା । ଆଭ୍ୟନ୍ତରୀଣ ଗଣ୍ଡଗୋଳ ଯୋଗୁ ସେ ପ୍ରାର୍ଥୀ ହୋଇପାରିଲେ ନାହିଁ । ପଞ୍ଚାୟତ ଓ କୋ. ଅପରେଟିଭର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି ତାଙ୍କ ବିରୁଦ୍ଧରେ । ସ୍କୁଲର ସେକ୍ରେଟାରୀ ଥିବାବେଳେ ବହୁ ଅନ୍ୟାୟ କାର୍ଯ୍ୟ କରିଥିବାର ଦୃଷ୍ଟାନ୍ତ ଏବେ ଦୃଷ୍ଟିକୁ ଆସୁଥିବାର କୁହାଯାଉଛି । କିନ୍ତୁ ସେ ସବୁ ବାଜେ କଥା । ଜଣେ ବଡ଼ହେଲେ ଓଡ଼ିଆମାନେ ସହ୍ୟ କରିପାରନ୍ତି ନାହିଁ । ଉପରକୁ ଉଠୁଥିବା ଲୋକର ଗୋଡ଼ଧରି ଟାଣନ୍ତି ତଳୁ ।

 

ଶୈବାଳର ଅଭିଜ୍ଞତା ଯେତିକି ବଢ଼ୁଛି ସେ ସେତିକି ବୁଝୁଛି ଯେ ରାଜନୀତି ବା ସମାଜ ସେବା କ୍ଷେତ୍ରରେ ମୂଲ୍ୟବୋଧର ଅନେକ ପରିବର୍ତ୍ତନ ହୋଇଛି । ଜନସେବାର ସଂଜ୍ଞା ଓ ସଂସ୍କୃତିର ନୂତନ ବ୍ୟାଖ୍ୟା କରାଯାଇଛି । କନ୍ଧକବି ଭୀମଭୋଇ ଅବାନ୍ତର ହୋଇଯାଇଛନ୍ତି । ଅପ୍ରାସଙ୍ଗିକ ହୋଇଯାଇଛନ୍ତି ଗାନ୍ଧି ଓ ଗୋପବନ୍ଧୁ ।

 

କିନ୍ତୁ ତଥାପି ସ୍ଳୋଗାନରେ, ପ୍ରତିଶ୍ରୁତିରେ ବଞ୍ଚିରହୁଛନ୍ତି ସେମାନେ । ବକ୍ତୃତା ଆରମ୍ଭ କରିବା ଆଗରୁ ଗୋପବନ୍ଧୁ ବା ଗାନ୍ଧିଙ୍କ ପ୍ରତିକୃତି ଉପରେ ମାଲ୍ୟାର୍ପଣ କରିବାର ଗୋଟିଏ ନୂତନ ପରମ୍ପରା ସୃଷ୍ଟି ହୋଇଛି । ବକ୍ତୃତା ଶେଷରେ ଜନତା ଜନାର୍ଦ୍ଦନକୁ ପ୍ରଣାମ କରି ଆଶୀର୍ବାଦ ଭିକ୍ଷା କରିବା ପ୍ରାୟ ଚଳଣିରେ ପଡ଼ିଗଲାଣି ।

 

ଶୈବାଳକୁ ରାଜନୀତିରେ ଯୋଗଦେବା ପାଇଁ ପ୍ରବର୍ତ୍ତାନ୍ତି ନିକୁଞ୍ଜ ମହନ୍ତି । କିନ୍ତୁ ରାଜନୀତିର ଗୋଳିଆ ପାଣି ଅନିଶ୍ଚିତ ଜାଣି ଏଯାଏ ପାଦ ବଢ଼େଇ ନାହିଁ ଶୈବାଳ । ବରଂ ସମାଜସେବା ଭଲ । ଭିତରେ ନ ରହି ବାହାରୁ ସେ ନିକୁଞ୍ଜଙ୍କୁ ସମର୍ଥନ କରିବ । ଶୈବାଳ କୁହେ, ସବୁ ଦଳର ସାମାଜିକ ଆଭିମୁଖ୍ୟକୁ ପରିଚାଳନା କରିବା ପାଇଁ ସାମାଜିକ ଅନୁଷ୍ଠାନଟିଏ ରହିବ । ପୁଣି ପ୍ରତ୍ୟେକ ଦଳକୁ ବୁଦ୍ଧିଜୀବୀ ଏବଂ ଭଦ୍ରଲୋକମାନଙ୍କୁ ଆକର୍ଷଣ କରିବା ସକାଶେ ସଂସ୍କୃତି ଓ ସାହିତ୍ୟ ଅନୁଷ୍ଠାନ ମଧ୍ୟ ରହିବ । ସେହି କାମ କରିବ ଶୈବାଳ । କାହାକୁ ଅନୁସରଣ ନ କରି ଅନୁଗ୍ରହ ପ୍ରଦର୍ଶନ କରିବା ପାଇଁ ଅପେକ୍ଷା କରିବ ।

 

ଶୈବାଳକୁ ଦିନେ ଏକାନ୍ତରେ କହିଥିଲେ ନିକୁଞ୍ଜ ବାବୁ, ‘‘ଗାନ୍ଧିଜୀଙ୍କ କଥା ସ୍ମରଣ କର । ତାଙ୍କ ବାଣୀକୁ ମନେପକାଅ । ମନରେ ଦ୍ୱନ୍ଦ୍ୱ ବା ସଂକଟ ସୃଷ୍ଟି ହେଲେ ତା’ର ସମାଧାନର ସୂତ୍ର ବାହାର କରିବା ପାଇଁ ତୁମ ସମ୍ମୁଖରେ ଥିବା ସବୁଠାରୁ ଦୁର୍ବଳ ବ୍ୟକ୍ତିଟିର ମୁହଁକୁ ନିରୀକ୍ଷଣ କର । ସେ ତୁମର ନାୟକ ସେ ତୁମକୁ ସମାଧାନର ସୂତ୍ର କହିଦେବ ।’’

 

ଶୈବାଳ ତାଙ୍କୁ ପଚାରିଥିଲା ସେଦିନ, ‘‘ଏଇ ଦୁର୍ବଳ, ଦୁଃସ୍ଥଙ୍କ ନାମରେ ଏତେକଥା ହେଉଛି, କୋଟି କୋଟି ଅର୍ଥ ବ୍ୟୟ ହଉଛି, କିନ୍ତୁ ସେମାନେ ଯେଉଁ ତିମିରେ ସେହି ତିମିରେ । ଦାରିଦ୍ର୍ୟର ସୀମାରେଖା ନିମ୍ନଗତି ନ କରି ଊର୍ଦ୍ଧ୍ୱକୁ ମୁହେଁଇଛି । ପଚାଶରୁ ପ୍ରତିଶତ ଅଶୀକୁ ଉଠିଛି-।’’

 

ନିକୁଞ୍ଜ ବାବୁ ଦାର୍ଶନିକ ପରି କହିଥିଲେ, ଯେତେଦିନ ଦୁର୍ବଳଙ୍କ ନାମରେ ସ୍ଳୋଗାନ ଦିଆଯାଉଥିବ ସେତେଦିନ ସେମାନଙ୍କ ସଂଖ୍ୟା ବି ହ୍ରାସ ନ ପାଇ ବୃଦ୍ଧିପାଇବ ।

 

‘‘କିନ୍ତୁ ଏହାର ସମାଧାନ ପାଇଁ ଏତେ ଉଦ୍ୟମ ଚାଲୁଛି, ସବୁ ବ୍ୟର୍ଥ ହୋଇଯିବ ?’’ ପଚାରିଥିଲା ଶୈବାଳ ।

 

କିଛି ଉତ୍ତର ନ ଦେଇ କେବଳ ହସିଥିଲେ ନିକୁଞ୍ଜ ମହାନ୍ତି ।

 

ସେଇ ହସ ଅନେକ ନେତାଙ୍କ ମୁହଁରେ ଝୁଲୁଥିବାର ଦେଖେ ସେ । ଠିକ୍‌ ଅର୍ଦ୍ଧଚନ୍ଦ୍ର ପରି-। ତାହାହିଁ ନେତାଙ୍କର ଲୋକପ୍ରିୟତା । ଆକର୍ଷଣ ବସ୍ତୁ । ଶୈବାଳ ବି ନେତା ହେବାକୁ ଚାହେଁ-। ସେଥିପାଇଁ ତ ପ୍ରସ୍ତୁତି ପର୍ବ ଚାଲିଛି । ଆଗରେ ନ ହେଉ ଅନ୍ତରାଳରେ ସେ ବି ଲାଳଣ ପାଳନ କରେ ଗୋଟିଏ ଆଶା, ଗୋଟିଏ ଲକ୍ଷ୍ୟ । ସେ ଦିନେ ନେତା ହବ, ରାଜନୀତି କରିବ, ଶାସନକଳ ତାହାରି ଇଙ୍ଗିତରେ ପରିଚାଳିତ ହେବ । ସମ୍ବର୍ଦ୍ଧନାରେ ସ୍ତୁତି ଶୁଣି ଶୁଣି କ୍ଳାନ୍ତ ଲାଗିବ । ଆଉ ସେହି କ୍ଳାନ୍ତିର ଅପଘଟନ ପାଇଁ ବ୍ୟବସ୍ଥା କରିବେ ପାଖ ଲୋକ । ଦେହ ଓ ମନକୁ ଶାନ୍ତ କରିବାପାଇଁ ଆଗେଇ ଆସିବେ ସଙ୍ଗିନୀ ।

 

ଶୈବାଳ ସର୍ବାଙ୍ଗରେ ସର୍ବାଙ୍ଗ ତଡ଼ିତର ପ୍ରବାହ । ସେ କହିଲା ନିଜକୁ ମନେ ମନେ ଏଯାଏ ଏକଥା ମନକୁ ଆସି ନ ଥିଲା କିପରି ? ସବୁ ସରସତା, ସବୁ ମଧୁରତା ଭିତରେ ଅଭାବବୋଧର ଯନ୍ତ୍ରଣାଟି ଟଣ ଟଣ କରି ଉଠିଲା । ସବୁ ପାଇବା ପରେ ବି ମନେହେଲା ଆହୁରି କିଛି ବେଶି ଲୋଭନୀୟ, ଅଧିକ ଆକର୍ଷଣୀୟ ପାଇନାହିଁ ।

 

ତାହାହିଁ ପ୍ରୟୋଜନ ।

 

ଡାକରେ ଆସିଥିବା ଚିଠିଗୁଡ଼ାକୁ ଦେଖିନାହିଁ ଏଯାଏ । ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ କୋଡ଼ିଏ ପଚିଶ ଚିଠି ଆସେ । କେତେଗୁଡ଼ିଏ ସଙ୍ଗଠନ ସମ୍ପର୍କରେ, ଆଉ କେତୋଟି ସାଧାରଣ ଅନୁସନ୍ଧାନ ଏବଂ ଗୋଟେ କି ଦୁଇଟି ଏକାନ୍ତ ବ୍ୟକ୍ତଗତ ।

 

ଚାରି ପାଞ୍ଚୋଟି ଚିଠି ପଢ଼ିସାରିବା ପରେ ଗୋଟିଏ ଚିଠି ତା’ର ଦୃଷ୍ଟି ଆକର୍ଶଣ କଲା । ‘‘ଖାମ୍‌ଟି ଲମ୍ବା ।’’ ଈଷତ୍ ନୀଳ ରଙ୍ଗର । ଉପରେ ଗୋଲ ଗୋଲ ଅକ୍ଷରରେ ଠିକଣା । ଝିଅର ହାତ ଲେଖା ପରି ଅନୁମାନ ହୁଏ ।

 

ଶୈବାଳର ଚେଇଁ ଉଠିଥିବା ମନଟା ପ୍ରସ୍ତୁତ ହୋଇ ରହିଗଲା ଏପରି ଗୋଟେ ଚିଠି ପାଇବା ପାଇଁ ।

 

କେହି ଜଣେ ଗୁଣମୁଗ୍‌ଧା ଲେଖିଥିଲା ଚିଠି ।

ତାହା ଏହିପରି :

ସହୃଦୟେଷୁ, ରାଜଧାନୀ

 

ଆପଣଙ୍କ ବକ୍ତୃତା ଶୁଣିଲି । ପ୍ରଶ୍ନ ପଚାରିବା ପାଇଁ ଆପଣ ଆହ୍ୱାନ କଲେ । ମୁଁ କିନ୍ତୁ କିଛି ପଚାରି ପାରିଲି ନାହିଁ ! ଲଜ୍ୟା ଲାଗିଲା । ଆପଣ ଏତେ ଭଲ ଯେ ସେହିଦିନୁ କେବଳ ଆପଣଙ୍କ ବିଷୟରେହିଁ ଭାବୁଛି । ପ୍ରଶ୍ନ ତ ଅନେକ । ଉତ୍ତର କିନ୍ତୁ ଗୋଟାଏ । ସମୟ ଓ ସୁବିଧା ନାହିଁ ଯେ କହିବି । କିନ୍ତୁ ଏକାନ୍ତ ଅନୁରୋଧ, ଆପଣ ଯଦି ଦିନେ କାହାକୁ ସମୟ ଓ ସୁବିଧା ଦିଅନ୍ତି ମୋତେ ଅଗ୍ରାଧିକାର ଦେବେ । ମୁଁ ଅପେକ୍ଷା କରୁଛି ।

 

ଗୁଣମୁଗ୍‌ଧା

 

ଲେଖିକାର ନାମ ନାହିଁ କି ଠିକଣା ନାହିଁ । ଖାମ୍‌ଟିକୁ ଏପାଖ ସେପାଖ କରି ତନ୍ନ ତନ୍ନ ପରୀକ୍ଷା ପରେ ଭୁବନେଶ୍ୱର ଷ୍ଟେସନ ଆର. ଏମ୍ ଏସ୍. ର ଛାପ ଲାଗିଥିବାର ଦେଖିଲା ଶୈବାଳ । ଲେଖିକା ଯେ ଏହି ସହରର ଅଧିବାସିନୀ ଏଥିରେ ଅନ୍ତତଃ ନିଶ୍ଚିନ୍ତ ହେଲା ସେ । ସେଦିନ ଆସିଥିବା ସବୁ ଚିଠିଗୁଡ଼ାକ ଭିତରୁ ଯେତିକି ପଢ଼ିଥିଲା ସେତିକିରେ ଚିଠିପଢ଼ା ଶେଷକରି ଅପଢ଼ା ଚିଠିଗୁଡ଼ିକୁ ରଖିଦେଲା । ପରେ ପଢ଼ିବ । ଅନାମିକା ଗୁଣମୁଗ୍‌ଧା ଲେଖିବାର ଚିଠିଟାକୁ ନିଜର ଆଟାଚିର ପକେଟ ଭିତରେ ଯତ୍ନର ସହିତ ରଖିଦେଲା ଶୈବାଳ ।

 

କୌଣସି ଅପରିଚିତା ପାଖରୁ ପତ୍ର ପାଇବା ଏଇ ପ୍ରଥମ । କଲେଜ ଜୀବନର କଥା ମନେପଡ଼ିଲା ।

 

ସେତେବେଳେ ସେ ଦ୍ୱିତୀୟ ବର୍ଷର ଛାତ୍ର । ଶୈବାଳ ସହିତ ସେତିକିବେଳେ ତା’ର ପରିଚୟ । ଶୈଳ ପ୍ରଥମ ବର୍ଷର ଛାତ୍ରୀ । ବର୍ଷେ ଜୁନିଅର ।

 

ଶୈଳର ପୋଏଟ୍ରି ବହିଟା ଦିନେ ମାଗି ନେଇଥିଲା ଶୈବାଳ । ତିନିଦିନ ରଖି ଫେରାଇ ଦବାବେଳେ ଶୈଳ କହିଲା, ଖାଲି ବହିଟା ନା ଆଉ କିଛି ଦେଇଛ ? ଶୈବାଳ ଲଜ୍ୟାରେ ଲାଲ୍‌ ପଡ଼ିଯାଇ କହିଥିଲା, କାଳେ ତମେ କିଛି ମନେକରିବ ବୋଲି... ।

 

ଶୈଳ କିନ୍ତୁ କହିଲା ଯେ ସେ କିଛି ମନେକରିବ ନାହିଁ, ବରଂ ଖାଲି ବହିଟି ଫେରେଇ ଦବା ଅକୃତଜ୍ଞତାର ଲକ୍ଷଣ ବୋଲି ସେ ବିବେଚନା କରିବ ।

 

ଶୈବାଳ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲା । ସେ ଆଉଥରେ ବହିଟିକୁ ମାଗିନେଲା ଏବଂ କଲେଜରେ ପହଞ୍ଚିବା ପୂର୍ବରୁ ଆମ୍ବଗଛ ପାଖରେ ବହିଟା ପୁଣି ଫେରେଇ ଦବାବେଳେ ଶୈଳର ହାତକୁ ଛୁଇଁଦେଇ କହିଲା ଆଜି ଏତିକି... ।

 

ଶୈଳ କହିଲା, ମୋ ଅନୁମତି ପାଇଁ ଅପେକ୍ଷା କରୁଥିଲ ଦେଖୁଛି ।

ଶୈବାଳ କହିଲା, କେହି ହାକିମଙ୍କ ଝିଅ, କାଳେ କେହି ଯଦି ଜାଣେ !

 

ଶୈଳ କହିଲା, କେହି ଜାଣିବେନି । ଜାଣିବାବେଳକୁ ଆମେ ଅନେକ ଆଗେଇ ଯାଇଥିବା । ତୁମେ ରବିବାର ତିନିଟାରେ ଆସିବ । ପ୍ରତି ରବିବାର । ବାପା ମା’ ମ୍ୟାଟିନ ସୋ’ ଯାଆନ୍ତି ପ୍ରତି ରବିବାର । ସାନଭାଇ ଗୁଲୁ ଯାଏ ଗୁଡ଼ି ଉଡ଼େଇବା ପାଇଁ । ଆୟା ଯାଏ ତା’ ବର ପାଖକୁ । ଘରେ ମୁଁ ଏକା ଥାଏ ଆସିବ ?

 

ଶୈବାଳ ସେହିଦିନୁ ପ୍ରତି ରବିବାର ଶୈଳ ଘରକୁ ଗଲା । ତିନିଟାରୁ ପାଞ୍ଚଟା । ଶୈଳର ବାପା ମା’ ପହଞ୍ଚିବା ପୂର୍ବରୁ ସେ ଫେରି ଆସୁଥିଲା ।

 

ପ୍ରାୟ ଦୁଇମାସ ଯାଇଥିଲା ଶୈବାଳ ।

 

ସେ ପହଞ୍ଚିଲେ ଖୁବ୍ ଖୁସି ହଉଥିଲା ଶୈଳ । ସ୍ୱାଗତ କରୁଥିଲା ତାକୁ । ମାୟାଧର ମାନସିଂହଙ୍କର ‘ଧୂପ’ କବିତା ବହିରୁ ଗୋଟି ଗୋଟି କରି ପ୍ରତ୍ୟକ କବିତା ଆବୃତ୍ତି କରୁଥିଲା ଶୈବାଳ । ଶୈଳର ତା’ପରେ କଅଣ ହଉଥିଲା କେଜାଣି ସେ ଶୈବାଳକୁ ଦାନ୍ତ ଓ ନଖରେ ବିଦାରି ପକାଉଥିଲା । କିନ୍ତୁ ଶୈବାଳ ତାକୁ ଛୁଇଁଦେଲେ ସେ ଫାଟିପଡ଼ୁଥିଲା ରାଗରେ । ଦିନେ ଶୈବାଳ ତାକୁ ଛାତି ଉପରେ ଖୁବ୍ ଯୋରରେ ଜାକି ଧରିଥିଲା ବୋଲି ଶୈଳ ତାକୁ ଓଠରେ କାମୁଡ଼ି ଦେଇ ପୁଳାଏ ମାଂସ ଉଠାଇ ନେଇଗଲା ।

 

ତା’ପରେ ଦିନେ ହଠାତ୍ ବଦଳି ହୋଇ ଚାଲିଗଲେ ଶୈଳର ବାପା । ସେମାନେ ଯିବାଦିନ ଶୈବାଳ ଯାଇଥିଲ ଦେଖାକରିବାକୁ । ଶୈଳ ତାକୁ ଏକାକୀ ଦେଖି ମଧ୍ୟ ଅପରିଚିତ ପରି ଏଡ଼ିଦେଇ ଚାଲିଗଲା ।

 

କିଛିଦିନ ପାଠପଢ଼ାରେ ମନ ଲାଗିଲା ନାହିଁ । ଖାଇବାକୁ ରୁଚି ହେଲା ନାହିଁ । କିନ୍ତୁ ପରେ ପରେ ପୁଣି ସବୁ ଠିକ୍ ହୋଇଗଲା ।

 

ଶୈଳ କଥା ସେ ଭୁଲିଗଲା ।

 

ଏଇ ସେଦିନ ପରି ଲାଗୁଛି । ଚିତ୍ରକୂଟରୁ ଫେରିଥାଏ ଶୈବାଳ । ଦୈନିକ ସମାଜର ପୃଷ୍ଠା ଓଲଟାଇବାବେଳେ ଆଖିଟା ଅଟକିଗଲା ସବାତଳ ସମ୍ବାଦ ଉପରେ ।

 

ଶୈଳ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା । ଏୟା ଥିଲା ଶିରୋନାମା ।

 

କିଏ ଏହି ଶୈଳ ପଟ୍ଟନାୟକ ? ରେଢ଼ାଖୋଲ କଲେଜର ପ୍ରାକ୍ତନ ଛାତ୍ରୀ ଶୈଳ ପଟ୍ଟନାୟକ ନା ଆଉ କିଏ ?

 

ସେ ହୋଇ ନ ଥିବ ।

 

ଆରବର୍ଷ ତଳର କଥା । ସେତେବେଳେ ଶୈଳ ଆଉ କାହାର ଶ୍ରୀମତୀ ହୋଇ ସାଙ୍ଗିଆ ବଦଳ କରିଥିବ ।

 

ତଥାପି ପୁଣି ସୁପ୍ତ ଚେତନା ଜାଗ୍ରତ ହେଲା । ଶୈବାଳ ଲୁଚିଲୁଚି ସମ୍ବର୍ଦ୍ଧନା ସଭାକୁ ଚାଲିଗଲା ।

 

ସମ୍ବର୍ଦ୍ଧନା ସଭା ଆରମ୍ଭ ହୋଇ ନ ଥାଏ । ଉପସ୍ଥିତି ଦୁଇଚାରି ଜଣଙ୍କଠାରୁ ଯାହା ଶୁଣିଲା ତା’ ସହିତ ବିଗତ ଶୈଳ ପଟ୍ଟନାୟକଙ୍କର କୌଣସି ସାମଞ୍ଜସ୍ୟ ପାଇଲା ନାହିଁ । ଇଏ ଆଉ ଜଣେ । ବିଦେଶ ଗସ୍ତରୁ ଫେରିଛନ୍ତି । କବି ଭାବରେ ସୁପରିଚିତା । ସାହିତ୍ୟ ସହିତ ସମ୍ପର୍କ ରଖୁ ନ ଥିବାରୁ ନିଜକୁ ଗୌଣ ଦୃଷ୍ଟିରେ ଦେଖିଲା ଶୈବାଳ । ସେ ଠିକ୍ ପଲେଇ ଆସୁଥିବାବେଳେ ଗୋଟିଏ ଆମ୍ବାସଡ଼ର ଗାଡ଼ି ଆସି ଛିଡ଼ାହେଲା ଗେଟ୍‌ ପାଖରେ ।

 

ଓହ୍ଲେଇ ପଡ଼ିଲେ ଭଦ୍ରମହିଳା ।

 

ଆଖିରେ କଳା ଚଷମା । ମୁହଁରେ ପ୍ରସାଧନର ବାହୁଲ୍ୟ । ଶରୀରରୁ ସ୍ୱାସ୍ଥ୍ୟ ଉପୁଚି ପଡ଼ୁଛି । ସମ୍ଭ୍ରାନ୍ତ ସୟମ୍ଭ୍ରାନ୍ତ ଭାବ ।

 

ଶୈବାଳ ଏତେ ଉପରକୁ ଅଙ୍କୁଶ ବଢ଼େଇବାକୁ ସାହାସ ନ କରି ଚାଲିଆସୁଥିଲା ।

 

ପଛରୁ କେହି ଡାକିଲା ଯେପରି କାଳେ ଭଦ୍ରମହିଳାଙ୍କୁ ଅଭଦ୍ର ଭାବରେ କେତୋଟି ମୁହୂର୍ତ୍ତ ଚାହିଁଥିଲା ବୋଲି କେହି ସ୍ୱେଚ୍ଛାସେବକ ଲକ୍ଷ୍ୟ କରିଥିଲେ ହୁଏତ । ଉତ୍ତମ ମଧ୍ୟମ ଦୁଇଟା ଚଢ଼େଇଦବା ବିଚିତ୍ର ନୁହେଁ । ଶୈବାଳ ଖାଲି ଫେରୁଥିବା ଚଳନ୍ତା ରିକ୍‌ସା ଉପରକୁ ଉଠିଯାଇ କହିଲା, ଜଲଦି, ଜଲଦି, ଜଲଦି... ରାମକୃଷ୍ଣ ମିଶନକୁ ନେଇ ଚାଲ ।

 

ପଛକଥା ପୁଣି ମନକୁ ବିଷର୍ଣ୍ଣ କରିଦେଲେ ।

 

ଶୈବାଳ ଘରୁ ଫେରିବାବେଳେ ସେଦିନ ପ୍ରତିଜ୍ଞା କରିଥିଲା ଉପଯୁକ୍ତ ନ ହେବା ପର୍ଯ୍ୟନ୍ତ ମହିଳାମାନଙ୍କ ସହିତ ସମ୍ପର୍କ ରଖିବ ନାହିଁ । ସେଇଦିନ ସେ ମହିଳାମାନଙ୍କ ପାଖରୁ ଦୂରେଇ ରଖେ ନିଜକୁ । ଅଭ୍ୟୁଦୟ ସମାଜରେ କେତେଜଣ ମହିଳା ସଭ୍ୟା ଥିଲେ ମଧ୍ୟ ସେମାନଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ରଖିବାକୁ ଡରେ ଶୈବାଳ । କାଳେ ଯଦି ପୁଣି ଠକି ଯାଏ ?

 

ମଣିଷ ମଣିଷକୁ ଠକିଦିଏ ।

ସମୟ ବି ଠକିଦିଏ ।

ସଭିଏଁ ସଭିଙ୍କୁ ଠକନ୍ତି ।

ଶୈଳ ପଟ୍ଟନାୟକ କିଛି ସ୍ୱତନ୍ତ୍ର ନୁହେଁ ।

 

ଶୈବାଳ ମହାପାତ୍ର ବି ଭିନ୍ନ ନୁହେଁ । ସେ ମଧ୍ୟ ଠକିଛି ଅନେକଙ୍କୁ । ସଂଗ୍ରାମ ଚାଲିଛି । ସରଭାଇଭାଲ୍‌ ଅଫ୍‌ ଦି ପିଟେଷ୍ଟ । ଯୋଗ୍ୟତମ ହିଁ ଶେଷରେ ବଞ୍ଚିରହେ । ବଞ୍ଚିବାକୁ ହେଲେ ଯୋଗ୍ୟ ହେବାକୁ ହେବ । ଯୋଗ୍ୟତମ ହୋଇ ନ ପାରିଲେ ପଛରେ ପଡ଼ିଯିବ । ସାଧୁ ସନ୍ଥ ହୁଅ, ନେତା ବା ପ୍ରତାରକ ହୁଅ ସବୁଥିରେ ପ୍ରକୃତିର ଏକ ନିଷ୍ଠୁର ସତ୍ୟ ପ୍ରଯୁଜ୍ୟ । ଶୈବାଳ ମହାପାତ୍ର ସେଥିପାଇଁ ଗୋଡ଼ାଣିଆ ହୋଇ କାମ ନ କରି ପଳେଇ ଆସିଲା ନିକୁଞ୍ଜ ମହାନ୍ତିଙ୍କ ପାଖକୁ । ଗୋଡ଼ାଣିଆମାନଙ୍କୁ ଉଚିଷ୍ଟ ମିଳେ । ପ୍ରଥମ ପରିବେଷଣ ସେମାନଙ୍କ ଭାଗ୍ୟରେ ଜୁଟୁନାହିଁ ।

 

ଶୈବାଳ କିନ୍ତୁ ଶପଥ ନେଇଛି ସବୁଥିରେ ପ୍ରଥମ ସୁଯୋଗ ପାଇବ । ନ ହେଲେ କଥାରେ କହି ଖାରବେଳ କି କପିଳେନ୍ଦ୍ର ଦେବ ହୋଇପାରିବ ନାହିଁ । ପ୍ରଥମ ହବାକୁ ହେଲେ ନିଜସ୍ୱ ବିଦ୍ୟାବୁଦ୍ଧିର ପ୍ରୟୋଗ କରିବା ଆବଶ୍ୟକ । ସେୟା କରୁଛି ସେ । ସେ ଇତିହାସର ଛାତ୍ର ଥାଇବି ସେହି ବିଷୟରେ ଫେଲ ହେଲା । କିନ୍ତୁ ଇତିହାସ ଆଉ ପଢ଼ିବାର ଆବଶ୍ୟକତା ନାହିଁ । ଇତିହାସ ସୃଷ୍ଟି କରିବ ସେ । ସେହି ସମୟ ଆସୁଛି ଧିରେ ଧିରେ, ନିଶ୍ଚିତ ଭାବରେ ।

 

ଶୈବାଳ ମହାପାତ୍ର ସେହି ଅପରିଚିତା ଲେଖିକାକୁ ଭୁଲିଗଲା କ୍ଷଣକରେ । ସେ ଆଟାଚି ଭିତରେ ଥାଉ ବନ୍ଦୀନି ହୋଇ । ତା’ର ପ୍ରୟୋଜନ ହେଉନି ବର୍ତ୍ତମାନ । ବର୍ତ୍ତମାନ ଲୋଡ଼ା ଅଧିକ ସଭ୍ୟ, ଅଧିକ ଗୋଡ଼ାଣିଆ, ଅଧିକ ସମର୍ଥକ । ଯେଉଁମାନେ ଆଖି ବୁଜି ତାକୁ ସମର୍ଥନ କରିବେ । ଅନ୍ଧପରି ପଛେ ପଛେ ଚାଲିବେ । ସେ ଯାହା କହିବ ବେଦଠାରୁ ବଳି ବଡ଼ ସତ୍ୟ ବୋଲି ପ୍ରଚାର କରିବେ । ତାକୁ ଡିକ୍ଟେଟର ପରି ମାନିନେବେ ।

 

ଶୈବାଳ ମହାପାତ୍ର ବାହାରର ପୃଥିବୀକୁ ଭୁଲିଯାଇ ନିଜର ପୃଥିବୀରେ ବିଚରଣ କରୁଥିଲା ।

 

ଗୋଟେ ସାଦା କାଗଜ ଉପରେ ଗାର ଟାଣୁଥିଲା, ଅଙ୍କ କଷୁଥିଲା, ଛବି ଆଙ୍କୁଥିଲା ।

ସବୁ ଭବିଷ୍ୟତର ଛବି, ଭବିଷ୍ୟତର ଅଙ୍କ, ଏବଂ ଭବିଷ୍ୟତର ଗଣନା ।

ତାକୁ ବର୍ତ୍ତମାନ ବତିଶ ବର୍ଷ ।

ପଚିଶରୁ ପଇଁଚାଳିଶ ମଣିଷ ଜୀବନର ସର୍ବଶ୍ରେଷ୍ଠ ସମୟ ।

ଏହି ସମୟଟି ସୃଜଳଶୀଳ ଜୀବନର ସ୍ୱର୍ଣ୍ଣଯୁଗ ।

 

ଏଥିରୁ ସାତବର୍ଷ ଅପଚୟ ହୋଇସାରିଲଣି । ଆଉ ମାତ୍ର ତେର ବର୍ଷ ହାତରେ । ଅତି ସାବଧାନତାର ସହିତ ପ୍ରତିଟି ମୁହୂର୍ତ୍ତକୁ ନ ଜଗିଲେ, ଯୋଜନା ଅନୁସାରେ ସମୟ ଓ ସୁଯୋଗର ଉପଯୋଗ ନ କଲେ, ପୁଣି ଆହୁରି କିଛି ବର୍ଷ ଖସି ଯାଇପାରେ ହାତରୁ ।

 

ଅନ୍ୟମାନେ ସମୟ ବିରୁଦ୍ଧରେ ଲଢ଼ୁଛନ୍ତି ।

ସମୟ ତା’ ପ୍ରତି ଏବେବି ଅନୁକୂଳ, ଏବେବି ସଦୟ ।

 

ମାତ୍ର ବତିଶ ବର୍ଷରେ ସେ ଯେତେ ଉପରକୁ ଉଠିଛି ତାହା ଅନେକଙ୍କ ପକ୍ଷରେ ଅସମ୍ଭବ ହୋଇ ରହିଛି ।

 

ପଚିଶ ବର୍ଷରୁ ପଇଁଚାଳିଶ ବର୍ଷ ଜୀବନର ଆଲୋକିତ ମଧ୍ୟାହ୍ନ । ଏହି ସମୟରେ ମଣିଷ ଉତ୍ତାପ ଓ ଉଜ୍ଜ୍ୱଳତା ବେଶୀ । ଏହି ସମୟରେ ତା’ର ସୃଜନଶକ୍ତି ଉତ୍କର୍ଷଣ ଅର୍ଜ୍ଜନ କରିବା ନିମନ୍ତେ ଯୋଗ୍ୟତା ଏବଂ ଜୀବନକୁ ଭଲ ପାଇବାର କ୍ଷମତା ମଧ୍ୟ ଅଧିକ । ଏହି ସମୟ ମଧ୍ୟରେ ଶୀର୍ଷକୁ ଉଠି ନ ପାରିଲେ ବ୍ୟର୍ଥ ହେଇଯିବ ଶୈବାଳର ଜୀବନ ।

 

ଅନୁଷ୍ଠାନର ପ୍ରସାର ହବା ସଙ୍ଗେ ସଙ୍ଗେ ଅର୍ଥର ଆବଶ୍ୟକତା ମଧ୍ୟ ବଢ଼ୁଛି । ସଙ୍ଗଠନ ପାଇଁ ଅନେକ କିଛି କରିବାକୁ ହୁଏ । ସଭ୍ୟମାନଙ୍କୁ ସ୍ୱଚ୍ଛନ୍ଦରେ ଚଳିପାରିବା ଭଳି ସୁବିଧା କରିଦେବାକୁ ହୁଏ । ଅନୁଷ୍ଠାନର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ ଏବଂ ଅକ୍ଷୁର୍ଣ୍ଣ ରଖିବା, ସଭ୍ୟମାନଙ୍କୁ ସଜାଗ ରହିବା ଯେପରି ଆବଶ୍ୟକ; ବଢ଼ି ମରୁଡ଼ି, ପ୍ରାକୃତିକ ବା ମଣିଷକୃତ ବିପତ୍ତିବେଳେ ଜନସାଧାରଣଙ୍କ ସେବା କରିବା ସେହିପରି ଆବଶ୍ୟକ । ଏହା ବ୍ୟତୀତ ଅନୁଷ୍ଠାନ ଉପରେ ନିର୍ଭରଶୀଳ ସବୁ ଅନୁଷ୍ଠାନ ଏବଂ କାର୍ଯ୍ୟାବଳୀକୁ ବଞ୍ଚେଇ ରଖିବାକୁ ହେବ । ଏଥିପାଇଁ ଅର୍ଥ ଓ ସଙ୍ଗଠନ ଆବଶ୍ୟକ-

 

ନିଜର ଛୋଟ ଅଫିସ ଭିତରେ ବସି ଭାବୁଥାଏ ଶୈବାଳ । ଅର୍ଥ ଯାହା ସଂଗ୍ରହ କରିଥିଲା ବିଭିନ୍ନ ସୂତ୍ରରୁ ତାହା ଖର୍ଚ୍ଚ ହୋଇଯାଉଛି । ଖର୍ଚ୍ଚର ପରିମାଣକୁ ଚାହିଁ ଆୟ ବଢ଼ିବା ଦରକାର । ଉପାୟ କିଛି ଆବିଷ୍କାର କରିବାକୁ ହେବ ।

 

ଆଗରେ ଟେବୁଲ ଉପରେ ଦୈନିକ ଖବର କାଗଜଗୁଡ଼ା ପଡ଼ିଛି । ସେଗୁଡ଼ାକୁ ଏପର୍ଯ୍ୟନ୍ତ ପଢ଼ିବାର ସମୟ ହୋଇନାହିଁ । ବଡ଼ ହେବାକୁ ହେଲେ ସବୁ ବିଷୟରେ ଅପ୍‌ ଟୁ ଡେଟ୍‍ ହବାକୁ ହେବ । ଆଜିର ଖବର ନ ଜାଣିଲେ କାଲିର ଆଲୋଚନାରେ ଭାଗ ନେଇପାରିବ ନାହିଁ । ବନ୍ଧୁ ମହଲରେ ସର୍ବଦା ଆଗୁଆ ରହିବାକୁ ଚାହେଁ । ସେଥିପାଇଁ ସାଧାରଣତଃ ଜଣେ ଗୋଟିଏ ବା ଦୁଇଟି ସମ୍ବାଦପତ୍ର ପଢ଼ିବାବେଳେ ସେ ଚାରି ପାଞ୍ଚଟି ସମ୍ବାଦ ପତ୍ର ପଢ଼ିଥାଏ । ସବୁ ପ୍ରଧାନ ପତ୍ରିକାଗୁଡ଼ିକୁ ମଧ୍ୟ କ୍ରୟ କରେ । ଏହାଛଡ଼ା ସାମାଜିକ ଓ ରାଜନୈତିକ ବିଷୟବସ୍ତୁକୁ ଆଧାର କରି ନୂତନ ପୁସ୍ତକଟିଏ ପ୍ରକାଶ ପାଇଲେ ସଙ୍ଗେ ସଙ୍ଗେ କିଣି ଆଣେ ଶୈବାଳ । ଫମ୍ପା ମାଠିଆର ଶବ୍ଦ ବେଶି । କିନ୍ତୁ ଉପର ମହଲରେ ଅନ୍ୟ ରକମର ଚଳଣି । ସେଠାରେ ଗାମ୍ଭୀର୍ଯ୍ୟ ଲୋଡ଼ା । ତଳେଥିବା ଲୋକକୁ ବେଶି ଶବ୍ଦ ଆକର୍ଷଣ କରେ । ଜ୍ଞାନର ମହତ୍ୱ ଅପେକ୍ଷା ଢୋଲର ଶବ୍ଦ ତାକୁ ବେଶି ଆକୃଷ୍ଟ କରେ ।

 

ଶୈବାଳ କେତୋଟି କଥା ଶିଖିଛି ଜୀବନରେ । କେହି ଜଣେ ମହାନ୍ ବ୍ୟକ୍ତି କହିଥିଲେ ଯେ ‘‘ଅନ୍ୟ କୌଣସି ବ୍ୟକ୍ତି ନୂଆ କଥାଟିଏ କହିବା ପୂର୍ବରୁ ତୁମେ କୁହ, ଅନ୍ୟ କେହି ନୂଆ କାମଟି କରିବା ପୂର୍ବରୁ ତୁମେ କର, ଦେଖିବ ତୁମର ନେତୃତ୍ୱ ବଜାୟ ରହିବ ସଦାବେଳେ ।’’

 

ସେହି ମହାପୁରୁଷଙ୍କ ବାଣୀ ଲାଗିରହିଛି ମନରେ । ସେ ଯଥାସାଧ୍ୟ ଚେଷ୍ଟା କରେ ନୂତନ କିଛି କରିବା ପାଇଁ, ନୂତନ କିଛି କହିବା ପାଇଁ । ସେଥିପାଇଁ ଅନେକ ଖବର ସଂଗ୍ରହ କରେ, ଅନେକ ପଢ଼େ । କାହିଁ କିଛି ନୂଆ କଥାର ସୂଚନା ମିଳିଲେ ସେ ଟିପି ରଖେ । ସେଇକଥା ଅନ୍ୟ କେହି କହିବା ପୂର୍ବରୁ ସେ କହିବ । ସାଧାରଣ ଲୋକେ ତା’ ମୁହଁରୁ ପ୍ରଥମେ ଶୁଣିବେ ।

 

ଆଉ ଗୋଟିଏ କଥା ବି ସେ ମନେରଖେ ସର୍ବଦା । ଜନସାଧାରଣଙ୍କ ସ୍ମୃତିଶକ୍ତି ଅତି ତୀକ୍ଷ୍‌ଣ । ଆଜିର କଥା କାଲିକୁ ଭୁଲି ଯାଆନ୍ତି ସେମାନେ । ତେଣୁ ନିଜକୁ ସେମାନଙ୍କ ମଧ୍ୟରେ ଚାଲୁ ରଖିବାକୁ ପ୍ରୟୋଜନ । ଏଥିପାଇଁ କୌଣସି ନା କୌଣସି ଆଳରେ ନିଜର ନାମ ଖବର କାଗଜ ପୃଷ୍ଠାରେ ବାହାର କରିବା ଦରକାର । ଯେତେବଳେ କୌଣସି କାମ ହାତରେ ନ ଥିବ ବା କାହି ତୁମକୁ ଡାକୁ ନ ଥିବେ ସେତେବେଳେ ସାମାଜରୁ ଦୁର୍ନୀତିକୁ ବିଲୋପ କରିବାପାଇଁ ଦିନିକିଆ ପ୍ରତୀକ ଅନଶନ ବା ଦେଶରେ ବୃଦ୍ଧି ପାଉଥିବା ଦୈବୀ ବିପତ୍ତିରୁ ସମାଧାନ ପାଇଁ ‘ବିଶ୍ୱକଲ୍ୟାଣ ମହାଯଜ୍ଞ’ କରିବାରେ ବାଧା ନାହିଁ । ଏହା ଖାଲି ଯେ ଚହଳ ସୃଷ୍ଟି କରିବ ତାହା ନୁହେଁ, ଭାବମୂର୍ତ୍ତିକୁ ସ୍ପଷ୍ଟ ଏବଂ ଶୁଦ୍ଧ କରିବାରେ ସହାୟକ ହେବ ।

 

ଆଉ ଏକଥା ବି ସେ ମନେକରେ ଯେ ନିଜର ଘୋର ଦୁର୍ଦ୍ଦିନରେ ମଧ୍ୟ ବିପକ୍ଷର କରୁଣ ଭିକ୍ଷା କରିବ ନାହିଁ । ବରଂ ଯଦି ଆବଶ୍ୟକ ହୁଏ ଆତ୍ମଶୋଧନ ବା ଅନୁଶାସନ ବ୍ରତ ଗ୍ରହଣ କରିବ-। ଏହା ପ୍ରଚାର ହବାକ୍ଷଣି କ୍ରମଶଃ ଲୋକେ ସହାନୁଭୂତିଶୀଳ ହେବେ । ସେମାନେ ଥରେ ଆକୃଷ୍ଟ ହେଲେ ଆଲୁଅ ଦେଖି ପତଙ୍ଗ ଧାଇଁବେ ନେତୃତ୍ୱ ପଛରେ । କାହାରି କଥା ଶୁଣିବେ ନାହିଁ । କୌଣସି ଯୁକ୍ତି ବା ପ୍ରତିକୂଳ ପ୍ରଚାର କାମ କରିବ ନାହିଁ ।

 

ଜନଜୀବନରେ ପ୍ରତିଷ୍ଠିତ ହବା ଯେତିକି କଷ୍ଟସାଧ୍ୟ ତା’ଠାରୁ ଅଧିକ କଷ୍ଟସାଧ୍ୟ ନିଜର ପ୍ରତିଷ୍ଠା ଓ ପ୍ରତିପତ୍ତିକୁ ଅବ୍ୟାହତ ରଖିବା ପ୍ରତିଯୋଗିତାର ଯୁଗରେ ଶୀର୍ଷ ସ୍ଥାନରେ ଯେପରି ଅଧିକ ସମୟ ରହିହୁଏ ନାହିଁ, ଶୀର୍ଷ ସ୍ଥାନକୁ ଯିବା ପାଇଁ ସେହିପରି ଖୁବ୍ କମ୍‌ ସମୟ ନବାକୁ ହୁଏ-। ଗୋଟିଏ କଥାରେ କହିଲେ ଲଙ୍ଗ ରନ୍‌ ପରି । ଯାହାର ଗତି କ୍ଷିପ୍ର ଏବଂ ଶକ୍ତି ଯଥେଷ୍ଟ ସେ ବିଜୟୀ ହୁଏ । ଲକ୍ଷ୍ୟସ୍ଥଳରେ ପହଞ୍ଚିଗଲେ ସଫଳତା ଯେତିକି ଆନନ୍ଦ ଦିଏ, ତା’ପରେ ସମସ୍ତଙ୍କୁ ଅତିକ୍ରମ କରି ଦୌଡ଼ିବାର ଯନ୍ତ୍ରଣା ଶରୀରକୁ ଅବଶ କରି ଆଣେ ।

 

ଶୈବାଳ ମହାପାତ୍ର ଖୁବ୍ ହିସାବୀ । ଅଙ୍କରେ ସେ କେବେ ଦକ୍ଷତା ଛାଡ଼ି ନ ଥିଲେ । କିନ୍ତୁ ନେତା ହେବାପରେ ଅଙ୍କର ପ୍ରୟୋଜନ ସବୁଠାରୁ ବେଶୀ ଅନୁଭୂତ ହେଉଛି । ସମୟ, ସୁଯୋଗ, ସମ୍ପଦ ଓ ସମର୍ଥନ ଏସବୁଗୁଡ଼ିକୁ ନେତୃତ୍ୱ ବଜାୟ ରଖିବା ସକାଶେ ଉପଯୋଗ କରିବାକୁ ହୁଏ । ଏଥିପାଇଁ ରଣକୌଶଳ ଜାଣିବା ଦରକାର । ନିକୁଞ୍ଜ ମହାନ୍ତି ତାକୁ ଗୀତାର ଯେଉଁ କଥାଟି କହୁଥିଲେ ତାହା ଜୀବନସାରା ମନେରହିବ । ‘‘ଯୋଗକର୍ମସୁ କୌଶଳମ୍’’ । କୌଶଳ ଜାଣି ନ ଥିଲେ ଅର୍ଜ୍ଜୁନ ତାଙ୍କ ଅପେକ୍ଷା ବଳବାନ ଯୋଦ୍ଧାମାନଙ୍କୁ ପରାସ୍ତ କରିପାରି ନ ଥାନ୍ତେ ।

 

ପ୍ରତିଯୋଗିତା ବଢ଼ୁଛି ସବୁକ୍ଷେତ୍ରରେ । ବିଜ୍ଞାନରେ, ଦର୍ଶନରେ, ସାହିତ୍ୟରେ ନୂତନ ପ୍ରତିଭା ସୃଷ୍ଟି ହୋଉଛି । ରାଜନୀତିରେ ମଧ୍ୟ ସେହିପର । ସବୁ କାଳରେ ଜ୍ଞାନୀ ଓ ଯୋଗ୍ୟବ୍ୟକ୍ତିହିଁ ବିଜୟ ଲାଭ କରେ । ଯିଏ ଅଯୋଗ୍ୟ, ଅପଦାର୍ଥ ସେ ପଛରେ ରହି ଆଉ କାହାର ପଛଗୋଡ଼ାଣିଆ ବା ପାଖଲୋକ ହବାକୁ ଜୀବନର ପରମାର୍ଥ ମନେକରେ ।

 

ସେ ଏ ଯାଏ କେବଳ ଆଗେଇ ଆସିଛି । ପଛକୁ ଚାହିଁ ନାହିଁକି ପଛକୁ ଚାହିଁବା ପାଇଁ ସମୟ ହୋଇନାହିଁ । ପଛକୁ ରହିବାକୁ ଭୟ ଲାଗେ । ରେଢ଼ାଖୋଲର ନିମ୍ନ ମଧ୍ୟବିତ୍ତ ପରିବାରର ଅଭାବ ଅନଟନ, ପରମ୍ପରାକୁ ଯାବୁଡ଼ିଧରି ନିପୀଡ଼ିତ ହବା ସବୁ ସଫଳତା ବା ବିଫଳତାକୁ ବିଧିଲିପି କହି ସାନ୍ତ୍ୱନା ପାଇବା ଏବଂ ଯନ୍ତ୍ରଣାରୁ ମୁକ୍ତି ପାଇବାପାଇଁ ନିଜେ ଚେଷ୍ଟା ନ କରି ଉଦ୍ଧାର ପାଇବାପାଇଁ ଅନ୍ୟର ମୁହଁକୁ ଅନାଇବା ନିଗାଡ଼ି ନେଇଥିଲା ତା’ର ଆଦ୍ୟଜୀବନର ସବୁ ସରସତା, ଏବଂ ରସବୋଧ । ଗଛର ଡାଳରେ ଖସି ପଡ଼ିଥିବା ଆମ୍ବ କସିଟି ପରି ସେ ପରିବେଶର ଉତ୍ତାପରେ ସଢ଼ିବ ନାହିଁ, ନିଜର ଉତ୍ତାପ ବିକିରଣ କରି ନିଜେ ଆକର୍ଷଣର କେନ୍ଦ୍ର ହୋଇଉଠିବ ।

 

ଚା’ କପେ ମଗେଇଲା ଶୈବାଳ ।

 

ଦଶଟାବେଳକୁ ଚା’ ନ ପିଇଲେ ମଥା ଧରେ । ଅଥଚ ଏଗାରଟା ବାଜିବ, ସେ ଚା’ ପିଇବାକୁ ସମ୍ପୂର୍ଣ୍ଣ ଭୁଲିଯାଇଛି ।

 

ଚା’ ଦେଇଗଲା ପିଲାଟିଏ ।

 

ମାସକୁ ମାସ ପଇସା ନିଏ ଚା’ ଦୋକାନୀ । ଜଳଖିଆ ବି ଯୋଗାଏ । ପାନ ସିଗ୍ରେଟ୍‍ ବି ଏହିପରି ଆସେ ।

 

ଆତିଥେୟତା ଯୋଗୁଁ ଓଡ଼ିଆ ଜାତି ପ୍ରସିଦ୍ଧ । ଓଡ଼ିଶା ମାଟିରେ ପାଦ ଦବାକ୍ଷଣି ସମସ୍ତେ ଜଗନ୍ନାଥ ଚେତନାରେ ଉଦ୍‌ବଦ୍ଧ ହୋଇ ଆଗନ୍ତୁକର ଚର୍ଚ୍ଚା କରନ୍ତ । ଅତିଥି ଭବନର ଦ୍ୱାର ସର୍ବଦା ଉନ୍ମୁକ୍ତ । ଭି. ଆଇ. ପି. ହୁଅନ୍ତା ବା ଆଉ କେହି ହୁଅନ୍ତୁ ରାଜଧାନୀରେ ପାଦ ଦବାକ୍ଷଣି ସବୁ ଦାୟିତ୍ୱ ଓଡ଼ିଶାର । ମାନପତ୍ର ଦବାଠାରୁ ଆରମ୍ଭ କରି ଉପହାର ଦବା ସବୁ କାମ କରାହୁଏ । ଖାଲି ହାତରେ ଓଡ଼ିଶାକୁ ଆସିଥିବା ବ୍ୟକ୍ତି ଫେରନ୍ତି ସୁଟ୍‌କେଶ ଭର୍ତ୍ତିକରି । ତାରକସି କାମ, ସମ୍ବଲପୁରୀ ଶାଢ଼ି, ପିପିଲିର ଥଳି, ପଟ୍ଟଚିତ୍ର, ପଥର ମୂର୍ତ୍ତି ଏବଂ ମହାପ୍ରସାଦ ଉପହାରର ଉକ୍ତୃଷ୍ଟ ସାମଗ୍ରୀ ।

 

ଓଡ଼ିଶା ମାଟି ଛାଡ଼ିବା ପରେ ମନ ଅନ୍ୟ ରକମର ହୁଏ । ଭୁଲି ଯାଆନ୍ତି ଓଡ଼ିଶାର ଦାବି, ଓଡ଼ିଆଙ୍କ ଗୁହାରୀ । ବ୍ରିଫ୍‌କେସ୍‌ ଭିତରେ ସାଇତି ରଖିଥିବା ମେମୋରାଣ୍ଡମ୍‌ର ଦାବିଗୁଡ଼ାକୁ ଛିଡ଼ା କାଗ ପରି ଉଡ଼େଇ ଦିଅନ୍ତି ଶୂନ୍ୟରେ ।

 

ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ରାଜ୍ୟ ବିସ୍ତାର କରିଥିବା ଓଡ଼ିଆର ଶକ୍ତିକୁ କେହି ବିଶ୍ୱାସ କରନ୍ତି ନାହିଁ ।

 

ଚୈତନ୍ୟଦେବ ଯେଉଁଦିନ ପ୍ରେମଧର୍ମ ପ୍ରଚାର କଲେ ମହାନଦୀର ଗଡ଼ଗଡ଼ିଆ ବାଲିରେ ସେହିଦିନଠାରୁ ଖୋଳକରତାଳ ଧରି ଓଡ଼ିଆ କୀର୍ତ୍ତନ କରୁଛି, ତାକୁ କେହି ଗୁରୁତ୍ୱ ଦେଉନାହିଁ । ତା’ କଥା ଅସ୍ପଷ୍ଟ, ତା’ର ଲକ୍ଷ୍ୟ ମଧ୍ୟ ଅନିର୍ଦ୍ଦିଷ୍ଟ ।

 

ଶୈବାଳ ଚା’ପିଇ ସାରିବାବେଳକୁ ପୁଣି ନିଜର ମେଜାଜ୍‌ ଫେରି ପାଇ କହିଲା, ଯିଏ ସାକ୍ଷାତ୍‍ କରିବା ପାଇଁ ଅପେକ୍ଷା କରୁଛନ୍ତି ତାଙ୍କୁ ଡାକ.... ।

 

ଜଣେ ମଧ୍ୟବୟସ୍କ ବ୍ୟକ୍ତି ଆସି ଚୌକିଟିଏ ଦଖଲ କଲେ ।

ଶୈବାଳ କହିଲା, ଆପଣଙ୍କର ବକ୍ତବ୍ୟ ସଂକ୍ଷେପରେ କହିଲେ ଉପକୃତ ହେବି ।

 

ଶୈବାଳ ଟେବୁଲ ଉପରେ ଗୋଟିଏ ଛୋଟ ଟେବୁଲ ଷ୍ଟାଣ୍ଡରେ ଲେଖା ଥିଲା, ‘‘ଆପଣଙ୍କର ସମୟ ମୂଲ୍ୟବାନ, ମୋର ମଧ୍ୟ; ଯେତେଶୀଘ୍ର ପାରନ୍ତି ବକ୍ତବ୍ୟ ଶେଷ କରନ୍ତୁ ’’

 

ଓଡ଼ିଆମାନଙ୍କର ସମୟ ଜ୍ଞାନ ନାହିଁ ବୋଲି ନିକୁଞ୍ଜ ବାବୁ ଥରେ କହୁଥିଲେ । ସେଥିପାଇଁ ଘଣ୍ଟା ଘଣ୍ଟା ଧରି ଗପ କରିପାରନ୍ତି, ଶ୍ରୋତା ନ ଥିଲେ ବି ବକ୍ତୃତା ଦେଇପାରନ୍ତି । ସେ କିନ୍ତୁ ସଂକ୍ଷିପ୍ତ ହବାକୁ ଚାହେଁ । ସଂକ୍ଷିପ୍ତ ହେବାହିଁ ଗାମ୍ଭୀର୍ଯ୍ୟର ଲକ୍ଷଣ ।

 

ଆଉ ଗାମ୍ଭୀର୍ଯ୍ୟହିଁ ଆଭିଜାତ୍ୟ ।

ଭଦ୍ରବ୍ୟକ୍ତି କହିଲେ, ‘‘ମୋର କିନ୍ତୁ ବହୁତ କିଛି କହିବାର ଅଛି । ଶୁଣିବା ହୁଅନ୍ତୁ–

ଶୈବାଳ ଲାଲ୍‌ ନୀଳ ପେନ୍‌ସିଲଟାକୁ ଧରି ଏପାଖ ସେପାଖ କରୁଥିଲା ।

 

ଆଗନ୍ତୁକ କହିଲେ, ‘‘ବହୁଦିନ ଧରି ଅଭିଳାଷ ଥିଲା ଆପଣଙ୍କୁ ଦେଖିବା ପାଇଁ । ଆଜି ସେ ଆଶା ପୂର୍ଣ୍ଣ ହେଲା । ନେତ୍ର ପବିତ୍ର ହେଲା । ମୁଁ ଯାହା ଭାବିଥିଲି ଆପଣ ତା’ଠାରୁ ଅନେକ ବଡ଼ ।’’

 

ଶୈବାଳକୁ ଭଲ ଲାଗୁଥାଏ ଶୁଣିବା ପାଇଁ । ସେ କିଛି ନ କହି ନୀରବରେ ବସି ରହିଲା-

 

ଆଗନ୍ତୁକ କହିଲେ, ‘‘ଆପଣଙ୍କର ନାମ ଭଙ୍ଗେଇ ଓଡ଼ିଶାରେ ସବୁ କିଛି କରାଯାଇପାରେ । କିନ୍ତୁ ଆଶ୍ଚର୍ଯ୍ୟ ଆପଣ କିଛି ନ କରି ଚୁପ୍‌ଚାପ୍‌ ବସିଛନ୍ତି । ନିଜକୁ ଆପଣ ଚିହ୍ନୁ ନ ଥିବା ଦୁଃଖର କଥା ।’’

 

ଶୈବାଳର ଆଗ୍ରହ ଜାତହେଲା ଶୁଣିବା ପାଇଁ । ସେ ଆଗକୁ ଝୁଙ୍କିପଡ଼ି କହିଲା, ‘‘କହି ଯାଆନ୍ତୁ....’’ ।

 

ଆଗନ୍ତୁକ କହିଲେ ‘‘ସମାଜ ସେବା କୁହନ୍ତୁ ରାଜନୀତି କୁହନ୍ତୁ ସବୁ କାମପାଇଁ ଅର୍ଥ ଓ ଲୋକ ବଳର ପ୍ରୟୋଜନ, ଲୋକ ସଙ୍ଗଠନ କରିବା କାମଟି ସହଜ ନୁହେଁ ।’’

 

ଶୈବାଳର ସଂକ୍ଷିପ୍ତ ଉତ୍ତର–‘‘ମୁଁ ଆପଣଙ୍କ ସହିତ ଏକମତ ।’’

ଆଗନ୍ତୁକ କହିଲେ, ‘‘କିନ୍ତୁ ଆପଣ ସେହି ଦିଗଟିକୁ ଅବହେଳା କରୁଛନ୍ତି ।’’

‘‘ଅର୍ଥ ଅନର୍ଥର ମୂଳ ବୋଲି କୁହନ୍ତି ପଣ୍ଡିତମାନେ ।’’ କହିଲା ଶୈବାଳ ।

 

‘‘ମୂର୍ଖମାନେ କୁହନ୍ତି କହିଲେ ଭଲ ହେବ ।’’ କହିଲେ ଆଗନ୍ତୁକ । ତା’ପରେ ଯୋଗକଲେ, ‘‘ଅର୍ଥ ବିନା ଆଜିକାଲି ମାଛିଟି ବି ମରିବ ନାହିଁ । ଆପଣ ବିଚକ୍ଷଣ ବ୍ୟକ୍ତି । ଟିକେ ଦୃଷ୍ଟି ଦେଲେ ସବୁ ସୁରୁଖୁରୁରେ ହୋଇଯିବ । ଆମେ ସବୁତ ଅଛୁ ଆଦେଶ ତାଲିମ କରିବା ପାଇଁ-।’’

 

ଶୈବାଳର ତୀକ୍ଷ୍‌ଣ ଦୃଷ୍ଟି ପଡ଼ିଲା ତାଙ୍କ ମୁହଁ ଉପରେ । ଠିକ୍ ଯେପରି ସର୍ଚ୍ଚଲାଇଟ୍‌‌ ।

 

ଆଗନ୍ତୁକ କିନ୍ତୁ ପ୍ରସ୍ତୁତ ହୋଇ ଆସିଥିଲେ । ସେ ତିଳେ ମାତ୍ର ଅଶ୍ୱସ୍ତିବୋଧ ନ କରି କହିଲେ, ‘‘ଆପଣ ଆଦେଶ ଦେଲେ ବ୍ୟାଙ୍କଟିଏ ଖୋଲାଯାଇ ପାରିବ । ଦେଶର ଋଣଭାର ବଢ଼ିବା ପରି ଲୋକଙ୍କର ଋଣଭାର ମଧ୍ୟ ବଢ଼ୁଛି । ଘରଟିଏ ଲୋଡ଼ା । ପିଲାମାନେ ପାଠ ପଢ଼ିବା ପାଇଁ ଋଣ ଦରକାର । ଝିଅ ବାହାଘର ପାଇଁ, ସ୍ତ୍ରୀର ଚିକିତ୍ସା ପାଇଁ ବି ଋଣ ଦରକାର । ଏହିସବୁ ଋଣ ବ୍ୟାଙ୍କ ଯୋଗାଇଦେବ । ସେମାନେ ବ୍ୟାଙ୍କରେ ନିର୍ଦ୍ଦିଷ୍ଟ ହାରରେ ଅର୍ଥ ଜମା କରିବେ । ଆପଣଙ୍କ ହାତରେ ଟଙ୍କା ରହିବ, ସଭ୍ୟମାନଙ୍କର ସମର୍ଥନ ବା ସପୋର୍ଟ ମଧ୍ୟ ରହିବ ।’’

 

ଶୈବାଳ କହିଲା, ‘‘ଆପଣଙ୍କ କଳ୍ପନା ବିଳାସ ବେଶ୍‌ ଚମତ୍କାର.... ।

 

ଆଗନ୍ତୁକ କହିଲେ, ‘‘କଳ୍ପନା ବିଳାସ ନୁହେଁ ଏହାଠାରୁ ବଳି ବାସ୍ତବତା ଆଉକିଛି ନାହିଁ । କଣ୍ଢେଇ ନାଚ ଦେଖିଛନ୍ତି ? ସୂତ୍ରଧର ଯେମିତି ନଚାଏ କଣ୍ଢେଇମାନେ ସିମିତି ନାଚନ୍ତି । ସମସ୍ତଙ୍କର ସୂତାଖିଅ ସୂତ୍ରଧର ହାତରେ । ଏଇ ସମାଜ ବି ସେହିପରି । ସୂତା ଯାହା ହାତରେ ରହିବ ତାହାରି ଆଜ୍ଞାରେ ତାହାରି ଇଚ୍ଛାନୁସାରେ କଣ୍ଢେଇମାନଙ୍କପରି ଲୋକମାନେ ବି ନାଚିବେ ।’’

 

ମନଦେଇ ଶୁଣୁଥିଲା ଶୈବାଳ । ଲୋକଟି ଯେ ଯୁକ୍ତିଯୁକ୍ତ କଥା କହୁଛି ଏଥିରେ ସନ୍ଦେହ ନାହିଁ ।

 

ସେ କହିଲା, ‘‘ଇଏ ଦୂରୁହ ବ୍ୟାପାର । ଆମ ଦେଇ ହେବନାହିଁ ।’’

 

ଆଗନ୍ତୁକ କହିଲେ,‘‘ହେବ । ହେବ ନାହିଁ କହନ୍ତୁ ନାଇଁ । କେବଳ ଆପଣ ହଁ କଲେ ଡଙ୍ଗା ଚାଲିବ ।

 

ଶୈବାଳ କହିଲା, ‘‘ଆପଣ ଯୋଜନା ତିଆରି କରି ଆଉଦିନେ ଆସନ୍ତୁ । ମୁଁ ଏ ଭିତରେ ଭାବିନିଏ... ।’’

 

ଖୁସିହୋଇ ଆଗନ୍ତୁକ କହିଲେ, ‘‘ଆପଣ ନିଶ୍ଚୟ ଭାବିବା ଉଚିତ । ଭାବନ୍ତୁ । ମୁଁ ସାତଦିନ ପରେ ଆସିବି ପ୍ଲାନ ନେଇ । ସେଦିନ ଫାଇନାଲ କରିବେ ।’’

 

ଶୈବାଳ ଆଗନ୍ତୁକଙ୍କୁ ଗୁରୁତ୍ୱ ଦବାପାଇଁ ଚା’ ଦୁଇକପ୍‌ ମଗାଇଲା ।

 

ଆଗନ୍ତୁକ ଚା’ ପିଇ କୃତକୃତ୍ୟ ହୋଇ କହିଲେ, ଆପଣ ସାହାସୀ । ଆମ୍ୱିସସ୍‌ । ଆମ ଲୋକଙ୍କର ଉଚ୍ଚାଭିଳାଷ ନ ଥାଏ ବୋଲି ଉନ୍ନତି ହୁଏ ନାହିଁ ।’’

 

ଶୈବାଳ ନିଜ ଭିତରେ ଆଲୋଡ଼ନ ଅନୁଭବ କରୁଥିଲା । ସେ କହିଲା, ‘‘ଆମ୍ୱିସନ୍‌ହିଁ ଉଦ୍ୟମର ପିତା ।’’

 

ଆଗନ୍ତୁକ ନମସ୍କାର କରି କହିଲେ, ‘‘ଆପଣଙ୍କ ଆଗରେ ନୂତନ ଦିଗନ୍ତ । ତାହା ରାଜଧାନୀର ଦିଗ୍‌ବଳୟରେ ସୀମାବଦ୍ଧ ନୁହେଁ, ତାହା ଓଡ଼ିଶାର ଦିଗ୍‌ବଳୟକୁ ଅତିକ୍ରମ କରି ଭାରତ ଆଡ଼କୁ ପ୍ରସରି ଯାଉଛି । ମନେପକାନ୍ତୁ ଖାରବେଳ, କପିଳେନ୍ଦ୍ରଙ୍କ କଥା । ଆପଣଙ୍କ ହାତରେ ଓଡ଼ିଆ ନିଜର ସ୍ୱାର୍ଥକୁ ଟେକିଦେଇ ନାହିରେ ତେଲ ଦେଇ ନିଶ୍ଚିନ୍ତରେ ଶୋଇପାରିବ ।’’

 

ଶୈବାଳ କହିଲା, ‘‘ଆମ ଅନୁଷ୍ଠାନ ସମ୍ପର୍କରେ ଆପଣ ଚିନ୍ତା କରନ୍ତୁ । ମୋର ଯେତେବେଳେ ହିତାକାଙ୍‌କ୍ଷୀ, ଆମ ଅନୁଷ୍ଠାନ ସମ୍ପର୍କରେ ଜାଣିବା ଭଲ ।’’

 

ତା’ ମୁହଁରୁ କଥା ଛଡ଼େଇ ନେଇ କହିଲେ ଆଗନ୍ତୁକ, ‘‘ଆପଣଙ୍କୁ କହିବାକୁ ହବ ନାହିଁ । ମୁଁ ଏକ ଟଙ୍କା ଚାନ୍ଦା ଦେଇ ଆଜୀବନ ସଭ୍ୟ ହୋଇଯାଇଛି । ଏ ଅନୁଷ୍ଠାନ ଆମ ସମସ୍ତଙ୍କର । ଆପଣ ଆମର ସର୍ବୋଚ୍ଚ ନେତା । ମୋର ଆନୁଗତ୍ୟ ଅବିଭାଜ୍ୟ.... ।’’

 

ଶୈବାଳ ଖୁସିହୋଇ କହିଲା, ‘‘ଆଜି ତା’ ହେଲେ ଆସନ୍ତୁ । ପରେ ବେଶି ସମୟ ଆଲୋଚନା କରିବା ।’’

 

ଆଗନ୍ତୁକ ଚାଲିଯିବାବେଳେ ବୁଲିପଡ଼ି କହିଲେ, ‘‘ସାର୍‌, ଏଇ କାର୍ଡଟା ଆପଣଙ୍କ ପାଖରେ ଥାଉ, ଦରକାର ହେଲେ ସ୍ମରଣ କରିବେ ।’’

 

କାର୍ଡଟା ଉପରେ ଆଖି ବୁଲେଇଲା ଶୈବାଳ । ସେଥିରେ ଲେଖାଥିଲା -ଚନ୍ଦ୍ରଗୁପ୍ତ ଫାଇନାନ୍‌ସ କନ୍‌ସଲଟାଣ୍ଟ, ୧୧୧, ଷ୍ଟେସନ ରୋଡ଼,ଭୁବନେଶ୍ୱର, ଫୋନ ନମ୍ୱର-୫୦୪୫୦

 

ଚନ୍ଦ୍ରଗୁପ୍ତ ଚାଲିଯିବାପରେ ବି ବହୁ ସମୟ ଧରି ଚିନ୍ତା କରିବାପାଇଁ ମସଲା ଛାଡ଼ିଲା ଶୈବାଳ ପାଖରେ । କେତେବେଳେ ଏ ଭିତରେ ଘଡିର ଘଣ୍ଟା କଣ୍ଟାରେ ଗୋଟାଏ ବାଜିଯାଇଛି ସେ ଜାଣି ମଧ୍ୟ ପାରିଲାନାହିଁ ।

 

ରାଜଧାନୀରେ ହେମନ୍ତ ଉତ୍ସବପାଇଁ ବିପୁଳ ଆୟୋଜନ କରାଯାଉଥାଏ । ତିନିଦିନ ଧରି ଏହି ଉତ୍ସବ ପାଳନ କରିବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥାଏ । ସଂସ୍କୃତି ଓ ସାହିତ୍ୟ ସମାଜର ଅବିଚ୍ଛିନ୍ନ ସମ୍ପର୍କ । ସାଧାରଣ ଜୀବନ ମଧ୍ୟ ଏଥିସହିତ ନିବିଡ଼ଭାବେ ସମ୍ପୃକ୍ତ । ଜୀବନର ରସବୋଧପାଇଁ ଏହାର ଆବଶ୍ୟକତା ସର୍ବତ୍ର ଉପଲବ୍‌ଧି କରାଯାଏ । ସଂସ୍କୃତିର ବିସ୍ଫୋରଣ ହୋଇଛି ସ୍ୱାଧୀନୋତ୍ତର ଓଡ଼ିଶାରେ । ବର୍ଷସାରା ସାହିତ୍ୟ ଓ ସଂସ୍କୃତି ସମାରୋହ ଲାଗି ରହିଛି । ଆଗେ ଉତ୍ସବ ହେଉଥିଲା, ନାଟକ ନୃତ୍ୟ ଗୀତ ପରିବେଷଣ କରାଯାଉଥିଲା, ସାହିତ୍ୟାଲୋଚନା ବା କବିତାପାଠ ହେଉଥିଲା ଏବଂ ସେଥିରେ ବହୁ ବ୍ୟକ୍ତି ଅଶଂଗ୍ରହଣ ମଧ୍ୟ କରୁଥିଲେ, କିନ୍ତୁ ସମାଜରସ୍ୱରୂପ ବଦଳୁଥିବାରୁ ତା’ ସହିତ ତାଳ ଦେଇ ବ୍ୟକ୍ତି ଓ ଅନୁଷ୍ଠାନର ସ୍ୱରୂପ ମଧ୍ୟ ବଦଳି ଯାଉଛି । ପୂର୍ବେ ଜଣେ ସଭାପତି ସବୁ କାର୍ଯ୍ୟ ତୁଲାଉଥିଲେ । ଏବେ ଅନୁଷ୍ଠାନ ଓ ଉତ୍ସବରେ ବହୁ ଲୋକଙ୍କର ଆକର୍ଷଣ ଦରକାର ହେଉଥିବାରୁ ଉଦ୍ୟୋକ୍ତାମାନେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ପୃକ୍ତ କରୁଛନ୍ତି । ସଭାପତିଙ୍କୁ ଛାଡ଼ି, ଉତ୍ସବ ଉଦ୍‌ଘାଟନ କରିବା ପାଇଁ ଉଦଘାଟ୍‍କଙ୍କର ଆବଶ୍ୟକତା ରହିଛି । ତା’ ଛଡ଼ା ମୁଖ୍ୟ ଅତିଥି, ବିଶିଷ୍ଟ ଅତିଥି, ସମ୍ମାନିତ ଅତିଥି, ମୁଖ୍ୟବକ୍ତା, ବିଶିଷ୍ଟ ବକ୍ତା, ସମ୍ମାନିତ ବକ୍ତା ପ୍ରଭୃତିଙ୍କର ପ୍ରୟୋଜନ ବଢ଼ିବା ସଙ୍ଗେ ସଙ୍ଗେ, ସୂଚନା, ସ୍ୱାଗତ ଭାଷଣ, ଉପକ୍ରମଣିକା, ଉପସଂହାର ସଂଯୋଜନା, ଧନ୍ୟବାଦ ଅର୍ପଣ ବିଭିନ୍ନ ବ୍ୟକ୍ତି ନିଯୁକ୍ତି ହେଉଛନ୍ତି ।

 

ହେମନ୍ତ ଉତ୍ସବରେ ମଧ୍ୟ ତଦ୍ରୂପ ଆୟୋଜନ କରାଯାଇଛି । ରାଜଧାନୀକୁ ସଂସ୍କୃତିର ପ୍ରାଣକେନ୍ଦ୍ରରେ ପରିଣିତ କରିବା ନିମନ୍ତେ ସର୍ବତ୍ର ଆଲୋଚନା ଚାଲିଛି ।

 

ଶୈଳ ପଟ୍ଟନାୟକ ବିଦେଶରୁ ଫେରିବା ପରେ ବହୁବାର ସମ୍ୱର୍ଦ୍ଧିତ ହୋଇଥିଲେ ମଧ୍ୟ ତାକୁ ପୁଣିଥରେ ସମଗ୍ର ରାଜଧାନୀର ନାଗରିକମାନଙ୍କ ପକ୍ଷରୁ ହେମନ୍ତ ଉତ୍ସବରେ ସମ୍ୱର୍ଦ୍ଧନା ଦବାର ସିଦ୍ଧାନ୍ତ ଗ୍ରହଣ କରାଯାଉଛି । ଏହାବ୍ୟତୀତ କବି ସମ୍ମିଳନୀକୁ ସେ ଉଦ୍‌ଘାଟନ କରିବେ ।

 

ସହରରେ ଆଉ ସମସ୍ତ ଆଲୋଚନା ବନ୍ଦ ହୋଇଯାଇ ହେମନ୍ତ ଉତ୍ସବ ପ୍ରଧାନ ଆଲୋଚ୍ୟ ବିଷୟ ହୋଇଛି ।

 

ଶୈଳ କିନ୍ତୁ ଏହି କବିମାନଙ୍କୁ ଭୟକରେ ।

ଭାବପ୍ରବଣତାର ଅନ୍ୟ ନାମ କବିତା ।

 

ସେମାନେ କୁଆଡ଼େ ଦୂରଦର୍ଶୀ, ସୂକ୍ଷ୍ମଚେତନାର ଅଧିକାରୀ । ଅଥଚ ସେମାନଙ୍କର ସବୁ ସୃଷ୍ଟି ଏହି ସ୍ଥୂଳ ଏବଂ ଜାଗତିକ ସୃଷ୍ଟିକୁ ନେଇ ।

 

କବିଟିକୁ ନିରୀହ ବୋଲି ସେ ଭାବେ । କିନ୍ତୁ ପ୍ରତ୍ୟେକଙ୍କ ମୁହଁରେ ଓ ଆଖିରେ ଅନ୍ୟକୁ ଛୁଇଁବା ଭଳି ଏତେ ପ୍ରଲୋଭନ ଥାଏ କାହିଁକି ? ଏଇ ଛୁଆଁ ଛୁଆଁ ଭାବଟି ପରା ଭଲପାଇବା ।

 

ଭଲ ପାଇବାକୁ ଭୟକରେ ଶୈଳ । କାରଣ ଭଲ ପାଇବା ଅର୍ଥ ପ୍ରସାରଣ ନାମରେ ଗୋଟିଏ ବିନ୍ଦୁରେ ସ୍ଥିର ହୋଇଯିବା । ଜଗତକୁ ଭଲ ନ ପାଇ ଜଣକୁ ଭଲପାଇବା ।

 

କବିମାନଙ୍କର ଚେତନାରେ କେବଳ ଫୁଲ ଫୁଟେ, କୋଇଲି ଗୀତ ଗାଏ, ଆକାଶରୁ ଶିଶିର ଝରେ, ନା ସେଠାରେ ବି ଲୋକଟି ଝୁଣ୍ଟିପଡ଼େ, ହତାଶାରେ ଝାପ୍‌ସା ହୋଇ ଆସେ ତା’ର ଦୃଷ୍ଟି ଏବଂ ନିଜକୁ ବଞ୍ଚେଇବା ପାଇଁ ନିଜର ଝାଳ ଚାଖି ସେ ମନକୁ ମନ କହିଉଠେ, ଇସ୍‌ କି ଲୁଣିଆ !

 

ମେହେନତ କରୁଥିବା ଲୋକଟିପରି କିନ୍ତୁ ନିଜର ଖାଇ ନିଜର ଗୀତ ଗାଏ କବି । ପଞ୍ଝାଏ କବିଙ୍କ ମେଳରେ ସେ ବସିବ କିପରି ? କିମିତି ଲାଗିବ ତାକୁ ? ସେମାନଙ୍କର ଦୃଷ୍ଟି ତା’ ଶରୀରରେ ସଂକ୍ରାମକ ରୋଗପରି ବୋଳି ହୋଇଯିବ ନାହିଁକି ?

 

ଆଉ ମନା କରିବାର ଉପାୟ ନାହିଁ ।

ସେ ସମ୍ମତି ଦେଇସାରିଛି ।

 

ଭାରତୀୟ ସଂସ୍କୃତି ଦଳର ଜଣେ ସଭ୍ୟଭାବରେ ସେ ଯେତେବେଳେ ବିଲାତ ଯାଇଥିଲା ସେତେବେଳେ ଦଳେ ବୁଦ୍ଧିଜୀବୀ, ଲେଖକ, କଳାକାର, ଅଭିନେତା ଓ ଅଭିନେତ୍ରୀମାନଙ୍କ ସାଙ୍ଗରେ ଆଳାପ କରୁଥିବା ସମୟରେ ସାର୍‌ ମ୍ୟାନ୍‌ସଫିଲ୍‌ଡ ତା’ ପାଖକୁ ଲାଗି ଆସି କାନେ କାନେ କହିଲେ, ହ୍ୟାଲେ ମାଡାମ୍‌ ! ୟୁ ଲୁକ୍‌ ଲାଇକ୍‌ ଏ ଲାଇଟେଡ୍‌ ଲ୍ୟାମ୍ପ ।

 

ଆଉ ଜଣେ ଅତିଥି ତା’ ର ଶାଢ଼ିଟିର ଅଞ୍ଚଳକୁ ଧରି ଲୋଭିଲା ଲୋଭିଲା ଦୃଷ୍ଟିରେ ଅନେଇଲେ ଅନେକ ସମୟ । ଟିକେ ଅଶ୍ୱସ୍ତି ଲାଗୁଥାଏ ଶୈଳକୁ । ଅସୌଜନ୍ୟତା ହବ ବୋଲି ଘୁଞ୍ଚିବି ଯାଇପାରୁ ନ ଥାଏ । ତା’ର ମନର ଭାବ ସେ ବୁଝିଲେ କି କଅଣ କହିଲେ, ନୋ ନୋ ନଥିଂ ସିରିଅସ୍‌ ..... ବଟ୍‌ ୟୁ ଲୁକ୍‌ ସୋ ବିଉଚିଙ୍ଗଲି ବିଉଟିଫୁଲ ଉଇଥ୍‌ ଦିସ୍‌ କ୍ଲଥ୍‌ ।

 

ସାଂସ୍କୃତିକ ଦଳର ନେତା ସର୍ଦ୍ଦାର ଗୁରୁନାମ ସିଂ ପରେ କହିଥିଲେ ଶୈଳକୁ । କିଛି ମନେକରିବ ନାହିଁ । କବି ଓ କଳାକାରମାନେ ସେହିପରି । ସାର୍‌ ମ୍ୟାନ୍‌ସଫିଲ୍‍ଡ ଜଣେ ବିଖ୍ୟାତ କବି ଏବଂ ଅନ୍ୟ ଜଣକ ଲଣ୍ଠନ ଆର୍ଟ ଗ୍ୟାଲେରୀର ପରିଚାଳକ.... ।

 

ସେ ଦେଶର ଲୋକମାନଙ୍କର ଶୃଙ୍ଖଳା ଅଛି । ସୌନ୍ଦର୍ଯ୍ୟବୋଧ ସେଠାରେ ବାଧାପାଏ ନାହିଁ । କିନ୍ତୁ ଏଠାରେ ?

 

ସୌନ୍ଦର୍ଯ୍ୟକୁ ଦଳିମକଚି ପକେଇବା ପାଇଁ କି ବିଶୃଙ୍ଖଳା ।

 

ସଭାକୁ ଯିବାର ସମୟ ହୋଇନାହିଁ । ତରତର ହବାର କୌଣସି ଆବଶ୍ୟକତା ନାହିଁ । ସଭାକାର୍ଯ୍ୟ ସନ୍ଧ୍ୟା ସାଢ଼େ ପାଞ୍ଚଟାରେ ଆରମ୍ଭ ହେବାର କଥା, କିନ୍ତୁ କୌଣସି ସଭା ନିର୍ଦ୍ଧାରିତ ସମୟରେ ହୁଏନାହିଁ, ଏକଥା ଜାଣେ ଶୈଳ । ଆଜି ବି ହୁଏତ ସଭାକାର୍ଯ୍ୟ ଆରମ୍ଭ ସାଢ଼େ ଛଅ ବା ସାତରେ । ଚବିଶ ଘଣ୍ଟା ସମୟ ପାଶ୍ଚାତ୍ୟର ଲୋକମାନଙ୍କୁ ଅଣ୍ଟୁ ନ ଥିବାବେଳେ ଏଠାରେ ସମୟ ଅପେକ୍ଷା କରି ରହୁଛି । ସମୟ ଯେପରି ଅଚଳ ମହାମେରୁ !

 

କାର୍ଡଟିଏ ପଠେଇ ଦେଇ ଜଣେ କେହି ଅପେକ୍ଷା କରୁଛନ୍ତି ସାକ୍ଷାତ୍‍ ପାଇଁ ।

ଚାରିଟା ବାଜିଲାଣି ।

ଏ ସମୟଟା ନିର୍ଦ୍ଦିଷ୍ଟ ହୋଇ ରହିଥାଏ ଚା’ ପିଇବା ପାଇଁ ।

ଏତେବେଳେ ସାକ୍ଷାତ୍‍ ଦିଏ ନାହିଁ ଶୈଳ ।

କିନ୍ତୁ ଦୁଇଥର ସ୍ମରଣ କରାଇ ଦେଲାଣି କୃଷ୍ଣ । ବାହାରେ ଅପେକ୍ଷା କରିଛି ଲୋକଟି ।

ତାକୁ ବିଦା କରିଦେଇ ପରେ ଚା’ ପିଇବାର ସିଦ୍ଧାନ୍ତ କଲା ଶୈଳ ।

 

କୃଷ୍ଣ ଡାକି ଆଣିଲା ଭଦ୍ରଲୋକ । ଇଣ୍ଟରଭିଉକୁ ଯାଉଥିବା ପ୍ରାର୍ଥୀ ପରି ସତର୍କ ତାଙ୍କର ଦୃଷ୍ଟି ଏବଂ ଗମ୍ଭୀର ମୁଖମଣ୍ଡଳ ।

 

ଶୈଳ ଚୌକିରେ ଗୋଟିଏ ଦେଖେଇ ଦେଲା ।

 

ତାକୁ ଧନ୍ୟବାଦ ଜଣେଇ ବସିପଡ଼ି କହିଲେ, ଚନ୍ଦ୍ରଗୁପ୍ତ, ମୁଁ ବିଶେଷ କାମରେ ଆପଣଙ୍କ ପାଖକୁ ଆସିଥିଲି ।

 

କୁହନ୍ତୁ । କହିଲା ଶୈଳ ।

ଆପଣଙ୍କ ପାଇଁ ଆମ ଦେଶ ଧନୀ ।

ଧନ୍ୟବାଦ ।

 

ନଁ । କେବଳ ସେତିକି ନୁହେଁ, ଆପଣଙ୍କ ପରି ଉଚ୍ଚଶିକ୍ଷିତା ମହିଳା ଜାତୀୟ ସେବା କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିଥିବାରୁ ଜାତିର କୃତଜ୍ଞତାର ପାତ୍ରୀ !

 

ଅଶେଷ ଧନ୍ୟବାଦ ।

 

ଦେଶର ଅର୍ଦ୍ଧାଧିକ ଲୋକ ମହିଳା । କିନ୍ତୁ ସେମାନେ ଯେ ସୂପ୍ତ ନୁହଁନ୍ତି ଜାଗ୍ରତ ଏହା ପ୍ରମାଣିତ ହୋଇଛି ।

 

କିପରି ?

 

ଆପଣ ତା’ର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ । ପ୍ରଧାନମନ୍ତ୍ରୀ ଆଉ ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ।

 

ସେ କଥା ସତ । ତାଙ୍କର ଗୁଣ ଅଛି, ପ୍ରତିଭା ଅଛି... ।

 

ଆହୁରି କିଛି ...

 

ହଁ, ଲଢ଼େଇ କରିବାର ଅଦ୍ୟମ ଶକ୍ତି ବି ଅଛି ।

 

ଦୁଃଖରେ ଭାଙ୍ଗି ନ ପଡ଼ି, ସୁଖରେ ଉଲ୍ଲସିତ ନ ହୋଇ ଯିଏ କୌଣସି ଆଦର୍ଶ ପାଇଁ ଲଢ଼େଇ କରେ ସେ ସବୁକାଳରେ ସ୍ମରଣୀୟ ।

 

ମୁଁ ମୋ’ ଆଗରେ ସେହିପରି ଜଣକୁ ଦେଖୁଛି ।

 

ନା, ନା,..ମୁଁ ସାଧାରଣ ନାରୀଟିଏ... ।

 

ନିଜ ଭିତରର ସମ୍ଭାବନାକୁ ଆପଣ ଦେଖିପାରୁ ନ ଥିବା ଆଶ୍ଚର୍ଯ୍ୟ ! ଆମେ କିନ୍ତୁ ଦେଖିପାରୁଛୁ ।

 

ସତେ !

ପ୍ରତିଭାକୁ ଚିହ୍ନଟ କରିବା ଆମର କାମ ।

ଆପଣଙ୍କର ଆସିବାର ଉଦ୍ଦେଶ୍ୟ କହିଲେ ନାହିଁତ ।

ଉଦ୍ଦେଶ୍ୟ ଗୋଟିଏ–ଆପଣ ଏହି ପରିସର ମଧ୍ୟରୁ ଆହୁରି ବଡ଼ । ପରିସରକୁ ଆସନ୍ତୁ ।

ଶୁଣିବାକୁ ବେଶ୍‌ ଭଲ ଲାଗୁଛି.... ।

ଧନ୍ୟବାଦ । ମୋର ପ୍ଲାନ୍‌ଟା ନିଶ୍ଚୟ ଥିଲେ କରିବ ଆପଣଙ୍କୁ ।

କୁହନ୍ତୁ ।

 

ଆପଣଙ୍କ ଲକ୍ଷ୍ୟ ସମାଜ ସେବା । ଆହୁରି କିଛି ଲୋକ ବି ଅଛନ୍ତି ଯେଉଁମାନଙ୍କର ଲକ୍ଷ୍ୟ ସମାଜ ସେବା । କିନ୍ତୁ ସମସ୍ତଙ୍କ ମଧ୍ୟରେ ଯୋଗସୂତ୍ର ରହୁନାହିଁ ।

 

ସେଇଟା ଅଗ୍ରଗତିର ଅନ୍ତରାୟ.... ।

 

ଠିକ୍‌ କହିଛନ୍ତି ଆପଣ । କୋଅର୍ଡ଼ିନେଟେଡ଼୍‌ ପ୍ରୋଗାମ୍‌ କରିବାକୁ ହେବ । ସେଥିପାଇଁ ଆପଣଙ୍କର ପେଟ୍ରୋନେଜ୍‌ ଅତ୍ୟାବଶ୍ୟକ ।

 

କିନ୍ତୁ ଆପଣଙ୍କ ଯୋଜନାଟା କଅଣ ଫିଟାଇ କୁହନ୍ତୁ ।

 

ଆମଦେଶରେ ସବୁ କ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେ ଯୋଜନା କରାଯାଇଛି ଗୋଟିଏ କ୍ଷେତ୍ରକୁ ଛାଡ଼ି... ।

 

କଅଣ... ?

ଚରିତ୍ର ଗଠନ ପାଇଁ ଏ ଦେଶରେ କୌଣସି ଯୋଜନା ହୋଇନାହିଁ...

ସତେତ !

 

ଚରିତ୍ରର ଶକ୍ତି ଉପରେ ବ୍ୟକ୍ତିତ୍ୱ ନିର୍ଭରଶୀଳ । ଯେଉଁଠାରେ ଚରିତ୍ର ଦୁର୍ବଳ ସେଠାରେ ବ୍ୟକ୍ତି ସବଳ ହେବ କିପରି ?

 

ଭଲ କଥାଟିଏ କହିଛନ୍ତି । ଚରିତ୍ରହିଁ ବ୍ୟକ୍ତିର ସମ୍ପଦ... ।

 

ଅଥଚ ସେଇ ଚରିତ୍ର ଗଠନ କରିବା ଉପରେ କେବେବି କେହି ଗୁରୁତ୍ୱ ଆରୋପ କରୁନାହିଁ ।

 

ସେଥିପାଇଁ ଚରିତ୍ର ଠିକ୍‌ ରହୁନାହିଁ... ।

ଚରିତ୍ର ନ ଥିବା ବ୍ୟକ୍ତିଟି ଅସ୍ତିତ୍ୱ ନ ଥିବା ବ୍ୟକ୍ତିତ୍ୱ ପରି ।

ମୁଁ ଆପଣଙ୍କ ସହିତ ଏକମତ ।

ଆଜିର ସର୍ବାପେକ୍ଷା ଅଧିକ ପ୍ରୟୋଜନ ଚରିତ୍ର ନିର୍ମାଣ ।

ସନ୍ଦେହ ନାହିଁ ଏଥିରେ ।

 

ଚରିତ୍ର ଗଠନ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟିକରିବା ଏକ ଜାତୀୟ କାର୍ଯ୍ୟ । ସେଥିନିମନ୍ତେ ଶିକ୍ଷା ଦବା ମଧ୍ୟ ପ୍ରୟୋଜନ ।

 

ଏଥିପାଇଁ କାହାରି ମୁଣ୍ଡବ୍ୟଥା ନାହିଁ ।

 

ସେଥିପାଇଁ ତ ଏଇ ଦୁର୍ଦ୍ଦଶା । ଆଉ ବେଶିଦିନ ଏହାକୁ ଅବହେଳା କରାଯାଇ ନ ପାରେ... ।

 

ଏ ସମ୍ପର୍କରେ ଗୁରୁତ୍ୱର ସହିତ ଚିନ୍ତା କରିବାର ବେଳ ଆସିଛି ।

 

କିଛି କରିବାକୁ ହେବ । ସମୟ ଅତୀତ ହୋଇଯାଉଛି । ଠିକଣା ସମୟରେ କିଛି ନ କଲେ ବର୍ଣ୍ଣଶଙ୍କରଗୁଡ଼ିଏ ସୃଷ୍ଟି ହେବେ । ବର୍ଣ୍ଣଶଙ୍କରମାନେ କେବେ ରାଷ୍ଟ୍ରର ପରିଚାଳନା କରିପାରନ୍ତି ନାହିଁ ।

 

ଭଲ ବିଷୟଟି ବାଛିଚନ୍ତି ଆପଣ ।

ମୁଁ ଅକିଞ୍ଚନ ବ୍ୟକ୍ତି, ଆପଣମାନଙ୍କ ପରି ବିରାଟ ବ୍ୟକ୍ତିଙ୍କର ପେଟ୍ରୋନେଜ୍‌ ବିନା.... ।

ସାହାଯ୍ୟ, ପୃଷ୍ଠପୋଷକତାର ଅଭାବ ହେବ ନାହିଁ । ଆପଣ ଲାଗିପଡ଼ନ୍ତୁ..... ।

 

ମୁଁ ଆଜ୍ଞାବହ । ଆପଣ ବାହାରିଲେ କାର୍ଯ୍ୟ ସଫଳ ହେବ । ମୁଁ କେବଳ ଆଦେଶ ତାଲିମ କରିବି.... ।

 

କୁହନ୍ତୁ କଅଣ କରିବାକୁ ହବ?

 

ଚରିତ୍ର ଗଠନ ସମ୍ପର୍କରେ ଉପଯୁକ୍ତ ଶିକ୍ଷା ଦବାପାଇଁ ଏବଂ ଦେଶରେ ସେଥିଲାଗି ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ଗୋଟିଏ ପ୍ରତିଷ୍ଠାନ କରିବାକୁ ହେବ ।

 

ଉତ୍ତମ ପ୍ରସ୍ତାବ ।

ସେଥିରେ ବ୍ୟକ୍ତିତ୍ୱର ବିକାଶ ପାଇଁ ସକଳ ପ୍ରକାର ସୁଯୋଗ ରହିବ ।

ନିଶ୍ଚୟ ।

 

ଉପଯୁକ୍ତ ପାଠ୍ୟନିର୍ଘଣ୍ଟ ବ୍ୟତୀତ, ଶରୀର ଚର୍ଚ୍ଚା, ଖେଳ କସରତ, ଯୋଗାସନ ପ୍ରଭୃତି ସମ୍ପର୍କରେ ଶିକ୍ଷା ଦିଆଯିବ । ଚଳଚ୍ଚିତ୍ର, ରଙ୍ଗମଞ୍ଚ, ସାହିତ୍ୟ ଓ ସଂସ୍କୃତି ମାଧ୍ୟମରେ ଏଥିପାଇଁ ବ୍ୟାପକ ଶିକ୍ଷାଦାନର ବ୍ୟବସ୍ଥା କରାଯିବ । ବ୍ୟକ୍ତିର ଚରିତ୍ରରେ ସାଧୁତା ଓ ଶୃଙ୍ଖଳା ନ ଆସିଲେ ଜାତୀୟ ଚରିତ୍ରର ସ୍ଖଳନ ବନ୍ଦହେବ ନାହିଁ ।

 

ଶୃଙ୍ଖଳା ଓ ଉଦ୍ୟମଶୀଳତା ସହିତ ସୌନ୍ଦର୍ଯ୍ୟବୋଧ ଚରିତ୍ରର ମାପକାଠି... ।

 

ଗୁଣାତ୍ମକ ବିଚାର କରିବା ପାଇଁ ଆପଣଙ୍କର ଶକ୍ତି ଅଛି । ମୋର ଅନୁରୋଧ ଏପରି ଏକ ପ୍ରତିଷ୍ଠାନ ପାଇଁ ଯେଉଁ ସଙ୍ଗଠନ ଆରମ୍ଭ ହେବ ତା’ର ନେତୃତ୍ୱ ଆପଣ ନିଅନ୍ତ.... ।

 

ଶୈଳ ଭାବିବାକୁ ଲାଗିଲା ।

 

ଭଦ୍ରଲୋକଙ୍କୁ ସେ ଲଘୁବ୍ୟକ୍ତି ବୋଲି ଭାବିଥିଲା । କିନ୍ତୁ ଏପରି ଜଣେ ଲୋକ ଯଦି ଦେଶପାଇଁ ଏତେ କଥା ଭାବିପାରେ ତା’ହେଲେ ସୁଦିନ ଫେରିଆସୁଛି କହିବାକୁ ହେବ... । ଶୈଳ ସଚେତନ ହୋଇ ଉଠିଲା ।

 

ଏ ଯୁଗର ଛାତ୍ର ଘୋର ଅବହେଳାର ସଢ଼ୁଛି । ପାଠ ସହିତ ଜୀବନ ଓ ଜୀବିକା ବିର୍ବାହର କୌଣସି ନାହିଁ । ଇତିହାସ, ଭୂଗୋଳ, ଜ୍ୟାମିତି, ସାହିତ୍ୟ, ପଦାର୍ଥ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ସହିତ ଜୀବନଚର୍ଯ୍ୟାର କୌଣସି ସମ୍ପର୍କ ରହୁନାହିଁ । ସାହିତ୍ୟ ବା ଭୂଗୋଳରେ ସର୍ବୋଚ୍ଚ ଡିଗ୍ରୀ ହାସଲ କରି ଜଣେ ପ୍ରଶାସକ ବା ସେଲ୍‌ସମ୍ୟାନେଜର ହୋଇପାରେ । ପାଠ ସହିତ ଜୀବିକାର କୌଣସି ସମ୍ପର୍କ ନାହିଁ । ହଜାର ହଜାର ସଂଖ୍ୟାରେ ଝିଅମାନେ କଲେଜରୁ ଉଚ୍ଚଶିକ୍ଷା ପାଇ ଗୃହିଣୀ ହୁଅନ୍ତି । ସେମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ସେହି ଶିକ୍ଷାର କୌଣସି ପ୍ରୟୋଜନ ହୁଏ ନାହିଁ । ଗୃହ ପରିଚାଳନା, ଶିଶୁପାଳନ, ଖାଦ୍ୟପ୍ରସ୍ତୁତ ପ୍ରଣାଳୀ, ଗୃହବିଜ୍ଞାନ, ସମାଜ ବିଜ୍ଞାନ ସହିତ ସେହି ପାଠର କୌଣସି ସମ୍ପର୍କ ନାହିଁ । ଫଳରେ ବାଡ଼ି ବାଇଗଣ ଓ ପୋଥି ବାଇଗଣ ମଧ୍ୟରେ ପାର୍ଥକ୍ୟଟି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବ୍ୟକ୍ତିକୁ ଉତ୍ତମ ନାଗରିକ ବା ସଫଳ ମଣିଷଟିଏ କରିବା ପାଇଁ ଶିକ୍ଷା କୌଣସି ଅନୁକୂଳ ପରିବେଶ ବା ଶକ୍ତି ଯୋଗାଇ ଦଉନାହିଁ । ସେ କେତେକ ବଦ୍ଧମୂଳ ଧାରଣାର ଶୀକାର ହେଉଛି । କୁସଂସ୍କାର, ଅଜ୍ଞତା, ଅପାରଗତା ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଚାରିତ୍ରିକ ଶୃଙ୍ଖଳା ଏବଂ ଶକ୍ତି ତା’ପାଖରେ ନାହିଁ ।

ଶୈଳ ଯେ ଏକଥା ଭାବି ନାହିଁ ତାହା ନୁହେଁ । କିନ୍ତୁ ଏହି ଲୋକଟି ଯେପରି ସୁନ୍ଦର ଭାବରେ ଏ ବିଷୟରେ ଚିନ୍ତା କରିଛ ସେପରି ବିସ୍ତୃତ ଓ ବିଚକ୍ଷଣ ଭାବରେ ସେ କେବେ ଭାବି ନାହିଁ-

ଆଗନ୍ତୁକ କିଛି ଶୁଣିବାପାଇଁ ଆଶାନ୍ୱିତ ହୋଇ ଅନେଇଥିଲେ ତା’ ମୁହଁକୁ ।

ଶୈଳ କହିଲା, ଆପଣ ଆରମ୍ଭ କରନ୍ତୁ । ସହାନୁଭୂତି ବା ସମ୍ୱଳର ଅଭାବ ହବ ନାହିଁ ।

ଆପଣ ସମାଜ ସେବିକା । ଆପଣ ଏହାର ନେତୃତ୍ୱ ନିଅନ୍ତୁ... ।

ମୁ ରାଜି, କିନ୍ତୁ କିପରି କଅ କରିବାକୁ ହେବ ତାହା ସ୍ଥିର କରିବା ଦରକାର ।

ନିଶ୍ଚୟ । ସ୍ମିଥ୍‌ ପ୍ରସ୍ତୁତ ହୋଇ ରହିଛି ।

ଆପଣ ଆଉ କାହା ସହିତ ଏ ସମ୍ପର୍କରେ ପରାମର୍ଶ କରିଛନ୍ତି ?

ନା, ଆପଣଙ୍କ ସହିତ ପ୍ରଥମ । ଆପଣଙ୍କ ପ୍ରେରଣା ବ୍ୟତୀତ ଆଗେଇବା ଅସମ୍ଭବ ।

ଆପଣ ଆରମ୍ଭ କରନ୍ତୁ । କଅଣ କରିବାକୁ ହବ କହିବେ... ।

ଗୋଟିଏ ଟ୍ରଷ୍ଟ ଗଠନର ପ୍ରସ୍ତାବ ଅଛି ।

ସେହି ଟ୍ରଷ୍ଟ ଏହାକୁ ପରିଚାଳନା କରିବେ ?

ହଁ । ଟ୍ରଷ୍ଟ ସବୁଆଡ଼କୁ ସୁବିଧା ।

ମୁଁ ବି ସେୟା ଭାବୁଛି । ଟ୍ରଷ୍ଟରେ କିନ୍ତୁ ସମଧର୍ମୀ ବ୍ୟକ୍ତି ରହିବା ଦରକାର । ନ ହେଲେ ପରେ ଅନୁଷ୍ଠାନ ଅନ୍ତର୍ଦ୍ୱନ୍ଦ୍ୱରେ ଭାଙ୍ଗିଯିବ ।

ସେ ବିଷୟରେ ମୁଁ ମଧ୍ୟ ଅନେକ ଭାବିଛି । ଟ୍ରଷ୍ଟରେ ଗଣ୍ୟମାନ୍ୟ କେତେଜଣ ରହିବେ, ଯେଉଁମାନଙ୍କୁ ଉପରେ ଜନସାଧାରଣଙ୍କର ଆସ୍ଥା ଥିବ । କିନ୍ତୁ ଆପଣ ମ୍ୟାନେଜିଂ ଟ୍ରଷ୍ଟି ରହିବେ ।

ଆପଣ ସବୁ କାଗଜ ପ୍ରସ୍ତୁତ କରନ୍ତୁ ।

-ବିଶିଷ୍ଟ ଶିଳ୍ପପତି ବା ବଦାନ୍ୟ ଧନାଢ଼୍ୟ ବ୍ୟକ୍ତିଙ୍କର ସାହାଯ୍ୟ ଯେପରି ଆବଶ୍ୟକ, କ୍ଷମତାଶାଳୀ ବ୍ୟକ୍ତିଙ୍କର ପୃଷ୍ଠପୋଷକତା ମଧ୍ୟ ସେହିପରି ପ୍ରୟୋଜନ ।

ସେଗୁଡ଼ିକ ପ୍ରାଥମିକ ଆବଶ୍ୟକତା ।

ଚନ୍ଦ୍ରଗୁପ୍ତ ଆନ୍ତରିକ କୃତଜ୍ଞତା ଜଣାଇ ଉଠିପଡ଼ି ନମସ୍କାର କଲା ବିଦାୟ ନବାପାଇଁ ।

ଶୈଳ କହିଲା, ମୁଁ ଖୁବ୍‍ ଆନନ୍ଦିତ । ଆପଣ ସଫଳ ହେବେ ନିଶ୍ଚୟ । ଯେତେବେଳେ ଦରକାର ହେବ ଚାଲିଆସିବେ । ଆଜିଠାରୁ ତ ଆମେ ଏକ ସଂସ୍ଥାର ସଭ୍ୟ ।

କୃତକୃତ୍ୟ ହୋଇ କହିଲା ଚନ୍ଦ୍ରଗୁପ୍ତ, ମୁଁ ସବୁ ସମୟ ଦେଇ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେଇଛି ।

ଚନ୍ଦ୍ରଗୁପ୍ତ ପୁଣିଥରେ ନମସ୍କାର କରି କକ୍ଷ ମଧ୍ୟରୁ ଅଦୃଶ୍ୟ ହୋଇଗଲା ।

ତା’ର ଯିବା ପଥକୁ ଅନାଇ ରହିଲା ଶୈଳ ।

ହଠାତ୍‌ ତା’ର ମନେପଡ଼ିଲା ହେମନ୍ତ ଉତ୍ସବ କଥା ।

ହାତଘଡ଼ିକୁ ଅନେଇଲା ସେ ।

ପାଞ୍ଚଟା ବାଜି ସାରିଛି । ଜଲଦି ଚା’ କପେ ପିଇସାରି ପ୍ରସ୍ତୁତ ହବାପାଇଁ ସେ ଦ୍ରୁତ ପଦରେ ଗଲା ବାଥ୍‌ରୁମ୍‌ ଭିତରକୁ ।

କବାଟ ବନ୍ଦ କରି ନିରାଭରଣା ହୋଇ ସାଓ୍ୱାର ତଳେ ଛିଡ଼ାହୋଇ କଳଟାକୁ ଖୋଲି ଦେଲା ଶୈଳ ।

ଶୀତଦିନର ସଂଧ୍ୟାରେ ଶୀତଳ ଜଳ ଦେହରେ ପଡ଼ିବା ପରେ ବି ଉଷୁମ ଲାଗୁଥିଲା ଭିତରଟା ।

ବେଳେବେଳେ ଏହିପରି ଲାଗେ ।

ଛାଡ଼ି ଆସିଥିବା ସମୟ ଛିଡ଼ା ହୁଏ ଆଗରେ ।

ନଷ୍ଟ ସୁଯୋଗଗୁଡ଼ାକ ମନ୍ଥି ପକାଏ ମନକୁ ।

ସେ ସୁଯୋଗ ଗ୍ରହଣକରି ସମୟକୁ ବାନ୍ଧିପାରି ଥାଆନ୍ତା.... କିନ୍ତୁ କିଛି ହେଲାନାହିଁ । ସବୁ ପାଇବା ପାଇଁ ଲୋଭ କରି କିଛି ପାଇଲା ନାହିଁ ।

ବତିଶ ବର୍ଷରେ ତା’ ଜୀବନରେ ସ୍ଥାୟୀ ହୋଇ କେହି ରହିଲେ ନାହିଁ । ସୁଗମ ସଙ୍ଗୀତ ପାଇବା ପାଇଁ ସେ ସମଧର୍ମୀ ଜଣକୁ ବାଛିନେଇ ପାରିଲା ନାହିଁ ।

 

ଏବେବି ବିଳମ୍ୱ ହୋଇନାହିଁ ବୋଧହୁଏ । କିନ୍ତୁ ଅତୀତଟା ସରିଯାଇଛି ସିନା ମରିନାହିଁ-। କୁହୁଳୁଛି । କେତେବେଳେ ନିଆଁ ଜଳିଉଠିବ କିଏ କହିବ ? ସେହି ଲୋକଟା ଯଦି ତାକୁ ଖୋଜି ଖୋଜି ପହଞ୍ଚିଯାଏ ପୁଣି.... ।

 

ହଠାତ୍ ଦେହ ଓ ମନ ଭିତରର ସବୁ ଉଷ୍ମତା ଦପ୍‌କରି ଉଭେଇଗଲା ।

ଆଃ ! କି ଥଣ୍ଡା !

କଳାଟା ବନ୍ଦ କରିଦେଇ ଟାଓ୍ୱେଲରେ ଦେହକୁ ପୋଛି ନେଲା ଶୈଳ ।

 

ପ୍ରସାଧନ ଶେଷ କରି ବାହାରିବାବେଳକୁ ଘଣ୍ଟା କଣ୍ଟା ଓ ମିନିଟ୍ କଣ୍ଟା ‘ଛ୍ର’ ଉପରେ ଏକତ୍ର ହୋଇଥିଲେ ।

 

ତରତର ହୋଇ ଅପେକ୍ଷା କରୁଥିବା ଗାଡ଼ି ଭିତରକୁ ଉଠିଗଲା ଶୈଳ ।

 

ଭାଗ୍ୟକୁ ଉଦ୍ୟୋକ୍ତାମାନେ ଗାଡ଼ିଟିଏ ପଠେଇଛନ୍ତି, ନୋହିଲେ ସେ ଅପଦସ୍ଥ ହୋଇଥାଆନ୍ତା ନିଶ୍ଚୟ ।

ସଭାସ୍ଥଳରେ ପହଞ୍ଚିବାମାତ୍ରେ ଗୋଟିଏ ପ୍ରକାର ବେଶ ହୋଇଥିବା ପାଞ୍ଚଜଣ କୁମାରୀ କନ୍ୟା ଗାଇ ଉଠିଲେ, ବନ୍ଦେ ଉତ୍କଳ ଜନନୀ... ଗୁରୁ ହାସମୟୀ, ଚାରୁ ଭାଷମୟୀ, ଜନନୀ ଜନନୀ ଜନନୀ ।

‘ବ୍ୟାଙ୍କ୍ ଅଫ୍ ଉତ୍କଳ’ର ଶୁଭ ପ୍ରତିଷ୍ଠା ଦିବସରୁ ଏହି ଅଳ୍ପ କେତେ ସପ୍ତାହ ମଧ୍ୟରେ ଅଦ୍ଭୂତପୂର୍ବ ଜନସମର୍ଥନ ଓ ସହଯୋଗ ମିଳିଛି ।

ବ୍ୟାଙ୍କର ବୋର୍ଡ଼ ଅଫ ଡାଇରେକ୍ଟରରେ ପ୍ରତିଷ୍ଠିତ ବ୍ୟକ୍ତି ଅଛନ୍ତି । ବ୍ୟାଙ୍କର ସ୍ଲୋଗାନ ‘‘ସୁବିନିଯୋଗାତ୍ ସମୃଦ୍ଧି’’ ଲେଖା ହୋଇଛି ବ୍ୟାଙ୍କର ଏମ୍‌ବ୍ଲେମରେ । ଏମ୍‌ବ୍ଲେମର ଚିହ୍ନ ପଦ୍ମ । ମହାଲକ୍ଷ୍ମୀ ପଦ୍ମାଳୟା । ତାଙ୍କର ଶୁଭଦୃଷ୍ଟି ପଡ଼ିଛି ସବୁଥିରେ ।

ବ୍ୟାଙ୍କ୍‌ରେ ଆକାଉଣ୍ଟଟିଏ ଖୋଲି ଝିଅ ବାହାଘର ସକାଶେ ଋଣ ନବାପାଇଁ ଦରଖାସ୍ତଟିଏ ପକେଇଛନ୍ତି ଦୀନବନ୍ଧୁ ।

ବ୍ୟାଙ୍କର ମେନେଜର ଇନ୍ଦ୍ରଜିତ ସେନାପତି ଦୀନବନ୍ଧୁ ବାବୁଙ୍କୁ କହିଲେ, ‘‘ବ୍ୟାଙ୍କ୍ ଆପଣମାନଙ୍କର, ମୁଁ କର୍ମଚାରୀ ମାତ୍ର । କିନ୍ତୁ ଆପଣ କହନ୍ତୁତ, ଟଙ୍କା ଜମା ହବା ଆଗରୁ ଟଙ୍କା ଋଣ ଦବା କିପରି ସମ୍ଭବ ?’’

ଦୀନବନ୍ଧୁଙ୍କର ତୁଣ୍ଡ ଅଠା ଅଠା ହୋଇଗଲା ।

 

ଇନ୍ଦ୍ରଜିତ ସେନାପତି ପୁଣି କହିଲେ, ଜମା ଦେଇଯାଆନ୍ତୁ ନିୟମିତ ଭାବରେ । ଆପଣଙ୍କ ପାଳି ଯେପରି ପ୍ରଥମ ଦଫାରେ ପଡ଼େ ସେଥିପାଇଁ ମୁଁ ନିଶ୍ଚୟ ଚେଷ୍ଟା କରିବି ।

 

ଦୀନବନ୍ଧୁ ବାବୁ ସାହସ ସଞ୍ଚୟ କରି କହିଲେ, ମୋ ବଡ଼ଝିଅର ବାହାଘର । ଟଙ୍କା ନ ହେଲେ ଅଚଳ । ଆପଣତ କନ୍ୟା ପିତାମାତାଙ୍କର ଅବସ୍ଥା ଜାଣୁଥିବେ । ଡିମାଣ୍ଡ ପୂରଣ ନ କଲେ ଝିଅ ବୁଢ଼ୀ ହୋଇଯିବ କିନ୍ତୁ ବାହା ହୋଇପାରିବ ନାହିଁ ।

 

ବ୍ୟାଙ୍କ ଅଫ୍ ଉତ୍କଳର ଯୁବ ମ୍ୟାନେଜର ମୁହଁ ଉପରେ ସହାନୁଭୂତିର ଚିହ୍ନ ଖେଳାଇ କହିଲେ, ମୁଁ ଖୁବ୍ ଦୁଃଖିତ । ସହସା ଆପଣଙ୍କ ପାଇଁ କିଛି କରିପାରୁନି । କିନ୍ତୁ ମୋର ସହାନୁଭୂତି ଅଛି । ଆପଣଙ୍କ କଥା ମନେରଖିବି ।

 

ଦୀନବନ୍ଧୁ କହିଲେ, ତିଥିଗୁଡ଼ା ସବୁ ଏଇ ମାଘ, ଫଗୁଣରେ । ତା’ପରେ କ’ଣ ହେବ କିଏ ଜାଣେ ? ଯଦି ଶୀଘ୍ର ହୋଇଯାଆନ୍ତା ମୁଁ ବିଶେଷ ଉପକୃତ ହୁଅନ୍ତି ।

 

ଭରସା ରଖନ୍ତୁ, ହବ ନିଶ୍ଚୟ । ଏ ବ୍ୟାଙ୍କ ଆପଣଙ୍କର । କନ୍‌ଜ୍ୟୁମର ସ୍ୟାଟିଫ୍ୟାକ୍‌ସନ ଏହାର ନୀତି । ବ୍ୟବସାୟ ଉପଲକ୍ଷ୍ୟ ମାତ୍ର, ଜନସେବାହିଁ ଏହାର ଆଦର୍ଶ ।

 

ଦୀନବନ୍ଧୁ ବାବୁ ଅନେକ କଥା କହିବା ପାଇଁ ଆସିଥିଲେ, ଆଉ କିଛି ମନେପଡ଼ୁନାହିଁ । ଲାଗୁଛି ଯେପରି ସବୁ ପାସୋରି ପକେଇଲେ । ତଥାପି ସେ ଆଉ ଥରେ ନିବେଦନ କଲେ, ମୋ କଥା ସ୍ୱତନ୍ତ୍ରଭାବେ ବିଚାର କରିବେ ସାର୍, ମୁଁ ବଡ଼ ଦୁଃଖୀ ।

 

ମ୍ୟାନେଜର ସେତେବେଳକୁ ଅନ୍ୟବ୍ୟକ୍ତି ସହିତ କାର୍ଯ୍ୟବ୍ୟସ୍ତ । ଦୀନବନ୍ଧୁ ବାବୁଙ୍କର ସମୟ ଶେଷ ହୋଇଛି । ସେ ଉପେକ୍ଷିତ ବ୍ୟକ୍ତି ପରି ଧୀରେ ଧୀରେ ବାହାରି ଆସିଲେ । ଜନପଥ ଉପରେ ପାଦ ଦବାକ୍ଷଣି ନିଜକୁ ଅସହାୟ ମନେକଲେ ଦୀନବନ୍ଧୁ ।

 

ରାଜଧାନୀରେ ଚାକିରି ଆରମ୍ଭରୁ ଅଛନ୍ତି । ଯେତେବେଳେ ଲୋକେ ଏଠାକୁ ଆସିବାକୁ ତିଳେ ହେଲେ ରାଜି ହେଉ ନ ଥିଲେ, ସେତେବେଳୁ ସେ ରହିଆସିଛନ୍ତି ଏଇ ସହରରେ । ଏଇ ସହରଟା ତାଙ୍କୁ ପର କରି ଦେଲେବି ସେ ତାକୁ ଆପଣାର ବୋଲି ଭାବନ୍ତି । ଦୁଃଖରେ ସୁଖରେ ଏଇ ସହରର ଆକାଶକୁ ଅନାନ୍ତି, ଏହାର ରାସ୍ତା ଉପରର ଜନସ୍ରୋତକୁ ଲକ୍ଷ୍ୟ କରନ୍ତି, ରାଜଧାନୀର ଆଲୋକ ଓ ଅନ୍ଧକାରକୁ ଉପଭୋଗ କରନ୍ତି । ଏଇ ସହର ସିନା ତାଙ୍କୁ ଗ୍ରହଣ କରିନାହିଁ, ସେ କିନ୍ତୁ ତାକୁ ଗ୍ରହଣ କରି ନେଇଛନ୍ତି ସେଇ ପ୍ରଥମ ଆସିବା ଦିନୁ ।

 

ଲୋକସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ରାଜଧାନୀ ବି ବଢ଼ୁଛି । ବଢ଼ୁଛି ସରକାରୀ, ବେସରକାରୀ ସଂସ୍ଥାମାନଙ୍କର ସଂଖ୍ୟା । ବଢ଼ୁଛନ୍ତି ଅଫିସର ଓ କର୍ମଚାରୀ ଗୋଷ୍ଠୀ । ବଢ଼ୁଛି ଗାଡ଼ି, ଘୋଡ଼ା, ହୋଟେଲ ଓ ଦୋକାନ ବଜାର ।

 

କିନ୍ତୁ ଏଇ ବଢ଼ିବାଟା କୃତ୍ରିମ, ଖାପଛଡ଼ା ଲାଗେ ଦୀନବନ୍ଧୁଙ୍କୁ । ଚିହ୍ନାଲୋକମାନେ ଅଚିହ୍ନା ହୋଇଯାଉଛନ୍ତି । ତାଙ୍କରି ଆଗରେ ମଣିଷ ହେଇ ପ୍ରଶାସକ ହୋଇଥିବା ଲୋକେ ତାଙ୍କୁ ଦେଖିଲେ ଆଉ ଚିହ୍ନିପାରୁ ନାହାଁନ୍ତି । ସେଦିନ ତ ଦୀନବନ୍ଧୁ ବାବୁ ବେଶ୍‍ ଅପଦସ୍ତ ହୋଇଗଲେ ।

 

ସେ ଯାଇଥିଲେ କଚେରୀକୁ ଗୋଟିଏ କାମରେ । ସେକେଣ୍ଡ ଅଫିସରଙ୍କ ପାଖରେ ଜମିଜମା ସଂକ୍ରାନ୍ତୀୟ କାମ । ତାଙ୍କ ଚେମ୍ବର ଭିତରକୁ ପଶିବା ଆଗରୁ ବାହାରେ ଝୁଲୁଥିବା ପଟାରେ ତାଙ୍କର ନାମ ପଢ଼ି ଚମକି ପଡ଼ିଥିଲେ ଦୀନବନ୍ଧୁ ବାବୁ । ଶ୍ରୀ ନୟନ କିଶୋର ଷଡ଼ଙ୍ଗୀ, ଏମ୍‌. ଏ., ଓ. ଏ. ଏସ୍. ।

 

ତାଙ୍କର ସେହି ପ୍ରାକ୍ତନ ପ୍ରିୟଶିଷ୍ୟ ନୟନ, ଯିଏ କ୍ଲାସରେ ଫାଷ୍ଟ ହେଉଥିଲା । ଦୁଷ୍ଟାମି ବି ଖୁବ୍ କରୁଥିଲା। କେତେଥର ତାକୁ ବାଡ଼ିର ପିଜୁଳି ଦେଇ ନ ଥିବେ ସେ । ଛାତ୍ର ତ ! ଭଲ ଛାତ୍ର ସହିତ ଶିକ୍ଷକଙ୍କର ସମ୍ପର୍କଟି ସନ୍ତାନଠାରୁ ବି ଅତି ନିବିଡ଼ । ଭିତରକୁ ଯିବାକୁ ଅଡ୍‌ରଲି ତାଙ୍କୁ ବାରଣ କଲା । ଅଫିସରଙ୍କୁ ଦେଖା କରିବା ସହଜ ନୁହେଁ । ନାମ ଠିକଣା ଲେଖିଦିଅ । ମର୍ଜି ହେଲେ ଡାକିବେ । ନାମ ଠିକଣା ଲେଖିଦେଲେ ଦୀନବନ୍ଧୁ । ଅଡର୍ଲିକୁ ଟଙ୍କାଟିଏ ବି ଦେଲେ ପାନ ଖାଇବା ପାଇଁ ଏବଂ କହିଲେ, ସେ ମୋର ପ୍ରାକ୍ତନ ଛାତ୍ର, ମୋ ନାମ ଶୁଣିବାମାତ୍ରେ ଡାକି ପଠାଇବେ ।

 

ଅଡର୍ଲି କିନ୍ତୁ ବେପରୁଆ ହସ ହସିଲା ଟିକେ । ସେ ଅନେକ ଗୁରୁଛାତ୍ରଙ୍କୁ ଦେଖିଛି । ଛାତ୍ରମାନେ ଆରୁଣୀ ନୁହଁନ୍ତି ଯେ ଗୁରୁଙ୍କ ମନଲାଖି ଦକ୍ଷିଣା ଦେଇଦେବେ !

 

ତଥାପି ଜିଦ୍ କରି ଶେଷରେ ପଶିଗଲେ ଦୀନବନ୍ଧୁ ବାବୁ ।

ନୟନ କିଶୋର ମୁହଁ ନ ଟେକି କହିଲେ, କିଏ ?

 

ତାଙ୍କର ପ୍ରିୟଛାତ୍ର ଆଜି ସେକେଣ୍ଡେ ଅଫିସର, କାଲି ସେ ହେବ ଏସ୍‌.ଡି.ଓ., ପଅରିଦିନ ଏ.ଡି.ଏମ୍ ।

 

ଗଦଗଦ ହୋଇ ଆଶୀର୍ବାଦ କରିବା ଭଙ୍ଗୀରେ ହେତଟେକି କହିଲେ ଦୀନବନ୍ଧୁ, ତୁମକୁ ଏଇ ଚୌକିରେ ଦେଖି ମନ ଖୁସିରେ ଭାସି ଯାଉଛି ନୟନ । ଈଶ୍ୱରଙ୍କ ଆଶୀର୍ବାଦ ଥାଉ, ତୁମେ ଆହୁରି ବଡ଼ ହୁଅ ।

 

ପେସ୍‌କାରଙ୍କୁ କହିଲେ ନୟନ କିଶୋର, ତାଙ୍କୁ ପରେ ଆସିବା ପାଇଁ କୁହ, ମୁଁ ବର୍ତ୍ତମାନ କାର୍ଯ୍ୟବ୍ୟସ୍ତ ।

 

ଦୀନବନ୍ଧୁ ବାବୁ ବାହାରକୁ ଚାଲିଆସିଲେ କିନ୍ତୁ କହିଲେ ଅଡର୍ଲିକୁ, ହଁ ହଁ, ବ୍ୟସ୍ତ ରହିବା ସ୍ୱାଭାବିକ । ଏତେବଡ଼ ଅଫିସର, ସେ କଅଣ ବସିଥାଆନ୍ତେ ଗପିବାପାଇଁ ।

 

ଦୀନବନ୍ଧୁ ବାବୁ କଚେରୀ ପିଣ୍ଡାରୁ ଓହ୍ଲେଇ ଗଲାବେଳେ ଆଖିକୋଣରୁ କୁଞ୍ଚ କାନିରେ ପୋଛି ଦେଇ ମନକୁ ମନ କହିଥିଲେ-ପୃଥିବୀ ଅନେକ ବଦଳି ଯାଇଛି ! ନୟନ ଯେ ବଦଳି ନ ଥିବ କିଏ କହିବ !

 

ଆଜି ସେଇ କଥା ମନେପଡ଼ିଲା ଦୀନବନ୍ଧୁ ବାବୁଙ୍କର ।

 

ଚିହ୍ନା ଲୋକ ବି ଅଚିହ୍ନା ହୋଇ ଯାଉଛନ୍ତି ଏଇ ସହରରେ । ଯିଏ ଅତି ଆପଣାର ପରି ମନେହେଉଥିଲା, ସେ ଚାଲିଯାଉଛି ଦୂରକୁ । ନିକଟତ୍ୱର ଏତେ କାରୁଣ୍ୟ ସେ ଆଉକେବେ ଦେଖି ନ ଥିଲେ । ନ ହେଲେ ନୟନ କିଶୋର ପରି ତାଙ୍କର ପୂର୍ବତନ ଆଉଜଣେ ପ୍ରିୟଛାତ୍ର ସୁଶାନ୍ତ ରାୟ ବିଧାନସଭାର ସଭ୍ୟ ହେବା ପରେ ତାଙ୍କୁ ଚିହ୍ନି ପାରି ନ ଥାନ୍ତେ ! ହାୟ ! ଶିକ୍ଷକଙ୍କୁ ବୋଧହୁଏ ଚିହ୍ନିପାରନ୍ତି ନାହିଁ ବଡ଼ ହେଉଥିବା ଶିଷ୍ୟମାନେ ।

 

ଦୀନବନ୍ଧୁ ଆଜି ସ୍କୁଲକୁ ବିଳମ୍ବରେ ଯିବେ ବୋଲି କହି ଆସିଥିଲେ ।

 

ବ୍ୟାଙ୍କ୍‌ରେ କିଛି କାମ ହେଲା ନାହିଁ । ସେବାର ବାହାଘର ତା’ହେଲେ ପୁଣି ଘୁଞ୍ଚିବ । ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ।

 

ସେବାର ମୁହଁକୁ ଚାହିଁଦେଲେ ହାଲୁକ ଶୁଖିଯାଏ ଦୀନବନ୍ଧୁଙ୍କର । ଝିଅମାନଙ୍କୁ ବିଭା ଦବାପାଇଁ ତ୍ୟାଗ କରିବାକୁ ହେବ । ଯାହା ଦରମା ପାଆନ୍ତି ତାହା ନିଅଣ୍ଟ ହେଲେ ମଧ୍ୟ ସେଥିରୁ ପଚାଶ ଟଙ୍କା ପ୍ରତିମାସ ଜମା କରିବାପାଇଁ ଆକାଉଣ୍ଟ ଖୋଲିଛନ୍ତି ଦୀନବନ୍ଧୁ । ଇମିତି କେତେ ଲୋକ ଆକାଉଣ୍ଟ ଖୋଲିଥିବେ । ସୁବିନିଯୋଗାତ୍ ସମୃଦ୍ଧି । କଥାଟି ଭଲ ଶୁଭୁଛି କାନକୁ । ଇମିତି ଅଳ୍ପ ଅଳ୍ପ ସଞ୍ଚୟ ଟଙ୍କା ମିଶି ତ ବେଶୀ ହବ। ସେଥିରୁ ଋଣ ନେଇ ସେ ବି ଝିଅର ବାହାଘର କରିବେ, ଆଉ କିଏ ପୁଅର ପାଠ ପଢ଼େଇବ ତ ଅନ୍ୟ କେହି ସ୍ତ୍ରୀକୁ ବଡ଼ ଡାକ୍ତରଖାନାରେ ଭର୍ତ୍ତିକରି ପୁରୁଣା ଦୁରାରୋଗ୍ୟ ବ୍ୟାଧିର ଚିକିତ୍ସା ପାଇଁ ବ୍ୟବସ୍ଥା କରିବ । ଜମା ଟଙ୍କା ଦିନେ ଗୋଟେ ମୋଟା ଅଙ୍କରେ ପରିଣତ ହେବ । ସେବାକୁ ବିଭାଦେବେ । ବଡ଼ଝିଅ ସେବାର ବିବାହ ପାଇଁ ଋଣ ମିଳିବ ଏବଂ ଖର୍ଚ୍ଚରୁ କାଟି ଋଣ ପରିଶୋଧ କରିଦେବେ ।

 

ଏ ଯାଏ ଏଭଳି ଏକ ସଂସ୍ଥା କାହିଁକି ଯେ ଓଡ଼ିଆମାନେ ଆଗରୁ ପ୍ରତିଷ୍ଠା କରି ନ ଥିଲେ ତାହା ଭାବି ଆଶ୍ଚର୍ଯ୍ୟ ହୁଅନ୍ତି ଦୀନବନ୍ଧୁ ।

 

ଭବିଷ୍ୟତ ପାଇଁ ସଞ୍ଚୟ କରିବା ସହିତ ପିଲାଙ୍କ ପଛରେ ହେଉଥିବା ଖର୍ଚ୍ଚକୁ ତୁଳନା କରାଯାଇପାରେ । ବାପ ମା’ କଷ୍ଟ ସ୍ୱୀକାର କରି ଯାହା ଖର୍ଚ୍ଚ କରନ୍ତି ପୁଅ ଝିଅମାନଙ୍କ ଶିକ୍ଷା ପାଇଁ ତାହା ଜମା ହୁଏ ସଞ୍ଚୟ ଘରେ ।

 

ହାୟରେ ଦୁର୍ଭାଗା ଦେଶ ! ଏଇ ସରଳ ସତ୍ୟଟି ବୁଝିବା ସତ୍ତ୍ୱେ ବି ଏ ଦେଶର ଅଗଣିତ ପିତାମାତା ପୁତ୍ରକନ୍ୟାଙ୍କ ପାଇଁ ନିଜ ଭାଗରୁ କମେଇ କିଛି ସଞ୍ଚୟ କରିପାରନ୍ତି ନାହିଁ । ଯାହା ଉପାର୍ଜନ କରନ୍ତି ସେତକ ଚଳିବା ପାଇଁ ବି ଯଥେଷ୍ଟ ନୁହେଁ, ଉଦ୍‌ବୃତ୍ତ ରହିବ କେଉଁଠୁ ?

 

ଦୀନବନ୍ଧୁ ଯଥାସାଧ୍ୟ ପିଲାଙ୍କ ପଛରେ ଖର୍ଚ୍ଚ କରନ୍ତି । ସୁଧମୂଳ ହିସାବ କରି ଶେଷରେ ବ୍ୟାଙ୍କ ଯେପରି ସଞ୍ଚିତ ଅର୍ଥକୁ ଫେରାଇ ଦିଏ, ପିଲାମାନେ ମଣିଷ ହେଲେ ଖର୍ଚ୍ଚ ଅପେକ୍ଷା ଫେରି ଆସିବ ଅନେକ ବେଶି । ପିଲାଙ୍କୁ ମଣିଷ କରିବାରେ ଯାହା ଖର୍ଚ୍ଚ ହୁଏ ସେଟାକୁ ଖର୍ଚ୍ଚ ତାଲିକାରେ ନ ଲେଖି ଇନ୍‍ଭେଷ୍ଟମେଣ୍ଟ୍‍ ତାଲିକାରେ ଲେଖନ୍ତି ସେ ।

 

ଦୀନବନ୍ଧୁ ସ୍କୁଲକୁ ଆସି ପହଞ୍ଚିବାବେଳକୁ ପ୍ରାୟ ବାରଟା ବାଜି ଯାଇଥିଲା ।

 

ସେ ଆସିବାବେଳକୁ ସ୍କୁଲରେ ଛାତ୍ରଛାତ୍ରୀ ବା ଶିକ୍ଷକ କାହାକୁ ନ ଦେଖି ଆଶ୍ଚର୍ଯ୍ୟ ହେଲେ ।

 

ପାଖଘରର ପଡ଼ୋଶୀ କହିଲେ, ଇନିସ୍‌ପେକ୍ଟର ହଠାତ୍ ସ୍କୁଲ ପରିଦର୍ଶନ କରିସାରି ଆଜି ଦିନର ଅବଶିଷ୍ଟ ସମୟ ପାଇଁ ଛୁଟି ମଞ୍ଜୁର କଲେ ।

 

ଦୀନବନ୍ଧୁ ବାବୁ ଆକାଶରୁ ପଡ଼ିଲେ ଯେପରି ।

 

ଇନିସ୍‍ପେକ୍ଟର ଦୟାନିଧି ଗୋସ୍ୱାମୀ ପରମ ବୈଷ୍ଣବ ହେଲେ ମଧ୍ୟ ତାଙ୍କୁ କୌଣସି କାରଣ ନ ଥାଇ ସହ୍ୟ କରିପାରନ୍ତି ନାହିଁ । ସେ ଅନୁପସ୍ଥିତ ଥିବା ସମୟରେ ସ୍କୁଲ ପରିଦର୍ଶନ କରି ସ୍କୁଲକୁ ଛୁଟି କରିଦେବା ଆହୁରି ବିଚିତ୍ର ଘଟଣା । କାରଣ ସେ ଛୁଟି ଦବାର ଘୋର ବିରୋଧୀ ।

 

ଦୀନବନ୍ଧୁ ବାବୁଙ୍କର ମୁହଁ ଉପରେ କିଏ ଯେପରି କଳାକନା ବୁଲାଇ ଦେଲା ।

ଶୀତଦିନ ସତ୍ତ୍ୱେ ସେ ଝାଳେଇ ଗଲେ ।

ପଡ଼ୋଶୀ କହିଲେ, କାହାର ମାଘ ମାସ ଆଉ କାହାର ସର୍ବନାଶ !

 

ଏହି ଅବସରରେ ଏହାର ଅର୍ଥ ବୁଝି ନ ପାରି ଅବାକ୍ ହୋଇ ଅନାଇ ରହିଲେ ଦୀନବନ୍ଧୁ ମିଶ୍ରେ ।

 

ସେ ହୁଏତ ଆହୁରି କିଛି ସମୟ ଏହିପରି ଶୂନ୍ୟକୁ ଚାହିଁ ଛିଡ଼ା ହୋଇଥାନ୍ତେ, କିନ୍ତୁ ଗୋଟେ ବୁଲାଷଣ୍ଢ ତାଙ୍କୁ ଦେହରେ ଘସି ହୋଇ ଚାଲିଗଲା । ଦୀନବନ୍ଧୁ ବାବୁ ପଡ଼ିଯିବା ଆଗରୁ ଭାରସାମ୍ୟ ରକ୍ଷ୍ୟାକରି ଛିଡ଼ା ହୋଇଗଲେ ।

 

ଆଜି ସକାଳେ କାହା ମୁହଁ ଚାହିଁ ଉଠିଥିଲେ କେଜାଣି ଦିନଟା କିଛି ଭଲ ଯାଉନାହିଁ ।

 

ଏବେ ତାଙ୍କର ମନେପଡ଼ିଲା ସକାଳ କଥା । ସେ ଉଠିକରି ମୁହଁ ଧୋଇ ଗୁହାଳକୁ ଗାଈ ଦୁହିଁବା ପାଇଁ ଯିବାବେଳେ ପଡ଼ିଶା ଘରର ଅର୍ଜ୍ଜୁନ ବାବୁଙ୍କୁ ଦେଖିଥିଲେ ।

 

ଅର୍ଜ୍ଜୁନବାବୁ କାଳୀଭକ୍ତ । ଲାଲ ସିନ୍ଦୂର ଟୋପା ସଦା ଝଟକୁଥାଏ କପାଳ ଉପରେ । ପବିତ୍ର ପବିତ୍ର ଭାବ । ମୁହଁରେ ତାନ୍ତ୍ରିକର ଦମ୍ଭ ।

 

ଅଥଚ ସେଇ ଅର୍ଜ୍ଜୁନ ବାବୁଙ୍କ ଦେଖି ଆଜି ଗୋଟିକ ପରେ ଗୋଟିଏ କାର୍ଯ୍ୟରେ ଅପଦସ୍ତ ହେଉଛନ୍ତି ଦୀନବନ୍ଧୁ ।

 

ସ୍କୁଲ ହତା ଭିତରେ ଗତବର୍ଷ ବର୍ଷାଦିନେ ଲଗେଇଥିବା ଆମ୍ବ ଗଛଟି ବଢ଼ିବାରେ ଲାଗିଛି । ଆଉ ଚାରି ପାଞ୍ଚଟା ବର୍ଷରେ ଗଛରେ ବଉଳ ଆସିବ, ତା’ପରେ ଫଳ । ଫଳନ୍ତି ଗଛ ପରି ଏଇ ଛାତ୍ରଛାତ୍ରୀମାନେ । ପାଣି ପବନ ଆଲୋକ ପାଇ ମୃର୍ତ୍ତିକାରୁ ରସ ସଞ୍ଚୟ କରି ବଢ଼ୁଥିବା ଗଛଟିପରି ଏଇ ଛାତ୍ରଛାତ୍ରୀମାନେ ବି ବଢ଼ନ୍ତି । ବିଦ୍ୟା ଅର୍ଜ୍ଜନ, ଶୃଙ୍ଖଳା, କର୍ତ୍ତବ୍ୟନିଷ୍ଠା ଉତ୍ତର ଜୀବନରେ ସେମାନଙ୍କୁ କରେ ସଫଳ ମଣିଷ ।

 

ଦୀନବନ୍ଧୁ ଫୁଲଗଛ ମୂଳରେ ଉଠିଥିବା କେତୋଟି ଘାସକୁ ଉପାଡ଼ି ଦେଲେ, ଶୁଖିଯାଇଥିବା ଗୋଟିଏ ଶୁଖିଲା ପତ୍ରକୁ ଉଠେଇ ନେଲେ ଏବଂ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ଅନେଇଲେ ।

 

ସର୍ବତ୍ର ଫୁଲ ଓ ଫଳନ୍ତି ଗଛଦ୍ୱାରା ପୂର୍ଣ୍ଣ ହୋଇ ଉଠନ୍ତା କି ?

 

ଦୀନବନ୍ଧୁ ଘରେ ପହଞ୍ଚିବାବେଳକୁ ଦୁଇଟା ପାଖାପାଖି । ଏଡ଼େଶୀଘ୍ର ତାଙ୍କର ଫେରିବା କଥା ନୁହେଁ ବୋଲି ତାଙ୍କୁ କେହି ଅପେକ୍ଷା ନ କରିବାର କଥା । ଏଇ ସମୟଟା ସଭୁଦ୍ରାଙ୍କର ବିଶ୍ରାମର ସମୟ । ସେ ସବୁ କାମସାରି ଗଡ଼ି ପଡ଼ନ୍ତି ଟିକେ । ଆହା ! ଆଜି ବୋଧହୁଏ ସେତକ ବି ସମ୍ଭବ ହେବ ନାହିଁ ।

 

କିନ୍ତୁ ଘରେ ପାଦଦେଇ ଯାହା ଦେଖିଲେ ଦୀନବନ୍ଧୁ ସେଥିରେ ତାଙ୍କର ହାଲୁକା ଶୁଖିଗଲା ।

 

ଘର ପିଣ୍ଡାରେ ବସି ଥାଆନ୍ତି ସୁଭଦ୍ରା । ମୁହଁରେ କ୍ଲାନ୍ତି ଏବଂ ବିଷର୍ଣ୍ଣତା । ତାଙ୍କର ବୋବା ପୁଅ ପ୍ରଶାନ୍ତ ଏପାଖ ସେପାଖ ହଉଥିଲା । ବଡ଼ଝିଅ ସେବା କାନ୍ଦୁଥିଲା ।

 

ଦୀନବନ୍ଧୁ ପହଞ୍ଚିବାକ୍ଷଣି ସୁଭ୍ରଦା ରାଗରେ ଫାଟି ପଡ଼ି କହିଲେ, ତୁମରି ଯୋଗୁ ଏପରି ହେଲା... । ତୁମେ ଫୁଲେଇଥିଲେ ତାକୁ । ତୁମରି ଆଦର ପାଇ ସାହସ ବଢ଼ିଯାଇଥିଲା ସୁଷାର ।

 

କିଛି ବୁଝିପାରୁ ନ ଥାନ୍ତି ଦୀନବନ୍ଧୁ ।

 

ପ୍ରବୀର ହାତ ହଲେଇ କଅଣ ସୂଚନା ଦେଲା । ଦୀନବନ୍ଧୁ ବାହାରକୁ ଚାହିଁଲେ କିନ୍ତୁ କାହାକୁ ଦେଖିଲେ ନାହିଁ । ସେବା ପାଖକୁ ଯାଇ କହିଲେ, ‘‘କଅଣ ହୋଇଛି ମା’, ସୁଷା ତୋତେ ଗାଳି ଦେଇଛି ?’’

 

ଦୁଇ ଭଉଣୀ ବେଳେ ବେଳେ ଝଗଡ଼ା କରନ୍ତି । ସେବା ହାରିଯାଏ ଶୁଶ୍ରୂଷା ପାଖରେ । ଆଜି ବି ସେହିପରି କିଛି ଗୋଟେ ଅଘଟଣ ଘଟିଥିବା ବୋଲି ଭାବୁଥିଲେ ସେ ।

 

କିନ୍ତୁ ତାଙ୍କୁ ଅବାକ୍ କରିଦେଇ କହିଲେ ସୁଭଦ୍ରା, ସୁଷା ଘର ଛାଡ଼ି ପଳେଇଛି । କାହା ସାଙ୍ଗରେ ଯାଇଛି କିଏ ଜାଣେ ? କିନ୍ତୁ ରାଜଧାନୀରେ ଆଉ ନାହିଁ... । ଛି ଛି କଅଣ ହବ ଏଇନେ... କୁଳର କଳଙ୍କିନୀ.... ।

 

କୋହରେ ଭାଙ୍ଗି ପଡ଼ିଲେ ସୁଭଦ୍ରା ।

ସ୍ତବ୍‌ଧ ହୋଇ ଶୁଷ୍କଦାରୁ ପରି ଛିଡ଼ା ହୋଇଥିଲେ ଦୀନବନ୍ଧୁ ।

 

କିନ୍ତୁ ଶୀଘ୍ର ନିଜକୁ ସଜାଡ଼ି ନେଇ କହିଲେ ସେ, ଚୁପ୍ ଚୁପ୍ ଦାଣ୍ଡଟା.... ଭିତରକୁ ଚାଲ ଲୋକେ ଶୁଣିଲେ କଅଣ କହିବେ !

 

ସୁଭଦ୍ରା କାନ୍ଦି କାନ୍ଦି କହିଲେ, ଲୋକେ କ’ଣ ଜାଣି ନ ଥିବେ ଯେ... ସେ ବାଜା ବଜେଇ ଦେଇଛି.... ।

 

ଦୀନବନ୍ଧୁ ସ୍ତ୍ରୀଙ୍କୁ ଧରି ଘର ଭିତରକୁ ଚାଲିଗଲେ । ପଛେ ପଛେ ଗଲେ ସେବା ଏବଂ ପ୍ରଶାନ୍ତ ।

 

କବାଟ କିଳି ଦେଲେ ଦୀନବନ୍ଧୁ ।

 

ତା’ପରେ ସ୍ତ୍ରୀଙ୍କୁ କହିଲେ, ତୁମେ ଧୈର୍ଯ୍ୟଧର । ଯେପରି କିଛି ହୋଇନାହିଁ, ସେହିପରି ଛଳନା କରି କାମ କରିଯାଅ । ସେବା ଭାଇ ଭଉଣୀଙ୍କ କଥା ବୁଝୁ । ଘରୁ ଯେପରି ଏ ଖବର ବାହାରକୁ ନଯାଏ । ମୁଁ ଏଇନେ ବାହାରୁଛି । ସିଲେଇ ସ୍କୁଲ, ବିଉଟି ପରଲୋର, ଷ୍ଟୁଡ଼ିଓ, ରେଳଷ୍ଟେସନ ସବୁ ଜାଗା ବୁଲି ଆସେ । ଯଦି ଭଗବାନ ସଦୟ ହୁଅନ୍ତି ସୁନାଝିଅ ଘରକୁ ଫେରି ଆସିବ । ମୋର ବିଶ୍ୱାସ ସେପରି କିଛି ମନ୍ଦ କାମ ସେ କରିବ ନାହିଁ ।

 

ମଣିଷର କେତେ ବିଶ୍ୱାସ, କେତେ ଧାରଣା ! ସେଇ ବିଶ୍ୱାସ କିନ୍ତୁ ଭାଙ୍ଗିଯାଏ, ସେଇ ଧାରଣା ଗୁଡ଼ା ମିଥ୍ୟା ପ୍ରମାଣିତ ହୁଏ । ଆଉ କେତେବେଳେ ବିଶ୍ୱାସ ଫେରିଆସେ ଅଜଣା ଗଛର ଫୁଲ ପରି, ଅଜଣା ପକ୍ଷୀର ଗୀତ ପରି ।

 

ବିଶ୍ୱାସ ବିନା ବଞ୍ଚିପାରେନି ମଣିଷ । ସେଥିପାଇଁ ଭଗବାନଙ୍କୁ ବିଶ୍ୱାସ କରି ତାଙ୍କରି ପାଖରେ ମାନ ଅଭିମାନ, ହାରି ଗୁହାରି ସବୁ କରେ । ପାପପୁଣ୍ୟ ସବୁ ତାଙ୍କରି ଜିମା ଦେଇ ନିଜେ ସୁଖୀ ହେବାର ସ୍ୱପ୍ନ ଦେଖେ ।

 

ଦୀନବନ୍ଧୁ ପୁଣି କହିଲେ, ପାଖ ପଡ଼ୋଶୀ କେହି ଯେପରି ନ ଜାଣନ୍ତି । କେହି ପଚାରିଲେ କହିବ, ମାମୁଁ ଘରକୁ ଯାଇଛି... ଫେରି ଆସିବ କେତୁଟା ଦିନରେ ।

 

ସୁଭଦ୍ରା ଆଖି ପୋଛି କହିଲେ, ମୁଁ ଯାହା ଏସବୁ ଦେଖିବା ପାଇଁ ବଞ୍ଚିଛି ! ମୋତେ ଟିକେ ଜହର ଦେଇ ଯାଇଥାନ୍ତା ଯଦି ଦୁଃଖ ନ ଥାନ୍ତା ଏତେ... । ମୁଁ କିନ୍ତୁ ପଡ଼ିରହିଛି ସବୁ ଦେଖିବା ପାଇଁ, ସହିବା ପାଇଁ... ।

 

ଦୀନବନ୍ଧୁ କହିଲେ, ବିପଦ ସମୟରେ ଅଧୈର୍ଯ୍ୟ ହେଲେ ଚଳିବ ? ଶାନ୍ତ ହୁଅ, ଧୈର୍ଯ୍ୟଧର । କିଛି ହୋଇନାହିଁ । ଏପରି ଭାବକରି ଘରର ସବୁକାମ କରିଯାଅ ।

 

ସୁଭଦ୍ରା କହିଲେ, ସାଇରେ ଟୁପ୍‌ଟାପ୍ ହେଉଥିବେ । ସୁଷା ଆଉ କାହା ସାଙ୍ଗରେ ଷ୍ଟେସନକୁ ଯିବାର ଦେଖି ଆସିଥିଲା ରମେଇ । ତାହାରି ମୁହଁରୁ ଶୁଣିବା କଥା... ।

 

ରମେଇ ଅର୍ଜ୍ଜୁନ ବାବୁଙ୍କ ପୁଅ । ମ୍ୟାଟ୍ରିକ ଫେଲ ହୋଇ ଫୁଟବଲ ଖେଳୁଛି । ରାଜଧାନୀର ଭଲ ଖେଳବାଡ୍‍ ଭାବରେ ନାମ ଅଛି ତା’ର । ଚରିତ୍ର ଭଲ ନୁହେଁ । ସେ ଯେ ଶୂଶ୍ରୁଷା ଉପରେ ଆଖି ରଖିଛି ଏହା ଅନେକ ଆଗରୁ ଜାଣିଥିଲେ ଦୀନବନ୍ଧୁ । ସ୍ତ୍ରୀଙ୍କୁ ମଧ୍ୟ ସାବଧାନ କରେଇ ଦେଇଥିଲେ । ସେଇ ରମେଇ ଯେତେବେଳେ ଖବରଟା ଦେଇଛି ହୁଏତ ପ୍ରତିହିଂସା ନବାପାଇଁ କହିଥିବ କଥାଟା... ।

 

ରମେଇର ମୁହଁ ବନ୍ଦ ନ କଲେ ଏଇନେ ପ୍ରଚାର କରିଦବ । କେବଳ ସାହିରେ ନୁହେଁ, ରାଜଧାନୀରେ ସେ ଆଉ ମୁଣ୍ଡଟେକି ଚାଲିପାରିବେ ନାହିଁ ।

 

ରମେଇ ପାଖକୁ ପ୍ରଥମେ ଚାଲିଲେ ଦୀନବନ୍ଧୁ ।

 

ବେଶି ଦୂର ଯିବାକୁ ପଡ଼ିଲା ନାହିଁ । କ୍ଲବ୍ ଘର ଆଗରେ ଦେଖା ହୋଇଗଲା ତା’ ସହିତ-

 

ରମେଇ ବି ତାଙ୍କର ପ୍ରାକ୍ତନ ଛାତ୍ର । ତାଙ୍କୁ ଭୟ ଭକ୍ତି ବି କରେ ।

ରମେଇ ତାଙ୍କୁ ଜୁହାର କରି କହିଲା, କିଛି ଚିନ୍ତା କରୁନ୍ତୁନି ସାର୍, ମୁଁ ଖୋଜି ଆଣିବି ।

 

ଦୀନବନ୍ଧୁ ଜିଭକୁ ଭିଜେଇ ଶୁଷ୍କ କଣ୍ଠରେ କହିଲେ, ‘‘ତୁମେ ସବୁ ଥାଉ ଥାଉ ମୁଁ ପରୁଆ କରେନି ରମେଇ । ତା’ ମାମୁଁଘରୁ କିଏ ସବୁ ଆସିଥିଲେ, ହୁଏତ ସେମାନଙ୍କ ସାଙ୍ଗରେ ଚାଲି ଯାଇଥିବ ।’’

 

ରମେଇ ଏଇ ନୂଆ ଖାରଟା ପାଇ ଖୁସି ହୋଇ କହିଲା, ‘‘ସିମିତି କିଛି ହୋଇଥିବ ବୋଲି ମୁଁ ଭାବୁଥିଲି ସାର୍ । ଆମ ସାଇର ନାମ ଅଛି । ଏଠାକୁ ଆସି ଆମକୁ ଅପଦସ୍ଥ କଲେ ଗୋଡ଼ ଭାଙ୍ଗି ଦେବିନି !’’

 

ରମେଇ କିଛି ଅତିଶୟୋକ୍ତି କରୁନାହିଁ । ସାଇର ଟୋକାମାନଙ୍କର ନେତା ସେ । ବୁଦ୍ଧେଶ୍ୱରୀ ଅଞ୍ଚଳରେ ବାହାରର କେହି କିଛି କଲେ ରମେଇ ତାକୁ ଶାସ୍ତି ଦବାକୁ ପଛାଏ ନାହିଁ ।

 

ଦୀନବନ୍ଧୁ କହିଲେ, ‘‘ତୁ ଟିକେ ନଜର ଦବୁ, ଯେପରି ଏଇ ସାମାନ୍ୟ ଘରୋଇ ବ୍ୟାପାର ନେଇ କେହି ଗୁଜବ ସୃଷ୍ଟି ନ କରେ ।’’

 

ରମେଇ ପ୍ରତିଶ୍ରୁତି ଦେଇ କହିଲା, ‘‘ଆପଣଙ୍କ ଆଜ୍ଞା ମୁଁ ଅମାନ୍ୟ କରିବି ସାର୍ ! ଆପଣ ଶୁଣିବେନି କଅଣ କରୁଛି ମୁଁ.. ।’’

 

ଦୀନବନ୍ଧୁ ମନରେ ଟିକେ ଦମ୍ଭ ବାନ୍ଧି ଫେରିଆସିଲେ ଘରକୁ । କିନ୍ତୁ ଫେରିଆସିବାବେଳକୁ ପ୍ରଳୟ ଯେପରି ଅପେକ୍ଷା କରିଥିଲା ।

 

ସୁଭଦ୍ରା ତାଙ୍କ ହାତକୁ ଚିଠି ଖଣ୍ଡେ ବଢ଼େଇ ଦେଇ କହିଲେ, ତାହାରି ହାତ ଲେଖା । ଲୁଚେଇବା ପାଇଁ ଆଉ ଚେଷ୍ଟା କରି ଲାଭନାହିଁ ।

 

ଦୀନବନ୍ଧୁ ମୂଳରୁ ଶେଷ ପର୍ଯ୍ୟନ୍ତ ପଚିଗଲେ ଚିଠିଟାକୁ ଏକା ନିଶ୍ୱାସରେ ।

 

ଶୁଶ୍ରୂଷା ଏ ଯୁଗର ଝିଅ । ଯଥୋଚିତ କାର୍ଯ୍ୟ କରିଛି । ପିତାଙ୍କର ଅକ୍ଷମତା କଥା ଜଣା ତାକୁ । ସେ ଯେ ବରର ଦାବି ପୂର୍ଣ୍ଣ କରିପାରିବେ ନାହିଁ, ଏଥିରେ ସନ୍ଦେହ ନାହିଁ । ବାହା ନ ହୋଇ ଆଜୀବନ ଚିରକୁମାରୀ ରହିବ ନାହିଁ ଯେତେବେଳେ ଶୁଶ୍ରୂଷା ନିଜର ପଥ ବାଛି ନେଇଛି । ସେ ରେଜେଷ୍ଟ୍ରି ବିବାହ କରିଛି ସମରେଶ ସହିତ । ସମରେଶ ସାମଲ ।

 

ଦୀବନ୍ଧୁଙ୍କ ଥରିଲା ହାତରୁ ଖସି ପଡ଼ିଲା ଚିଠିଟି । ତାହାରି ସହିତ ତଳେପଡ଼ି ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲା ଏ ଯାଏ ଆକାଶରେ ତିଆରି କରିଥିବା ତାସଘର । ତାହାରି ସହିତ କେତେ କଳ୍ପନା, ବିଶ୍ୱାସ ଏବଂ ଦୃଷ୍ଟିଭଙ୍ଗୀ ଭୁଶୁଡ଼ି ପଡ଼ିଲା ବାଲିଘର ପରି ।

 

ସୁଭଦ୍ରାଙ୍କୁ କଅଣ ବୁଝେଇବା ଦୀନବନ୍ଧୁ, ସୁଭଦ୍ରା ତାଙ୍କୁ ଧରିପକେଇ ନ ଥିଲେ ସେ କାଟିଲା ଗଛପରି ପଡ଼ିଯାଇଥାନ୍ତେ ।

 

‘ଅଭ୍ୟୁଦୟ ସମାଜ’ ପକ୍ଷରୁ ଆହୁତ ପ୍ରଥମ ସାଧାରଣ ସଭାର ଆଶାତିରିକ୍ତ ଫଳ ଦେଖି ସନ୍ତୋଷରେ ବସି ପଡ଼ି ଗୋଟିଏ ସିଗାରେଟ୍‍ ଧରାଇଲା ଶୈବାଳ ।

 

ଆଗେ ସେ କଦବା କେବେ ସିଗାରେଟ୍ ଖାଉଥିଲା । ଏବେ କାର୍ଯ୍ୟବ୍ୟସ୍ତତା ସହିତ ସିଗାରେଟ୍ ବ୍ୟବହାର ବି ବଢ଼ିଛି । ପାସିଂ ସୋ ଜାଗାରେ ଗୋଲଡ଼୍‌ଫ୍ଲେକ୍ ବ୍ୟବହାର କରୁଛି । ବେଳେବେଳେ ଇଣ୍ଡିଆକିଂ ବା ଷ୍ଟେଟ୍ ଏକ୍‌ସପ୍ରେସ୍ ।

 

ଅଭ୍ୟୁଦୟ ସମାଜର ପ୍ରଥମ ସାଧାରଣ ସଭାରେ ମୁଖ୍ୟବକ୍ତା ଭାବରେ ନିଜର ତଥା ସଙ୍ଗଠନର ଆଦର୍ଶ ଓ ଲକ୍ଷ୍ୟ ସମ୍ପର୍କରେ ବିଶ୍ଲେଷଣ କରି ଜନସାଧାରଣଙ୍କୁ କହିଥିଲା ଶୈବାଳ-

 

ଅନେକ ପ୍ରତିଶ୍ରୁତି ଦିଆହୋଇଛି । କିନ୍ତୁ କୌଣସିଟିକୁ ପୂର୍ଣ୍ଣ କରାଯାଇ ନାହିଁ । ସେଥିପାଇଁ ସାମାଜିକ ଜୀବନରେ ଯେଉଁ ଚେତନା, ଜାତୀୟ ଜୀବନରେ ଯେଉଁ ନିଷ୍ଠା ଏବଂ ବ୍ୟକ୍ତିଗତ ଜୀବନରେ ଯେଉଁ ଶୃଙ୍ଖଳା ପ୍ରକାଶ ପାଇବାର କଥା ତାହା ଦୁଷ୍ପ୍ରାପ୍ୟ ଏ ଯୁଗରେ । ପ୍ରତିଶ୍ରୁତି ଶୁଣି ଶୁଣି ଲୋକେ କ୍ଳାନ୍ତ, ଆଉ ପ୍ରତିଶ୍ରୁତି ଶୁଣିବାକୁ କାହାରି ଧୈର୍ଯ୍ୟ ନାହିଁ । ତେଣୁ ଆଦର୍ଶ, ନୀତି ଓ ନିୟମ ଲଙ୍ଘନ କରିବାର ଇଚ୍ଛା ପ୍ରବଳ ହେଉଛି, ଲଙ୍ଘନ କରାଯାଉଛି ମଧ୍ୟ । ଏହାକୁ ରୋକି ହେବ ନାହିଁ । ସମାଜର ଦୁଇତୃତୀୟାଂଶ ଲୋକ ଦାରିଦ୍ର୍ୟର ସୀମାରେଖା ତଳେ ସଢ଼ୁଥିବେ ଏହା ଆଉ ସହ୍ୟ କରାଯିବ ନାହିଁ । ସମ୍ପଦ ବୃଦ୍ଧି ସହିତ ତାହାର ସୁଷମ ବଣ୍ଟନ ବ୍ୟବସ୍ଥା ମଧ୍ୟ ହବା ପ୍ରୟୋଜନ । ସମାଜରେ ଦେଖାଯାଇଥିବା ଅର୍ଥନୈତିକ ଅନୈକ୍ୟ, ସାମାଜିକ ବିଶୃଙ୍ଖଳା ଏବଂ ନୈତିକ ଅଧପତନକୁ ରୋକିବାଲାଗି ଦୃଢ଼ ଆତ୍ମପ୍ରତ୍ୟୟ, ଉଦ୍ୟମଶୀଳତା ଓ ନିର୍ମଳ ଦୂରଦୃଷ୍ଟି ଆବଶ୍ୟକ । ଅଭ୍ୟୁଦୟ ସମାଜ ଏପରି ପରିବେଶ ଯୋଗାଇ ଦବାପାଇଁ ସଚେଷ୍ଟ ହେବ । ଲକ୍ଷ୍ୟ ହାସଲ ନ ହବା ପର୍ଯ୍ୟନ୍ତ ଉଠ, ଜାଗ, ବରଲାଭ ହେବା ପର୍ଯ୍ୟନ୍ତ ଆଗେଇ ଚାଲ ।

 

Unknown

ଏହାହିଁ ଅଷ୍ଟମ ଦଶକର ପ୍ରଥମ ଓ ଶେଷ ପ୍ରତିଶ୍ରୁତି । ଏହି ପ୍ରତିଶ୍ରୁତି ପୂର୍ଣ୍ଣ କରିବାପାଇଁ ଆମେ ଅଙ୍ଗୀକାରବଦ୍ଧ ।

 

ଆଶାତୀତ ଆଗ୍ରହ ଦେଖାଉଛନ୍ତି ଜନସାଧାରଣ । ଅନେକ ବିଫଳତା ପରେ ସଫଳତା ଆସିବ ଏଥର । ଅନେକ ପରାଜୟ ପରେ ବିଜୟ ହେବା ତ ସ୍ୱାଭାବିକ କଥା । ଅତୀତର ପ୍ରତିଶ୍ରୁତି ଗୁଡ଼ା ପୋତି ହୋଇଯାଇଛି, ତା’ ଉପରେ ଉଠୁଛି ଆଗାମୀର ଫଳନ୍ତି ବୃକ୍ଷଟିଏ । ସେଇ ବୃକ୍ଷ ମୂଳରେ ପାଣି ଦବ ଶୈବାଳ, ବୃକ୍ଷ ମୂଳର ମାଟି ଉଖାରି ଦେଇ ହାଲୁକା କରିଦବ । ମାଟି ହାଲୁକା ହେଲେ ବୃକ୍ଷ ବଢ଼ିବ ଉପରକୁ ଉପରକୁ ।

 

ଶୈବାଳ ମହାପାତ୍ର ଆଉ ପଛରେ ଆଉ କାହାରି ପତାକା ଧରି ଚାଲୁ ନାହିଁ, ଅନ୍ୟର ମାର୍‍ଫତ କାମକରୁ ନାହିଁ, ତାର ନିଜସ୍ୱ ପତାକା ଅଛି, ଅଛି ନିଜସ୍ୱ ଠିକଣା । ସେ ଏକା ଚାଲୁ ନାହିଁ, ତା’ ପଛରେ ଲୋକ ଅଛନ୍ତି ।

 

ସେଥିପାଇଁ ଆଜି ସେ ଏକା ନୁହେଁ ।

ସେ କୌଣସି ସରକାରୀ ଚାକିରି ନ କରି ମଧ୍ୟ ଆକର୍ଷଣର କେନ୍ଦ୍ର ।

 

ଏକା ଏକା ବସିଲାବେଳେ ସେଇ ଚିଠିଖଣ୍ଡିକ ପଢ଼େ ଶୈବାଳ । ଏ ଭିତରେ ଅନେକଥର ପଢ଼ି ସାରିଲାଣି । ତଥାପି ରଖିଛି ପାଖରେ । ସୁବିଧାକରି ପଢ଼ିବ ଆଉ କେତେଥର ।

 

ସେଇ ଛୋଟ ଚିଠିଟିର ଲେଖିକା କିଏ ସେ ଜାଣେ ନାହିଁ, କିନ୍ତୁ ସେ ହୃଦୟରେ ଯେଉଁ ସ୍ପନ୍ଦନ ସୃଷ୍ଟି କରିଛି ତାହା ଆଉ ବନ୍ଦ ହେଉନାହିଁ, ବଢ଼ି ବଢ଼ି ଚାଲିଛି ।

 

ଆଉଥରେ ଚିଠିଟାକୁ ପଢ଼ିଲା ଶୈବାଳ । ପ୍ରାଣରେ ପ୍ରବଳ ଇଚ୍ଛା ହୁଏ ଜାଣିବାକୁ ସେହି ଲେଖିକା ସମ୍ପର୍କରେ । ନିକଟରେ ଥାଇ ବି ସେ ଦୂରରେ, ହାତ ପାହାନ୍ତରେ ଥାଇ ମଧ୍ୟ ପଦ୍ମ ପରି ଘୁଞ୍ଚି ଘୁଞ୍ଚି ଯାଉଛି ।

 

ସେଇ ଲେଖିକା ଦିନେ ଯେ ଆସିବ ଏଥିରେ ନିସନ୍ଦେହ ହୁଏ ଶୈବାଳ ।

 

ବ୍ୟାଙ୍କ୍ ଅଫ୍ ଉତ୍କଳ ବେଶ୍ ନାମ କରିଛି ଏ ଭିତରେ । ବ୍ୟାଙ୍କ ସହିତ କାରବାର କରିବାପାଇଁ ଧାଡ଼ି ଲଗେଇଛନ୍ତି ଲୋକେ । ବ୍ୟାଙ୍କ୍‌ର ବିଶ୍ୱାସଯୋଗ୍ୟତା ଯେ ଜନସାଧାରଣଙ୍କର ତା’ ଉପରେ ବଢ଼ୁଥିବା ଶ୍ରଦ୍ଧା ଓ ବିଶ୍ୱାସ ଉପରେ ନିର୍ଭରଶୀଳ ଏହା ସେ ଜାଣେ । ଅର୍ଥର ସୁବିନିଯୋଗ ଉପରେ କେବଳ ସମୃଦ୍ଧି ନିର୍ଭର କରେ ନାହିଁ; ଯେଉଁ ଉପାର୍ଜନ କରାଯାଏ ସେହି ଅର୍ଥ ମଧ୍ୟ ସୁଚିନ୍ତିତ ପନ୍ଥାରେ ଖର୍ଚ୍ଚ ହେବା ଉଚିତ । ବ୍ୟାଙ୍କ୍‌ର ପରିଚାଳନା ହାତକୁ ଆସିବା ପରେ ଗୋଟିଏ ସ୍ଥାୟୀ ଉପାର୍ଜନର ବ୍ୟବସ୍ଥା ହୋଇଯାଇଛି, ଏଥିପାଇଁ ଆଉ ଭାବିବାକୁ ହୁଏ ନାହିଁ ।

 

ଅର୍ଥହିଁ ଏ ଯୁଗର ପରମାର୍ଥ ।

ଚନ୍ଦ୍ରଗୁପ୍ତର କଥାର ସାରମର୍ମ ବଡ଼ ସୁନ୍ଦର ।

 

ସେଇ ଲୋକଟା ଯଦି ତା’ ପାଖକୁ ସେହି ଶୁଭକ୍ଷଣରେ ଆସି ନ ଥାନ୍ତା ତା’ହେଲେ ସବୁ ସମ୍ଭାବନା ଥାଇ ମଧ୍ୟ ସେ ହାତଗୋଡ଼ ଗୋଟେଇ ବସିଥାଆନ୍ତା ଅନ୍ୟର ଦାନ ପହଞ୍ଚିବା ପର୍ଯ୍ୟନ୍ତ ।

 

ଟେଲିଫୋନ୍ ବାଜି ଉଠିଲା ।

ରିସିଭର୍‌ଟାକୁ ହାତରେ ଉଠେଇ ନେଲା ଶୈବାଳ ।

‘‘ହ୍ୟାଲୋ...ହଁ । ମୁଁ ଶୈବାଳ ମହାପାତ୍ର କହୁଛି ।’’

‘ଆପଣ ଚିହ୍ନିପାରୁଛନ୍ତି ?’

‘‘ଆପଣଙ୍କୁ ଦେଖିଥିବାର ସ୍ମରଣ ହଉନି, ସେଥିପାଇଁ ଦୁଃଖିତ ।’’

‘‘ତଥାପି କହିଯାଆନ୍ତୁ ଯାହା କହିବାର କଥା... ।’’

‘‘ମୋ ଚିଠି ପାଇଥିବେ ନିଶ୍ଚୟ ।’’

‘‘ଆପଣଙ୍କ ଚିଠି ? କୋଉ ଚିଠି କହିଲେ ?’’

 

‘‘ଆପଣଙ୍କ ଭାଷଣ ଶୁଣିବାପରେ ଏଇ ଅଳ୍ପଦିନ ଆଗରୁ ଆପଣଙ୍କୁ ଲେଖିଥିଲି ଚିଠିଟା-

 

ଓ ! ହଁ ହଁ, ସେ ଚିଠି ପାଇଛି କେତେଦିନ ପୂର୍ବରୁ ।

ଆପଣଙ୍କ ଚିଠିବୋଲି କେମିତି ଜାଣିବି କୁହନ୍ତୁତ !

କେମିତି ଲାଗିଲା ?

 

‘‘ବେଶ୍ ଭଲ ଲାଗିଲା ଚିଠିଟା ପଢ଼ି । ମୋ ବିଷୟରେ ଅନ୍ୟ କେହିବି ଭାବେ ଏହା ଜାଣିଲେ ଭଲ ଲାଗିବନି ?’’

 

‘‘ଅନେକ ଧନ୍ୟବାଦ ! ଆପଣମାନେ ବଡ଼ଲୋକ । ସର୍ବଦା ବିରଳ ।’’

 

‘‘କିନ୍ତୁ ଆପଣଙ୍କ ସହିତ ସାକ୍ଷାତ୍‍ କେବେ ହବ ? ଟେଲିଫୋନ୍‌ରେ ତ ସବୁ କଥା କହି ହୁଏନା ।’’

 

‘‘ଆପଣ ସମୟ ଦେଇପାରିବେ ?’’

 

‘‘ହଁ, ମୁଁ ଅପେକ୍ଷା କରିବି । ଆପଣଙ୍କୁ ନିମନ୍ତ୍ରଣ ରହିଲା ମୋ ସାଙ୍ଗରେ ହୋଟେଲ କୋଣାର୍କରେ ଡିନାର ଖାଇବେ... ରାଜି ?’’

 

‘‘ରାଜି, କିନ୍ତୁ ମୋ ସ୍ୱର ଆଗରୁ କେବେ ଓ କେଉଁଠି ଶୁଣିଚନ୍ତି କହିଲନି ଯେ... ।’’

 

‘‘ଏ ଭିତରେ ମୁଁ ସ୍ମରଣ କରିବି କେଉଁଠି ଶୁଣିଛି ଏ ସ୍ୱର... କେଉଁଠି କେବେ ଦେଖିଛି ଆପଣଙ୍କୁ... । କିନ୍ତୁ ଏତେ ନିଟକରେ ଥାଇବି ଆପଣ ଚିଠି ଲେଖନ୍ତି, ଚାଲି ଆସନ୍ତିନି କାହିଁକି ? ସାକ୍ଷାତ୍‌ରେ କଥାଭାଷା ହେବାର ବିକଳ୍ପ ଯେ କଦାପି ଚିଠିଦ୍ୱାରା ହୁଏ ନାହିଁ, ଏହା ନିଶ୍ଚୟ ସ୍ୱୀକାର କରିବେ ।’’

 

‘‘ଆପଣ ପୁରୁଷ, ମୁଁ ନାରୀ । ଆପଣଙ୍କର ସ୍ୱାଧୀନତା ମୋର ନାହିଁ । ତଥାପି ଆପଣ ଯଦି ମନେରଖନ୍ତି ସେଇ ଯଥେଷ୍ଟ । ହଁ, ଆମର ସମ୍ପର୍କ ଗୋପନ ରହେ ଯେପରି ।’’

 

‘‘ହଁ, ଆପଣଙ୍କ କଥା ମନେରଖିବି । ଏ ସବୁ ଗୋପନୀୟ ରଖିବା ଯଦି ଆପଣଙ୍କର ଇଚ୍ଛା ମୋର ସେଥିରେ ଆପତ୍ତ କରିବାର କ’ଣ ଥାଇପାରେ ? ସମ୍ପର୍କ ସବୁବେଳେ ବ୍ୟକ୍ତିଗତ । ବ୍ୟକ୍ତିଗତ କଥାକୁ ସାଧାରଣ ସମ୍ପତ୍ତି କରିବାର ପକ୍ଷପାତୀ ମୁଁ ନୁହେଁ ।

 

‘‘ଆପଣଙ୍କ ଉଦାରତା ପାଇଁ ଧନ୍ୟବାଦ ଜଣାଉଛି ।’’

‘‘ଧନ୍ୟବାଦ, ଆସିବେ ନିଶ୍ଚୟ... ।’’

 

କଥାଭାଷା ଶେଷ ହୋଇଗଲେ ବି କିଛି ସମୟ ରସିଭରଟାକୁ ହାତରେ ଧରି ରଖିଲା ଶୈବାଳ । ମନେହେଉଥିଲା ଏଇ କଥାଭାଷା ସମାପ୍ତ ନ ହୋଇ ଅନନ୍ତକାଳ ଯାଏ ଚାଲୁ ଥାଆନ୍ତା କି-!

 

ଚିଠିଟି ପରି ସେଇ ସ୍ୱର ବି ଖୁବ୍‌ ମଧୁର ଆଉ ସଂକ୍ଷିପ୍ତ । ଆଉ ଚାପା ଚାପା ଖିଲି ଖିଲି ହସ । ଟେଲିଫୋନଟା ନୂଆହୋଇ ଲାଗିଛି । ଯଦି ନ ଥାନ୍ତା ତାହେଲେ ସଂଯୋଗ ରକ୍ଷା କରିବା କେଡ଼େ କଷ୍ଟକର ହୋଇଥାଆନ୍ତା ସତରେ ! ଯେଉଁଠି ଦେଖା କରିବାରେ ବାଧା ଅଛି ବା ଅୟମାରମ୍ଭ ମୁହାଁମୁହିଁ କରିବାକୁ ସଂକୋଚ ହୁଏ ମନରେ, ସେଠାରେ ଟେଲିଫୋନ୍‌ରେ ସହଜରେ କହିହୁଏ ନିଜର ମନକଥା ।

 

ଟେଲିଫୋନ୍‍ହିଁ ସମ୍ପର୍କର ଅନ୍ୟ ଏକ ମାଧ୍ୟମ ।

 

ସେହି ପତ୍ରଲେଖିକା ତଥାପି ନାମ ଗୋପନ ରଖିଲା । ଠିକଣା ବି ପ୍ରକାଶ କଲାନି । ନିଜେ ଯେପରି ରହସ୍ୟାବୃତ ହୋଇ ରହିବାକୁ ପସନ୍ଦ କରେ ସେ ।

 

ସେଇ ରହସ୍ୟମୟୀ ନାରୀକୁ ଦେଖିବାପାଇଁ ପ୍ରବଳ ବାସନା ହେଲା ଶୈବାଳର ।

 

ରାତ୍ରି ଭୋଜନକୁ ସେ ତାକୁ ନିମନ୍ତ୍ରଣ କରିଛି । ହୋଟେଲ କୋଣାର୍କର ସ୍ୱଳ୍ପଲୋକିତ ମନୋଜ୍ଞ ନିଭୃତ ପରିବେଶରେ ସେ ଭେଟିବ ତାକୁ । ସେ ପର୍ଯ୍ୟନ୍ତ ପରିଚୟ, ଠିକଣା ସବୁ ଅପେକ୍ଷାକରୁ ବୋଲି କହିଦେଇ କିମିତି ଖିଲିଖିଲି କରି ହସିଉଠିଲା ସେ । ଦେହରେ ଏବେବି ଲାଗି ରହିଛି ରୋମାଞ୍ଚ । ପ୍ରାପ୍ତିର ଉଲ୍ଲାସ ଭରି ଦେଇଛି ମନକୁ ।

 

ଶୈବାଳ ସେଇ ଚିଠିଟାକୁ ବ୍ରିଫ୍‍କେଶ୍ ଭିତରୁ ବାହାର କରି ପୁଣି ଆଉଥରେ ପଢ଼ିଲା ।

 

ଲେଖିକା ବୁଦ୍ଧିମତୀ । ଦକ୍ଷତା ନ ଥିଲେ ଏପରି ସୁନ୍ଦର କଥାଭାଷା କରିବା ସମ୍ଭବ ନୁହେଁ-। ରୁଚି ଅଛି ନିଶ୍ଚୟ । ସବୁକୁ ନେଇ ବ୍ୟକ୍ତିତ୍ୱ । ଯିଏ ସୁନ୍ଦର ତା’ର କଥାଭାଷା, ରୁଚି ଅଭିରୁଚି ସବୁ ସୁନ୍ଦର ।

 

ମନ ଚଞ୍ଚଳ ହେଉଛି ଶୈବାଳର । ସଂଧ୍ୟା ହବାକୁ ଏତେ ଡେରି ! ଆହୁରି ତିନିଘଣ୍ଟା ହାତରେ । ଏଇ ଦୀର୍ଘ ସମୟ ସେ କିପରି ଅତିବାହିତ କରିବ ଏକା ଏକା ଏଇ ନିର୍ଜୀବ କୋଠରୀ ଭିତରେ ?

 

ଚନ୍ଦ୍ରଗୁପ୍ତ ପାଞ୍ଚଟା ସମୟରେ ଆସିବା କଥା ।

ତା’ ଆଗରୁ କିନ୍ତୁ ଆସିଲେ ଦୀନବନ୍ଧୁ ମାଷ୍ଟ୍ରେ ।

 

ଦୀନବନ୍ଧୁ ମାଷ୍ଟରଙ୍କୁ ଶୈବାଳ ଯେ ଚିହ୍ନେ ନାହିଁ ଏପରି ନୁହେଁ । ଥରେ ଅଧେ ଦେଖିଛି । ଖୁବ୍ ଭଦ୍ର । ଖୁବ୍ ନିରୀହ । ରାଜଧାନୀରେ ତାଙ୍କର ନାମ ଅଛି ଭଲ ମାଷ୍ଟର ଭାବରେ ।

 

ଦୀନବନ୍ଧୁ ବାବୁ ଛିଡ଼ାହୋଇ ରହିଥିଲେ ।

ତାଙ୍କୁ ଚୌକୀରେ ବସିବାକୁ କହିଲା ଶୈବାଳ ।

ତା’ପରେ ସେ ଆରମ୍ଭ କଲା, କୁହନ୍ତୁ, କ’ଣ କରିପାରିବି ?

 

ଦୀନବନ୍ଧୁ ଢୋକ ଗିଳି ମଥା ଉପରେ ହାତ ବୁଲେଇ ଆଣି ଗଳା ସଫା କରି କହିଲେ, ମୁଁ ଆପଣଙ୍କ ବ୍ୟାଙ୍କ୍‌ରେ ଆକାଉଣ୍ଟ ଖୋଲିଛି ।

 

‘ଦି ବ୍ୟାଙ୍କ୍‌ ଅଫ୍ ଉତ୍କଳରେ ?’

ଆଜ୍ଞା !

 

ସେତ ଆପଣମାନଙ୍କର ବ୍ୟାଙ୍କ୍ । ମୁଁ ନିମତ୍ତ ମାତ୍ର ! ଆପଣ ବେଶ୍ ବୁଦ୍ଧିମାନର କାମ କରିଛନ୍ତି ।

 

କିନ୍ତୁ ସାମାନ୍ୟ ଶିକ୍ଷକ । ସଞ୍ଚୟ ଖୁବ୍ ଅଳ୍ପ ।

 

ସେଇ ଅଳ୍ପ ବଢ଼ି ବଢ଼ି ଅନେକ ହୁଏ । କେତେ ନଦୀର ପାଣି ଏବଂ କେତେ ବର୍ଷାର ମିଶି ସମୁଦ୍ର । ଆପଣ କେବଳ ଜଣେ କଷ୍ଟମର ନୁହନ୍ତି, ପେଟ୍ରୋନ୍ ମଧ୍ୟ...... ଆପଣ ପୃଷ୍ଠପୋଷକ-

 

ଆପଣଙ୍କ ପରି ଉଦୀୟମାନ ଯୁବକ ଯୋଉଠି ହାତ ଦେବେ, ସେଠାରେ ସଫଳତା ନିଶ୍ଚିତ ।

 

ଆପଣ ଏଇକଥା ଅନ୍ୟମାନଙ୍କୁ କୁହନ୍ତୁ । କାରଣ ଲୋକମାନେ ବୁଝନ୍ତୁ, ଜାଣନ୍ତୁ । ମୁଁ ଦେଶସେବା କରିବାକୁ ବାହାରିଛି, ନିଜକୁ ପୁଷ୍ଟ କରିବା ପାଇଁ ନୁହେଁ । ମୋର ବିଦ୍ୟା ବୁଦ୍ଧି ଯାହା, ମୁଁ ବି ଏତେବେଳକୁ କୌଣସି ସରକାରୀ ଦପ୍ତରରେ ଗାଦି ଆଣ୍ଟି ବସିଥାଆନ୍ତି, କିନ୍ତୁ ସରକାରୀ ଚାକିରି କରି ଗୁଲାମ ହବାକୁ ଇଚ୍ଛା ହେଲାନି । ଯେତେହେଲେ ତ ଚାକର... ସରକାରର ହେଉ ବା ଆଉ କାହାର ହେଉ । ତା’ପରେ କଥାରେ କୁହନ୍ତୁନି -ଚାକିରି ଚୋରି ବଣିଜ ମିଛ..... । ସେଥିପାଇଁ ନିଜକୁ ନିଗୃହୀତ କରି ବାହାରିଛି ଦେଶସେବା କରିବା ପାଇଁ, ଲୋକମାନଙ୍କର ସେବା କରିବା ପାଇଁ-

 

ସେଥିପାଇଁ ଅନେକ ଆଶା କରିଆସିଚି ସାର୍...

କୁହନ୍ତୁ

ଶିକ୍ଷକମାନଙ୍କ ଅବସ୍ଥା ତ ଜାଣନ୍ତି ଆପଣ ।

ସେମାନେ ସ୍ରଷ୍ଟା...ଦେଶର ଭବିଷ୍ୟତ ଗଠନ ହୁଏ ସେମାନଙ୍କ ହାତରେ ।

ଆପଣଙ୍କ ପରି ମହାନ୍ ଲୋକଙ୍କ ମୁହଁରୁ ଏଇ କଥା ଶୁଣିଲେ ଉତ୍ସାହ ହୁଏ ମନରେ ।

 

ଛାତ୍ରମାନେ ଏ ଦେଶର ଭାବୀ ନାଗରିକ । ସେମାନେ ଏ ଦେଶର ଭାବୀ ଶାସକ, ନେତା, ବୈଜ୍ଞାନିକ ଓ ଶିଳ୍ପପତି... । ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦିଅନ୍ତି ଶିକ୍ଷକମାନେ । ଇଏ ଗୋଟିଏ ପବିତ୍ର କର୍ତ୍ତବ୍ୟ... ।

 

ଦୀନବନ୍ଧୁ ବାବୁଙ୍କୁ ଖୁସି ଲାଗୁଥିଲା ଶୁଣିବାପାଇଁ । ସେ ଭୁଲ ବୁଝିଥିଲେ । ଶିକ୍ଷିତ ଲୋକ ଯେ ଶିକ୍ଷକମାନଙ୍କୁ ହେୟ ଦୃଷ୍ଟିରେ ଦେଖନ୍ତି ନାହିଁ ଏଇଠି ତା’ର ପ୍ରମାଣ ମିଳିଲା । ଦୀନବନ୍ଧୁ ମାଷ୍ଟ୍ରେ ସଳଖ ହୋଇ କହିଲେ-ଆପଣଙ୍କ ସୁଦୃଷ୍ଟି ପଡ଼ୁଥାଉ... ।

 

ନିଶ୍ଚୟ ପଡ଼ିବ । ଆଉ କିଛି କହିବେ ?

 

ଆଜ୍ଞା ଶିକ୍ଷକମାନଙ୍କ କଥା ତ ଆପଣ ଜାଣନ୍ତି । ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିଯାଇଚି ସେମାନଙ୍କର । ମହରଗ କାଳ । ସମୟ ବି ଖରାପ ।

 

ଭଲ ସମୟ ଆସିବ ମାଷ୍ଟ୍ରେ ।

ଆସିବ ?

 

ହଁ । ନିଶ୍ଚୟ ଭଲ ସମୟ ଆସିବ । ସେ ବିଶ୍ୱାସ ମୋର ଅଛି । ସେଥିପାଇଁତ ସବୁ ଛାଡ଼ିଛୁଡ଼ି ବାହାରିଚି ଏଇ କାମରେ... ।

 

ଭଗବାନ୍ କଲ୍ୟାଣ କରନ୍ତୁ, ଆପଣଙ୍କ ବଡ଼୍‌ତି ହେଉ... ।

ଆମ ଅନୁଷ୍ଠାନ କଥା ଶୁଣିଥିବେ । ଅଭ୍ୟୁଦୟ ସମାଜ...

 

ହଁ, ଏଇ ଅଳ୍ପ ସମୟ ମଧ୍ୟରେ ବେଶ୍‌ନାମ କରିଛି... ଚାରିଆଡ଼େ ଲୋକଙ୍କ ମୁହଁରେ ଏଇ କଥା, ଆପଣଙ୍କ କଥା...

 

ଲୋକେ କ’ଣ କହୁଛନ୍ତି ?

 

ଏଥର କିଛି ଗୋଟେ ହେବ । ଆଉ ସବୁତ ପୁରୁଣା ବା ନୂଆ ବୋତଲରେ ପୁରୁଣା ମଦପରି । ଆପଣ ଯେପରି ଭବିଷ୍ୟତର ଆଶା ଭରସା, ଆପଣଙ୍କ ଅନୁଷ୍ଠାନ ବି ସେହିପରି ସବୁ ନୂଆ...ନୂଆ ଲକ୍ଷ୍ୟ... ନୂଆ ନେତୃତ୍ୱ... ନୂଆ ସମ୍ଭାବନା ।

 

ଆପଣ ଶିକ୍ଷକ । ଆପଣଙ୍କ ମୁହଁରୁ ଏତକ ଶୁଣି ମୋତେ ଭଲ ଲାଗୁଚି, ଆପଣଙ୍କ ମୁହଁରୁ ଆମ ଅନୁଷ୍ଠାନ ସମ୍ପର୍କରେ ଶୁଣିବା ପାଇଁ ।

 

ଇଏ ମୋ ନିଜ କଥା ନୁହେଁ, ସମସ୍ତଙ୍କ କଥା... ।

ଆଉ କେତେବର୍ଷ ଚାକିରି ଅଛି ?

ଆହୁରି ଦଶ ବର୍ଷ ଅଛି ।

 

ଏତେ ସମୟ ଅଛି ହାତରେ... ନ ହେଲେ ଆପଣଙ୍କୁ କହନ୍ତି ଇସ୍ତଫା ଦେଇ ଆମ ଅନୁଷ୍ଠାନରେ ଯୋଗ ଦିଅନ୍ତୁ... ଜନସମ୍ପର୍କ ପାଇଁ ଆମର ଲୋକ ଦରକାର ।

 

କାନମୂଳ କୁଣ୍ଡେଇ ସାରି କହିଲେ ଦୀନବନ୍ଧୁ, ମୁଁ ତ ବୁଢ଼ା ହେଲି ସାର୍... ଶିକ୍ଷକ ଗନ୍ଧ ରହିଯାଇଛି ଦେହରେ -ଆଉ କୌଣସି କାମ ହେବ ନାହିଁ...କିନ୍ତୁ-

 

ରହିଗଲ ଯେ...କୁହନ୍ତୁ ।

ବ୍ୟାଙ୍କ୍‌ରୁ ଲୋନ୍ ନବାପାଇଁ ଆସିଥିଲି ।

ସେଦିନ ତ ବ୍ୟାଙ୍କ୍‌ ଆରମ୍ଭ ହେଲା । ଏ ଭିତରେ ଲୋନ୍ ନବାର ଦରକାର ପଡ଼ିଲା ?

ଝିଅ ବାହାଘର...

ଝିଅ ବାହାଘର ? କେତୋଟି ଝିଅ ଆପଣଙ୍କର ?

 

ତିନୋଟି । ବଡ଼ଟି ବି. ଏ. ପାଶ୍ କରି ବସିଚି ଘରେ । କେତେଦିନ ଆଉ ବସିବ ? ହାତକୁ ଦିହାତ କରିଦେଲେ ବାପ ମାଆଙ୍କର ଦାୟିତ୍ୱ ଶେଷ ।

 

ବ୍ୟାଙ୍କରୁ ଋଣ ନ ନେଇ ଜମା ବଢ଼ାନ୍ତୁ । ଯେତେ ପାରନ୍ତି ସଞ୍ଚୟ କରି ଯାଆନ୍ତୁ । ଜମା ଭାଙ୍ଗିଲେ ପୁଣି ଜମା କରିବା କଷ୍ଟ ।

 

ଆଜ୍ଞା ସତ ଯେ...

ଝିଅକୁ ଚାକିରି କରାଇ ଦେଉନାହାଁନ୍ତି ?

ଝିଅ ଘିଅ । ବାହାକରିଦେଲେ ସବୁ ଆଡ଼କୁ ଭଲ ।

 

ଆଜି ସମୟ ବଦଳି ଯାଇଚି । ଝିଅମାନେ ସମାନ ଅଂଶୀଦାର ସବୁ କାମ କରିବାକୁ ସକ୍ଷମ ସେମାନେ ।

 

ତଥାପି ଲୋକାଚାର, ପରମ୍ପରା...

 

ତାକୁ ଭାଙ୍ଗିବାକୁ ହେବ । ଯାହା ଜୀର୍ଣ୍ଣ, ପୁରାତନ, କୁସଂସ୍କାରଗ୍ରସ୍ତ ତାକୁ ସବୁ ବହିଷ୍କାର କରିବାକୁ ହେବ ।

 

ଦୀନବନ୍ଧୁ ବାବୁ କଥା ଖୋଜି ପାଉ ନ ଥିଲେ । ତଣ୍ଟି ଶୁଖି ଆସୁଥିଲା । ଏ ଯାଏ ସଫଳ ହୋଇନାହାଁନ୍ତି କାମରେ । ଘରକୁ ପାଦ ଦେବାକ୍ଷଣି ସମୁଦ୍ରା ପଚାରିବେ । ସେବା ପୁଣି ତାଙ୍କ ଆଗରେ ମୁହଁ ତଳକୁ କରି ଛିଡ଼ା ହେବ ।

 

ସାହସ କରି କହିଲେ ଦୀନବନ୍ଧୁ ମାଷ୍ଟ୍ରେ-ଆପଣ ଠିକ୍ କହିଛନ୍ତି ସାର୍ ! କିନ୍ତୁ ଏତେ ଚାକିରି କାହିଁ ? ପୁଅମାନଙ୍କୁ ତ ନିଅଣ୍ଟ ।

 

ଆପଣଙ୍କ ବଡ଼ଝିଅଙ୍କୁ ସାଙ୍ଗରେ ନେଇ ଆସନ୍ତୁ । କଥାଭାଷା ହେବାପରେ ଯାହା ସ୍ଥିର କରିବା ।

 

ଦୀନବନ୍ଧୁ ବାବୁ ନିରନ୍ଧ୍ର ଅନ୍ଧକାର ଭିତରେ ଆଶାର ଆଲୋକ ଦେଖିଲେ ।

 

ସେ ଉଠିପଡ଼ି ନମସ୍କାର କରି କହିଲେ-ମୁଁ ଜାଣେ ଆପଣ ବୁଝିବେ । ଆପଣଙ୍କ ବଡ଼୍‌ତି ହେଉ... ଜଗନ୍ନାଥେ ମଙ୍ଗଳ କରନ୍ତୁ ।

 

ଘଡ଼ିକୁ ଚାହିଁ ବ୍ୟସ୍ତ ହବା ପରି କହିଲା ଶୈବାଳ, ଇସ୍ ! ଏତେ ସମୟ ଚାଲିଗଲା !

 

ଦୀନବନ୍ଧୁ ମାଷ୍ଟ୍ରେ ସେ କଥା ଶୁଣିଲେ କି ନାହିଁ କେଜାଣି, କିନ୍ତୁ ତାଙ୍କୁ ତରତର ହୋଇ କୋଠରୀ ଭିତରୁ ବାହାରି ଯିବାର ଦେଖିଲା ଶୈବାଳ ।

 

ଚନ୍ଦ୍ରଗୁପ୍ତ ଅପେକ୍ଷା କରୁଥିଲା । ଦୀନବନ୍ଧୁ ମାଷ୍ଟ୍ରେ ଚଲିଯିବା ପରେ ସେ ପଶି ଆସିଲା କୋଠରୀ ଭିତରକୁ ।

 

ଶୈବାଳ କହିଲା, ଆପଣଙ୍କୁ ଦେଖିଲେ ପ୍ରେରଣା ଆସେ ମନକୁ ।

ଅଶେଷ ଧନ୍ୟବାଦ ସାର୍ । ମୁଁ କୃତଜ୍ଞ...

ବ୍ୟାଙ୍କ୍ କିମିତି ଚାଲିଚି ?

 

ଭଲ ଚାଲିଚି । ଚହଳ ପଡ଼ିଯାଇଚି ସହରରେ । ପୁରୁଣା ବ୍ୟାଙ୍କରୁ ଟଙ୍କା ଉଠେଇ ଆମ ବ୍ୟାଙ୍କ୍‌ରେ ଜମା କରୁଛନ୍ତି ଲୋକେ ।

 

କ୍ରେଡିବିଲିଟି ଆମର ଏକମାତ୍ର ପାଣ୍ଠି ।

 

ସାର୍, ବିଶ୍ୱାସଯୋଗ୍ୟତା ପ୍ରତିଷ୍ଠିତ ହୋଇଚି । ବର୍ତ୍ତମାନ ରାଜଧାନୀର ବାହାରେ ଗୋଟେ ଦୁଇଟା ବ୍ରାଞ୍ଚ ଖୋଲିବା ଦରକାର । କଟକ, ରାଉରକେଲା... ।

 

ମୁଁ ଭାବୁଚି ଆଗ କନ୍‌ସୋଲିଡେଟ୍ କରାଯାଉ... ପରେ ବାହାରକୁ ଯିବା ।

 

ଆପଣ ମୋ’ଠାରୁ ଅନେକ ବିଜ୍ଞ ସାର ! କିନ୍ତୁ ଏଇଠି ମୁଁ ଆପଣଙ୍କ ସହିତ ଏକମତ ହୋଇପାରୁନି । ପ୍ରସାର ସବୁବେଳେ ହୁଏ ନାହିଁ । ଲୋକମାନେ ଯେତେବେଳେ ଚାହାନ୍ତି ସେତେବେଳେ ହୁଏ । ଚାରିଆଡ଼ୁ ଦାବି ଉଠୁଚି । ଖବରକାଗଜ ପୃଷ୍ଠାରେ ଚିଠି ବାହାରୁଚି । ଲୋକଙ୍କର ଆଶା ଆଉ ଅପେକ୍ଷା କରିବା ଅବସ୍ଥାରେ ନାହିଁ।

 

-କିନ୍ତୁ ଏତେ ଲୋକ କାହାନ୍ତି ଆମ ପାଖରେ... ଟ୍ରେନଡ଼୍ ଲୋକର ଅଭାବ ।

-ଟ୍ରେନିଂ ଦେଲେ ସବୁ ଟ୍ରେନ୍‌ଡ଼୍ ହୋଇଯିବେ ସାର୍ ।

-ବୋର୍ଡ଼ ମିଟିଂ ଡାକିବା ?

 

-ବୋର୍ଡ଼ ମିଟିଂ ପରେ ହେବ ସାର... ଆପଣ ଚେୟାରମ୍ୟାନ୍ କମ୍ ଏମ୍. ଡ଼ି; ଆପଣଙ୍କର ସେ କ୍ଷମତା ଅଛି ।

 

-ତଥାପି ମୋ ମନରୁ ‘କିନ୍ତୁ’ ଭାବଟା ଯାଉନାହିଁ ।

-ଆପଣ ନିଶ୍ଚିନ୍ତ ରୁହନ୍ତୁ । ଆପଣ ଅନୁମତି ଦେଲେ ସବୁ ହବ ।

-ଠିକ୍ ଅଛି, ଗୋ ଏହେଡ଼୍...କିନ୍ତୁ ଦେଖିଚାହିଁ ଆଗେଇବା ଭଲ ।

-ଆପଣଙ୍କ ଆଶୀର୍ବାଦ ଥାଉ...ମୁଁ ଆଗଉଛି ।

-ଆଉ ସବୁ ଖବର କ’ଣ ?

 

-ବ୍ୟାଙ୍କ ଖାଲି ବ୍ୟବସାୟ କଲେ ଚଳେ ନାହିଁ । ଏହାର ସାମାଜିକ ଆଭିମୁଖ୍ୟ ବି ରହିବା ଦରକାର ।

 

-ସୋସିଏଲ ଅବ୍‌ଜେକ୍ଟିଭ ପାଇଁ ତ ଅଭ୍ୟୁଦୟ ସମାଜ ଅଛି ।

-ଅଛି ସାର୍, କିନ୍ତୁ କାମ କରିବାପାଇଁ ଅର୍ଥ ଦରକାର । ଅଭ୍ୟୁଦୟ ସମାଜର ଅର୍ଥ ନାହିଁ ।

-ଚାନ୍ଦା ଉପରେ ନିର୍ଭର କରିବାକୁ ପଡ଼ିବ ।

 

-କିନ୍ତୁ ବ୍ୟାଙ୍କ୍ ଆମର । ବ୍ୟାଙ୍କ ଯଦି ସମାଜସେବାର ଦାୟିତ୍ୱ ବହନ କରେ, ଅଭ୍ୟୁଦୟ ସମାଜକୁ ସପୋର୍ଟ ମିଳିବ । ଅଭ୍ୟୁଦୟ ଅନ୍ୟକିଛି କାମ ମଧ୍ୟ ହାତକୁ ନବ ।

 

-ଆଉ ଟିକେ ବୁଝେଇ ଦିଅ ।

 

-ସବୁ ବ୍ୟାଙ୍କ ସମାଜର ଦୁର୍ବଳ ଶ୍ରେଣୀଙ୍କ କଲ୍ୟାଣ ନିମନ୍ତେ କିଛି କିଛି କାମ ହାତକୁ ନେଇଛନ୍ତି । ସେମାନେ କେତୋଟି ଗାଆଁକୁ ଏଡପ୍‌ଟ କରି ସେଠାରେ ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ, କୁଟୀରଶିଳ୍ପ, କୃଷି, ପଶୁପାଳନ ଓ ଯୋଗାଯୋଗ ପ୍ରଭୃତିର ବିକାଶ ସାଧନ କରନ୍ତି । ଏୟା ହେଲା ସେମାନଙ୍କର ସୋସିଏଲ୍ ଅବଜେ୍କ୍ଟିଭ୍ । ବ୍ୟାଙ୍କ ଅଫ୍ ଉତ୍କଳ ସେଇ କାମଟି ହାତକୁ ନଉ । ପାଞ୍ଚୋଟି ଗାଆଁ ଆମ ହାତରେ ରହୁ... ଆପଣଙ୍କ ଅନୁଷ୍ଠାନ ମାଧ୍ୟମରେ କାମ କରାଯାଇ ପାରିବ । ଲୋକମାନଙ୍କ ଦୃଷ୍ଟିରେ ଉଭୟ ଅନୁଷ୍ଠାନର ଭାବମୂର୍ତ୍ତି ବଢ଼ିବ । ଆପଣଙ୍କର ନେତୃତ୍ୱ ପ୍ରତି ଆସ୍ଥା ବି ବଢ଼ିବ... । ଭୋଟ ସେମାନଙ୍କ ହାତରେ । ଭୋଟ ବ୍ୟାଙ୍କ ଆମ ନିୟନ୍ତ୍ରଣରେ ରହିବ ।

 

ଚନ୍ଦ୍ରଗୁପ୍ତଙ୍କୁ ଧନ୍ୟବାଦ ଦେଇ କହିଲା ଶୈବାଳ, ‘‘ଆପଣଙ୍କୁ ଦେଖି ଏତେ ବୁଦ୍ଧିମାନ ବୋଲି ମନେହୁଏ ନାହିଁ । କିନ୍ତୁ ଦେଖୁଛି ଆପଣ କେବଳ ବୁଦ୍ଧିମାନ ନୁହଁନ୍ତି, ଚତୁର ମଧ୍ୟ ।’’

 

ଚନ୍ଦ୍ରଗୁପ୍ତ କହିଲା, ‘‘ସବୁ ବଦଳୁଛି । ଆମେ ପଛରେ ପଡ଼ି ରହିବୁ କାହିଁକି । ବଦଳିବାଟା ଧର୍ମ । ଯିଏ ବଦଳି ନ ପାରିବ ସିଏ ପଛରେ ପଡ଼ିଯିବ । ତା’ ନାମ ଲୋକେ ଭୁଲିଯିବେ । ନିଜକୁ ଚଳନ୍ତି ପଇସା ପରି ଚାଲୁ ରଖିବା ବୁଦ୍ଧିମାନର କାର୍ଯ୍ୟ । ଦେଖୁ ନାହାଁନ୍ତି, ଦେଶ ବଦଳୁ କି ନ ବଦଳୁ ଦୁସ୍ଥ ଓ ଦୁର୍ବଳଙ୍କ ନମରେ କିପରି ସମସ୍ତେ ନିଜ ନିଜର ସାମ୍ରାଜ୍ୟ ବିସ୍ତାର କରୁଛନ୍ତି । ଦୁର୍ବଳ ସବୁଦିନେ ଦୁର୍ବଳ । ସବଳ ହବ ନାଇଁ ।’’

 

ଶୈବାଳ କହିଲା, ‘‘ଅଭ୍ୟୁଦୟ ସମାଜର ସ୍ୱର ବାହ୍ୟସ୍ୱର ନୁହେଁ, ଅନ୍ତଃସ୍ୱର । ପ୍ରକୃତ ପରିବର୍ତ୍ତନ ଏହାର ଲକ୍ଷ୍ୟ । ଆମେ ପ୍ରତିଶ୍ରୁତି ପୂର୍ଣ୍ଣ କରିବା ।’’

 

-ନିଶ୍ଚୟ, ନିଶ୍ଚୟ । ପ୍ରତିଶ୍ରୁତି ପୂର୍ଣ୍ଣ କରିବାକୁ ହେବ । ବ୍ୟାଙ୍କ୍‍ବି ସେଇ ଗୋଟିଏ ଆଦର୍ଶ ପଛରେ ଚାଲିଛି । ସୁବିନିଯୋଗାତ୍ ସମୃଦ୍ଧି... ବିନିଯୋଗ ଉତ୍ତମ ହେଲେ ସମୃଦ୍ଧି ଆସିବା ନିଶ୍ଚୟ ।

 

ଶୈବାଳକୁ ଭଲ ଲାଗେ ଚନ୍ଦ୍ରଗୁପ୍ତ । ଆଖିଦୃଶିଆ ବ୍ୟକ୍ତିତ୍ୱ ନ ହେଲେ କଅଣ ହେବ ବୁଦ୍ଧିଟି ଖଣ୍ଡାଧାର ପରି ତୀକ୍ଷ୍‌ଣ । କର୍ମପ୍ରବଣତା ମଧ୍ୟ ଅନେକ ଠିକ୍ ଯେପରି ଏକ ହ୍ୟୁମେନ୍ ଡାଇନେମୋ...ଚନ୍ଦ୍ରଗୁପ୍ତର ସାଧାରଣ ବ୍ୟକ୍ତିତ୍ୱ ପଛରେ ଗୋଟିଏ ବିରାଟ ବ୍ୟକ୍ତିତ୍ୱ ଲୁଚି ରହିଛି । ନିଶ ହଳକ ଯେପରି ଘୋଡ଼େଇ ରଖେ ଯୋଡ଼ିକରେ ଅଦ୍ଭୁତ ଏକ ଦୃଷ୍ଟି... ଅନ୍ତର୍ଭେଦୀ ଏବଂ ଚଞ୍ଚଳ-। ନାକଟି ଶରୀରର ଗଠନକୁ ଚାହିଁ ଟିକେ ବଡ଼ । କିନ୍ତୁ କାନ ଯୋଡ଼ିକ ଠିକ୍ ଶୃଗାଳର କାନ ପରି ସଦାବେଳେ ଉତ୍‌କୀର୍ଣ୍ଣ ।

 

ଚନ୍ଦ୍ରଗୁପ୍ତ ଚାଲେ ନାହିଁ । ଦୌଡ଼େ । ଅନ୍ତତଃ ଦେଖିଲେ ସେୟା ମନେହୁଏ । ପୃଥିବୀର ସମସ୍ତ ବ୍ୟସ୍ତତା ଯେପରି ଏଇ ଲୋକଟିର ।

 

ଚନ୍ଦ୍ରଗୁପ୍ତକୁ ବିଦାୟ ଦେଇ ଚା’ କପେ ପିଇନେଇ ସିଗାରେଟ୍‍ ଗୋଟେ ଧରାଇଲା ଶୈବାଳ ।

 

ହଁ ସମୟ ବଦଳି ଯାଇଚି ।

ବଦଳି ଯାଇଚି ଲୋକଚରିତ୍ର ।

ସେ ଯଦି ନ ବଦଳେ ଆପାଙ୍‌କ୍ତେୟ ହୋଇ ପଡ଼ିରହିବ ପଛରେ ।

ତାକୁ ବଦଳିବାକୁ ହେବ ।

 

ଦେଶର ରସ୍ତାଘାଟ, ସହର ବଜାର ସର୍ବତ୍ର ପ୍ରଚାରପତ୍ର ଛାପା ହେବ । ସମସ୍ତଙ୍କୁ ଜଣାଇଦବାକୁ ହେବ ଯେ ପରିବର୍ତ୍ତନ ବିନାମୂଲ୍ୟରେ ଆସେ ନାହିଁ, ସେଥିପାଇଁ ମୂଲ୍ୟ ଦବାକୁ ହୁଏ-। ବ୍ୟାଙ୍କରେ ଟଙ୍କା ଜମା କଲେ ଯେମିତି ସୁଧ ମିଳେ, ସେହିପରି ଭବିଷ୍ୟନିଧିକୁ ସୁରକ୍ଷିତ କରି ରଖିବାଲାଗି ବ୍ୟୟ ସଂକୋଚ କରି ଟଙ୍କା କିଛି ଜମା ରଖିବାକୁ ହୁଏ ।

 

ଦି’ ବ୍ୟାଙ୍କ ଅଫ୍‌ ଉତ୍କଳ କେବଳ ଅର୍ଥ ଦବା ବା ନବା ସକାଶେ ଗୋଟିଏ ବ୍ୟାଙ୍କ ନୁହେଁ, ଏହା ନବଜୀବନ ପ୍ରତିଷ୍ଠା କରିବାର ଏକ ମାଧ୍ୟମ । ଏହାରି ଜରିଆରେ ଅଭ୍ୟୁଦୟ ସମାଜ ଗଠିତ ହେବ । ଗାଆଁର ଚାଷୀ ମୂଲିଆଙ୍କୁ ସ୍ୱାବଲମ୍ୱୀ କରିବାକୁ ହେବ । ବ୍ୟକ୍ତି ବା ରାଷ୍ଟ୍ରପରି ବ୍ୟାଙ୍କ୍‌ର ଗୋଟେ ସୋସିଆଲ ଅବ୍‌ଜେକ୍‌ଟିଭ ରହିବ । ସମାଜରେ ରହିଲେ ସାମାଜିକ ଲକ୍ଷ୍ୟ ବି ରହିବ ।

 

ସମାଜ କଲ୍ୟାଣର ମୋହର ମାରି ଚାଲିଲେ ଲୋକେ ଚିହ୍ନିବେ । ଜୟଧ୍ୱନି ଦେବେ ।

 

ସମୟ ଉତ୍ତୀର୍ଣ୍ଣ ହୋଇଯାଉଛି ଭାବି ଶୈବାଳ ସ୍ନାନ ପ୍ରସାଧନ ଶେଷ କରି ଟାକ୍‌ସି ଗୋଟେ ଡାକି ବାହାରି ପଡ଼ିଲା ହୋଟେଲ କୋଣାର୍କ ଅଭିମୁଖରେ ।

 

କୋଣାର୍କର ମନ୍ଦିର ଗାତ୍ରର ଲେଖିବା ପତ୍ର ଲେଖୁଛି ବନ୍ଧୁମାନଙ୍କୁ । ସେ ପତ୍ରର ଶେଷ ନାହିଁ । ସେ ପତ୍ରର ସଂଖ୍ୟା ନାହିଁ–ସଂଖ୍ୟାତୀତ ।

 

ଚିଠିରେ ମଧ୍ୟ ଲେଖିକା ସେଇକଥା ଲେଖିଥିଲା ।

 

ରକ୍ତମାଂସର ସେଇ ଲେଖିକାକୁ ସେ ଦେଖି ନ ଥିଲେ ମଧ୍ୟ ସେ ଯେ ସର୍ବତ୍ର ଏଥିରେ ଆଉ ସନ୍ଦେହ ରହିଲା ନାହିଁ । ହୋଟେଲ କୋଣାର୍କ ସମ୍ମୁଖରେ ଓହ୍ଲେଇ ପଡ଼ି ପାଦ ବଢ଼ାଇବାବେଳକୁ ତାକୁ ପାଛୋଟି ନେଇ ଅଭ୍ୟର୍ଥନାକାରୀ କହିଲା, କ୍ଷମା କରିବେ ସାର୍‌ !

 

‘‘-ଆପଣ ମି. ଶୈବାଳ ମହାପାତ୍ର ?’’

‘‘-ହଁ ।’’

 

ଶୈବାଳର ମନରେ ରୋମାଞ୍ଚ । ଲେଖିକା ନିଶ୍ଚୟ ଅପେକ୍ଷା କରିଛି । ଏଇ ପହଞ୍ଚିବ ସ୍ୱାଗତ କରିବାପାଇଁ ।

 

ମଧୁର ପରିବେଶ ।

 

ତାକୁ ପାଛୋଟି ନେଇ କହିଲା ଅଭ୍ୟର୍ଥନାକାରୀ, ଆପଣ ଏଇ ପ୍ରକୋଷ୍ଠରେ ଅପେକ୍ଷା କରନ୍ତୁ ସାର୍‌ ତାଙ୍କୁ ଗୋଟେ ଜରୁରୀ କାମରେ ଅନ୍ୟତ୍ର ଯିବାକୁ ହେଲା । ଅନ୍ୟ ଉପାୟ ନ ଥିଲା ତାଙ୍କ ପାଖରେ । କିନ୍ତୁ ସେ ଗୋଟେ ବନ୍ଦ ଲଫାପା ରଖି ଯାଇଛନ୍ତି ଆପଣଙ୍କ ପାଇଁ ।

 

ଶୈବାଳ ହାତକୁ ଚିଠିଟା ବଢ଼େଇ ଦେଲା ଅଭ୍ୟର୍ଥନାକାରୀ ।

ଶୈବାଳ ସ୍ପନ୍ଦିତ ହାତ ଏବଂ ଉତ୍କଣ୍ଠିତ ହୃଦୟରେ ପଢ଼ିଲା ସେଇ ଛୋଟ ଚିଠି-

‘‘ସମୟ ଦେଇ ସମୟ ରକ୍ଷାକରୁ ନ ଥିବା ଯୋଗୁଁ କ୍ଷମା ମାଗୁଛି ।’’

 

ମୁଁ କ’ଣ ପୁଅ ହୋଇଛି ଯେ ମୋ କାର୍ଯ୍ୟ ନିର୍ଘଣ୍ଟ ମୁଁ ତିଆରି କରିବ ? ମୁଁ ପରା ଝିଅ । ଏଇ ଦେଶର ଝିଅମାନଙ୍କୁ କିଛି ଦିଆଯାଏ ନାହିଁ, କେବଳ ନିଆଯାଏ ସେମାନଙ୍କ ପାଖରୁ ।

 

ଆପଣ କିନ୍ତୁ ବ୍ୟତିକ୍ରମ । ଆପଣ ସବୁ ପ୍ରତିଶ୍ରୁତିକୁ ବାତିଲ କରି ଶେଷ ପ୍ରତିଶ୍ରୁତି ଦେଇଛନ୍ତି । ମୁଁ ମଧ୍ୟ ଶେଷ ପ୍ରତିଶ୍ରୁତି ପାଇଛି ।

 

ଆପଣଙ୍କ ସାଙ୍ଗରେ ସମୟ କାଟିବା ଲାଗି ମୋର ଇଚ୍ଛା । ପୁଣି ଆପଣଙ୍କ ସହିତ ସମୟକୁ ବାନ୍ଧି ରଖିବା ଲାଗି ମଧ୍ୟ ମୋର ଇଚ୍ଛା ।

 

ସମୟ ସ୍ଥାଣୁ ପରି ଯଦି ଗୋଟିଏ ବିନ୍ଦୁରେ କେବଳ ଛିଡ଼ା ହୋଇ ରୁହନ୍ତା ! ଆଉ ଯାହା ହେଉ ବା ନ ହେଉ ଆମେ ଯେ ଚିରକାଳ ତରୁଣ ରହିଯାଆନ୍ତୁ ତାହା କ’ଣ ସତ ହୁଅନ୍ତା ନାହିଁ ?

 

ଆପଣଙ୍କୁ ସେଇକଥା ପଚାରିବି । ଆପଣ ଅପେକ୍ଷା କରିବେଟି ? ?’’ -ଲେଖିକା

 

ଏଇ ଲେଖିକା... କୋଣାର୍କର ଲେଖିକା ପରି । ତା’ ପାଇଁ ଜମିଥିବା ମନର ଆଗ୍ରହକୁ ସାଇତି ରଖି ସେ ବସିଲା ଲାଉଞ୍ଜରେ ।

 

ରାତି ବଢ଼ୁଛି ।

 

ମନ ଭିତରେ ବଢ଼ୁଚି ଛବିଟିଏ । ଜୀବନ ରୂପଟିଏ । ସେଇ ରୂପକୁ କିନ୍ତୁ ଛୁଇଁ ହଉନି, ତାହା ନିଜ ଭିତରେ ଅଥଚ କେତେଦୂରର ପରି ଲାଗୁଛି । ବାଡ଼ି ଅଗଣାର ଖରା ଓ ଘରଚାଳ ସହିତ ଘସିହୋଇ ଛିଡ଼ା ହୋଇଥିବା ଚମ୍ପା ଗଛର ଫୁଲ ଅତି ଆପଣାର ମନେହୁଏ । ଛୁଇଁବା ପାଇଁ ଆଗ୍ରହ ହୁଏ ମନରେ । ସେଇ ଖରା ଅତି ଆପଣାର ଲୋକପରି ଧରାଦିଏ । ସେଇ ଫୁଲର ମହକ ମନକୁ ଆମୋଦିତ କରି ରଖେ ।

 

ମନର ନାୟିକା କିନ୍ତୁ ଆପଣାର ହୋଇ ବି ହୋଇପାରୁନି । ତା’ର ସୂରୂପ ଝାପ୍‌ସା ହୋଇ ରହିଛି ଯିମିତି କୁହୁଡ଼ି ଭିତରେ, ଅସ୍ପଷ୍ଟ ହୋଇଯାଏ ନିକଟର ଦୃଶ୍ୟ ।

 

ଶୈବାଳର ଆଗ୍ରହ ବଢ଼ୁଚି ମନରେ ।

ମନରେ ଜାଗୁଛି ଉତ୍କଣ୍ଠା ।

 

ଆଜିବି ବୋଧହୁଏ ଆଉ ସାକ୍ଷାତ୍‍ ହେବନାହିଁ । ସୁ ସମୟ ଆସିନାହିଁ ବୋଧେ । ଆସିନାହିଁ ଶୁଭମୁହୂର୍ତ୍ତ ।

 

ବହୁତ ରାତିଯାଏ ଅପେକ୍ଷା କଲା ଶୈବାଳ । ସେ ଆଉ ଲେଉଟିଲା ନାହିଁ ।

ଅଭ୍ୟର୍ଥନା କକ୍ଷରୁ ରିସେପ୍‌ସନିଷ୍ଟକୁ ଆଉଥରେ ଡାକିଲା ଶୈବାଳ ।

 

-ସରି ସାର୍‌, କୌଣସି ଅସୁବିଧା ହୋଇଥିବ ନିଶ୍ଚୟ, ନଚେତ୍‌ ଫେରିଥାଆନ୍ତେ ଏତେବେଳକୁ । ଆଉ ବୋଧେ ଆସିବେ ନାହିଁ ।

 

ଆଉ ଯଦି ଆଜି ନ ଆସି ବି ଆଉ କେବେ ଆସନ୍ତି କହିବ ଯେ; ମୁଁ ଅନେକ ରାତି ପର୍ଯ୍ୟନ୍ତ ଅପେକ୍ଷାକରି ଶେଷରେ ନିରାଶ ହୋଇ ଫେରୁଛି ।

 

ଆପଣଙ୍କୁ ଡିନାର୍‌ ଦେବାପାଇଁ କହୁଛି ସାର୍‌ ।

-ନା,ଆଉଦିନେ ଆସିବି, ଆଜି ଆଉ ଖାଇବାକୁ ମନହେଉନି ।

ଶୈବାଳ ବାହାରି ଆସିଲା ହୋଟେଲ ଭିତରୁ ।

 

ଆଦର୍ଶ ବୋଲି କିଛି ନାହିଁ । ଏହା ଦୁର୍ବଳ ମନର ନିଚ୍ଛକ କଳ୍ପନା । ଜୀବନକୁ ଯେଉଁମାନେ ଭଲପାଆନ୍ତି, ସେମାନଙ୍କ ସୁଖ ଓ ଦୁଃଖକୁ ସମାନ ଭାବରେ ଗ୍ରହଣକରି ନେବାକୁ ହୁଏ-। ସୁଖ ସମସ୍ତଙ୍କର କାମ୍ୟ । କିନ୍ତୁ ଦୁଃଖ ନ ଥାଇ ଜୀବନ ନାହିଁ । ସୁଖର ସରସତା ଜାଣିବା ପାଇଁ ଦୁଃଖର ପାଚେରୀ ଡେଇଁବାକୁ ହୁଏ ।

 

ଆଦର୍ଶ ପଛରେ ନ ଦଉଡ଼ି ଯାହା କଲେ ବଞ୍ଚିତ ହୋଇ ରହିବ ନାହିଁ ତାହା କରିବାକୁ ଶପଥ ନେଇଛି ଚନ୍ଦ୍ରଗୁପ୍ତ । ସକାଳୁ ସନ୍ଧ୍ୟା, ପୁଣି ସନ୍ଧ୍ୟରୁ ସକାଳ, ରୁଟିନ୍‌ ବନ୍ଧା ଜୀବନ ଏକ ଟଣା ଦୀର୍ଘ ନିଶ୍ୱାସ ପରି । ସେଇ ଏକା କାମଗୁଡ଼ାକ କରି କରି ଘସରା ହୋଇଯାଏ ଦେହ ଆଉ ମନ । ମନ ବସେନି କାମରେ । ସେଥିପାଇଁ ସେଇ ରୁଟିନ ବନ୍ଧା କାମଗୁଡ଼ାକୁ ସହଯିବା ଲାଗି ଦରକାର ସତେଜ ରହିବାର ସଂକଳ୍ପ । ପ୍ରତିମୁହୂର୍ତ୍ତ ମଣିଷ ଆଗରେ ନବ ନବ ସମ୍ଭାବନାକୁ ତୋଳି ଧରେ । ନୀତି ଅନୀତିର ବିଚାର କରି କାମକଲେ ସମ୍ଭାବନା ସମ୍ଭାବନାରେହିଁ ରହିଯାଏ ।

 

ଚନ୍ଦ୍ରଗୁପ୍ତର ଗୋଟିଏ ଗୁପ୍ତମନ୍ତ୍ର ଅଛି । ସେଇଟି ବୀଜମନ୍ତ୍ର । ସେଇଟି ତା’ର ଜୀବନର ମାର୍ଗ । ତାହା ହେଉଛି କାର୍ଯ୍ୟସିଦ୍ଧି ଲାଗି ସବୁ ପନ୍ଥା ଗ୍ରହଣୀୟ ।

 

ସେଇ ମନ୍ତ୍ର ସାଧୁଛି ଚନ୍ଦ୍ରଗୁପ୍ତ । ଅତୀତର ଭସ୍ମସ୍ତୁପ ଉପରେ ଗଢ଼ି ଉଠୁଛି ସୁନ୍ଦର ଏକ ଅଟ୍ଟାଳିକା ଯାହାର ଅଧିକାରୀ ସେ ନିଜେ । ସେଠାରେ ଆଉ କାହାର ସ୍ଥାନ ନାହିଁ, ଆଉ କାହାର ଭାଗ ନାହିଁ । ଅତୀତରେ ନୀତି ନିୟମକୁ ମାନିବାପାଇଁ କେତେ କଷଣ ନ ସହିଛି ସେ । କିନ୍ତୁ କ’ଣ ହେଲା ? ସେ ନିର୍ଯ୍ୟାତନାର ଶିକାର ହେଲା କେବଳ । ରାଜଧାନୀକୁ ଆସିବା ପରେ ତାକୁ ଲାଗିଲା ଯେ ଏଯାଏ ସେ ଯାହା କରିଆସିଛି ସେସବୁ ଭୁଲ । ଠିକ୍‌ ପଥ ତା’ ଆଗରେ ଖୋଲିଦେଲା ରାଜଧାନୀ । ଦେଶର ସବୁ ଆଇନ୍‌ ଏଇଠି ପ୍ରଣୀତ ହୁଏ, ସବୁ ନିୟମ ଏଇଠି ଲେଖାଯାଏ; କିନ୍ତୁ ସବୁ ନିୟମ ବି ଏଇଠି ଅମାନ୍ୟ ହୁଏ, ଲୋକେ ଏଇଠି ସବୁ ଆଇନ ଭାଙ୍ଗନ୍ତି !

 

ଚନ୍ଦ୍ରଗୁପ୍ତ ବର୍ଷେକାଳ ବୁଲିଲା । ଘର ଖଣ୍ଡିଏ ମିଳିଲା ନାହିଁ, ଯାହା ମିଳିଲା ସେଇ ଘରପାଇଁ ସେ ଉପଯୁକ୍ତ ହେଲା ନାହିଁ । ଶେଷରେ ଯେଉଁ ଘରଟିରେ ରହିଲା ସେଠାରେ ବି ଉଚ୍ଛେଦ ହୋଇ ମେସ୍‍ ବା ହୋଟେଲରେ, ନ ହେଲେ ଷ୍ଟେସନରେ ଉଏଟିଂ ରୁମ୍‌ରେ । କେତେମାସ କଟେଇ ଦେହର ଧୂଳିମଳି ଝାଡ଼ିବା ପରି ମନରୁ ନୀତିନିୟମ ମାନିବାର ସଉକକୁ ଝାଡ଼ିଦେଇ ସେ ବି ଜବରଦଖଲ କଲା ଗୋଟେ ଜାଗା । ପ୍ରଥମେ ତିନିପୁଟ ଉଚ୍ଚ ଦୁଇଫୁଟ ଚୌଡ଼ାର ମନ୍ଦିରଟିଏ ତୋଳି ଲେଖିଦେଲା ସେଥିରେ, ‘ଶ୍ରୀ ଶ୍ରୀ ଶ୍ରୀ ମହାଲିଙ୍ଗେଶ୍ୱର’ । ଅମରୀ ଗଛ ଲଗାଇ ଦେଲା ଚାରିପାଖରେ । ଏ ଯୁଗର ଲୋକସଂଖ୍ୟା ପରି ହୁ ହୁ କରି ବଢ଼ିଲା ଅମରି ଗଛରୁ ସଂଖ୍ୟା ପଲବିତ ହେଲା ଶାଖା ପ୍ରଶାଖା । ଛଅମାସର ବ୍ୟବଧାନ ମାତ୍ର । ସେ ପୈତୃକ ସମ୍ପତ୍ତି ବିକ୍ରୟ କରି ଦୁଇବଖରାର ଘରଟିଏ ବି ତୋଳିଲା ସେଠାରେ । ଆପତ୍ତି ଅଭିଯୋଗ ହେଲା । କର୍ମଚାରୀମାନେ ଆସି ଧମକ ଚମକ ଦେଲେ । କିନ୍ତୁ ସବୁ ସମସ୍ୟା ସମାଧାନ ହୋଇଗଲା । ଯାହାର ଯାହା ପାଉଣା ଦେଇଦେଲା ଚନ୍ଦ୍ରଗୁପ୍ତ । ତା’ପରେ ତାକୁ କେହି ବାରଣ କରିନାହିଁ, ବାଧା ଦେଇନାହିଁ । ଚାରିହଜାର ଜବର ଦଖଲକାରୀଙ୍କ ସହିତ ତା’ର ନାମ ବି ଯୋଡ଼ି ହୋଇଯାଇଛି ।

ସତ୍ୟନଗରର ସେଇ ଜବର ଦଖଲମାରୀମାନଙ୍କ ସହିତ ପାଖାପାଖି ରହିବା ପରେ ଗୋପନରେ ଆତଯାତ ହେଉଥିବା ଆଉ ଗୋଟିଏ ପୃଥିବୀରେ ସିଂହଦ୍ୱାରା ଖୋଲିଗଲା ତା’ ଆଗରେ । ଭିତରେ ପ୍ରବେଶ କରି ଚମକି ପଡ଼ିଲା ସେ । ସେଠାରେ ନୀତି ନାହିଁ, ନିୟମ ନାହିଁ, ଆଇନ ନାହିଁ କି ବିବେକ ନାହିଁ, ଅଛି କେବଳ କଳେ ବଳେ କୌଶଳେ ଶାସନକଳକୁ ଦଖଲ କରିବା ! ଶାସନ ଓ ସମାଜକୁ ନିଜର ସ୍ୱାର୍ଥସିଦ୍ଧି ପାଇଁ ବ୍ୟବହାର କରିବା, ଅନୁଷ୍ଠାନକୁ କବଳିତ କରି ଦେଶସେବାର ଛଳନା କରି ଭିତରେ ଭିତରେ ନିଜର ଓ ନିଜ ଲୋକଙ୍କର ସାମ୍ରାଜ୍ୟ ବିସ୍ତାର କରିବା ।

ଏତେଦିନ ଯାଏ କା’ପୁରୁଷ ପରି ଡରି ଡରି ବାଟ ଚାଲୁଥିଲା ସେ । ପରଧନରେ ଲୋଭ ନ କରି, ପର ସ୍ତ୍ରୀ ଉପରେ ଆଖି ନ ରଖି, ନିଜର ଅଧିକାର କଥା ଭାବିବା ପୂର୍ବରୁ ଅନ୍ୟର ଅଧିକାରକୁ ଦେଇ ବାଟ ଚାଲୁଥିଲା ସେ । ଏବେ ତା’ର ଆଖି ଖୋଲିଛି । ତାକୁ ବୋକା ବନେଇ ସମସ୍ତେ ଆଗେଇ ଯାଉଥିବାର ଦେଖି ସେ ଆଉ ଅନୁତାପ କରୁନାହିଁ । ସେ ନିଜେ ଅଣ୍ଟାଭିଡ଼ି ବାହାରିଛି ।

ସେଇଦିନଠୁ ଆଉ ଅଟକି ନାହିଁ । ଆଉ ମୁଣ୍ଡର ଝାଳ ତୁଣ୍ଡରେ ମାରି ନିଜର ଅଦୃଷ୍ଟକୁ ନିନ୍ଦା କରୁନାହିଁ; ବରଂ ଭାଗ୍ୟଲିପି ଲେଖୁଛି ସେ ନିଜ ହାତରେ । ନିଜ ହାତରେ ତିଆରୀ କରୁଛି ଭାଗ୍ୟ, ନିଜର ଭଗବାନ ।

ଚନ୍ଦ୍ରଗୁପ୍ତ ଆଜି ଆଉ କେବଳ ଏକ ନଗଣ୍ୟ ନାମ ନୁହେଁ । କୋଟି କୋଟି ଲୋକଙ୍କ ମଧ୍ୟରେ ପରିଚୟ ନ ଥିବା ଏକ ବ୍ୟକ୍ତି ନୁହେଁ, ଦଶଜଣ ଭିତରେ ସେ ଜଣେ । ତା’ର ନାମ, ଧାମ, ଠିକଣା ଅଛି; ସେ ପ୍ରସିଦ୍ଧି ଲାଭ କରିଛି ସମାଜରେ ।

ସେ ସିନା ଲାଞ୍ଚଦେଇ ନ ପାରିବାରୁ ଚାକିରିଟିଏ ପାଇଲା ନାହିଁ ଏବେ କିନ୍ତୁ ତାହାରି ସୁପାରିସଦ୍ୱାରା ଚାକିରି ମିଳିପାରୁଛି । ସଫଳ ମଣିଷ ଚନ୍ଦ୍ରଗୁପ୍ତ । ନିଜେ ନିଜକୁ ତିଆରି କରିଛି ସେ-। ନିଜେ ବାଟ ଫିଟାଇଛି ଆଗକୁ ଯିବାପାଇଁ ।

ଅତୀତରେ ଲାଞ୍ଛନା ଏବଂ ଗ୍ଳାନି, ଅପମାନ ଏବଂ ଅନାହାରକୁ ଭୁଲି ଯାଇନାହିଁ ଚନ୍ଦ୍ରଗୁପ୍ତ । ଭଲ ମଣିଷ ହେବାପାଇଁ ଅନେକ ମୂଲ୍ୟ ଦେଇ ଶେଷରେ ନିରାଶ ହୋଇଛି ସେ । ଭଲ ବାଟରେ ଚାଲିବା କଷ୍ଟ । କିନ୍ତୁ ଭୁଲ ବାଟଟା ଖୁବ୍‌ ସିଧା ଓ ସହଜ । ଆଜି ଆଉ ତାକୁ କାକୁସ୍ଥ ହୋଇ ସରକାରୀ ଅଫିସର ଦରଜା ନିକଟରେ ଅପେକ୍ଷା କରିବାକୁ ହୁଏ ନାହିଁ, ପିଅନ ହାତରେ ବକ୍‌ସିସ୍‌ ଦେଇ ସାହେବଙ୍କ ପାଖକୁ କାର୍ଡ ଖଣ୍ଡକ ପଠେଇ ଡାକରା ପାଇବା ସଙ୍ଗେ ସଙ୍ଗେ ବୀର ଦର୍ପରେ ଭିତରକୁ ଯାଏ । ସେଦିନ ସିନା ତା’ପାଇଁ କାହାର ସମୟ ନ ଥିଲା, ଆଜି କିନ୍ତୁ ତାକୁ ସମୟ ଦିଅନ୍ତି ସମସ୍ତେ । ସେ ଆଉ ଉପେକ୍ଷାର ପାତ୍ର ନୁହେଁ, ତାକୁ ବି ପାଞ୍ଚଜଣ ଅପେକ୍ଷା କରନ୍ତି ।

ଦୀନବନ୍ଧୁ ମାଷ୍ଟରଙ୍କୁ ଦେଖି ଦୟାହେଲା ଚନ୍ଦ୍ରଗୁପ୍ତର ।

 

ଏଇ ମାଷ୍ଟରମାନଙ୍କୁ ଦେଖିଲେ ସେ ବାଟ କାଟି ଚାଲିଯାଏ । ସେମାନଙ୍କର ଦେହ ଓ ପୋଷାକରେ ଝାଳର ଗନ୍ଧକୁ ସେ ସହ୍ୟ କରିପାରେ ନାହିଁ । ଶିକ୍ଷକୀୟ କଥାଗୁଡ଼ା ବି ଅପ୍ରାସଙ୍ଗିକ ବା ଅବାନ୍ତର ମନେହୁଏ ।

 

କିନ୍ତୁ ଏପରି ଏକ ନିରୀହ ପ୍ରାଣୀକୁ ଅନୁକମ୍ପା କରେ ଚନ୍ଦ୍ରଗୁପ୍ତ । ଅତି ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି ସେମାନେ । ଟିକେ ଅନୁଗ୍ରହ, ଟିକେ ଅନୁକମ୍ପା ଯଥେଷ୍ଟ ସେମାନଙ୍କ ପାଇଁ ।

 

ଦୀନବନ୍ଧୁ ମିଶ୍ରେ ଦଉଡ଼ି ଦଉଡ଼ି ନୟାନ୍ତ ହୋଇ ବି ଯେତେବେଳେ ବ୍ୟାଙ୍କରୁ ୠଣ ଉଠେଇ ପାରିଲେ ନାହିଁ, ଚନ୍ଦ୍ରଗୁପ୍ତକୁ ତା’ ବସାରେ ଦେଖାକରି କହିଲେ, ‘‘ମୋ ଝିଅର ବାହାଘର ବ୍ୟାଙ୍କ ୠଣ ଉପରେ ନିର୍ଭର କରେ । ଯୌତୁକ ବିନା କନ୍ୟାସୁନାର ସଦ୍‌ଗତି ହେବ ନାହିଁ । ଆପଣ ମହାପୁରୁଷ, ଅସାଧ୍ୟ ସାଧନ କରୁଛନ୍ତି । ମୋ ଗୁହାରି ଶୁଣନ୍ତୁ ।’’

 

ଚନ୍ଦ୍ରଗୁପ୍ତକୁ ଇମିତି ଭାଷା ଶୁଣିବା ପାଇଁ ଭଲଲାଗେ । ସେ ବି ଦିନେ ଗୋଡ଼ଭାଙ୍ଗି ଦଶଜଣଙ୍କ ଆଗରେ ଛିଡ଼ା ହୋଇ ଇମିତି ଟିକେ ଦୟା ପାଇଁ ଗୁହାରୀ କରୁଥିଲା । ସମସ୍ତେ ତାକୁ ନିରାଶ କରି ବାଟ ଭାଙ୍ଗି ଚାଲିଯାଇଥିଲେ । ଆଜି କିନ୍ତୁ ଚନ୍ଦ୍ରଗୁପ୍ତ ଦୀନବନ୍ଧୁ ମାଷ୍ଟରଙ୍କୁ ଏଡ଼ି ନ ଯାଇ ତାଙ୍କୁ ଦୟା ପ୍ରଦର୍ଶନ କରିବ ।

 

ଦୀନବନ୍ଧୁ ମାଷ୍ଟରଙ୍କୁ ସେ କହିଲା, ‘‘ବାହାଘର ପଳେଇ ଯାଉନି । ତା’ଠାରୁ ଆହୁରି ଜରୁରୀ ବ୍ୟାପାର ଅଛି । ତାହା ହେଉଛି ନିଜ ଗୋଡ଼ରେ ନିଜେ ଠିଆହେବା । ସେବା ବି.ଏ. ପାସ୍‌ କରିଚି । ବ୍ୟାଙ୍କ୍‌ରେ ଯୋଗ ଦେଉ ।’’

 

ସେଦିନ ଏଇକଥା କହିଥିଲା ଶୈବାଳ । ଦୀନବନ୍ଧୁ, ମାଷ୍ଟ୍ରେ ସାହସ ସଞ୍ଚୟ କରି କହିଲେ, ସେଦିନ ଶୈବାଳ ବାବୁ ବି ଏଇକଥା କହୁଥିଲେ ।

 

ଚନ୍ଦ୍ରଗୁପ୍ତ କହିଲା, ‘‘ସବୁ ବଡ଼ ବଡ଼ ଲୋକ ଏକପ୍ରକାର କଥା କୁହନ୍ତି ଆପଣ ଝିଅକୁ ନେଇ ଅଫିସକୁ ଆସନ୍ତୁ... ।’’

 

‘‘-ଆପଣଙ୍କ ପାଖକୁ ଯିବି ନା ଶୈବାଳ ବାବୁଙ୍କ ପାଖକୁ ?’’ ପଚାରିଲେ ଦୀନବନ୍ଧୁ ମାଷ୍ଟ୍ରେ ।

 

‘‘-ତାଙ୍କ ପାଖକୁ ଯିବାକୁ ହେଲେ ମୋ କୋଠରୀ ଦେଇଯିବାକୁ ହୁଏ । ମହାଦେବଙ୍କ ମନ୍ଦିର ଭିତରକୁ ପଶିବା ଆଗରୁ ଦର୍ଶନ କରିବା ବିଧି ।’’

 

ଦୀନବନ୍ଧୁ ମାଷ୍ଟ୍ରେ ମୁଣ୍ଡ କୁଣ୍ଡେଇ କହିଲେ, ‘‘ମୁଁ ସେୟା କରିବି । ଆପଣ ତ୍ରାଣକର୍ତ୍ତା । ଆପଣ ପାରିବେ ସବୁ ।’’

 

ଚନ୍ଦ୍ରଗୁପ୍ତ କହିଲା, ‘‘ଝିଅର ବାହାଘର ପ୍ରସଙ୍ଗ ଆଉ ଉଠେଇବେ ନାହିଁ । ସେ କଥା ତା’ ଉପରେ ଛାଡ଼ି ଦିଅନ୍ତୁ । ଆମଦେଶର ଝିଅମାନଙ୍କୁ ଆଉ କେତେକାଳ ମୁକ କରି ରଖାଯିବ ? ପୃଥିବୀରେ ମହିଳାମାନଙ୍କର ମୁକ୍ତି ଆନ୍ଦୋଳନ କେତେ ତୀବ୍ର ହେଲାଣି ଜାଣନ୍ତି ? ସେମାନେ ପୁରୁଷଙ୍କ ସହିତ ସବୁକ୍ଷେତ୍ରରେ ସମାନ ସ୍ଥାନ ଦାବି କରନ୍ତି ।’’

 

‘‘-ଆମ ଦେଶରେ ଏହା ଆଗରୁ ପ୍ରଚଳିତ ଥିଲା । ସେଥିପାଇଁ ସ୍ତ୍ରୀକୁ କୁହାଯାଏ ଅର୍ଦ୍ଧାଙ୍ଗିନୀ, ସହଧର୍ମିଣୀ । ଗାର୍ଗୀ, ସୀତା, ସାବିତ୍ରୀ, ମୈତ୍ରେୟୀ.... ଆହୁରି ଅନେକ ପ୍ରାତଃସ୍ମରଣୀୟା ସତୀସାଧ୍ୱୀ ବୀରାଙ୍ଗନା ଏ ଦେଶକୁ ମହାନ୍‌ କରି ଯାଇଛନ୍ତି ।’’

 

ଚନ୍ଦ୍ରଗୁପ୍ତ ହସିଉଠିଲା ହୋ ହୋ କରି ।

 

ଦୀନବନ୍ଧୁ ମାଷ୍ଟ୍ରେ ଯାହା କହିଲେ ସେଥିରେ କିଛି ଭୁଲ ରହିଗଲା ଭାବି ସଙ୍କୁଚିତ ହୋଇଗଲେ । ପାଟିରୁ ଖସିଯାଇଛି ସେତେବେଳକୁ । ମନକୁ ମନ ଚାକୁଳେଇଇଲେ ସେ ।

 

ଦୀନବନ୍ଧୁ ମାଷ୍ଟାର ଗୋଟିଏ ସଂସାର ଦେଖିଛନ୍ତି । ଆହୁରି ଅନେକ ବାକି ଅଛି ଦେଖିବା ପାଇଁ । ପୃଥିବୀଟା ଏତେବଡ଼ ଅଥଚ ଏତେଛୋଟ । ଅନ୍ଧ ସାତଜଣଙ୍କର ହାତୀ ଦେଖାପରି ଦୀନବନ୍ଧୁ ମାଷ୍ଟରଙ୍କର ପୃଥିବୀ ଦେଖା ।

 

ହାଃ, ହାଃ, ହାଃ....... ।

 

ପୁଣି ହୋ ହୋ କରି ହସିଉଠିଲା ଚନ୍ଦ୍ରଗୁପ୍ତ । ଏଇ ଆକାଶ ଫଟା ହସକୁ କାହିଁକି କେଜାଣି ପସନ୍ଦ କରନ୍ତି ନାହିଁ ଦୀନବନ୍ଧୁ ମାଷ୍ଟ୍ରେ । ହସର ବି ସହଜ ସରଳ ରୂପ ଅଛି । ଯେଉଁଠି ତାହା ନ ଥାଏ ସେଠାରେ ହସ ଅନ୍ୟର ମନକୁ ସରସ ନ କରି ଅପମାନିତ କରେ ।

 

ଚନ୍ଦ୍ରଗୁପ୍ତ ଦୀନବନ୍ଧୁ ବାବୁଙ୍କ କହିଲା ? ‘‘ସଂସାରଟା ଅନେକ ବଦଳି ଗଲାଣି ମାଷ୍ଟ୍ରେ, ଆପଣ ଖବର ରଖିନାହାଁନ୍ତି। ବିଂଶ ଶତାବ୍ଦୀର ଅଷ୍ଟମ ଦଶକର ପୃଥିବୀ ଇଏ । ଆଦର୍ଶ ପଛରେ ଦଉଡ଼ି ବଞ୍ଚିହୁଏନି ଏଠାରେ । ଦେଖୁନାହାଁନ୍ତି ଚାରିଆଡ଼େ କିମିତି ଆଦର୍ଶଗୁଡ଼ା ଭୁଶୁଡ଼ି ପଡ଼ୁଛି, କିମିତି ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧାଗୁଡ଼ାକ ମୁଷ୍ଟିମେୟ କେତେକ ଲୋକ ବାଟମାରଣା କରିନେଉଛନ୍ତି । ଆହୁରି ଦେଖିବେ ଭବିଷ୍ୟତରେ ଆଇନ ମାନୁଥିବା ଲୋକଟି କେବଳ ନିର୍ଯ୍ୟାତନା, ଲାଞ୍ଚ୍ଥନା ସହୁଥିବ, ତା’କଥା କେହି ବୁଝିବେ ନାହିଁ କି ଶୁଣିବେ ନାହିଁ । ତେଣୁ ଆପଣ ନୂଆ ଆଦର୍ଶ ପଛରେ ଦଉଡ଼ନ୍ତୁ, ଯେଉଁମାନେ ନୂଆ ଆଦର୍ଶ ସୃଷ୍ଟି କରୁଛନ୍ତି ସେମାନଙ୍କୁ ଅନୁସରଣ କରନ୍ତୁ ।

 

ଦୀନବନ୍ଧୁ ମାଷ୍ଟରଙ୍କ ବୋଧଗମ୍ୟ ହେଲାନି ଉପଦେଶଗୁଡ଼ାକ । ଯାହା ସତ୍ୟ ତାହା ଚିରକାଳ ସତ୍ୟ । ଯାହା ଧର୍ମ ତାହା କାଳ କାଳକୁ ଅନୁସରଣ କରି ବଦଳେ ନାହିଁ । ନୀତି ଓ ମୂଲ୍ୟବୋଧର ଏକ ଶାଶ୍ୱତ ସ୍ୱରୂପ ଅଛି ।

 

କିନ୍ତୁ ଯୁକ୍ତିତର୍କ କରିବାର ବେଳ ବା ସ୍ଥାନ ନୁହେଁ ଭାବି ଦୀନବନ୍ଧୁ ବାବୁ କହିଲେ, ‘‘ବାହାଘର ନ ହେଲା ନାହିଁ । ଚାକିରିଟିଏ ଯଦି ମିଳିଯାଏ କେହି ସୁପାତ୍ର ମିଳିଯିବେ । ଯୌତୁକ ଦାବି ମଧ୍ୟ କମିଯିବ । ଚାକିରି କରୁଥିବା ଝିଅମାନଙ୍କ ପାଇଁ ବାପମା’ଙ୍କୁ ବେଶି ଚିନ୍ତା କରିବାକୁ ପଡ଼େନାହିଁ ।’’

 

ଚନ୍ଦ୍ରଗୁପ୍ତ କହିଲା, ‘‘ଭଲ କଥାଟିଏ କହିଛନ୍ତି ଆପଣ । ଚାକିରି କରୁଥିବା ଝିଅମାନଙ୍କ ପାଇଁ ଭାବିବାକୁ ପଡ଼େନାହିଁ । ସେମାନେ ନିଜ ନିଜର ରାସ୍ତା ତିଆରି କରିନିଅନ୍ତି ।’’

 

ଦୀନବନ୍ଧୂ ବାବୁ ପୁଣିଥରେ ନମସ୍କାର କରି ନିର୍ଦ୍ଧାରିତ ଦିନ, ସମୟ ଓ ସ୍ଥାନରେ ଝିଅକୁ ହାଜର କରିବାପାଇଁ କଥା ଦେଇ ବିଦାୟ ନେଲେ ।

 

ସେ ଚାଲିଯିବା ପରେ ଚନ୍ଦ୍ରଗୁପ୍ତ ମନକୁ ମନ କହିଲା, ହାୟ, ହାୟ, ! ଏ ଦେଶର ଶିକ୍ଷକ ଆଧୁନିକ ଜୀବନରୁ ଶିଖୁନାହାଁନ୍ତି, ଅତୀତରେ ସୀତା ଓ ସାବିତ୍ରୀଙ୍କୁ ଧରିବସିଛି, ଅଷ୍ଟମ ଦଶକର ପ୍ରଥମ ପାଦରେ ଲୀନା, ମୋନା ସୋନା କେତେ ଆଗେଇ ଗଲେଣି ସେ ଖବର ପହଞ୍ଚି ନାହିଁ ତା’ ପାଖରେ ।

 

ଚନ୍ଦ୍ରଗୁପ୍ତର ପିତା ବି ପ୍ରାଥମିକ ଶିକ୍ଷକ ଥଲେ । ସେଇଠୁ ଆରମ୍ଭ ଏବଂ ସେଇଠି ଶେଷ । ଚାଳିଶ ବର୍ଷ ଶିକ୍ଷକତା କରି ସେଇ ଗୋଟିଏ ବିନ୍ଦୁରେ ରହିଗଲେ । ତାଙ୍କର ଆଖି ଆଗରେ କେତେ ନୂଆ ମଣିଷ ଉଠିଲେ, କେତେ ନୂଆ ଘର ତୋଳା ହେଲା, କେତେ ନୂଆ ଲେଖା ହେଲା । କିନ୍ତୁ ସେ ଏକାପରି ରହିଗଲେ ବଦଳିଲେ ନାହିଁ, ଭଙ୍ଗା ଚାଳଟାକୁ ସଜାଡ଼ି ପାରିଲେ ନାହିଁକି ପୁତ୍ରକନ୍ୟାମାନଙ୍କୁ ଯଥୋଚିତ ଶିକ୍ଷା ଦେଇପାରିଲେ ନାହିଁ । ସତ୍ୟ, ଧର୍ମ, ଆଦର୍ଶ ପଛରେ ଦଉଡ଼ି କେବଳ ସହିଗଲେ ନିଜକୁ ପରିବାରକୁ । ଅନେକ ସୁଖ ଅନେକ ସୁବିଧାରୁ ବଞ୍ଚିତ କରିଗଲେ ।

 

ଚନ୍ଦ୍ରଗୁପ୍ତ ନୀତି ନିୟମର ପାଚେରୀ ଡେଇଁ ଆଗେଇଛି । ସତ୍, ଧର୍ମର ଶୃଙ୍ଖଳ ଫିଙ୍ଗିଦେଇ ସମୟର ଦାବି ଅନୁସାରେ ନିଜର ଆଚରଣର ପରିବର୍ତ୍ତନ କରିଛି । ସତ୍ୟ, ଧର୍ମ ନ୍ୟାୟ ଓ ନୀତିକୁ କିଛିଦିନ ପାଇଁ ସିନ୍ଦୁକ ଭିତରେ ସାଇତି ରଖିଲେ ପୃଥିବୀର କିଛି କ୍ଷତି ହେବ ନାହିଁକି ଆକାଶ ଖସିପଡ଼ିବେ ନାହିଁ ।

 

‘ଦି’ ବ୍ୟାଙ୍କ୍‌ ଅଫ୍‌ ଉତ୍କଳ’ରେ ଆଶାତୀତ ପ୍ରସାର ଘଟିଛି ଏ ଭିତରେ । ରାଜଧାନୀର ସୀମା ପାର ହୋଇ କଟକ, ରାଉରକେଲାରେ ବ୍ରାଞ୍ଚ ଅଫିସ ଖୋଲାଯାଇଛି । ସୋସିଆଲ ଅବ୍‌ଜେକ୍‌ଟିଭ୍‌ ବ୍ୟାଙ୍କ୍‌ର କାର୍ଯ୍ୟକଳାପ ଓ ମ୍ୟାନେଜମେଣ୍ଟ୍‍ର ବିଶ୍ୱାସ ଯୋଗ୍ୟତା ବଢ଼ାଇବା ପାଇଁ ସୋସିଆଲ ଜଷ୍ଟିସ୍‍ (ସାମାଜିକ ନ୍ୟାୟ) ପ୍ରତିଷ୍ଠା କରିବା ପାଇଁ ବ୍ୟାଙ୍କ୍‌ ଏଡ୍‌ପ୍‌ଟେଡ୍‌ ଭିଲେଜ (ପୋଷ୍ୟ ଗ୍ରାମ)ମାନଙ୍କରେ କାର୍ଯ୍ୟ ଆରମ୍ଭ କରିଛି ।

 

ଆଉ ସମୟ ଅଣ୍ଟୁ ନାହିଁ । ରାଜଧାନୀର ପ୍ରଶସ୍ତ ପଥମାନଙ୍କରେ ବେକାର ବୁଲୁଥିବା ଚନ୍ଦ୍ରଗୁପ୍ତ ଆଜି ସମ୍ରାଟ୍‍ ଚନ୍ଦ୍ରଗୁପ୍ତ ମୋର୍ଯ୍ୟ ପରି କାର୍ଯ୍ୟବ୍ୟସ୍ତ ।

 

କଣ୍ଢେଇ ନାଚ ଦେଖିବାକୁ ଭଲପାଏ ଚନ୍ଦ୍ରଗୁପ୍ତ । ସବୁ କଣ୍ଡେଇର ସୂତା ସୂତ୍ରଧର ହାତରେ, ସେ ଯେପରି ନଚେଇବ ସେପରି ନାଚିବେ କଣ୍ଢେଇମାନେ; ସେମାନଙ୍କର ନିଜସ୍ୱ ଇଚ୍ଛା ନାହିଁକି ଗତି ନାହିଁ, ସେମାନେ ସୂତ୍ରଧର ନିୟନ୍ତ୍ରଣାଧୀନ । ସୂତ୍ରଧରକୁ କିନ୍ତୁ କେହି ଦେଖନ୍ତି ନାହିଁ । ସେ ଅନ୍ତରାଳରେ ଥାଇ ଖେଳ ଦେଖାଏ । ମନେହୁଏ ପ୍ରତ୍ୟେକ କଣ୍ଢେଇର ନିଜସ୍ୱ ବୈଶିଷ୍ଟ୍ୟ ଅଛି, ନିଜସ୍ୱ ଇଚ୍ଛା ଓ ଗତି ଅଛି ।

 

ଚନ୍ଦ୍ରଗୁପ୍ତ ଅନ୍ତରାଳରେ ରହି କାମ କରିବା ଲାଗି ଶପଥ ନେଇଛି । ନେପଥ୍ୟର କୋଳାହଳ ବି ଗୋଟିଏ ସ୍ୱତନ୍ତ୍ର ମର୍ଯ୍ୟାଦା ଅଛି । ସୂତ୍ରଧର ହୋଇ ରହିବାକୁ ଭଲ ଲାଗେ ତାକୁ । ସାରକ ହୋଇ ତାହାରି ଭାଷାକୁ କୁହାଇବାକୁ ଚାହେଁ ନାୟକ ମୁହଁରେ । ସେଇଥିରେହିଁ ତା’ର ଆନନ୍ଦ ।

 

ଶୈବାଳ ସହିତ ସମ୍ପର୍କରେ ଆସିବାଦିନୁ ଦୁହିଁଙ୍କ ମଧ୍ୟରେ ବ୍ୟବଧାନ କମି କମି ଆସିଛି-। ବ୍ୟବଧାନକୁ ସଂଯୋଗ କରିବା ପାଇଁ ବନ୍ଧୁତ୍ୱର ସେତୁବନ୍ଧ ପଡ଼ିଛି । ସେଇ ବନ୍ଧୁତ୍ୱକୁ ଦୃଢ଼ କରିବା ପାଇଁ ସଂକଳ୍ପ କରିଛି ଚନ୍ଦ୍ରଗୁପ୍ତ ।

 

ଶୈବାଳର ଯେଉଁ କ୍ଷମତା ଅଛି ତା’ ପାଖରେ ତାହା ନାହିଁ । ତା’ର ଗୁଣ ବି ଶୈବାଳର ଥାଇ ନ ପାରେ । କିନ୍ତୁ ଉଭୟ ଏକତ୍ର ହେଲେ ଅସାଧ୍ୟ ସାଧନ କରାଯାଇପାରେ, ଅସମ୍ଭବକୁ ସମ୍ଭବ କରାଯାଇପାରେ । ଉଭୟ ଉଭୟଙ୍କର ପରିପୂରକ ।

 

ଶୈବାଳର ନେତୃତ୍ୱକୁ ସ୍ୱୀକାର କରିନେଇଛି ଚନ୍ଦ୍ରଗୁପ୍ତ । ସର୍ବସାଧାରଣଙ୍କୁ ନେତୃତ୍ୱ ଦବାର ସବୁ ଗୁଣ ଅଛି ତା’ର । ସେ ବକୃତାଦ୍ୱାରା ସେମାନଙ୍କୁ ମନ୍ତ୍ରମୁଗ୍‌ଧ କରିଦେଇପାରେ । ସେମାନଙ୍କର ମନର କଥାକୁ ସେମାନେ ବୁଝିପାରୁଥିବା ଭାଷାରେ କହିପାରେ, ସେମାନେ କର୍ତ୍ତବ୍ୟ ନିର୍ଣ୍ଣୟ କରି ନ ପାରି ଧନ୍ଦି ହେଉଥିବାବେଳେ ମଞ୍ଚ ଉପରକୁ ଆସି ସେ ସେମାନଙ୍କୁ ମୁକ୍ତିର ପଥ କହିଦିଏ; ସେମାନଙ୍କର ଦୁଃଖରେ ଆଖିରୁ ଲୁହ ପୋଛି ଦବାର ଏବଂ ସୁଖରେ ପାଖରେ ଛିଡ଼ାହୋଇ ସାହାସ ଦବାର କାଏଦା ତାକୁ ଜଣା । ସେଥିପାଇଁ ତା’ ପାଖରେ ଏକ ବିରାଟ ସମ୍ଭାବନା ସାକାର ହେଉଥିବାର ଦେଖେ ଚନ୍ଦ୍ରଗୁପ୍ତ । ଶୈବାଳ ନେତୃତ୍ୱ ଦେବାପାଇଁ ଜନ୍ମ ହୋଇଛି-। ସେ ଚିରକାଳ ନେତା ହୋଇ ରହିବ । କିନ୍ତୁ ନେତା ଯେଉଁ କାମ କରି ନ ପାରନ୍ତି ତାହା କରିବା ପାଇଁ, ଯେଉଁ ଭାଷା କହି ନ ପାରନ୍ତି ତାହା କହିବା ପାଇଁ ଆଉ ଜଣଙ୍କର ପ୍ରୟୋଜନ ହୁଏ ତାଙ୍କର ପତାକା ବୋହିବା ପାଇଁ, ତାଙ୍କର ଜୟଧ୍ୱନି ଦବାପାଇଁ, ତାଙ୍କୁ ମାଧ୍ୟମ କରି ତାଙ୍କର ଆଦର୍ଶ ବା ଲକ୍ଷ୍ୟକୁ ଆଗେଇ ନେବାପାଇଁ ବିଶ୍ୱାସଯୋଗ୍ୟ ଜଣେ ସହକର୍ମୀ ତଥା ବନ୍ଧୁର ପ୍ରୟୋଜନ । ଶୈବାଳର ସେଇ କାମ ତୁଲାଇବା ପାଇଁ ସୃଷ୍ଟି ହୋଇଛି ଚନ୍ଦ୍ରଗୁପ୍ତ । ଆଉ ଶୈବାଳର କାମ କଲାବେଳେ ସେ ନିଜ କାମ ବି କରେ ।

 

ନେତା ହେବା, ନାୟକ ହେବା ସହଜ ନୁହେଁ । ସେଥିପାଇଁ ଏଭଳି ଏକ ବ୍ୟକ୍ତିତ୍ୱ ଲୋଡ଼ା ହୁଏ ଯାହା ପାଖରେ ଥିବ ସଂକଳ୍ପ, ଆତ୍ମପ୍ରତ୍ୟୟ, କର୍ମପ୍ରବଣତା, ସାହସ, ସହିଷ୍ଣୁତା ଏବଂ ଧୈର୍ଯ୍ୟ ।

 

ଶୈବାଳର ସବୁ ଅଛି । ନୋହିଲେ ରେଢ଼ାଖୋଲରୁ ଆସି ରାଜଧାନୀରେ ଚମକ ସୃଷ୍ଟି କରିପାରି ନ ଥାନ୍ତା ।

 

କେବଳ ଭଲ କାମକରି ନେତୃତ୍ୱକୁ ସମ୍ଭାଳି ହୁଏ ନାହିଁ । ସେଥିପାଇଁ କଳା କୌଶଳ କରିବାକୁ ହୁଏ । ଭଲ ଓ ମନ୍ଦକୁ ନେଇ ଯଦି ଜୀବନ, ତୁମେ ସନ୍ଥହୋଇ ଜନ୍ମି ନାହିଁ ଯେ କେବଳ ଭଲ କରୁଥିବ, ଶତ୍ରୁ କୁ ବି ମ ବୋଲି କହିବ ନାହିଁ । ଶାମ ଦାମ ଭେଦ ଦଣ୍ଡ ଶାସନର ମୂଳନୀତି । ନେତୃତ୍ୱ ନିର୍ମାଣ ପାଇଁ ଏହାର ଆବଶ୍ୟକତା ଅଛି । ଶତ୍ରୁକୁ ଦମନ କରିବାକୁ ହୁଏ, ପ୍ରତିପକ୍ଷକୁ କୌଣସି ଉପାୟରେ ବଶୀଭୂତ ନୋହିଲେ ପରାଭୂତ କରିବାକୁ ହୁଏ, ଅବାଧ୍ୟକୁ ବାଧ୍ୟ କରିବାକୁ ହୁଏ । ଆଉ ଘୋଡ଼ା ନେ ହାତୀ ନେ ମୋ ପେଁକାଳ ବଜେଇ ଦେ’ କହି କାର୍ଯ୍ୟ ସାଧନ ପରେ ସମ୍ଭବ ହେଲେ ସମ୍ୟକ୍‌ ଦିଅ, ନଚେତ୍‌ ପ୍ରତିଶ୍ରୁତିକୁ ଭିନ୍ନ ରଙ୍ଗରେ, ଭିନ୍ନ ଭାଷାରେ ବାରମ୍ୱାର କୁହ, ପ୍ରତ୍ୟେକ ମୋଡ଼ରେ ତୁମେ ବଦଳିବାର ଛଳନାକରି ଅନ୍ୟମାନଙ୍କୁ ବଦଳାଇ ନିଅ ।

 

ଚନ୍ଦ୍ରଗୁପ୍ତର ହାତରେ ଆହୁରି ଅନେକ କାମ । ସମୟ ପାଇଲେ ବସିଯାଏ ଟିକେ । ନିଜର ଜୀବନ-ଦର୍ଶନକୁ ରୋମନ୍ଥନ କରେ । କେତେବାଟ ଚାଲିଆସିଲା, ପଛକୁ ଚାହିଁ ଦେଖିବା ଲାଗି ସମୟ ହୁଏନି ତାର, କିନ୍ତୁ ଅନେକ ବାଟ ଯିବାର ଅଛି ତାହା ତାକୁ ପ୍ରଲୋଭିତ କରେ, ସେ ଦୁଇଗୁଣ ଉତ୍ସାହରେ ପୁଣି ପାଦ ବଢ଼ାଏ, ଅମଡ଼ାବାଟକୁ ମାଡ଼ି ଯିବାବେଳେ କିଛି ଡାଳ ଭାଙ୍ଗିବାକୁ ହୁଏ, କିଛି ଘାସ ଉପରେ ପାଦ ରଖିବାକୁ ହୁଏ, ଆଉ ଦରକାର ହେଲେ ପୋଲଟିଏ ବାନ୍ଧିବାକୁ ହୁଏ-

 

ସେଇ କାମ କରେ ଚନ୍ଦ୍ରଗୁପ୍ତ । ଶୋଚନା ନାହିଁ, କିନ୍ତୁ ସଙ୍କଳ୍ପ ଅଛି ।

 

ଆଜି ଦିନଟା ନିରର୍ଥକ ହବାପରି ଲାଗୁଛି । ଏଯାଏ କିଛି କରି ନାହିଁ । ନିଜର ଜୀବନ-ଦର୍ଶନକୁ ଭାବି ଭାବି ଯଦି ସେ ଦାର୍ଶନିକ ହବ ନାହିଁ ତା’ହେଲେ ସେ କଥାକୁ ପଛରେ ରଖି ଦୀନବନ୍ଧୁ ମାଷ୍ଟରଙ୍କ ଝିଅ କଥା ଭାବିବା ଭଲ ।

 

ନାମଟା ସୁନ୍ଦର ।

ସେବା । ସେବା । ସେବା...

ତା’ ପରେ ହୋ ହୋ କରି ହସିଉଠିଲା ଚନ୍ଦ୍ରଗୁପ୍ତ ।

 

ସେବକ ଆଉ ସେବା... ଧନ୍ୟ ଧନ୍ୟ ସେଇ ଭାଷାବିତ୍, ଯିଏ ସୃଷ୍ଟି କରିଚି ଏଇ ଶବ୍ଦ...-

 

ସେ ଦେଶର ସେବା କରିବା ପାଇଁ ସେବକ ହୋଇ ବାହାରିଚି ।

ସେଇ ସେବା କାର୍ଯ୍ୟରୁହିଁ ସମୃଦ୍ଧିର ଜନ୍ମ... ।

 

ଅନୁଷ୍ଠାନର କଥା କହିବା ଲାଗି ମୁଖପାତ୍ରଟିଏ ଲୋଡ଼ା । ନିଜର କଥା କହିବା ପାଇଁ ଖବର କାଗଜଟିଏ ଆବଶ୍ୟକ ।

 

ଚନ୍ଦ୍ରଗୁପ୍ତର ମନରେ ଚମକି ଉଠିଲା ବିଜୁଳି ।

 

ସେ ଚୌକିରୁ ଉଠି ବସି କୋଠରୀ ଭିତରେ ଚାଲବୁଲ କରିବାକୁ ଲାଗିଲା । ଅସ୍ଥିର ହୋଇ ଉଠିଲା ମନ । କିଛି ଗୋଟେ କରିବାକୁ ହବ । ନିଜର କଥାଗୁଡ଼ାକୁ ଲୋକଙ୍କର କଥା ବୋଲି ଚଳେଇ ନବାପାଇଁ ଖବର କାଗଜଟିଏ ଦରକାର । ସାହିତ୍ୟ ଓ ସଂସ୍କୃତିକୁ ପ୍ରଭାବିତ କରି ନିଜକୁ ଏଇ ବୌଦ୍ଧିକ ସ୍ୱରୂପ ଦବା ପାଇଁ ପତ୍ରିକାଟିଏ ପ୍ରୟୋଜନ ।

 

ବୁଦ୍ଧି ଦିଶିଗଲା ଚନ୍ଦ୍ରଗୁପ୍ତକୁ ।

ସମବାୟହିଁ ଏ ଯୁଗର ବ୍ରହ୍ମାସ୍ତ୍ର ।

 

ଗଣତାନ୍ତ୍ରିକ ସାମ୍ୟବାଦୀ ସମାଜରେ ନିଜେ କିଛି କରିହୁଏନି । ମନୋପଲିର ଯୁଗ ଚାଲିଯାଇଚି । ଲକ୍ଷ୍ୟ ଏବଂ ଆଦର୍ଶକୁ ମାନ୍ୟତା ଦେଇ ଲୋକମାନଙ୍କର କାମ କରିବା ନିମନ୍ତେ ଗୋଟିଏ ଅନୁଷ୍ଠାନ ଲୋଡ଼ା, ଯାହାର ଭିତ୍ତିଭୂମି ସଦୃଶ ରହିବେ ସର୍ବସାଧାରଣ, କିନ୍ତୁ ଶୀର୍ଷରେ ରହିବେ ନେତା ।

 

ସମବାୟ ଅନୁଷ୍ଠାନଟିଏ ଲୋଡ଼ା ।

 

ନାମ ନ ଥିବା କିଛି ଅନାମ ପୁରୁଷ ଓ ନାରୀଙ୍କ ନାମରେ ସେଇ ଅପରାହ୍ନରେ ସମବାୟ ଅନୁଷ୍ଠାନଟିଏ ଆରମ୍ଭ କଲା ଚନ୍ଦ୍ରଗୁପ୍ତ । ସଭ୍ୟ ଚାନ୍ଦା ମାତ୍ର ଏଗାର ଟଙ୍କା । ଶହେଟି ନାମ ଖାତାରେ ଲେଖି ପକେଇ ଦସ୍ତଖତ କରାଇ ନେଲା ସେମାନଙ୍କ ପାଖରୁ । ଦେଶର କାମ । ଜାତିର କାମ । ଏଗାର ଟଙ୍କା ଯାହାର ନ ଥିଲା ଦବାପାଇଁ, ତା’ ପାଇଁ ଦେଇଦେଲା ଚନ୍ଦ୍ରଗୁପ୍ତ । ଏଗାର ଟଙ୍କା ଇମିତି କଅଣ ଯେ...ହାତରେ ପଇସା ହେଲେ ପରେ ଦବ ।

 

ଅନୁଷ୍ଠାନର ଛୋଟ ବଡ଼ ଅନାମଧେୟ କର୍ମୀ, ଘର ଓ ବାହାରର ଲୋକଙ୍କୁ ନେଇ ସମବାୟ ସମିତି ଗଠିତ ହେଲା । ସେଇ ସନ୍ଧ୍ୟାରେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଏକତ୍ର କରି କାଗଜପତ୍ରରେ ବିବରଣୀ ଲେଖିବା ପାଇଁ ଯାହା ଆବଶ୍ୟକ ସବୁ ଶେଷକରି ବାହାରି ପଡ଼ିଲା ଚନ୍ଦ୍ରଗୁପ୍ତ ।

 

ରାତି ସେତେବେଳକୁ ନଅଟା । ଏଇ ସମୟଟା ପରାମର୍ଶ ପାଇଁ ବେଶ୍ ଅନୁକୂଳ ।

ଶୈବାଳ ନଅଟା ରାତିରେ ଚନ୍ଦ୍ରଗୁପ୍ତକୁ ତା’ ଆଗରେ ଦେଖି ବିସ୍ମିତ ହେଲା ନାହିଁ ।

 

ନିଶ୍ଚୟ ଜରୋରୀ କାମ ଅଛି । ଚନ୍ଦ୍ରଗୁପ୍ତ ସମୟ ପଛରେ ପଡ଼େନାହିଁ, ସମୟର ଆଗେ ଆଗେ ଚାଲିବା ତା’ର ଅଭ୍ୟାସ ।

 

ଶୈବାଳ କହିଲା, କିଛି ପିଇବ ?

ଚନ୍ଦ୍ରଗୁପ୍ତ ମୁଣ୍ଡ ହଲାଇଲା ।

ଦୁଇଜଣ ଦୁଇଟି ଗ୍ଲାସ ଧରି ପରସ୍ପରକୁ ‘ଚିଅର’ କରି ପାନ ଆରମ୍ଭ କଲେ ।

 

ଏଇ କାମଟି ନୂଆ ଆରମ୍ଭ ହୋଇଚି । କାମର ଭିଡ଼, ପ୍ରତିଷ୍ଠା ଏବଂ ପ୍ରଶଂସାର ଭିଡ଼ ଏବଂ ଭାବନା ଓ ଦୁର୍ଭାବନାର ଭିଡ଼ରୁ ମନକୁ ଟିକେ ମୁକ୍ତି ଦବା ସକାଶେ ପାନୀୟ ଟିକେ ପ୍ରୟୋଜନ । ପ୍ରଥମେ ରାଜି ହଉ ନ ଥିଲା ଶୈବାଳ । ଚନ୍ଦ୍ରଗୁପ୍ତ ନଛୋଡ଼ବନ୍ଧା । ସେ ବୁଝେଇଲା-ଆମେ ଗାନ୍ଧୀ କି ଗୋପବନ୍ଧୁ ନୋହୁ । ସେମାନଙ୍କ ନାମରେ କାମ କରୁଛୁ ମାତ୍ର । ବାହାର ଜୀବନ ସହିତ ବ୍ୟକ୍ତିଗତ ଜୀବନ ଏକ ହବ କାହିଁକି ? ବିଂଶ ଶତାବ୍ଦୀର ଚତୁର୍ଥ ଭାଗରେ ଜୀବନ ଖଣ୍ଡ ବିଖଣ୍ଡ ହୋଇ ଯାଉଚି । ପରିବାର ଭାଙ୍ଗିଯାଉଚି । ଭାଙ୍ଗିଯାଉଚି ଆଦର୍ଶ । ଆମେ ପଛରେ ପଡ଼ିଗଲେ ଚଳିବ ନାହିଁ । ଆମର ଅଯୋଗ୍ୟତା ପାଇଁ ଲୋକେ ହୁଏତ ସହାନୁଭୂତି ପ୍ରଦର୍ଶନ କରିବେ, କିନ୍ତୁ ବାହାବା ଦେବେ ନାହିଁ । ପିଅ । ଟିକେ ପିଇବାକୁ ଆରମ୍ଭ କର । ସବୁ ଯନ୍ତ୍ରଣା ଭୁଲିଯିବ । ସ୍ୱର୍ଗକୁ ନିଶୁଣୀ ପଡ଼ିବ । ଆଉ ତା’ପରେ ପ୍ରତ୍ୟେକ ଢୋକ ସହିତ ସ୍ୱର୍ଗ ହେବ ନିକଟତର-

 

ଆରମ୍ଭ ଦିନ କାଏଦା କହିଦେଇଥିଲା ଚନ୍ଦ୍ରଗୁପ୍ତ ।

 

ଗୋଟିଏ ସର୍ତ୍ତରେ ରାଜି ହୋଇଥିଲା ଶୈବାଳ । ଏହା ଦୁହିଙ୍କର ବ୍ୟକ୍ତିଗତ ବ୍ୟାପାର ହୋଇ ରହିବ । ଆଉ କେହି ଜାଣିବେ ନାହିଁ । ସବୁ କଥା ବାହାରେ ପ୍ରକାଶ କରାଯାଏ ନାହିଁ ।

 

ଚନ୍ଦ୍ରଗୁପ୍ତ ଭଗବାନଙ୍କ ନାମରେ ଶପଥ ନେଇଥିଲା ।

ସେଇଦିନୁ ଆରମ୍ଭ ହୋଇଚି ନୂତନ ବନ୍ଧୁତ୍ୱ ।

ଶୈବାଳ କହିଲା, ହଠାତ୍ ଚାଲି ଆସିଲ ଯେ...!

ଚନ୍ଦ୍ରଗୁପ୍ତ କହିଲା, ଜରୋରୀ କାମ ନ ଥିଲେ ମୁଁ ଏ ସମୟରେ ଆସେ ନାହିଁ ।

- କହିଯାଅ...

- ଆରମ୍ଭ ବହୁତ କହିବାର ଅଛି, କିନ୍ତୁ କିଛି କୁହାଯାଇ ପାରୁନାହିଁ ।

- ଅର୍ଥାତ୍ ?

 

- ତୁମେ ଯାହା କୁହ ଭାଷଣରେ କେତୋଟି ଖବର କାଗଜ ଛାପନ୍ତି ? ତୁମର ଫଟୋ କେହି ଛାପିଛି ଏଯାଏ ? ଲୋକମାନଙ୍କ କଥା କେହି ଲେଖୁଛି ? ସେମାନଙ୍କ ଦୁଃଖ ଦୁର୍ଦ୍ଦଶା କଥା କେହି ଭାବୁଛି ?

 

- ତୁମେ ସାମ୍ବାଦିକ ହବାକୁ ଚାହୁଁନ ନିଶ୍ଚୟ ।

 

- ଆମ ଲୋକଙ୍କର କଥା ଆମ ଭାଷାରେ କହିବାର ବେଳ ଆସିଛି । ଜନମତର ମୂଲ୍ୟ ଅନେକ । ଗଣତାନ୍ତ୍ରିକ ସମାଜରେ ଏହାକୁ ଏଡ଼ି ଦିଆଯାଇ ନ ପାରେ । ଆମ ଅନୁଷ୍ଠାନ ପକ୍ଷରୁ ପ୍ରଥମେ ଗୋଟିଏ ସାପ୍ତାହିକ ପ୍ରକାଶ ପାଉ । ତା’ପରେ ଦୈନିକ କରିବା ଖୁବ୍ ସହଜ ।

 

- ଏତେ ସହଜ ନୁହେଁ ଚନ୍ଦ୍ରଗୁପ୍ତ । କାଗଜ ଚଳେଇବା ପିଲାଖେଳ ନୁହେଁ ।

 

- ଗୋଟେ ବ୍ୟାଙ୍କ ଯିଏ ଚଳେଇ ପାରୁଚି, ପାଞ୍ଚ ହଜାର ଲୋକଙ୍କୁ ଯିଏ ଠୁଳ କରିପାରୁଛି, ତା’ର ନେତୃତ୍ୱ ଅଛି, ମାନିବାକୁ ହବ । ତୁମେ ପାରିବ । ଏଇ କାମ ତୁମକୁ କରିବାକୁ ହବ ।

 

ଅନେକ ସମୟ ଆଲୋଚନା ଚାଲିଲା । ଯୁକ୍ତିତର୍କ ବି ହେଲା । ଅର୍ଥନୈତିକ, ରାଜନୈତିକ ଏବଂ ସାମାଜିକ ଦିଗରୁ ବିଚାର ବିମର୍ଷ କରାଗଲା । ଚନ୍ଦ୍ରଗୁପ୍ତର ଯୁକ୍ତି ଅକାଟ୍ୟ । ସଂଗ୍ରାମ ଯଦି ଏଇଠାରେ ଶେଷ ହୋଇଯାଉ ନାହିଁ, ସମ୍ବାଦପତ୍ରଟିଏ ଲୋଡ଼ା । ନିଜର କଥାକୁ ଅନ୍ୟ ମୁହଁରେ କୁହାଇବା ପାଇଁ ସମ୍ବାଦପତ୍ରଟିଏ ଆବଶ୍ୟକ । ନିଜେ ନ କରି ସମବାୟ ସମିତି ଜରିଆରେ କଲେ ଉଦ୍ଦେଶ୍ୟ ସାଧିତ ହବ, ସମାଜବାଦୀ ଆଭିମୁଖ୍ୟର ପ୍ରସାର ବି ହବ । ଲାଭକ୍ଷତିର ବିଚାର ସବୁ କ୍ଷେତ୍ରପାଇଁ ପ୍ରଯୁଜ୍ୟ । ପ୍ରଥମ କ୍ଷତି ହବାର ସମ୍ଭାବନା ଯେ ନାହିଁ ଏହା ନୁହେଁ, କିନ୍ତୁ ଶେଷର କେବଳ ଲାଭ । ‘ସୁବିନିଯୋଗାତ୍ ସମୃଦ୍ଧି’ କଥାଟା ମିଛ ନୁହେଁ ।

 

ଅନେକ ଭାବିଚିନ୍ତି କହିଲା ଶୈବାଳ-କ୍ଷତି ସହିବ କିଏ ? ଟଙ୍କା ଆସିବ କୋଉଠୁ ?

 

- ସେଇଥିପାଇଁ ତ ସମବାୟ । ବ୍ୟାଙ୍କ ମୂଳଧନ ବାବଦକୁ କିଛି ଦବ, ସମବାୟ ବିଭାଗ କିଛି ଦବ । ସେଥିରେ କାମ ଚାଲିବ ।

 

ଲାଭ ଆମର, କ୍ଷତି ସମସ୍ତଙ୍କର । ମୁଁ ସେ ଦିଗ ସମ୍ଭାଳିବି । ତୁମେ ଖାଲି ଗ୍ରୀନ୍ ସିଗ୍‌ନାଲ ଦେଲେ ଗାଡ଼ି ଛାଡ଼ିବ... ।

 

ମନାକରି ପାରିଲା ନାହିଁ ଶୈବାଳ ।

- ଆଉ ଗୋଟେ କଥା... କହିଲା ଚନ୍ଦ୍ରଗୁପ୍ତ

- କୁହ

 

- ଶିଳ୍ପ କୁହ, ରାଜନୀତି କୁହ, ସାହିତ୍ୟ ଓ ସଂସ୍କୃତିକୁ ଛାଡ଼ି କିଛି ସମ୍ଭବ ନୁହେଁ । ସଂସ୍କୃତି ଆବରଣ ଦିଏ ମଣିଷକୁ । ସଂସ୍କୃତିହୀନ ମଣିଷ ତ ଆଦିମ, ଆରଣ୍ୟକ, ଉଲଗ୍ନ... । ସାହିତ୍ୟ ସଂସ୍କୃତିର ବାହନ । ସଂସ୍କୃତିବିତ୍‍ ଲୋକର ଛାପ ମାରି ସାହିତ୍ୟିକ ସୃଜନଶୀଳ ମୁଖା ପିନ୍ଧିବାଦ୍ୱାରା ବ୍ୟକ୍ତିତ୍ୱର ଆକର୍ଷଣ ବଢ଼େ । ସାପ୍ତାହିକ ସାଙ୍ଗକୁ ସାହିତ୍ୟ ଓ ସଂସ୍କୃତିର କଥା କହିବା ପାଇଁ ସାହିତ୍ୟ ପତ୍ରିକାଟିଏ ବି ଆବଶ୍ୟକ । ମାସିକ । ଆମ ରାଜ୍ୟର ଅଧିକାଂଶ ମୁଖ୍ୟମନ୍ତ୍ରୀ ସାହିତ୍ୟିକ ବା ସାମ୍ବାଦିକ, ଏକଥା ଭୁଲି ନ ଯାଅ ଯେପରି ।

 

- ଭଲ କଥା । ନାମ ଦୁଇଟା ବାଛିବା ଦରକାର ।

- ତୁମ ଉପରେ ସେ ଦାୟିତ୍ୱ ।

- ସାହିତ୍ୟ ପତ୍ରିକାର ନାମ-‘ସୃଜନୀ’, ଆଉ ସାପ୍ତାହିକର ନାମ ‘ସୂଚନା’ ।

 

- ବାଃ, ବାଃ...ଏଥିପାଇଁ ତୁମେ ନେତା, ମୁଁ କର୍ମୀ... । ତୁମ ଦୃଷ୍ଟିର ବିସ୍ତାର ଅଛି ମାନିବାକୁ ହବ ।

 

- କିନ୍ତୁ ସମ୍ପାଦକ କିଏ ହବ ? ମୋର ସମୟ ନାହିଁ ସେ କାମ କରିବା ପାଇଁ ।

ଟିକେ ଭାବିଲା ଚନ୍ଦ୍ରଗୁପ୍ତ ।

ଗୁଡ଼ାଏ ନାମ ସହିତ ଅନେକ ଗୁଡ଼ାଏ ମୁହଁ ଧାଡ଼ିବାନ୍ଧି ଛିଡ଼ାହେଲେ ଆଖି ଆଗରେ ।

 

ସେ ସବୁକଥା ଭାବିଥିଲା, କିନ୍ତୁ ଏ କଥାଟା କାହିଁକି କେଜାଣି ଚିନ୍ତାକରି ନ ଥିଲା ଆଦୌ-

 

- ଶୈବାଳ ମହାପାତ୍ର ମୁଖ୍ୟ ସମ୍ପାଦକ... ସହକାରୀ ସମ୍ପାଦକ ଜଣକୁ ବାହାର କରିବାକୁ ହେବ ।

 

- ବାହାର କରି ମୋତେ କୁହ । ନିର୍ବାଚନରେ ଯେପରି ଭୁଲ ନ ରହେ । ବିଶ୍ୱାସଯୋଗ୍ୟତା ବ୍ୟତୀତ ସାହିତ୍ୟ ଓ ସଂସ୍କୃତି ପ୍ରତି କିଛି ନିଷ୍ଠା ଥିବା ଦରକାର... ।

 

- ମୁଁ ପରେ କହିବି । ଗୁଡ଼ାଏ ନାମ ମନେପଡ଼ୁଛି । କିନ୍ତୁ ମନସ୍ଥିର କରିପାରୁନାହିଁ ।

- ପରେ କହିବ । ସମୟ ଯଥେଷ୍ଟ ଅଛି । କୌଣସି ଏକ ଶୁଭଦିନରୁ ଆରମ୍ଭ ହେଉ... ।

- ମୁଁ ଲାଗିଲି ୟା ପଛରେ । ମୋ ଉପରେ ସେ ଦାୟିତ୍ୱ ଛାଡ଼ିଦିଅ... ।

- ସେ ଭରସା ଅଛି ମୋର । ତୁମେ ଆଗେଇ ଯାଅ... ।

କାନ୍ଥଘଡ଼ିରେ ଠନ୍ ଠନ୍ ହୋଇ ବାଜିଲା ଏଗାରଟା ।

ଚନ୍ଦ୍ରଗୁପ୍ତକୁ ଫେରିବାକୁ ହେବ । ସେ ଉଠି ବସିଲା ଯିବାପାଇଁ ।

ଶୈବାଳ କହିଲା, ପ୍ରସଙ୍ଗଟା ଗୋପନୀୟ ରଖିବ । ପରେ ଘୋଷଣା କରିବା ।

ଚନ୍ଦ୍ରଗୁପ୍ତ ବିଦାୟ ନେଇ ବାହାରି ଆସିଲା ।

 

ରାତିର ଆକାଶ ଚାହିଁଥିଲା ରାଜଧାନୀର ମୁହଁକୁ, ଛାତିକୁ, ସର୍ବାଙ୍ଗକୁ । ସେଇ ଆଖିର ଦୃଷ୍ଟିରେ ଫୁଟି ଉଠୁଥିଲା ଅଦ୍ଭୁତ ଏକ କାମନା, ପାଇବାର ଅଭିଲାଷ । କୋଉ ଆଦିମ ଯୁଗରୁ ମଣିଷ ଖୋଜୁଛି...ଧାଇଁଛି ପଛରେ... ପାଇବା ନାମରେ, ଯାହା ପାଇଚି ତାହା ତାକୁ ସୁଖ ଦେଇପାରିନାହିଁ–ମନେହୋଇଚି, ଯାହା ଚାହୁଥିଲି ପାଇନାହିଁ, ଆହୁରି କିଛି... ଆହୁରି କିଛି । ଯାହା ପାଇଛି, ତା’ଠାରୁ ଆହୁରି ବେଶି ଆହୁରି ଅନ୍ୟ ରକମର ଆଉ କିଛି ଲୋଡ଼ା ।

 

ରାଜଧାନୀର ରାସ୍ତା ଉପରେ ବିଛେଇ ହୋଇପଡ଼ିଛି ସୋଡ଼ିଅମ ଭେପର ଲ୍ୟାମ୍ପର ସ୍ୱର୍ଣ୍ଣ ଆଲୋକ ।

 

ଚନ୍ଦ୍ରଗୁପ୍ତ ପରି କେତେ ଲୋକ ଅଶାନ୍ତ ମନରେ ବୁଲୁଛନ୍ତି ରାଜଧାନୀର ଗଳି କନ୍ଦିରେ ।

ନିର୍ମେଘ ଆକାଶ ।

 

ଚନ୍ଦ୍ରଗୁପ୍ତ ମନ ଭିତରେ ଅଣ୍ଡାଳି ହଉଚି । କିଏ ସେଇ ନାରୀ ବା ପୁରୁଷ ? କାହା ପାଇଁ ଏତେ ବ୍ୟାକୁଳତା ମନରେ ? କିଏ ସେ ?

 

ଦୀନବନ୍ଧୁ ମାଷ୍ଟରଙ୍କର ନିରୀହ ମୁହଁଟା ଉଦ୍ଭାସିତ ହୋଇଉଠିଲା ଆଖି ଆଗରେ ।

ତା’ପରେ ଅଦେଖା ମୁହଁଟି...କେବଳ କଳ୍ପନାର କେତୋଟି ରେଖା...

ଦୀନବନ୍ଧୁ ମାଷ୍ଟରଙ୍କ ଝିଅ ସେବା...

 

ବିବାହ ନିଷ୍ପ୍ରୟୋଜନ ହୋଇଯାଉଚି ଦୁନିଆରେ । ଅଥଚ ଝିଅକୁ ବିଭା କରାଇ ଦବା ପାଇଁ ସେ ବାରଦୁଆର ଶୁଣ୍ଢି ପିଣ୍ଡା ହଉଚନ୍ତି । ଶେଷରେ ବ୍ୟାଙ୍କଋଣ ଉପରେ ନିର୍ଭର... ।

 

ଦୀନବନ୍ଧୁ ମାଷ୍ଟ୍ରେ ମୂର୍ଖ...ସବୁ ଶିକ୍ଷକ ମୂର୍ଖ... ଏ ଦେଶର ଜନସାଧାରଣ ମୂର୍ଖ...ନୋହିଲେ ଭୋକଉପାସରେ ରହି, ଜମି ବିକ୍ରୀ ବା ବନ୍ଧକ ଦେଇ ଝିଅ ବିଭା ଦଉଥାଆନ୍ତେ, ସର୍ବସ୍ୱାନ୍ତ ହୋଇ ଜ୍ୱାଇଁଟିଏ କିଣୁଥାଆନ୍ତେ !

 

ଚନ୍ଦଗୁପ୍ତର ମନଟା ଜଳିଉଠିଲା ।

 

ସବୁ ବିବାହଯୋଗ୍ୟ ପୁଅମାନଙ୍କୁ ଜେଲଖାନା ଭିତରେ ଭର୍ତ୍ତି କରିଦେଇ ଚାବୁକ ଲଗାନ୍ତା ପିଠିରେ, ପିଚାରେ ।

 

ସବୁ ବିବାହଯୋଗ୍ୟ ଝିଅମାନଙ୍କୁ ଶୃଙ୍ଖଳମୁକ୍ତ କରି କୁହନ୍ତା, ଯାହାର ଯାହାକୁ ଇଚ୍ଛା ବରଣ କର...ତୁମର ସିଦ୍ଧାନ୍ତହିଁ ଶେଷ ସିଦ୍ଧାନ୍ତ... ।

 

ଚନ୍ଦ୍ରଗୁପ୍ତ ଆହୁରି ଯୋର୍‍ରେ ଚାଲିଲା । ଦେହ ଭିତରଟା ଅସ୍ଥିର ହଉଛି । ମନ ଭିତରଟା ହୁ ହୁ ହୋଇ ଜଳୁଛି ।

 

କଅଣ ହଜେଇଛି ସେ ? କଅଣ ପାଇବାକୁ ବାକି ଅଛି ଆଉ ?

ଘରେ ପହଞ୍ଚିବାବେଳକୁ ରାତି ବାଆଉ ।

ନିଜ କୋଠରୀର ତାଲା ନିଜେ ଖୋଲିଲା ଚନ୍ଦ୍ରଗୁପ୍ତ ।

 

ତା’ ପାଇଁ ଏଇ ନିର୍ଜୀବ ଘରଟା ଅପେକ୍ଷା କରିଚି । ମଣିଷଗୁଡ଼ା ଏତେ ବିଶ୍ୱାସଘାତକ ! ଇଟା ଓ ସିମେଣ୍ଟର ଘରଟା ନିର୍ଜୀବ ହେଲେବି ହଠାତ୍ ଜୀବନ୍ତ ହୋଇଉଠିଲା ତା’ ଆଖିରେ ।

 

ଘର ଭିତରକୁ ପଶିଯାଇ ଲାଲଟ୍ ଲଗାଇ କାନ୍ଥ ଉପରେ ଚୁମା ଦେଲା ଚନ୍ଦ୍ରଗୁପ୍ତ ।

 

ସାରାଦିନର ସମସ୍ତଙ୍କର ଚନ୍ଦ୍ରଗୁପ୍ତ ବର୍ତ୍ତମାନ ଏକାକୀ... ଏକାନ୍ତ ଏକାକୀ.. ତା’ କଥା ସେ ଏବେ ନିଜେ ଶୁଣିବ, ତା’ର ନିଶ୍ୱାସ ନିଜେ ଗଣିବ...ଆଉ ନିଜର ଜ୍ୱାଳା ଏବଂ ଯନ୍ତ୍ରଣାକୁ ନିଜ ଅଙ୍ଗରେ ନିଭେଇବ... ।

 

ହଠାତ୍ ପାଗଳପରି ନିଜକୁ ଓଠକୁ ନିଜେ ଦଂଶନ କଲା ଚନ୍ଦ୍ରଗୁପ୍ତ । ମୁଣ୍ଡର କେଶକୁ ଟାଣି ଓଟାରି ପକେଇଲା ।

 

ସେବା ଯଦି ଆସନ୍ତା ତା’ ଘରକୁ ।

ଆଉ ଭାବିପାରିଲା ନାହିଁ ଚନ୍ଦ୍ରଗୁପ୍ତ ।

 

ହଠାତ୍ ଭୂତ ଦେଖିବା ପରି ସେ ଚିରିଚିରେଇ ଉଠିଲା ଆତଙ୍କରେ-ନା, ନା, ନା...... କେହି ଆସିବା ଦରକାର ନାହିଁ...ମୁଁ ଏକା ଆସିଚି, ଏକା ରହିବି... ତମେ ସବୁ ବାହାରିଯାଅ ମୋ ଆଗରୁ....ବାହାରିଯାଅ...

 

ଦମ୍‌କରି ବନ୍ଦ କରିଦେଲା କବାଟ ।

 

ସକାଳ ସାତଟାରେ ବାହାରି ରାତି ଆଠଟାରେ ଫେରିଥିବା ଚନ୍ଦ୍ରଗୁପ୍ତ ପୁଣି ଏକାକୀ...ଏକାନ୍ତ ଏକାକୀ...

 

ପ୍ରତିଦିନର ଏଇ ରୁଟିନ...ଏଇ ଯନ୍ତ୍ରଣା...ସକାଳେ ବାହାରି ରାତି ବାରଟାରେ ଫେରିବାର ସେଇ ଅଦ୍ଭୁତ ନିଷ୍ପେଷିତ ଅନୁଭୂତି ତାକୁ ବିବଶ କରି ଆଣିଲା ।

 

ଚନ୍ଦ୍ରଗୁପ୍ତ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ପିଲାପରି ।

ଶୈଳ ବସି ବସି ଭାବୁଥିଲା ।

 

ବାହାରେ ବର୍ଷା । ଆକାଶର ସବୁ ମେଘ ସବୁ ଜଳ ପୃଥିବୀପୃଷ୍ଠରେ ଢାଳିଦେବାପାଇଁ ବଦ୍ଧପରିକର ।

 

ଉଷ୍ଣ ପୃଥିବୀ ଶୀତଳ ହୋଇଯାଇଛି ।

 

ବର୍ଷା ପାଣିରେ ଡଙ୍ଗା ଭସାଇ ଦେଇ ତନ୍ମୟ ହୋଇ ପୋର୍ଟିକୋରେ ଛିଡ଼ା ହୋଇଚି ପିଲାଟିଏ । ଆଖିରେ ତା’ର ସ୍ୱପ୍ନ...

 

ଇମିତି ସ୍ୱପ୍ନ ଦିନେ ଦେଖୁଥିଲା ଶୈଳ ।

 

ସମୟର ପାଚେରୀ ଡେଇଁ ସେ ହଡ଼ଲସ୍ ରେସ୍ କରୁଚି ସେଇ ସ୍ୱପ୍ନକୁ ସାକାର କରିବା ପାଇଁ । କିନ୍ତୁ ସବୁ ନିରର୍ଥକ ହୋଇଯାଇଚି । ଯାହା ସ୍ୱପ୍ନ ତାହା ଯେପରି ମରୁଭୂମିର ମରୀଚିକାଠାରୁ ବି ଆହୁରି ଅବାସ୍ତବ ।

 

ଶୈଳର ଡଙ୍ଗା ଖଣ୍ଡକ ଭାସନ୍ତା କି ସମୁଦ୍ରରେ ! ପୋତାଶ୍ରୟରୁ ପୋତାଶ୍ରୟ ମାଡ଼ିଯାଆନ୍ତା ସେ ନିଜର ଡଙ୍ଗାରେ ପାଲ ମେଲାଇ । ସେ ଆଉ... ।

 

ସେଇଠି ରହିଗଲା ଶୈଳ ।

ଆଉ ଭାବିପାରିଲା ନାହିଁ ।

 

ବର୍ଷାର ଝୁମ୍‌ ଝୁମ୍ ଶବ୍ଦ ପାଗଳ କରୁଚି ତାକୁ । ଭିତରର ଅଭାବବୋଧ ଆହୁରି ତୀବ୍ର ହେଉଚି ।

 

ସେଇ ଆଦ୍ୟ ଯୌବନର ଆଦିକାଣ୍ଡ... ସେଇଠି ଅସମ୍ପୂର୍ଣ୍ଣ ହୋଇ ରହିଗଲା । ପୁରୁଷର ପଜେସିଭନେସ୍‌କୁ ଭୟ କରେ ସେ । ଏତେ ଲୋଭ । ସଂଗ୍ରହ କରିବାର ଏତେ ଆକାଙ୍‌କ୍ଷା, ସଞ୍ଚୟ କରିବାର ଏତେ ମୋହ । ସେ ପିଲାଦିନୁ ଭିନ୍ନ ଭାବରେ ବଢ଼ିଥିଲା । ସ୍ୱାଧୀନତାର ସ୍ୱାଦ ତାକୁ ମହୁ ଚଖାଇ ଦେଇଥିଲା ।

 

ଶୈବାଳ ତାକୁ ଚାହୁଥିଲା ସମ୍ପୂର୍ଣ୍ଣ ଭାବରେ । ସେଠାରେ ସେ ଏକାକୀ ଛତ୍ରପତି । ସେଦିନ ଛତ୍ରପତିକୁ ଦେଖି ଡରି ଯାଇଥିଲା ଶୈଳ । ପୁରୁଷର ପଜେସିଭ୍‌ନେସ୍ ତାକୁ ବିଦ୍ରୋହୀ କରି ଦେଇଥିଲା ।

 

କିନ୍ତୁ ତା’ ସତ୍ତ୍ୱେ ଯଦି ମନର ମଣିଷ ଆସିଥାଆନ୍ତା ସେ କଅଣ ତାକୁ ଫେରେଇ ଦେଇ ପାରିଥାଆନ୍ତା ? ବାପାଙ୍କର ବଦଳି ଏକ ସାଧାରଣ ଘଟଣା । ବଦଳି ହୋଇ ସେ ଓଡ଼ିଶା ମୁଲକରୁ ମେରୁ ପ୍ରଦେଶକୁ ଚାଲିଯାଇ ନ ଥିଲେ । ତାକୁ ଖୋଜି ବାହାର କରିବାକୁ ପଡ଼ି ନ ଥାନ୍ତା । କିନ୍ତୁ କେହି ଆସିଲେ ନାହିଁ; କେହି ତା’ର ପଥ ରୋକି ଛିଡ଼ାହେଲେ ନାହିଁ । ବରଂ ସେତେବେଳେକୁ ପ୍ରଚାର ହୋଇଯାଇଛି ଯେ ସେ ପୁରୁଷର ସଙ୍ଗସୁଖ ଚାହେଁ, ତାକୁ ସଙ୍ଗୀ ଭାବରେ ଚାହେଁ ନାହିଁ । ପୁରୁଷ କିନ୍ତୁ ଖୋଜେ ନାହିଁ; ଯାହା ଥରେ ହଜିଯାଏ ସେଥିପାଇଁ ଆଉ ଫେରି ନ ଚାହିଁ ଆଉ ଗୋଟିକୁ ଗୋଟାଇ ନିଏ । ସେଥିପାଇଁ ସେ ପ୍ରତିଶୋଧ ନେବ ବୋଲି ସ୍ଥିର କରି କମ୍ କାଣ୍ଡ କରିନି-। କେତେ ଆସିଛନ୍ତି ତାର ସାନିଧ୍ୟ ପାଇଁ । ସେ ସେମାନଙ୍କୁ ସଙ୍ଗ ଦେଇଛି, ସଖ୍ୟ ବି ଦେଇଛି; କିନ୍ତୁ ତା’ପରେ ଚିରଦିନ ଘର କରିବା ଲାଗି ମନର ମଣିଷଟଏ ନ ପାଇ ଫିଙ୍ଗିଦେଇଛି ଦୂରକୁ । ସମସ୍ତେ ଯିମିତି ଧୁମ୍‌ଧାମ୍‌ରେ ଆସୁଥିଲେ, ସେମିତି ଚୁପ୍‌ଚାପ୍ ଫେରି ଯାଇଛନ୍ତି । ତାକୁ ବଦ୍‌ନାମ କରିବା ପାଇଁ ଚେଷ୍ଟା ହୋଇଛି । ତା’ ନାମରେ ଗପ ଲେଖାଯାଇଛି, ଗୁଜବ ସୃଷ୍ଟି ହୋଇଛି । ପୁରୁଷର ଏସବୁ ମାରଣାସ୍ତ୍ରକୁ କିପରି ପ୍ରତିହତ କରିବାକୁ ହୁଏ ଜାଣେ ଶୈଳ ଓ ବ୍ରହ୍ମାସ୍ତ୍ର ତା’ପାଖରେ । ସେଇ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ଦିନକୁ ରାତିରେ ପରିଣତ କରିଦେଇଥିଲା ସେ । ଦିନର ଭଦ୍ରବ୍ୟକ୍ତି, ସାଧୁ, ସନ୍ଥ ରାତିରେ କିମିତି ବିନାସର୍ତ୍ତରେ ଆତ୍ମସମର୍ପଣ କରିବା ପାଇଁ କଲବଲ ହୁଅନ୍ତି ତାହା ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ସେମାନଙ୍କ ପାଖରୁ ଯାହା ଆଦାୟ କରିବାର କଥା ସେତକ କରିସାରି ସେମାନଙ୍କୁ ଛାଡ଼ି ଦେଇଥିଲା କଲବଲ ହବାପାଇଁ । ଏଇ ପୃଥିବୀଟା ଏତେବଡ଼ ଯେ ଦଳେ ଗଲେ ଆଉ ଦଳେ ଆସନ୍ତି । ରାଜଧାନୀର ଆକାଶରେ ଖାଲି ଇନ୍ଦ୍ରଧନୁ ଉଠେ ନାହିଁ, ଅନ୍ୟଠି ବି ସେଇ ସପ୍ତରଙ୍ଗର ଶୋଭା ଦୃଷ୍ଟିଗୋଚର ହୁଏ ।

 

ଶୈଳ ଠକିଚି । ସେ ଠକି ଠକି ଶିଖିଛି । ସେଥିପାଇଁ ସବୁ କ୍ଷୋଭ ସତ୍ତ୍ୱେ ସେ ଜୀବନକୁ ଭଲପାଏ । ସମୟ ତାକୁ ଦେଇଛି ଅନୁଭୂତି, ଜୀବନ ଦେଇଛି ଉପଲବ୍‍ଧି । ସବୁ ବିଫଳତାକୁ ବାସିଫୁଲ ପରି ଫିଙ୍ଗି ଦେଇ ନୂଆକରି ସେ ଆରମ୍ଭ କରୁଛି । ଯଦି ସେ ମିଳିଯାଏ... ।

 

ବର୍ଷାରେ ଭିଜିବା ପାଇଁ ଇଚ୍ଛା ହୁଏ ଶୈଳର ।

 

ଦିନେ ବର୍ଷାରେ ଭିଜି ଭିଜି କଲେଜରୁ ଫେରୁଥିବାବେଳେ ନିଜର ଛତାଟାକୁ ତା’ ହାତକୁ ବଢ଼ାଇ ଦେବାବେଳେ ବନ୍ଧୁ ଜଣକୁ ସେ କହିଥିଲା, ଏଡ଼େ ନିଃସ୍ୱାର୍ଥପର ହଉଚ କାହିଁକି ! ବାବାଜି ଯେତେବେଳେ ହେବ ନାହିଁ, ଚାଲିଆସ ପାଖକୁ, ସାଙ୍ଗ ହୋଇ ଚାଲିବା, ଗୋଟେ ଛତା ତଳେ ସେଥିପାଇଁ ଯଥେଷ୍ଟ ଜାଗା ଅଛି ।

 

ସାଙ୍ଗ ହୋଇ ଚାଲିବା କହିଲେ ଚାଲି ହୁଏ ନାହିଁ । ପ୍ରଥମ ଯୌବନର ମନଟା ଠିକ୍ ବାଟ ଖୋଜୁଥିବା ନୂଆ ସ୍ରୋତ ପରି । ଶୈଳର ସ୍ମୃତିରେ ସେଦିନର କଥାଗୁଡ଼ାକ ଅଲିଭା ହୋଇ ରହିଛି ।

 

ସେଇ ସାଙ୍ଗ କୁଆଡ଼େ ଗଲାଣି । ଆଉ ଦେଖା ସାକ୍ଷାତ୍ ହୁଏନି । ନିଜ ଛତାତଳେ ସେ ଏକା ଏକା ଚାଲୁଛି । ଏଇ ସହରକୁ ନିଜର କର୍ମକ୍ଷେତ୍ର ଭାବରେ ବାଛିନବା ପରେ ସେ ଅନେକ ଗଳିକନ୍ଦି ବୁଲିଛି, ସଭାସମିତିକୁ ଯାଇଛି, ବ୍ଳବ୍ ଏବଂ ପାର୍ଟିରେ ଯୋଗ ଦେଇଛି ଜୀବନ ସଙ୍ଗୀଟିଏ ଆବିଷ୍କାର କରିବା ପାଇଁ । ସମସ୍ତେ ଲୁଚକାଳି ଖେଳିଛନ୍ତି ତା’ ସାଙ୍ଗରେ । ପୁରୁଷମାନେ ଏହିପରି ଭାବ ଜମେଇ ମଧୁଚାଖି ଅଭାବ ରଖିଦେଇ ଚାଲିଯାଆନ୍ତି । ସେମାନଙ୍କର ସ୍ୱାକ୍ଷର ବହନ କରି ନାରୀଟିଏ ପଡ଼ିରହେ ତିଳ ତିଳ ଦଗ୍‌ଧ ହୋଇ ।

 

ଶୈଳ କୌଣସି ଗୁଣରେ କମ୍ ନୁହେଁ ପୁରୁଷ ପାଖରୁ । ସେ ନିଆଁ ପରି ପତଙ୍ଗକୁ ଆକର୍ଷଣ କରିବାକୁ ଯେପରି ପସନ୍ଦ କରେ ନାହିଁ, ପତଙ୍ଗ ହୋଇ ନିଆଁରେ ପଡ଼ିବା ପାଇଁବି ପସନ୍ଦ କରେ ନାହିଁ । ସେଇ ତରଳ ସମୟ ଅତିକ୍ରାନ୍ତ ହୋଇଯାଇଛି । ପ୍ରଥମ ତାରୁଣ୍ୟର ଚପଳତା ଆଉ ନାହିଁ । ବୟସ ତାକୁ ଦେଇଛି ଉପଲବ୍‌ଧି ଏବଂ ଅଭିଜ୍ଞତା । ସେ ଆଉ ସହଜରେ ଠକି ଯିବନାହିଁ ।

 

ସମଧର୍ମା ଜଣକୁ ଖୋଜୁଛି ଶୈଳ । ଏତେବଡ଼ ରାଜଧାନୀ । କିନ୍ତୁ ଏଯାଏ କେହି ଆସିନି ଆଗକୁ ।

 

ସମାଜସେବା କରିବା ପାଇଁ ଶପଥ ନେଇଛି ସେ । ଜୀବନ ପୂର୍ଣ୍ଣ ନ ହେଉ, ଧନ୍ୟ ହବ ତ ଏଥିରେ ! ବୋହୂ ହୋଇ ଗୃହାଙ୍ଗନରେ ସ୍ୱାମୀ ଓ ଶାଶୁ ଶ୍ୱଶୁରଙ୍କ ସେବାରେ ଆତ୍ମୋତ୍ସର୍ଗ କରିବା ନିମନ୍ତେ ତା’ର ଆଗ୍ରହ ବା ଆବେଗ ନାହିଁ । ସେ ସମଧର୍ମାଟିଏ ଖୋଜୁଛି । ଯୋଉମାନେ ଦିନେ ତା’ର ତାରୁଣ୍ୟକୁ ଲୋଭ କରି ଆସିଥିଲେ ସେମାନେ ଦାବି ପୂର୍ଣ୍ଣ କରି ନ ପାରି ଫେରିଯାଇଛନ୍ତି । ସେ ଯୌତୁକ ଦେବନାହିଁ, ଯୌତୁକ ନେବ । ତା’ର ଦାବି ଅନେକ ବଡ଼ । ଅବିଭାଜ୍ୟ ଆନୁଗତ୍ୟ ପାଇବା ପର୍ଯ୍ୟନ୍ତ ସେ ଅପେକ୍ଷା କରିବ ।

 

ଶୈବାଳ ମହାପାତ୍ରର ନାମଟା ଖବରକାଗଜ ପୃଷ୍ଠାର ମଝିରେ ମଝିରେ ବାହାରେ । ତା’ର ଅଗ୍ନିମୟ ବାଣୀ ଯୁବକମାନଙ୍କୁ ଉଦ୍‌ବୁଦ୍ଧ କରୁଥିବାର ସମ୍ବାଦ ତା’ ପାଖରେ ପହଞ୍ଚିଛି । ସେ ବିଭିନ୍ନ କ୍ଷେତ୍ରରେ ସୁଯୋଗ ସୃଷ୍ଟିକରି ଚାଲିଥିବାର ଖବର ମଧ୍ୟ ସେ ପାଇଛି । କିନ୍ତୁ ଚାରିଚକ୍ଷୁ ହୋଇନାହିଁ । ଶୈବାଳ ମହାପାତ୍ର ଅଜ୍ଞ ପରି ରହିଯାଇଛି । ସେଇ ବୋଧହୁଏ ସମଧର୍ମୀ ।

 

ଶୈବାଳ ସହିତ ଏଯାଏ ମୁହାଁମୁହିଁ ସାକ୍ଷାତ୍‍ ହୋଇନାହିଁ, କଥାଭାଷା ହୋଇନାହିଁ । କିନ୍ତୁ କାଗଜ ପଢ଼ି ସେ ଯାହା ଜାଣିଛି ସେଥିରେ ଚକିତ ହୋଇନି । ଶୈବାଳ ଇମିତି କିଛି ଗୋଟେ ହବ ବୋଲି ସେ ପ୍ରଥମରୁ ଆଶା କରୁଥିଲା । ଜଣେ ଜଣେ ଇମିତି ଲୋକ ଥାଆନ୍ତି ଯାହାଙ୍କ ହାତ ଖାଲି ହୁଏନି, ଶୂନ୍ୟରେ ହାତ ପାତିଲେ ବି ଫଳଟିଏ ପଡ଼େ କି ଫୁଲଟିଏ ଝଡ଼େ । ଠିକ୍ ସେହିପରି ।

 

ରେଢ଼ାଖୋଲର ଗାଉଁଲି ଗନ୍ଧ ଛାଡ଼ି ଆଜି ସହରରେ ଆସନ ଜମେଇ ବସିଛି ସେ । ନେତା ହୋଇଛି । ସମାଜସେବାରେ ହାତ ଦେଇଛି । ବ୍ୟାଙ୍କ ଖୋଲିଛି ।

 

ଚନ୍ଦ୍ରଗୁପ୍ତଠାରୁ ତା’ର ନାମଟା ପ୍ରଥମ ଶୁଣିଥିଲା ଶୈଳ । ସେତେବେଳେ ଚମକି ପଡ଼ିଥିଲା । କିନ୍ତୁ ଚନ୍ଦ୍ରଗୁପ୍ତକୁ କହି ନ ଥିଲା କିଛି । ବରଂ ଏପରି ଭାବ ପ୍ରକାଶ କରିଥିଲା ଯେଉଁଥିରୁ ଜଣାଯିବ ଯେ ଶୈବାଳର ନାମ ବି ସେ କେବେ ଶୁଣିନାହିଁ... । ଶୈବାଳ ଅନେକ ବଡ଼ ହୋଇଛି ଏ ଭିତରେ । ଚଉଦ ବର୍ଷର ବ୍ୟବଧାନ ପରେ ଚିହ୍ନିବ କି ନାହିଁ କେଜାଣି ।

 

ଫୋନ୍ କଲେ ହୁଅନ୍ତା । ବାହାରେ ବର୍ଷା ହେଉଛି । ତା’ର ହୃଦୟ ଭିତରଟା କିନ୍ତୁ ଶାନ୍ତ ଶୀତଳ ନ ହୋଇ ଉନ୍ମୁଖ ହୋଇ ଅନାଇ ରହିଛି । କିଏ ବାଜା ବଜେଇ, ବାଣ ଫୁଟେଇ ଆସିବ କେଜାଣି ! ଶୈବାଳ ସହିତ ସମ୍ପର୍କଟା ଗଢ଼ିଉଠୁଥିବାବେଳେ ବିଘ୍ନ ଘଟିଥିଲା, ଭାଙ୍ଗିଯାଇ ନାହିଁ । ଆଉ ଥରେ ମୂଳରୁ ଆରମ୍ଭ କରାଯାଇପାରେ ।

 

କିନ୍ତୁ କିଏ ଆଗ ଆରମ୍ଭ କରିବ-ସେ ନା ଶୈବାଳ ? ସେ ଏଇ ସହରକୁ ନିଜର କର୍ମଭୂମି ଭାବରେ ବାଛିଥିବାର ହୁଏତ ଶୈବାଳ ଜାଣିନାହିଁ, କାରଣ ଜାଣିଥିଲେ ହୁଏତ ଦେଖା ହୋଇସାରି ଥାଆନ୍ତା ।

 

ଚିଠି ଗୋଟେ ଲେଖାଯାଇ ପାରେ । ସେ ଲେଖିଥିଲାବି । କିନ୍ତୁ ଶୈବାଳ ଉତ୍ତର ଦେଲାନି । ସେଦିନ ସେଥିପାଇଁ ତାକୁ ମନେପକାଇ ଦେଲା । ଟେଲିଫୋନ୍‌ରେ ଜାଣି ଜାଣି ସେ ଉହ୍ୟ ରଖିଲା ନିଜର ପରିଚୟ । ପୁରୁଷ ଆଗରେ ଯେତେଦିନ ରହସ୍ୟ ହୋଇ ରହିବ ସେତେଦିନ ସେ ଦଉଡ଼ିବ ତୁମ ପଛରେ । ପରଦା ଖୋଲିଗଲେ ସେ ରହସ୍ୟ ରହେ ନାହିଁ । ସେ ଆଉ କାୟାକୁ ଛାଇ ପରି ଗୋଡ଼ାଏ ନାହିଁ ।

 

ପୁରୁଷ ଉତ୍କଣ୍ଠାରେ ଡହଳ ବିକଳ ନ ହେଲେ ତା’ର ଆବେଗ ବୃଦ୍ଧି ହୁଏନାହିଁ । ସେଥିପାଇଁ ସେଦିନ ଅପେକ୍ଷା ନ କରି ଚିଠି ଖଣ୍ଡେ ଲେଖି ଦେଇ ଚାଲିଆସିଲା ହୋଟେଲରୁ ।

 

ଏ ଭିତରେ ଶୈବାଳ ତାକୁ ଖୋଜିଛି କି ନାହିଁ ସେ ଜାଣିନାହିଁ, ଜାଣିବାର ସୁଯୋଗ ପାଇନାହିଁ ।

 

ଫୋନ୍‌ କଲେ ହୁଅନ୍ତା !

ରିସିଭର୍‌ଟା ଉଠେଇ ନେଇ ଡାଏଲ କଲା ଶୈଳ ।

ଟିକେ ପରେ ସେ ପାଖରୁ ଆବାଜ୍‍ ଆସିଲା–କିଏ ?

 

ଏତେ ମୋଟା ସ୍ୱର ଶୈବାଳର ନୁହେଁ ନିଶ୍ଚୟ । ଏମିତି ଅଭଦ୍ର ଭାବରେ ମଧ୍ୟ ସେ କଥା କହେ ନାହିଁ । ତା’ର ଆଉ ଯାହା ଦୋଷ ଥାଉନା କାହିଁକି, ଶୈବାଳକୁ କେହି ଅଭଦ୍ର କହିପାରିବ ନାହିଁ ।

 

ସେ ପାଖରୁ ଆଉଥରେ କିଏ ଜଣେ କହିଲା–କିଏ ସେ ?

 

ଶୈଳର ଇଚ୍ଛା ହେଉଥିଲା ଟେଲିଫୋନ୍‌ଟା ରଖିଦବା ପାଇଁ । କିନ୍ତୁ ପରେ କ’ଣ ଭାବି କହିଲା, ବାବୁ ନାହାଁନ୍ତି ?

 

ସେପାଖରୁ ଉତ୍ତର ଆସିଲା, ଧରନ୍ତୁ ଡାକି ଦଉଛି ।

ଥର୍ମୋମିଟରରେ ରୋଗୀର ତାପ ବଢ଼ିବା ପରି ଶୈଳର ଉତ୍କଣ୍ଠା ହଠାତ୍ ବଢ଼ିଗଲା ।

ତା’ର ସର୍ବାଙ୍ଗ ଶିହରି ଉଠିଲା ।

 

ଶୈବାଳକୁ ପରିଚୟ ଦେବ କି ନାହିଁ ଭାବୁଥିବାବେଳେ ସେପାଖରୁ କଥା ଶୁଣାଗଲା, ଶୈବାଳ ମହାପାତ୍ର କହୁଛି...

 

ଖିଲ୍ ଖିଲ୍ କରି ହସିଉଠିଲା ଶୈଳ ।

ଟିକେ ଚକିତ କଣ୍ଠରେ ଶୈବାଳ କହିଲା, କିଏ ସେପାଖରେ ଅନୁଗ୍ରହ କରି କହିବ କି ?

 

ପୁଣି ଖିଲ୍ ଖିଲ୍ ହସର ଢେଉ ଉଛୁଳି ପଡ଼ିଲା । ଶୈବାଳ ବୋଧହୁଏ ଚେଷ୍ଟା କରୁଥିଲା ଜାଣିବାପାଇଁ । ଅତି ପରିଚିତ ସେଇ ହସ । ଅତି ନିକଟରେ । ଶୈବାଳ କହିଲା-

 

‘‘ସେଦିନ ଅପେକ୍ଷା ନ କରି ଚାଲିଗଲେ ଯେ... !

କିଛି ନ ଜାଣିବା ପରି ଶୈଳ କହିଲା, ‘‘କୋଉଦିନ ?’’

 

- ହୋଟେଲ କୋଣାର୍କରେ ଦେଖାହେବାର କଥା ଥିଲା ନା ? ଆପଣ ଆସିଥିଲେ... କିନ୍ତୁ ଚାଲିଗଲେ ବର ରୁଷି ଚାଲିଗଲା ପରି.... ।

 

ହଁ, ଇଏ ଠିକ୍ ଶୈବାଳ, ଆଦୌ ବଦଳି ନାହିଁ । ସେଦିନ ବକ୍ତୃତାର ସ୍ୱର ବି ଥିଲା ଠିକ୍ ଏହିପରି ଆପଣାର ।

 

ଶୈଳ କହିଲା, କାହା କଥା କହୁଛନ୍ତି ? କିଏ ଆସିଥିଲା ?

 

ଶୈବାଳ କହିଲା ସେପାଖରୁ–ମୋତେ ଆଉ ଭୁଲେଇ ପାରିବେ ନାହିଁ । ଆପଣଙ୍କ ସ୍ୱର ମୋର ମନେରହିଯାଇଛି ।

 

ଶୈଳ କହିଲା, ଏତେ ବଡ଼ ନେତା ମନେରଖନ୍ତେ ନି !

ଶୈବାଳ କହିଲା, କିନ୍ତୁ...

- କିନ୍ତୁ କଅଣ ?

- ଆପଣ ଅପେକ୍ଷା କରିଥିଲେ କହିଥାଆନ୍ତି ?

- ଏଇନେ କହନ୍ତୁ ।

- ଶୁଣିବାକୁ ଇଚ୍ଛା ହେଉଛି ?

- ହଉଛି...

- ଆଜି ଆସିବେ ?

- କେଉଁଠାକୁ ?

- ସେଇ ହୋଟେଲ କୋଣାର୍କ...

 

- ନା, ହୋଟେଲଟା ବିଶେଷ ନିରାପଦା ଜାଗା ବୋଲି ମୋର ମନେହୁଏନା । ଖୁବ୍ ଭିଡ଼ ସେଠାରେ...

 

- ତା’ ହେଲେ ?

- ଆପଣଙ୍କ ଘରେ ଆଉ କିଏ ଥାଏ ?

- ମୁଁ ଏକା, ଚାକର ଟୋକା ଏବଂ ଚୌକୀଦାର... ।

- ଚୌକୀଦାର ଜଗେ ଆପଣଙ୍କୁ ?

- ମୋତେ ନୁହେଁ, ଘରକୁ... ।

- ବାଃ ସା, ଖୁବ୍ ଭାଗ୍ୟବାନ୍ ତ...

- ମିନିମମ୍ ସୁରକ୍ଷା ବ୍ୟବସ୍ଥା ରହିବା ଉଚିତ ।

- ନିଶ୍ଚୟ, ନିଶ୍ଚୟ...

- ମୋ ଘରକୁ ଆସିବାରେ ବାଧା ନାହିଁ ।

- ନା, ନା, ଭୟ ଲାଗୁଚି...

- କାହିଁକି ?

- ଚାକର ଅଛି, ଚୌକୀଦାର ଅଛି, ଆଉ ଯେ କେହି ନ ଥିବ କିଏ କହିବ ?

- ମୋ କଥା ବିଶ୍ୱାସ କରନ୍ତୁ ।

- ଖାଲି କଥାରେ ବିଶ୍ୱାସ କରିହୁଏ ନାହିଁ ।

- ଆମେ ଖାଲି ଫୋନ୍‌ରେ ବା ଚିଠିପତ୍ରରେ ଗପୁଥିବା ନା ଆଉକିଛି... ।

- ଆଉ କଅଣ ?

- ଦେଖା ସାକ୍ଷାତ୍‍, ପରିଚୟ... ।

- ତା’ର ପ୍ରୟୋଜନ କଅଣ ? ଆମେ ପତ୍ରବନ୍ଧୁ...

- ଚିଠିର ବା କି ପ୍ରୟୋଜନ ଅଛି ?

- ଅଛି ।

- କଅଣ... ?

- ମନର ଉତ୍ତାପ ମାପିବା ପାଇଁ ।

- ଫୋନ୍‌ରେ କଥା ହବା କାହିଁକି ଦରକାର ?

- ସମ୍ପର୍କର ସେତୁ ବାନ୍ଧିବା ପାଇଁ ।

 

- ଆପଣଙ୍କ କଥାଗୁଡ଼ା କେଡ଼େ ସୁନ୍ଦର ଆଉ ମଧୁର ଠିକ୍ ଯେମିତି ଟୁପ୍‌ ଟାପ୍ ନିଜ କଥା କହି କହି ଝରିପଡ଼େ ଗଙ୍ଗଶିଉଳି-ଗଙ୍ଗଶିଉଳି ଫୁଲର କହିବାର ଅନେକ ଅଛି, କିନ୍ତୁ ତା’ କଥା ଶୁଣିବାକୁ କାହାର ସମୟ ଅଛି ?

 

- ଅଛି, ସେପରି ଦରଦୀ ଲୋକ ବି ଅଛନ୍ତି ।

- ହୁଏତ ଥିବେ, କିନ୍ତୁ ଚିହ୍ନିବାର ଉପାୟ କାହିଁ...

- ଦେଖାହେଲେ ସବୁ ପରିଷ୍କାର ହୋଇଯାଆନ୍ତା ।

- ଦେଖାହବା ଉପରେ ଏତେ ଯୋର ଦଉଛନ୍ତି କାହିଁକି ?

- ସମ୍ପର୍କକୁ ସ୍ଥାୟୀ କରିବା ଲାଗି... ।

- ଥରକ ଦେଖାରେ ସବୁ ସ୍ଥାୟୀ ହୋଇଯାଏ ?

- ସେଇଠୁ ଆରମ୍ଭ ହୁଏ ।

- ନା ସେଇ ଆରମ୍ଭରେ ଶେଷ ହୁଏ ?

- ଆରମ୍ଭଟା ଫୁଲ ଫୁଟିବାପରି । ମଲ୍ଲୀଫୁଲ ଯେତେବେଳେ ଫୁଟେ ଦେଖିଛନ୍ତି ?

- ଦେଖିନି, ଅନୁଭବ କରିଚି ।

- ଥରେ ଦେଖନ୍ତୁନା ।

- ଯିଏ ମଲ୍ଲୀଫୁଲ ପରି ପ୍ରତିଦିନ ଫୁଟେ ତାକୁ ଦେଖିବା ଦରକାର ହୁଏନି ।

- ପ୍ରତିଦିନ ଫୁଟିବା ନାରୀର ଧର୍ମ ।

- ଆଉ ଲୁଟିବା ପୁରୁଷର କର୍ମ ?

 

ପୁଣି ଖିଲ୍ ଖିଲ୍ ହସର ତରଙ୍ଗ ବହିଗଲା ଏ ପାଖରୁ । ଟେଲିଫୋନ୍‌ର ଯଦି ଜୀବନ ଥାଆନ୍ତା ସେ ନିଶ୍ଚୟ ସାଇତି ରଖନ୍ତା ଏଇ ମଧୁର ରୋମାଞ୍ଚକର ଅନୁରାଗର କଥାଗୁଡ଼ାକୁ । ଯିମିତି ମହୁମାଛି ସାଇତି ରଖେ ସଂଗ୍ରହ କରିଥିବା ମଧୁକୁ ।

 

ଶୈବାଳର ଅବ୍ୟକ୍ତ ଶିତ୍‌କାରର ଶବ୍ଦ ଭାସି ଆସିଲା ଟେଲିଫୋନ୍‌ରେ । ଆଃ !

- ପିମ୍ପୁଡ଼ି କାମୁଡ଼ିଲା କି ?

- କେବଳ ପରିହାସ କରୁଥିବେ ସବୁଦିନ... ।

- ପରିହାସ ପ୍ରାଣକୁ ହାଲୁକା କରିଦିଏ...

- ଆପଣଙ୍କ କଥା ଶୁଣି ମୋର ଜଣେ ବନ୍ଧୁଙ୍କ କଥା ମନେପଡ଼ୁଚି ।

- ବନ୍ଧୁ ନା ବାନ୍ଧବୀ ?

- ବନ୍ଧୁ... ବନ୍ଧୁ...

ଏଇଠି ମିଛ କହିଲା ଶୈବାଳ ।

ନିଜର ପରିଚୟ ଦେବାପାଇଁ ମନ ଭିତରର ପ୍ରବଳ ବାସନାକୁ ଚାପି ରଖିଲା ଶୈଳ ।

କଥାର ସମାପ୍ତି ଘୋଷଣା କରି କହିଲା ଶୈଳ, ପୁଣି ସୁଯୋଗ ହେଲେ ଫୋନ୍ କରିବି ।

- ତୁମର ନମ୍ବରଟା ଦିଅ...

- ମୋର ନମ୍ବର ନାହିଁ, ପବ୍ଲିକ୍ କଲ୍ ଅଫିସ୍‌ରୁ କହୁଚି ।

- ଓଃ ମାଇଁ ଗଡ଼୍... ସେଇ ଖୋଲା ଜାଗାଟାରେ ବସି...

- କ୍ଷତି କଅଣ ? ଲୁଚେଇ ଲୁଚେଇ ମୋତେ କଥା କହି ଆସେନି ।

ଟିକେ ଚୁପ୍ ହୋଇଗଲା ଶୈବାଳ ।

- ରହୁଚି ତା’ ହେଲେ....କହିଲା ଶୈଳ ।

- ସୁଯୋଗ ଖାଲି ତୁମର, ମୋତେ ସୁଯୋଗ ଦବନି ?

- ସୁଦିନ ଆସୁ ।

- ବାୟ ବାୟ

- ବାୟ ବାୟ

ଟେଲିଫୋନ୍ ରିସିଭରଟାକୁ ରଖିଦେଲା ଶୈଳ ।

 

ବେଶ୍ ହାଲୁକା ଲାଗିଲା ମନଟା । ଦେହରେ ଜମି ଉଠିବା ଉତ୍ତାପ ଶୀତଳ ହୋଇ ଆସିଲା । କିଏ ଯେପରି ତା’ର ସର୍ବାଙ୍ଗରେ ଆଉଁସି ଦେଇଗଲା ଫୁଲ ପାଖୁଡ଼ାରେ ।

 

ଏହାପରେ ଖାଲି ସ୍ୱପ୍ନ ଦେଖିବ ଶୈଳ...ଅନେକ ଅନେକ ସ୍ୱପ୍ନ, ଯେଉଁଠି ତା’ର ପରିଚୟ ନେତ୍ରୀ ନୁହେଁ, ସମାଜସେବିକା ନୁହେଁ, ସେ କେବଳ ପ୍ରତ୍ୟକ୍ଷମାଣା ଏକ ନାରୀ, ଏକ ପୂଜାରିଣୀ... । ନିଜ ମଧ୍ୟରେ ନିଜେ ଏକ ସ୍ରୋତସ୍ୱିନୀ ।

 

କଲିଂ ବେଲ୍ ବାଜିଉଠିଲା ତୀବ୍ର ଶବ୍ଦକରି ।

ଲୁଗାଟା ସଜାଡ଼ି ଦେଇ କବାଟ ଖୋଲିଦେଲା ଶୈଳ ।

ଚନ୍ଦ୍ରଗୁପ୍ତ ନମସ୍କାର କରି ପଶିଆସିଲା ଭିତରକୁ ।

- କଅଣ ଖବର, ଖୁବ୍ ବ୍ୟସ୍ତ ଜଣାପଡ଼ୁଛନ୍ତି ଯେ... କହିଲା ଶୈଳ ।

- ବ୍ୟସ୍ତ ମଣିଷହିଁ ସଫଳ ମଣିଷ ମ୍ୟାଡ଼ାମ୍...

- ଭଲଲାଗେ ଆପଣଙ୍କ କଥା ଶୁଣିବା ପାଇଁ ।

 

- ସେଇ ମୋର କାଳ, ଯୋଉଠିକି ଯାଏ ଅସଲ କଥା ନ କହି ଅନ୍ୟ କଥା କହି ଆସେ, ଯାହା କହିବାର କଥା ଅକୁହା ରହିଯାଏ ।

 

- ସତେ !

- ଆପଣଙ୍କ ପାଖକୁ ଜରୁରୀ କାର୍ଯ୍ୟରେ ଆସିଚି ।

- କୁହନ୍ତୁ ।

 

- ଆମ ଅନୁଷ୍ଠାନ ଚହଳ ପକେଇ ଦେଇଚି । ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା-‘ନିରାମୟ’ ।

 

- ଏଇ ନାମଟା କିନ୍ତୁ ମୁଁ ବାଛିଥିଲି ।

- ଆପଣଙ୍କୁ ମୁଁ କଙ୍ଗ୍ରାଚୁଲେସନ୍ ଜଣାଉଛି ।

- ‘ନିରାମୟ’ର କାମ ଆଗଉଚି ?

- ହଁ ଆରମ୍ଭ ହବା ସଙ୍ଗେ ସଙ୍ଗେ ସଫଳତା ।

- ମୁଁ ତ ଶୁଣିନି କିଛି ।

- ସେଇକଥା କହିବାକୁ ଆସିଚି ।

- କୁହନ୍ତୁ ।

 

- କ୍ୟାପିଟାଲର ବସ୍ତି ଅଞ୍ଚଳରେ ପ୍ରସୂତି, ଶିଶୁ, ବୃଦ୍ଧ ଏବଂ ଅକର୍ମଣ୍ୟମାନଙ୍କୁ ପୁଷ୍ଟିକର ଆହାର ଯୋଗାଇଦବ ଲାଗି ଆମ ସଂସ୍ଥାକୁ ମନୋନୀତ କରାଯାଇଚି ।

 

- ଖୁବ୍ ଭଲ ଖବର । ଆପଣଙ୍କୁ ଅଶେଷ ଧନ୍ୟବାଦ ।

 

- କିନ୍ତୁ ଆରମ୍ଭଟା ଜାକ୍‌ଯମକରେ କରିବାକୁ ହବ, ଲୋକେ ଯେପରି କହିବେ ନିରାମୟ ହ୍ୟାଜ୍ ଷ୍ଟାର୍ଟେଡ଼୍ ଉଇଥ୍ ଏ ବ୍ୟାଙ୍ଗ । ଉତ୍ସବଟିଏ ଲୋଡ଼ା ।

 

- ନିଶ୍ଚୟ, ଠିକ୍ ସିମିତି ହବା ଚାହିଁ ।

- ପ୍ରଥମ ମିଡ଼୍-ଡ଼େ ମିଲଟା ମନ୍ତ୍ରୀଙ୍କ ହାତରୁ ଆରମ୍ଭ ହେଉ...

- ପ୍ରସ୍ତାବଟି ଉତ୍ତମ । କିନ୍ତୁ ମନ୍ତ୍ରୀ ତ ଗୋଟିଏ ବିରଳ ବ୍ୟକ୍ତି...

- ଆପଣ ଇଚ୍ଛାକଲେ ସବୁ ହବ ।

- କାହାକୁ ଡାକିବା ?

- ଆମ କାମ ସହିତ ସମ୍ପର୍କ ଥିବ, ପରାକ୍ରମଶାଳୀ ବି ହୋଇଥିବେ... ।

- ଆପଣ ହୁସିଆର ଲୋକ ।

- ଆହୁରି ଗୋଟେ କଥା ।

 

- ସବୁ ଦେଲେ ବି ସମୁଦ୍ରକୁ ଶଙ୍ଖେ ପଣାପରି । ଯାହା ଦେବେ ସଗର ବଂଶ ଚଳୁ କରିଦେବେ । ଆମ ସଂସ୍ଥା ବଞ୍ଚିବା ଦରକାର, ଅନ୍ୟ ଖର୍ଚ୍ଚ ବି ଅଛି ।

 

- କଅଣ କରିବା ଉଚିତ ହବ ?

 

- ମୁଁ ପେରୁମଲ ସାଙ୍ଗରେ ପରାମର୍ଶ କରିଆସିଚି । ସେ ଗହମ, ଗୁଣ୍ଡଦୁଧ, ଚିନି ଡାଲି ସୀମା ସେ ପାଖରେ ବିକ୍ରୀକରି ଆମ ପାଉଣା ଦେଇଦବ ।

 

- କଥାଟା ଖରାପ ଶୁଭୁଚି କାନକୁ ।

 

- କିନ୍ତୁ ଭଲକାମ କରିବା ପାଇଁ ଖରାପ କଥା ଶୁଣିବାକୁ ହୁଏ । ଦେଶସେବା କରିବା ପାଇଁ ଯେତେବେଳେ ବାହାରିଛନ୍ତି ପଛେଇଗଲେ ଚଳିବ ନାହିଁ । ତା’ ପରେ ଆମେ ତ କାହାରି ତଣ୍ଟି କି ଗଣ୍ଠି କାଟୁନୁ...ଯାହା ଦାନସୂତ୍ରରେ ଆସିବ ସେଥିରୁ କିଛି ବିକ୍ରୀକରି ସେଇ ବିକ୍ରୟଲବ୍‌ଧ ଧନରେ ‘ସଂସ୍ଥା’କୁ ମଜବୁତ୍ କରିବୁ... ।

 

- ଏଇ ଅସହାୟମାନଙ୍କ ମୁହଁରୁ ଛଡ଼େଇ !

 

- ହଁ ମ, ଗୋଟାଏ କଥା ଅଛି ମ୍ୟାଡ଼ାମ୍-ତୋହର ଧନ ତୋତେ ଦେଇ, ମଝିରେ ମୁଁ ଦାତା ବୋଲାଇ । ଠିକ୍ କହିପାରୁନି...ତେବେ ଏୟା ହବ ବୋଧହୁଏ ଆମେ ନିମିତ୍ତ ମାତ୍ର । ଆମେ ଯାହା ରଖିବୁ ତାହା ନିଜପାଇଁ ନୁହେଁ, ସଂସ୍ଥା ପାଇଁ । ଦେଶସେବା ଶୂନ୍ୟରେ ହୁଏ ନାହିଁ । ଘୋଡ଼ାର ବି ଦାନା ଦରକାର ହୁଏ ।

 

- ସାବଧାନ ହୋଇ କରନ୍ତୁ, କଥାଟା ଲୋକେ ଜାଣିଗଲେ ବଦ୍‌ନାମ୍ ହିଁ ସାର ହବ ।

- ଚନ୍ଦ୍ରଗୁପ୍ତ ଉପରେ ସେ ଦାୟିତ୍ୱ ଦିଅନ୍ତୁ... ।

- ଆପଣ ଥିବା ପର୍ଯ୍ୟନ୍ତ ମୁଁ ନିଶ୍ଚିନ୍ତ ।

- ଅଭ୍ୟୁଦୟ ସମାଜର ନାମ ଶୁଣିଥିବେ ।

- ହଁ ।

ବ୍ୟାଙ୍କ୍ ଅଫ୍ ଦି ଉତ୍କଳର ପ୍ରସାର କଥା ଶୁଣୁଥିବେ ।

- ହଁ ।

 

- ନୂତନ କଳିଙ୍ଗ ସାମ୍ରାଜ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରି ଯେଉଁ ମହାପୁରୁଷ କାର୍ଯ୍ୟାରମ୍ଭ କରିଛନ୍ତି ଏ ଜାତିକୁ ଉଠେଇବା ପାଇଁ, ତାଙ୍କୁ ଏଯାଏ ଦେଖି ନାହାଁନ୍ତି... ।

 

- ନେତାମାନଙ୍କୁ ଭେଟିବାକୁ ଡର ଲାଗେ ମୋତେ ?

- ଇଏ ଖାଲି ନେତା ନୁହଁନ୍ତି, ସେବକ, ସାହିତ୍ୟିକ, ସାମ୍ବାଦିକ ମଧ୍ୟ...

- ବାଃ ବାଃ... ଆଉ କିଛି କରୁନାହାଁନ୍ତି ତ ?

- ଆଧ୍ୟାତ୍ମିକ ପୁରୁଷଟିଏ ନୂତନ ଚେତନାରେ ସଦାବେଳେ ଉଜ୍ଜ୍ୱଳ... ।

- ସୁବିଧା କରି ସାକ୍ଷାତ୍‍ କରିବି ।

 

- ହଁ, ହଁ, ଯେତେଶୀଘ୍ର ସମ୍ଭବ । ମନ୍ତ୍ରୀଙ୍କୁ ଡାକିବା ଦାୟିତ୍ୱ ତାଙ୍କ ହାତରେ ଦେଲେ ଆମର ସମସ୍ୟା କମିବ ।

 

- ସେ କାହିଁକି ଆମ କାମ କରିବେ ?

 

- ଇଏ କ’ଣ ତାଙ୍କ କାମ ନୁହେଁ ? ଲକ୍ଷ୍ୟ ଏକ, ସଂକଳ୍ପ ଏକ-ସମାଜ ସେବା...ଦେଶ ସେବା କରିବା ପାଇଁ ବାହାରିଛେ ଯେତେବେଳେ...

 

- ଭଲ କଥା । ଆପଣ କୁହନ୍ତୁ.... ।

- ଆପଣଙ୍କ ସମ୍ମତି ପାଇଲେ ମୁଁ ହନୁମାନ ପରି ସମୁଦ୍ର ବି ଲଙ୍ଘିପାରେ ।

- ଅଗ୍ରସର ହୁଅନ୍ତୁ ।

ଚନ୍ଦ୍ରଗୁପ୍ତ ବିଦାୟ ନେଇ ଚାଲିଗଲା ।

 

ଶୈଳ ମନକୁ ମନ କହିଲା, ଖାଲି କାମ ଆଉ କାମ, କାମ ଭିତରେ ବୁଡ଼ି ରହିବାପାଇଁ ଭଲପାଏ ଚନ୍ଦ୍ରଗୁପ୍ତ । ମୁହଁ ଉପରର ପ୍ରଫୁଲ୍ଲତା ଭିତରେ ଦୁଃଖ କି ଶୋକ କଅଣ ଲୁଚିଛି କେଜାଣି, ସେଠାରେ ସେ ଏକା, ସମ୍ପୂର୍ଣ୍ଣ ଏକା-ନୋହିଲେ ଶୋଇବା ସମୟତକ ବାଦ୍ ଦେଇ ସେ ବାହାରେ ବୁଲୁ ନ ଥାନ୍ତା ।

 

ଚନ୍ଦ୍ରଗୁପ୍ତ ପ୍ରତି ଦୟା ହୁଏ ଶୈଳର ।

 

ତା’ ନିଜର ଜୀବନ ବି ନିଛାଟିଆ ହୋଇଆସୁଚି । ଶୂନ୍ୟତାବୋଧ ଗ୍ରାସ କରୁଛି ତାକୁ । ବହୁ ଚେଷ୍ଟା କରି ବି ସେଇ ଶୂନ୍ୟତାକୁ ସେ ବିହିଷ୍କାର କରିପାରୁନାହିଁ । ବାହାରର କୋଳାହଳ ତା’ ପାଖରେ ନିରର୍ଥକ ହୋଇଯାଉଛି । ଅନ୍ତର ଭିତରର ଆଲୋଡ଼ନ ସ୍ତବ୍‌ଧ ହୋଇଯାଉଚି ବେଳେବେଳେ । ଏ ଜୀବନ କ’ଣ କେବଳ ପ୍ରତୀକ୍ଷା କରି କରି ସରିଯିବ ? କେଜାଣି... ।

 

ଶୈବାଳ ସହିତ ଏକତ୍ର ହବାକୁ ଇଚ୍ଛା ହୁଏ । ସେ ତାକୁ କିଡ଼ନାପ କରି ନିଅନ୍ତାକି ? ଖବରକାଗଜ ପୃଷ୍ଠାରେ ତା’ର ଫଟୋ ଦେଖିଛି ଶୈଳ ।

 

ବୀରପରି ଚେହେରା । ପୁରୁଷପରି ପୁରୁଷଟିଏ । ସେ ନିର୍ଭୟରେ ତାକୁ ଟେକିନେଇ ପଳାନ୍ତାକି !

 

ଆବେଗ ଏହିପରି । ପରିଚିତ ଜାଗା ଛାଡ଼ି, ପରିଚିତ ଲୋକଙ୍କର ପରିବେଶ ଛାଡ଼ି ଖାଲି ପଳେଇବାକୁ ଇଚ୍ଛାହୁଏ ନୂଆ ଜାଗାକୁ । ଯେଉଁଠାରେ କେବଳ ଦୁହେଁ ଦୁହିଁଙ୍କୁ ଦେଖୁଥିବେ । ଦୁହେଁ ଦୁହିଁଙ୍କ କଥା ଶୁଣିଥିବେ, ଆଉ ଦୁହେଁ ଏକ ହୋଇଯାଉଥିବାର ଅନୁଭବ କରୁଥିବେ... ।

 

ଶୈବାଳର ପଜେସିଭନେସ୍ ଦେଖି ସେଦିନ ଭୟ ହୋଇଥିଲା ଶୈଳର । ଆଜି କିନ୍ତୁ ଭାବୁଛି ପୁରୁଷର ସେଇ ପଜେସିଭ୍‌ନେସ୍ ତ ନାରୀକୁ ଆକର୍ଷଣ କରେ ।

 

ସେ ଚାହୁଁଥିଲା ଶୈବାଳକୁ ସମ୍ପୂର୍ଣ୍ଣ ଭାବରେ । ତା’ର ନିଜର ହୋଇ କିଛି ରହିବ ନାହିଁ, ଆଉ କାହାରି ପାଇଁ ସମୟ ଟିକେ ଦେଇପାରିବ ନାହିଁ; ଶୈବାଳର ଭୟଙ୍କର ପଜେସିଭନେସ୍‌କୁ ଡରି ତାକୁ ଦୂରେଇ ଦେଇଥିଲା ନିକଟତର ହବାପରେ । ବଦଳି ତାକୁ ସ୍ଥାୟୀ କରିଦେଲା ।

 

ଆଜି ଶୈବାଳ ନିଜ ଗୁଣରେ ନେତା । ସେ ଆଜି ସିଡ଼ି ତଳରେ ଠିଆ ହୋଇନାହିଁ, ସିଡ଼ିର ମଧ୍ୟଭାଗ ଅତିକ୍ରମ କରିଗଲାଣି, ସର୍ବୋଚ୍ଚ ସ୍ଥାନକୁ ଉଠିବା ନିଶ୍ଚତ ହୋଇଗଲାଣି । ଆଉ ସନ୍ଦେହ ନାହିଁ, ସଂଶୟ ନାହିଁ ।

 

ଏଇ କେତେଦିନର ବ୍ୟବଧାନ ସତ୍ତ୍ୱେ ପୁଣି ଦେହର ରୋମାଞ୍ଚରେ ଫୁଲ ଫୁଟେ ଶୈବାଳ ପାଇଁ । ସେ ପାଖକୁ ଆସନ୍ତା କି, ସବୁ ଫୁଲ ତୋଳିନେଇ ଉପହାର ଦିଅନ୍ତା ତାକୁ.... ।

 

କିନ୍ତୁ ସେଇ ବ୍ୟବଧାନକୁ ଦୂର କରିବା ପାଇଁ ସେତୁଟିଏ ଲୋଡ଼ା ।

ସେଇ ସେତୁ ବାନ୍ଧିବା ପାଇଁ ସଂକଳ୍ପ କଲା ଶୈଳ ।

ପୁଣି ଅତୀତର ଆବଗ ତାକୁ ନିଜର ବାସ୍ନାରେ ମହକାଇ ଦେଇଗଲା ।

ସେ ଅନାଇ ରହିଲା ନିଜକୁ... ।

ଆଃ ସେ କେଡ଼େ ସୁନ୍ଦରୀ... ଅଙ୍ଗରେ କେତେ ଅନୁରାଗ....

 

ବାହାରେ ସେ କେବଳ ଶୃଙ୍ଖଳ ଓ ଶାଳୀନତାର କଥା କୁହେ, କିନ୍ତୁ ଭିତରେ ଭିତରେ ବିଶୃଙ୍ଖଳ ହେବାପାଇଁ, ଅଶ୍ଳୀଳ ହବାପାଇଁ ପ୍ରବଳ ହଉଥିବା ବାସନାକୁ ସେ ଆଉ ଦମନ କରିପାରୁନାହିଁ ।

 

ଶୈବାଳ କଅଣ ଏତେଶୀଘ୍ର ଆସିବ ?

ଆଉ ଯଦି ଶୀଘ୍ର ଆସି ଶୀଘ୍ର କାମସାରି ଚାଲିଯାଏ ?

ନା, ନା, ନା....

 

ସବୁଦିନ ପାଇଁ ଶୈବାଳକୁ ଅଟକାଇ ରଖିବ ସେ । ଶୈଳ ନାମଟାକୁ ପୋଛିଦେଇ ସେ ମିସେସ୍ ଶୈବାଳ ମହାପାତ୍ର ହବାକୁ ଇଚ୍ଛା କରେ ।

 

ସୁଯୋଗ ଖୋଜୁଛି ଶୈଳ ।

 

ସାଙ୍ଗେ ସାଙ୍ଗେ ଧରାଦେଲେ ସୁଯୋଗ ଦୀର୍ଘସ୍ଥାୟୀ ହୁଏ ନାହିଁ । ଟିକେ ମାନ ଅଭିମାନ, ଟିକେ ଲୁଚକାଳି, ଧରା ନ ଦବାର ଟିକେ ଅଭିନୟ କରି ଶୈବାଳକୁ ପରଖି ନବ ସେ ।

 

ଯଦି ଭଲ ପାଇବାଲାଗି ଶୈବାଳର ଶକ୍ତି ଅଛି ସେ ନିଶ୍ଚୟ ଆସିବ...ସବୁ ଦୁରତ୍ୱ ଦୂର ହୋଇଯିବ...ସବୁ ବ୍ୟବଧାନ ଲୋପ ପାଇଯିବ... । ଦୁଇ ସମଧର୍ମୀ ଏକ ହେବେ । ସେ ହବ ସମଗୋତ୍ରୀ, ସହଧର୍ମିଣୀ ।

 

ନିଜକୁ ଆଲୋକିତ କରି ମହମବତୀ ପରି ଜଳିବାକୁ ଲାଗିଲା ଶୈଳ । ଆଉ ଗୋଟିକ ପରେ ଗୋଟିଏ ଅଙ୍ଗବସ୍ତ୍ରକୁ ନିଜ ହାତରେ ବାହାର କରିଦେଇ ଫୋପାଡ଼ି ଦେଲା ଦୂରକୁ ।

 

ଦୀନବନ୍ଧୁ ମାଷ୍ଟରଙ୍କ ସଂସାରରେ ପୁଣି କୋଳାହଳ ଶୁଭୁଛି । ଏଯାଏ ସମସ୍ତେ ଯେପରି ସଂସାରର ବୋଝ ବୋହି ନ ପାରି ମୁହଁମାଡ଼ି ପଡ଼ିଥିଲେ ତଳେ । ଏବେ ଉଠିଛନ୍ତି ପୁଣି ଆଉଥରେ ନୂଆ କରି ଆରମ୍ଭ କରିବା ପାଇଁ ।

 

ସେବା ଚାକିରି କରିଛି ବ୍ୟାଙ୍କରେ ।

ବ୍ୟାଙ୍କ ଅଫ୍‌ ଦି ଉତ୍କଳର ଲୋକସମ୍ପର୍କ ଅଫିସର ସେ ।

ଦୁଃଖ ପରେ ସୁଖର ସ୍ୱାଦ ଅନୁଭବ କରୁଛନ୍ତି ଦୀନବନ୍ଧୁ ମାଷ୍ଟ୍ରେ ।

 

ସୁଭଦ୍ରା କିନ୍ତୁ ଅଣ୍ଟା ସଳଖ କରି ଆଉ ଚାଲି ପାରୁନାହାଁନ୍ତି । ପୁରୁଣା ବାତଟା ବେଳେ ବେଳେ କଷ୍ଟ ଦଉଥିଲା, ଶୁଶ୍ରୁଷା ଘର ଛାଡ଼ି ଚାଲିଯିବା ପରେ ସେଇ ବାତଟା ସ୍ଥାୟୀ ହୋଇଯାଇଛି । ଦୀନବନ୍ଧୁ କାତର ହୋଇ କବିରାଜି, ହୋମିଓପାଥି ଅନେକ ଔଷଧ ଆଣିଲେ, କିନ୍ତୁ ଫଳ କିଛି ହେଲା ନାହିଁ । ଡାକ୍ତରୀ ବାକି ଥିଲା । ସେତକ ବି ହୋଇଯାଇଛି ଏ ଭିତରେ । ବୃଥାରେ ଅଢ଼େଇ ଶହ ଟଙ୍କା ଖର୍ଚ୍ଚ କଲେ ଦୀନବନ୍ଧୁ !

 

ସୁଭଦ୍ରା କହନ୍ତି, ମୋ ପାଇଁ ଏତେ କଷ୍ଟ କରିବା ଦରକାର ନାହିଁ, ପଇସା ସାରିବା ବି ଆବଶ୍ୟକ ନାହିଁ । ଯାହା ଅଛି ପିଲାଙ୍କ ପଛରେ ଖର୍ଚ୍ଚ କର । ସେମାନେ ଅଧାପେଟରେ ଅଛନ୍ତି, ଜାମା ପେଣ୍ଟ ଚିରିଯାଇଛି ।

 

ଦୀନବନ୍ଧୁ ହଠାତ୍‌ ସଚେତନ ହୋଇଯାଆନ୍ତି ସଂସାର ଓ ପୁଅଝିଅଙ୍କ ସମ୍ପର୍କରେ ।

ସତେତ ! ବୟସ ବଢ଼ୁଛି । ତା’ ସହିତ ପ୍ରୟୋଜନ ବି ବଢ଼ୁଛି ।

 

ସାନଝିଅ ସମାପ୍ତି । ଚିରା ଫ୍ରକ୍‌ଟିଏ ପିନ୍ଧେ ସ୍କୁଲରୁ ଫେରିବା ପରେ । ଆଉ ସ୍କୁଲକୁ ଯାଏ ସେଇ ଗୋଟିଏ ଫ୍ରକ୍‍ରେ । ସାଙ୍ଗମାନେ ଥଟ୍ଟା କରି କୁହନ୍ତି, ଏଇ ଗୋଟିକୁ ଆଦରି ନେଇଛୁ ସମାପ୍ତି ।

 

ସମାପ୍ତି ଉତ୍ତର ଦେଇପାରେ ନାହିଁ ।

 

ଝିଅଠାରୁ ସବୁ କଥା ଶୁଣି ଦୀନବନ୍ଧୁ ମିଶ୍ରେଙ୍କ ମୁହଁରୁ ସହସା ଭାଷା ସ୍ଫୁରେ ନାହିଁ । ତା’ପରେ ଟିକେ ଦମ୍‌ ନେଇ ଝିଅର ପିଠି ଆଉଁସି ଦେଇ କୁହନ୍ତି, ଭଲ ଦିନ ଆସିବ ମା’.....

 

ସମାପ୍ତି ବୁଝିଯାଏ ।

 

ସାଙ୍ଗମାନେ ନୂଆ ନୂଆ ପୋଷାକ ପିନ୍ଧି ଆସନ୍ତି । ଫେସନ୍‌ ବଦଳୁଛି ଶୀଘ୍ର ଶୀଘ୍ର । ଆଜି ଯାହା ନୂଆ କାଲିକୁ ତାହା ପୁରୁଣା ହୋଇ ଯାଉଛି । କିନ୍ତୁ ସ୍କୁଲ ମାଷ୍ଟରଙ୍କ ଝିଅ ସମାପ୍ତି । ବାପାଙ୍କ ପରି ପୁରୁଣା ରହିଯାଏ ।

 

ହେନାର ବାପା ପୁଲିସ୍‍ ବିଭାଗରେ କାମ କରନ୍ତି । ଲୀନାର ବାପା ଚେକ୍‌ଗେଟର କିରାଣୀ । ସଙ୍ଗୀତାର ବାପା ସପ୍ଲାଇ ଡିପାର୍ଟମେଣ୍ଟରେ, ଆଉ ଚେତନାର ବାପା ଏସ୍‌. ଡ଼ି. ଓ. ଙ୍କ ଅଫିସରେ ଅଛନ୍ତି । ସେମାନଙ୍କର ଅଭାବ ନାହିଁ । ସ୍କୁଲ ଶିକ୍ଷକ ବି ସରକାରୀ କର୍ମଚାରୀ । ଉଦୟାସ୍ଥ ଖଟିବାକୁ ହୁଏ । ଟିଉସନ ନ କଲେ ସଂସାର ଚଳେ ନାହିଁ । ସାମାଜିକତା ରକ୍ଷା କରାଯାଇ ପାରେନାହିଁ ।

 

ସମାପ୍ତିର ଛୋଟ ମନଟି ବାପାଙ୍କ କଥା ଶୁଣି ପୁଣି ସତେଜ ହୁଏ । ଦମ୍ଭ ଆସେ ମନରେ-। ସୁଦିନ ଆସିବ । ସେତେବେଳେ ସେ ନୂଆ ଫେସନ୍‌ର ଫ୍ରକ୍‌ ପିନ୍ଧିବ....... ।

 

ତାଙ୍କ ଘରେ କାମ କରୁଥିବା ବୁଧ୍‌ନିର ଝିଅ ପାଠ ପଢ଼େ ନାହିଁ । ତାହାରି ବୟସର । ତା’ର ଛିଣ୍ତା ଫ୍ରକ୍‌ ଖଣ୍ତକୁ ମା’ ଦେଇଥିଲେ ତାକୁ । ସେଇଟାକୁ ସିଲେଇ କରି ପିନ୍ଧି ବାହାରକୁ ବାହାରେ ରାଧା ।

 

ଦୀନବନ୍ଧୁ ମାଷ୍ଟ୍ରେ କୁହନ୍ତି, ତୋ ନାନି ଚାକିରି କଲାଣି, ଆଉ ଦୁଃଖ ରହିବ ନାହିଁ..... ।

ରାଧା ତା’ର ସମବୟସୀ ।

 

ତା’ର ଛିଣ୍ତା ଫ୍ରକ୍‌ଟାକୁ ପିନ୍ଧି ଯୋଉଦିନ ତାକୁ କିମିତି ମାନୁଛି, ଦେଖେଇବାକୁ ଆସିଥିଲା ସେଦିନ ସମାପ୍ତିର ଆଖି ସଜଳ ହୋଇ ଉଠିଥିଲା ।

 

ସେମାନେ ସବୁଠାରୁ ବେଶୀ ଦୁଃଖୀ ନୁହଁନ୍ତି । ଅନେକେ ଅଛନ୍ତି ଯେଉଁମାନଙ୍କର ଦୁଃଖ ସେମାନଙ୍କଠାରୁ ବେଶୀ, ଅଭାବ ସେମାନଙ୍କଠାରୁ ଅଧିକ ।

 

ଦୀନବନ୍ଧୁ ମାଷ୍ଟ୍ରେ ପିଲାମାନଙ୍କୁ ଏକତ୍ର କରି ରାମକୃଷ୍ଣ ନନ୍ଦଙ୍କର ପ୍ରାର୍ଥନା ବୋଲିବାକୁ କୁହନ୍ତି ।

 

ଆହେ ଦୟାମୟ ବିଶ୍ୱବିହାରୀ

ଘେନ ବୟାବହି ମୋର ଗୁହାରୀ

ଜଳ ସ୍ଥଳ ଗିରି ବନ ଆକାଶ

ସବୁଠାରେ ତୁମ ଲୀଳା ପ୍ରକାଶ ।

 

ପିଲାମାନଙ୍କର ଗୀତ ବୋଲା ଶେଷ ହୁଏ, କିନ୍ତୁ ଆଖି ଯୋଡ଼ିକ ଖୋଲିପାରିଛନ୍ତି ଦୀନବନ୍ଧୁ । ସର୍ବତ୍ର ଯାହାଙ୍କର ଲୀଳା ପ୍ରକଟିତ ତାଙ୍କୁ ସେ ଦେଖିନାହାଁନ୍ତି ଏଯାଏ । ସବୁଠାରେ ଯାହାଙ୍କର କୀର୍ତ୍ତି ତାଙ୍କୁ ଚିହ୍ନି ନାହାଁନ୍ତି ।

 

ଦିନ ସରିଯାଉଛି । ତେଲଲୁଣର ସଂସାରର ଦାବି ପୂରଣ କରିବାକୁ ସମୟ ଅଣ୍ଟୁ ନାହିଁ-। ତଥାପି ମନକୁ ମନ କୁହନ୍ତି ଦୀନବନ୍ଧୁ ମାଷ୍ଟ୍ରେ, ସମଦୃଷ୍ଟି ସମଚିନ୍ତା ଦିଅ ପ୍ରଭୁ । ହୃଦୟକୁ ଦିଅ ବିସ୍ତାର, ମନକୁ କର ଆଲୋକପରି ସ୍ୱଚ୍ଛ ଓ ସତେଜ । ସହିଷ୍ଣୁତା ଦିଅ । ସହାବସ୍ଥାନ ଦିଅ ।

 

ସୂର୍ଯ୍ୟ କୋଟି କୋଟି ଯୋଜନ ଦୂରରେ । ଗ୍ରହ, ଉପଗ୍ରହ, ନକ୍ଷତ୍ରମାନେ ବି କାହିଁ କେତେଦୂରରେ । କେବଳ ପାଖରେ ଏଇ ପୃଥିବୀ ।

 

ବିଶ୍ୱବ୍ରହ୍ମାଣ୍ତର କଳନା କରି ହୁଏ ନାହିଁ । ବିଶ୍ୱ ସ୍ରଷ୍ଟାଙ୍କୁ କଳନା କରି ହବ ?

 

ଦୀନବନ୍ଧୁ ମାଷ୍ଟ୍ରେ ଆଖି ଖୋଲି କୁହନ୍ତି, ପାଠ ପଢ଼, ଜ୍ଞାନ ଅର୍ଜନ କର, ସତ୍‌ ହୁଅ, ଭଲ ମଣିଷ ହୁଅ ।

 

ଶେଷ ପଦକ ଉପରେ ଯୋର ଦିଅନ୍ତି ।

 

ଆଚାର୍ଯ୍ୟ ହରିହରଙ୍କ କଥା ଶୁଣାନ୍ତି ପିଲାମାନଙ୍କୁ । ପାଥରପୁରୀ ହଷ୍ଟେଲରେ ଥିବାବେଳେ ଆଚାର୍ଯ୍ୟ ଦିନେ ପହଞ୍ଚିଯାଇ କହିଲେ, ସମୟ ଚାଲିଯାଉଚି । ନିଜ ସେବାରେ ତ ସମସ୍ତେ ବ୍ୟସ୍ତ, ଦେଶସେବା କରିବ କିଏ ? ତୁମେ ଭାଗ୍ୟବାନ, ଖାଇବାକୁ ପାଉଛ, ପିନ୍ଧିବାକୁ ପାଉଛ, ମୁଣ୍ତ ଗୁଞ୍ଜିବାକୁ ମୁଣ୍ତ ଉପରେ ଛାତଟିଏ ଅଛି, ଚିକିତ୍ସା ହବାପାଇଁ ଡାକ୍ତରଖାନା ଅଛି । କିନ୍ତୁ ଯେଉଁମାନଙ୍କର କିଛି ନାହିଁ, କେବଳ ହରି ଭରସା, ସେମାନଙ୍କ କଥା ମନେପକାଅ, ସେମାନଙ୍କ ପାଇଁ କିଛି କର... । ଆଉ ବଡ଼ ମଣିଷ ହୁଅ ବା ନ ହୁଏ ଭଲ ମଣିଷ ହୁଏ ।

 

ଆଚାର୍ଯ୍ୟେ କୋଉଦିନୁ ଗଲେଣି । କଥା ରହିଯାଇଚି ।

 

ତାଙ୍କର ମାର୍ବଲ ପ୍ରତିମୂର୍ତ୍ତି ରଖାଯାଇଚି ରାଜଧାନୀରେ । ତାଙ୍କ ଗୁରୁ ଗୋପବନ୍ଧୁଙ୍କ ମଥା ଉପରେ କୁଆ ହଗୁଛନ୍ତି, ଆଚାର୍ଯ୍ୟଙ୍କ ଉପରେ ହଗନ୍ତେ ନାହିଁ !

 

ଦେଉଳ ତୋଳିଲେ ନାମ ପଡ଼େ ।

ବାଟରେ ହଗିଲେ ବି ନାମ ପଡ଼େ ।

 

କିମିତି ନାମ କରିବ ଠିକ୍‌ କର । ଚିନ୍ତା କର । ଭାବ । ଭାବରେ ମିଳନ୍ତି ହରି, ଅଭାବକୁ ଦୂର ।

 

ପିଲାମାନେ ବଲ ବଲ କରି ଅନାନ୍ତି ତାଙ୍କ ମୁହଁକୁ । ବାପା ମାଷ୍ଟରି କରି କରି ବାଚସ୍ପତି ହୋଇଛନ୍ତି ସିନା ଆଜିର ଦୁନିଆକୁ ଚିହ୍ନି ନାହାଁନ୍ତି ବୋଲି କୁହେ ସେବା । ଦୁନିଆଁ କେତେ ବଦଳି ଗଲାଣି । ମଣିଷ କେତେ ଆଗେଇ ଗଲାଣି । ଈଶ୍ୱର ପଛରେ ପଡ଼ିଯାଇଛନ୍ତି । ପଛରେ ଅବାନ୍ତର ପଡ଼ି ରହିଛି ଈଶ୍ୱରତତ୍ତ୍ୱ ।

 

ନିଜ କଥା ଭାବିବାକୁ ସମୟ ନାହିଁ ।

ହରିଙ୍କୁ ପାଇବା ପାଇଁ ସାଧନା କରିବାକୁ ସମୟ କାହିଁ ?

 

ତଥାପି ସେବାର ନିଯୁକ୍ତ ଯେ ତାଙ୍କ ଅସୀମ କରୁଣାର ଫଳ ଏହା ନିଶ୍ଚିତ । ସେ ଦୟା କରି ନ ଥିଲେ ସେବା କିଏ: ଚାକିରି କିଏ ? ଆହା ! ଶୁଶ୍ରୂଷା ଯଦି ଘର ଛାଡ଼ି ଚାଲିଯାଇ ନ ଥାନ୍ତା....ତାକୁ ଠିକ୍‌ ଚଳେଇ ନେଇଥାଆନ୍ତା ସେବା ।

 

ଭାଗ୍ୟ । ସବୁ ଭାଗ୍ୟ । ଭାଗ୍ୟଂ ଫଳତି ସର୍ବତ୍ର ।

 

ନଳରାଜା ପରି ଭାଗ୍ୟ ଓଡ଼ିଆର । ସବୁ ଥାଇ ବି ସେ ଘୋଡ଼ାରେ ନ ଚଢ଼ି ଘୋଡ଼ା ପାଇଁ ଘାସ କାଟୁଛି ।

 

ଦୀନବନ୍ଧୁ ମାଷ୍ଟର ନିଜକୁ ନିଜେ ବି ଦୋଷ ଦିଅନ୍ତି । ସେ ପାଠପଢ଼ି କଅଣ କଲେ ? ତାଙ୍କର ଦୌଡ଼ କେତେଦୂର ? ପ୍ରାଥମିକ ପାଠଶାଳାରେ ଶିକ୍ଷକ ହୋଇ କିଏ କହିଥିଲା ତାଙ୍କୁ ପାଞ୍ଚଟି ସନ୍ତାନର ଜନକ ହବାକୁ? ସୁତରାଂ ସେ ଭୋଗିବେ ନାହିଁତ ଭୋଗିବ କିଏ ?

 

କିନ୍ତୁ ପୁଅ ଝିଅଙ୍କ ମୁହଁକୁ ଚାହିଁ ସବୁ ଭୁଲି ଯାଆନ୍ତି ଦୀନବନ୍ଧୁ ।

ପ୍ରଶାନ୍ତ ଯଦି ବୋବା ନ ହୋଇ ସାଧାରଣଙ୍କ ପରି ହୋଇଥାଆନ୍ତା !

 

କିନ୍ତୁ ତା’ର ବୁଦ୍ଧି ଦେଖି କାବା ହୋଇଯାଆନ୍ତି ଦୀନବନ୍ଧୁ । ମୂକବଧିର ବିଦ୍ୟାଳୟରେ ସ୍କଲରସିପ୍‌ ପାଇ ପଢ଼ୁଛି ସେ । କଥା କହିବାର ଶକ୍ତି ସିନା ତା’ ପାଖରୁ ଛଡ଼େଇ ନେଇଛନ୍ତି ଭଗବାନ ତାକୁ କିନ୍ତୁ ଆଶୀର୍ବାଦ କରିଛନ୍ତି ବିଚକ୍ଷଣ ବୁଦ୍ଧି ଦେଇ ।

 

- ‘‘ସେବାର ବିବାହ ବୟସ ଗଡ଼ିଯାଉଛି । ତାକୁ ଚାକିରି କରେଇ ତାହାରି ଟଙ୍କାରେ ପୋଷି ହେବ ? ପଛରେ ଛିଡ଼ାହୋଇ କହିଲେ ସୁଭଦ୍ରା ।

 

ସ୍ତ୍ରୀଙ୍କୁ ଚିହ୍ନନ୍ତି ଦୀନବନ୍ଧୁ । ତର୍କ କରି ଲାଭ ନାହିଁ । ତଥାପି କହିଲେ, ‘‘ତା ଟଙ୍କା ପ୍ରତିମାସ ଜମା ରହିବ ବ୍ୟାଙ୍କ୍‌ରେ । ସବୁ ତାହାରି କାମରେ ଲାଗିବ ।’’

 

- ‘ନ ହେଲେ ତୁମେ ଯୋଉ କରିତ୍‌କର୍ମା ବାପଟିଏ ନା-ନିଜ ହାତରୁ ଖର୍ଚ୍ଚ କରି ତାକୁ ବାହା କରାଇ ଦେଇଥାଆନ୍ତ ? ଛି, ଛି,.......ବାପ ହବାପାଇଁ ସଉକ ହେଲା କିମିତି ?

 

ଦୀନବନ୍ଧୁ ନୀରବ ରହିବାକୁ ଉଚିତ ମନେକଲେ ।

 

‘‘ସେ ଚାକିରି ଟଙ୍କା ମୋ ଘରେ ଯେପରି ନ ପଶେ । ତୁମେ ବ୍ୟାଙ୍କ୍‌ରେ ରଖ କି ପୋଷ୍ଟ ଅଫିସରେ ରଖ, ଯାହା କରିବା କଥା ତୁମେ କର, ମୋତେ ଶୁଣେଇବ ନାହିଁ । ମୁଁ ନ ଜାଣିବା ଭଲ-।’’

 

ଦୀନବନ୍ଧୁ କହିଲେ, ‘‘ମୁଁ ଖୋଜୁଛି । ଚାକିରୀ ଖଣ୍ତିଏ ପାଇଚି ଯେତେବେଳେ ପାତ୍ରଟିଏ ଅଭାବ ହବ ନାଇଁ । ଚାକିରି କରୁଥିବା କନ୍ୟାକୁ ବାହା ଦବାବେଳେ ଯୌତୁକ ଦବାକୁ ପଡ଼େ ନାହିଁ-।’’

 

‘‘ଓ ! ସେଥିପାଇଁ ଦଉଡ଼ିଥିଲ ଏତେ ! ଏଣେ ମିଛରେ ଡିଣ୍ତିମ ପିଟୁଥିଲ ଯେ ବ୍ୟାଙ୍କ୍‌ରେ ଟଙ୍କା ରଖି ତାହରି ବଳରେ ଋଣ ନେଇ ଝିଅ ବାହାଘର କରିବ ! ଧିକ୍‌ ତମ ପୁରୁଷତ୍ୱ.... ।’’

 

ଦୀନବନ୍ଧୁ କହିଲେ, ‘‘ଯାହା କହିବ କହିଯାଅ....ତୁଠପଥର ପରି ସବୁ ମାଡ଼ ସହିବି ମୁଁ....-।’’

 

- ‘‘ତୁମେ ସହନ୍ତ ନି କି ଦାଣ୍ତ ଲୋକ ସହନ୍ତା ? ଗୋଟେ ଝିଅ ତ ନିଜ ଇଚ୍ଛାରେ ଘର ଛାଡ଼ି ପଳେଇଲା ଆଉ ଜଣକ ସାଙ୍ଗରେ । କାହିଁ ବାହା ଦେଇପାରିଲ ? ବାହାବେଳେ ଝୁଣ୍ଟି ସୁନ୍ଦର-। ବାହାବେଳ ଗଡ଼ିଗଲେ ଆଉ ତା’ର ପ୍ରୟୋଜନ ହୁଏନାହିଁ ।’’

 

ଦୀନବନ୍ଧୁ ଅସହାୟ ପରି ଛିଡ଼ା ହୋଇ ଶୁଣୁଥିଲେ ସୁଭଦ୍ରାଙ୍କ ବଚନିକା ।

ଅଣପୁରୁଷ ହୋଇ ଜନ୍ମିଥିଲେ ଭଲ ହୋଇଥାଆନ୍ତା ।

 

ସୁଭଦ୍ରା କିନ୍ତୁ ଦବି ନ ଯାଇ କହିଲେ ଆହୁରି, ‘‘ଚାକିରୀ ହେଲା ଭଲ ହେଲା । କିନ୍ତୁ ଦଶରେ ଯିବୁ, ପାଞ୍ଚରେ ଫେରିବୁ ବୋଲି ଯେତେ କହିଲି, ତୁମ ଝିଅ ଶୁଣିଲା ? ମାସ ଗୋଟିଏ ପୁରିନାହିଁ, ସେ ଦଶଟାବେଳେ ଯାଇ କେତେବେଳେ ଫେରୁଚି ଦେଖୁଚ ? ତୁମ ଆଖିକୁ କିଛି ଦିଶୁନାହିଁ ? ନା ସବୁ ବୋଝ ମୋ’ରି ମୁଣ୍ତ ଉପରେ ଲଦି ନ ଜାଣିଲାପରି ବସିଛ !’’

 

ଦୀନବନ୍ଧୁ ଏତେକଥା ଜାଣି ନ ଥିଲେ । ସେବା ତାଙ୍କରି ସାଙ୍ଗରେ ବାହାରିଯାଏ ଘରୁ, କିନ୍ତୁ ଟିଉସନ ସାରି ସେ ଫେରନ୍ତି ରାତି ଦଶଟାକୁ, ସେତେବେଳକୁ ସେବା ଆସି ସାରିଥାଏ । ତେଣୁ ତା’ ଫେରିବା ସମୟ ନେଇ ସେ କେବେ ଚିନ୍ତା କରିନାହାଁନ୍ତି ।

 

ଦୀନବନ୍ଧୁ ଚିନ୍ତିତ ହୋଇ ପଡ଼ିଲେ । କାଳେ ଯଦି ଆଉ ଗୋଟେ ଅଘଟଣ ଘଟିଯାଏ । ହେ ପ୍ରଭୁ ! ସେବାକୁ ବୁଦ୍ଧି ଦିଅ, କୁଳରେ ଆଉ କଳଙ୍କ ନ ଲାଗୁ ।

 

ସେ ଧୀରେ ଧୀରେ କହିଲେ, ‘‘ମୁଁ ତ ଜାଣିନି ଏତେକଥା ! ତୁମେ ଆଜି କହୁଚ, ଆଗରୁ କହିପାରି ଥାଆନ୍ତ ।’’

 

ଫାଟିପଡ଼ି କହିଲେ ସୁଭଦ୍ରା, ‘‘ମୁଁ ପୋଇଲି ହୋଇନି ଯେ ସବୁ କାମ କରିବି, ତୁମ କଥା ବୁଝିବି, ତୁମ ପୁଅ ଝିଅଙ୍କ ସବୁକାମ କରିବି । ମୋର ପୋଡ଼ା କପାଳ, ନ ହେଲେ ମୁଠାଏ ଭାତ ପାଇଁ ହାଣ୍ତି ଶାଳରେ ପଡ଼ି ନ ଥାନ୍ତି.... ।’’

 

ଦୀନବନ୍ଧୁ ସୁଭଦ୍ରାଙ୍କୁ କହିଲେ, ‘‘ତୁନିହୁଅ କେହି ଯଦି ଶୁଣେ.... ।’’

 

- ‘‘କଅଣ ଆଉ ବାକି ଅଛି ଶୁଣିବାକୁ ଯେ ଏଇକଥା ଶୁଣିଲେ ତୁମକୁ ଆଉ ପାଟଛତି ମିଳିବ ନାହିଁ ! ନେଡ଼ିଗୁଡ଼ କହୁଣୀକୁ ବୋହିଗଲାଣି ।’’

 

ଦୀନବନ୍ଧୁ ଖୋଜିବା ପରି ଚାହିଁଲେ ଚାରିଆଡ଼କୁ । ସେବା ଫେରିଛି କି ନାହିଁ ପଚାରିବାକୁ ସାହସ ହେଉ ନ ଥିଲା ।

 

ଆଜି ସେ ସହଳ ଫେରି ଆସିଥିଲେ । ମୁକୁନ୍ଦବାବୁ ପିଲାମାନଙ୍କୁ ନେଇ ଶଳାର ବିଭାଘରକୁ ଯାଇଥିଲେ ବୋଲି ଦ୍ୱିତୀୟ ଟିଉସନ ନ ଥିଲା ଆଜି । ତୃତୀୟ ଟିଉସନ୍‌ ଛାତ୍ରକୁ ଗତକାଲିରୁ ଛୁଟି ଦେଇଥିଲେ ସେ ହସ୍‌ପିଟାଲରେ ଥିବା ତା’ ମା’ ପାଖରେ ରହିବା ପାଇଁ ।

 

ଟେବୁଲ ଘଡ଼ିଟିକୁ ଅନେଇଲେ ଦୀନବନ୍ଧୁ । ରାତି ଆଠଟା ।

ଇସ୍‌ !

 

ସେ ଲୁଗା ଜାମା ବଦଳାଇବା ପାଇଁ କଳଘରକୁ ଯିବାକୁ ଉଦ୍ୟତ ହଉଥିବାବେଳେ ଯୋତା ମଚମଚ କରି ଘର ଭିତରକୁ ପାଦ ବଢ଼େଇଲା ସେବା ।

 

ସୁଭଦ୍ରା କହିଲେ, ‘‘କଳଘରକୁ ପଛେ ଯିବ । ଆଗ ଝିଅ କଥା ବୁଝ ।’’

 

ସେବାକୁ ଚାହିଁଦେଇ କିନ୍ତୁ ଶଙ୍କିଗଲେ ଦୀନବନ୍ଧୁ । ସେ ହାତର ପଲିଥିନ୍‌ ଥଳିଟା ତଳେ ଥୋଇ ଦେଇ କହିଲା, ‘‘କଅଣ ଆଣିଚି ଦେଖ ବାପା !’’

 

ଦୀନବନ୍ଧୁ ସ୍ତ୍ରୀଙ୍କ ମୁହଁକୁ ଚାହିଁଲେ ।

ସୁଭଦ୍ରା କହିଲେ, ‘‘କ’ଣ ଆଣିଚୁ ?’’

 

ସମାପ୍ତି ଘର ଭିତରୁ ଦୌଡ଼ି ଆସି ବ୍ୟାଗ୍‌ଟାକୁ ଧରି ପଳଉଥିଲା । ସୁଭଦ୍ରା କହିଲେ, ‘‘ମୋ ଆଗରେ ଖୋଲ । ବାପା ବି ଦେଖନ୍ତୁ..... ।’’

 

ବ୍ୟାଗ୍‌ ଖୋଲି ଲୁଗା ବାହାରକଲା ସମାପ୍ତି ।

ଦୁଇଖଣ୍ତ ଶାଢ଼ୀ । ବ୍ଲାଉଜ୍‌ ପିସ୍‌ । ଫ୍ରକ୍‌ ଗୋଟେ ।

 

ଦୀନବନ୍ଧୁ ଡରି ଡରି କହିଲେ, ‘‘ଏଇତ ସେଦିନ ଚାକିରି କଲୁ; ଦରମା ହାତକୁ ଆସିନି । ଏତେଗୁଡ଼ା ଟଙ୍କା କୋଉଠୁ ପାଇଲୁ ଲୁଗା କିଣିବା ଲାଗି ?’’

 

ସେବା କହିଲା ନିର୍ବିକାର ଭାବର, ‘‘ମୁଁ କିଣିନି .....’’

- ‘‘କିଏ ଦେଇଛି ? ତୀବ୍ର ସ୍ୱରରେ ପଚାରିଲେ ସୁଭଦ୍ରା ।’’

- ‘‘ସେଇ ଚନ୍ଦ୍ରଗୁପ୍ତ ବାବୁ ।’’

- ‘‘କିଏ ସେ ?’’

 

- ‘‘ବଡ଼ ଭଲଲୋକ ସୁଭଦ୍ରା....ସେ ଦୟାକରି ଚାକିରି ଖଣ୍ତକ କରେଇ ଦେଇଛନ୍ତି ସେବାକୁ ।’’

 

ଝିଅକୁ ରକ୍ଷା କରିବା ପାଇଁ କହିଲେ ଦୀନବନ୍ଧୁ ।

 

ସୁଭଦ୍ରା ସେଇ ଲୁଗା ଉପରକୁ ଛେପ ଥୁକି କହିଲେ, ବାପ ଝିଅ ତୁମେ ଦୁହେଁ ନ ବୁଝ, ମୁଁ କିନ୍ତୁ ବୁଝୁଚି କାହିଁକି ସେ ଦେଇଚି ଏ ଲୁଗା । ଏଇ ଆରମ୍ଭ.... ।

 

ଶେଷକୁ ସ୍ୱର ଭାଙ୍ଗି ପଡ଼ିଲା ତାଙ୍କର ।

 

ସ୍ତବ୍‌ଧ ହୋଇ ଛିଡ଼ା ହୋଇଗଲେ ଦୀନବନ୍ଧୁ । ମଥା ନୁଆଁଇ ଧୀରେ ଧୀରେ ଘର ଭିତରକୁ ପଶିଗଲା ସେବା ।

 

ସୁଭଦ୍ରା ସ୍ୱାମୀଙ୍କ ପାଖକୁ ଲାଗି ଆସି କହିଲେ, ‘‘କିଛି ଲକ୍ଷ୍ୟ କଲ ?’’

ଦୀନବନ୍ଧୁ ମୂକ ହୋଇ ଯାଇଥିଲେ ।

 

ଦାଉ ସାଧୁଛି ବିଧାତା । ଭାଙ୍ଗିଯାଉଚି ଅହଙ୍କାର । ଧନ ନାହିଁ, ଜନ ନାହିଁ, ଗୋପଲକ୍ଷ୍ମୀ ଚତୁଃବର୍ଗ ଫଳ ମଧ୍ୟ ନାହିଁ; କିନ୍ତୁ ଥିଲା ନୀତି ନିୟମର ଆଭିଜାତ୍ୟ, ଚରିତ୍ରର ଅହଙ୍କାର । ସେତକ ଭୁଶୁଡ଼ି ପଡ଼ିବାକୁ ବସିଛି ।

Unknown

 

ସେବା ଛାଡ଼ି ଯାଇଥିବା ଜାଗାଟା ମହମହ ବାସୁଥିଲା ।

ସୁଭଦ୍ରା କହିଲେ, ‘‘ଏଇ ବାସ୍ନାଟା ଆମର ନୁହେଁ, ଆଉ କାହାର.... ।’’

 

ଦୀନବନ୍ଧୁ ଅସ୍ଫଷ୍ଟ ସ୍ୱରରେ କହିଲେ, ‘‘ତୁମେ ମା’, ବାରଣ କରୁନ ତାକୁ.... । ମୁଁ ତ ବାହାରେ ବାହାରେ ରହିଲି ସକାଳୁ ରାତିଯାଏ ।’’

 

ସେ ଚାକିରି କରି ସ୍ୱାଧୀନ ହୋଇଛି । ମୋ କଥା ମାନିବ ?

ଦୀନବନ୍ଧୁ କହିଲେ, ‘‘ନିଶ୍ଚୟ ମାନିବ ।’’

ସୁଭଦ୍ରା କହିଲେ, ‘‘କାଲି ହଳେ ନୂଆ ଯୋତା ଆଣିଥିଲା... ।’’

 

ଦୀନବନ୍ଧୁଙ୍କ ଆଖି ଆଗରେ ବସ୍ତ୍ରହରଣ ହେଉଛି । ଗୋଟିକ ପରେ ଗୋଟିଏ ଲୁଗା ଟାଣିନଉଛି ଦୁଃଶାସନ

 

‘‘ହେ କୃଷ୍ଣ ! ହେ ପାର୍ଥସାରଥି ! ଏ ଲଜ୍ଜା କେବଳ ଦୀନବନ୍ଧୁ ମାଷ୍ଟରର ଲଜ୍ଜା ନୁହେଁ, ତୁମର ବି ଲଜ୍ଜା ପ୍ରଭୋ ! ଦ୍ରୌପଦୀକୁ ତୁମେ ରକ୍ଷା କରିଥିଲ । ସେବା, ସୁଭଦ୍ରା, ଦୀନବନ୍ଧୁ ମାଷ୍ଟରକୁ ବି ତୁମେ ରକ୍ଷାକର ।’’

 

କାନ୍ଦିବା ପାଇଁ ଇଚ୍ଛା ହଉଥିଲା ତାଙ୍କର ।

 

ସୁଭଦ୍ରା ତାଙ୍କୁ ରୋଷେଇ ଘର ଭିତରକୁ ଟାଣିନେଇ କହିଲେ, ‘‘ଚନ୍ଦ୍ରଗୁପ୍ତ ବାହା ହୋଇଛି ନା ଅବିବାହିତ ?’’

 

ଦୀନବନ୍ଧୁ ବୋକା ପରି ଛିଡ଼ା ହୋଇ ରହିଲେ । କୌଣସି ଉତ୍ତର ଦେଇପାରିଲେ ନାହିଁ-

 

ତାଙ୍କୁ ଠେଲିଦେଇ କହିଲେ ସୁଭଦ୍ରା, ‘‘ଇମିତି ଭେଲେକା ପରି ଛିଡ଼ା ହୋଇଗଲ ଯେ.....-। ଟିକେ ବୁଝାବୁଝି କର । ଆଉ କିଛି ବଡ଼ ବିପର୍ଯ୍ୟୟ ହବା ପୂର୍ବରୁ ଝିଅକୁ ବିଦା କରିଦିଅ ।’’

ଦୀନବନ୍ଧୁ କହିଲେ, ‘‘ଚନ୍ଦ୍ରଗୁପ୍ତ ବିବାହିତ କି ଅବିବାହିତ, ବ୍ରାହ୍ମଣ କି ଶୂଦ୍ର କିଛି ଜାଣିନି ମୁଁ-। କେବଳ ଏତିକି ଜାଣେ ଯେ ସେ ପାରଙ୍ଗମ ଲୋକଟିଏ ।’’

ସୁଭଦ୍ରା କହିଲେ, ‘‘ବୁଝାବୁଝି କର । ଶୀଘ୍ର କିଛି ଗୋଟେ ସିଦ୍ଧାନ୍ତ କର । କଥା ଅନେକ ଦୂରକୁ ଆଗେଇ ଗଲାଣି ଯେତେବେଳେ ବ୍ରାହ୍ମଣ କି ଶୁଦ୍ର ଜାଣିବାର ବେଳ ଗଡ଼ିଗଲାଣି । ଜାତିଗୋତ୍ର କିଏ ମାନୁଛି ଆଜିକାଲି ।’’ ସୁଭଦ୍ରାଙ୍କ କଥା ଘାଣ୍ଟି ହେଉଥିଲା ଦୀନବନ୍ଧୁଙ୍କ ମନ ଭିତରେ-। ମନ ନ ଥିଲା ସନ୍ଧ୍ୟା ଆହ୍ନିକ କରିବା ପାଇଁ । କିନ୍ତୁ ଅଭ୍ୟାସଟା ରହିଯାଇଛି । ନିଦ ହବନାହିଁ ସନ୍ଧ୍ୟାକର୍ମ ନ କଲେ ।

ବାଧ୍ୟହୋଇ କଳଘରେ ଲୁଗା ବଦଳାଇ ଠାକୁର ଘରକୁ ପଶିଲେ ଦୀନବନ୍ଧୁ ।

ପିଲାମାନଙ୍କୁ ଖାଇବାକୁ ବାଢ଼ି ଦେଲେ ସୁଭଦ୍ରା ।

ସେବା ଆସିଲା ନାହିଁ । ସମାପ୍ତି ହାତରେ କହି ପଠେଇଲା ଯେ ସେ ଖାଇକରି ଆସିଛି-

ସୁଭଦ୍ରା ଇଷ୍ଟ ନାମ ଜପ କରିବାକୁ ଲାଗିଲେ ।

ଆତଙ୍କରେ ଥରୁଥିଲା ତାଙ୍କର ସର୍ବାଙ୍ଗ ।

 

ରାଜଧାନୀର ଗଛବୃଚ୍ଛରେ ଉଜ୍ଜ୍ୱଳ ସବୁଜିମା । ଶାରଦୀୟ ଉତ୍ସବ ପାଇଁ ପ୍ରସ୍ତୁତ ଚାଲିଛି ୟୁନିଟ୍‌ମାନଙ୍କରେ । ଏକପ୍ରକାର ପ୍ରତିଯୋଗିତା ବି ଆରମ୍ଭ ହୋଇଯାଇଚି ପୂଜାକମିଟିମାନଙ୍କ ମଧ୍ୟରେ । ଚାନ୍ଦା ଆଦାୟ ଉତ୍ପାତରେ ପରିଣତ ହେଲାଣି । ଦଳେ ଯୁବକ ଦ୍ୱାରମୁହଁରେ ଉପସ୍ଥିତ ହେଲେ ଗୃହସ୍ୱାମୀ ଚାନ୍ଦା ଦବାକୁ ବାଧ୍ୟ । ସେମାନଙ୍କର ଯୁକ୍ତି ଅକାଟ୍ୟ । ପୂଜା ଏକା ସେମାନଙ୍କର ନୁହେଁ । ସାର୍ବଜନୀନ ଦୁର୍ଗୋତ୍ସବ । ମାତୃପୂଜା ତ ସବୁଦିନ ହେଉନାହିଁ, ବର୍ଷକୁ ଥରେ । କେହି କେହି ମନେପକେଇ ଦେଇ କୁହନ୍ତି, ଏଇ ସେଦିନ ପରା ଗଣେଷ ପୂଜା ପାଇଁ ଚାନ୍ଦା ନବାକୁ ଆସିଥିଲେ । ସେମାନେ ସେ କଥାକୁ ହସରେ ଉଡ଼େଇ ଦେଇ କୁହନ୍ତି, ଗଣେଷ ପୂଜା, ଦୁର୍ଗାପୂଜା କଅଣ ସମାନ-? ଗୃହସ୍ୱାମୀ ବିତର୍କ ନ କରି ମଜା ଦେଖିବା ପାଇଁ କହନ୍ତି, ଗଣେଶ ଆଉ ଦୁର୍ଗାଙ୍କ ମଧ୍ୟରେ ସମ୍ପର୍କ କିଛି ଥିବ ତ । କହୁନ କଅଣ ସମ୍ପର୍କ ?

 

କିଏ କହିବ ? ଅନାନ୍ତି ପରସ୍ପରର ମୁହଁକୁ । ଗଣେଶ ଓ ଦୁର୍ଗାଙ୍କର ସମ୍ପର୍କ ସଠିକ ଜଣାନାହିଁ କାହାକୁ । ଜଣେ ଯୁବକ ସାହସ ସଞ୍ଚୟ କରି କୁହେ, ସମସ୍ତେ ଦେବତା । ଗୋଟିଏ ପରିବାରର । ତେତ୍ରିଶ କୋଟି ଦେବତା । ଗହସ୍ୱାମୀ ଜଞ୍ଜାଳ ଦୂର କରିବା ପାଇଁ ଚାନ୍ଦା ଦିଅନ୍ତି । ଯୁବକମାନେ ରସିଦ ଗୋଟେ ଦବାକୁ ଭୁଲନ୍ତି ନାହିଁ ଅବଶ୍ୟ । କିନ୍ତୁ ସେଇ ରସିଦ ଖଣ୍ତକୁ ନେଇ କିଛି ସମୟ ପରୀକ୍ଷା କରି ଆଉ ଗୋଟେ ପ୍ରଶ୍ନ ପଚାରିବା ପୂର୍ବରୁ ସେମାନେ ଅଦୃଶ୍ୟ ହୋଇ ଯାଇଥାଆନ୍ତି ଆଖି ଆଗରୁ ।

 

ଚାନ୍ଦା ଆଦାୟ ବଢ଼ୁଛି । ପୂଜାର ସଂଖ୍ୟା ବି ବଢ଼ୁଛି । ବଢ଼ୁଛି ଦେଶରେ ବେକାରମାନଙ୍କ ସଂଖ୍ୟା । ଯା’ହେଉ, ଦୁର୍ଗା ଓ ଗଣେଶଙ୍କର ମଧ୍ୟରେ ସମ୍ପର୍କଟି ପିଲାମାନେ ମନେ ନ ରଖନ୍ତୁ ତେତ୍ରିଶ କୋଟି ଦେବତା ଜାଣନ୍ତି ତ !

 

ଯୁବକମାନେ ଦେଶର ଭବିଷ୍ୟତ । ସେମାନେ ଭାବୀ ଶାସକ ଓ ପ୍ରଶାସକ, ବୈଜ୍ଞାନିକ ଓ ଇଞ୍ଜିନିୟର, ଚିକିତ୍ସକ ଏବଂ ସମାଜସେବକ । ସେମାନଙ୍କ ହାତରେ ଦେଶର ସୁରକ୍ଷା ନିରାପଦ !

 

ଗଛମାନଙ୍କର ଶାଖାରେ ଶାରଦୀୟ ସବୁଜିମା ଲୀଳା କଲା ପରି ତରୁଣମାନଙ୍କ ଆଖିରେ ଶାରଦୀୟ ସ୍ୱପ୍ନ ଲୀଳା କରିବା କଥା । କିନ୍ତୁ କାହିଁ, ସ୍ୱପ୍ନ ଆଉ ଝରୁନି ସେ ଆଖିରୁ, ସେଇ ଆଖିର ଦୃଷ୍ଟିରେ ଖାଲି ଲକ୍ଷ୍ୟହୀନତା, ଆଜି ଦିନଟାକୁ ଗଞ୍ଜେଇ ଟାଣି ଉଡ଼େଇ ଦବାଲାଗି ତୀବ୍ର ଚଞ୍ଚଳତା ।

 

ବଡ଼ ବଡ଼ ବଙ୍ଗଳାମାନଙ୍କରେ ଶୋଭା ପାଆନ୍ତି ବଡ଼ ବଡ଼ ଅଫିସର । ପ୍ରତ୍ୟେକ ବଙ୍ଗଳା ଆଗରେ ଲନ୍‌ ଏବଂ ଫୁଲ ବଗିଚା । ସରକାରୀ ମାଳି ରହିଛି ବଗିଚାର ତତ୍ତ୍ୱାବଧାନ କରିବା ଲାଗି । ମ୍ୟୁନିସପାଲଟି ସାର ଯୋଗାଇ ଦିଏ । ପାଣି ଯୋଗାଇ ଦିଅନ୍ତି ଜନସ୍ୱାସ୍ଥ୍ୟ ବିଭାଗ । ଚାରା ଓ ମଞ୍ଜି, ପୋକମରା ଔଷଧ ଓ ଲନ୍‌ ମଣ୍ତିତ କରିବାଲାଗି ମେସିନ ସବୁ ଯୋଗାଇ ଦିଅନ୍ତି ଉଦ୍ୟାନ ବିଭାଗ । ବଗିଚା ସୁନ୍ଦର ଦିଶିଲେ ବଙ୍ଗଳାର ସୌନ୍ଦର୍ଯ୍ୟ ବଢ଼ିବ, ସାହେବମାନଙ୍କର ଭଲ ନିଦ ହବ, ମେମ୍‌ସାହେବମାନେ ସଂଧ୍ୟା ଭ୍ରମଣ ପାଇଁ ଉପଯୁକ୍ତ ପରିବେଶଟିଏ ପାଇବେ ।

 

ଦୁର୍ଗାପୂଜା ସମୟରେ ଏଇ ବଗିଚାମାନଙ୍କରେ ପଶନ୍ତି ପିଲାମାନେ । ସମସ୍ତଙ୍କର ତ ଆଲସେସିଆନ କୁକୁର ନାହିଁ । ସବୁଠି ବି ସଚେତନ ନ ଥାନ୍ତି ଚୌକିଦାରମାନେ । ଟିକେ ସୁଯୋଗ ପାଇଲେ ମୁହଁ ଅନ୍ଧାରରୁ ତୋଳି ନିଅନ୍ତି ଫୁଲ, ଉଠେଇ ନିଅନ୍ତି ଗଛ ଓ ଗାମଲା ।

 

ସଶସ୍ତ୍ର ପୁଲିସ୍‍ ପଇଁତରା ଦବା ଉଚିତ ବୋଲି ମତଦିଅନ୍ତି କେତେକ ସାହେବ ।

 

ରାଜଧାନୀରେ ଫୁଲ ଫୁଟୁଛି ସର୍ବତ୍ର । ହରଗୌରୀ, ଗେଣ୍ତୁ, କରବୀର ଟଗର, ଜିନିଆ, ରାଧା ତମାଳ, ଧୁତୁରା, ଗବ, ଅପାମାର୍ଗ, ଗୋଲାପ ଏବଂ ଆହୁରି ଅନେକ ଜାତିର ଦେଶୀ ଓ ବିଦେଶୀ ଫଲ । ପଦ୍ମଫୁଲ ପୂଜାରେ ଦରକାର ହୁଏ । ସେଥିପାଇଁ ଜାତୀୟ ରାଜପଥରେ ଯାଜପୁର ଆଡ଼କୁ ଯିବାକୁ ହୁଏ । କୂଆଖିଆ ପାଖରେ ସଡ଼କର ଉଭୟ ପାର୍ଶ୍ୱରେ ଅଗଣିତ ପଦ୍ମଫୁଲ ।

 

ପାର୍ବଣ ପୂର୍ବରୁ ସମାରୋହଟିଏ କରିବା ପାଇଁ ନିଷ୍ପତ୍ତି ନିଆହୋଇଛି । ଅଭ୍ୟୁଦୟ ସମାଜର ଶକ୍ତି ପରୀକ୍ଷା ହୋଇଯିବା ଭଲ । ଏଯାଏ ପଥପ୍ରାନ୍ତ ସଭା ହଉଥିଲା । ଗତମାସର ସଭା ବସ୍‌ଷ୍ଟାଣ୍ତରେ ହେଲା । ଆଶାତୀତ ଉତ୍ସାହ ମିଳୁଛି ଲୋକଙ୍କ ପାଖରୁ । ସମସ୍ତେ ନୂଆ କିଛି ଚାହାଁନ୍ତି-। ସମସ୍ତେ ଚାହାଁନ୍ତି ପରିବର୍ତ୍ତନ ।

 

ସେଇ ପରିବର୍ତ୍ତନର ସ୍ୱରକୁ ଅନ୍ତରଙ୍ଗ କରିବା ଲାଗି ଆରମ୍ଭ ହୋଇଛି କାମ । ଶୈବାଳର ସ୍ଲୋଗାନ ଲେଖା ହୋଇଛି ରାସ୍ତା ଉପରେ, କାନ୍ଥ ବାଡ଼ରେ, ସିନେମାହଲ ଓ ମନ୍ଦିରରେ-ରାଜଧାନୀ ଚାଲ । ପହିଲା ଅକ୍ଟୋବରରେ ଅଭୁତପୂର୍ବ ଗଣସମାବେଶ । ସ୍ଥାନ-ରାଜଧାନୀର ପରେଡ଼୍‌ ପଡ଼ିଆ ।

 

ପରେଡ଼ ପଡ଼ିଆର ଶକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଏକା କୁଦାରେ ପ୍ରତିଷ୍ଠିତ ହୋଇଯିବ ଶୈବାଳ । ସମାଜରେ ତା’ର ଆସନଟି ନିଶ୍ଚିତ ଓ ସୁଦୃଢ଼ ହୋଇଯିବ । ତା’ ନିଜର ଫ୍ଲାଟଫର୍ମ ସ୍ଥାୟୀ ହେବ ।

 

ସେ ନୂତନ ଆଦର୍ଶର ଧ୍ୱନି ଦବ । ନୂତନ ସ୍ଲୋଗାନ ପ୍ରଚଳନ କରିବ । ନୂତନ ଆନ୍ଦୋଳନ ଆରମ୍ଭ କରିବ । ଯେପରି ନୂତନ ମୁଦ୍ରାର ପ୍ରଚଳନଦ୍ୱାରା ପୁରାତନ ମୁଦ୍ରା ଅଚଳ ହୋଇ ଆତ୍ମଗୋପନ କରେ ସେହିପରି ନୂତନ ଆଦର୍ଶ, ନୂତନ ଆଭିମୁଖ୍ୟର ସ୍ଲୋଗାନ ଶୁଣି ପୁରୁଣା ଆଦର୍ଶ, ପୁରୁଣା ଲକ୍ଷ୍ୟ ଅକାମୀ ହୋଇ ଉଭେଇଯିବ ଜନଜୀବନରୁ ।

 

ଦେଶର ଅଧିକାଂଶ ଲୋକେ ନିରକ୍ଷର ହେଲେ ବି ସେମାନଙ୍କର ବିଚାରଶକ୍ତି ଅଦ୍ଭୁତ । ଭଲମନ୍ଦ ବୁଝିପାରନ୍ତି ।

 

ହିଟଲର୍‍ର ପ୍ରଚାର କୌଶଳ ଆୟତ୍ତ କରିନେଇଛି ଶୈବାଳ । ପ୍ରଚାରହିଁ ପ୍ରସାର । ପ୍ରସାରହିଁ ପ୍ରତିଷ୍ଠା ।

 

ଦଳ ଦଳ ହୋଇ ଲୋକେ ଛୁଟିଛନ୍ତି ରାଜଧାନୀକୁ-ବସ୍‌ରେ, ଟ୍ରେନ୍‌ରେ, ଟ୍ରକ୍‌ରେ । ପଇସା ପଡ଼ୁନି ହାତରୁ । ଖାଇବା ପିଇବାର ବ୍ୟବସ୍ଥା କରାଯାଇଛି । କର୍ମୀମାନେ ଖେଦି ଯାଇଛନ୍ତି ଦୂରଦୂରାନ୍ତରେ । ସମାବେଶକୁ ସଫଳ କରିବାପାଇଁ ପ୍ରବଳ ଅଭିୟାନ ଚାଲିଛି । ପରେଡ଼ ପଡ଼ିଆର ପ୍ରଥମ ସଭାରେ ଦଶହଜାର ଲୋକ ସମବେତ ନ ହେଲେ ସେ ଦ୍ୱିତୀୟ ଶ୍ରେଣୀର ନେତା ହୋଇ ରହିବ । ରାଜନୀତି ନ କଲେ ସମାଜସେବା ସମ୍ପୂର୍ଣ୍ଣ ହେବ ନାହିଁ । ଶାସନକଳକୁ ଅଙ୍କିଆର ନ କଲେ ସମାଜତନ୍ତ୍ରର ପ୍ରତିଷ୍ଠା ସ୍ୱପ୍ନ ହୋଇ ରହିବ ।

 

ନିକୁଞ୍ଜ ମହାନ୍ତିଙ୍କଠାରୁ ଶୁଣିଥିବା ବହୁ ଉପଦେଶ ଭିତରୁ ଗୋଟିକୁ ଭୁଲିପାରିନାହିଁ ଶୈବାଳ ।

 

ନେତୃତ୍ୱ କେହି ତୁମ ହାତମୁଠାରେ ଦୟାକରି ଦେଇଯିବ ନାହିଁ, ତାହା ଆଦାୟ କରିନବାକୁ ହୁଏ । ଖାଲି ଆଦର୍ଶ ପଛରେ ଲୋକେ ଦୌଡ଼ିବାକୁ ସୁଖ ପାଆନ୍ତି ନାହିଁ । ଫମ୍ପା ଆବାଜ କିଛି କର । ମନ ଉଦ୍ଦୀପକ, ମୁଖରୋଚକ କିଛି ଧ୍ୱନି ଦିଅ, ଦେଖିବ ତୁମ ସପକ୍ଷରେ ସମର୍ଥକଙ୍କ ସଂଖ୍ୟା ବଢ଼ିବ ଆଶାତୀତ ଭାବରେ ।’’

 

ଭଲ ଭଲ ସ୍ଲୋଗାନ ଲେଖିଛି ଶୈବାଳ ।

ଗରିବ ଆମର ଭାଇ ଗରୀବି ଆମର ଭଗାରୀ ।

ଦୂର ହେଉ ଦୁଃଖ ଦୈନ୍ୟ ଝଲସି ଉଠୁ ତରବାରୀ ।

ଏଇ ଦେଶ ଏଇ ଜାତି ଅମର ଅମର

ଆମରି ଦଳ ଆମରି ବଳ ଭାଇ ଭଉଣୀ ଆମର ।

ଯୁଗେ ଯୁଗେ ବିପ୍ଳବ ଦୀର୍ଘଜୀବି ହେଉ ।

ଚାଷୀ ମୂଲିଆ ଖଟିଖିଆ, ଆମରି ପ୍ରାଣ ଆମରି ହିୟା ।

ରାଜଧାନୀର ହାଟେ ବାଟେ, ଜୀବନ ଯହିଁ ଭୂଇଁରେ ଲୋଟେ,

ସେଇଠି ଆମ କର୍ମଭୂଇଁ ସେଇଠି ଆମ ଜୀବନ ।

ଚାଲରେ ଚାଲ ଭାଇ ସକଳ ଦେଖିବା ନୂଆ ସପନ ।

ଇନ୍‍କିଲାବ ଜିନ୍ଦାବାଦ ।

ଅଭ୍ୟୁଦୟ ସମାଜବାଦ ।

ଦେଶର ନେତା ଜାତିର ନେତା

ଶୈବାଳଜୀ ସବୁରି ନେତା ।

ଗାନ୍ଧୀବାଦ ଲେନିନବାଦ

ଅଭ୍ୟୁଦୟ ଶ୍ରେଷ୍ଠ ବାଦ ।

ରାଜଧାନୀର ରାସ୍ତାମାନଙ୍କରେ ପତାକା ଉଡ଼େଇ ପଟୁଆର ଚାଲିଛି । ଅକ୍ଟୋବର ବିପ୍ଳବ ସାର୍ଥକ ହୋଇଥିଲା ରୁଷିଆରେ । ସେଇ ଅକ୍ଟୋବର ପହିଲାରେ ଆରମ୍ଭ କରୁଛି ଶୈବାଳ । ଆଜିଠାରୁ ସେ ଆଉ ରାଜଧାନୀର ଛୋଟ ନେତାଟିଏ ହୋଇ ରହିବ ନାହିଁ, ସେ ରୂପାନ୍ତରିତ ହବ ସମଗ୍ର ଓଡ଼ିଶାର ନେତା ଭାବରେ । ଓଡ଼ିଆ ଜାତିକୁ ହୃତ୍‌ଗୌରବ ଫେରାଇ ଦବାପାଇଁ ସଂକଳ୍ପ କରିଛି ସେ । ଶପଥ ବି ନେଇଛି । ସେଇ ଶପଥ ପୂର୍ଣ୍ଣ କରିବ ଶୈବାଳ । ସେଇ ଶପଥ, ସେଇ ସଂକଳ୍ପକୁ ଲୋକପ୍ରିୟ କରିବା ନିମନ୍ତେ ଆଜି ପୁଣି ଦୋହରେଇବ ସେ । ସଭାର କାର୍ଯ୍ୟସୂଚୀରେ ଶପଥ ଗ୍ରହଣ ଅନ୍ତର୍ଭୁକ୍ତ ।

‘‘ଆମେ ଭାରତବର୍ଷର ଜନସାଧାରଣ, ଓଡ଼ିଶା ରାଜ୍ୟର ଅଧିବାସୀ, ଖାରବେଳଙ୍କ ବଂଶଧର, ବିବେକାନନ୍ଦ ଓ ଅରବିନ୍ଦଙ୍କ ଉପଯୁକ୍ତ ଦାୟାଦ, ଭଗବାନଙ୍କ ନାମରେ ଶପଥ ନେଉଛୁ ଯେ,

ଏହି ଦେଶର ପ୍ରତ୍ୟେକ ବ୍ୟକ୍ତିକୁ ସୁଖୀ ଓ ସମୃଦ୍ଧ କରିବା ଆମର ପରମ କର୍ତ୍ତବ୍ୟ ହେବ;

ଏହି ଭୂମିରୁ ଦାରିଦ୍ର୍ୟ, ଅଶିକ୍ଷା, ମୂଢ଼ତା ଓ କୁସଂସ୍କାର ଦୂର କରିବା ପାଇଁ ଆମେ ଅଙ୍ଗୀକାରବଦ୍ଧ;

ଏହି ପୁଣ୍ୟଭୂମିରେ ରାମରାଜ୍ୟ ପ୍ରତିଷ୍ଠା କରି ସମସ୍ତଙ୍କୁ ସାର୍ବଭୌମ ନାଗରିକତ୍ୱର ସୁଖ ଆସ୍ୱାଦନ କରାଇବା ଲାଗି ଆମେ ବଦ୍ଧପରିକର ;

ସମସ୍ତଙ୍କୁ ସାମାଜିକ ନ୍ୟାୟ; ଅର୍ଥନୈତିକ ସାମ୍ୟ ଓ ସୁବିଚାର; ଧର୍ମଗତ ବିଭିନ୍ନତା ଏବଂ ଆଚାରଗତ ପାର୍ଥକ୍ୟ ସତ୍ତ୍ୱେ ଜାତି ବର୍ଣ୍ଣ ଧର୍ମ ଓ ଗୋଷ୍ଠୀ ନିର୍ବିଶେଷରେ ସମସ୍ତଙ୍କୁ ନାଗରିକ ଭାବରେ ସମାନତା ବୋଧ ଦବାପାଇଁ ଆମେ ଦୃଢ଼ସଂକଳ୍ପ;

ଏବଂ ସର୍ବୋପରି ଏ ଦେଶର ଗୋଟିଏ ଲୋକ ଅନାହାର ବା ଅର୍ଦ୍ଧାହାର, ଅଶିକ୍ଷା ବା ଅଚିକିତ୍ସାରେ ସଢ଼ୁଥିବାଯାଏ ଆମର ସଂଗ୍ରାମ ଅବ୍ୟାହତ ରହିବ ।’’ ଶପଥ ନେବା ପରେ ସମସ୍ତେ ଏକାସ୍ୱରରେ ଧ୍ୱନି ଦେବେ–

ବନ୍ଦେ ମାତରଂ ।

ବନ୍ଦେ ଉତ୍କଳ ଜନନୀ ।

ଅନାଥହିଁ ଜଗନ୍ନାଥ ।

ଜୟ ଜନତାର ଜୟ ।

ବିପ୍ଳବର ଜୟ ।

ଚନ୍ଦ୍ରଗୁପ୍ତ ଆସି ଖବର ଦେଇଗଲା । ସବୁ ଠିକ୍‌ ଭାବରେ ଚାଲିଛି । ଆଶଙ୍କା କରିବାର କିଛି ନାହିଁ । ବିନା ଟିକେଟରେ ହଜାର ହଜାର ଲୋକ ଆସୁଥିବାରୁ ରେଳବାଇ ପକ୍ଷରୁ ବ୍ୟାପକ ଧରପଗଡ଼ ଚାଲିଛି ନିର୍ଗୁଣ୍ତିଠାରେ ଟ୍ରକ୍‌ଗୁଡ଼ାକୁ ଅଟକାଇ ରଖାଯାଇଛି ଜଗତପୁରରେ । କିନ୍ତୁ ଲୋକେ ବାଧା ବନ୍ଧନ ମାନିବେ ନାହିଁ, ପାଦରେ ଚାଲି ଚାଲି ଆସିବେ, ସାଇକେଲ ଓ ଶଗଡ଼ରେ ଆସିବେ । ଅଦ୍ଭୁତପୂର୍ବ ଜାଗରଣ । ମହାତ୍ମାଗାନ୍ଧୀଙ୍କ ଦାଣ୍ତିମାର୍ଚ୍ଚ ପରି । ଇଞ୍ଚୁଡ଼ିର ଲବଣ ସତ୍ୟାଗ୍ରହ ଏହା ଆଗରେ ପିଲାଖେଳ ।

ଶୈବାଳ ଖୁସି ହେଲା । ତଥାପି ସାବଧାନ ହବାକୁ ହବ । ବିପକ୍ଷ ଦଳମାନଙ୍କୁ ଅବହେଳା କରାଯାଇ ନ ପାରେ । ସରକାରୀଦଳ ବଡ଼ ସଚେତନ ହୋଇ ଉଠିଲାଣି ।

 

ରାଜଧାନୀର ସାହିମାନଙ୍କରେ ଘରେ ଘରେ ସ୍ୱେଚ୍ଛାସେବକମାନେ ଖାଦ୍ୟ ପ୍ରସ୍ତୁତ କରି ରଖିବା ଲାଗି କହି ଆସିଛନ୍ତି ।

 

ପ୍ରତ୍ୟେକ ବ୍ୟକ୍ତିକୁ ଚାରୋଟି ରୁଟି, କିଛି ଆଳୁଦମ୍‌ ଏବଂ କିଛି ଗୁଡ଼ ଦିଆଯିବ । ଏହାହିଁ ସର୍ବସାଧାରଣଙ୍କ ମେନୁ । ପ୍ରତ୍ୟେକ ଗୃହଣୀ ଦୁଇଜଣଙ୍କ ପାଇଁ ଖାଦ୍ୟ ଦବାକୁ ବାଧ୍ୟ । ପିଲା ଓ ପରିବାର ନେଇ ରହନ୍ତି ସମସ୍ତେ । କେତେବେଳେ କଅଣ ହବ କିଏ କହିବ ? ଅଭ୍ୟୁଦୟ ସମାଜର ଖାତାରେ ଦଳ ବିରୋଧୀ ତାଲିକାରେ ନାମ ଲେଖା ହେଲେ ଅନୁଷ୍ଠାନର ସହାୟତା ମିଳିବ ନାହିଁ ବିପଦ ଆପଦରେ, ଭବିଷ୍ୟତରେ କ୍ଷମତାକୁ ଆସିଲେ ଅସୁବିଧା ମଧ୍ୟ ସୃଷ୍ଟି ହୋଇପାରେ ।

 

କେହି ମନାକଲେ, ନାହିଁ । ପ୍ରତ୍ୟେକ ଘରୁ ଖାଦ୍ୟ ପୁଡ଼ିଆ ଆସି ଠୁଳ ହବାକୁ ଲାଗିଲା ଅନୁଷ୍ଠାନର କେନ୍ଦ୍ର ଅଫିସରେ ।

 

ପତାକା ଫରଫର ହୋଇ ଉଡ଼ୁଛି ରାଜଧାନୀ ସାରା । କେତେକ ବାହାଦୁର ସ୍ୱେଚ୍ଛାସେବକ ପ୍ୟାରେଡ଼ ପଡ଼ିଆର ଚାରିପାଖରେ ଥିବା ଗଛ ଶାଖାମାନଙ୍କରେ ବି ଝୁଲେଇ ଦେଇଛନ୍ତି ପତାକା ।

 

ଫୁଲମାଳ ଗୁନ୍ଥା ଚାଲିଛି । ବଗିଚାମାନଙ୍କରୁ ରାତିରୁ ଫୁଲ ତୋଳି ଆଣିଛନ୍ତି ସ୍ୱେଚ୍ଛାସେବକମାନେ ।

 

ଡାକବାଜି ଯନ୍ତ୍ର ଖଞ୍ଜାହୋଇଥିବା ଜିପ୍‌ଟାକୁ ଛାଡ଼ି ଆଉ ପାଞ୍ଚୋଟି ରିକ୍‌ସାରେ ବି ଖଞ୍ଜାହୋଇଛି ଡାକବାଜି ଯନ୍ତ୍ର । ପ୍ରଚାର ଚାଲିଛି ଗଳିକନ୍ଦିରେ-ପରେଡ଼୍‌ ପଡ଼ିଆରେ ନାହିଁ ନ ଥିବା ଗଣ ସମାବେଶ । ହାଜର ହୁଅ, ହାଜର ହୁଅ ।

 

ଅନେକ ହ୍ୟାଣ୍ତବିଲ୍‌ ବି ବଣ୍ଟା ସରିଛି ।

ଷ୍ଟେସନ୍‌ ଓ ବସ୍‌ଷ୍ଟାଣ୍ତରେ ଆଗନ୍ତୁକମାନଙ୍କୁ ସ୍ୱାଗତ କରିବାଲାଗି କର୍ମୀ ଅଛନ୍ତି ।

 

ନିକୁଞ୍ଜ ମହାନ୍ତି ଅଭ୍ୟୁଦୟ ସମାଜରେ ଯୋଗ ଦେଇଛନ୍ତି । ତାଙ୍କ ସହିତ ଢେଙ୍କାନାଳ, ତାଳଚେର, ଅନୁଗୁଳ ଓ ରେଢ଼ାଖୋଲ ଅଞ୍ଚଳର ଦୁଇଶହ କର୍ମୀ ମଧ୍ୟ ଦଳ ତ୍ୟାଗକରି ଯୋଗ ଦେଇଛନ୍ତି ଅଭ୍ୟୁଦୟ ସମାଜରେ । ଅଭ୍ୟୁଦୟ ସମାଜ ଏପର୍ଯ୍ୟନ୍ତ ରାଜନୈତିକ ଦଳଭାବରେ ଘୋଷିତ ନ ହୋଇଥିଲେ ମଧ୍ୟ ସମାଜସେବାକୁ ମାଧ୍ୟମ କରି ଯେଉଁମାନେ ଉପରକୁ ଉଠିବାକୁ ଚାହାଁନ୍ତି ସେମାନେ ଆକୃଷ୍ଟ ହେଉଛନ୍ତ ଅନୁଷ୍ଠାନ ପ୍ରତି । ସମାଜସେବା ପ୍ରଥମ ପାହାଚ । ତା’ପରେ ରାଜନୀତି । ସେଇକଥା ଆଜି ଘୋଷଣା କରିବ ଶୈବାଳ ।

 

ନିକୁଞ୍ଜ ମହାନ୍ତି ଶୈବାଳର ପ୍ରଥମ ପୃଷ୍ଠପୋଷକ । ଆଜି ତାଙ୍କୁ ପଛରେ ପକେଇ ସେ ଆଗେଇ ଆସିଛି ବୋଲି ତାଙ୍କ ମତକୁ ଆଗ୍ରାହ୍ୟ କରିନାହିଁ ଶୈବାଳ ।

 

ଏଇ କେତେଦିନ ହେଲା ନିକୁଞ୍ଜ ବାବୁ ଲଗେଇଛନ୍ତି ପ୍ରତ୍ୟକ୍ଷ ରାଜନୀତିରେ ଭାଗ ନବା ପାଇଁ । ରାଜନୀତି ହିଁ କ୍ଷମତାକୁ ଯିବାର ଲଞ୍ଚିଙ୍ଗ ପ୍ୟାଡ଼ । ଦଳଟିଏ ନ ଥାଇ ଯେପରି ବଳ ନ ଥାଏ, ରାଜନୀତି ନ କରି ସରକାରରେ ପଶିହେବ ନାହିଁ । କ୍ଷମତାର ସ୍ୱାଦ ଅଦ୍ଭୁତ । କ୍ଷମତା ନ ଥିଲେ ଜୀବନ ବୃଥା । ଆଦର୍ଶ ବେକାରର ଆସ୍ଫାଳନ ମାତ୍ର । ଆଦର୍ଶକୁ ଆଗରେ ନ ରଖି କାମ କଲେ, ଆଉ ଦଶଜଣଙ୍କୁ ଆକର୍ଷଣ କରିହୁଏ ନାହିଁ, କିନ୍ତୁ ଆଦର୍ଶକୁ ଜାବୁଡ଼ି ଧରି ବାସ୍ତବତାକୁ ଜଳାଞ୍ଜଳି ଦେଲେ ଦୁର୍ଭୋଗ ହିଁ ସାର ହୁଏ ।

 

ନିକୁଞ୍ଜ ବାବୁଙ୍କ ଉପରେ ସଭାର ସବୁ ଆୟୋଜନ ଛାଡ଼ି ଦେଇଛି ଶୈବାଳ ।

 

ରାଜନୀତି ନୁହେଁ ତ ରଣନୀତି । ଲୋକମାନଙ୍କ ମଧ୍ୟରେ କାମ କଲେ ନୂଆ ନୂଆ ରଣକୌଶଳ ଆୟତ୍ତ କରିବାକୁ ହୁଏ । ରାଜନୀତି ନ କଲେ ଯଦି ରଣଜୟୀ ହବା ଅସମ୍ଭବ ତା’ହେଲେ ରାଜନୀତି କରିବାକୁ ପଛେଇବ ନାହିଁ ଶୈବାଳ ।

 

ରାଜନୀତିର ପଥ କିନ୍ତୁ ବଡ଼ ପିଚ୍ଛିଳ ବୋଲି କୁହନ୍ତି କେତେ ଲୋକ । ଚାଲି ନ ଜାଣିଲେ-ଗୋଡ଼ ଖସି ଦୁମ୍‌କରି ପଡ଼ିଯିବାର ଭୟ ଅଛି, ପାଦ ଚିପି ଚିପି ଚାଲିବାକୁ ହୁଏ । ମନ ଚିପି ପରଖି ନବାକୁ ହୁଏ ।

 

ନିକୁଞ୍ଜ ବାବୁ କୁହନ୍ତି, ‘କେହି ତୁମ ଗଳା କାଟିବା ଆଗରୁ ତୁମେ ତା’ ଗଳା କାଟିଦିଅ । ଏହା ନ କଲେ ରାଜନୀତିରେ ତିଷ୍ଠିପାରିବ ନାହିଁ । ପାଠ କୁହେ, ଶଠକୁ ଶଠତାଦ୍ୱାରା ବଶୀଭୂତ କରିବାକୁ ହୁଏ । କଣ୍ଟାଦ୍ୱାରା କଣ୍ଟା କଢ଼ାଯାଏ । ରାଜନୀତିରେ କେହି ଚିରସ୍ଥାୟୀ ଶତ୍ରୁ ନୁହେଁ କି ଚିରସ୍ଥାୟୀ ବନ୍ଧୁ ନୁହେଁ । କୌଣସି ନୀତି ବା ମାର୍ଗ ଅପରିବର୍ତ୍ତିତ ନୁହେଁ । ଆବଶ୍ୟକତା ଅନୁସାରେ ବ୍ୟବସ୍ଥା କରିବାକୁ ହୁଏ ।

 

ନିଜକୁ ଚାଲୁ ନ ରଖିଲେ ଅଚଳ ପଇସା ପରି ପଡ଼ିରହିବ । ଖବରକାଗଜ ପୃଷ୍ଠାରେ ନିଜର ନାମ ପ୍ରତିଦିନ ବାହାରିବା ଦରକାର । କିଛି କାମ ନ ଥିଲେ, ଓଡ଼ିଶାର ଯେକୌଣସି ପ୍ରାନ୍ତରେ ଶିକ୍ଷକଠାରୁ ଶାସକ, ପୂର୍ବତନ ଦେଶସେବକଙ୍କଠାରୁ ବର୍ତ୍ତମାନର କର୍ମୀ ଯିଏ ମରୁନ୍ତୁନା କାହିଁକି, ତାଙ୍କ ମୃତ୍ୟୁରେ ଶୋକବାର୍ତ୍ତା ପ୍ରକାଶ କର ।
 

ଶୈବାଳ ଅନେକ ଶିଖି ପୋଖତ ହୋଇଗଲାଣି । ସେ ମାପିଚୁପି କଥା କୁହେ ବନ୍ଧୁମାନଙ୍କ ସାଙ୍ଗରେ । ପ୍ରଗଳ୍‌ଭ ହୋଇ ଭାଷଣ ଦିଏ ସଭାରେ ।

 

ଅଫିସ୍‌ ଛୁଟି ହବାବେଳକୁ ସଭା ଆରମ୍ଭ ହେଲା । ଲୋକ ଜୁଟିଗଲେ । ଆପ୍ରତ୍ୟାଶିତ ଜନସମାଗମ ହେଲା ସଭାରେ । ଦଶହଜାର ଲକ୍ଷ୍ୟ ଥିଲା, କିନ୍ତୁ କୋଡ଼ିଏ ପଚିଶ ହଜାର ଆସିଗଲେ ।

 

କେଉଁଠୁ ଆସିଲେ, କିଏ ଆଣିଲା ଏତେ ଲୋକ କିଛି ସ୍ଥିର କରିପାରିଲା ନାହିଁ ଶୈବାଳ-

 

ଚନ୍ଦ୍ରଗୁପ୍ତ ମଞ୍ଚ ଉପରକୁ ଉଠିଆସି ଶୈବାଳକୁ କହିଲା, କେତେ ମହିଳା ଆସିଛନ୍ତି ଦେଖିଛ ? ଅଥଚ ମଞ୍ଚ ଉପରେ ଜଣେହେଲେ ନାରୀନେତ୍ରୀ ନାହାଁନ୍ତି । ସେମାନେ କିଛି ମନେକରିବେ ନାହିଁ ।

 

ସବୁଆଡ଼କୁ ଦୃଷ୍ଟି ଚନ୍ଦ୍ରଗୁପ୍ତର । ଏକଥା ଆଦୌ ଭାବି ନ ଥିଲା ଶୈବାଳ ।

ସେ କହିଲା, ସତେ ତ ! ବର୍ତ୍ତମାନ ଏ ଭୁଲ ସଂଶୋଧନ କରିବାର ବେଳ ନାହିଁ ।

- ବେଳ ଅଛି । ଦୃଢ଼ସ୍ୱରରେ କହିଲା ଚନ୍ଦ୍ରଗୁପ୍ତ ।

- କାହାକୁ ଦେଖୁନି । ସେପରି ନେତ୍ରୀ ହଠାତ୍‌ ମିଳିବେ ନାହିଁ ।

- ଆଜ୍ଞା ଦେଲେ ମୁଁ ଡାକିଆଣିବି । ଶୂନ୍ୟସ୍ଥାନ ପୂର୍ଣ୍ଣ ହେବ ।

- ମୁଁ ରାଜି । କିନ୍ତୁ ସେ କିଏ ?

- ଆଗ ସେ ଆସନ୍ତୁ, ପରିଚୟ ହବନି ଏଇଠି ।

- ତୁମ ଉପରେ ବିଶ୍ୱାସ ଅଛି । ମୁଁ ଠକି ନ ଯାଏ ଯେପରି ।

ଚନ୍ଦ୍ର ଗୁପ୍ତ ଜିପ୍‌ ନେଇ ଅଦୃଶ୍ୟ ହୋଇଗଲା ।

ଆଗରୁ ସେ କହି ରଖିଥିଲା ଶୈଳକୁ ।

ଗାଡ଼ି ପହଞ୍ଚିବାକ୍ଷଣି ବାହାରି ପଡ଼ିଲା ଶୈଳ ।

ଚନ୍ଦ୍ରଗୁପ୍ତ କହିଲା, ମାନମହତ ମାଟିରେ ମିଶିଯାଇ ଥାଆନ୍ତା, ଆପଣ ରକ୍ଷାକଲେ ।

 

- ସେନାପତି ରଣଦୁନ୍ଦୁଭି ଶୁଣିଲେ ଚୁପ୍‌ ହୋଇ ବସି ରହିପାରେ ନାହିଁ । ମୁଁ ବସିରହି ପାରନ୍ତି ?

ଚନ୍ଦ୍ରଗୁପ୍ତ ଜିପ୍‌ରେ ଆସିବାବେଳେ ସବୁକଥା କହିଦେଲା- ସଭାର ଉଦ୍ଦେଶ୍ୟ ଏବଂ ଅଭ୍ୟୁଦୟ ସମାଜର ଲକ୍ଷ୍ୟ ସମ୍ପର୍କରେ ।

ନେତାଙ୍କ ବିଷୟରେ କିଛି କହିଲେନି ତ ! କହିଲା ଶୈଳ ।

- ପହଞ୍ଚିଲେ ଦେଖିବେନି ତାଙ୍କୁ । ତାଙ୍କୁ ସମସ୍ତେ ଜାଣନ୍ତି, ଆପଣ ବି ଜାଣିଥିବେ । ବ୍ୟକ୍ତିଗତ ପରିଚୟ ସିନା ନାହିଁ ଆଦର୍ଶଗତ ଐକ୍ୟ ତ ଅଛି !

ସଭାସ୍ଥଳରୁ ଟିକେ ଦୂରରେ ଜିପ୍‌ ଛିଡ଼ାହେଲା । ସଭାକାର୍ଯ୍ୟ ଆରମ୍ଭ ହୋଇ ନ ଥାଏ । ସ୍ଳୋଗାନ ଦେଉଥାଆନ୍ତି କର୍ମୀମାନେ ।

ଶୈଳକୁ ମଞ୍ଚ ଉପରକୁ ପାଛୋଟି ନେଇ ଶୈବାଳର ବାମ ପାଖରେ ବସେଇ ଦେଇ ତା’ କାନ ପାଖରେ ଚୁପ୍‌ ଚୁପ୍‌ କହିଲା ଚନ୍ଦ୍ରଗୁପ୍ତ, ଶୈଳ ପଟ୍ଟନାୟକ । ସମାଜସେବିକା ଓ ନେତ୍ରୀ । ବୁଦ୍ଧିଜୀବୀ ମଧ୍ୟ । ସାହିତ୍ୟ, ସଂସ୍କୃତି, ଆଧ୍ୟାତ୍ମିକତା ସବୁକ୍ଷେତ୍ରରେ ସୁନାମ ଅଛି । ‘ନିରାମୟ’ର ପ୍ରତିଷ୍ଠାତ୍ରୀ ସଭାନେତ୍ରୀ ।

ଚମକି ପଡ଼ିଲା ଶୈବାଳ । ଏଇ ତା’ହେଲେ ଶୈଳ ପଟ୍ଟନାୟକ । ଅତୀତ ଝଲସି ଉଠିଲା ମାନସ ପଟରେ । ଆବେଗକୁ ଚାପିରଖି କେବଳ ଟିକେ ହସିଲା ଶୈବାଳ । ନମସ୍କାର ଜଣାଇଲା ଶୈଳ । ‘‘ଚିହ୍ନିପାରୁଛ ?’’

- ‘‘ତୁମକୁ ପାଇ ଧନ୍ୟ ଆମେ ।’’ କହିଲା ଶୈବାଳ ।

- ‘‘କିନ୍ତୁ କେତେକାଳ ପରେ ଦେଖା କୁହତ ?’’

 

- ‘‘ତୁମେ ଚୁମ୍ବକ ପରି ଟାଣୁଛ ଲୋକଙ୍କୁ । ଦେଖୁନ ପରେଡ଼ ପଡ଼ିଆ ଲୋକରେ ଲୋକରଣ୍ୟ.... ।’’

 

ସ୍ୱାଗତ ସଙ୍ଗୀତ ବୋଲାଯିବା ପରେ ଚାରିଜଣ ସମବୟସୀ ଝିଅ ଚାରିଜଣଙ୍କ ବେକରେ ଫୁଲମାଳ ଲମ୍ବେଇ ଦେଲେ ।

 

କରତାଳିରେ କମ୍ପି ଉଠିଲା ସଭାସ୍ଥଳ ।

 

ସଭାକାର୍ଯ୍ୟ ଆରମ୍ଭ ହବା ପୂର୍ବରୁ ଘୋଷଣା କଲା ଶୈବାଳ ଆମର ସୌଭାଗ୍ୟ ଯେ ଓଡ଼ିଶାରେ ଅଗ୍ରଗଣ୍ୟ ନାରୀନେତ୍ରୀ ଶ୍ରୀମତୀ ଶୈଳ ପଟ୍ଟନାୟକ ଆମ ସହିତ ଯୋଗ ଦେଇଚନ୍ତି । ସେ ବସିଚନ୍ତି ମୋର ବାମଦିଗରେ ।

 

ପୁଣି କରତାଳି ପଡ଼ିଲା ।

କର୍ମୀମାନେ ଧ୍ୱନିଦେଲେ, ଶୈଳ ପଟ୍ଟନାୟକ ଯୁଗଯୁଗ ବଞ୍ଚିରୁହ ।

ସଭାକାର୍ଯ୍ୟ ଆରମ୍ଭ ହେଲା ।

 

ନିକୁଞ୍ଜ ମହାନ୍ତି ସ୍ୱାଗତ ଭାଷଣ ଦବା ସମୟରେ ନୈଋତ କୋଣରେ ଚଞ୍ଚଳତା ଦେଖାଗଲା । କ୍ରମଶଃ ତାହା ବ୍ୟାପିଲା ଅନ୍ୟ ଅଞ୍ଚଳକୁ । ଲୋକ ଧାଁ ଧପଡ଼ କରୁଥିବାର ଲକ୍ଷ୍ୟକଲା ଶୈବାଳ ।

 

ଚନ୍ଦ୍ରଗୁପ୍ତ ଆସି ଖବର ଦେଲା ଯେ ବିରୋଧୀ ପକ୍ଷରୁ କିଏ ଦୁଇଟା ବୁଲାଷଣ୍ଢକୁ ଛାଡ଼ିଦେଇଚି ସଭା ମଝିରେ । ଷଣ୍ଢ ବିନ୍ଧିପାରେ ଏଇ ଭୟରେ ଲୋକ ପଳଉଛନ୍ତି ।

 

- ଉପାୟ ?

 

- ମୁଁ ବ୍ୟବସ୍ଥା କରିଆସିଚି । ପୁଲିସ୍‍କୁ ଖବର ଦିଆଯାଇଚି । ଆମ କର୍ମୀମାନେ ଜଗି ରହିଛନ୍ତି । ବୁଲାଷଣ୍ଢକୁ ଆୟତ୍ତ କରାସାରିଲାଣି ।

 

ନିକୁଞ୍ଜ ମହାନ୍ତି ସ୍ୱାଗତ ଭାଷଣ ଦେଲେ । ତା’ପରେ ଅଭ୍ୟୁଦୟ ସମାଜର ପୁରୋଧା ଏବଂ ବାଚସ୍ପତି ଶୈବାଳ ଉଦ୍‌ବୋଧନ ଦେଲା ଜନତାକୁ । ମଝିରେ ମଝିରେ ବିପୁଳ କରତାଳିଦ୍ୱାରା ଜନତା ସମର୍ଥନ ଜଣାଇଥିଲେ ତାକୁ ।

 

ଶୈବାଳ ଉଦାତ୍ତ କଣ୍ଠରେ କହିଲା-‘‘ଗାନ୍ଧିଜୀ ଆମର ନମସ୍ୟ । ସେ ଆମର ପଥପ୍ରଦର୍ଶକ । ତାଙ୍କର ଲକ୍ଷ୍ୟ ଆମର ଲକ୍ଷ୍ୟ । ଅଭ୍ୟୁଦୟ ଓ ସର୍ବୋଦୟ ଏକକଥା ।’’

 

ଗାନ୍ଧିଜୀ କୋଟ୍‌ ପ୍ୟାଣ୍ଟ୍‌ ଟାଇ ପିନ୍ଧି ଆରମ୍ଭ କରିଥିଲେ ଦେଶସେବା । ଶେଷକୁ ଦେହରେ ଥିଲା ଛଅହାତରେ ହାତକଟା ସୂତାର ଲୁଗା ଖଣ୍ତେ । ଆଜିକାଲି ଦେଶସେବା ଓଲଟା ଦିଗରୁ ଆରମ୍ଭ ହଉଚି । ଗୋଟିଏ ଲୁଗାରୁ ଆରମ୍ଭ କରି ଶେଷହଉଚି କୋର୍ଟ ପ୍ୟାଣ୍ଟ୍‌ ଓ ମୋଟର ଗାଡ଼ିରେ ।

 

ଗାନ୍ଧିଜୀ ଏବଂ ଆଜିର ନେତାମାନଙ୍କ ମଧ୍ୟରେ ଏତିକି ଫରକ । ସେ ଲୋକଙ୍କ ଭିତରୁ ପ୍ରେରଣା ପାଉଥିଲେ, ଆଜିର ଜନତା ନିଜ ମୁହଁ ଚାହିଁ ପ୍ରେରଣା ପାଉଛନ୍ତି । ଦେଶସେବା ସମୃଦ୍ଧିର ପଥ ଖୋଲି ଦେଇଚି । କିନ୍ତୁ ତାହା ଦେଶର ବା ସର୍ବହରାର ସମୃଦ୍ଧି ନୁହେଁ, ତାହା ନେତାଙ୍କ ସମୃଦ୍ଧି, ଟାଉଟର ଅଫିସର ଓ ଠିକାଦାରଙ୍କ ସମୃଦ୍ଧି ।

 

ଘଣ୍ଟାଏ କାଳ ଭାଷଣ ଦେଲା ଶୈବାଳ । ତା’ର ଭାଷଣ ଯେ ଆଶାନୁରୂପ ପ୍ରଭାବ ପକାଉଥିଲା । ଶ୍ରୋତାମାନଙ୍କ ମନରେ ଏହା ନିଶ୍ଚିତ । ସେଥିପାଇଁ ମଧ୍ୟେ ମଧ୍ୟେ କରତାଳି ଦଉଥିଲେ ସେମାନେ ।

 

ଶେଷରେ ଶୈବାଳ କହିଲା, ମୁଁ କୋର୍ଟ ପେଣ୍ଟରୁ ଆରମ୍ଭ କରିଚି । ସବୁ ସୁଖ ପାଇଛି । କିନ୍ତୁ ଗାନ୍ଧିଜୀ ଯେପରି ଗୋଟି କରି ସବୁ ଛାଡ଼ି ଅଧା ନଙ୍ଗଳା ହୋଇ ନିରନ୍ନ ଓ ଅସହାୟଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣରୂପେ ଉତ୍ସର୍ଗ କଲେ ମୁଁ ସେଇ ସମୟକୁ ଉତ୍କଣ୍ଠାର ସହିତ ଅପେକ୍ଷା କରୁଚି-। ମୋର ଯାହା ଅଛି ତାହା ଜନସାଧାରଣଙ୍କର ।

 

ଭାଷଣ ଶେଷରେ ବିପୁଳ କରତାଳି ପଡ଼ିଲା ଏବଂ କର୍ମୀମାନେ ସ୍ଲୋଗାନ ଦେଇ ଜନତାକୁ ଆହୁରି ଉତ୍ସାହ ଦବାକୁ ଲାଗିଲେ ।

 

ଶୈଳ ମୁଗ୍‌ଧ ହୋଇ ଯାଇଥିଲା ।

 

ଏଇ ତା’ହେଲେ ସେଇ ଶୈବାଳ ମହାପାତ୍ର ! ଆଉଥରେ କଣେଇ କରି ଭଲକରି ଦେଖିନେଲା ସେ । ଶୈବାଳର ବ୍ୟକ୍ତିତ୍ୱ ଆହୁରି ଉଜ୍ଜ୍ୱଳ ହୋଇଉଠୁଛି । ସେ ପାଣିଗିଲାସଟାକୁ ଶୈବାଳ ହାତକୁ ବଢ଼ାଇ ଦେଇ କହିଲା, ଏତେ ସମୟ କହିଲ, ପାଣି ଟିକେ ପିଅ ।’’

 

ପାଣି ପିଇସାରି କହିଲା ଶୈବାଳ କିମିତି ଲାଗିଲା ?

 

ଶୈଳ କହିଲା, ଚମତ୍କାର ! ଘରୁ ମୁଁ ଆସିଥିଲି ଭିନ୍ନ ବ୍ୟକ୍ତିତ୍ୱ ନେଇ, ଫେରିଯିବି ଭିନ୍ନ ବ୍ୟକ୍ତିତ୍ୱ ନେଇ । ଆଉ କହିବାକୁ ସଂକୋଚ ଲାଗୁନାହିଁ ଯେ ମୁଁ ତୁମର ପରମ ଅନୁରାଗିଣୀ ତଥା ଅନୁଗାମିନୀ ।

 

ଶୈବାଳ କହିଲା, ତୁମପରି ବ୍ୟକ୍ତି ଅନୁଷ୍ଠାନ ଭିତରକୁ ଆସିଲେ ଅନୁଷ୍ଠାନ ଦୃଢ଼ ହେବ, ଜନପ୍ରିୟତା ବୃଦ୍ଧି ପାଇବ । ତୁମର ଆପତ୍ତି ନ ଥିଲେ ଏହି ଶୁଭ ସମ୍ବାଦଟି ଘୋଷଣା କରିବାପାଇଁ ମୋତେ ଅନୁମତି ଦିଅ ।

 

ଶୈଳ କହିଲା, ମୋର ସୌଭାଗ୍ୟ ଯେ ତୁମପରି ନେତା ପାଉଚି ।

ଆଉଥରେ ଉଠିଲା ଶୈବାଳ ।

 

ମାଇକ୍‌ ପାଖରେ ଛିଡ଼ାହୋଇ ଘୋଷଣା କଲା, ମୋ ବାମରେ ବସିଥିବା ବିଶିଷ୍ଟ ନାରୀନେତ୍ରୀ, ଅଗ୍ରଗଣ୍ୟା ସମାଜସେବିକା ଶୈଳ ପଟ୍ଟନାୟକ ଆମ ଅନୁଷ୍ଠାନରେ ଯୋଗ ଦେଇଚନ୍ତି-। ତାଙ୍କୁ ପାଇ ଅନୁଷ୍ଠାନ ପୂର୍ଣ୍ଣହେବ, ଧନ୍ୟ ହେବ ।

 

ଚାରିଆଡ଼ୁ ସମର୍ଥନ ସୂଚକ ବିପୁଳ କରତାଳି ଭାସିଆସିଲା ।

ଶୈଳ ବେକରେ ଫୁଲ ମାଳଟିଏ ଲମ୍ବେଇ ଦେଲା ନିଜେ ଶୈବାଳ ।

ଆହୁରି କରତାଳି ହେଲା ।

ଶୈଳ ଅଭିଭୂତ ହୋଇ କହିଲା–ଏତେବଡ଼ ଦାୟିତ୍ୱର ମୁଁ ଯୋଗ୍ୟ ତ ?

 

ଦ୍ୱିତୀୟ ବକ୍ତା ଭାଷଣ ଦେଇସାରିବା ପରେ ଶୈବାଳର ବିଶେଷ ଅନୁରୋଧରେ ଶୈଳ ଉଠିଲା କହିବା ପାଇଁ ।

 

କରତାଳିଦ୍ୱାରା ଅଭିନନ୍ଦନ ଜଣେଇଲେ ସମସ୍ତେ ।

 

ଶୈଳ କହିଲା, ‘‘ମୁଁ ସମସ୍ତଙ୍କୁ ଆନ୍ତରିକ ଶ୍ରଦ୍ଧା ଏବଂ ଶୁଭେଚ୍ଛା ଜଣାଉଚି । ଅଭ୍ୟୁଦୟ ସମାଜରେ ଯୋଗଦେଇ ଦେଶ ଓ ଜାତିର ସେବାରେ ଆତ୍ମୋତ୍ସର୍ଗ କରିବାପାଇଁ ମୁଁ ଶପଥ ନେଇଚି-। ଆପଣମାନଙ୍କର ନେତା ମୋର ମଧ୍ୟ ନେତା । ସେ ସମସ୍ତଙ୍କର ନେତା । ଏକତାହିଁ ଶକ୍ତିର ଉତ୍ସ । ଏକତା ବଜାୟ ରଖି ଆଗକୁ ଚାଲନ୍ତୁ, ବିଜୟ ସୁନିଶ୍ଚିତ ।’’

 

ଶୈଳର ବକ୍ତୃତା ଛୋଟ ହେଲେ ବି ବେଶ୍‌ ଭାବୋଦ୍ଦୀପକ ।

 

ସଭା ଶେଷ ହବାପରେ ଶୃଙ୍ଖଳାର ସହିତ ଦଳଦଳ କର୍ମୀ ପତାକା ଉଡ଼ାଇ ଫେରିଗଲେ ବସ୍‌ଷ୍ଟାଣ୍ତ ଓ ଷ୍ଟେସନକୁ । ପ୍ରତ୍ୟେକଙ୍କୁ ଜଳଖିଆ ପ୍ୟାକେଟ ଦିଆଯାଇଥିଲା ।

 

ଶୈବାଳ ଏତେବେଳେ ସମୟ ପାଇଲା ଶୈଳକୁ ଭଲକରି ଦେଖିବାପାଇଁ ।

 

ପାଖକୁ ଆସି ଚନ୍ଦ୍ରଗୁପ୍ତ କହିଲା, ‘‘ସବୁ ଲୋକଙ୍କ ମୁହଁରେ ଗୋଟିଏ କଥା ଏପରି ସଭା ଏଇ ପ୍ରଥମ ।

 

ଅଣରାଜନୈତିକ ଦଳ ପକ୍ଷରୁ ଏପରି ବ୍ୟାପକ ଉଦ୍ୟମ ମଧ୍ୟ ପ୍ରଥମ । ତୁମେ କିନ୍ତୁ ଅଭ୍ୟୁଦୟ ସମାଜକୁ ରାଜନୈତିକ ଦଳବୋଲି ଘୋଷଣା କରିଥିଲେ ଭଲ ହୋଇଥାଆନ୍ତା ।

 

ଶୈବାଳ ହସିଲା ଟିକେ ।

 

ଚନ୍ଦ୍ରଗୁପ୍ତକୁ ନିରୁତ୍ସାହିତ କରିବା ପାଇଁ ଚାହୁ ନ ଥିଲା ସେ । ଲାଇନ୍‌ ଅଫ୍‌ କମାଣ୍ଡରେ ସେ ଦ୍ୱିତୀୟ । ଠିକ୍‌ ତା’ପରେ । ତଥାପି କହିଲା, ବେଳ ଚାଲି ଯାଉନାହିଁ, ପୁଣି ସୁଯୋଗ ମିଳିବ ।

 

ଶୈବାଳ କହିଲା, ଖବରକାଗଜବାଲା ଆସିଥିଲେ ତ ? ଚନ୍ଦ୍ରଗୁପ୍ତ କହିଲା, ହଁ ସମସ୍ତେ । ତା’ ଛଡ଼ା ଆମ କାଗଜ ବି ଅଛି । ଅନେକ ଫଟୋ ଉଠିଛି । ମୁଁ ସମସ୍ତଙ୍କୁ ନେଇ ହୋଟେଲ ପାରିଜାତକୁ ଯାଉଛି ।

 

ସବୁପ୍ରକାର ବ୍ୟବସ୍ଥା କରିବ । କାର୍ପଣ୍ୟ କରିବ ନାହିଁ । କହିଲା ଶୈବାଳ ।

 

ଚନ୍ଦ୍ରଗୁପ୍ତ କହିଲା, ଆଉ ସବୁଠି ମୁଁ କୃପଣ, କିନ୍ତୁ ଏଇଠି ନୁହେଁ । ପ୍ରେସର୍‌ ଲୋକଙ୍କୁ ଖୁସି କରିବାର ବାଟ ଜାଣେ ମୁଁ ।

 

ଚନ୍ଦ୍ରଗୁପ୍ତ ବିଦାୟ ନେଇ ଚାଲିଯିବା ପରେ ଶୈବାଳ କହିଲା, ଗାଡ଼ି ଅପେକ୍ଷା କରୁଛି । ତୁମେ ରାଜିହେଲେ ହୋଟେଲ ବା ଘରକୁ ଯାଇ ଟିକେ ବସି ଆଲୋଚନା କରିବା ।

 

-ରାଜି । ମୋ ଘରକୁ ବରଂ ଚାଲ । କହିଲା ଶୈଳ ।

ଗାଡ଼ିରେ ପାଖାପାଖି ବସିଲେ ଦୁହେଁ ।

 

ଶୈଳର ଦେହରେ ମନଭୁଲାଣିଆ ପ୍ରସାଧନର ବାସ୍ନା । ଭଲ ଲାଗୁଥିଲା ଶୈବାଳକୁ । ମନେପଡ଼ୁଥିଲା ରେଢ଼ାଖୋଲରେ ଛାଡ଼ିଆସିଥିବା ଦିନଗୁଡ଼ିକ ।

 

ଦୂରତ୍ୱ ଦୂର କରିବାପାଇଁ କହିଲା ଶୈବାଳ, ‘‘ଏତେଦିନ ତୁମେ ନିଜକୁ ଗୋପନୀୟ କରି ରଖିଥିଲ କାହିଁକି ? ତୁମର ପ୍ରତିଭା ଅଛି, ବ୍ୟକ୍ତିତ୍ୱ ଅଛି ।’’

 

ଶୈଳ କିଛି କହିଲା ନାହିଁ, ହସିଲା କେବଳ ।

 

ଶୈବାଳ କହିଲା, ମୁଁ ଏ ଲାଇନ୍‌ରେ ଆସିବାଦିନୁ ଖୋଜୁଛି । ଆଜି କହିବାକୁ ଦ୍ୱିଧା ନାହିଁ ଯେ ଖୋଜିବା ଜିନିଷ ପାଇଯାଇଚି ।

 

-ସତ ! ଭୁରୁ ନଚେଇ କହିଲା ଶୈଳ ।

 

ମୋ ନାମ ତ ଶୁଣିଥିବେ । ଆମ ଅନୁଷ୍ଠାନ ସମ୍ପର୍କରେ ଜାଣିଥିବେ । ଏବେ ସାପ୍ତହିକଟିଏ ପ୍ରକାଶ କରନ୍ତୁ । ଆଉ ଦି ବ୍ୟାଙ୍କ୍‌ ଅଫ୍‌ ଉତ୍କଳ ବେଶ୍‌ ଲୋକପ୍ରିୟ ହୋଇଛି ।

 

-ଏକାଧାରରେ ଜନସେବକ, ନେତା ଓ ଛତ୍ରପତି...

-ନା ନା । ସମସ୍ତଙ୍କର ସହଯୋଗ, ସଦ୍ଦିଚ୍ଛା ଯୋଗୁଁ ଯାହା ସମ୍ଭବ ହୋଇଛି ।

 

କାମ କଲେ ସହଯୋଗ ମିଳେ, ସଦ୍ଦିଚ୍ଛା ବି ମିଳେ । ତୁମେ ଦୁଇପାଦ ଆଗେଇଲେ, ଲୋକମାନେ ଚାରିପାଦ ଆଗେଇ ଆସିବେ । ଏଇ ଆମର ସଂସ୍କୃତି, ପରାମ୍ପରା ।

 

- ତୁମ ଅତୀତ ମନେପଡ଼ୁଛି ? କଣେଇଁ ଚାହିଁ କହିଲା ଶୈଳ ।

- ତୁମର ମନେପଡ଼ୁନି... ?

- ସେ କଥା ଭୁଲିହୁଏନି । କେହି ଭୁଲିପାରେନି । ଆଜି ଲାଗୁଛି ସବୁ ସ୍ମୃତି ମଧୁର ।

 

- ଜଣେ ମହିଳା ଏକା ସମାଜରେ କଅଣ କରିପାରେ କୁହ ? ସେ ତ ପୁରୁଷମାନଙ୍କ ପରି ମୁକ୍ତ ନୁହେଁ, ସର୍ବତ୍ର ଶୃଙ୍ଖଳ... ।

 

- ମହିଳାମାନଙ୍କ ପାଇଁ ଅନେକ କିଛି କରିବାକୁ ହେବ । ଏପର୍ଯ୍ୟନ୍ତ ସମ୍ବିଧାନର ନିର୍ଦ୍ଦେଶ କେବଳ କଥା ହୋଇ ରହିଛି ।

 

- ମୋର କାମ ମହିଳାମାନଙ୍କ ଭିତରେ । ସେମାନେ ଜନସଂଖ୍ୟାର ଅଧେ । ସେମାନଙ୍କ ପାଇଁ କିଛି କରିପାରିଲେ ଦେଶର ସାମୂହିକ ଊନ୍ନତି ଆପେ ଆପେ ହୋଇଯିବ ।

 

-ତୁମ କାର୍ଯ୍ୟରେ ମୋର ଅକୁଣ୍ଠ ସାହାଯ୍ୟ ମିଳିବ । ତୁମେ ଅଭ୍ୟୁଦୟ ସମାଜକୁ ଆପଣାର କରିନେଇଥିବାରୁ, ମୁଁ କୃତଜ୍ଞ ।

 

- ଧନ୍ୟବାଦ ।

 

ଗାଡ଼ି ଛିଡ଼ାହେଲା ଘର ଆଗରେ । ଏକମହଲା ଛୋଟ ଘର ଆଗରେ ଛୋଟ ବଗିଚା । ମଧୁମାଳତୀ ଲତା ଫୁଲର ସମ୍ଭାର । କେତୋଟି ରଜନୀଗନ୍ଧା । ଗଛ ବି ଫୁଲର ସମ୍ଭାର ବୋହି ମଥା ନୁଆଁଇ ଦେଇଛି ।

 

ପରିବେଶଟି ଅନୁକୂଳ ।

ଡ୍ରଇଁ ରୁମ୍‌ରେ ଶୈବାଳକୁ ବସେଇ ଭିତରକୁ ଯାଇ ଫେରିଆସିଲା ଶୈଳ ।

 

- ‘‘ବାପା ମୋ ପାଇଁ ରଖିଯାଇଛନ୍ତି ଏଇ ଘର ଆଉ ଚଳିବା ପାଇଁ କିଛି ବ୍ୟାଙ୍କ୍‌ ବାଲାନ୍‌ସ । କଟକରେ ଦୋକାନଘର ଚାରିଟା ଅଛି । ସେଥିରୁ ବି କିଛି ମିଳେ । ମୁଁ ତ ଏକମାତ୍ର ସନ୍ତାନ । ଅସୁବିଧା କିଛି ହୁଏ ନାହିଁ ।’’

 

- ‘‘ବାପାଙ୍କର କେବେ କାଳ ହେଲା ?’’

- ‘‘ପାଞ୍ଚବର୍ଷ ହବ । ମା’ ଅଛି ପୁରୀରେ । ଜଗନ୍ନାଥ କ୍ଷେତ୍ର ଛାଡ଼ି ସେ ଆସିବ ନାହିଁ ।’’

- ‘‘ଏକା ଏକା ବୋର୍‌ ଲାଗୁଥିବ...’’

 

- ‘‘ନା, ଅବସର ସମୟରେ ବହି ପଢ଼େ, ଏବେ କିଛି ଲେଖାଲେଖି ବି କରୁଛି । କାମ ତ ଅନେକ ଅଛି କରିବା ପାଇଁ । ମହିଳା ସମାଜର କାମ ଛାଡ଼ି ନିରାମୟ’ର କାମ ବି ଅନେକ ।’’

 

- ‘‘ନିରାମୟ’ ର ଲକ୍ଷ୍ୟ କଅଣ ?’’

 

- ‘‘ସମାଜସେବା । ସମାଜରେ ମୂଲ୍ୟବୋଧକୁ ପ୍ରତିଷ୍ଠା କରିବା । ସଂସ୍କୃତିକୁ ଡ୍ରଇଁ ରୁମ୍‌ର ଉପାଦାନ ନ କରି ଜୀବନଚର୍ଯ୍ୟାରେ ପରିଣତ କରିବା । ଦୁଃସ୍ଥ, ଦୁର୍ବଳ, ଅସହାୟମାନଙ୍କର ସେବା କରିବା । ଅପସଂସ୍କୃତି ବିରୁଦ୍ଧରେ ଲଢ଼ିବା ଏବଂ ନୂତନ ସଂସ୍କୃତିକୁ ସଞ୍ଜୀବିତ କରିବା ।’’

 

- ‘‘ମହାନ ଲକ୍ଷ୍ୟ । ମହାନ୍‌ ନେତ୍ରୀଙ୍କଠାରୁ କେବଳ ଏତେ ଉଦାରତା ଆଶା କରାଯାଇପାରେ ।’’

 

ଚା’ ଆସିଲା । ପ୍ଳେଟ୍‌ରେ କିଛି ସଦ୍ୟ ଭଜା ହୋଇଥିବା ନିମକି ଏବଂ ନିମାପଡ଼ାର ଛେନା ଜିଲାପି ।

 

- ‘‘ଏ ଭିତରେ ଏତେସବୁ ବ୍ୟବସ୍ଥା କରି ପକାଇଲ !’’ କହିଲା ଶୈବାଳ ।

- ‘‘ନା, ସେ କିଛି ନୁହେଁ । ସାମନ୍ୟ । ଆରମ୍ଭ କର ... ’’

 

ଶୈବାଳ ଗୋଟେ ନିମକି ଉଠେଇ ନେଇ କହିଲା, ଆଜି କିମିତ ଲାଗିଲା ତୁମକୁ ?

 

- ‘‘ସଭା ବେଶ୍‌ ଭଲ ହେଲା । ଲୋକ ସମାଗମ ବି ଭଲ ହୋଇଥିଲା । କୌଣସି ବଡ଼ ରାଜନୈତିକ ଦଳର ଡାକରାରେ ବି ଏତେ ଲୋକ ଆସନ୍ତିନି ସଭାକୁ ।

 

- ମୋତେ ସେଇକଥା ଆଶ୍ଚର୍ଯ୍ୟ ଲାଗୁଛି ।

 

- ପ୍ରତ୍ୟାଶା ଜାଗିଛି ମନରେ । ଏପର୍ଯ୍ୟନ୍ତ ଠକିଛନ୍ତି ସମସ୍ତେ । ଏବେ ଲୋକ ଆଶାକରନ୍ତି ଯେ ତୁମେ ଅନ୍ତତଃ କିଛି କରିବ, ସେମାନଙ୍କୁ ଠକିବ ନାହିଁ ।

 

- ପିଲାମାନଙ୍କୁ ଛୋଟ ଛୋଟ ନାଲି ନୀଳ ରଙ୍ଗର ଖେଳଣା ଦେଲେ ବି ସେମାନ ଖୁସି ହୁଅନ୍ତି । ଏ ଦେଶର ଲୋକମାନେ ବି ସେହିପରି । ସମାନ୍ୟରେ ସେମାନେ ସନ୍ତୁଷ୍ଟ । କିନ୍ତୁ ସେମାନେ ଯେତେବେଳେ ଜାଣିବେ ଯେ ଯାହା ହଉଛି ସେମାନଙ୍କ ପାଇଁ ହଉଛି, ସେତେବେଳେ ସେମାନେ ଦେଶ ନିର୍ମାଶ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ ।

 

- ତୁମ ସହିତ ମୁଁ ଏକମତ ।

ନିମକିରୁ ଆଉ ଗୋଟେ ଉଠେଇ ନେଇ କହିଲେ ଶୈବାଳ, ‘‘ବେଶ୍‌ ଭଲ ଲାଗୁଛି... ।’’

ଶୈବାଳ ଅନାଇଥିଲା ଶୈଳକୁ ।

 

ଶୈଳ ଅଶ୍ୱସ୍ତି ଅନୁଭବ ନ କରି ବରଂ ଖୁସି ହଉଥିଲା ଯେ ସେ ଅନେଇଛି ତା’ ମୁହଁକୁ । ଇମିତ ଆଗେ ତା’ ମୁହଁକୁ ଅନାଉଥିଲା ଶୈବାଳ । ଆଖିର ଦୃଷ୍ଟିରେ ସେଇ ପଜେସିଭ୍‌ନେସ୍‌ର ଚିହ୍ନ-। ସେ କିନ୍ତୁ ଉଦାର ହୋଇଛି ଅନେକ । ଦେହର ପ୍ରତ୍ୟେକ ଲୋମକୂପ ମୂଳ ଉଷ୍ଣ ହୋଇଉଠୁଥିଲା-

 

ନାରୀ ସବୁକାଳରେ ଆକର୍ଷଣର କେନ୍ଦ୍ର ।

 

ଶୈଳ ଦେଖୁଥିଲା ତାହାରି ଆଗରେ ବସିଥିବା ଶୈବାଳ ମହାପାତ୍ରକୁ । ତା’ ବ୍ୟକ୍ତିତ୍ୱର ଛାପ ।

 

କିନ୍ତୁ ପ୍ରେମର ?

ଏହି ପ୍ରଶ୍ନଟା ମନକୁ ପଚାରି ଦେଇ ରହିଗଲା ସେଇଠି ।

ଏ ଉତ୍ତର ଶୈବାଳ କେବଳ ଦେଇପାରିବ ।

 

ଶୈବାଳ ଚାହିଁଲା କୋଠରୀକୁ । ବାହୁଲ୍ୟ ନାହିଁ କେଉଁଠି, ବେଶ୍‌ ରୁଚିପୂର୍ଣ୍ଣ ସାଜସଜ୍ଜା । ସୋଫାସେଟ୍‌କୁ ଛାଡ଼ି କୋଠରୀ ଭିତରେ ଥିଲା ସୋ କେଶ୍‌ଟିଏ –ତା’ ଭିତରେ ଅନେକ ସ୍ମାରକୀ । ସେଣ୍ଟର ଟେବୁଲ ଉପରେ ଥିବା ଫୁଲଦାନୀରେ ଇକାବେନା ଷ୍ଟାଇଲରେ ଫୁଲ ଓ ପତ୍ର ସଜା ହୋଇଥିଲା । କାନ୍ଥରେ ଗୋଟିଏ ଆଧୁନିକ ଲ୍ୟାଣ୍ଡସ୍କେପର ପେଣ୍ଟିଂ ।

 

ଶୈଳ କହିଲା–ତୁମେ ଏତେଗୁଡ଼ା କାର୍ଯ୍ୟରେ ହାତ ଦେଇଛ । ସମୟ ଅଣ୍ଟୁ ନ ଥିବ ।

 

- ସେଥିପାଇଁ ତ କହୁଛି ମୋତେ ଟିକେ ସାହାଯ୍ୟ କର । ଦୁହେଁ ମିଶି କାମ କଲେ କାମ ବାକି ପଡ଼େନାହିଁ ।

 

- ଚନ୍ଦ୍ରଗୁପ୍ତ ତ ଅଛନ୍ତି ।

- ସେ ସାହାଯ୍ୟ କରେ ନିଶ୍ଚୟ, ସହକର୍ମୀ ହୋଇପାରେ, କିନ୍ତୁ ସହଧର୍ମୀ ନୁହେଁ ।

- ସମଧର୍ମୀଟିଏ ଖୋଜୁନାହାଁନ୍ତି କାହିଁକି ? ଖିଲ୍‌ ଖିଲ୍‌ ହସି କହିଲା ଶୈଳ ।

 

- ସମଧର୍ମୀ ସହଜରେ ମିଳେ ନାହିଁ । ସେଇ ପରୀକ୍ଷା ବଡ଼କଠିଣ, ସେଥିରେ ଉତ୍ତୀର୍ଣ୍ଣ ହବା ସହଜ ନୁହେଁ ।

 

- ମୁଁ ତ ନୂଆ । ନବାଗତା । ମୋ ଉପରେ ଏତେ ବିଶ୍ୱାସ କରିବା ଠିକ୍‌ ହେବନାହିଁ ।

 

- ବିଶ୍ୱାସ ମନର କଥା, ତାହା ସୃଷ୍ଟିହୁଏ ଆପେ ଆପେ, କାହାରି ଅନୁରୋଧ ଉପ୍ରୋଧକୁ ଅପେକ୍ଷା କରେ ନାହିଁ । ମୋତେ କଅଣ ଲାଗୁଛି ଜାଣ ? ଏଯାଏ ଯାହାକୁ ଖୋଜୁଥିଲି ସେହି ବ୍ୟକ୍ତି ମୋ ଆଗରେ ଉପସ୍ଥିତ । ଦିନେ ନିକଟକୁ ଆସି ପୁଣି ଦୂରକୁ ଚାଲି ଯାଇଥିଲେ । ଆଉଥରେ ଅପ୍ରତ୍ୟାଶିତ ଭାବରେ ଆସିଛ ଯେତେବେଳେ ମୁଁ ଅନେକ ଆଶା କରିବା ସ୍ୱାଭାବିକ ।

 

ଲାଜେଇଗଲା ଶୈଳ । କାନ ଦୁଇଟା ଉଷ୍ମ ହୋଇଉଠିଲା । ହଁ, ଶୈବାଳ ବଦଳି ନାହିଁ । ଠିକ୍‌ ପୂର୍ବପରି ଅଛି । ଯାହା ବଦଳିଛି ତାହା ତା’ର ଅନ୍ତରର ରଙ୍ଗ ନୁହେଁ–ବାହାରର ।

 

ପ୍ରାୟ ଚଉଦ ବର୍ଷ ତଳର ଭୁଲିଯାଇଥିବା କଥାଗୁଡ଼ା ମନେପଡ଼ୁଥିଲା ପୁଣି । ମନେପଡ଼ୁଥିଲା ପ୍ରଥମ ପ୍ରେମର ପୁଲକ ।

 

ଶୈବାଳ ଚା’ରୁ ଢୋକେ ପିଇ କହିଲା–ଏତେଦିନେ ପରେ ପୁଣି ଫେରିଆସିଛୁ ପରସ୍ପର ପାଖକୁ, ସରିଯାଇଥିବା ଦିନଗୁଡ଼ା ଫେରିଆସିଛି ଆଉଥରେ ।

 

ଶୈଳ କହିଲା–ଯାହା ହଜି ଯାଇଥିଲା, ସବୁ ଫେରି ପାଇବା ଆମେ ।

 

ଶୈବାଳ ତା’ର ହାତଟିକୁ ଟେକିନେଇ ଚାପ ଦେଲା ଟିକେ । ଲଜ୍ଜାର ଆଲୁଅ ସଞ୍ଚରିଗଲା ଶୈଳର ସର୍ବାଙ୍ଗରେ । ସେ ଆହୁରି ଅନୁପମ ହୋଇଉଠିଲା ।

 

ଶୈଳ କହିଲା–ତୁମେ କବି ହୋଇପାରି ଥାଆନ୍ତ... ।

- ଏବେ ବି ସମୟ ଅଛି । କହିଲା ଶୈବାଳ ।

ସମୟ ତା’ର ସବୁ ସମ୍ଭାର ନେଇ ଠୁଳ ହଉଥିଲା ସେମାନଙ୍କ ଚାରିପାଖରେ ।

 

ସନ୍ଧ୍ୟାର ଗୋଟିଏ ଅନାସ୍ୱାଦିତ ସ୍ୱାଦ ଅଛି, ଯାହା ମନକୁ କରେ ନିକଟତର ହୃଦୟକୁ କରେ ଉଦ୍‌ବେଳ । ସେଥିପାଇଁ ସନ୍ଧ୍ୟାରେ ଫୁଲ ଫୁଟେ, ଶୀତଳ ପବନ ବହେ ଏବଂ ବେଶ ବଦଳାଇ ଦାଣ୍ଡରେ ଚାଲନ୍ତି ନାରୀ ଓ ପୁରୁଷ । ସନ୍ଧ୍ୟା ସୃଷ୍ଟିକରେ ଅନୁସନ୍ଧାନ; ଆଉ ସନ୍ଧ୍ୟା ବି ଆଣିଦିଏ ନବ ନବ ସୁଯୋଗ, ଅନେକ ସମ୍ଭାବନା । ନବ ନବ ଆବିଷ୍କାର ଆଉ ଉପହାର ।

 

ସନ୍ଧ୍ୟା ବିଚିତ୍ରବର୍ଣ୍ଣା–ପୁଷ୍ପପରି ମନୋହରଣ କରେ କେବଳ ।

 

କୋଠରୀ ବାହାରେ ଉତ୍ତୀର୍ଣ୍ଣ ସନ୍ଧ୍ୟାର ବହଳ ଅନ୍ଧାର । ରଜନୀଗନ୍ଧା ପାଖୁଡ଼ା ମେଲାଇ ବିଛେଇ ଦେଇଛି ସୁବାସ ।

 

ଶୈବାଳ କହିଲା -ଅନେକ କଥା କହିବାର ଅଛି, କିନ୍ତୁ ଆଜି ସମୟ ନାହିଁ, ଆଉ ଦିନେ କହିବି ।

 

ଶୈଳ କହିଲା–କହିବା କଥାକୁ କହି ନ ପାରିବାର ଉତ୍କଣ୍ଠା କେବେ ଅନୁଭବ କରିଛ ମନରେ ?

 

ଶୈବାଳ ଉଠିପଡ଼ି କହିଲା–ଆଜି ନୁହେଁ, ଆଉ ଦିନେ କହିବି ।

ଶୈଳ ପାଖରୁ ଚାଲିଆସି ଶୈବାଳ ସିଧା ଗଲା ‘ଅଭ୍ୟୁଦୟ ସମାଜ’ର କାର୍ଯ୍ୟାଳୟକୁ ।

 

ସେ ପହଞ୍ଚିବାବେଳକୁ ଅପେକ୍ଷା କରିଥିଲେ ଚନ୍ଦ୍ରଗୁପ୍ତ, ନିକୁଞ୍ଜ ମହାନ୍ତି ଏବଂ ଦଳର କେତେକ ମୁଖ୍ୟ କର୍ମୀ । ସଙ୍ଗେ ସଙ୍ଗେ ଆଲୋଚନା ଆରମ୍ଭ ହୋଇଗଲା ।

 

ସମସ୍ତଙ୍କର ମତାମତ ଶୁଣିଲା ଶୈବାଳ । ତା’ପରେ କହିଲା, ଆମକୁ ଆହୁରି ଅନେକ ବାଟ ଯିବାକୁ ହେବ । ପଥ ସିଧା ବା ସରଳ ନୁହେଁ । ଅନେକ ବାଧାବିଘ୍ନ ଅଛି । କିନ୍ତୁ ଡରି ନ ଯାଇ ଚାଲିବାକୁ ହେବ । ଫ୍ରଷ୍ଟ୍‍ଙ୍କର କବିତା ଆବୃତ୍ତି କଲା ଶୈବାଳ–

 

The wood is dark deep

I have promises to keep

And miles to go before I sleep

And miles to go before I sleep

 

ଚନ୍ଦ୍ରଗୁପ୍ତ କହିଲା–କବି ଲେଖିଥିଲେ, କିନ୍ତୁ ଜବାହାରଲାଲ ସେଇ ପଦକ କବିତାକୁ ମନ୍ତ୍ରପରି ପଢ଼ୁଥିଲେ ।

 

ନିକୁଞ୍ଜ ମହାନ୍ତି କହିଲା–ଶୈବାଳ ପାଖରେ ମୁଁ ନୂତନ ନେତୃତ୍ୱର ସନ୍ଧାନ ପାଇଛି । ଏ ଦେଶକୁ ଦୁର୍ନୀତି ଏବଂ ହୀନମନ୍ୟତା କବଳରୁ ରକ୍ଷା କରିବା ପାଇଁ ସେ କେବଳ ସମର୍ଥ । ଦିନେ ମୁଁ ତା’ର ଥିଲି ପଥପ୍ରଦର୍ଶକ । ଏବେ କିନ୍ତୁ ତାକୁ ମୁଁ ମୋର ନେତାବୋଲି ଗ୍ରହଣ କରିନେଇଛି ।

 

ଶୈବାଳ କହିଲା–ମୁଁ ଏକା ନୁହେଁ, ଆମେ ସମସ୍ତେ କର୍ମୀ, ପୁଣି ସମସ୍ତେ ବି ନେତା । ଯେଉଁମାନେ ଆମର ବିରୋଧ କରୁଛନ୍ତି ସେମାନଙ୍କର ଅନିଷ୍ଟ କରିବାର ଶକ୍ତି ଅନେକ । ଆଜି ସଭାରେ ଷଣ୍ଢ ପୂରେଇଦେଲେ, ଆଉଦିନେ ବୋମା ଫୁଟାଇ ପାରନ୍ତି ।

 

ଚନ୍ଦ୍ରଗୁପ୍ତ କହିଲା–ଆମର ସ୍ୱେଚ୍ଛାସେବକମାନଙ୍କୁ ଆହୁରି ଟ୍ରେନିଂ ଦବାକୁ ହବ । ସେମାନଙ୍କ ସଂଖ୍ୟା ବି ବଢ଼ିବା ଦରକାର ।

 

- ତା’ ସହିତ ଆମ ନୀତିର ପ୍ରଚାର ବି ବଢ଼େଇବାକୁ ହେବ । କହିଲେ ନିକୁଞ୍ଜ ।

 

ଶୈବାଳ କହିଲା– ମୁଁ ଏକମତ ଏଥିରେ । ସଭ୍ୟସଂଗ୍ରହ ଅଭିଯାନ କାଲିଠାରୁ ଆରମ୍ଭ ହେଉ । ଲୁହା ଗରମ ସମୟରେ ତା’ ଉପରେ ମାଡ଼ ପଡ଼ିବା ଦରକାର ।

 

ସଙ୍ଗଠନ ବିଷୟରେ ଅନେକ ସମୟ ଆଲୋଚନା ହେଲା । କର୍ମୀମାନଙ୍କର ଅଭାବ ଅସୁବିଧା କଥା ବି ଶୁଣିଲା ଶୈବାଳ । ଆଲୋଚନା ପରେ ରାଜଧାନୀର ଉପକଣ୍ଠ ଖଣ୍ଡଗିରିଠାରେ ଏକ ପ୍ରାଥମିକ ବିଦ୍ୟାଳୟ ଏବଂ ଷ୍ଟେସନ ବଜାରରେ ଏକ ରାତ୍ରିନିବାସ ଖୋଲିବା ନିମନ୍ତେ ସିଦ୍ଧାନ୍ତ ଗ୍ରହଣ କରାଗଲା । ଖାଲି ବକ୍ତୃତା ଦେଇ ଲୋକଙ୍କୁ ସନ୍ତୁଷ୍ଟ କରିହୁଏ ନାହିଁ । ଅସଲ କାର୍ଯ୍ୟ ଆରମ୍ଭ ହେବା ଉଚିତ ।

 

ଖଣ୍ଡଗିରି ପାଖର ବସ୍ତିମାନଙ୍କର ପିଲାମାନଙ୍କୁ ପଢ଼ିବା ପାଇଁ ଦୂରକୁ ଯିବାକୁ ହୁଏ । ଏହି ସମସ୍ୟାଟି ଦୂର କରିବାଦ୍ୱାରା ବସ୍ତିଲୋକେ ଅନୁଷ୍ଠାନ ପ୍ରତି ଆକୃଷ୍ଟ ହେବେ । ଅନେକ ଭିକାରୀ, ରିକ୍‌ସାବାଲା, ଦିନମଜୁରିଆଙ୍କର ରାତ୍ରିବାସ ପାଇଁ କିଛି ବ୍ୟବସ୍ଥା ନାହିଁ ରାଜଧାନୀରେ । ତା’ଛଡ଼ା ମଫସଲରୁ ଏପରି ଅନେକ ଲୋକ ରାଜଧାନୀକୁ ପ୍ରତିଦିନ ଆସନ୍ତି ଯେଉଁମାନେ ନିରାଶ୍ରୟ । ସେମାନଙ୍କୁ ରାତିରେ ଆଶ୍ରୟସ୍ଥଳଟିଏ ଯୋଗାଇ ଦବାଦ୍ୱାରା ଏକ ସାମାଜିକ ଆବଶ୍ୟକତା ଯେ କେବଳ ପୂର୍ଣ୍ଣ ହେବ ତାହା ନୁହେଁ, ସେମାନଙ୍କୁ ସଙ୍ଗଠିତ କରି ସଙ୍ଗଠନର କାର୍ଯ୍ୟରେ ଲଗାଯାଇ ପାରିବ ।

 

କାମସାରି ଘରକୁ ଫେରିବାବେଳକୁ ରାତି ଏଗାରଟା ବାଜିଯାଇଥିଲା ।

 

ଦିନ ସରିଯାଏ କାମ ଭିତରେ । ସମୟ ହୁଏ ନାହିଁ ନିଜ ବିଷୟରେ ଭାବିବାପାଇଁ । ଚାରିପାଖରେ ଲାଗିରହେ କୋଳାହଳ । ରାତି କିନ୍ତୁ ଡାକି ଆଣେ ନିର୍ଜନତା, ନିଃସଙ୍ଗତା, ଶୂନ୍ୟତା ।

 

ସେଇ ଶୂନ୍ୟତା ମାଡ଼ି ମାଡ଼ି ପଡ଼େ । ସେ ଅସହାୟ ପରି ପଡ଼ିରହେ ଦଗ୍‌ଧ ହବାପାଇଁ ।

 

ଶୈଳ ତା’ ମନର ସବୁ ଖୋଲା ଜାଗାକୁ ମାଡ଼ି ବସିଛି । ଦେଖିବା ସମୟରୁ ଗୋଟିଏ ନୂଆ ଅନୁଭବ ବିଭୋର କରୁଛି ତାକୁ । ଆଦ୍ୟ ଯୌବନର ଶିହରଣ ପୁଣି ଫେରିଆସିଛି ଫୁଲର ମହକ ପରି ।

 

ସେଇ ଲେଖିକା ବି ଏହିପରି ଅଭିନବ ମଧୁରତା ସୃଷ୍ଟି କରିଥିଲା ତା’ ମନରେ । ତାକୁ ନ ଦେଖି ବି ଦେଖିବା ପରି ଲାଗେ । ତା’ ସହିତ ଶୈଳର କେତେ ସାମ୍ୟ, ଦୁହିଁଙ୍କ ମଧ୍ୟରେ କେତେ ଐକ୍ୟ ।

 

ଶୈବାଳ ପରାଜୟ ସ୍ୱୀକାର ନ କରି ଜୀବନକୁ ବରଣ କରିଥିଲା ତା’ର ଦୁଃଖ ସୁଖ ସହିତ । ଦିନ ଯିବା ସଙ୍ଗେ ସଙ୍ଗେ ଦୁଃଖ ଯାଉଛି, ସୁଖର ଦିନଗୁଡ଼ା ଉଡ଼ନ୍ତା ପକ୍ଷୀପରି ପର ମେଲାଇ ଆସୁଛି । ଆକାଶ ବକ୍ଷରେ ପକ୍ଷୀ ସ୍ଥାନଟିଏ ବାଛିନବା ପରି ଶୈବାଳ ବି ବାଛିନେଇଛି ଗୋଟିଏ ସ୍ଥାନ–ଯେଉଁଠାରେ ଅଜସ୍ର ସୂର୍ଯ୍ୟକିରଣ ଏବଂ ଅପର୍ଯ୍ୟାପ୍ତ ଦୀପ୍ତି ।

 

ସେଇ ଦୀପ୍ତିରେ ଉଡ଼ାକଳର ଏଆର୍‌ ହଷ୍ଟେସ୍‌ ପରି ଓହ୍ଲାଇ ଆସୁଥିଲା ଶୈଳ, ମୁହଁରେ ସ୍ୱାଗତ ଏବଂ ମନର ନିଶ୍ଚିତ ଅନାଗତର ଅସୀମ ପୁଲକ ।

 

ପ୍ରତିଯୋଗିତା ଲାଗିଗଲା ମନରେ; ଦୁଷ୍ଟ ଏବଂ ଅଦୃଷ୍ଟ ମଧ୍ୟରେ । ଶୈଳ ଏବଂ ଲେଖିକା ମଧ୍ୟରେ କାହାକୁ ରଖିବ ଆଉ କାହାକୁ ଫେରେଇ ଦବ ଶୈବାଳ ?

 

କିଛି ସ୍ଥିର କରିବା ଆଗରୁ ଶୋଇପଡ଼ିଲା ସେ ।

 

ପ୍ରେମିକାର ନରମ ପରଶ ପରି ପବନ ପରଶ ଲାଗୁଥିଲା ତା’ ଦେହରେ । ସ୍ୱପ୍ନରେ ବି ରୋମାଞ୍ଚ, ସ୍ୱପ୍ନରେ ବି ଫୁଟେ ଅନେକ କଦମ୍ବ ।

 

ଦିନେ ହଠାତ୍‌ ଯେପରି ଅନ୍ତର୍ଦ୍ଧାନ ହୋଇ ଯାଇଥିଲା ଶୁଶ୍ରୂଷା ସେଦିନ ଦିନ ଦି’ ପହରେ ସେହିପରି ହଠାତ୍‌ ଆବିର୍ଭାବ ହେଲା ଆସି ।

 

ତାକୁ ଚାହିଁଦେଇ ଭୂତ ଦେଖିବା ପରି ଚମକି ପଡ଼ିଲେ ସୁଭଦ୍ରା ।

 

ଏଇ କେତେମାସ ଭିତରେ ପୂର୍ବର ଶ୍ରୀ ହଜିଯାଇଛି ଦେହରୁ । ମଳିନ ମୁହଁ । ରୁକ୍ଷ ଅବିନ୍ୟସ୍ତ କେଶ । ଦେହ ରଙ୍ଗ ବି ମଳିନ । ସଦା ପ୍ରଗଲ୍‌ଭତା ଶୁଶ୍ରୂଷା ହଠାତ୍‌ ଯେପରି ନିର୍ବାକ୍‌, ନିଷ୍ପନ୍ଦ ହୋଇଯାଇଛି ।

 

ତାକୁ ଚାହିଁଦେଇ ସବୁ ବୁଝିପାରିଲେ ସୁଭଦ୍ରା । ଯାହା ଆଶଙ୍କା କରୁଥିଲେ ଠିକ୍‌ ସେୟା ହୋଇଛି । ଫେରିଆସିଛି ଶୁଶ୍ରୂଷା । ବାହାହୋଇ ଯାଇଥିଲେ ଝିଅ ଜ୍ୱାଇଁ ଆସିଥାଆନ୍ତେ ଏକା ସାଙ୍ଗରେ । ଜ୍ୱାଇଁ ଆସିନି । ଏକା ଝିଅ ଆସିଛି ।

 

ଶୁଶ୍ରୂଷା କାନ୍ଥକୁ ଆଉଜି ଛିଡ଼ାହୋଇ ରହିଲା ।

ତା’ ପାଖକୁ ଯାଇ କହିଲେ ସୁଭଦ୍ରା, ଏକା ଆସିଚୁ ନା ଜ୍ୱାଇଁ ବି ଆସିଛନ୍ତି ?

ଶୁଶ୍ରୂଷାର ମୁହଁରୁ ଭାଷା ସ୍ଫୁରିଲା ନାହିଁ ।

ସୁଭଦ୍ରା କହିଲେ, ଚୁପ୍‌ହୋଇ ଛିଡ଼ାହୋଇ ରହିଲୁ ଯେ...ଝଗଡ଼ା କରି ଆସିନୁ ତ ।

କାନ୍ଦି ପକେଇଲା ଶୁଶ୍ରୂଷା ।

ସୁଭଦ୍ରା ବ୍ୟସ୍ତ ହୋଇପଡ଼ିଲେ ।

 

ଶୁଶ୍ରୂଷାର ହାତଧରି ଟାଣିନେଲେ ଘର ଭିତରକୁ । ତା’ପରେ କହିଲେ ସବୁ ଭାଗ୍ୟ । ମୋର ପୋଡ଼ା କପାଳ... !

 

ଶୁଶ୍ରୂଷା କଇଁ କଇଁ ହୋଇ କାନ୍ଦୁଥିଲା । କାନ୍ଦିବା ଛାଡ଼ି ଆଉ ଯେପରି କିଛି ନାହିଁ ଜୀବନରେ । ଜୀବନସାରା କେବଳ କାନ୍ଦିବ ସେ । ହସିବାର ଦିନଗୁଡ଼ା ଶେଷ ହୋଇଯାଇଛି ।

 

ତାଙ୍କୁ କାହିଁକି ମା’ କଲେ ଈଶ୍ୱର । ନିଃସନ୍ତାନ ହୋଇ ରହିଥିଲେ ନିଜର ଦୀନତା ତାଙ୍କୁ ଦଗ୍‌ଧ କରନ୍ତି କେବଳ, ସନ୍ତୁଳି ହୁଅନ୍ତେ ନାହିଁ ସେଥିରେ । ଆଉ ସମ୍ଭାଳି ନ ପାରି ଶୁଶ୍ରୂଷାକୁ କୋଳ ଉପରକୁ ଟାଣିନେଇ କହିଲେ ସୁଭଦ୍ରା - ହୀନକପାଳି ! ବାଜା ବଜେଇ ବାହା ହୋଇ ଯାଇଥିଲେ ଇମିତ ହୋଇ ନ ଥାନ୍ତା । ସେ ଛାଡ଼ି ଦେଲେ ବି ଆଇନର ବଳ ଥାଆନ୍ତା ।

 

ଶୁଶ୍ରୂଷା କହିଲା, ପ୍ରଭାତ ମୋତେ ଅନେକ ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ କିଛି ରଖିଲା ନାହିଁ ।

 

- କୋଉ ପ୍ରଭାତ କଥା କହୁଛୁ ? ପଚାରିଲେ ସୁଭଦ୍ରା ।

- ମାମୁଁଘର ଗାଆଁର ପ୍ରଭାତ ଚଇନି । ସେକ୍ରେଟାରୀଏଟ୍‍ର ଆସିଷ୍ଟାଣ୍ଟ ।

- ସେ କୁଆଡ଼େ ଗଲା ? ତୁ ଆସିଲୁ କିପରି ?

ତା’ପରେ ଶୁଶ୍ରୂଷା ସଂକ୍ଷେପରେ ଯାହା କହିଲା, ତାହା ଏହିପରି ।

 

ପ୍ରଭାତ ତାଙ୍କ ଘରକୁ ଆସିବା ଦିନୁ ସମ୍ପର୍କ ରଖିଥିଲା ଶୁଶ୍ରୂଷା ସହିତ । ଯୌବନର ସୁନେଲି ସ୍ୱପ୍ନରେ ଭାସିଯାଇ ଦୁହେଁ ଦୁହିଁଙ୍କୁ ହଠାତ୍‌ ଭଲପାଇ ବସିଲେ । ସେବା ତା’ଠାରୁ ବଡ଼, ଏ ବିବାହ ହବାର ଆଶା ନ ଥିବାର ପ୍ରଭାତର ଯୋଜନା ଅନୁସାରେ ଦୁହେଁ ପୁରୀ ଯାଇ ସ୍ୱର୍ଣ୍ଣ ଗୌରାଙ୍ଗ ମନ୍ଦିରରେ ବିବାହ କରିଥିଲେ । ପୁରୀରେ ବିଭିନ୍ନ ସ୍ଥାନରେ ଦୁଇମାସ ରହିବା ପରେ ତାକୁ ପ୍ରଭାତ ନେଇ ଯାଇଥିଲା ରାଉରକେଲା । ସେଠାରେ ଗତ କେତେମାସ ରହିବା ପରେ ଯେତେବେଳେ ସେ ମା’ ହବାକୁ ଯାଉଥିବା ଲକ୍ଷଣ ଅଙ୍ଗପ୍ରତ୍ୟଙ୍ଗରେ ସୁସ୍ପଷ୍ଟ ହୋଇଉଠିଲା, ଡାକ୍ତରକୁ କହି ଶୁଶ୍ରୂଷାର ଅନିଚ୍ଛାସତ୍ତ୍ୱେ ଗର୍ଭ ନଷ୍ଟକରି ତାକୁ ଅସହାୟ ଅବସ୍ଥାରେ ଡାକ୍ତରଖାନାରେ ଛାଡ଼ି ପଳେଇଗଲା । ଡାଙ୍କରଖାନାରୁ ଛାଡ଼ ପାଇ ସେ ସିଧା ଚାଲିଆସିଛି ଘରକୁ । ଯାଇଥିଲା ଆଶା ନେଇ, ଫେରିଆସିଲା ହତାଶାର ବୋଝ ବୋହି ।

 

ପ୍ରଭାତ ଘରର ପିଲାପରି ଯିବା ଆସିବା କରୁଥିଲା । ସୁଭଦ୍ରା କଳ୍ପନା କରିପାରୁ ନ ଥିଲେ କିପରି ଅଘଟଣ ଘଟିଗଲା । ଗୋଟିଏ ଜୀବନ ନଷ୍ଟଭ୍ରଷ୍ଟ ହୋଇଗଲା ।

 

କାନ୍ଦିବା ପାଇଁ ଇଚ୍ଛା ହଉଥିଲା ତାଙ୍କର । କିନ୍ତୁ ଆଖିରେ ଲୁହ ନ ଥିଲା ଆଉ । କାନ୍ଦିବା ପାଇଁ ବହୁତ ସମୟ ମିଳିବ ତାଙ୍କୁ । ସେ ଝିଅକୁ ଗାଧୋଇ ଆଣି ଧୂଆଲୁଗା ଖଣ୍ଡେ ଦେଲେ । ଭାଗ୍ୟକୁ ପିଲାଗୁଡ଼ା କେହି ନ ଥିଲେ ସେତେବେଳେ । ସେବା ଯାଇଛି ଅଫିସ, ଅନ୍ୟ ପିଲାମାନେ ଯାଇଛନ୍ତି ସ୍କୁଲ, ଦୀନବନ୍ଧୁ ଯାଇଛନ୍ତି ସ୍କୁଲ, ସୁଭଦ୍ରା ଝିଅକୁ ପାଖରେ ବସେଇ ଖୁଆଇଲେ ।

 

ସବୁ କାମ ଶେଷ କରି ସେ ଆସି ବସିପଡ଼ିଲେ ଶୁଶ୍ରୂଷା ପାଖରେ ।

 

ଯେଉଁ ଶୁଶ୍ରୂଷା ଝରଣା ପରି ନାଚି ନାଚି ବହି ଯାଉଥିଲା, ସେ ଆଜି ଅଟକି ଯାଇଛି ଗୋଟିଏ ଜାଗାରେ । ପଛର କୂଳ ଦିଶୁନି ଆଉ; ଆଗର କୂଳର ଅତଡ଼ା ଖସିଯାଇଛି ।

 

ସୁଭଦ୍ରା କହିଲେ, ଆଖିର ଲୁହକୁ ଲୁଚେଇ ରଖି ଯିମିତି କିଛି ହୋଇନାହିଁ ସେହିପରି ଭାବକରି ଚଳିବାକୁ ହବ ତୋତେ । ଲୋକେ କିଏ କେତେ କଥା କହିବେ, ସେମାନଙ୍କ ମୁହଁ ବନ୍ଦକରି ହେବନାହିଁ । କିନ୍ତୁ ସମୟ ବଡ଼ ସୁଧାରକ, ସମୟ ସ୍ରୋତରେ ପଛକଥା ଧୋଇ ପୋଛି ହୋଇଯିବ । ବର୍ଷ ଦୁଇଟା ପରେ ପୁଣି ସବୁ ବଦଳିଯିବ ।

 

ଶୁଶ୍ରୂଷାର ଅନେକ ପରିବର୍ତ୍ତନ ଲକ୍ଷ୍ୟକଲେ ସୁଭଦ୍ରା । ସେ ଅତି ଆବଶ୍ୟକ ହେଲେ ପଦେ ଅଧେ କୁହେ, ନ ହେଲେ ନାହିଁ । ତା’ ପୂର୍ବର ପ୍ରଗଳ୍‌ଭତା ନଷ୍ଟ ହୋଇଯାଇଛି, ପୂର୍ବର ପ୍ରବଣତା ନିଶ୍ଚିହ୍ନ ହୋଇଯାଇଛି ।

 

ହଠାତ୍‌ ଫୁଲ ଫୁଟିଥିବା ଗଛଟି ବଜ୍ରାଘାତଦ୍ୱାରା ଶୁଖିଯାଏ ଯେପରି, ସେହିପରି ଶୁଖି ଯାଇଥିଲା ଶୁଶ୍ରୂଷା ।

 

- ମୁଁ ଆଉଥରେ ପଢ଼ିବି ମା’ ! କହିଲା ଶୁଶ୍ରୂଷା ।

 

- ସେୟା କର । ଯାହ ହବାର ହୋଇଯାଇଛି । ଭଙ୍ଗାହାଣ୍ଡି ଆଉ ଯୋଡ଼ି ହୁଏନାହିଁ । କିନ୍ତୁ ପ୍ରଭାତ ଏପରି କରିବ ମୁଁ ବିଶ୍ୱାସ କରିପାରୁନାହିଁ । ତୋ ଜୀବନକୁ ନଷ୍ଟ କରିଛି ସେ, ଭଗବାନ ତାକୁ କ୍ଷମା ଦେବେ ନାହିଁ ।

 

- ଭଗବାନ ଥିଲେ ଏତେ ଅନ୍ୟାୟ ହୁଅନ୍ତା ନି ମା’ ! ତାଙ୍କ ଉପରେ ଦଣ୍ଡଦେବାର ଭାର ଛାଡ଼ି ନ ଦେଇ ମୁଁ ତାକୁ ଇମିତି ଶାସ୍ତି ଦେବି ଯେ ସେ ଜୀବନରେ ଭୁଲିପାରିବି ନାହିଁ ।

 

ଶୁଶ୍ରୂଷାର ଉଗ୍ରମୂର୍ତ୍ତି ଦେଖି ଅବାକ୍‌ ହୋଇଗଲେ ସୁଭଦ୍ରା ।

 

ଶୁଶ୍ରୂଷାକୁ ଦେଖି ଆନନ୍ଦରେ ଆତ୍ମହରା ହୋଇଗଲେ ଭାଇ ଓ ଭଉଣୀମାନେ । ବୋବା ପ୍ରଶାନ୍ତ ମୂକ ବଧିର ବିଦ୍ୟାଳୟରେ ପଢ଼େ । ସେ ଇମିତି ସୁନ୍ଦର ଭାବରେ ହସିଲା ଓ ସବୁ ପାଇବା ଦୃଷ୍ଟିରେ ଚାହିଁଲା ଯେ ଶୁଶ୍ରୂଷା ତରଳି ଯାଇ କୁଣ୍ଢେଇ ପକାଇଲା ତାକୁ । ସମାପ୍ତି ଓ ପ୍ରଶାନ୍ତକୁ ଧରି ଅନେକ ସମୟ କାନ୍ଦିଲା ଶୁଶ୍ରୂଷା ।

 

ଦିନବନ୍ଧୁ ବାବୁଙ୍କର ଆସିବାକୁ ଡେରିଥାଏ ଆହୁରି । ସେବା ବି ଆସିବ ସେଇ ସନ୍ଧ୍ୟା କି ରାତିରେ । କହି କହି ଥକିଗଲେଣି ସୁଭଦ୍ରା, ଫଳ କିଛି ହୋଇନି ଶେଷ ପରିଣତି କଅଣ ହବ ସେଇ ଭଗବାନ ଜାଣନ୍ତି ।

 

କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦିନ ସାଢ଼େ ପାଞ୍ଚଟାରେ ଘରେ ପହଞ୍ଚି କହିଲା ସେବା, ଭୋକ କରୁଛି ମା. ଜଲଦି କିଛି ଖାଇବାକୁ ଦିଅ... ।

 

ଶୁଶ୍ରୂଷା ଆସିଥିବାର ଘୋଷଣା କରି ସମାପ୍ତି କହିଲା, ସାନ ନାନି ଆସିଛି, ଏକା ଏକା...-

 

ସେବା ବ୍ୟାଗ୍‌ଟାକୁ ଟେବୁଲ ଉପରେ ପିଙ୍ଗିଦେଇ ଦୌଡ଼ିଲା ଘର ଭିତରକୁ ।

ଶୁଶ୍ରୂଷାକୁ କୁଣ୍ଢେଇ ପକେଇ ସେବା କହିଲା, ଆମକୁ ଭୁଲି ଏତେଦିନ ରହିପାରିଲୁ ?

ଶୁଶ୍ରୂଷାର ଆଖିରୁ ପୁଣି ଝରିଲା ଲୁହ ।

 

ନୀରବରେ ଅଶ୍ରୁ ମୋଚନ କରି ଦୁହେଁ ଦୁହିଁଙ୍କୁ ଅନୁଭବ କଲେ । ସେବା ପୋଛିଦେଲା ଶୁଶ୍ରୂଷାର ଲୁହ ଆଉ ଶୁଷ୍ରୁଷା ପୋଛିଲା ସେବାର ।

 

ଭୁଲ କରି ଭଲ ପାଇଥିଲି ନାନି । ତା’ର ଫଳ ଭୋଗୁଛି ଏବେ ।

ଶୁଶ୍ରୂଷାକୁ ଜାଣେ ସେବା । ଏବେ ଜୀବନଯାକ ଭୁଲକୁ ସଂଶୋଧନ କରିବ ।

 

କାଗଜ ଉପରେ ସାବଧାନ ହୋଇ ଲେଖିବାକୁ ହୁଏ । ଗୋଟେ ଭୁଲ ହୋଇଗଲେ ବା ଭୁଲରେ ଗୋଟେ ଗାର ଟାଣିଦେଲେ ତାହା ଆଉ ଲିଭେନାହିଁ । ଚିହ୍ନ ରହିଯାଏ । ଜୀବନଟା ବି ଏଇ କାଗଜ ପରି । ଗୋଟିଏ ଗୋଟିଏ ଭୁଲ ଇମିତି ଗଭୀର କ୍ଷତ ଦିଏ ଯେ ଯେତେ ଚାହିଁଲେ ବି ଭୁଲି ହୁଏନି, ସେଇ କ୍ଷତ ଚିହ୍ନକୁ ଧରି ବାଟ ଚାଲିବାକୁ ହୁଏ । ଉପରେ ସିନା ସବୁ ସମତୁଲ ଦିଶେ, ଭିତରଟା ଖାଲି ଖାଲଢିପରେ ପରିପୂର୍ଣ୍ଣ ।

 

ଯେଉଁ କଥାଟିକୁ ଭୟ କରେ ମଣିଷ ସେଇ କଥାଟି ଘଟେ ।

 

ସୁଭଦ୍ରା ଭାବୁଥିଲେ ଏଇ କେତେଦିନ ଘରକୁ କେହି ନ ଆସନ୍ତେ କି ! ସାଇପଡ଼ିଶା, କୁଟୁମ୍ବ ବା ବନ୍ଧୁବାନ୍ଧବ କେହି ନ ଆସିଲେ ଟିକେ ବଦଳିବା ପାଇଁ ସମୟ ପାଆନ୍ତା ଶୁଶ୍ରୂଷା ।

 

ସଞ୍ଜ ହବା ଆଗରୁ ଖିଲେ ବିଡ଼ିଆ ପାନ ଧରି ଆସି ପହଞ୍ଚିଲେ ନେତି ପିଉସୀ । ମୁହଁରୁ ଗୋପାଳ ଜର୍ଦ୍ଦାଦିଆ ପାନର ସୁବାସ ଛିଟିକି ପଡ଼ୁଥାଏ । ପାଣି ଓ ପବନ ପରି ପାନ ବି ବଞ୍ଚିବା ପାଇଁ ଆବଶ୍ୟକ ବୋଲି କୁହନ୍ତି ନେତୀ ପିଉସୀ । ସୁଭଦ୍ରା ପାନ ଖାଆନ୍ତି ନାହିଁ । ତାଙ୍କୁ ଦଳକୁ ଆଣିବାକୁ ଆପ୍ରାଣ ଉଦ୍ୟମ କରି କୁହନ୍ତି, ସ୍ତ୍ରୀ ମୁହଁରେ ପାନର ରଙ୍ଗ ନ ଲାଗିଲେ ପୁରୁଷ ରଞ୍ଜନ ନାହିଁଲୋ ସୁଭଦ୍ରା । ନିଜପାଇଁ ନ ଖାଅ, ଦୀନବନ୍ଧୁ ଥିବାଯାଏ ଖାଉଥା ।

 

ସୁଭଦ୍ରା ନେତି ପିଉସୀଙ୍କୁ ପ୍ରାଣରେ ଭୟ କରନ୍ତି । ଏ ଘରର କଥା ସେ ସେ ଘରକୁ ନିଅନ୍ତି ନେତୀ ପିଉସୀ । ସାଧାରଣ ଘଟଣାରୁ ବେଶ୍‌ ମୁଖରୋଚକ ରଙ୍ଗୀନ୍‌ କାହାଣୀଟିଏ ସୃଷ୍ଟ କରି ଦିଅନ୍ତି ।

 

ସେ ଦ୍ୱାରରୁ ଡାକି ଡାକି ଘର ଭିତରକୁ ପଶିଲେ ।

 

ସୁଭଦ୍ରା ଝିଅମାନଙ୍କୁ ଆଖି ପିଛୁଳାରେ ସତର୍କ କରିଦେଇ ବାହାରକୁ ଆସି କହିଲେ, କି ଅପୂର୍ବ, ନେତୀ ପିଉସୀ ଯେ !

 

ନେତୀ ପିଉସୀ ତାଙ୍କ ହାତକୁ ପାନ ଖଣ୍ଡେ ବଢ଼େଇ ଦେଇ କହିଲେ, ଅହ୍ୟ ସ୍ତ୍ରୀର ଶଙ୍ଖା, ସିନ୍ଦୂର ପରି ଇଏବି ଗୋଟେ ଭୂଷଣ । ନେ, ବିଡ଼ିଆ ପାନ ଖଣ୍ଡକ ଜାକିଦେ କଳରେ । ହେଲେ ଇଏ ସବୁ ଶାକାହାର ପରି, ଗୋପାଳ ଜର୍ଦ୍ଦା ଟିକେ ଖାଆନ୍ତୁକି ବୁଝନ୍ତୁ ଜୀବନର ସୁଆଦ... ।

 

ବିଧବା ହେଲାଣି କୋଉଦିନୁ । କିନ୍ତୁ ଅହ୍ୟ ସ୍ତ୍ରୀର ଭୂଷଣ ଛାଡ଼ିଥିଲେ ବି ପାନ ଛାଡ଼ିନାହାଁନ୍ତି ନେତୀ ପିଉସୀ ।

 

ମେଞ୍ଚାଏ ଛେପ ଥୁକିଦେଇ କହିଲେ ନେତୀ ପିଉସୀ, ଆସିବି କହିଲେ, ଆସି ହୁଏନି ସୁଭଦ୍ରା । ତୁ ତ ଜାଣିଥିବୁ । ବୋହୂ ତ ଖାଇସାରି ଶୋଇବ ଯେ ଉଠିବ ଯାଇ ଚାରିଟାରେ । ଆମେ କଅଣ ବୋହୂ ହୋଇ ନ ଥିଲୁ ନା ପୀରତି କରୁ ନ ଥିଲୁ ବା ! ଢଙ୍ଗ ନାହିଁ । ପୁଅ ସାଙ୍ଗରେ ଦିନ ବେଳଟାରେ ଶୋଇବ ଛି...ଛି ମୁଁ ତ ପୋଇଲି । ଦୁଇଟା ପିଲାଙ୍କ ତତ୍ତ୍ୱ ସବୁ ମୋହରି ମୁଣ୍ଡରେ ଛାଡ଼ି ସେମାନଙ୍କର ସିନେମା ଦେଖା, ଭୋଜିଖିଆ... !

 

ଶାଶୁବୋହୂର ପଡ଼େନାହିଁ ।

ଏକମାତ୍ର ପୁତ୍ରବଧୂକୁ ଆଦୌ ସହ୍ୟ କରିପାରନ୍ତି ନାହିଁ ନେତୀ ପଉସୀ ।

 

ସୁଭଦ୍ରା କହିଲେ- ବୟସ ଅଛି, ଟିକେ ସୁଖ କରନ୍ତୁ ପିଉସୀ .... । ଆମ ଦିନକାଳ ଆଉ ନାହିଁ । ନୂଆ ସିନେମା ଯୁଗ ଆରମ୍ଭ ହୋଇଛି । ରାତି ଦିନ, ସକ୍ରାନ୍ତି ପୂର୍ଣ୍ଣିମାର ବାଛ ବିଚାର ଆଉ ନାହିଁ ।

 

- ଭୋଗିବେ ସମସ୍ତେ । ନୀତି ନିୟମ ନ ମାନିଲେ ନିଜେ କ୍ଷତି ସହିବେ । ଆମ ସମୟରେ ଦିନବେଳେ ସ୍ୱାମୀ ଦର୍ଶନ ମନା ଥିଲା । ଏବେ ସେ ସ୍ୱାମୀ ଅଛନ୍ତି ନା ସମୟ ଅଛି !

 

ବିଡ଼ିଆପାନ ଖଣ୍ଡକ ପାଟିରେ ପୂରେଇ କହିଲେ ସୁଭଦ୍ରା, ଆଜି କଅଣ ରାନ୍ଧିଥିଲା ବୋହୂ ?

 

ବୋହୂ ରାନ୍ଧେ ନାହିଁ ଏହା ଭଲକରି ଜାଣିଥିଲେ ମଧ୍ୟ କଥାର ମୋଡ଼ ଘୂରେଇବା ପାଇଁ ପଚାରିଦେଲେ ସୁଭଦ୍ରା ।

 

ନେତୀ ପିଉସୀ ଆସନ ଉପରେ ଭଲ କରି ନିଜକୁ ମେଲେଇ ଦେଇ କହିଲେ– ତା’ ବାପର ଗୋଟିଏ ଝିଅ, ସିଏ ରାନ୍ଧିବ ! ହାତରେ କଳା ଲାଗିଯିବ ଯେ... । ମୁଁ ବି ମୋ ବାପର ଗୋଟିଏ ଝିଅ ଥିଲି ବୋହୂ । କିନ୍ତୁ ଶାଶୁଘରକୁ ଆସିବାଦିନୁ ନିଜ ଇଚ୍ଛାରେ ହାଣ୍ଡିରେ ଚାଉଳ ପକେଇଥିଲି । ପେଟ ଦେଇ ମନ ଅଧିକାର କରିହୁଏ ଏହା ଆଜିକାଲିର ଝିଅବୋହୂ ବୁଝନ୍ତି ନାହିଁ । ସେଥିପାଇଁ ହୋଟେଲ ଖିଆ ବଢ଼ୁଛି । ବାହାର ସୁଆଦ ତୁଣ୍ଡରେ ଲାଗିଲେ ବାୟା ହୁଅନ୍ତି ପୁରୁଷମାନେ । ସେହିଯୋଗୁ ବେଶ୍ୟାଙ୍କ ସଂଖ୍ୟା ବଢ଼ୁଛି ।

 

ନେତୀ ପିଉସୀଙ୍କ ତୁଣ୍ଡ ଖୋଲିଲେ ଶ୍ଳୀଳ ଅଶ୍ଳୀଳ କିଛି ବାଛବିଚାର ରହେନାହିଁ ।

ସୁଭଦ୍ରା କହିଲେ, ନିଜ ହାତରେ ଖୁଆଇବାର ଆନନ୍ଦ କୋଉଥିରେ ମିଳେ ନାହିଁ ।

 

- ମୁଁ ଆଖିରେ ଦେଖୁନି ! ଉଦୟାସ୍ଥ ଖଟୁଛୁ ତୁ । ଦୀନବନ୍ଧୁ ବି କେଡ଼େ ଭଲମଣିଷ, ଆଖି ଟେକି ଆଉ କାହା ମୁହଁକୁ ଚାହିଁ ନ ଥିବ, ଘର କଥା କଅଣ କହିବି ବୋହୂ ? ଉପରକୁ ଛେପ ଥୁକିଲେ ନିଜ ଉପରେ ପଡ଼େ । ଆମ ବୋହୂର ଧରମ ଭାଇ ଗୋଟେ ଅଛି ଯେ ଅଳପେଇସା ଆସିଲେ ଉଠିବ ନାହିଁ, ଯୁଗେ ଧରି ଭୁଟୁର ଭାଟୁର ହଉଥିବେ ।

 

- ଶାସ୍ତ୍ର କହିନି : ଆପଣା କଲା କର୍ମମାନ

ଆଗୁ ହୋଇବ ସାବଧାନ...

ଯେଉଁ ଫଳ ଖାଇବେ ସେହି ମୟ୍ଜି ହଗିବେ । କହିଲେ ସୁଭଦ୍ରା ।

କୁନି ବୋଉର ପୁଅ କି ଝିଅ ହେଲା ପିଉସୀ ? ପଚାରିଲେ ସୁଭଦ୍ରା ।

 

- କୁନିବୋଉ ପିଲା ଜନମ କରି ବି ସୁଖ ପାଇଲା ନାହିଁ ଯେ ଆହୁରି ଚାହୁଁଛି । ପୁଣି ଝିଅଟିଏ ଜନମ କରିଛି । ଗୋଟିଏ ପୁଅକୁ ପାଞ୍ଚଟି ଝିଅ । କ’ଣ କରିବ କେଜାଣି !

 

- ତାଙ୍କର କୋଉ ଅଭାବ ଯେ କପିଳ ବାବୁଙ୍କର ଆୟ ଅଛି...ତାଙ୍କୁ କିଛି ବଳିଯିବନି ଯେ... ।

 

ହଁ ମ, ପରମୁଣ୍ଡରେ ନଡ଼ିଆ ଭାଙ୍ଗୁଥିବା ଯାଏ କିଛି ଜଣାପଡ଼େନି ! କପିଳର ଦୌଡ଼ ମୁଁ ଜାଣେ । ସିଲେଟିକାଲ ଡିପାର୍ଟରେ (ଏହିପରି ଉଚ୍ଚାରଣ କରନ୍ତି ନେତୀ ପିଉସୀ) ଚାକିରି କରି ପରଧନ ବୋହିଆଣୁଛି ଘରକୁ । କିନ୍ତୁ ଦେଖିବୁ, ଦିନେ ଏହାର ପ୍ରତିଫଳ ପାଇଯିବ ସେ... ।

 

- ସେତେବେଳକୁ ଦେଖାଯିବ, ଆଜି ତ ଭଲରେ ଚଳୁଛି ସଂସାର ।

 

- କୁନିବୋଉର ଦେହ ତ ହାଡ଼ମାଳ । ତଥାପି ସରାଗ ମେଣ୍ଟୁନି । ସିଆଡ଼େ ବଡ଼ ଡାକ୍ତରଖାନାର ନର୍ସ ସହିତ କପିଳର ଭାବଚାଲିଛି । ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଚି । ହାଟରେ ପଡ଼ି ବାଟରେ ଗଡ଼ଗଡ଼େଇଲାଣି କଥା ।

 

- କୋଉ ନର୍ସ ପିଉସୀ ?

 

- ସୌଦାମିନୀ । ଖାସା ଡଉଲ ଡାଉଲ ଝିଅଟିଏ । ବାହାହୋଇ ଘର କରୁଥିଲା । ତାକୁ ନେଇ ରହିପାରିଲା ନାହିଁ ଯେ ବାହାରି ଆସିଲା ଘରୁ । ମଣିଷ ନା ନେଡ଼ିକୁତୀ ଲୋ ମା’ ! ପରପୁରୁଷ ସାଙ୍ଗରେ ଏତେ ଶୋଇବାକୁ ମନ କାହିଁକି ଖଲବଲ ହଉଛି ବା .. ! ଇଚ୍ଛା ହଉଛି ତ ଫେରିଯାଉନୁ କି ଆଉ ଗୋଟାକୁ ଆଦରି ନଉନୁ ... !

 

- କୁନିବୋଉ ଜାଣନ୍ତି ?

- ସାହିର ସମସ୍ତେ ଜାଣନ୍ତି, ତା’ କାନକୁ ଯାଇ ନ ଥିବ ?

 

- ଜନ୍ମ ନିୟନ୍ତ୍ରଣର ନୂଆ ନୂଆ ଉପାୟ ବାହାରୁଛି । କିଛି ଗୋଟେ କଲେ ଏ ଜଞ୍ଜାଳ ରହନ୍ତା ନାହିଁ ।

 

- ସେଇ ଜନ୍ମନିୟନ୍ତ୍ରଣ ଉପାୟ କାଳ ହୋଇଛି ଲୋ ସୁଭଦ୍ରା । ବିପ୍ରକୁ ଚିହ୍ନିଚୁ ? ଜାଣି ନ ଥିବୁ । ଡାକପିଅନ । ତା’ ବଡ଼ଝିଅ ଇମିତି ଓଲେଇ ହୋଇଛି ଯେ କ’ଣ କହିବି । ସେଇଥିରୁ କଅଣ ଲଗେଇ ସବୁ କାରବାର ଚଳେଇଛି ।

 

- ଇଏତ କଳିକାଳ ପିଉସୀ, ଧର୍ମ କର୍ମ ଆଉ ରହିବ ନାହିଁ । ଠାକୁର ଦେବତାଙ୍କୁ ଆଉ କେହି ମାନୁନାହାଁନ୍ତି ।

 

- ମରିବେ, ସମସ୍ତେ ମରିବେ । ଯମ ଛାଡ଼ିବ ଏମାନଙ୍କୁ ?

 

- ଇମିତି କାଳ ପଡ଼ିଲା ଯେ ଡାଲି କିଲୋ ସାତଟଙ୍କା ଆଠଟଙ୍କା । ବାଇଗଣ କିଲୋ ତିନିଟଙ୍କା । ଯାହାର ଆୟ କମ୍‌ ସେ ଚଳିବ କିପରି କେହି ଭାବୁଛି ?

- ତମର ତ ଆଉ ଚିନ୍ତା ନାହିଁ । ଝିଅ ବି ଚାକିରି କଲାଣି ।

ନିଜଆଡ଼କୁ କଥାର ମୋଡ଼ ଭାଙ୍ଗିବାର ଦେଖି ଶଙ୍କିଗଲେ ସୁଭଦ୍ରା ଡରି ଡରି କହିଲେ -ହଁ, ଘରେ ବସି ବସି ଖରାପ ଲାଗିଲା ବୋଲି ଚାକିରିଟିଏ କରୁଛି ।

- ଚାକିରି କରୁ ମନା ନାହିଁ, ଆଉ କିଛି ନ କରୁ ଯେପରି... ।

ସୁଭଦ୍ରାଙ୍କର ଆଶଙ୍କା ଘନିଭୂତ ହେଲା । ସେବା ସମ୍ପର୍କରେ ସେ କଅଣ ଜାଣିଲେଣି କିଛି-? କେଜାଣି !

ନେତୀ ପିଉସୀ ଆଉ ଟିକେ ପାଖକୁ ଲାଗିଆସି କହିଲେ, ଆକଟ କର ବୋହୁ, ଦିନକାଳ ଭଲନାହିଁ । କାହା ମୁହଁରେ ବାଡ଼ବତା ଦବୁ ? ଏତେ ରାତିରେ ଘରକୁ ଫେରିବା ଭଲ ନୁହେଁ ।

ସବୁ ଜାଣିଗଲେଣି ନେତୀ ପିଉସୀ । ସାହିବାଲା ବି ଜାଣିଥିବେ ଏତେବେଳକୁ । ପ୍ରଚାର ବିଭାଗ ତ ନେତୀ ପିଉସୀଙ୍କ ଏକଚାଟିଆ ବ୍ୟବସାୟ !

ସୁଭଦ୍ରା ବାଟ ଖୋଜୁଥିଲେ ଆଉ କୌଣସି କଥା ପକେଇବା ପାଇଁ । ଝିଅମାନଙ୍କୁ ଆଉଥରେ ସତର୍କ କରି ଦେଇଆସିବା ଲାଗି ବାହାନା କରି ଉଠିଗଲେ ସୁଭଦ୍ରା । ଶୁଶ୍ରୂଷା ଆସିଥିବାର ଯଦି ଜାଣିଥିବେ ପିଉସୀ ହାଟ ବସେଇଦେବେ ସାହିରେ ।

ସେ ଫେରିବାବେଳକୁ କହିଲେ ନେତୀ ପିଉସୀ, ଚାହା କରିବୁନି କି ବୋହୂ ?

 

ସୁଭଦ୍ରା ଜିଭ ବାହାର କରି କହିଲେ, ମରିଯାଉଥାଏ ପିଉସୀ ! ଇମିତି ସବୁ ଭୁଲିଯାଉଛି ଆଜିକାଲି... ।

 

ସୁଭଦ୍ରା ତରତର ହୋଇ ଚାଲିଗଲା ଚା’ କରିବା ପାଇଁ । ନେତୀ ପିଉସୀ ଚାରିଆଡ଼ୁ ସତର୍କ ଦୃଷ୍ଟି ଫେରେଇ ଆଣି ଶୁଣେଇ କହିଲେ ଚିନି ଟିକେ ବେଶୀ ଦେବୁ ବୋହୂ .. ଖାଲି ଚାହା ତ ଖାଏନି ଜାଣୁ ...ମୁଢ଼ି କି ଚୁଡ଼ା ଭଜା ପୁଞ୍ଜାଏ ଆଣିବୁ ।

 

ସୁଭଦ୍ରା ଚୁଡ଼ାଭଜା ଆଉ ଚା’ ନେଇ ପହଞ୍ଚିଲେ ।

 

- ତୋ ହାତର ଚାହାରେ ସୁଆଦ ଭରି ରହିଥାଏ ବୋହୂ । ଆମଘର କଥା କହନି ଆଉ-। ଚିନି ଖାଇଲେ ଦେହ ଖରାପ ହବ କୁହେ ବୋହୂ । ଖାଲି ନାଲିପାଣି କେହି ଖାଏ ତ କହ-...-

 

ଚୁଡ଼ାଭଜା ଆଉ ଚା’ ଖାଇ ପାନ ଖଣ୍ଡେ ବାହାର କରି କଳରେ ଜାକିଲେ ନେତୀ ପିଉସୀ-। ତା’ ପରେ ଉଠିବସି କହିଲେ, ଯାଉଛି ଗୋ ବୋହୂ ... ଗାଳି ଦଉଥିବୁ ।

 

ନିଶ୍ୱାସ ମାରିଲେ ସୁଭଦ୍ରା । ସଙ୍କଟ କଟିଯାଉଛି । ଭାଗ୍ୟ ଭଲ । ନେତୀ ପିଉସୀ ଶୁଷା କଥା ଉଠେଇ ନାହାଁନ୍ତି ।

 

ତାଙ୍କୁ ଆଗେଇ ଦବା ପାଇଁ ପାଦ ବଢ଼େଇଲେ ସୁଭଦ୍ରା ।

 

କିଛିଦୂର ଯାଇ ଠିଆ ହୋଇଗଲେ ନେତୀ ପିଉସୀ । ସୁଭଦ୍ରା ପାଖକୁ ଆସିବାରୁ କାନ ପାଖକୁ ମୁହଁ ଦେଇ କହିଲେ, ଶୁଷାର ଖବର କିଛି ପାଇଲୁ ?

 

ଚମକି ପଡ଼ିଲେ ସୁଭଦ୍ରା ।

ଶୁଷା ଆସିବା ସମ୍ପର୍କରେ କେହି କିଛି ଜାଣିନାହାଁନ୍ତି ତ ।

ସୁଭଦ୍ରା ନ ଶୁଣିବା ପରି ରହିଗଲେ ।

 

ନେତୀ ପିଉସୀ ସବୁ ଜାଣିବା ପରି କହିଲେ, ତାକୁ କିଛି କହିବୁ ନାହିଁ ବୋହୂ । ପିଲାବୟସ ଭୁଲ ତ୍ରୂଟି ହୋଇଯାଏ । ସେ ଆସିବାବେଳେ ମୋ ଆଖିରେ ପଡ଼ିଗଲା । ଆହା ! କି ଶ୍ରୀହୀନ ଦିଶୁଛି । ମୁଁ ତ ଚିହ୍ନିପାରିଲି ନାହିଁ ।

 

ସବୁ ଜାଣନ୍ତି ନେତୀ ପିଉସୀ ।

ସୁଭଦ୍ରାଙ୍କର ତଣ୍ଟି ଶୁଖି ଆସୁଥିଲା ।

 

ନେତୀ ପିଉସୀ କହିଲେ, କିଛିଦିନ ଘରୁ ନ ବାହାରିବା ଭଲ । ଏ ସାହିର ଛତରା ଟୋକାଗୁଡ଼ାଙ୍କୁ କିଏ ପାରିବଲୋ ମା’ ! ସେଇ ରମେଶଟା ଯା’ ହୋଇଛି ... ।

 

ସୁଭଦ୍ରା ଅତି କଷ୍ଟରେ କହିଲେ, ସବୁ ଭାଗ୍ୟ ପିଉସୀ ।

 

ନେତୀ ପିଉସୀ ଗୋପଳ ଜର୍ଦ୍ଦାର ସୁରଭି ବିତରଣ କରି ରାସ୍ତାର ଆଗ ମୋଡ଼ରେ ବାଟ ଭାଙ୍ଗିଲେ ।

 

- ଦୀନବନ୍ଧୁ ମାଷ୍ଟ୍ରେ ସାଇକେଲରୁ ଓହ୍ଳେଇ ଥଳୀଟିକୁ ସ୍ତ୍ରୀଙ୍କ ହାତକୁ ବଢ଼େଇ ଦେଇ କହିଲେ, ଖଇଁଗା କିଲେ ନେଇଆସିଛି । ଶସ୍ତାରେ ମିଳିଗଲା । ଟିକେ ନରମି ଆସିଛି । କିନ୍ତୁ ଚଳିଯିବ ।

 

ସୁଭଦ୍ରା କହିଲେ, ଶୁଷା ଆସିଛି ।

ଦୀନବନ୍ଧୁ କାନକୁ ବିଶ୍ୱାସ କରିପାରିଲେ ନାହିଁ । ଆଉଥରେ ଦୋହରାଇଲେ ସୁଭଦ୍ରା ।

- ଏକା ଏକା ?

- ଘର ଭିତରକୁ ଆସ । କାନ୍ଥ ବାଡ଼ର ବି କାନଅଛି ।

 

ଦୀନବନ୍ଧୁ ସାଇକେଲଟାକୁ ବାରନ୍ଦା ଉପରକୁ ଉଠେଇଦେଇ ଝାଳରେ ଭିଜିଥିବା ଜାମାଟାକୁ ଉତାରି ଦେଇ କହିଲେ, ଅକ୍ଟୋବର ମାସରେ ଏଡ଼େ ଗରମ !

 

ସ୍ତ୍ରୀଙ୍କ ମୁହଁର ସବୁ ଶୁଣି ଦୀର୍ଘଶ୍ୱାସ ଛାଡ଼ି କହିଲେ ଦୀନବନ୍ଧୁ- ଏୟା କପାଳରେ ଥିଲା ! ଭଗବାନ ବୋଧହୁଏ ଆଉ ଦେଖୁନାହାଁନ୍ତି କି ଶୁଣୁନାହାଁନ୍ତି, ନୋହିଲେ ଯିଏ ବୋଝ ବୋହି ନଇଁଗଲାଣି ତାହାରି ପିଠି ଉପରେ ନଳିତା ବିଡ଼ା ଲଦି ଦିଅନ୍ତେ ।

 

ସୁଭଦ୍ରା କହିଲେ, ଦୁଇ ଦୁଇଟା ବଢ଼ିଲା ଝିଅକୁ ନେଇ ମୁଁ କେମିତି ରହିଛି ତୁମେ ଜାଣୁଛ-? ତୁମେ ତ ବାହାରେ ରହି ନିଶ୍ଚିନ୍ତ ! ଲୋକମାନଙ୍କର କଥା ତୁମ କାନରେ ପଡ଼େ ନାହିଁ ।

 

ଦୀନବନ୍ଧୁ କହିଲେ, ସବୁ କାନକୁ ଆସେ... କିନ୍ତୁ ନାଚାର ମୁଁ । ସ୍କୁଲ ଶିକ୍ଷକ ମାତ୍ର । ବଡ଼ ଅଫିସର କି ସେହିପରି ଆଉ କିଛି ହୋଇଥିଲେ ସାତଟା ଖୁନ୍‌ କରି ବି ଖସିଥାଆନ୍ତି ।

 

ଘର ଦୁଆର ବନ୍ଦ ଥିଲା ।

 

ବାହାରୁ କେହି କଅଣ ଗୋଟେ ଘର ଭିତରକୁ ଫିଙ୍ଗି ଦେଇ ଦଉଡ଼ି ପଳେଇବାର ଦେଖିଲେ ଦୀନବନ୍ଧୁ । ବାରନ୍ଦାର ବଲ୍‌ବଟା ଖରାପ ହୋଇ ଯାଇଥିବାରୁ ଆଲୁଅ ଜଳୁ ନ ଥିଲା । ସେଥିପାଇଁ ଲୋକଟାକୁ ଚିହ୍ନିପାରିଲେ ନାହିଁ ସେ ।

 

ସେ ବାରନ୍ଦାର ଚାରିଆଡ଼େ ଆଖି ବୁଲେଇ ଗୋଟିଏ କୋଣରେ ପଡ଼ିଥିବା କାଗଜ ଖଣ୍ଡିଏ ଉଠେଇ ନେଲେ । ଚିଠିଟିଏ ।

 

ଚିଠିଟା ପଢ଼ିସାରି ଟିକ୍‌ ଟିକ୍‌ କରି ଚିରିଦେଇ ଫିଙ୍ଗି ଦେଲେ ଦୀନବନ୍ଧୁ । ବେନାମୀ ଚିଠି ସେବା ଠିକଣାରେ ।

 

ବେନାମୀ ଚିଠିର ପ୍ରସାର ବଢ଼ୁଛି ରାଜ୍ୟରେ । ଓଡ଼ିଆମାନଙ୍କ ମଧ୍ୟରେ କାପୁରୁଷଙ୍କର ସଂଖ୍ୟା ବଢ଼ୁଥିବାର ଦେଖି ଦୁଃଖିତ ହେଲେ ଦୀନବନ୍ଧୁ । ଦୀର୍ଘଦିନ ଶିକ୍ଷକତା କରି ସେ ଯେଉଁ ଶିକ୍ଷା ଦେଇଥିଲେ ତାହା ବିଫଳ ହୋଇଯାଇଛି । ସତ୍ୟପ୍ରତି ଯେପରି ନିଷ୍ଠା ନାହିଁ, ସତ୍ୟ ରକ୍ଷା ପାଇଁ ମନରେ ସେହିପରି ଶକ୍ତି ବା ସାହସ ନାହିଁ । ପରସ୍ପର ମଧ୍ୟରେ ଅସୂୟା ଓ ଅସହିଷ୍ଣୁତା ବୃଦ୍ଧି ପାଉଛି-

 

ସୁଭଦ୍ରା ଆସି କହିଲେ, ଇମିତି ଠିଆ ହୋଇ ରହିଲ ଯେ... କଅଣ ହେଲା ?

ଦୀନବନ୍ଧୁ କହିଲେ– ସେବା ଫେରିଲାଣି ?

-ହଁ, ଆଜି ଖୁବ୍‌ଶୀଘ୍ର ଫେରିଛି ।

ନିଶ୍ଚିନ୍ତ ହୋଇ କହିଲେ ଦୀନବନ୍ଧୁ, ଝିଅକୁ ସାବଧାନ କରିଦିଅ ।

- ସେଇ କଥା ଶୁଣି ଶୁଣି କାନ ବଧିର ହୋଇଗଲାଣି ।

- ଆମ କପାଳ ଲିଖନ । ଅନ୍ୟକୁ ଦୋଷ ଦେଇ ଲାଭ ନାହିଁ ।

- ଏବେ ଦୁଇ ଝିଅକୁ ନେଇ ମୁଁ କଅଣ କରିବି ଯେ...

 

- କିଛି କରିବାକୁ ହେବନାହିଁ । ସେମାନେ ନିଜ କଥା ନିଜେ ବୁଝନ୍ତୁ । ପରିବାର, ଭାଇଭଉଣୀଙ୍କୁ ମନରେ ରଖି ଯାହା ଉଚିତ ମନେକରିବେ ସେୟା କରନ୍ତୁ । ଦୁଧଖିଆ ବୟସ ଯାଇଛି । ଷୋହଳ ବର୍ଷପରେ ପୁତ୍ରକନ୍ୟାର ସହିତ ମିତ୍ରପରି ଆଚରଣ କରିବ ।

 

- ରଖ ତୁମ ଶାସ୍ତ୍ର । ତୁମେ ବାପର ଦାୟିତ୍ୱ ପାଳନ କରିଥିଲେ କଥା ଏତେଦୂର ଆଗେଇ ନ ଥାନ୍ତା ।

 

ଦିନବନ୍ଧୁ କହିଲେ, ଏ ଦେଶରେ ସମ୍ପଦ ନ ଥିବା ପୁରୁଷ ବାପ ହବା ଉଚିତ ନୁହେଁ, ଅଭିଶାପ ବ୍ୟତୀତ ଆଉ କିଛି ନୁହେଁ ।

 

ଅଥଚ ଯୋଉ କଥା ଛାତ୍ରମାନଙ୍କୁ ମୂଳରୁ ଦେଖେଇଥିଲେ ସେ, ସେକଥା କେହି ମନେରଖିନାହାଁନ୍ତି । ଯୌତୁକ ବିରୁଦ୍ଧରେ ଯେତିକି ଆନ୍ଦୋଳନ ହଉଚି ସେତିକି ବରପିତାଙ୍କର ଦାବି ବଢ଼ୁଛି । ଯଦି ଦେଇ ନ ପାର କନ୍ୟାସୁନା ଘରେ ଥାଉ କାହାରି ମୁଣ୍ଡ ବ୍ୟଥା ହବନାହିଁ ।

 

ଦୀନବନ୍ଧୁ ବାବୁଙ୍କର ମୁଣ୍ଡ ବ୍ୟଥା କିନ୍ତୁ ବଢ଼ୁଛି ।

 

ସୁଭଦ୍ରା କହିଲେ, ଯାହା ଭଲ ବୁଝୁଛ କର । ଝିଅର ବାହାଘର ନ ହବା ଯାଏ ଶାନ୍ତିରେ ଶୋଇପାରିବ ନାହିଁ ।

 

ମାଛ ଆଣିଥିଲେ ଦୀନବନ୍ଧୁ । ମାସକ ପରେ ଆଜି ପ୍ରଥମ ମାଛ ଆସୁଛି ଘରକୁ । ସେବା ଚାକିରି କରି ଦରମା ପାଇବା ଦିନ ଯାହା ଆଣିଥିଲା । ତା’ ପରେ ଋଣ ପରିଶୋଧ ଚାଲିଛି । ମାଛ କିଣିବାକୁ ହାତରେ ପଇସା ହେଉନାହିଁ ।

 

ରୋଷେଇ ଘରକୁ ଚାଲିଲେ ସୁଭଦ୍ରା ।

ହାତମୁହଁ ଧୋଇ ଲୁଗା ବଦଳେଇ ଠାକୁର ଘରେ ପଶିଲେ ଦୀନବନ୍ଧୁ ।

 

ଠାକୁର ଶୁଣନ୍ତୁ ବା ନ ଣୁଣନ୍ତୁ ତାଙ୍କୁ ଡାକିବେ ଦୀନବନ୍ଧୁ । ଆଉ ଅନ୍ୟଗତି ନାହିଁ । ତାଙ୍କରି ଉପରେ ଭରସା । କଥାରେ ଅଛି–

 

ରାମ୍ କହେ ମନ କାମ୍ ସରେ,

ଦୀନବନ୍ଧୁ ବିନା ଦୁଖ୍ କୌନ୍ ହରେ ।

 

ଶୈବାଳର ପଦଯାତ୍ରା ଅନେକଙ୍କ ମନରେ ବିସ୍ମୟ ସୃଷ୍ଟି କରିଛି । ଖବରକାଗଜ ପୃଷ୍ଠାରେ ତା’ର ଫଟୋ ସହିତ ଅଗ୍ରଲେଖା ମଧ୍ୟ ପ୍ରକାଶ ପାଇଛି । ଯାହା ଗାନ୍ଧିଜୀ ଏବଂ ବିନୋବାଙ୍କ ପରେ କେହି ରାଜନୈତିକ ନେତା କରି ନ ଥିଲେ,ଶୈବାଳ ତାହା କରିପାରିଛି ।

 

ପ୍ରତିଦିନ ସକାଳ ଛଅବେଳକୁ ନିତ୍ୟକର୍ମ ଶେଷକରି ରାମଧୁନ୍ ଏବଂ ଅନ୍ୟାନ୍ୟ ଦେଶାତ୍ମବୋଧକ ସଙ୍ଗୀତ ଗାନ ପରେ ସମବେତ ଲୋକଙ୍କୁ ସଂକ୍ଷିପ୍ତ ଭାଷଣଟିଏ ଦେଇ ସାତଟାବେଳକୁ ପଦଯାତ୍ରା ଆରମ୍ଭ ହୁଏ । ଆଗେ ଆଗେ ଚାଲନ୍ତି ତିନିଜଣ ସ୍ୱେଚ୍ଛାସେବକ । ସେମାନଙ୍କ ହାତରେ ଅଭ୍ୟୁଦୟ ସମାଜର ପତାକା । ସେମାନଙ୍କ ପଛରେ ନାରୀକର୍ମୀ ଏବଂ ତାଙ୍କ ପଛରେ ଶୈବାଳ । ତା’ ପଛରେ ଅନୁଷ୍ଠାନର ସହକର୍ମୀ ଏବଂ ଅନ୍ୟାନ୍ୟ ବ୍ୟକ୍ତି ।

 

ସାତଟାରୁ ବାରଟା ପାଞ୍ଚଘଣ୍ଟା । ତା’ପରେ ଭୋଜନ ଓ ବିଶ୍ରାମ । ଯେଉଁଠାରେ ଅଟକନ୍ତି ସେହିଠାରେ ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ ଖାଇବାର ଆୟୋଜନ କରାହୁଏ । ତିନିଘଣ୍ଟା ପରେ ପୁଣି ତିନିଟାରୁ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ପଦଯାତ୍ରା । ରାସ୍ତାରେ ଯିବାବେଳେ ବିଭିନ୍ନ ଗ୍ରାମ ମଧ୍ୟ ଦେଇଯାଆନ୍ତି ପଦଯାତ୍ରୀମାନେ । ଗ୍ରାମବାସୀମାନଙ୍କ ସହିତ ପରିଚୟ ହୁଏ, ସେମାନଙ୍କ ସମସ୍ୟା, ସୁଖଦୁଃଖ ସମ୍ପର୍କରେ ଅବହିତ ହୁଏ ଶୈବାଳ ।

 

ରାଜଧାନୀଠାରୁ ଆରମ୍ଭ ହୋଇଚି ପଦଯାତ୍ରା । ଶେଷ ହେବ ସମ୍ବଲପୁରରେ । ପ୍ରାୟ ଦୁଇଶହ ମାଇଲ ରାସ୍ତାକୁ ପନ୍ଦରଦିନ ମଧ୍ୟରେ ଅତିକ୍ରମ କରିବାର କଥା ।

 

ଗ୍ରାମବାସୀମାନଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଓ ଉଦ୍ଦୀପନା । ଯୋଜନା ଅନୁସାରେ ପଦଯାତ୍ରା ପ୍ରତ୍ୟେକ ଗ୍ରାମରେ ପଦଯାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ଆୟୋଜନ ହୁଏ । ଗାଆଁ ମୁଣ୍ଡରେ ତୋରଣ ଓ ଫୁଲମାଳ । ଶଙ୍ଖ ହୁଳହୁଳି ଏବଂ କୀର୍ତ୍ତନଦ୍ୱାରା ସମ୍ବର୍ଦ୍ଧନା । ତା’ପରେ ଗ୍ରାମ ଓ ଗ୍ରାମବାସୀମାନଙ୍କର ସମସ୍ୟା ।
 

କେତେକ ଗ୍ରାମ ରାସ୍ତାଦ୍ୱାରା ରାଜପଥ ସହିତ ସଂଯୁକ୍ତ । ଆଉ କେତେକ ରାସ୍ତା ନ ଥିବା ଯୋଗୁଁ ବିଚ୍ଛିନ୍ନ । ପିଇବା ପାଣିର ଅଭାବ ଅନେକ ଗ୍ରାମରେ ଏପର୍ଯ୍ୟନ୍ତ ଲାଗିରହିଚି । ଜଳସେଚନ ଅଭାବରୁ ଇନ୍ଦ୍ରଦେବଙ୍କ କୃପା ଉପରେ ଭରସା ରଖନ୍ତି ଚାଷୀମାନେ । କେତେକ ଗ୍ରାମରେ ବିଦ୍ୟାଳୟ ଅଛି । ଆଉ କେତେକରେ ନାହିଁ । କିନ୍ତୁ ସର୍ବତ୍ର ଚିକିତ୍ସା ବ୍ୟବସ୍ଥାର ଅଭାବ । ଯେଉଁଠାରେ ସ୍ୱାସ୍ଥ୍ୟକେନ୍ଦ୍ର ଅଛି ସେଠାରେ ଡାକ୍ତର ନାହାଁନ୍ତି, ଯେଉଁଠି ଡାକ୍ତର ଅଛନ୍ତି ସେଠାରେ ଔଷଧ ନାହିଁ ।

 

କିନ୍ତୁ ତଥାପି ସ୍ୱାଧୀନତା ପରେ ଅନେକ କାମ ହୋଇଥିବାର ପ୍ରମାଣିତ ତଥ୍ୟ ପାଇଲା ଶୈବାଳ । ନକାରାତ୍ମକ ଦୃଷ୍ଟିକୋଣ ତା’ର ନାହିଁ । ରାଜନୀତି ସମାଜ ସେବାଠାରୁ ବିଚ୍ଛିନ୍ନ ହୋଇଯାଇଥିବାରୁ କେବଳ କ୍ଷମତା ଦଖଲ ପାଇଁ ପ୍ରତିଯୋଗିତା ଚାଲିଛି ଦଳମାନଙ୍କ ମଧ୍ୟରେ । ପ୍ରତିଶ୍ରୁତି ପୂରଣ କରିବାଲାଗି କୌଣସି ସଂକଳ୍ପ ନ ଥାଇ ଅନେକ ପ୍ରତିଶ୍ରୁତି ଦିଆଯାଇ ଲୋକଙ୍କ ମନରେ ପ୍ରତ୍ୟାଶା ସୃଷ୍ଟି କରାଯାଉଚି । କିନ୍ତୁ ନିର୍ବାଚନ ଶେଷ ହେବା ପରେ ଆଉ ଦର୍ଶନ ମିଳୁନାହିଁ ବା ଦର୍ଶନ ମିଳିଲେ ବି ପ୍ରତିଶ୍ରୁତି ପୂର୍ଣ୍ଣ କରିବାର ସ୍ପୃହା ଦେଖାଯାଉନାହିଁ ନେତାମାନଙ୍କର ।

 

ସମାଜସେବାରୁ ରାଜନୀତିକୁ ଯିବାପାଇଁ ଚାହେଁ ଶୈବାଳ । ସେଥିପାଇଁ କ୍ଷେତ୍ର ପ୍ରସ୍ତୁତ କରୁଚି ।

 

ଦୁର୍ନୀତି ବିରୁଦ୍ଧରେ ଯେଉଁ ଲୋକେ ବେଶି ହୁରି ପକେଇଛନ୍ତି, ସେମାନେ ଦୁର୍ନୀତି କରୁଛନ୍ତି ବେଶି । ନିଜେ ଚୋରି କରି, ଚୋର ଚୋର ବୋଲି ପାଟି କରୁଛନ୍ତି ଦଳେ ଲୋକ । ସମାଜ ବ୍ୟବସ୍ଥା କଳଙ୍କିତ ହୋଇଯାଇଛି ।

 

ଶୈବାଳର ବେଳେ ବେଳେ ଇଚ୍ଛା ହୁଏ ସେ ବିଦ୍ରୋହ କରିବ । କିନ୍ତୁ ସେଥିପାଇଁ ସମୟ ବୋଧେ ଆସିନି । କ୍ଷମତା ଦଖଲ କରିବାଦ୍ୱାରା ଯଦି କିଛି କରାଯାଇପାରେ । ସମାଜସେବାରୁ ସେ ଯିବ ରାଜନୀତିକୁ । ପଛରେ ରହିବ ସେବାର ମହତ୍ତ୍ୱ, ଆଗରେ ରହିବ କ୍ଷମତାର ଗୁରୁତ୍ୱ ।

 

ପଦଯାତ୍ରାର ସଫଳତା ଦେଖି ଆଶ୍ଚର୍ଯ୍ୟ ହେଲେ ଅନେକ । ବୋଧହୁଏ ଗ୍ରାମକୁ ବାଦ୍ ଦେଇ ଏପର୍ଯ୍ୟନ୍ତ ନେତାମାନେ ଗ୍ରାମର କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଥିବାରୁ ଲୋକେ ସେମାନଙ୍କୁ ବିଶ୍ୱାସ କରୁ ନ ଥିଲେ । ଗାଆଁର ଧୂଳି, ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଅନେକ ଅସୁବିଧା ମଧ୍ୟରେ ସମୟ ଅତିବାହିତ କରି ଲୋକମାନଙ୍କ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରୁଥିବାରୁ ଶୁଭେଚ୍ଛା କିଣୁଛି । ଏହାହିଁ ଶୈବାଳର ପୁଞ୍ଜି । ସେ ନିଶ୍ଚିତ ଯେ ଏହି ପୁଞ୍ଜି ବୃଦ୍ଧି ପାଇବ ସୁଧ ଓ ମୂଳ ସହିତ, ଟଙ୍କାର ମୂଲ୍ୟ ପରି ଏହାର ମୂଲ୍ୟ ହ୍ରାସ ହେବନାହିଁ, ଫିକ୍ସଡ଼୍ ଡିପୋଜିଟ୍ ପରି ବଢ଼ିବ ।

 

ଶୈଳ ବି କିଛି ବାଟ ଚାଲିଥିଲା ଶୈବାଳ ସହିତ । କିନ୍ତୁ ରେଢ଼ାଖୋଲରେ ପଦଯାତ୍ରୀମାନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦବାପାଇଁ ସେ ନିକୁଞ୍ଜ ମହାନ୍ତି ସାଙ୍ଗରେ ସେଠାକୁ ଚାଲିଗଲା ।

 

ଶୈଳ ଥିଲେ ଉତ୍ସାହ ପାଏ ଶୈବାଳ ।

 

ପଦଯାତ୍ରାରେ ଆସିବା ଆଗରୁ ସେ ଶେଷ ଚିଠି ପାଇଥିଲା ଲେଖିକା ପାଖରୁ । ସେଥିରେ ଏହାକୁ ଶେଷପତ୍ର ବୋଲି କହି ଲେଖିଥିଲା ଯେ ଭଲ ପାଇବା ଗୋଟାଏ ନିଶା । ସେଇ ନିଶା ଥିବାଯାଏ ପୃଥିବୀ ସୁନ୍ଦର ଦିଶେ, ଆକାଶରେ ଉଡ଼ିବାକୁ ଇଚ୍ଛା ହୁଏ, ସମୁଦ୍ରରେ ସନ୍ତରଣ କରିବାକୁ ମନ ହୁଏ । ରଙ୍ଗୀନ୍ ଦିଶେ ପୃଥିବୀ । କିନ୍ତୁ ନିଶା ସରିଗଲେ କଙ୍କରିତ ପୃଥିବୀ । ସେଇ ପୃଥିବୀ ସହିତ ଯେଉଁଦିନ ପରିଚୟ ହେବ ପ୍ରେମିକର ସେହିଦିନ ସେ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ଜୟ କରିବାର ଶକ୍ତି ଅର୍ଜନ କରିବ ।

 

ଲେଖିକା ଶେଷରେ ଆହୁରି ଲେଖିଥିଲା ଯେ ଏହି ତା’ର ଶେଷ ଚିଠି । ଚିଠିର ଭାଷାଗୁଡ଼ା ଅବାସ୍ତବ, ସମ୍ପର୍କ କୃତ୍ରିମ । ଯେଉଁଠାରେ ବାସ୍ତବତାର ନିମନ୍ତ୍ରଣ ଏଡ଼ିହୁଏ ନାହିଁ ସେଠାରେ ରକ୍ତମାଂସର ଶରୀର ଧରି ଖାଲି ଚିଠିଲେଖାରେ ସମୟ ବ୍ୟୟ ନ କରି ସେ ଅପେକ୍ଷା କରିବ ଶୈବାଳକୁ ମୁହାଁମୁହିଁ ଭେଟିବାଲାଗି । ଆଉ ଯଦି ଠିକଣାଟା ଠିକ୍ ଥାଏ ଚିଠି ଲେଖୁ ବା ନ ଲେଖୁ ତା’ର ବକ୍ତବ୍ୟ ଠିକ୍ ଯାଇ ପହଞ୍ଚିବ ତା’ ପାଖରେ ।

 

ଏତେ ଲୋକଙ୍କ ସହିତ ପ୍ରତିଦିନ ଦେଖାହୁଏ ଶୈବାଳର । କିନ୍ତୁ ତା’ ସହିତ ଦେଖାହୁଏ ନାହିଁ । ଲେଖିବା ସ୍ୱପ୍ନ ହୋଇ ରହିଯାଏ ।

 

କୋଣାର୍କ ମନ୍ଦିରର ଲେଖିକା ମୂର୍ତ୍ତିକୁ ସେ ଛାତ୍ରାବସ୍ଥାରେ ଦେଖିଥିଲା । ସେହି ପଥର ମୂର୍ତ୍ତି ଜୀବନ୍ତ, ତା’ର ଓଠରେ ଅନୁରାଗର ଛାପ ଏବଂ ଲେଖନୀରେ ଭାଷାର ଐଶ୍ୱର୍ଯ୍ୟ । ସେଇ ଚିଠିଲେଖା ଶେଷ ହୋଇନି । ସେହି ଚିଠି ଶେଷ ହୁଏ ନାହିଁ ।

 

ଚିଠିଲେଖା ଆରମ୍ଭ କଲେ ତା’ର ଆଉ ସମାପ୍ତି ନାହିଁ । ଅଖଣ୍ଡ ସେ ଚିଠି । ପ୍ରତିଟି ଶବ୍ଦରେ ସ୍ପନ୍ଦନ । ପ୍ରତିଟି ଅକ୍ଷର ହୃଦୟର ଝଙ୍କାରଦ୍ୱାରା ସମ୍ପୁଟିତ ।

 

ଶୈବାଳର ସ୍ୱପ୍ନଭଙ୍ଗ କରି ଦଳେ ଆଦିବାସୀ ମାଦଳ ବଜେଇ ଉପସ୍ଥିତ ହେଲେ ସେମାନେ ରହିଥିବା ଜାଗାରେ । ଢେଙ୍କାନାଳ ଜିଲ୍ଲାର ଗୋଟିଏ ଅଖ୍ୟାତ ଆଦିବାସୀ ଗ୍ରାମ । ଲେକସଂଖ୍ୟା ଦୁଇଶହରୁ ବେଶି ହେବ ନାହିଁ । ଗାଆଁକୁ ରାସ୍ତା ନାହିଁ କି ସେଠାରେ ପାଠଶାଳା କି ଅନ୍ୟ କୌଣସି ଅନୁଷ୍ଠାନ ନାହିଁ । ସର୍ବତ୍ର କିନ୍ତୁ ପୂରି ରହିଛି ଦାରିଦ୍ର୍ୟ ।

 

ସମସ୍ତେ ପ୍ରାୟ ଅର୍ଦ୍ଧନଗ୍ନ । ଦଶ ବାଆର ବର୍ଷ ପର୍ଯ୍ୟନ୍ତ ସବୁ ବାଳକ ବାଳିକା ଉଲଗ୍ନ । ଅନେକଙ୍କର ପେଟ ବାହାରି ପଡ଼ିଛି ବାହାରକୁ । କେତେଜଣଙ୍କୁ ରାତିରେ ଦିଶେ ନାହିଁ । ସ୍ତ୍ରୀଲୋକମାନଙ୍କର ଦେହ ଲୁଚୁ ନାହିଁ ସମ୍ପୂର୍ଣ୍ଣ ଭାବରେ ।

 

ଶୈବାଳ ପାଇଁ ସେମାନେ ଆଣିଥିଲେ ଭେଟି ।

ପାଚିଲା ଅମୃତଭଣ୍ଡା, ପିଜୁଳି ଏବଂ ଆତ ।

ସେମାନଙ୍କୁ ଦବାପାଇଁ ତା’ ପାଖରେ କିନ୍ତୁ ନ ଥିଲା କିଛି ।

 

ସହରର ଓ ଗ୍ରାମର ଶିକ୍ଷିତ ଲୋକେ କେବଳ ସଂଗ୍ରହ କରନ୍ତି ଦୁଇହାତରେ । ଦବାର ପ୍ରୟୋଜନ ହୁଏ ନାହିଁ କି ଦବାପାଇଁ ମନ ବଳେ ନାହିଁ । ସଂଗ୍ରହ କରିବା ହାତ କେବେ କିଛି ଛାଡ଼େ ନାହିଁ ହାତ ମୁଠାରୁ । ତା’ର ସଞ୍ଚୟର ସୁରକ୍ଷା ଓ ବୃଦ୍ଧିପାଇଁ ବ୍ୟାଙ୍କ ଅଛି, ପୋଷ୍ଟଅଫିସ୍ ଅଛି । ଝଡ଼ଝଞ୍ଜାର ଦାଉରୁ ଜୀବନକୁ ରକ୍ଷା କରିବାପାଇଁ ଜୀବନ ବୀମା ଅଛି । ଏହି ସଂଗ୍ରହଶାଳତା ଶିକ୍ଷିତ, ସଂଗଠିତ ମଣିଷର ପ୍ରଧାନ ଗୁଣ । ସେଥିପାଇଁ ଉଦ୍‍ବୃତ୍ତ ରହେନି କିଛି ଅନ୍ୟମାନଙ୍କ ପାଇଁ-। ଏମାନଙ୍କର ସଞ୍ଚୟପାଇଁ ଅନ୍ୟମାନଙ୍କ ହାତ ଖାଲି ହୋଇଯାଏ ।

 

ଏହି ଆଦିବାସୀମାନଙ୍କର ହାତ ଖାଲି, କିନ୍ତୁ ହୃଦୟ ପୂର୍ଣ୍ଣ । ସେଠାରେ ଜାଗା ଅଛି ଅନେକ । ନିଜର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଅନ୍ୟର ସ୍ୱାର୍ଥ ରକ୍ଷା କରିବାଲାଗି ସେମାନଙ୍କର ମନରେ ଦ୍ୱିଧା ନାହିଁ କି ଦ୍ୱନ୍ଦ୍ୱ ନାହିଁ ।

 

ଜଗୁ ଶୈବାଳ ପାଖକୁ ଆସି କହିଲା, ତୁ ଆସିଲୁ ଯେ, ଆଗରୁ ଟିକେ ଖବର ଦେଲୁନି । ଏଠାରେ ତୋତେ ଦବାପାଇଁ କିଛି ନାଇଁରେ ବାବୁ ।

 

ଶୈବାଳ ତାକୁ କୁଣ୍ଢେଇ ପକେଇ କହିଲା, ଏଇଯେ ତୁମେ ସବୁ ଆସିଛ ଏଇତ ଯଥେଷ୍ଟ-। ଏଠାର ବେଶି ଆଉ କ’ଣ ଦବ ଯେ.... !

 

ସେମାନେ ତାକୁ ଘେରି ବସିପଡ଼ିଲେ ଭୂଇଁ ଉପରେ ।

ଶୈବାଳ ବି ଚକା ଆସନ ପକେଇ ବସିଗଲା ।

- ତୁମର ଜମିଜମା ଅଛି ?

- ନା

- ଚାଷ କରନି କେହି ?

-ନା

- ଚଳ କିପରି ?

- ମଜୁରୀ । ଆମେ ଯେ ମୂଲିଆ ସବୁ...ମାଲିକ ଘରେ କାମ କରି ଚଳିଯାଉ ।

- ଦିନକୁ ଜଣକା କେତେ ମଜୁରୀ ପାଅ ?

- ତିନି ଟଙ୍କା ।

- ଚଳିଯାଏ ।

- ଚଳେଇ ନବାକୁ ହୁଏ । ଚାଉଳ ଚାରିଟଙ୍କା ହେଲାଣି ।

- କୌଣସି ପିଲା ସ୍କୁଲକୁ ଯାଆନ୍ତି ନାହିଁ ?

- ନା, ଅନେକ ଦୂରରେ ଇସ୍କୁଲ...କାମ ମାରା କରି ଯିବ କିଏ ?

- ରୋଗର ଚିକିତ୍ସା ?

- ଚେରମୂଳ ଅଛି । ଗୁଣିଗାରୁଡ଼ି ଅଛି ।

- ପିଲାଗୁଡ଼ା ସମସ୍ତେ ଲଙ୍ଗଳା । ଲୁଗା ପିନ୍ଧନ୍ତିନି ?

- ଲୁଗା ଥିଲେ ପିନ୍ଧନ୍ତେ... ।

- ତୁମର ଆପତ୍ତି ଅଭିଯୋଗ କିଛି ନାହିଁ ?

- ନା

- ଆଶ୍ଚର୍ଯ୍ୟ ! କହିବାର କିଛି ନାହିଁ ? ଦାବି କିଛି ନାହିଁ ?

- ନା । ତୁ ଦେଖୁନୁ ଯେ ଆହୁରି କହିବା !

 

ଶୈବାଳ ଚୁପ୍ ହୋଇଗଲେ । ଏମାନଙ୍କୁ କଅଣ କହିବ ସେ ? ସେମାନଙ୍କ ପାଇଁ ତା’ର ବାର୍ତ୍ତା କଅଣ ? ଏମାନଙ୍କୁ ଅଜ୍ଞାନ-ଅନ୍ଧାରରେ ରଖାଯାଇଛି । ଏମାନଙ୍କ ପାଇଁ ଶିକ୍ଷା ବା ସ୍ୱାସ୍ଥ୍ୟର କିଛି ବ୍ୟବସ୍ଥା ନାହିଁ । ସମାଜ ସମ୍ପର୍କରେ ସେମାନେ କିଛି ଜାଣନ୍ତି ନାହିଁ । ଅଧିକାର ସମ୍ପର୍କରେ ସଚେତନ ନୁହଁନ୍ତି । କିନ୍ତୁ ଯାହା କରିବାର କଥା ବିନା ଆପତ୍ତିରେ କରିଯାଆନ୍ତି ମୁହଁ ବୁଜି, ମୁଣ୍ଡର ଝାଳ ତୁଣ୍ଡରେ ମାରି । ଏମାନଙ୍କୁ ଦେଶ ଶାସନର କଥା, ସମାଜ ବ୍ୟବସ୍ଥାର କଥା କହିବା ଆଗରୁ ଆଗ ସେମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା କରିବା ଦରକାର । ଗାଁକୁ ସ୍ଥାୟୀ ରାସ୍ତା ଏବଂ ରୋଗର ଚିକିତ୍ସା ଲାଗି ବ୍ୟବସ୍ଥା ନ କରି ପ୍ରବଚନ ଦବା ନିରର୍ଥକ ।
 

ଶୈବାଳ କହିଲା, ସବୁ ଦେଖିଲି । ସବୁ ଜାଣିଲି । ମୁଁ ପ୍ରତିଶ୍ରୁତି ଦଉଚି କିଛି କରିବି । ମୋର ସାଧ୍ୟମତେ ତୁମମାନଙ୍କପାଇଁ କିଛି କରିବି । ତୁମେ ମୋ ସାଙ୍ଗରେ ରୁହ । ତୁମେ ମୋର ଭାଇ, ବନ୍ଧୁ, ଶକ୍ତି । ଆଜି ଯାଉଚି, କିନ୍ତୁ ଆସିବି ପୁଣି ।

 

ସେମାନେ ବିଶ୍ୱାସ କଲେ ଶୈବାଳକୁ । ଆଉ କେହି ବାବୁ ସେମାନଙ୍କୁ ଭାଇ ବୋଲି ଡାକି ନ ଥିଲା । ସେମାନଙ୍କ ସହିତ କଥା ହୋଇ ନ ଥିଲା । ସେମାନଙ୍କ ସହିତ ଭୂଇଁ ଉପରେ ବସି ନ ଥିଲା ।

 

ଆଦିବାସୀମାନେ ଗୀତ ଗାଇ ନାଚିଲେ ତା’ ଆଗରେ ।

 

ନାଚ ସରିବା ପରେ ସେମାନଙ୍କ ଆଗରେ ହାତଯୋଡ଼ି ଛିଡ଼ା ହୋଇ କହିଲା ଶୈବାଳ, ଗୋଟେ କଥା କହିବି, ଶୁଣିବ ?

 

- କହ ।

 

- ହାଣ୍ଡିଆ ଖିଆ କମେଇ ଦିଅ । କେବଳ ପର୍ବରେ ଖାଇବ । ଯଦି ପାର ତ ଏକାବେଳେ ଛାଡ଼ିଦିଅ ।

 

- ହାଣ୍ଡିଆ ସବୁ ଭୁଲେଇ ଦିଏରେ ଭାଇ ! ତୁ ଖାଇନୁ ?

 

- ନା । ସବୁ ନ ଭୁଲି ସବୁ ମନେରଖିବା ଦରକାର । ହାଣ୍ଡିଆ ତୁମ ସମସ୍ତଙ୍କୁ ଉପରକୁ ଉଠିବାକୁ ଦଉନି ।

 

- ତୋ କଥା ମନେରହିବ ବାବୁ । ଏକାବେଳେ ଛାଡ଼ି ହବନି । ଠାକୁରେ ରାଗିବେ । ଟିକେ ଟିକେ କମେଇବା ।

 

ଖୁସି ହୋଇ କହିଲା ଶୈବାଳ- ଆଜି ଯାଉଛି । ଅନେକ ବାଟ ଯିବାକୁ ଅଛି । ମନେ ରଖିଥିବେ ।

 

କୋଣାର୍କର ମୂର୍ତ୍ତିପରି କୁନ୍ଦା କୁନ୍ଦା ମୁଗୁନି ପଥର ପରି ଚେହେରାର ଜଣେ ଯୁବତୀ ଅଣ୍ଟାଭାଙ୍ଗି ତା’ ଆଗରେ ଛିଡ଼ାହୋଇ କହିଲା- ଆମର ମନେରହିବ ଗୋ ବାବୁ...ହେଲେ ତୋର ମନେରହିବ ତ ?

 

ପ୍ରଶ୍ନଟା ପ୍ରଶ୍ନରେ ହିଁ ରହିଗଲା ।

 

ପଦଯାତ୍ରା ଆରମ୍ଭ ହେଲା ପୁଣି । ଆଦିବାସୀମାନେ ଆଗେଇ ଦବା ପାଇଁ କିଛିବାଟ ସାଙ୍ଗରେ ଗଲେ ।

 

ଆଉ କିଛି ସମୟ ପରେ ଆଉ ଗୋଟେ ଗାଆଁ । ସେଠାର ଅବସ୍ଥା ବି ପୂର୍ବପରି । ଏଇ ଗାଆଁରେ କିଛି ଆଦିବାସୀ, କିଛି ହରିଜନ । ସେମାନଙ୍କର ଦୁର୍ଦ୍ଦଶା ଓ ଦାରିଦ୍ର୍ୟ ନ ଦେଖିଲେ ବିଶ୍ୱାସ କରି ହୁଏ ନାହିଁ । ଦିନକୁ ବଖତେ ମିଳେନି ଆହାର । ଦିନେ ଦିନେ ଉପାସ । ପାଣି ପିଇ ଚଳିଯାଏ-

 

ଏମାନଙ୍କ ପାଇଁ ସୂର୍ଯ୍ୟଦୟର କିଛି ବାର୍ତ୍ତା ନାହିଁ, ବରଂ ସୂର୍ଯ୍ୟାସ୍ତର କିଛି ଅର୍ଥ ଅଛି ।

 

ହରି ଘଡ଼େଇ ମେହେମନ୍ତର କାମ କରେ ଢେଙ୍କାନାଳରେ । ସ୍ତ୍ରୀ ପରିବାର ନେଇ ସେଇଠି ରୁହେ । ଗାଆଁକୁ କୁଟୁମ୍ବିତା କରିବା ପାଇଁ ଆସିଥିଲା । କଥା କହି ଶିଖିଛି ସହରରେ ରହି । ସେ ଶୈବାଳକୁ ନିବେଦନ କଲା–‘‘ଆଉ କେତେଦିନ ମୁଣ୍ଡଉପରେ ମଇଳା ବୋହୁଥିବୁ ବାବୁ ? ଆମପାଇଁ କିଛି କର ।’’

 

ଶୈବାଳ ଠିଆ ହୋଇଯାଇ ପ୍ରଶ୍ନ କଲା–ଗାନ୍ଧୀ ବୁଢ଼ା କଥା ଶୁଣିଛ ?

 

ହରି ଘଡ଼େଇ କହିଲା–ଇମିତି ବଡ଼ ଲୋକ ତ ଢେଙ୍କାନାଳରେ କେହି ଥିବାର ଜାଣେନି ବାବୁ ।

 

ଶୈବାଳ କହିଲା, ଗାନ୍ଧିଜୀ ଢେଙ୍କାନାଳର ନୁହଁନ୍ତି, ସମଗ୍ର ପୃଥିବୀର । ସେ ହରିଜନ କହୁଥିଲେ ତୁମ ସମସ୍ତଙ୍କୁ । ସଢ଼ୁଥିବା ଲୋକମାନଙ୍କର ସୁଖଲାଗି ପ୍ରାର୍ଥନା କରୁଥିଲେ, କାମ କରୁଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ସଂସାର ସବୁ ବ୍ୟବସ୍ଥା ଆରମ୍ଭ ହୋଇଛି ତାଙ୍କରି ଆନ୍ଦୋଳନ ଫଳରେ ।

 

ହାତଯୋଡ଼ି ନମସ୍କାର କରି ହରି ଘଡ଼େଇ କହିଲା– ସେ ତ ଆମ ପାଇଁ ଦେବତା... ।

 

- ହଁ, ହଁ, ସେ ଦେବତା... । ତାଙ୍କରି କାମ ଆଉ କେହି କରୁନାହାଁନ୍ତି । ଆମେ ସବୁ ନିଜ ନିଜ କାମରେ ବ୍ୟସ୍ତ... ।

 

ସେଇ ଗ୍ରାମ ଅତିକ୍ରମ କରି ଆଗ ଗ୍ରାମରେ ସନ୍ଧ୍ୟା ପୂର୍ବରୁ ପହଞ୍ଚିବାକୁ ହେବ । ଗୀତ ଗାଇ ଗାଇ ଚାଲିଥାଆନ୍ତି କର୍ମୀମାନେ । ଯାତ୍ରା ଆରମ୍ଭ କରିଥିଲେ ପନ୍ଦର ଜଣ । ଏବେ ତାହା ବଢ଼ି ବଢ଼ି ପଚାଶରେ ପହଞ୍ଚିଛି ।

 

ହରି ଘଡ଼େଇର ବଡ଼ ଝିଅ ମୁକ୍ତା ବାପକୁ କହି ଚାଲିଆସିଛି ପଦଯାତ୍ରୀମାନଙ୍କ ସାଙ୍ଗରେ-

 

ଶୈବାଳ ନିଜର ଦାୟିତ୍ୱ ତା ଉପରେ ଛାଡ଼ିଦେଇ କହିଲା, ତୁ ମୋର ଭଉଣୀ । ମୋ କଥା ଲାଗିଲା ତୋତେ ।

 

ମୁକ୍ତା ବିବ୍ରତ ହୋଇ କହିଲା– ମୁଁ ଅଛବ ବାବୁ... ।

- ନା, ନା, ନା, ତୁ ମୋ’ପରି ଜଣେ ମଣିଷ । ଚିତ୍କାର କଲା ଶୈବାଳ... ।

ଚୁପ୍ ହୋଇଗଲା ମୁକ୍ତା ।

 

ତା’ ପିଠିରେ ହାତ ରଖି କହିଲା ଶୈବାଳ, ତୁ ପରା ମୋ ଭଉଣୀ । ପାଣି ଗିଲାସେ ଆଣିଲୁ, କେତେବେଳୁ ଶୋଷ କରୁଛି ।

 

ମୁକ୍ତା ଦ୍ୱିଧାବୋଧ କରୁଥାଏ । ସ୍ଥିର କରିପାରୁ ନ ଥାଏ କଅଣ କରିବ । ତାହାରି ହାତରେ ଶେଷରେ ଜାତି ଯିବ ବାବୁର ।

 

ଶୈବାଳ ହସିଦେଇ କହିଲା– ପାଣି ଗିଲାସେ ଦବୁନି ?

 

ପଛରେ ଜେରିକେନରେ ପାଣି ନେଇ ଚାଲୁଥିବା ସ୍ୱେଚ୍ଛାସେବକ ପାଖରୁ ପ୍ଲାଷ୍ଟିକ୍ ଗ୍ଲାସ୍‍ରେ ପାଣି ଆଣି ଶୈବାଳ ହାତକୁ ଦବାବେଳେ ମୁକ୍ତାର ଆଖିରେ ଲୁହ ଦେଖି ଚମକି ପଡ଼ିଲା ଶୈବାଳ ।

 

- କଅଣ ହେଲା, ତୋ ଆଖିରେ ଲୁହ ?

- ମୋ ପାପ ପାଇଁ ନର୍କରେ ପଡ଼ିବି ବାବୁ...

- ପାପ ?

 

- ତମ ହାତକୁ ପାଣି ଦେଲି ଯେ...ତମେ ଉଚ୍ଚ ଜାତିର...ମୁଁ ମେହେନ୍ତର ଘରୁ ଆସିଛି..,.ଜାତି ମାରା ହେଲା ସିନା... ।

 

ତା’ କଥାକୁ ହସରେ ଉଡ଼େଇ ନ ଦେଇ କହିଲା ଶୈବାଳ- ଜାତି ଗୋତ୍ର ଭଗବାନ୍ ତିଆରି କରିନାହାଁନ୍ତି, ମଣିଷ କରିଛି । ତା’ର ପ୍ରୟୋଜନ ଆଉ ନାହିଁ । ପୁଣି ମଣିଷ ପୁରୁଣା ନିୟମ ଭାଙ୍ଗି ନୂଆ ନିୟମ କରିବ, ଯେମିତି ପୁରୁଣା ଘର ଭାଙ୍ଗି ନୂଆ ଘର ତୋଳେ ସେ । ଆମେ ସମସ୍ତେ ଈଶ୍ୱରଙ୍କ ସନ୍ତାନ । ସମସ୍ତେ ଗୋଟିଏ ଜାତି । ସମସ୍ତଙ୍କ ରକ୍ତ ଲାଲ । ଆମ ମଧ୍ୟରେ ଗଢ଼ି ଉଠିଥିବା ଜାତି, ଧର୍ମ, ଉଚ୍ଚ ନୀଚର ପାଚେରୀଗୁଡ଼ାକ ଭାଙ୍ଗିଦବାକୁ ହେବ । ଜଣେ ଆଉ ଜଣଙ୍କୁ ଭାଇ ବୋଲି ଡାକିବ, ପରସ୍ପରର ସୁଖ ଦୁଃଖରେ ସମସ୍ତେ ହେବେ ଅଂଶୀଦାର ।

 

ପାଣି ଗିଲାସେ ପିଇ ମୁହଁ ପୋଛି ମୁକ୍ତା ହାତକୁ ଗିଲାସଟା ବଢ଼େଇ ଦେଇ କହିଲା ଶୈବାଳ- ଏବେ ତୋ କାମ ଆରମ୍ଭ ହେଲା । ଆଜି ରାତିରେ ତୁ ଖାଦ୍ୟ ପରଷିବୁ... ।

 

ମାଆଲୋ... । ଅସ୍ପଷ୍ଟ ଶବ୍ଦଟିଏ ବାହାରି ଆସିଲା ମୁକ୍ତା ମୁହଁରୁ ।

ତା’ ଆଗରେ ବଦଳି ଯାଉଛି ପୃଥିବୀର ରଙ୍ଗ, ମଣିଷମାନଙ୍କର ରୂପ ।

ରାମଧୂନ୍ ଶେଷହେବାବେଳକୁ ପଦଯାତ୍ରୀ ଦଳ ପହଞ୍ଚିଗଲେ ସ୍କୁଲ ପାଖରେ ।

 

ଗୋପାଳପୁର ବଡ଼ ଗାଆଁଟିଏ । ବ୍ରାହ୍ମଣ, କରଣ, ଚଷା, ହରିଜନ ମିଶି ଅଛନ୍ତି । ଜଣେ ଗ୍ରାମସେବକ ବି ଅଛନ୍ତି । ଏବେ ଗାଆଁକୁ ବିଜୁଳି ଶକ୍ତି ଯୋଗାଇ ଦବାଲାଗି ଖମ୍ବ ପୋତା ଚାଲିଛି, ତାର ଟଣା ହଉଛି । ବିଜୁଳିବତି ଲାଗିଯିବ ଆସନ୍ତା ମାସକୁ । ଚାଉଳକଳ ବସେଇବେ ମିଶ୍ରଘର । ଦଶଟା ଢିଙ୍କିର ଦିନକର ଚାଉଳ ଘଣ୍ଟାକରେ ବାହାରିବ କଳରୁ । ମେସିନ୍ ଆସିଗଲାଣି । ଇଲେକ୍ଟ୍ରିକ୍ ସଂଯୋଗର ଅପେକ୍ଷା ରହିଛି ମାତ୍ର ।

 

ସମସ୍ତେ ସନ୍ଧ୍ୟାକର୍ମ ଶେଷ କରିବାପାଇଁ ପୋଖରୀକୁ ଗଲେ ।

 

ଜଣେ ବିଧବା ଆସି ଛିଡ଼ା ହେଲା ଶୈବାଳ ଆଗରେ । ବୟସ ହୋଇଛି । ପଚାଶରୁ କମ୍ ହେବ ନାହିଁ । ମୁଣ୍ଡର କେଶ ପାଚିଗଲାଣି । ଦେହରେ ଖଣ୍ଡେ ମଇଳା ଥାନ । ମୁହଁରେ ଅବସାଦ ।

 

- କିଛି କହିବ ମାଉସୀ ? କହିଲା ଶୈବାଳ ।

- ସେଥିପାଇଁ ଆସିଥିଲି ପୁଅ । ସାହାସକୁ ଲୋଭ ନାହିଁ...

- ମୁଁ ତ ତୁମ ନିଜଲୋକ...କହିଯାଅ... ।

 

- ଚାଉଳକଳ ବସିବ ଗାଆଁରେ । ଆଉ ଢିଙ୍କି କୁଟିବାପାଇଁ ଆମକୁ କେହି ଡାକିବେ ନାହିଁ-। ଆମେ ନିଆଶ୍ରୀ ରାଣ୍ଡ କେତେଜଣ କଅଣ ଖାଇବୁ, କିପରି ଚଳିବୁ ଯେ ପୁଅ...?

 

ଶୈବାଳ ସହସା ଉତ୍ତର ଖୋଜି ପାଇଲା ନାହିଁ । ଲୋକମାନଙ୍କ ହାତର କାମ କଳକୁ ସମର୍ପି ଦିଆଯାଉଛି । ଲୋକେ ସଭ୍ୟ ହେବାକୁ ଯାଇ ନିଷ୍କର୍ମା ହୋଇଯାଉଛନ୍ତି । ଜଣଙ୍କର ପୁଞ୍ଜି ବଢ଼େଇବା ଲାଗି ଦଶଜଣଙ୍କର ହାତ ଖାଲି ହୋଇଯାଉଛି ।

ଶୈବାଳ ଅନିଶ୍ଚିତ ଭାବରେ କହିଲା, ସୁବିଧା କରିବାକୁ ଯାଇ ଇଏ ଅସୁବିଧା ସୃଷ୍ଟି କରିବ । କଅଣ କରାଯାଇପାରେ ମୁଁ ଭାବିଚିନ୍ତି କିଛି କରିବି ମାଉସୀ ।

- ଆମ କଥା ଭୁଲିଯିବନି ପୁଅ । ଇମିତି ପେଟକୁ ଦାନା, ଦେହକୁ କନା ମିଳୁନି । ଆମ ହାତରୁ କାମ ଛଡ଼େଇନେଲେ ଠୋ ଠୋ ଭୋକରେ ମରିଯିବୁ... ।

ଗୋଟିଏ ଦୀର୍ଘ ନିଶ୍ୱାସ ଛାତି ଥରାଇ ବାହାରିଗଲା ।

ଶୈବାଳ ମୂକପରି ଛିଡ଼ାହୋଇ ରହିଲା ।

ଚନ୍ଦ୍ରଗୁପ୍ତର ମନେପଡ଼େ ନିଜକଥା, ନିଜର ପୃଷ୍ଠଭୂମି ଏବଂ ପରିବାରର କଥା ।

କଳିଙ୍ଗା ଘାଟି ପାରହବାକୁ ଆଉ କଷ୍ଟ କରିବାକୁ ପଡ଼େ ନାହିଁ । ରାସ୍ତା ପଡ଼ିଛି । ବସ୍ ଚାଲୁଛି । ଘାଟିରୁ ଓହ୍ଲେଇବା ତ ଆହୁରି ସହଜ । ଘୁମୁସର ଉଦୟଗିରିରୁ ସେ ସେଇବାଟ ଦେଇ ଓହ୍ଲେଇ ଆସିଥିଲା ଉପକୂଳ ଅଞ୍ଚଳକୁ ।

ଉଦୟଗିରିର ସବୁଜ ପାହାଡ଼ ଉପରୁ ଖରା ଓହ୍ଲେଇଆସି ସମତଳ ଅଞ୍ଚଳକୁ ଆଲୋକିତ କରିବାପରି ସେ ବି ଓହ୍ଲେଇ ଆସିଥିଲା ତଳକୁ ।

ବାପା ମାଆଙ୍କର ପଞ୍ଚମ ସନ୍ତାନ ଚନ୍ଦ୍ରଗୁପ୍ତ । ସବା ସାନ ସେ ।

କେବେ ଓ କିପରି ଯେ ସେ ଫାଦରଙ୍କଦ୍ୱାରା ଲାଳିତ ପାଳିତ ହେଲା ଏହା ତା’ପାଖରେ ଆଜିବି ରହସ୍ୟ ହୋଇରହିଛି । ବାପା ମା’ ଆଉ ନାହାଁନ୍ତି । ଭାଇଭଉଣୀ ବି କୁଆଡ଼େ ସବୁ ଜୀବନ ଯୁଦ୍ଧରେ ଚାଲିଗଲେଣି । ସେମାନଙ୍କ ସହିତ ଯୋଗସୂତ୍ର ରକ୍ଷା କରିନି ଚନ୍ଦ୍ରଗୁପ୍ତ । ସେ ମିଶନାରୀମାନଙ୍କ ପରିବେଶରେ ବଢ଼ିବା ଦିନୁ ଘର ସହିତ ସମ୍ପର୍କଟି ଛିନ୍ନ ହୋଇଯାଇଛି । ବାପା ମା’ ତାକୁ କାହିଁକି ମିଶନାରୀମାନଙ୍କ ହେପାଜତରେ ଛାଡ଼ିଥିଲେ ତାହା ରହସ୍ୟ ହୋଇରହିଛି । ପରିବାରର ଆର୍ଥିକ ସ୍ୱଚ୍ଛଳତା ମନ୍ଦ ନ ଥିଲା । ତଥାପି ବାପା ମା’ ଦୂରରେ ରଖିଥିଲେ ତାକୁ । ମିଶନାରୀମାନଙ୍କ ସହିତ ରହିବାଦ୍ୱାରା ସେ ପାଇଛି ସେମାନଙ୍କର ଉଦ୍ୟମଶୀଳତା ଓ ସଂକଳ୍ପ । ଅସମ୍ଭବ ବୋଲି କୌଣସି ଶବ୍ଦ ତା’ ଅଭିଧାନରେ ଲେଖା ନାହିଁ । ସବୁ କରିପାରିବ ସେ । ଈଶ୍ୱରଙ୍କ ସନ୍ତାନ ପକ୍ଷରେ ସବୁ ସମ୍ଭବ । ସେଇ ପିଲାଦିନୁ ଅସ୍ଥିର ହୃଦୟରେ କେତେ ବୁଲିଛି ସେ । ଶେଷରେ ଏଇ ରାଜଧାନୀକୁ କରିଛି ନିଜର କର୍ମକ୍ଷେତ୍ର ।

 

ଅତୀତକୁ ଭୁଲିଯିବାକୁ ଚେଷ୍ଟା କରି ମଧ୍ୟ ସମ୍ପୂର୍ଣ୍ଣରୂପେ ଭୁଲିଯାଇ ପାରେନାହିଁ ଚନ୍ଦ୍ରଗୁପ୍ତ-। ଭୁଲିଯାଇଥିବା କଥାଗୁଡ଼ିକ ସ୍ୱପ୍ନର ବୃତ୍ତାନ୍ତ ପରି ଘୁରି ଫେରି ମନେପଡ଼ିଯାଏ ପୁଣି । ସେଇସବୁ କଥା ମନେପଡ଼ିବାକ୍ଷଣି ସବୁ ସତ ମିଛ ହୋଇଯାଏ । ନିଜକୁ ଆଉ ଖୋଜିପାଏନି ଚନ୍ଦ୍ରଗୁପ୍ତ । ବନ୍ଦ କୋଠରୀ ଭିତରେ ହଜିଯାଇଥିବା ଆଲୋକ ପରି ସେ ବି ହଜିଯାଏ ନିଜପାଖରେ-। ମନର ସବୁ କବାଟ ଓ ଝରକାଗୁଡ଼ିକୁ ବନ୍ଦ କରିଦେଇ ଭିତରଟାକୁ ନିବୁଜ, ନିଃଶବ୍ଦ କରିଦିଏ ଚନ୍ଦ୍ରଗୁପ୍ତ । କିନ୍ତୁ ବିଶ୍ୱାସଘାତକ ପରି ନିଶବ୍ଦରେ ଫେରିଆସେ ଅତୀତ, ଦୁମଦୁମ୍ ଶବ୍ଦ କରି ଖୋଲିଯାଏ ବନ୍ଦ ହୋଇଥିବା କବାଟ ଓ ଝରକାଗୁଡ଼ିକ । ଅଟ୍ଟହାସ୍ୟ କରି କିଏ ଯେପରି ପଚାରେ, ତୁ କିଏ ? ତୁ କିଏ-?

 

ସେ କିଏ ତାହା କ’ଣ ଆଉ ଅଜଣା ଅଛି ? ନିଜ ପରିଚୟର ପ୍ରମାଣପତ୍ର ଦାଖଲ କରିଛି ସେ ନିଜେ । ନିଜର ଯୋଗ୍ୟତା ବଳରେ ସେ ପ୍ରତିଷ୍ଠିତ କରିଛି ନିଜକୁ । ସେ ତା’ହେଲେ କାହିଁକି ଉତ୍ତର ଦବ ସେଇ ପ୍ରଶ୍ନର ? ଅତୀତ ସହିତ ତା’ର ସମ୍ପର୍କ ନାହିଁ, ତାହା ତା’ ପାଖରେ ମୃତ-। ବର୍ତ୍ତମାନ ସେ କିଏ ତା’ର ଉତ୍ତର ସେ ନିଜେ । ଆଗାମୀ କାଳ ତା’ ହାତମୁଠାରେ ନିଶ୍ଚିନ୍ତରେ ନିର୍ଭୟରେ ଶୋଇଛି । ଭବିଷ୍ୟତ ନିର୍ଦ୍ଦିଷ୍ଟ ହୋଇ ରହିଛି ।

 

କିନ୍ତୁ ମଣିଷ ଯଦି ଅତୀତକୁ ଭୁଲି ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ବଞ୍ଚିପାରୁଥାନ୍ତା ଏତେ ଦୁଃଖ ରହନ୍ତା ନାହିଁକି ସେ ନିଜକୁ ଏତେ ଦରିଦ୍ର ମନେକରନ୍ତା ନାହିଁ । ବେଳେ ବେଳେ ତ ଏପରି ମନେହୁଏ ଯେ ଅତୀତକୁ ଛାଡ଼ି ଯେଉଁ ବର୍ତ୍ତମାନଟି ତିଆରି ହୋଇଛି ତାହା ଭଙ୍ଗା ମୃଦଙ୍ଗର ଶବ୍ଦ ପରି ନିରର୍ଥକ ।

 

ସେଇ ନିରର୍ଥକ ଜୀବନକୁ ଅର୍ଥ ଦବାପାଇଁ ଚନ୍ଦ୍ରଗୁପ୍ତ ବୁଡ଼ିରହେ କାମରେ । ବ୍ୟସ୍ତତା ତାକୁ ଭୁଲେଇ ଦିଏନାହିଁ, ତାହା ତା’ମନକୁ ଦିଏ ରଙ୍ଗ ଏବଂ ସେଇ ରଙ୍ଗରେ ଆଲୋକ ପଡ଼ି ଯେଉଁ ପ୍ରତିବିମ୍ବଟି ସୃଷ୍ଟି ହୁଏ ତାହା ଅନିଶ୍ଚିୟତା ମଧ୍ୟରୁ ନିଶ୍ଚୟତା ଆଡ଼କୁ ଯିବାର ଏକ ଦୃଢ଼ ସଫଳ ପଦକ୍ଷେପ ।

 

ଦର୍ଶନ ମଣିଷର ମନର କଥା କହିପାରେ । ଏକଥା ତ ଶେଷ ହୋଇନାହିଁ କି ହେବନାହିଁ-। ମନରେ ଜିଜ୍ଞାସା ଥିବାଯାଏ ଅନୁସନ୍ଧାନ ଓ ଅନୁଶୀଳ ଥିବାଯାଏ ମନର ବିକାଶ ଘଟୁଥିବ ଏବଂ ବିବର୍ତ୍ତନର ଅଧ୍ୟାୟମାନଙ୍କର ସ୍ୱକୀୟ କିରଣରେ ଝଲମଲ ହେଉଥିବ ବୁଦ୍ଧିଦୀପ୍ତ ମାନସ-ପୁରୁଷ ।

 

ଚନ୍ଦ୍ରଗୁପ୍ତର ଜୀବନ-ଦର୍ଶନ ନାହିଁ ବୋଲି କହିଲେ ଭୁଲ ହେବ । ସେ ଅତୀତ ପାଇଁ ସିନା ବଞ୍ଚେ ନାହିଁ, ବର୍ତ୍ତମାନ ପାଇଁ ତ ବଞ୍ଚେ, ଆଗାମୀ ପାଇଁ ତ ସଂଗ୍ରାମ କରେ ।

 

ଅତୀତ ବୋଲି କିଛି ନ ଥାନ୍ତା କି !

ମୂଳ ଓ ଚେର ନ ଥାଇ ବୃକ୍ଷର କଳ୍ପନା ହାସ୍ୟାସ୍ପଦ ନୁହେଁ, ଅବାନ୍ତର ମଧ୍ୟ ।

 

ସେଥିପାଇଁ ଭୟ ହୁଏ ଚନ୍ଦ୍ରଗୁପ୍ତର । କାଳେ ଖୋଳିତାଡ଼ି ସେଇ ମୂଳ ଓ ଚେରକୁ ବାହାର କରିବାକୁ ଯାଇ କିଛି ନ ପାଇ ଏକ ମହାଶୂନ୍ୟରେ ପହଞ୍ଚିଯିବ ଏଇ ଭୟ ତାକୁ ଆଚ୍ଛନ୍ନ କରିପକାଏ-। ପିଆଜପରି ସ୍ଥିତି ତା’ର । ପିଆଜକୁ ଦେଖି ଚିହ୍ନି ହୁଏ, ତା’ର ଦ୍ରବ୍ୟଗୁଣ ଜାଣିହୁଏ । ମାଟିରେ ପୋତିଲେ ଗୋଟିଏ ପିଆଜ ଅନେକରେ ପରିଣତ ହୁଏ । କିନ୍ତୁ ତା’ର ଚୋପା ଛଡ଼ାଇବା ଆରମ୍ଭ କଲେ ସବୁ ଚୋପା ଛିଡ଼ିଯିବା ପରେ ଯାହା ରହେ ତାହା ମହାଶୂନ୍ୟ ।

 

ମହାଶୂନ୍ୟର ନିର୍ଜନତାକୁ ଡରେ ଚନ୍ଦ୍ରଗୁପ୍ତ ।

ସେଇ ଅତୀତ ତା’ପାଖରେ ମୃତ ଏବଂ ନୀର୍ଜନ । ସେଠାରେ ରାଶି ରାଶି ଶୂନ୍ୟତା ।

 

ଚନ୍ଦ୍ରଗୁପ୍ତକୁ ସେଦିନ ସେବା କହିଲା, ବାପା ମା’ ଯଦି ତୁମର ବଂଶ ପରିଚୟ ପଚାରିବେ କ’ଣ କହିବି ? ଚନ୍ଦ୍ରଗୁପ୍ତ ପ୍ରଶ୍ନଟା ଶୁଣି ଚକିତ ହୋଇଯାଇଥିଲା । ସହସା ଉତ୍ତର ଦେଇ ନ ପାରି ଟିକେ ପରେ କହିଥିଲା, ମୋର ପରିଚୟ କ’ଣ ଯଥେଷ୍ଟ ନୁହେଁ ଯେ ବଂଶ ପରିଚୟ ଜାଣିବାର ଆବଶ୍ୟକତା ହେଉଛି ! ମୋତେ ତ ଦେଖୁଛ ସେବା । ମୁଁ ଗୋଟିଏ ଖୋଲା ବହି । ମୁଁ ଯାହା, ତାହା ଲେଖା ହୋଇଛି ମୋର ପ୍ରତିଟି ପୃଷ୍ଠାରେ ।

 

କିନ୍ତୁ ବହି ଲେଖା ହେବା ଆଗରୁ ପାଣ୍ଡୁଲିପିଟିଏ ଲେଖାହୁଏ । କେହି ଜଣେ ତାକୁ ଲେଖେ କାଗଜ ଉପରେ । ସେଥିପାଇଁ କାଳି ଓ କଲମ କେବଳ ଲୋଡ଼ା ହୁଏ ନାହିଁ, ଲୋଡ଼ା ହୁଏ ସୃଜନଶୀଳ ମନଟିଏ, ଆଲୋକପରି ମୃତ୍ୟୁହୀନ ଚେତନାଟିଏ ।

 

ଚନ୍ଦ୍ରଗୁପ୍ତ ପରାଜୟର ଗ୍ଲାନିରୁ ନିଷ୍କୃତ ପାଇବାପାଇଁ ପଥ ଖୋଜିଥିଲା ସେଦିନ... ।

ସେହି ପଥ ଖୋଜା ଅବ୍ୟାହତ ଅଛି, କିନ୍ତୁ ପଥ ପାଇନାହିଁ ।

 

ଟେବୁଲ ଉପରେ ଆଘାତ କରେ ଏବଂ ଟେବୁଲ ଉପରେ ଥିବା ଲ୍ୟାମ୍ପଟା ତଳେ ପଡ଼ିଯାଇ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯାଏ ।

 

ଚନ୍ଦ୍ରଗୁପ୍ତ ବିକଳ ହୋଇ ଲକ୍ଷ୍ୟ କରେ ଭାଙ୍ଗିରୁଜି ଖଣ୍ଡବିଖଣ୍ଡ ହୋଇ ଧୂଳିରେ ଲୋଟୁଥିବା ନିଜର କାଚତିଆରି ମୂର୍ତ୍ତିଟିକୁ ।

 

ଉଦାସ ଦୃଷ୍ଟିରେ ସେ ଅନାଇ ରହେ ଅନେକ କ୍ଷଣ ।

ପ୍ରତିକ୍ଷଣ ମନେହୁଏ ଅନେକ ଯୁଗର ଅପେକ୍ଷା, ଏହାର ଆଦି ନାହିଁକି ଅନ୍ତ ନାହିଁ ।

 

କ୍ୟାଲେଣ୍ଡରଟା କାନ୍ଥରେ ଝୁଲୁଛି । କାଳେ କାର୍ଯ୍ୟବ୍ୟସ୍ତ ଚନ୍ଦ୍ରଗୁପ୍ତ ଭୁଲିଯାଇପାରେ ଏହି ଆଶଙ୍କାରେ ନିର୍ଦ୍ଦିଷ୍ଟ ତାରିଖ ଚାରିପାଖରେ ଲାଲ ରଙ୍ଗର ପେନସିଲରେ ବୃତ୍ତଟିଏ ଆଙ୍କି ଦେଇଥିଲା ସେବା ।

 

ସେଇ ତାରିଖଟା ଜଳିଉଠିଲା ଆଖି ଆଗରେ ।

ଚନ୍ଦ୍ରଗୁପ୍ତ ଘଡ଼ିକୁ ଚାହିଁଲା । ଚାରିଟା ଦଶମିନିଟ୍ ।

ଆଉ ପଚାଶ ମିନିଟ୍ ପରେ ସେବା ଆସି ପହଞ୍ଚିଯିବ ।

 

କିନ୍ତୁ ସେଇ ପ୍ରଶ୍ନର ପୁନରାବୃତ୍ତି ନ କରି ଯଦି ନୂଆକରି ଅନ୍ୟ ପ୍ରସଙ୍ଗର ଅବତାରଣା କରେ ସେବା, ତା’ହେଲେ ଏଇ ତାରିଖଟା ଜୀବନ୍ତ ହୋଇ ରହିବ ।

 

ସବୁ କଥା ସେବାକୁ କହିଦେଲେ କିମିତି ହୁଅନ୍ତା ? ନିଜ ମନରେ ଏଇ ପ୍ରଶ୍ନଟା ଉଦୟ ହେବାକ୍ଷଣି ଆଶଙ୍କାରେ ଦୁଇପାଦ ଘୁଞ୍ଚିଗଲା ଚନ୍ଦ୍ରଗୁପ୍ତ ।

 

ସେବା ତାକୁ ଭଲପାଏ, ତା’ର ଅତୀତକୁ ନୁହେଁ ।

 

ସେଇକଥା ଆଉଥରେ ସ୍ପଷ୍ଟକରି କହିଦେବ । ସେ ନିଜେ ନିଜର ପରିଚୟ । ସେ ପୁରୁଷ-। ପୌରୁଷତ୍ୱ ତା’ର କରାୟତ । ସେ ନିଜର ଭାଗ୍ୟଲିପି ନିଜ ହାତରେ ଲେଖିବ ।

 

ସେବାର ବୁଦ୍ଧି ଅଛି । କିନ୍ତୁ ତା’ ପାଖରେ ଛିଡ଼ାହେଲେ ପ୍ରଗଲଭ୍ ହୋଇ ନ କରିବା କଥାଗୁଡ଼ା କରି ବସେ, ନ କହିବା କଥାଗୁଡ଼ା କୁହେ ।

 

ଚନ୍ଦ୍ରଗୁପ୍ତ ତାକୁ ବନ୍ଧୁ ହବାପାଇଁ ଡାକିଥିଲା । ସେ କିନ୍ତୁ ପ୍ରଥମରୁ ଦାବି କଲା ବିବାହ । ବିବାହ ପରେ ଯୋଉ ବନ୍ଧୁତ୍ୱ ହୁଏ ସେଇଟା କୁଆଡ଼େ ସ୍ଥାୟୀ ଓ ସାମାଜିକ ।

 

ବାହା ହୋଇ ବନ୍ଦିନୀ ହବାପାଇଁ କାହିଁକି ଚାହାଁନ୍ତି ଝିଅମାନେ ? ସ୍ୱାମୀର ମାଡ଼ଗୋଳ ସହି ପଡ଼ିରହନ୍ତି ଭଙ୍ଗା କୁଡ଼ିଆରେ ? ଏ ପ୍ରଶ୍ନର ଉତ୍ତର ସେ ଦେଇପାରିବ ନାହିଁ, ସେବା ମଧ୍ୟ ଦେଇପାରିନାହିଁ । ଏଇ ଗୋଟେ ପ୍ରତିଶ୍ରୁତି ପୂର୍ଣ୍ଣ କରିବା ପାଇଁ ସେ ଖାଲି ନିର୍ବୋଧ ପରି ଅଳି କରିଛି-। ଚନ୍ଦ୍ରଗୁପ୍ତ ତାକୁ ଅନେକ କିଛି ଦବାଲାଗି ପ୍ରତିଶ୍ରୁତି ଦେଇଥିଲା । ସେ କିନ୍ତୁ ବାରମ୍ବାର କହିଲା, ଆଉ କିଛି ମୋର ଲୋଡ଼ା ନାହିଁ, ତୁମେ ଅକ୍ଷୟ କବଚ ପରି ମୋ ସିନ୍ଦୁର ଆଉ ହାତର କାଚ ହୋଇ ଶୋଭା ପାଅ । ମୁଁ ସ୍ୱର୍ଗ ନର୍କ ସବୁଠିକୁ ଯାଇପାରିବି ବିନା ଦ୍ୱିଧାରେ ।

 

ଶୈବାଳ କହିଥିଲା ସେବାକୁ ଚାକିରିଟା ଦବା ପାଇଁ । ସେ ନିମିତ୍ତ ମାତ୍ର । ଶୈବାଳକୁ ସେ ଦିନେ ଏକଥା କହିଥିଲା । ସେ କିନ୍ତୁ ନିର୍ଲିପ୍ତ ପରି କହିଲା ଯେ ସବୁକଥା ବୁଝିବା ଆବଶ୍ୟକ ନାହିଁ । ସେବା, ରେବା ଚାକିରୀ କରିବେ ବ୍ୟାଙ୍କରେ । ବ୍ୟାଙ୍କ ସେମାନଙ୍କ କଥା ବୁଝିବ ।

 

ସେଦିନୁ ସେବା କଥା ସେ ବୁଝୁଛି ।

ତାକୁ ଦେଖିବା ଦିନରୁ ତା’ର ମନେହୋଇଛି ଯେ ଭଉୟ ଉଭୟଙ୍କ ପାଇଁ ଜନ୍ମିଛନ୍ତି ।

ସେବାକୁ ଆଜି କିଛି ଗୋଟେ କହିବାକୁ ହବ ।

ବାହା ନ ହୋଇ ବନ୍ଧୁ ହବାକୁ ମନା କାହିଁକି ?

ସେବା ରାଜି ନୁହେଁ ସେଥିରେ ।

ବାହା ହବାପରେ ବନ୍ଧୁତ୍ୱ ।

 

ସେଦିନ ସେ କିଭଳି ନିଷ୍ଠୁର ଭାବରେ କହିଲା ଯେ ପୁରୁଷ ଓ ନାରୀର ସମ୍ପର୍କଟି ଆଦାମ୍ ଓ ଇଭ୍‍ର ସମ୍ପର୍କ । ନିଷିଦ୍ଧ ଫଳ ଝୁଲୁଛି ବୃକ୍ଷ ଶାଖାରେ । ଆଦାମ୍ ଫଳଟିକୁ ଇଭ୍ ହାତକୁ ଦବାକ୍ଷଣି ସ୍ଥାପିତ ହୁଏ ସମ୍ପର୍କ । ସେଇ ଫଳ ଖାଇ ସାରିବା ପରେ ଯଦି ଆଦାମ୍ ଭୁଲିଯାଏ ଇଭ୍‍କୁ ?

 

ବାହା ହବାର ମୋହର ମାରି ନିର୍ଭୟରେ ଆକାଶରେ ଉଡ଼ି କି ସମୁଦ୍ରରେ ସନ୍ତରଣ କର କିଛି ଯାଏ ଆସେ ନାହିଁ । ବାଘ ଓ ଛେଳି ମଧ୍ୟରେ ଯେତେ ବନ୍ଧୁତ୍ୱ ଥାଉ ନା କାହିଁକି ଦିନେ ବାଘ ଛେଳିର ମାଂସ ଖାଇବହିଁ ଖାଇବ । ନିରାମିଷ ବାଘ ଯେପରି ନାହାଁନ୍ତି ପୁରୁଷ ମଧ୍ୟ ନାହାଁନ୍ତି ।

 

ସେବା ସ୍ପଷ୍ଟବାଦିନୀ । ଯାହା ଅନୁଭବ କରେ ସିଧା ସିଧା କହିଦିଏ, ମନ ରଞ୍ଜେଇବା ପାଇଁ କଥା କହି ଜାଣେନାହିଁ । ଟିକେ ସତ ସହିତ କିଛି ମିଛ ସେ ଯଦି ପାରୁଥାଆନ୍ତା ତା’ ହେଲେ ତାକୁ ଆଗରେ ରଖି ଫେଲ୍ ମାରୁଥିବା କେତେକ କ୍ଷେତ୍ରରେ ସେ ଆହୁରି ଆଗେଇ ଥାଆନ୍ତା । ଏଇ ଅଫିସରମାନଙ୍କୁ ଏପର୍ଯ୍ୟନ୍ତ ଆୟତ୍ତ କରିପାରିନାହିଁ । ବ୍ୟାଙ୍କର କାରବାର ସମୀକ୍ଷା କରିବା ସକାଶେ ଦାବି ହେଉଛି । ସେବା ଯଦି ଟିକେ ରସିକତା କରିପାରନ୍ତେ; ଗୋଠଛଡ଼ା ଗୋରୁ ଗୋଠକୁ ଫେରିବା ପରି ସେମାନେ ଆପେ ଆପେ ପଡ଼ିଯାଆନ୍ତେ ଯନ୍ତାରେ, ଚନ୍ଦ୍ରଗୁପ୍ତକୁ ଆଉ ଏତେ ଧାଆଁପଡ଼ କରିବାକୁ ପଡ଼ନ୍ତା ନାହିଁ । କିନ୍ତୁ ସେବାର ମୂଲ୍ୟବୋଧ ଅନ୍ୟପ୍ରକାର । ସତ୍ୟ ପରି ସତୀତ୍ୱ ବି ଅବିମିଶ୍ରିତ । ଦେହକୁ ଛୁଇଁବାକୁ ଦେଇ ମନକୁ ଅଲଗା କରି ରଖି ହୁଏନି । ଯେଉଁଠି ମନ ଧରାଦିଏ ସେଠାରେ ଦେହ ଦୂରରେ ରହେ ନାହିଁ । ସେବା କୁହେ: ଶିଖଣ୍ଡୀ କରି କାମ ଆଦାୟ କରିବାକୁ ଯଦି ଚାହଁ ଆଉ କାହାକୁ ଦେଖ, ମୋ ଦେଇ ସେଇ କାମ ହେବ ନାହିଁ । ଯିଏ ବଧୂ ହବ ସିଏ ସତୀ ଏବଂ ସତ୍ୟବତୀ ହବାକୁ ବାଧ୍ୟ ।

 

ଚନ୍ଦ୍ରଗୁପ୍ତର ଦୁନିଆଟା କିନ୍ତୁ ଭିନ୍ନ ରକମର । ସେଠାରେ ଗୋଟିଏ ଅବିମିଶ୍ରିତ ରଙ୍ଗ ଜାଗାରେ ବହୁ ରଙ୍ଗର ଏକତ୍ର ମିଶ୍ରଣ ଘଟେ । ନିଜର ରଙ୍ଗ ସହିତ ଆଉ କିଛି ରଙ୍ଗର ମିଶ୍ରଣ ଯୋଗୁହିଁ ଚରିତ୍ରର ଏତେ ଆକର୍ଷଣ । ସତ୍ୟ ସଦାବେଳେ ନିଷ୍ଠୁର । ସେଇ କାରଣରୁ ସତ୍ୟକୁ ପାଖରେ ଦେଖି ଭୟ ପାଏ ସେ ।

ଅତୀତ ବୋଲି କିଛି ନ ଥାନ୍ତା କି ! ବ୍ୟକ୍ତିକୁ ଜାଣିବା ପାଇଁ ବଂଶବୃକ୍ଷର ଆବଶ୍ୟକତା କଅଣ ? କର୍ଣ୍ଣ ପ୍ରତିଯୋଗିତା କରିବ ନିଜର ବିଦ୍ୟା ବୁଦ୍ଧି ବଳରେ, ତା’ର ବଂଶ ପରିଚୟର ପ୍ରମାଣପତ୍ର ହାତରେ ଧରି ସେ ବୁଲିବ କାହିଁକି?

ଏଇଠି ଶୈବାଳ ତା’ ସହିତ ସମ୍ପୂର୍ଣ୍ଣ ଏକମତ । ସେଥିପାଇଁ ସେ ଚନ୍ଦ୍ରଗୁପ୍ତର ବନ୍ଧୁ ।

ସେ ପ୍ରସ୍ତୁତ ହୋଇଗଲା ସେବାକୁ ସ୍ୱାଗତ କରିବା ପାଇଁ । ଅପରାହ୍ନ ସରି ଆସୁଛି । ବାହାରେ କଅଁଳ ଖରାର ଅପସରି ଯାଉଥିବା ଅଞ୍ଚଳ ଏବେବି ମେଲେଇ ହୋଇପଡ଼ିଛି ।

ପକ୍ଷୀ କେତୋଟି କିଚିର ମିଚିର ହଉଛନ୍ତି । ଗୋଟିଏ ଅନ୍ୟଟିର ଚଞ୍ଚୁ ସହିତ ନିଜର ଚଞ୍ଚୁ ମିଳେଇ ନୃତ୍ୟ କରୁଛି । ଏକା ଏକା ବଣଟିଏ ଆମ୍ବ ଡାଳରୁ ଭୂଇଁ ଉପରକୁ ଏବଂ ଭୂଇଁ ଉପରୁ ଆମ୍ବଡାଳକୁ ଯିବା ଆସିବା କରୁଛି । ନିର୍ମେଘ ଆକାଶ ନିର୍ମଳ ଦିଶୁଛି ଲାବଣ୍ୟମୟୀ ନାରୀର ମୁହଁପରି ।

ଚନ୍ଦ୍ରଗୁପ୍ତ ସଜେଇଦେଲା କୋଠରୀଟିକୁ । ଫୁଲ ଗୁଚ୍ଛାଏ ସଜାଡ଼ି ଦେଲା ଫୁଲଦାନିରେ । କାନ୍ଥ କୋଣରେ ଝୁଲୁଥିବା ବୁଢ଼ିଆଣୀ ଜାଲଟାକୁ ଉଠେଇ ନେଇ ବାହାରେ ଫିଙ୍ଗିଦେଲା । ଝିଟିପିଟି ଟିକ୍ ଟିକ୍ କରୁଛି କାନ୍ଥରେ । ସତ ହବ ସବୁ । ନିଶ୍ଚୟ ଆସିବ ସେବା ।

ଗୋକୁଳକୁ ପଠେଇଦେଲା ସେ ବଜାରକୁ । ଗାଙ୍ଗୁରାମର ଦେକାନରୁ ମିଠା ଆଣିବା ପାଇଁ ସେ ଭୁଲି ଯାଇଥିଲା । ଗୋକୁଳ ସାଇକେଲ ଚଢ଼ି ବାହାରିଗଲା । ବାବୁଙ୍କର ମିଜାଜ୍ ଖୁବ୍ ଭଲ ଅଛି ଆଜି, ତୁଚ୍ଛାଟାରେ ଗରଗର ହଉନାହାଁନ୍ତି ।

ଗୋକୁଳଟା କ୍ରମଶଃ ଚତୁର ହୋଇ ଆସୁଛି । ସବୁକଥା ଶୁଣିବାକୁ ଚାହେଁ, ଜାଣିବାକୁ ଚାହେଁ । ତାକୁ ସେ ଧୀରେ ସୁସ୍ଥେ ଯିବାକୁ କହିଥିଲା । ଗୋକୁଳ କିନ୍ତୁ ସାଇକେଲ ନେଇଗଲା କାହିଁକି ? ଅବାଧ୍ୟ । ଶିଘ୍ର ଶିଘ୍ର ଫେରିବାର ଫିସାଦ ।

ଚନ୍ଦ୍ରଗୁପ୍ତ ବାହାରକୁ ଆସି ପୁଣି ଭିତରକୁ ପଶିବାର ଟିକେ ପରେ ଗୋଟେ ରିକ୍ସା ଆସି ଛିଡ଼ାହେଲା ଘର ସାମ୍ନାରେ ।

ଚନ୍ଦ୍ରଗୁପ୍ତ କେହି ଆସିବାର ଶବ୍ଦ ବାରି ହାତଘଡ଼ିକୁ ଚାହିଁଲା । ପାଞ୍ଚଟା ପନ୍ଦର ମିନିଟ୍ ।

ସେବା ପାହୁଚ ଡେଇଁ ଘର ଉପରକୁ ଉଠି ଆସୁଥିଲା ।

ଚନ୍ଦ୍ରଗୁପ୍ତ ଆଗେଇ ଯାଇ କହିଲା, ଆସ ଆସ ପନ୍ଦର ମିନିଟ୍ ଲେଟ୍ । କଥାରେ କୁହନ୍ତି ନି Better late than never. ବିଳମ୍ବେ କାର୍ଯ୍ୟସିଦ୍ଧି.... ।

ଖିଲ୍ ଖିଲ୍ କରି ହସିଉଠିଲା ସେବା ।

- ବାଃରେ ! କବି ପରି କଥା କହୁଛ । କହିଲା ସେ ।

- କବି ନ ହୋଇ କେହି ଭଲପାଇ ପାରେନାହିଁ ।

- ସତେ !

- ତୁମେ ଖୁବ୍ ସୁନ୍ଦର ଦିଶୁଛ ଆଜି ।

 

- ଏଇ ତ ଅଫିସରୁ ଆସୁଛି । ପାଞ୍ଚଟାରେ ଛୁଟି । ପନ୍ଦର ମିନିଟ୍ ଲାଗେ ଆସିବା ପାଇଁ-। ଆଗରୁ ଆସିଲେ ତୁମେ କୈଫିୟତ ମାଗିବନି ? ଆଉ ଅଫିସ୍‍ର ଗନ୍ଧ ଯାଇନି ଏଯାଏ ଦେହରୁ ।

 

- କିନ୍ତୁ ତଥାପି ଏଡ଼େ ସୁନ୍ଦର ଦିଶୁଛ !

- ତୁମ ଆଖି ଦୁଇଟା ସେଇପରି ।

- ମୋ ଆଖିର ଡୋଳା କିନ୍ତୁ କଳା ନୁହେଁ...

- ରଡ଼ନିଆଁ ପରି । ଶିକାର ଖୋଜୁଥିବା ବାଘର ଆଖିପରି ।

- ତୁମକୁ ଦେଖିଲେ ଶିକାର କରିବାକୁ ଇଚ୍ଛା ହୁଏ ।

- ନ ହେଲେ ମୂଷିକଟିଏ... ।

ହସିଉଠିଲା ସେବା ।

ଚନ୍ଦ୍ରଗୁପ୍ତ ସମସ୍ତଙ୍କ ଆଗରେ ସିଂହ, କିନ୍ତୁ ସେବା ଆଗରେ ସୁପ୍ତ ସିଂହ ।

ସେବା କହିଲା, ଘରକୁ ଡାକିଲ ଖାଲି ଗପିବା ପାଇଁ ନା ଆଉ କିଛି ?

 

ଚନ୍ଦ୍ରଗୁପ୍ତର ତଣ୍ଟି ଅଠା ଅଠା ହୋଇଗଲା, ସହସା କୌଣସି ଉତ୍ତର ଦେଇପାରିଲା ନାହିଁ-

 

ସେବା କହିଲା, ଚୁପ୍ ହୋଇ ବସିଲ ଯେ....?

ଚନ୍ଦ୍ରଗୁପ୍ତ କହିଲା, ଅଫିସରୁ ଆସିଛ, ଭୋକ କରୁଥିବ, ଆଗ ଖାଇନିଅ କିଛି... ।

ଗୋକୁଳ ଜଳଖିଆ ଦେଇଗଲା ।

ମାଂସ ଚପରୁ ଟିକେ ଖାଇ କହିଲା ସେବା, ଚମତ୍କାର ହୋଇଛି । କୋଉଠୁ ଆଣିଲ ?

ଚନ୍ଦ୍ରଗୁପ୍ତ କହିଲା, ସେଇ ଦୋକାନରୁ ଯେଉଁଠୁ ତୁମେ ସେଦିନ ଆଣିଥିଲ ମୋ ପାଇଁ ।

ସେବା କହିଲା, ମାଂସ ଚପ୍ ଖାଇସାରି ଇମିତି ଫେରିଯିବି ?

ଚନ୍ଦ୍ରଗୁପ୍ତର ତଣ୍ଟି ପୁଣି ଅଠା ଅଠା ହୋଇଗଲା ।

 

ସେବା ପାଖରେ ସବୁଠାରୁ ସବଳ ମୁହୂର୍ତ୍ତରେ ସେ ଦୁର୍ବଳ ହୋଇଯାଏ । ପ୍ରସାରିତ ହେଇଥିବା ମନଟା ହଠାତ୍ ସଙ୍କୁଚିତ ହୋଇଯାଏ ।

 

ଚନ୍ଦ୍ରଗୁପ୍ତ ସେବା ହାତକୁ ଚା’ କପ୍‍ଟି ବଢ଼େଇ ଦେଇ କହିଲା, ଆଗ ଗରମ ଚା’ କପେ ପିଇ ନିଅ, ତା’ପରେ ଆଉସବୁ... ।

 

ସେବା ଚମତ୍କାର ଦିଶୁଛି । ଚନ୍ଦ୍ରଗୁପ୍ତ ତାକୁ ସେଦିନ କିଣି ଦେଇଥିବା ଶାଢ଼ିଟା ପିନ୍ଧିଛି ସେ-। ଶାଢ଼ିଟା ଯେ ତାକୁ ଇମିତି ମାନିବ ସେ ଜାଣି ନ ଥିଲା । ଦୋକାନୀର ପସନ୍ଦ ଅଛି । ସେ କହିଥିଲା ଚନ୍ଦ୍ରଗୁପ୍ତକୁ ଏଇ ଶାଢ଼ିଟା କିଣିବା ପାଇଁ ।

 

ସେବା ଚା’ ପିଇସାରି କହିଲା, ତୁମେ ଶକ୍ତିପାଅ କୋଉଠୁ ଏତେ କାମ କରିବା ପାଇଁ ? ମୁଁ ତ ଗୋଟିଏ ଅଫିସରେ କାମ କରି ଥକି ଯାଉଛି ।

ଚନ୍ଦ୍ରଗୁପ୍ତର ମନଟା ଖୋଲିଗଲା ଫୁଲ ଫୁଟିବା ପରି । ସେ କହିଲା, କାମ ମଣିଷର ରୂପକୁ ଝଲକେଇ ଦିଏ । ଅକର୍ମା ଲୋକଟି ଅକର୍ମଶିଳା ପରି । ତା’ ପାଖରେ କାହାରି କାମ ନାହିଁ, ତା’ର ଆଉ କାହା ପାଖରେ କାମ ନାହିଁ ।

- କିନ୍ତୁ ତୁମେ ନିଜ ପାଇଁ ନ କରି ସବୁ ତ କର ଅନ୍ୟମାନଙ୍କ ପାଇଁ ।

- ସେଇଥିରେ ଆନନ୍ଦ... ।

- ବଡ଼ ହବାକୁ ତୁମର ଇଚ୍ଛା ହୁଏନି ନିଜ ଠିକଣାରେ ଚିଠି ପାଇବାକୁ ଭଲ ଲାଗେନି...ତୁମେ ପୁରୁଷ...ଅନ୍ୟ ଠିକଣାରେ ତୁମର ପରିଚୟ ଦବ କାହିଁକି ଯେ... ।

ଚନ୍ଦ୍ରଗୁପ୍ତକୁ ସକ୍ ମାରିଲା ଯେପରି । ସେ ଘୁଞ୍ଚିଯାଇ କହିଲା, ଏତେଦୂର ଭାବନି... ।

- ଭାବ, ଭାବିବାର ବେଳ ଅତୀତ ହୋଇନାହିଁ । କହିଲା ସେବା ।

ସେବା ଯାହା କହିଲା ସେକଥା ସେ କେବେ ଭାବି ନାହିଁ । ଭାବିବାକୁ ବେଳ ପାଇନାହିଁ-। ରାଜଧାନୀକୁ ଆସିବା ପରେ ହଠାତ୍ ଦିନେ ଦେଖାହୋଇ ଯାଇଥିଲା ଶୈବାଳ ସହିତ-। ସେଇଠାରୁ ଆରମ୍ଭ । ଅନ୍ୟ ଠିକଣାରେ କାମ କରିବାକୁ ଭଲ ଲାଗେ ତାକୁ । ଶୈବାଳ ବଡ଼ ହେଉ...ସେ ଛାଇ ପରି ସେ ତା’ ସାଙ୍ଗରେ ଥିବ...ପଛରେ ରହି ଶକ୍ତି ଯୋଗାଇବ ।

ଚନ୍ଦ୍ରଗୁପ୍ତ କହିଲା, ଏଇ ତ ଆରମ୍ଭ ହୋଇଛି । ଆହୁରି ଅନେକଦୂର ବାକି ଅଛି ଯିବାକୁ-। ଅନେକ ଘାଟି ଅଛି ଆଗରେ ଅତିକ୍ରମ କରିବା ପାଇଁ ।

ସେବା କହିଲା, ତୁମକୁ ସମସ୍ତେ ଚିହ୍ନନ୍ତି, ତୁମେ କିନ୍ତୁ ନିଜକୁ ଚିହ୍ନୁ ନାହଁ... ।

- ସେଥିପାଇଁ ତ ତୁମକୁ ବାଛିଲି... ।

- କିନ୍ତୁ କାହିଁକି ଆଉ କାହାକୁ ବାଛିଲ ନାହିଁ ?

- ସେଇ କାରଣଟା ମୋର ଏକାନ୍ତ ବ୍ୟକ୍ତିଗତ କଥା.. ।

- ଶୁଣିବାକୁ ଇଚ୍ଛାହୁଏ ଯେ... ।

- ଆଉଦିନେ ଶୁଣିବି... ।

- ଆଜି ଖାଲି ହାତରେ ଫେରିଯିବି...?

- କଅଣ ଦେବି କୁହ... ।

 

ଚନ୍ଦ୍ରଗୁପ୍ତର କଥା ଶୁଣି ହଠାତ୍ ରାଗିଗଲା ସେବା । ଉଠିପଡ଼ି କହିଲା, ମୁଁ ଶାଢ଼ି ସାୟା ନବାକୁ ଆସିନି...ତୁମେ ମୋତେ ଶସ୍ତା ଭାବନି...ମୋର ବି କିଛି ଦବାର ଅଛି...କିଛି କହିବାର ଅଛି... ।

 

ଚନ୍ଦ୍ରଗୁପ୍ତ ସ୍ତବ୍ଧ ହୋଇଗଲା ।

 

ଆଉ ସହଜ ହୋଇ ନ ପାରି ଧୀରେ ଧୀରେ ସେବା ପାଖକୁ ଲାଗିଆସି କହିଲା ଚନ୍ଦ୍ରଗୁପ୍ତ, ମୋତେ ଭୁଲ୍ ବୁଝନି ସେବା... । ମୁଁ ସବୁଦିନ ତୁମର... ।

କଥାରେ କାହାରି ପେଟ ପୁରେନି...ତୁମର ଚିକ୍କଣିଆ କଥାଗୁଡ଼ାକୁ ମୁଁ ଧୋଇ ଶୁଖେଇ ଖାଇବି ନାହିଁ... ।

ଚନ୍ଦ୍ରଗୁପ୍ତ ହାତ ଉଠେଇଲା ସେବାର ହାତଟିକୁ ତୋଳି ନବା ପାଇଁ । କିନ୍ତୁ ପାରିଲା ନାହିଁ, ଏକ ଅସ୍ୱାଭାବିକ ଜଡ଼ତା ତାକୁ ନିସ୍ତେଜ କରି ଦେଇଗଲା ।

କାହିଁକି ଏପରି ହୁଏ ସେ ଜାଣି ପାରେନି । ହଠାତ୍ ଜଳନ୍ତା ଅଙ୍ଗାର ଉପରେ ପାଣି ଢାଳିଦେଲେ ଯାହା ହୁଏ ଠିକ୍ ସେୟା ହୁଏ । ଚନ୍ଦ୍ରଗୁପ୍ତର ସବୁ ଅଭିଳାଷ ଦପ୍ କରି ନିଭିଯାଏ ।

ସେବା ନରମିଗଲା ବୋଧହୁଏ । ତା’ର ଦୁଇ ହାତ ଫୁଲମାଳ ପରି ଗୁଡ଼େଇ ହୋଇଗଲା ବେକ ଚାରିପାଖରେ ।

ସେ ଆହୁରି ନିକଟତର ହୋଇ ମୁହଁ ନୁଆଁଇ ଦେଲା ଚନ୍ଦ୍ରଗୁପ୍ତର ଓଠ ତଳେ ।

ହଠାତ୍ କାହାର ପାଦ ଶବ୍ଦ ଶୁଣି ଉଠିଥିଲା ଚନ୍ଦ୍ରଗୁପ୍ତ । କବାଟ ଖୋଲା ଅଛି । କାହାକୁ ନ ଦେଖି ଫେରିଆସିବା ବେଳକୁ ମୁହୂର୍ତ୍ତେ ଅତିକ୍ରାନ୍ତ ହୋଇଗଲା । ସେବା ଉଠି ବସି କହିଲା, ଥାଉ, ଆଉ ଦିନେ... ।

ଚନ୍ଦ୍ରଗୁପ୍ତ ସ୍ୱସ୍ତିରେ ନିଶ୍ୱାସ ମାରିଲା ।

ସେବାକୁ ପାଇବା ପାଇଁ ଠୁଳ ହୋଇଥିବା ଉଗ୍ର କାମନା ଆକାଶର ଭସାମେଘ ପରି ପଥଚ୍ୟୁତ ହୋଇ ଉଡ଼ିରହିଲା । ଚନ୍ଦ୍ରଗୁପ୍ତ ନିଜର ଅକ୍ଷମତା ପାଇଁ ଦୋଷଦେଲା ନିଜକୁ ।

 

ଯିବା ଆଗରୁ ସେବା ଚନ୍ଦ୍ରଗୁପ୍ତର ଓଠ ଛୁଇଁ କହିଲା - ଏବେ ବି ବୟସ ହୋଇନି...ପିଲା ରହିଯାଇଛ... ।

 

ଲଜ୍ଜାରେ ଚନ୍ଦ୍ରଗୁପ୍ତର କାନ ଦୁଇଟା ତାତି ଉଠିଲା । ସେ ଚାହିଁରହିଲା ଅନିର୍ଦ୍ଦିଷ୍ଟ ଭାବରେ-

 

ରାତି ଆଠଟା ପରେ ବାହାରେ ନ ରହିବା ପାଇଁ ନିଷେଧାଜ୍ଞ ଜାରୀ ହୋଇଛି ତା’ ଉପରେ । ସେଇକଥା ମନେପକେଇ ଦେଇ କହିଲା ସେବା– ତୁମର ସିନା ସବୁ ସମୟ ଶୁଭ ସମୟ, ମୋର ସମୟ କିନ୍ତୁ ଖୁବ୍ ସୀମିତ । ତଥାପି ମନେରଖ ଯେ, ମୋ ହାତରେ ଯାହା ଅଛି ସବୁ ତୁମର, କିନ୍ତୁ ଗୋଟିଏ ସର୍ତ୍ତରେ.... ।

 

ଚନ୍ଦ୍ରଗୁପ୍ତ ଖୁସି ହୋଇ କହିଲା– କୁହ, ସର୍ତ୍ତ ପୂର୍ଣ୍ଣ କରିବି ନିଶ୍ଚୟ... ।

 

ସେବା କଣ୍ଠଲଗ୍ନା ହୋଇ କହିଲା- ତୁମେ ସେଡୋ ବକ୍‌ସିଂରେ ବିଶ୍ୱାସ ନ କରି ଦାଣ୍ଡକୁ ବାହାରି ଆସ । ପୁରୁଷ ତୁମେ । ଭୟ କି ? ଆଉ କାହା ଠିକଣାରେ ଚିଠି ନ ପାଇ ନିଜ ଠିକଣାରେ ଚିଠି ପାଇଲେ ତୁମର ଗର୍ବ ହବନି ?

 

ଚନ୍ଦ୍ରଗୁପ୍ତର ମନେପଡ଼ିଗଲା ସବୁ । ସେ କଥା ଦେଇଚି ଶୈବାଳକୁ । ବିଶ୍ୱାସଘାତକତା କରିବ ?

 

ସିଧା ଉତ୍ତର ନ ଦେଇ ସେ କହିଲା ସେବାକୁ - ନିଜ ଠିକଣା ଜଣକୁ ଦେଇ ହୁଏ ନାହିଁ । ଜଣକୁ ନେଇ ଘର କରିହୁଏ ନାହିଁ । ତୁମେ ହାଜର ହୁଅ - ସବୁ ଠିକ୍ ହୋଇଯିବ ।

 

ସେବାର ଆମ୍ବିସନ ଦେଖି ମନେ ମନେ ଚମକି ପଡ଼ିଥିଲେ ବି ଚନ୍ଦ୍ରଗୁପ୍ତ ବ୍ୟକ୍ତ କଲାନି ନିଜର ଭାବ ।

 

ଆମ୍ବିସନହିଁ ଶକ୍ତି ଯୋଗାଏ ମନକୁ । ସେ ଅନ୍ତରାଳରେ ରହି କୁଣ୍ଢେଇ ନାଚ କରିବାକୁ ଚାହେଁ । ବାହାରକୁ ଆସି ଲାଭ କ’ଣ ? କିନ୍ତୁ ସେବା ଚାହେଁ ଠିକ୍ ତା’ର ଓଲଟା । ମଞ୍ଚ ଉପରେ ସେ ସ୍ୱୟଂ ଅଭିନୟ କରିବାକୁ ପସନ୍ଦ କରେ ।

 

ମନକଥା ମନରେ ରଖି ଚନ୍ଦ୍ରଗୁପ୍ତ କହିଲା- ଭଗବାନଙ୍କୁ ମୁଁ ମାନେନାହିଁ, କିନ୍ତୁ ଆଜି ମାନୁଛି...ସେ ତୁମକୁ ମୋ ପାଇଁ ପଠେଇଛନ୍ତି ଦୁନିଆଁକୁ ।

 

ସେବାକୁ ଆଗେଇ ଦବାପାଇଁ ଦୁଆର ଖୋଲି ବାହାରିବାବେଳକୁ ଘର ଆଗରେ ଦୀନବନ୍ଧୁ ମାଷ୍ଟରଙ୍କୁ ଛିଡ଼ା ହୋଇଥିବାର ଦେଖି ସ୍ତବ୍ଧ ହୋଇଗଲା ଚନ୍ଦ୍ରଗୁପ୍ତ ।

 

ସେବା କିମ୍ବା ଦୀନବନ୍ଧୁ ବାବୁ ଲୁଚିଯାଇ ପାରିଲେ ନାହିଁ ।

ଉଭୟ ଉଭୟଙ୍କୁ ସେଠାରେ ଦେଖି ବିସ୍ମୟ ବିମୂଢ଼ ପରି ଛିଡ଼ା ହୋଇ ରହିଲେ ।

 

ଶୈଳ ଯାହା ଚାହୁଁଥିଲା ତାହାହିଁ ହୋଇଛି । ତା’ର ନାମ ସହିତ ଶୈବାଳର ନାମଟା ଜଡ଼ିତ ହୋଇଯାଇଛି । ବେକରେ ପଘା ନ ପଡ଼ିଲେ ମଣମାନୁ ନ ଥିବା ଷଣ୍ଢ ପରି ଶିଙ୍ଗ ଟେକି ଦଉଡ଼େ ପୁରୁଷ । ଆୟତ୍ତ କରିବା ପାଇଁ ପଘା ଖଣ୍ଡେ ଦରକାର । କାନ୍ଧରେ ଜୂଆଳି ପଡ଼ିଲେ ବୁଦ୍ଧି ଦିଶେ ।

 

ପ୍ରଥମେ ପ୍ରଥମେ ଶୈବାଳ ଦୂରତ୍ୱ ରକ୍ଷା କରୁଥିଲା । ପ୍ରଥମର ସଂକୋଚ ଆଉ ନାହିଁ ।

 

Unknown

କିନ୍ତୁ ଅଭ୍ୟୁଦୟ ସମାଜର ସୀମା ଅତିକ୍ରମ କରି ଖବର ରଟି ଯାଇଛି ରାଜ୍ୟରେ । ପରେଡ଼ ପଡ଼ିଆର ସଭାରେ ହିରୋଇନ୍ ଥିଲା ସେ । ସେଥିପାଇଁ କମ୍ ଈର୍ଷା ଜାଗି ନି ଅନ୍ୟମାନଙ୍କ ମନରେ । କେତେକ ମହଲରେ ସନ୍ଦେହ ବି ପ୍ରକାଶ ପାଇଥିଲା ତା’ର ଯୋଗ୍ୟତା ସମ୍ପର୍କରେ । କିନ୍ତୁ ଶୈବାଳ ସବୁ ସନ୍ଦେହର ଅବସାନ ଘଟାଇବା ପାଇଁ ସ୍ପଷ୍ଟ କରିଦେଇ କହିଥିଲା ଯେ ଶୈଳ ଅଭ୍ୟୁଦୟ ସମାଜର ଖାଲି ସଭ୍ୟା ନୁହେଁ ନେତ୍ରୀ ମଧ୍ୟ । ତାକୁ ସ୍ୱୀକାର କରିବାକୁ ହେବ । ତା’ପରି ଓଡ଼ିଆ ଝିଅଟିଏ ବିରଳ । ବିଦ୍ୟାରେ, ବୁଦ୍ଧିରେ ସେ କାହାରିଠାରୁ ଉଣା ନୁହେଁ । ମହିଳାମାନଙ୍କ ମଧ୍ୟରେ କାମ କରିବା ନିମନ୍ତେ ଏକ ମାଧ୍ୟମ ଦରକାର । ସେହି ମାଧ୍ୟମ ସୃଷ୍ଟି କରିବ ଶୈଳ ।

 

ଅଭ୍ୟୁଦୟ ସମାଜର କାମରେ ସେ ନିଜକୁ ନିୟୋଗ କରିବା ପାଇଁ ସଂକଳ୍ପ କଲାବେଳେ ଶୈବାଳର କଥା ମନେଥିଲା ଶୈଳର ।

 

ଶୈବାଳ ପରି ବ୍ୟକ୍ତିଟିଏ ଖୋଜୁଥିଲା ସେ, ଯିଏ କି ତାକୁ ବନ୍ଧୁତ୍ୱ ଦବ ଏବଂ ତା’ର ବନ୍ଧୁତ୍ୱ ପାଇ ଧନ୍ୟ ହେବ ।

 

ଶୈଳ ତ ସାଧାରଣ ଜଣେ ଝିଅ ନୁହେଁ, ଯେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ସଂରକ୍ଷିତ କରିବାକୁ ଚାହେଁ ।

 

ଶୈବାଳ ବାହାରେ ବ୍ରହ୍ମଚାରୀ ହୋଇ ରହିବାର ଯେପରି ଆବଶ୍ୟକତା ନାହିଁ, ସେହିପରି ସେ ବି କିଛି ଗୋଟେ ସ୍ଥାୟୀ ବ୍ୟବସ୍ଥା କରିବକୁ ପସନ୍ଦ କରେ । ସେ ରକ୍ଷିତା ହୋଇ ନ ରହି ସ୍ତ୍ରୀ ହୋଇଗଲେ ସବୁ ସମସ୍ୟାର ସମାଧାନ ହୋଇଯିବ ।

 

ଶୈଳ ଅନେକ ସୁଯୋଗ ହରାଇଛି ଜୀବନରେ । କଲେଜରେ ପଢ଼ିବା ସମୟରୁ ପାଠପଢ଼ା ଶେଷ ପର୍ଯ୍ୟନ୍ତ ଏବଂ ତା’ପରେ ବି ଅନେକ ଗୁଣମୁଗ୍‌ଧ ଆସିଥିଲେ ତା’ ପାଖକୁ । ସେଇ ସମୟଟା କିନ୍ତୁ ଥିଲା ଭିନ୍ନ ପ୍ରକାର । କାଳେ କାହାର ବ୍ୟକ୍ତିଗତ ସମ୍ପତ୍ତି ହୋଇଯିବ ଏଇ ଆଶଙ୍କାରେ ସେ ଲୁଚକାଳି ଖେଳିଥିଲା ସମସ୍ତଙ୍କ ସହିତ । ଧରା ଦେଇ ଛୁଆଁ ଦେଉ ନ ଥିଲା । ଦେହର ଛୁଆଁ ମନର ଛୁଆଁ ଏକ ନୁହେଁ । ଦେହର କୋଉ ଏକ ନିଭୃତ ଅଦୃଷ୍ଟ କୋଣରେ ନିଜର ସିଂହାସନ ପାତି ଅପେକ୍ଷା କରେ ମନ । ତାକୁ କେହି ଦେଖିନାହିଁ କି ହାତରେ ଛୁଇଁନାହିଁ । ମନକୁ କେବଳ ମନ ଛୁଏଁ । ସେତେବେଳେ ମନକୁ ନ ଛୁଇଁ ଦେହକୁ ଛୁଇଁବାକୁ ଆଗେଇ ଆସିଥିଲା ବୋଲି ସେ ଦୂରେଇ ଯାଇଥିଲା ଶୈବାଳ ପାଖରୁ ।

 

ସେଇ ମନ ଧରାଛୁଆଁ ନ ଦେଇ ବାହାରେ ବାହାରେ ବୁଲୁଥିଲା । ସମୟ ଅତୀତ ହୋଇଯାଇଛି । ସେ ପୁରୁଣା ହୋଇ ଆସୁଛି । ସେଥିଲାଗି ଭୟ ଶୈଳର । ବାହାରର ସବୁ ବ୍ୟସ୍ତତା ସତ୍ତ୍ୱେ ସେ ଚାହେଁ ସମଧର୍ମା ଆଉ ଜଣକୁ ସାଙ୍ଗ କରିବା ପାଇଁ । ଯଦି ଯୌବନର ସେଇ ପ୍ରଗଳ୍‌ଭତା ଫେରାଇ ଆଣେ ଶୈବାଳ, କ୍ଷତି କ’ଣ ?

 

ସମାଜସେବାକୁ କିପରି ଯେ ସେ ଜୀବନର ବ୍ରତ ଭାବରେ ବାଛି ନେଲା ତାହା ଏପର୍ଯ୍ୟନ୍ତ ସେ ଭଲ ଭାବରେ ଜାଣେ ନାହିଁ । ବିଚାର କରି ସେ ଏଇ ପଥ ବାଛି ନେଇନାହିଁ । ଏହା ଏକ ଦୁର୍ଘଟଣା ପ୍ରସ୍ତୁତ ସିଦ୍ଧାନ୍ତ ମଧ୍ୟ ନୁହେଁ । ସମୟର ତାଡ଼ନା ଯୋଗୁଁ କିଛି କରିବାକୁ ଯାଇ ହୁଏତ ଏବଠୁ ଆରମ୍ଭ କରିଥିବ ।

 

ତା’ପରେ ସେ ଚାଲି ଆସିଛି । ସମାଜସେବା, ସଂସ୍କୃତି, ସାହିତ୍ୟ ଓ କଳା ସବୁଥିରେ ନିଜର ପ୍ରବେଶ ଘୋଷଣା କରିଚି । କିନ୍ତୁ ଏକା ଏକା ଜଣେ ମହିଳା ଏହି କ୍ଷେତ୍ରରେ ଯେ କେବଳ ସନ୍ଦେହ ସୃଷ୍ଟି କରେ, ସଙ୍ଗ ଓ ସଖ୍ୟ ପାଏନାହିଁ ତାହା ସେ ଜାଣିବାକ୍ଷଣି ଚନ୍ଦ୍ରଗୁପ୍ତର ପ୍ରସ୍ତାବ ପାଇବାମାତ୍ରେ ରାଜି ହୋଇ ଯାଇଥିଲା ସଙ୍ଗଠିତ ଭାବରେ ସବୁ ଆରମ୍ଭ କରିବା ପାଇଁ । ତାହାରି ଫଳ ଶୈବାଳ ସହିତ ବନ୍ଧୁତ୍ୱ ।

 

ଶୈବାଳ ପୂର୍ବାହ୍ନର ସୂର୍ଯ୍ୟପରି । ତା’ର ଭବିଷ୍ୟତ ଆହୁରି ଉଜ୍ଜ୍ୱଳ । ତା’ ଆଗରେ ପଡ଼ିରହିଛି ସୁନିର୍ଦ୍ଦିଷ୍ଟ ପ୍ରସାରିତ ପଥ ।

 

ସେଇ ପଥରେ ବାଟ ଚାଲୁଥିବାବେଳେ ଶୈବାଳ ଆଡ଼କୁ ହାତ ବଢ଼ାଇ ଦେଲା ଶୈଳ-

 

କିନ୍ତୁ ସବୁ କ୍ଷେତ୍ରରେ ଗଳାକଟା ପ୍ରତିଯୋଗିତା । ଯିଏ ଉଠୁଛି ତାକୁ ତଳକୁ ଟାଣିବା ଜୀବନଚର୍ଯ୍ୟାର ପରିଣତ ହୋଇଛି । ଶୈବାଳର ଖ୍ୟାତି ବଢ଼ିବା ସଙ୍ଗେ ସଙ୍ଗେ ତା’ ବିରୁଦ୍ଧରେ ଆରମ୍ଭ ହୋଇଛି ଚକ୍ରାନ୍ତ ।

 

ଅନେକ କଥା କାନକୁ ଆସେ ଶୈଳର ।

 

ଶୈବାଳ ଯୋଉମାନଙ୍କର ହାତର ଅନେକ ଦୂରରେ ସେମାନଙ୍କର ଶରବ୍ୟ ଶୈଳ । ତା’ ବିରୁଦ୍ଧରେ କିଛି ନା କିଛି ଗୁଜବ ସୃଷ୍ଟି କରି ଗୋଟିଏ ପଥରଦ୍ୱାରା ଦୁଇଟି ପକ୍ଷୀ ମାରିବା ପାଇଁ ଚେଷ୍ଟା କରନ୍ତି ସେମାନେ ।

 

ନିକୁଞ୍ଜ ମହାନ୍ତି ଆସି ପହଞ୍ଚିଲା । ହାତରେ ଗୁଡ଼ାଏ କାଗଜ ।

ଶୈଳ କହିଲା, ଇମିତି ବ୍ୟସ୍ତ ଦେଖାଯାଉଛନ୍ତି ଯେ... ।

 

ନିକୁଞ୍ଜ କହିଲା- ଶାନ୍ତିରେ ରଖିଦେବେ ଏଇଲୋକେ ? ଯାହାଙ୍କ ପାଇଁ ଏତେ ସାଧ୍ୟ ସାଧନା ସେମାନଙ୍କର ଓଲଟା ଅଭିଯୋଗ... ।

 

- କ’ଣ ଅଭିଯୋଗ ସେମାନଙ୍କର ?

- ସେକଥା ନ ଶୁଣିବା ଭଲ ।

- ଆପଣ କୁହନ୍ତୁ ।

 

ପଙ୍ଖା ତଳକୁ ଚୌକି ଟାଣି ନେଇ ଭଲକରି ବସି ରୁମାଲରେ ମୁହଁ ପୋଛି ନିକୁଞ୍ଜ କହିଲା- ଶୈବାଳ କୁଆଡ଼େ ଠୁ ମଚ୍ ଆମ୍ବିସସ୍, ସିଂହାସନ ତା’ର ଲକ୍ଷ୍ୟ ।

 

- ଭଲ ତ ! କାହାର ଆମ୍ବିସନ ନାହିଁ ?

- ସେ କୁଆଡ଼େ ସମାଜସେବାର ବାହାନା କରି ରାଜନୀତି କରିବାକୁ ଚାହେଁ... ।

 

- ସେଥିରେ କ୍ଷତି କ’ଣ ? ରାଜନୀତିର ଅନ୍ୟ ଗୋଟିଏ କାମ ସମାଜ ସେବା । ଖାଲି ସିଂହାସନ ଦଖଲ କରି ଶାସନ କରନ୍ତି ନି ରାଜନୀତି କରୁଥିବା ଲୋକେ, ଲୋକମାନଙ୍କ ପାଇଁ ବି କିଛି କରନ୍ତି ।

 

- ସେଇଟା ସିଧା ନ କହି ବଙ୍କେଇ କୁହାଯାଉଛି ବୋଲି ସେମାନଙ୍କର ଅଭିଯୋଗ ।

- ସମୟ ଆସୁ ସେମାନେ ଆମର ସିଦ୍ଧାନ୍ତ ଶୁଣିପାରିବେ ।

 

- ଏ ଭିତରେ ବ୍ୟାଙ୍କକୁ ମାଧ୍ୟମ କରି କୁଆଡ଼େ ଶୈବାଳ ନିଜର ସାମ୍ରାଜ୍ୟ ବିସ୍ତାର କରୁଛି-। ନିଜର ପତ୍ର ପତ୍ରିକାରେ ନିଜର ପ୍ରଶସ୍ତି ଛାପୁଛି... ।

 

- ଏସବୁ କଥାକୁ ଭୟ କଲେ ଏ ଦେଶରେ କିଛି କରିପାରିବେ ନାହିଁ । ଏଠାରେ କିଏ ବଡ଼ ସେଇଟା ବଡ଼ କଥା ନୁହେଁ କିପରି କେହି ବଡ଼ ହୋଇ ନ ପାରିବେ ସେଇଟା ସମସ୍ତଙ୍କର ଲକ୍ଷ୍ୟ-

 

- କିନ୍ତୁ ଆମ ପକ୍ଷରୁ ଏହାର ମୁକାବିଲା କରିବା ଉଚିତ ।

- ନିଶ୍ଚୟ କରାଯିବ । ସଙ୍ଗଠନକୁ ଆହୁରି ଶକ୍ତିଶାଳୀ କରିବାକୁ ହେବ ।

- ରାତ୍ରିନିବାସ କିମିତି ଚାଲିଛି ?

- ଭଲ । ଅନେକ ଏ ଭିତରେ ସେଠାରେ ରହିବାକୁ ଆରମ୍ଭ କଲେଣି ।

- ଆଉ ସ୍କୁଲ କାମ ଶେଷ ହୋଇଛି ?

 

- ଆଉ ସାତ ଆଠ ଦିନକୁ କାମ ସରିଯିବ । ତା’ପରେ ଶୁଭଦିନ ଦେଖି ଉଦ୍‌ଘାଟନ ଉତ୍ସବ କରାଯାଇପାରେ ।

 

- ଆପଣ ଦିନ ସ୍ଥିର କରନ୍ତୁ, ମୁଁ ତାଙ୍କ ସହିତ ଆଲୋଚନା କରିବି ।

- ସେକଥା ତ ହେବ...କିନ୍ତୁ ଆପଣ ଟିକେ ସାବଧାନ ହେବା ଉଚିତ ।

- ମୁଁ ତ ଅସାବଧାନ ହୋଇନାହିଁ ।

- ଏଇ କାଗଜ ଗୁଡ଼ା ଦେଖନ୍ତୁ... ।

 

ନିକୁଞ୍ଜ ମହାନ୍ତି ଶୈଳ ହାତକୁ ବଢ଼େଇ ଦେଲା କେତୋଟି ହ୍ୟାଣ୍ଡବିଲ୍ ଏବଂ ବେନାମୀ ଚିଠି ।

 

ଶୈଳ ଆଖି ବୁଲେଇ ନେଲା ସବୁରି ଉପରେ । ଛି, ଛି, କି ନିର୍ଲଜ ଏଇ ଲୋକମାନେ... ସାମ୍ନାରୁ ଆକ୍ରମଣ କରିବାର ସାହସ ନ କରି କା’ ପୁରୁଷମାନଙ୍କର ପରି ପଛରୁ ଛୁରା ମାରନ୍ତି । ଚରିତ୍ର ସଂହାର ସାମାଜିକ ଜୀବନର ଅଙ୍ଗ ହୋଇଯାଇଛି ।

 

ନିକୁଞ୍ଜ କହିଲା, ଇମିତି ହୁଏ । ରାଜନୀତି କର ବା ନ କର ଲୋକମାନଙ୍କ ମଧ୍ୟରେ କାମ କଲେ ଶୁଣିବାକୁ ହୁଏ, ଭୋଗିବାକୁ ହୁଏ ।

 

ଶୈଳ ବୁଝିପାରୁ ନ ଥିଲା କାହିଁକି ଏପରି ହୁଏ । ସେମାନଙ୍କୁ ଜାଣୁଥିବା ଲୋକମାନେ କାହିଁକି ଅବିଶ୍ୱାସ କରିବାକୁ ଆରମ୍ଭ କରନ୍ତି । ସେମାନଙ୍କୁ ଭଲ ପାଉଥିବା ଲୋକମାନେ ସନ୍ଦେହ କରିବାକୁ ଆରମ୍ଭ କରନ୍ତି । ଆଉ ଯଦି ବି ରାଜନୀତି ଭିତରକୁ ଲମ୍ଫ ଦିଏ ଶୈବାଳ, ସେଥିରେ ଆକାଶ ଖସିପଡ଼ିବ ନାହିଁ କି ପୃଥିବୀ ଫାଟିଯିବ ନାହିଁ ।

 

ନିକୁଞ୍ଜ କହିଲା, ଏଇଠାରେ ଶେଷ ନାହିଁ, ଆହୁରି ବେଶି ଶୁଣିବାକୁ ହେବ... ।

 

ଶୈଳ ମନ ସ୍ଥିର କରିସାରିଥିଲା । ସେ ନିଜକୁ ଶାନ୍ତ କରି ନେଇ କହିଲା, ଯିଏ ଯାହା କହିବ କହୁ, ଯେତେ ବେନାମୀ ହ୍ୟାଣ୍ଡବିଲ ଛାପିବେ ଛାପନ୍ତୁ... ଆଉ ପଛକୁ ଫେରି ଚାହିଁବାର ବେଳ ନାହିଁ । ନଦୀର ଗୋଟେ କୂଳ ଛାଡ଼ି ଆର କୂଳକୁ ଯିବା କଥା । ଛାଡ଼ି ଆସିଥିବା କୁଳ ଆଉ ଦିଶୁନାହିଁ, ଆଗରେ ଥିବା କୂଳ ଆଖିରେ ପଡ଼ିଲାଣି ।

 

ନିକୁଞ୍ଜ ଅନୁଷ୍ଠାନ ସମ୍ପର୍କରେ କେତେକ ପରାମର୍ଶ କରି ଚାଲିଗଲା ।

 

ଶୈଳ ହାରିଯିବାର ପାତ୍ରୀ ନୁହେଁ । ଜିଦ୍ ଚାପିଲେ ସେ ଭଗବାନଙ୍କ ନିଷୋଧାଜ୍ଞା ବି ମାନିବାକୁ ପ୍ରସ୍ତୁତ ନୁହେଁ ।

 

ଯୋଉ ଗୁଜବ ସୃଷ୍ଟି ହୋଇଛି ଏହାସବୁ ବାହାର ଲୋକଙ୍କର କାମ ବୋଲି ହୃଦ୍‌ବୋଧ ହୁଏ ନାହିଁ ଶୈଳର । ଅନୁଷ୍ଠାନ ଶକ୍ତିଶାଳୀ ହେବା ସଙ୍ଗେ ସଙ୍ଗେ ପରଶ୍ରୀକାତରତା ମଧ୍ୟ ବଢ଼ୁଛି । ସମସ୍ତେ ସମସ୍ତଙ୍କୁ ସହିପାରନ୍ତି ନାହିଁ । ଈର୍ଷା ଜାଗୁଛି ମନରେ ।

 

ଏଇ ନିକୁଞ୍ଜ ମହାନ୍ତି ଅନୁଷ୍ଠାନରେ ଯୋଗ ଦବା ପରେ ପରେ ପ୍ରତିଯୋଗିତା ଆରମ୍ଭ ହୋଇଛି । ସେ ଶୈବାଳର ଆଦ୍ୟ ଜୀବନର ପୃଷ୍ଠପୋଷକ । ସେଥିପାଇଁ ଶୈବାଳ କିଛି କହି ପାରେନାହିଁ, ବରଂ ନିକୁଞ୍ଜ ଯାହା କୁହେ ତାହା ସେ ଗ୍ରହଣ କରିନିଏ । ତାହାରି ଅଭିଯୋଗ ଶୁଣି ଦୁଇଜଣ ଯୁବକ କର୍ମୀଙ୍କୁ ସେ ବହିଷ୍କାର କରିଛି ଅନୁଷ୍ଠାନରୁ ।

 

ବ୍ୟାଙ୍କ୍‌ର ବୋର୍ଡ଼ ଅଫ ଡାଇରେକ୍ଟରରେ ଭର୍ତ୍ତି ହବା ଲାଗି ଚାହୁଁଥିଲା ସେ । କିନ୍ତୁ ଶୈଳକୁ ଜାଗା ଛାଡ଼ିଦବାକୁ ବାଧ୍ୟ ହେଲା ଶେଷରେ । ତା’ର ପ୍ରତିକ୍ରିୟା କିନ୍ତୁ ପ୍ରକାଶ ପାଇଲା କିଛିଦିନ ପରେ । ବ୍ୟାଙ୍କ ବିରୁଦ୍ଧରେ ଅଭିଯୋଗ ପାଇ ସରକାରୀ ଲୋକ ଅନୁସନ୍ଧାନ କରିବା ପାଇଁ ଆସିଥିଲେ । ସେମାନଙ୍କୁ ସମ୍ଭାଳି ନେଇଥିଲା ଚନ୍ଦ୍ରଗୁପ୍ତ ।

 

ବ୍ୟାଙ୍କ୍‌ର ରିଏଲ ଇଷ୍ଟେଟ୍ କାରବାର ନେଇ ଗୁଞ୍ଜନ ସୃଷ୍ଟି ହୋଇଛି । ରାଜଧାନୀରେ ଜମିର ମୂଲ୍ୟ ହୁ ହୁ ହୋଇ ବଢ଼ୁଛି । ବାସଗୃହ ପାଇବା ବିରଳ ହୋଇ ଉଠୁଛି । ସତ୍ୟନଗର, ଶହୀଦନଗର, ନୟାପଲ୍ଲୀ, ଆଚାର୍ଯ୍ୟ ବିହାରରେ କେତେଗୁଡ଼ିଏ ପ୍ଲଟ୍ କିଣି ଫ୍ଲାଟ୍ ତିଆରି ଚାଲିଛି । ଆଚାର୍ଯ୍ୟ ବିହାରର ଏକାମ୍ର ଭବନ ବିକ୍ରୀ ହୋଇଯାଇଛି । ବେଶ୍ ଲାଭ ମିଳିଛି ସେଥିରୁ ।

 

ସେଦିନୁ ଶୈବାଳ କହୁଥିଲା ଯେ ଏଇ ପ୍ରକୃତ ସୁଯୋଗ । ଶୁଭ ମୁହୂର୍ତ୍ତ ଉପସ୍ଥିତ । ଯଦି ରାଜନୀତି କରିବା କଥା ଏଇଠୁ ଆରମ୍ଭ କରାଯାଉ ।

 

ବ୍ରେକ୍ ଲଗାଇବାକୁ ଚାହେଁ ନାହିଁ ଶୈଳ । ଗାଡ଼ି ଚାଲୁଛି ଯେତେବେଳେ ଚାଲୁ । ଗତିହିଁ ପ୍ରଗତିର ଲକ୍ଷଣ । ଆଗକୁ ଯିବାଟା ଜାରୀ ରହୁ । ସେ ମନା କରି ନ ଥିଲା । ଶୈବାଳ ନବବର୍ଷ ଦିନ ନୂତନ ରାଜନୈତିକ ଦଳ ଗଠନ କରିବା ସମ୍ପର୍କରେ ଘୋଷଣା କରିବାର ସ୍ଥିର କରିସାରିଛି । ଖବରଟା ମୁହଁରୁ ମୁହଁକୁ ପ୍ରଚାରିତ ହୋଇଯାଇଛି । ଖବରକାଗଜ ପୃଷ୍ଠାରେ ବି ଏ ସମ୍ପର୍କରେ ପଢ଼ିଛନ୍ତି ପାଠକମାନେ ।

 

ଅନେକ ଲୋକ ରାଜନୀତି ତ କରୁଛନ୍ତି, ଶୈବାଳ ବି କରିବ । ସେମାନଙ୍କର ସଂଖ୍ୟା ବଢ଼ିବ କେବଳ । କିନ୍ତୁ ରାଜନୀତି ଏପରି ଏକ ଜିନିଷ ଯେ ସେଠାରେ ନବଗତକୁ ସ୍ୱାଗତ କରାଯାଏ ନାହିଁ, କେହି କାହାକୁ ବାଟ ଛାଡ଼ି ଦିଏନାହିଁ । ଠେଲି ପେଲି ଯିଏ ଆଗେଇ ପାରେ ସେ ଆଗରେ ରହେ । ଦେଶର ରାଜନୀତି ଠିକ ଭୁବନେଶ୍ୱର-ବାରିପଦା ଜାତୀୟ ରାଜପଥ ପରି ସମତଳ ଏବଂ ପ୍ରଶସ୍ତ । ଠାଏ ଠାଏ କେବଳ ଦୁର୍ଘଟଣା ରୋକିବା ପାଇଁ ସ୍ପିଡ୍ ବ୍ରେକର, ଗତି ନିଷେଧନ କିନ୍ତୁ ଆଉ ଗୋଟେ ସୁଯୋଗ ବି ସୃଷ୍ଟି କରେ । ଆଗରେ ଯାଉଥିବା ଗାଡ଼ି ଗତି ଶିଥିଳ କରି ଆଣୁଥିବାବେଳେ ପଛର ଗାଡ଼ି ଓଭରଟେକ୍ କରି ଆଗେଇ ଯାଏ । ରାଜନୀତିରେ କେହି କାହାକୁ ସାଙ୍ଗରେ ନିଏ ନାହିଁ ବା କାହାପାଇଁ ଅପେକ୍ଷା କରେ ନାହିଁ । ଓଭରଟେକ୍ କରିବାକୁ ହୁଏ, ପଛରୁ ଧକ୍‌କା ମାରି ଆଗର ଯାନକୁ ଅଚଳ ଏବଂ ଆରୋହୀକୁ ଜଖମ କରିଦବାକୁ ହୁଏ ।

 

ଶୈବାଳ ଏଇ ନିୟମଗୁଡ଼ା ଏପର୍ଯ୍ୟନ୍ତ କାମରେ ଲଗେଇ ପାରିନି । ଏଥିରେ ସେ ଯେତେ ସଫଳତା ଅର୍ଜନ କରିବ ସେତିକି ସଫଳତା ସେ ଅର୍ଜନ କରିବ ରାଜନୀତିରେ ।

 

ଶୈଳ ଆଗରେ ରହିବ କି ଅନ୍ତରାଳରେ ସେ ସମ୍ପର୍କରେ ଅନେକ ଭାବିଚିନ୍ତି ଶେଷରେ ସ୍ଥିର କରିଛି ଯେ ସେ ଅନ୍ତରାଳରେ ରହିବ, ଅନ୍ତରାଳରେ ରହି ଶକ୍ତି ଯୋଗାଇବ ଶୈବାଳକୁ । ନେପଥ୍ୟର ସବୁ କୋଳାହଳ ଅପ୍ରାସଙ୍ଗିକ ବା ଅବାନ୍ତର ନୁହେଁ । ନେପଥ୍ୟର ସବୁ ସ୍ୱର ଅର୍ଥହୀନ ନୁହେଁ । ସେଇଠୁ ବି ଶୁଣାଯାଏ ଗୋଟିଏ ମଧୁର ସୁସ୍ପଷ୍ଟ ସଙ୍ଗୀତର ପଦଟିଏ । ସେଇ ଶେଷ ପଦ ପରି ସେ ବି ପ୍ରେରଣା ଦବ ମଞ୍ଚର ନାୟକକୁ ।

 

ଟେଲିଫୋନ୍‌ଟା ବାଜିଉଠିଲା ।

ରିସିଭରଟାକୁ ଉଠେଇ ନେଲା ଶୈଳ ।

ଶୈବାଳ ତାକୁ କହିଲା- ‘ଛକାପଞ୍ଝା’ରେ କଅଣ ସବୁ ବାହାରିଛି ପଢ଼ିଛ ?

- ସେସବୁ ପଢ଼ିବା ପାଇଁ ମୋର ସମୟ ନାହିଁ ।

- ମୁଁ ପଢ଼ିଛି । ଅନେକ ଅଶ୍ଲୀଳ କଥା ଲେଖିଛି ।

- ଯାହାର ମନଟା ଅଶ୍ଲୀଳ ସେଇ ଲୋକଟା ଭଲ କଥା ଲେଖନ୍ତା କିପରି ?

- ତୁମେ କାଳେ ଆହତ ହେବ ବୋଲି ଫୋନ୍ କଲି ।

- ମୁଁ ପିଲା ନୁହେଁ, ଭାବପ୍ରବଣ ହୋଇ ଏ ସବୁର ବିଚାର କଲେ ଠକିବାକୁ ହେବ ।

 

- ମୋତେ ଖରାପ ଲାଗିଲା । ତୁମ ବିଷୟରେ ଏତେ ବାଜେ କଥା ଲେଖିବାର ଅଭିପ୍ରାୟ ବୁଝିପାରୁନି ।

 

- ଅଭିପ୍ରାୟ ଗୋଟିଏ ।

- କଅଣ ?

- ତୁମର ମନୋପଲି କାହିଁକି ରହିବ !

 

ହସିଉଠିଲା ଶୈବାଳ । ଶୈଳ କହିଲା, କିନ୍ତୁ ମୁଁ ମନୋପଲି ଚାହେଁ । ଏକଚାଟିଆ ପ୍ରଭୁତ୍ୱ ମୋର ଦରକାର ।

 

- ଆମ ପତ୍ରିକାରେ ପ୍ରତିବାଦ ଛାପିବା ନି ?

- ଫଳ ଓଲଟା ହେବ । ବରଂ ଇଗ୍‌ନୋର କରିଯିବା ଉଚିତ ହେବ ।

- ନିରୋଳା ମିଛକଥାକୁ ସତକଥା ପରି ଚଳେଇ ନବାର ମତଲବ ଅତି ସାଙ୍ଘାତିକ ।

 

- ସେମାନେ ନିଜକୁ କେତେଦିନ ଭଣ୍ଡିବେ ? ତୁଚ୍ଛା ମିଛକଥାରେ ମୋ ଦେହ ପୋଡ଼ି ନାଇଁ କି ମୁଁ ମାତାଜୀ ହୋଇଯିବିନି ।

 

- ତୁମର ସାହସ ଅଛି ?

- ସାହସ ନ ଥିଲେ ପାରିବନି । ଆତ୍ମବିଶ୍ୱାସ ନ ଥିଲେ ସାହସ ଆସେନାହିଁ ।

- ମୁଁ କିଛି ଖବର ପାଇଛି... ।

- ଏ ସମ୍ପର୍କରେ ?

- ହଁ ।

- କାହାକୁ ସନ୍ଦେହ କରୁଛ ?

- ଫୋନ୍‌ରେ କହିବା ନିରାପଦ ନୁହେଁ । ଆଜିକାଲି ଫୋନ୍ ବି ଟ୍ୟାପ୍ ହେଉଛି ଯେ... ।

 

- ଫୋନ୍‌ ଟ୍ୟାପ୍ ହେଉଛି ମାନେ ତୁମର ଗୁରୁତ୍ୱ ବଢ଼ିଛି, ତୁମେ ଭି. ଆଇ. ପି. ପର୍ଯ୍ୟାୟକୁ ଚାଲିଗଲଣି ।

 

- ଭି. ଆଇ. ପି.ମାନଙ୍କର ଫୋନ୍‌ ଟ୍ୟାପ୍ ହୁଏ କେବଳ ?

 

- ଅନ୍ୟମାନେ ଛାଗ, ସେମାନଙ୍କ ବିଷୟରେ ଜାଣି ଲାଭ ନାହିଁ । ଦରକାର ସମୟରେ ବଳି ପଡ଼ିବେ ସେମାନେ, ପ୍ରତିବାଦ କି ପ୍ରତିରୋଧ କରିବେ ନାହିଁ ।

 

ସିଂହମାନଙ୍କୁ ଜଗନ୍ତି ସମସ୍ତେ ।

- ନା, ଗୋଟେ ସିଂହ ଆଉ ଗୋଟିକୁ ଜଗେ, ପଞ୍ଝା ପଜାଏ, ସୁଯୋଗ ଉଣ୍ଡେ... ।

- ଲାଭ ?

 

- ପ୍ରତିଯୋଗିତାର ପୃଥିବୀ । ପ୍ରତିଦ୍ୱନ୍ଦ୍ୱୀକୁ ପୂର୍ବକାଳରେ ପ୍ରତ୍ୟକ୍ଷ ଯୁଦ୍ଧକୁ ଆହ୍ୱାନ କରାଯାଉଥିଲା ଶକ୍ତି ପରୀକ୍ଷା କରିବା ପାଇଁ । ଆଜିକାଲି ସେଇ ପରମ୍ପରା ଆଉ ନାହିଁ । ପରୋକ୍ଷ ଭାବରେ ପ୍ରତିଦ୍ୱନ୍ଦ୍ୱୀର ନିଧନ ପାଇଁ ଅନେକ ଉପାୟ ଉଦ୍ଭାବିତ ହୋଇଛି ।

 

- ତୁମେ ଆସିଲେ କହିବ ?

- ହଁ । କିନ୍ତୁ ଗୋଟେ ନିରାପଦ ଜାଗାକୁ ଯିବାକୁ ହବ । କାନ୍ଥର ବି କାନ ଅଛି ।

- ସେପରି ସ୍ଥାନ ତ ମୋ ଆଖିରେ ପଡ଼ୁନାହିଁ ।

 

- ଖଣ୍ଡଗିରି ହୋଟେଲ । ବେଶ୍ ନିରୋଳା । ପ୍ରାଇଭେଟ୍ ସୁଇଟ୍‌ରେ ରହିବା । ମୁଁ ଅନ୍ୟ ନାମରେ ରିଜର୍ଭ କରିଦେଇଛି ।

 

- ତୁମେ ଆସ, ମୁଁ ରାଜମହଲ ଛକରେ ଅପେକ୍ଷା କରୁଥିବି ।

ସନ୍ଧ୍ୟା ସାତରେ ତୁମକୁ ଉଠେଇ ନେବି ।

ଠିକ୍‍ ଅଛି ।

 

ଫୋନ ରଖିଦେଇ ଶୈଳ ଉଠି ବସିଲା । କେତେଗୁଡ଼ା ଦରକାରୀ ଚିଠିପତ୍ର ଲେଖିବାକୁ ବାକି ଅଛି । ସମୟ ମିଳେନି । ପବ୍ଲିକ୍ କାମପାଇଁ ସମୟ ଅଣ୍ଟେ ନାହିଁ ।

 

ସଂସ୍କୃତି ସମାଜର ବାର୍ଷିକୋତ୍ସବରେ ମନୋରଞ୍ଜନ କାର୍ଯ୍ୟକ୍ରମର ଦାୟିତ୍ୱ ନେଇଛି ସେ-। ଦିଲ୍ଲୀ ଓଡ଼ିଆ ସମାଜରୁ ପାଇଥିବା ନିମନ୍ତ୍ରଣ ସ୍ୱୀକାର କରି ତାରିଖ ଧାର୍ଯ୍ୟ କରି ଜଣାଇ ଦେଲା ଉଦ୍ୟୋକ୍ତାମାନଙ୍କୁ । ବାଲୁଗାଁ ମହିଳା ସମାଜର ଉତ୍ସବ ତାରିଖକୁ ପରିବର୍ତ୍ତନ କରିବା ପାଇଁ ଲେଖିଦେଲା । ଶିଶୁମାନଙ୍କ ପାଇଁ ସଙ୍ଗଠନ ଗଢ଼ିବାର ଆବଶ୍ୟକତା ଉପଲବ୍‌ଧି କରି ସେ ସମ୍ପର୍କରେ ଆସିଥିବା ପ୍ରସ୍ତାବକୁ ଗ୍ରହଣ କରିନେଇ ନବବର୍ଷ ଦିନ ପୁରୀରେ ଶିଶୁମେଳାର ଆୟୋଜନ କରିବା ନିମନ୍ତେ ଚିଠି ଲେଖିଲା ‘ଶିଶୁ ସଙ୍ଖାଳି’ର ସମ୍ପାଦିକାଙ୍କ ପାଖକୁ ।

 

ସାମାଜିକ ନ ହେଲେ ସମାଜସେବା କରି ହୁଏ ନାହିଁ । ସାମାଜିକତା ଘରେ ବସି ରକ୍ଷା କରାଯାଇପାରେ ନାହିଁ । ଦଶଜଣକ ସହିତ ସମ୍ପର୍କ ରକ୍ଷା କରିବା ଅନିବାର୍ଯ୍ୟ ହୋଇଉଠେ । ସମ୍ପର୍କହିଁ ଶୂନ୍ୟସ୍ଥାନର ସେତୁ । ସେତୁଟିଏ ବାନ୍ଧିବା ପରେ ଆଉ ଅପେକ୍ଷା କରିବାକୁ ହୁଏ ନାହିଁ, ଏଯାଏ ଦୁଇପାଖରେ ଅଟକି ଯାଇଥିବା ଲୋକେ ହୁଡ଼୍ ମୁଡ଼୍ କରି ପଶିଆସନ୍ତି ଦୁଇପାଖରୁ । ଯାତାୟାତ ଆରମ୍ଭ ହୁଏ ।

 

ଶୈଳ ସବୁକାମ ସାରି ସଜ ହବାବେଳକୁ ଜଣେ କିଏ ସାକ୍ଷାତ୍‍ କରିବା ପାଇଁ ଅପେକ୍ଷା କରୁଥିଲା ।

 

ସେ ଲୋକଟି ଆସି ତା’ ହାତକୁ ଗୋଟିଏ ଚିଠି ବଢ଼େଇ ଦେଇ କହିଲା,

ସମୟ କରି ଆପଣ ଆସିବେ ନିଶ୍ଚୟ ।

ଏକ ନିଶ୍ୱାସରେ ଚିଠିଟି ପଢ଼ିଗଲା ଶୈଳ ।

 

‘ଦେଶାଭିମାନୀ’ ଦଳ ପକ୍ଷରୁ ସଭାପତି ନିମନ୍ତ୍ରଣ କରିଛନ୍ତି । ଯୁକ୍ତ ଫ୍ରଣ୍ଟ୍ ଗଠନ ନ କଲେ ଲଢ଼େଇ ଏକତରଫା ହେବ ।

 

ରାଜନୀତି ନ କରି ସମାଜସେବା କରିବା ଅସମ୍ଭବ । କ୍ଷୁଦ୍ରରୁ ବୃହତ୍ତର କ୍ଷେତ୍ରକୁ ବାହାରି ଆସିବାଦ୍ୱାରା ଦେଶ ଓ ଦେଶର କଲ୍ୟାଣ ହେବ ।

 

ଶୈଳ କହିଲା, ଆଜି ତ ସମୟ ନାହିଁ । ପରେ ଜଣେଇବି ମୁଁ ।

ଲୋକଟି ଚାଲିଗଲା ।

 

ସନ୍ଧ୍ୟା ହୋଇଗଲାଣି ଏ ଭିତରେ । ଶୀତଦିନର ଆଲୋକ ଖୁବ୍‍ଶୀଘ୍ର ପଳେଇଯାଏ ପୃଥିବୀରୁ ।

 

ଆଉ ବିଳମ୍ବ ନ କରି ରିକ୍‌ସାରେ ବସି ହୁଡ଼୍‍ଟା ଟାଣି ଦବାପାଇଁ କହିଲା ଶୈଳ ।

 

ସେ ଫରେଷ୍ଟ ପାର୍କ ଅତିକ୍ରମ କରୁଥିବା ସମୟରେ ଜଣେ କେହି ରିକ୍‌ସା ପାଖକୁ ଲାଗି ଆସି କହିଲା, ହୋଟେଲ ଖଣ୍ଡଗିରିରେ ମୁଁ ଅପେକ୍ଷା କରିଥିବି । ଆସିବ ନିଶ୍ଚୟ । ତୁମକୁ ଅଦେୟ କିଛି ନାହିଁ । ଯାହା ମାଗିବ... ।

 

କଥାଗୁଡ଼ା ଶୁଣି କାନଦୁଇଟା ତାତିଉଠିଲା ଶୈଳର ।

 

ଖଣ୍ଡଗିରି ହୋଟେଲରେ ଜାଗା ସଂରକ୍ଷିତ କରିଥିଲା ଶୈବାଳ । କିନ୍ତୁ ଏଇ ବଜାରି ବି ସେଠାକୁ ଯାଉଥିବାର ଜାଣି ଦ୍ୱନ୍ଦ୍ୱରେ ପଡ଼ିଗଲା ସେ, ତା’ହେଲେ ସେ କଣ ଶୁଣିଛି ସେମାନଙ୍କର କଥା ? ଟେଲିଫୋନ୍ ଟ୍ୟାପ୍ କରିଛି ଏଇ ଟୋକା ?

 

ରାଜମହଲ ଛକରେ ରିକ୍‌ସାରୁ ଓହ୍ଲେଇ ଗୋଟେ ଆଇସ୍‌କ୍ରିମ୍ ଖାଉଥିବାବେଳେ ଟ୍ୟାକ୍‌ସି ଗୋଟେ ପାଖରେ ଆସି ଛିଡ଼ା ହେଲା ।

 

କବାଟ ଖୋଲିଦବା କ୍ଷଣି ଭିତରକୁ ପଶିଗଲା ଶୈଳ ।

ଶୈବାଳକୁ କିନ୍ତୁ ଖଣ୍ଡଗିରି ହୋଟେଲକୁ ନ ଯାଇ ଆଉ କାହିଁ ଯିବାକୁ କହିଲା ଶୈଳ ।

 

ଶୈବାଳ ଆଶ୍ଚର୍ଯ୍ୟ ହୋଇ କହିଲା, କାହିଁକି ? ସେଠାରେ ପରା ଗୋଟେ ସୁଇଟ୍‌ ରିଜର୍ଭ କରି ରଖିଛି !

 

- ଅନ୍ୟ କାରଣ ଅଛି । ଆଉଦିନେ ସେଠାକୁ ଯିବା ।

- କିନ୍ତୁ କାରଣ କିଛି କହିଲ ନି ଯେ...!

- ସବୁ କାରଣ ସବୁବେଳେ କୁହାଯାଏନି । ପରେ ଶୁଣିବ ।

- ଆଜିର ସନ୍ଧ୍ୟାଟାକୁ ନଷ୍ଟ ହବା ପାଇଁ ଛାଡ଼ିଦବ !

- ରାଜଧାନୀର ଚାରିଆଡ଼େ ସନ୍ଧ୍ୟାର ବିସ୍ତୃତି, ଆଉ କୋଉଠିକି ଚାଲ ।

ଏ. ଜି. ଛକରୁ ଗାଡ଼ି ବୁଲେଇବାକୁ କହିଲା ଶୈବାଳ ।

ତିନି ନମ୍ବର ।

 

ନୂଆ ଖୋଲିଥିବା ରେସ୍ତୋଁରା । ‘କୁଞ୍ଜବନ’କୁ ପଶିଯାଇ ବୟକୁ କହିଲା ଶୈବାଳ, ଲାଇଟ୍‌ ଆଉ ଟିକେ ଡିମ୍ କରିଦିଅ... ।

 

ତା’ପରେ ତାକୁ କହିଲା, ଖାଇବା ପାଇଁ ଆଣିବ ଠିକ୍ ସାଢ଼େ ଆଠରେ । ମସ୍‌ରୁମ୍ ସୁପ୍, ଚିକେନ୍ ରୋଷ୍ଟ, ତନ୍ଦୁରୀ ରୋଟି, ମିକ୍‌ସଡ୍ ଭେଜିଟେବୁଲ ଏବଂ ଶେଷରେ ଟୁଟିଫୁଟି... ।

 

ଶୈବାଳ ହାତ ବଢ଼ାଇ ଦେଲା ।

ଶୈଳ କହିଲା, ତୁମର ହାତ ଅନେକ ଲମ୍ବା...

- ଲମ୍ବାପଣତ ସବୁ ଆଡ଼କୁ ପାଇବା ପରି ଲମ୍ବା ହାତ ବି... ।

- ଆରମ୍ଭରୁ ରସିକତା...

- ସେଥିପାଇଁ ତ ଆସିଛି...

- ଆଉ କଅଣ କହିବ ପରା ?

- କହିବାର ଅନେକ ଅଛି ।

- ଟେବୁଲ ତଳେ ତୁମ ପାଦ ଦୁଇଟା ମୋ ପାଦ ସହିତ ଯୋଡ଼ିଦିଅ... ।

- ଗୋଡ଼ ଲାଗିବନି ?

- ଲାଗିଲେ ଉଷୁମ ହବ ଦେହ... ଉହ୍ମେଇ ପରି ତାତିବ ମନ ।

- ସେଥିରୁ କଅଣ ମିଳିବ ମୋତେ ?

- ଯାହା ମିଳେ ତୁମେ ଜାଣନି ? ତୁମକୁ ଆଜି ଶୋଷିନେବି ।

- ଧୀରେ ଧୀରେ କଥା କୁହ ।

- ତୁମକୁ ଦେଖି ସମ୍ଭାଳି ପାରୁନି । ଯିମିତି ଜଳୁଛ ନା...!

- ଭଲ ଲାଗୁଛି...?

- ହଁ, ଖାଇସାରି ଚାଲିଯିବା ଖଣ୍ଡଗିରି... ।

- ନା,

- କାହିଁକି ?

- ଆଉ କାହିଁ ଚାଲ ।

- ମୋ ଘରକୁ ଯିବ ?

- ଯୋଉଦିନ ନବ ସବୁଦିନ ପାଇଁ, ସେଦିନ ମନାକରିବି ନାହିଁ ।

- ସେ ସମୟ କେବେ ଆସିବ ?

- ତୁମେ ଜାଣ ।

- ମୁଁ ତ ଅନିଶା କରି ବସିଛି ।

- ତା’ହେଲେ ଡେରି କରୁଛ କାହିଁକି ?

- ଗୁଡ଼ାଏ କାମ ନେଇଛି ଯେ ହାତକୁ... ।

- ଇଏ ବି ତ ଗୋଟିଏ କାମ ।

ହସିଉଠିଲେ ଦୁହେଁ ।

- ଏଇ କାମଟା ଆଗ ସାରିଦେଲେ ତୁମର ଇଣ୍ଟରେଷ୍ଟ ଆଉ ରହିବନି ।

- ମୋର ଇଣ୍ଟରେଷ୍ଟ ଅନନ୍ତକାଳର ।

- ମୋତେ ଭଲପାଅ... ?

- ମୋର ଜନ୍ମ ପୂର୍ବରୁ... ।

- ତୁମ ହାତ ପାପୁଲି କି କୋମଳ...!

-ତୁମ ପାଦ ଦୁଇଟି କି ଗରମ... !

- ନା, ନା, ଏଠି ନୁହେଁ । ଖୋଲନି... ।

- ଗଣ୍ଠିଟା ଶକ୍ତ କରିଛ କେତେ...!

- ଗଣ୍ଠି ଖୋଲିବାର କାଏଦା ଜାଣତ... ?

- ଶିଖେଇଦବ... ।

- ଖୁବ୍ ଦୁଷ୍ଟ ।

- ଦୁଷ୍ଟ ବୋଲିତ ଧାଇଁ ଆସିଛ ।

- ଭୁଲାଇଦେଲ ମୋତେ । ଆଉ କଅଣ କହିବ ପରା ?

- ଆଗ ଖାଇନିଅ ।

- ବୟ ପରଷି ଦେଇଗଲା ।

ଶୈଳ କହିଲା, ତୁମେ ମୋତେ ଭଲପାଅ... ?

- ସେକଥା ଜାଣିନ ଯେ ଆଜି ପଚାରୁଛ ?

- ପୁଣି ଶୁଣିବା ପାଇଁ ଇଚ୍ଛା ହୁଏ ।

- ଭଲପାଏ... ଭଲପାଏ... ଭଲପାଏ...ହେଲା ?

- ଏଇ କଥାରେ ପେଟ ପୂରିବ ?

- ଯିବା ଯେ ଏଇନେ... ।

 

ଖାଇସାରିବା ପରେ ଶୈବାଳ କହିଲା, ଚନ୍ଦ୍ରଗୁପ୍ତକୁ ଅବିଶ୍ୱାସ କରିପାରୁନାହିଁ । କିନ୍ତୁ ନିକୁଞ୍ଜ ବାବୁ ଯାହା କହୁଛନ୍ତି ଉଡ଼େଇ ଦେଇ ବି ପାରୁନି... ।

 

ଶୈଳ ସବୁ ଶୁଣିଲା, କିନ୍ତୁ କିଛି ପ୍ରତିକ୍ରିୟା ପ୍ରକାଶ କଲା ନାହିଁ ।

ଟାକ୍‌ସିରେ ଯିବାବେଳେ ଶୈବାଳ କହିଲା, ଇମିତି ଚୁପ୍ ହୋଇ ବସିଛ ଯେ.... !

- ହ୍ୟାଣ୍ଡବିଲ୍ ବାଣ୍ଟି କଅଣ ପାଇବ ଚନ୍ଦ୍ରଗୁପ୍ତ ?

- ସେ ଆଉ ଲାଇନ୍‌ସମ୍ୟାନ୍‌ର କାମ ନ କରି ନିଜେ ଖେଳିବାକୁ ଚାହେଁ ।

- ସେ ତ ଖେଳୁଛି...

- ଖେଳର ଅଧିନାୟକ ହବାର ଇଚ୍ଛା ତା’ର ।

- ହୋଇପାରେ । ଯାହାର ଆମ୍ବିସନ ଅଛି ତା’ର ଦୁଃସାହସ ବି ଥାଏ ।

- କିନ୍ତୁ ଏହା ଯଦି ସତ ହୁଏ...

 

- ମୋ ଉପରେ ସେ ଦାୟିତ୍ୱ ଛାଡ଼ିଦିଅ...ମୁଁ ମୋ ଉପାୟରେ ଖବର ସଂଗ୍ରହ କରିବି । କିନ୍ତୁ ମହାନ୍ତି ଯେ ନିଜେ ଏହା କରୁ ନ ଥିବ କିଏ କହିବ ?

 

- ମଣିଷ ଚରିତ୍ର ବିଚିତ୍ର ।

- ରାଜନୀତି ବନ୍ଧୁକୁ ଶତ୍ରୁ କରେ ।

-ଆଖି ଆଗରେ ଅନେକ ଦୃଷ୍ଟାନ୍ତ ଦେଖୁଛି ।

- ତଥାପି ସନ୍ଦେହରେ କିଛି ନ କର ଯେପରି । ପ୍ରମାଣ ମିଳିବା ପର୍ଯ୍ୟନ୍ତ ଅପେକ୍ଷା କର-

 

- ଏଇ ସେଦିନ ଆରମ୍ଭ ହେଲା । ସବୁ କାଲିପରି ଲାଗୁଛି । ଯେତେବେଳେ ଟେକ୍‌ ଅଫ୍ କରିବାର ସମୟ, ସେତିକିବେଳେ ହଠାତ୍ ଯଦି ଏଆରକ୍ରାଫ୍‌ଟର ଡେଣା ଗୋଟେ ଛିଡ଼ିପଡ଼େ...

 

- ଧୈର୍ଯ୍ୟଧର । ଭରସା ରଖ ।

ଟ୍ୟାକ୍‌ସି ଛିଡ଼ା ହେଲା ଆସି ଘର ଆଗରେ ।

ଶୈଳ ଓହ୍ଲେଇ ପଡ଼ି କହିଲା, ମୋ ଘରେ ପାଦ ଦବନି ?

- ଏଇଠି ରହିଯିବି ତା’ ହେଲେ ।

- ଭଲ କଥା । ଆସ... ।

 

ଟ୍ୟାକ୍‌ସି ଚାଲିଗଲା । ଶୈବାଳକୁ ବସିବା ଘରେ ବସେଇ ଶୈଳ କହିଲା ଏଇ ଦରଜାଟା ସଂଯୋଗ ପଥ । ଖୋଲା ଥିବ । ଟିକେ ବସ, କଫି କରି ଆଣେ ।

 

ଦୁଇ ପହର ସମୟରେ ଟିକେ ସମୟ ମିଳେ ସୁଭଦ୍ରାଙ୍କୁ ।

 

ଏଇ ସମୟରେ କ୍ଳାନ୍ତ ଶରୀରଟାକୁ ଗଡ଼େଇ ଦିଅନ୍ତି ଘଣ୍ଟାଏ । ଠିକ୍ ଆଖିପତା ବୁଜି ଆସୁଥିବାବେଳକୁ କଡ଼ା ନାଡ଼ିଲେ ନେତୀ ପିଉସୀ । ତାଙ୍କ କଡ଼ା ନାଡ଼ିବାର ଢଙ୍ଗଟି ସହିତ ବେଶ୍ ପରିଚିତ ସୁଭଦ୍ରା ।

 

ଇଚ୍ଛା ହେଉ ନ ଥିଲା ଉଠିବା ପାଇଁ । କିନ୍ତୁ ନେତୀ ପିଉସୀଙ୍କୁ ରଗେଇ ଲାଭ କିଛି ହେବନାହିଁ, ବରଂ କ୍ଷତି ହେବ ଅନେକବେଶୀ । ଅଗତ୍ୟା ଉଠିଆସି କବାଟ ଖୋଲିଦେଇ ତାଙ୍କୁ ସ୍ୱାଗତ କରି କହିଲେ ସୁଭଦ୍ରା- ଆସ ପିଉସୀ, ଆସ... ?

 

ନେତୀ ପିଉସୀ କହିଲେ, କିଛି ମନେକରିବୁନି ବୋହୂ ଏଇ ଖରାବେଳଟାରେ ଚାଲି ଆସିଲି ବୋଲି । କଥାଟା ଶୁଣିବାବେଳୁ ଖଲବଲ ହେଉଛି ପେଟ ଭିତରେ । ବିଶ୍ୱାସୀ ଆଉ କିଏ ଅଛି ଯେ କହିବି... ତୋହରି ପାଖକୁ ଚାଲିଆସିଲି।

 

ଯାହା କହିବାର ନିର୍ଭୟରେ କହନ୍ତି ନେତୀ ପିଉସୀ । ଏ ଭଣିତାର ପ୍ରୟୋଜନ ନାହିଁ । ତଥାପି ତାକୁ ସନ୍ତୁଷ୍ଟ କରିବା ଲାଗି କହିଲେ ସୁଭଦ୍ରା- କୁନି ବୋଉର ଖବର କ’ଣ ?

 

- କୁନି ବୋଉର କଥା ନ ଶୁଣି ଆଜି ବଡ଼ ବଡ଼ିଆଙ୍କ କଥା ଶୁଣ୍‌ ବୋହୂ । ଯେତେ ବଡ଼ ବାଉଁଶ ସେତେ ବଡ଼ ପୋଲ ।

 

ନେତୀ ପିଉସୀଙ୍କର କାହାଣୀ ଅନୁସାରେ ଗୌରଚନ୍ଦ୍ରିକା । ଯେତିକି ରସାଳ କାହାଣୀ ସେତିକି ଲମ୍ବା ଗୌରଚନ୍ଦ୍ରିକା ।

 

ତା’ପରେ କାନ୍ଥ ଉପରେ ଆଉଜି ପଡ଼ି ପାନ ଖଣ୍ଡେ ପାଟିରେ ପୂରାଇ କହିଲେ, ତୁ ଶୋଇପଡ଼ ବୋହୂ, ତୁ ଶୋଇଥିବୁ, ମୁଁ କହୁଥିବି ।

 

ସୁଭଦ୍ରା କହିଲେ– ଆଜି କି ତରକାରୀ କରିଥିଲା ବୋହୂ ?

 

- ସେ ପୋଡ଼ାମୁହିଁ କଥା କହନା ଆଉ । ସେ ବୋହୂ ନୁହଁନ୍ତି ସାଇବାଣି । ଚାକର ପିଲାଟା ମେମ୍‌ସାହେବ ନ ଡାକି ମା’ ଡାକିଦେଲା ବୋଲି ଯୋଉ ଚଟକଣାଟିଏ ଖାଇଲା ମରିବାଯାଏ ମନେରଖିବ । ସେ ରୋଷେଇ କଲେ ହାତରେ କଳା ଲାଗିଯିବ ଏଇ ଭୟରେ ରୋଷେଇ କରିବା ପାଇଁ ବ୍ରାହ୍ମଣ ଆସିଛି । ମାସକୁ ଖାଇପିଇ ପଚାଶ । ଦରମା ବାଦ୍ ଦୁଇଟା ଧୋତି, ଦୁଇଟା ଗେଞ୍ଜି, ଗୋଟେ ଜାମା, ଗୋଟେ ଚାଦର । ଚାକର ହାତର ରୋଷେଇ ପିଲାବେଳେ ଖାଇନି, ଏ ବୟସରେ ଖାଇବି ?

 

ନେତୀ ପିଉସୀ ତା’ପରେ ଫିସ୍ ଫିସ୍ କରି କହିଲେ-କାହାକୁ କହିବୁନି ବୋହୂ । ଇଏ ବଡ଼ ଲୋକଙ୍କର ଗୁମର କଥା । ସେଇ ଆମ ସାହିର ଗନ୍ତାୟତ ଘର ମ...ତାଙ୍କ ଝୁଅ ପଢ଼ୁଛି ବାଣୀବିହାରରେ... ବାହା ନାହିଁ ସାହା ନାହିଁ...ପିଲା ଜନମ କରି ଆସିଲା ବନାରସରେ...

 

ସୁଭଦ୍ରା କହିଲେ- ପୃଥିବୀ ପାପ ଭାବରେ ଫାଟିଯିବ ପିଉସୀ...

 

-କିନ୍ତୁ ପୃଥିବୀ ଫାଟୁନାହିଁ କି ଆକାଶ ଛିଡ଼ୁନି ବୋହୂ । କଳିକାଳର ଲୀଳା ସବୁ । ଅଚ୍ୟୁତାନନ୍ଦ ତାଙ୍କ ମାଳିକାରେ ଲେଖିଯାଇଛନ୍ତି ସବୁ ।

 

ବାପା ମା’ ଆକଟ ନ କଲେ ଇମିତି ହୁଏ । ସେଥିପାଇଁ କହୁଥିଲି ଯା ହେବାର ହୋଇଯାଇଛି । ଶୁଷାଟାକୁ ଛନ୍ଦିବେ କାହା ହାତରେ । ଟଙ୍କା ଖର୍ଚ୍ଚ କଲେ ସବୁ ସମ୍ଭବ ।

 

ସୁଭଦ୍ରାଙ୍କୁ ଡର ଲାଗେ ନିଜ ଘରକଥା ଶୁଣିବା ପାଇଁ । ଶୁଷା ତାଙ୍କ ଗାଲରେ ଚୂନକାଳି ଲଗେଇ ଦେଲା । ତଥାପି କାଳେ ନେତୀ ପିଉସୀ କ’ଣ ଭାବିବେ ବୋଲି କହିଲେ ସେ- ସେ ତ ଖୋଜୁଛନ୍ତି ପିଉସୀ । ଜଣେ କେହି ମିଳିଗଲେ ଛନ୍ଦିଦେବି । ବଡ଼ ବସିଥାଉ ପଛେ, ମଝିଆ ଆଗ ପାରି ହୋଇଯାଉ... ।

 

- ମୁଁ ବି ସେୟା ଭାବୁଛି ବୋହୂ । ଆଉ ଡେରି କରନା । ବାୟାଟା କୋଉ କୋମ୍ପାନୀରେ ଚାକିରି କରିଛି । ଭଲ ଦି’ପଇସା କି ରୋଜଗାର କରେ । ସେ ତ ଶୁଷାକୁ ଆଗରୁ ବାହାହବ କହୁଥିଲା ।

 

- ସେ ଆଉ ରାଜିହବ ନି ପିଉସୀ...

 

- ସେ ଭାର ମୋ ଉପରେ ଛାଡ଼ିଦେ । ଝିଅଟା ମାମୁଁଘରକୁ ଯାଇ ତିନିମାସ ରହି ଆସିଲା ବୋଲି ମୁଁ କହିଛି ତାକୁ । ସେ ବିଶ୍ୱାସ କଲା । ମୁଁ କହିଲି, ଲୋକ କଥାରେ କ’ଣ ପାଇବୁ ? ଯାହା ନ ଦେଖିବୁ ନିଜ ନୟନେ, ପରତେ ନ ଯିବୁ ଗୁରୁ ବଚନେ । ମାନିଯାଇଛି । ଦାବି କିଛି ନାହିଁ । ଯିବା ଆସିବାକୁ ସୁବିଧା କରିବା ପାଇଁ ସ୍କୁଟର ଖଣ୍ଡେ ଦବୁ...ଆଉ ଝିଅକୁ ତ ଖାଲି ଦେହରେ ଛାଡ଼ିବୁ ନାହିଁ... !

 

ସୁଭଦ୍ରା କହିଲେ- ତାଙ୍କୁ କହିବି । ତୁମ ମନକୁ ପାଇଛି ଯେତେବେଳେ... ।

 

ନେତୀ ପିଉସୀ କହିଲେ- ଶୀଘ୍ର ବ୍ୟବସ୍ଥା କର । କେତେ ଲୋକ ଚାହିଁ ବସିଛନ୍ତି । ବିଲେଇ କପାଳକୁ ସିକା ଖସୁଛି ଏଇଠି... ।

 

ସୁଭଦ୍ରାଙ୍କର ବି ଇଚ୍ଛାହୁଏ ପଛକଥା ଭୁଲିଯାଇ ଶୁଷାକୁ ବାହା କରେଇ ଦବାପାଇଁ । ବଡ଼ ନ ହେଲେ ପରେ ବାହା ହବ । ଚାକିରି ଖଣ୍ଡେ ଭଗବାନ ଜୁଟେଇ ଦେଇଛନ୍ତି ଯେତେବେଳେ ତାକୁ ପାତ୍ରଟିଏ ମିଳିଯିବ ।

 

ସୁଭଦ୍ରା କହିଲେ- ତୁମେ ସହାୟ ହେଲେ ସବୁ ହେବ ପିଉସୀ... ।

 

ନେତୀ ପିଉସୀଙ୍କ ଛାତି କୁଣ୍ଢେ ମୋଟ ହୁଏ ନିଜର ପ୍ରଶଂସା ଶୁଣିଲେ । ଉଚ୍ଚତା ବଢ଼ିଯାଏ-

 

ସେ କହିଲେ, ମୋ ହାତରୁ ତ ପଇସା ପଡ଼ୁନି ବୋହୂ । ପଦେଅଧେ କଥାରେ ଯଦି ଭଲ କାମଟିଏ ହୋଇଯାଏ ପୁଣ୍ୟ ଅର୍ଜନ କରିବି ।

 

କୁନିବୋଉ ମରଦକୁ କିପରି ଜବତ୍ କରିପାରୁନାହିଁ ସବିସ୍ତାର କହିଲେ ନେତୀ ପିଉସୀ । ତା’ ପରେ ବାବା ଜର୍ଦ୍ଦାରୁ କଳରେ ଜାକି କହିଲେ, ପୁଅଗୁଡ଼ା ଏଇପରି । ପର ସ୍ତ୍ରୀ ଦେଖିଲେ ଗୋଡ଼ାନ୍ତି । ମୁଁ କ’ଣ କମ୍ ଭୋଗିଛି ବୋହୂ ? ତୋ ପିଉସାଙ୍କୁ ତୁ ଦେଖିନୁ । ଲମ୍ବା ଯେପରି ଗୋରା ସେପରି । ଶହେ ଲୋକଙ୍କ ଭିତରେ ବାରି ହୋଇପଡ଼ିବେ । ଚାକିରି କରୁଥାଆନ୍ତି ସେତେବେଳେ । ତାଙ୍କ ଅଫିସରର ମାଇପ ୟାଙ୍କୁ ଦେଖି ତ ପଡ଼ିଗଲା ପଛରେ । ସାଇବ ଗସ୍ତରେ ଗଲେ ନାନା କାମର ବାହାନା କରି ରହିଲେ ସାଇବ ଘରେ । ସେଇଠି ଖିଆ, ଶୁଆ । ବାଞ୍ଝ ମାଇକିନାର ସାହସ ଦେଖିଲେ ହଲକ ଶୁଖିଯିବ ।

 

ମୋ କାନକୁ ଉଡ଼ା ଖବର ଆସିଲା । ମୁଁ ଦବିଯିବା ସ୍ତ୍ରୀ ନୁହେଁ । ପିଛା କଲି । ଦିନେ ତାଙ୍କ ଘରେ ଦୁହେଁ ପାଖାପାଖି ବସିଛନ୍ତି, ପହଞ୍ଚିଗଲି । ମୋତେ ଦେଖି ତୋ ପିଉସା ତ କଳା ପଡ଼ିଗଲେ । ସେଇ କସବୀକୁ ମୁହେଁ ମୁହେଁ କହିଦେଲି, ସାହସ ଅଛି ତ ହାତଧରି ଦାଣ୍ଡେ ଦାଣ୍ଡେ ଯା...ନ ହେଲେ ଚୋରଣୀ ପରି ପୀରତି କରିବୁ ଯଦି ତୋ’ର ଦିନେ ତ ମୋର ଦିନେ... ।

 

ସାଇବ କାନକୁ ବି କଥା ଗଲା । ମାସଟେ ନ ପୂରୁଣୁ ବଦଳି ହୋଇ ଚାଲିଗଲେ ।

ତା’ପରେ ତୋ ପିଉସା ଯୋଉ ଧଣ୍ଡସାପକୁ ସେଇ ଧଣ୍ଡସାପ; ନିରୀହ, ନିର୍ବିଷ... ।

ନେତୀ ପିଉସୀଙ୍କୁ ଚା’ କପେ ଦେଲେ ସୁଭଦ୍ରା ।

 

ନେତୀ ପିଉସୀ ଘରକୁ ଲେଉଟିବା ପୂର୍ବରୁ କହିଲେ, ଦୀନବନ୍ଧୁଙ୍କୁ କହି କିଛି ଗୋଟେ କିନାରା କରିନେ । ତା’ପରେ ମୋତେ କହିବୁ... ସବୁ ଦାୟିତ୍ୱ ମୋର... ।

 

ନେତୀ ପିଉସୀ ଇମିତି ଆସନ୍ତି ଆଉ ଯାଆନ୍ତି । ଯାହା ପେଟ ଭିତରେ ଥାଏ ଉଜାଡ଼ି ଦେଇ ଯାଆନ୍ତି ।

 

ସୁଭଦ୍ରାଙ୍କୁ ଡରଲାଗେ ଝିଅମାନଙ୍କ ମୁହଁକୁ ଚାହିଁବା ପାଇଁ । ସେବା ପୁଣି ଅଫିସରୁ ଫେରିବାକୁ ବିଳମ୍ବ କରୁଛି । ସେଦିନ ଫେରିବା ପରେ ତା’ ମୁହଁକୁ ଚାହିଁ ଦେଇ ସେ ଆତଙ୍କିତ ହୋଇ ଉଠିଥିଲେ । ମୁହଁଯାକ ନାଲି ନାଲି ଦାଗ ପାଉଡ଼ର ଭିତରୁ ବି ଫୁଟି ବାହାରୁଥାଏ । ଝିଅକୁ ସେ ପଚାରିବାରୁ କହିଲା, କଅଣ ହୋଇଛି କେଜାଣି...ଏଲର୍ଜି ହେଲେ ଇମିତି ହୁଏ କହୁଥିଲା ସୁରଭି-

 

ଇଏ ବି ଗୋଟେ ଏଲର୍ଜି । ସର୍ବନାଶୀ ଏଇ ପ୍ରେମ । ଗୋପନରେ ଆଗଉ ଆଗଉ ଦିନେ ସମସ୍ତେ ଜାଣନ୍ତି । ସେତେବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହି ଯାଇଥାଏ । କିଛି କରିହୁଏ ନାହିଁ । ଏଲର୍ଜି ନୁହେଁ ସତ, ରୋଗଟା ପଦାକୁ ଫୁଟିପଡ଼େ ।

 

ସେବାଟା ଇମିତି ହେବ ବୋଲି ସେ ଭାବି ନ ଥିଲେ । ଗମ୍ଭୀର ପ୍ରକୃତିର । ପୁଅପିଲାଙ୍କୁ ଦେଖିଲେ ଲାଜରେ ମୁହଁ ତଳକୁ ପୋତେ । ଅଥଚ ଭାଗ୍ୟ ମନ୍ଦ, ନ ହେଲେ ଇମିତି ଝିଅ ଅବାଟରେ ଯାଆନ୍ତା... !

 

ଆଉ ଶୁଷା...ତା’ କଥା ଛାଡ଼୍... ସେ ଭୋଗୁଛି ନିଜ କର୍ମଫଳ । ଯେତିକି ଦିନ ଯାଉଛି ଦିହର ଜ୍ୟୋତି ସେତିକି ନିର୍ମଳ ଦିଶୁଛି । ଲାବଣ୍ୟବତୀଟିଏ ।

 

ସମାପ୍ତିଟା ହୁ ହୁ ହୋଇ ବଢ଼ୁଛି । ଆଗରେ, ବଢ଼ିବାର ବୟସ । ଏଇ ବୟସଟା ବୋଲ ମାନେନାହିଁ, ବାଧା ମାନେନାହିଁ, ପ୍ରଥମ ବନ୍ୟାପରି ଭାଙ୍ଗିରୁଜି ସବୁ ଭସେଇ ନିଏ ।

 

ସୁଭଦ୍ରା ଚିନ୍ତା କରନ୍ତି; କିନ୍ତୁ ସମାଧାନ କରିପାରନ୍ତି ନାହିଁ ।

 

ଶିକ୍ଷକର ସ୍ତ୍ରୀ ସେ । ଯୋଉ ହାତର ଅର୍ଜନ ସେଇ ହାତରେ ଖର୍ଚ୍ଚ । ସଞ୍ଚୟ ଘର ଶୂନ । ସେବା ଚାକିରି କଲାଦିନୁ ଯାହା ଆଣେ ତାହାରି ନାମରେ ସବୁ ଜମା କରି ଦିଅନ୍ତି ଦୀନବନ୍ଧୁ । ପାତ୍ରଟିଏ ମିଳିଗଲେ ଉଠେଇ ଦେବେ ।

 

ଶୁଷା ଆସି ମୁହଁ ଫଣ ଫଣ କରି କହିଲା, ନେତୀ ପିଉସୀ ଯାହା କହିଲେ ମୁଁ ସବୁ ଶୁଣିଛି ମା’... ।

 

ସୁଭଦ୍ରା ଝିଅର ମୁହଁକୁ ଅନାଇ କହିଲେ, କ୍ଷତି କି ?

ଶୁଶ୍ରୂଷା କହିଲା, ବାୟାର ନାମ ତା’ର ପରିଚୟ । ପାଗଳଟିଏ ।

ସୁଭଦ୍ରା କହିଲେ, ଚାକିରି କରୁଛି ଯେ... ।

 

- ଇମିତି ଅନେକ ପାଗଳ ଚାକିରି କରନ୍ତି । ମୁଁ ବିଷ ଖାଇ ମରିବି ପଛେ ବାୟା ଘରକୁ ଯାଇ ବେକରେ ଦଉଡ଼ି ଦେବିନାହିଁ ।

 

ସୁଭଦ୍ରା କିଂକର୍ତ୍ତବ୍ୟବିମୂଢ଼ ହୋଇ ଶୂନ୍ୟକୁ ଚାହିଁ ବସିଥିଲେ ।

 

ଦୀନବନ୍ଧୁ ମାଷ୍ଟ୍ରେ ନୂଆ ଧାନ ସିଂସାଗୁଚ୍ଛାକୁ ରଖିଦେଇ କହିଲେ, କାଲି ଶେଷ ପାଳି ଗୁରୁବାର । ମାଣବସା ଲକ୍ଷ୍ମୀପୂଜା । ଚାପ ତ ନାହିଁ । ମାଗିଆଣିଲି ନୂଆ ଧାନ ପୂଜାରେ ଲାଗିବ ।

 

ସୁଭଦ୍ରା କହିଲେ- ଲକ୍ଷ୍ମୀପୂଜା କରି କରି ବୁଢ଼ୀ ହେଲି । ମାଆ ଲକ୍ଷ୍ମୀଙ୍କର ଦୟା ହେଲାନାହିଁ... ।

 

- ହବ...ଦିନେ ସବୁ ହବ... ତୁମ ବଡ଼ଝିଅକୁ ଦବାପାଇଁ ପଡ଼ିବନି କିଛି, ସେ ଆଣିବ ଘରକୁ... ।

 

- କଅଣ ଏସବୁ କହୁଛ... ?

 

- ମିଛ କହୁନି, ଯାହା ଆଖିରେ ଦେଖିଲି କହିଲି । କେତେଦିନ ଲୁଚେଇଥିଲି ତୁମ ପାଖରେ-। ଆଶାଥିଲା, ଏହାପରେ ସୁଧୁରିଯିବ । କିନ୍ତୁ ଆଶା ଆଶାରେ ରହିଗଲା । ଆଜି ଯାହା ଦେଖିଲି ଆଉ ଫେରିବାର ବାଟ ନାହିଁ ।

 

- କଅଣ ଦେଖିଲ ? ପ୍ରାୟ ଥରି ଥରି ପଚାରିଲେ ସୁଭଦ୍ରା ।

 

- ଯୋଉ ବ୍ୟାଙ୍କରେ କାମ କରେ ସେଇ ବ୍ୟାଙ୍କର ଜଣେ ବଡ଼କର୍ତ୍ତା ଚନ୍ଦ୍ରଗୁପ୍ତ ଘରେ ଦେଖିଲି ତାକୁ ।

 

- ଖାଲି ଦେଖିଲ, କିଛି କହିଲ ନାହିଁ... ?

 

- କଅଣ କହିବି ? ଲାଜରେ ମୁହଁ ଉପରେ ଖାତା ଜାକି ପଳେଇ ଆସିଲି । ଅନ୍ତତଃ ଆଉ କେହି ନ ଜାଣିଲେ ବି ସେମାନେ ଜାଣନ୍ତୁ ଯେ ମୁଁ କିଛି ଜାଣିନାହିଁ ।

 

- ମୋ ମୁଣ୍ଡ କଅଣ ହୋଇଯାଉଛି । ମୋ ଗୋଡ଼ହାତ ଥରୁଛି... ।

 

କହୁ କହୁ ସୁଭଦ୍ରା ଅଚେତ ହୋଇଗଲେ । ଦୀନବନ୍ଧୁଙ୍କର ଡାକ ଶୁଣି ଶୁଷା ଦଉଡ଼ି ଆସିଲା । ମୁଣ୍ଡରେ ପାଣି ଛିଞ୍ଚି ପଙ୍ଖାକଲେ ଦୀନବନ୍ଧୁ । ଶୁଷା ଗୋଡ଼ହାତରେ ହାତ ବୁଲାଇବାକୁ ଲଗିଲା ।

 

କିଛି ସମୟ ପରେ ସାଷ୍ଟାଙ୍ଗ ହେଲେ ସୁଭଦ୍ରା । କିନ୍ତୁ ବାକ୍‌ସ୍ଫୁର୍ତ୍ତି ହେଲା ନାହିଁ । ନିର୍ବାକ୍ ହୋଇ ରହିଲେ ।

 

ଦୀନବନ୍ଧୁ ମାଷ୍ଟରଙ୍କ ଆଖି ଆଗରେ ପୃଥିବୀଟା ଘୂରୁଥିଲା ।

 

ସବୁ ଆଦର୍ଶ, ସବୁ ମୂଲ୍ୟବୋଧ ଭାଙ୍ଗିଯାଉଛି । ଚରିତ୍ର ନଷ୍ଟ ହୋଇଯାଉଛି । ଏ ଜାତି ବଞ୍ଚିବ କି ନାହିଁ କେଜାଣି !

 

ଦୀନବନ୍ଧୁ ତଥାପି ପ୍ରାର୍ଥନା କରୁଥିଲେ ମନେ ମନେ । ସେବାକୁ ଭଲ ବୁଦ୍ଧି ଦିଅ, ଚନ୍ଦ୍ରଗୁପ୍ତକୁ ସତ୍ୟାଶ୍ରୟୀ କର ଭଗବାନ୍ !

 

କେତେ ଛାତ୍ରଙ୍କୁ ପାଠ ପଢ଼େଇ ମଣିଷ କରିଛନ୍ତି ସେ । ସେମାନେ କିନ୍ତୁ ଅସଲ ମଣିଷ ହୋଇ ତାଙ୍କୁ ସମସ୍ତେ ଠକିଦେଲେ । ଗାଡ଼ି, ଘୋଡ଼ା, ଦାସଦାସୀ, ଦାମୀ ପୋଷାକ ମଣିଷର ଉଚ୍ଚତା ବଢ଼ାଏ ନାହିଁ, ସମ୍ପଦ ଏବଂ କ୍ଷମତା ତାକୁ ମହାନ କରେ ନାହିଁ...ସେ ବଡ଼ ହୁଏ ଚରିତ୍ରଦ୍ୱାରା, ତ୍ୟାଗ ଓ ତପସ୍ୟାଦ୍ୱାରା ।

 

ତାଙ୍କ ଜୀବନ ନିଷ୍ଫଳ ବୃକ୍ଷ ପରି । ନିଃସନ୍ତାନ ହୋଇଥିଲେ ସେ ଦୁଃଖିତ ହୋଇ ନ ଥାନ୍ତେ । କିନ୍ତୁ ତାଙ୍କର ଶିକ୍ଷା ଓ ସଂସ୍କାରର ଠିକ୍‍ ଓଲଟା ଫଳ ତାଙ୍କ ପାଖରେ ଫଳିବ ଏହାଯଦି ସେ ଜାଣି ଥାଆନ୍ତେ.... ।

 

ସାଇକଲ ରିକ୍‌ସାଟା ଛକ ଉପରେ ଛିଡ଼ା କରି ଜଣେ କେହି ଅନର୍ଗଳ ବକି ଚାଲିଛି–

 

ଦେଶର ଅଖଣ୍ଡତା, ଜାତିର ଐକ୍ୟ ଆମର ଧ୍ୟାନର ବସ୍ତୁ । ଜନକଲ୍ୟାଣ ଆମର ବ୍ରତ । ପ୍ରତ୍ୟେକ ଲୋକଙ୍କୁ ପେଟଭରି ଦୁଇଓଳି ଖାଦ୍ୟ, ଲଜ୍ଜା ନିବାରଣ ପାଇଁ ବସ୍ତ୍ର, ଗୋଟିଏ ବାସଗୃହ, ରୋଗର ଚିକିତ୍ସା ପାଇଁ ଔଷଧ ଏବଂ ସାମାଜିକ ତଥା ରାଜନୈତିକ ନ୍ୟାୟ ଯୋଗାଇ ଦବା ଆମର ଲକ୍ଷ୍ୟ । ଅତୀତର ସବୁ ପ୍ରତିଶ୍ରୁତି ପାଳିତ ହେଇନାହିଁ । ଆମେ କିନ୍ତୁ ଶେଷ ପ୍ରତିଶ୍ରୁତିକୁ ପାଳନ କରିବା ଲାଗି ଶପଥ ନେଇଛୁ ।

 

ପ୍ରବୀର ଆସି କହିଲା, ବାପା, କାଲି ସତ୍ୟାଗ୍ରହ... ।

ଦୀନବନ୍ଧୁ ନ ଶୁଣିବା ପରି କହିଲେ, ଶେଷ ପ୍ରତିଶ୍ରୁତିଟା କିଏ ଦଉଛି ?

 

ପୁଣି ଡାକବାଜି ଯନ୍ତ୍ରରେ କହିଲା ସେଇ ଲୋକଟି- ଏଇ ଶେଷ ପ୍ରତିଶ୍ରୁତି ଅଲବତ ରକ୍ଷା କରାଯିବ । କ୍ଷମତାରେ ଥିବା ଦଳକୁ ସଚେତନ କରେଇ ଦବାପାଇଁ, ଲୋକଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାରର ପ୍ରତିବାଦ କରିବା ପାଇଁ, ଆସନ୍ତାକାଲି ସହରରେ ସତ୍ୟାଗ୍ରହ ପାଳନ କରାଯିବ । ସ୍କୁଲ କଲେଜ, ଦୋକାନ ବଜାର, ଅଫିସ ଓ ଅଦାଲତ ସବୁ ବନ୍ଦ ରହିବ । ରେଳ, ମୋଟରଗାଡ଼ି ଚାଲିବ ନାହିଁ... ଚକା ବନ୍ଦ... ।

 

କାହିଁକି ? କେବଳ ଘୋଷଣାର ଶେଷଭାଗ ଶୁଣିଥିବା ଲୋକଟି ପ୍ରଶ୍ନ କଲା ।

 

- ଦେଶ ପାଇଁ । ଜାତି ପାଇଁ । ଏ ଜାତିର ସମୃଦ୍ଧି ପାଇଁ ଗାନ୍ଧିଜୀ ଦେଇ ଯାଇଛନ୍ତି ଏଇ ଅସ୍ତ୍ର । ଆମେ ତାଙ୍କର ଉତ୍ତରାଧିକାରୀ । ଅଭ୍ୟୁଦୟ ସମାଜ ଜିନ୍ଦାବାଦ୍...ଆମର ନେତା ଅମର ରହେ ।

 

ଘୋଷଣା କରି କରି ଚାଲିଗଲା ଲୋକଟି । ରିକ୍‌ସାଟି ବି ଅଦୃଶ୍ୟ ହୋଇଗଲା ରାସ୍ତାରୁ-

 

ପ୍ରବୀର କହିଲା, ଆମ ଦଳ ଇଏ ବାପା ।

ଦୀନବନ୍ଧୁଙ୍କୁ କିଏ ଯେପରି ଚାପୁଡ଼ାଏ ମାରିଲା ।

ସେ ଅଗ୍ନିଶର୍ମା ହୋଇ କହିଲେ, ଘରେ ଖାଇ ଏଇ କାମ କରୁଛୁ ?

 

ପ୍ରବୀର କହିଲା, ଶୋଭାଯାତ୍ରାରେ ଗଲେ ଟଙ୍କାଏ, ସଭାକୁ ଗଲେ ପଚାଶ ପଇସା ମିଳେ ଯେ...ତୁମେ ତ ଦିଅନି କିଛି...ଇସ୍କୁଲର ଚାନ୍ଦା ଭେଦା କୋଉଠୁ ଆଣି ଦିଅନ୍ତି ?

 

ଦୀନବନ୍ଧୁ ଚୁପ୍‌ ହୋଇଗଲେ ।

 

ସେ ଦୁର୍ବଳ ଅନୁଭବ କରୁଥିଲେ । ତାଙ୍କର ଅସହାୟତା ଉଗ୍ରରୂପ ଧରି ଛିଡ଼ା ହୋଇଥିଲା ଆଗରେ ।

 

ପ୍ରବୀର କହିଲା, ଆମେ ସବୁ ‘ବାନରସେନା’ର ସଭ୍ୟ । ଆମର ସବୁ ଦାୟିତ୍ୱ ଦଳର ।

 

ଦୀନବନ୍ଧୁ ଆଉ ଚୁପ୍ ହୋଇ ବସି ନ ପାରି ଚଟକଣାଟିଏ ବସେଇ ଦେଲେ ପ୍ରବୀରର ଗାଲ ଉପରେ ।

 

ସେ ଭୋ କରି କାନ୍ଦି ଉଠିଲା ।

 

ସୁଭଦ୍ରା ଘୁସୁରି ଘୁସୁରି ପିଣ୍ଡାକୁ ଆସି କହିଲେ, ପିଲାଟାକୁ ମାରୁଛ କାହିଁକି ? ସେ କଅଣ ମିଛ କହୁଛି ? ତୁମେ ଯଦି ଚାନ୍ଦା ଭେଦା କଥା ବୁଝୁଥାଆନ୍ତ ସେ ଯାଇ ନ ଥାନ୍ତା ସେମାନଙ୍କ ଦଳକୁ । ତୁମ କଥାର ମୂଲ୍ୟ ନାହିଁ ବୋଲି ସମସ୍ତଙ୍କର କଥାର ମୂଲ୍ୟ ନାହିଁ । ତୁମେ କୌଣସି ପ୍ରତିଶ୍ରୁତି ପୂର୍ଣ୍ଣ କରିନ । ସେମାନେ ଶେଷ ପ୍ରତିଶ୍ରୁତି ପୂର୍ଣ୍ଣ କରିବେ ।

 

ଦୀନବନ୍ଧୁ ମୂକ ପରି ଛିଡ଼ାହୋଇ ରହିଲେ ।

 

ଶୀତ ଦିନର ପ୍ରଚୁର ଖରା ଖେଳେଇ ହୋଇଯାଇଛି ରାଜଧାନୀର ସର୍ବତ୍ର । ଅନେକ କୋଠାରେ ନୂଆ ରଙ୍ଗ ଲାଗିଛି ଏ ଭିତରେ । ବଡ଼ ବଡ଼ ହାକିମମାନଙ୍କ ବଙ୍ଗଳାର ବଗିଚାରେ ଫୁଲର ପଟୁଆର । ସଚିବାଳୟ ଏବଂ ଏ.ଜି. ଅଫିସର ବଗିଚା ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଥିଲା । ଚଳିତ ବର୍ଷ ସେହି ସମ୍ମାନକୁ ସେକ୍ରେଟେରୀଏଟ୍‌ର ମାଳୀମାନେ ଅର୍ଜନ କରିବା ନିମନ୍ତେ ଆପ୍ରାଣ ଉଦ୍ୟମ କରୁଛନ୍ତି ।

 

ରାସ୍ତାଧାରର ଗଛରୁ ପତ୍ର ପଡ଼ୁଛି । ପାଚିଲା ପତ୍ର ଜାଗା ଛାଡ଼ି ଦଉଛି ନୂଆ ପତ୍ରକୁ ।

 

ଶୀତଦିନେ ରାଜଧାନୀ ହାଟରେ ଅନେକ ପରିବା । ଫୁଲ ଓ ବନ୍ଧାକୋବି, ବିଲାତି ବାଇଗଣ, ମୋଟର, ଶିମ, ଗାଜର, ମୂଳା, ସାଲଗମ୍‌, ବିନ୍‌, ବାଇଗଣ, ପାଳଙ୍ଗ ଏବଂ ଅନ୍ୟାନ୍ୟ ଅନେକ ପ୍ରକାର ଶାଗ । ଦର ବି ଶସ୍ତା । ଏହି ସମୟଟା ତଳ ଶ୍ରେଣୀର ଲୋକଙ୍କୁ ତରକାରୀ ଖାଇବାର ସୁଯୋଗ ଦିଏ, ନ ହେଲେ ତ ଭାତ ଆଉ ଡାଲି କି ଭାତ ଆଉ ଶାଗ ।

 

ସବୁ ମହରଗ ହୋଇଯାଉଛି । ଚାଉଳ, ଚୁଡ଼ାଠାରୁ ଆରମ୍ଭ କରି ଆଉ ସବୁ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥର ଦର ହୁ ହୁ ହୋଇ ବଢ଼ୁଛି । ସଂସାର ଖର୍ଚ୍ଚ ତୁଲେଇବା ପାଇଁ ଉପାର୍ଜନ ବଢ଼ୁ ନାହିଁ । ବଢ଼ୁଛି ଋଣ । ବିଭିନ୍ନ ପ୍ରକାର ଋଣ ନବା ପାଇଁ ବହୁ ସୁଯୋଗ ଖୋଲିଛି । ଅଫିସରୁ ପର୍ବପର୍ବାଣି ପାଳନ କରିବା ପାଇଁ ଫେଷ୍ଟିଭାଲ ଆଡ଼ଭାନ୍‌ସ, ସାଇକେଲ୍‌ କି ଟେବୁଲଫ୍ୟାନ୍‌ କିଣିବାପାଇଁ ଆଡ଼ଭାନ୍‌ସ ମିଳେ । ବ୍ୟାଙ୍କରୁ ମିଳେ ଋଣ । ଆଉ ଏହା ବାହାରେ ମିଳେ ହାତ ଉଧାରି । କାବୁଲିବାଲାମାନେ ଛାଇଗଲେଣି ରାଜଧାନୀକୁ ।

 

ରେଳଷ୍ଟେସନ ସାମ୍ନାକୁ ବସ୍‌ଷ୍ଟାଣ୍ତ ଉଠିଆସିବା ପରେ ଲକ୍ଷ୍ମଣର ଦୋକାନରୁ ଭଲ ରୋଜଗାର ହଉଛି । ଜଳଖିଆ ଦୋକାନରେ ଭିଡ଼ ଲାଗୁଛି ଦିନସାରା । ଆଗେ ଚକୁଳି ଏବଂ ଡାଲମା ଦଉଥିଲା ଏବେ ତା’ସାଙ୍ଗକୁ ସିଙ୍ଗଡ଼ା, ବରା, କାକରା, ଛେନାପୋଡ଼, ମିଠେଇ, ଜିଲାପି ଏବଂ ଚା’ର ବ୍ୟବସ୍ଥା ବି କରିଛି । ରାତି ଗ୍ରାହକମାନଙ୍କୁ ରୋଟି ଆଉ ଘୁଗୁନି । ଲକ୍ଷ୍ମଣର ସୌଭାଗ୍ୟ ଦେଖି ହିଂସା କରନ୍ତି ଅନ୍ୟମାନେ । କୁଲିମାନେ ତୋଳିଥିବା ମନ୍ଦିରରେ ବାବା ନୀଳକଣ୍ଠେଶ୍ୱରଙ୍କ ପାଖରେ ବଡ଼ିଭୋରରୁ ମୁଣ୍ତିଆ ମାରି ଦୋକାନ ଖୋଲେ ଲକ୍ଷ୍ମଣ । ରାତିରେ ଦୋକାନ ବନ୍ଦ କଲାବେଳକୁ ଏଗାର ବାଆର ବାଜିଯାଏ । ପୁଣି ସେଇ ନୀଳକଣ୍ଠେଶ୍ୱରଙ୍କ ପାଖରେ ମୁଣ୍ତିଆ ମାରି ତ୍ରିନାଥମେଳାର ଗଞ୍ଜେଇ ସେବନ କରି ଘରକୁ ଯାଇ ସୁମିତ୍ରା ପାଖରେ ଶୋଇପଡ଼େ । ସୁମିତ୍ରା କୁହେ, ବ୍ୟବସାୟ ବଢ଼ୁଛି ବୋଲି ମୋର ଆଦର କମି ଯାଉଛି । ମୋ ମୁହକୁ ଅନେଇବା ପାଇଁ ତୁମକୁ ତ ସମୟ ମିଳୁନାହିଁ ।

 

ଦିନଯାକର ମେହେନତ ପରେ ଗପିବା ପାଇଁ ଶକ୍ତି ନ ଥାଏ ଦେହରେ ଅବଶ ଦେହଟାକୁ ସୁମିତ୍ରା ପାଖରେ ଛାଡ଼ିଦେଇ ସେ ଶୋଇପଡ଼େ ନିଘୋଡ଼ ନିଦରେ । ସୁମିତ୍ରାର କଥା ଆଉ କାନକୁ ଶୁଭେ ନାହିଁ । ବଡ଼ିଭୋରରୁ ସୁମିତ୍ରା ଉଠିବାବେଳକୁ ଗାଧୋଇ ସାରି ପ୍ରସ୍ତୁତ ହୋଇ ସାରିଥାଏ ଲକ୍ଷ୍ମଣ । ସ୍ୱାମୀର ସଜସତେଜ ରୂପକୁ ଦେଖି ନିଦ ଛାଡ଼ି ନ ଥିବା ଅଳସ ଆଖିରେ ଭାଷା ଏବଂ ଓଠରେ ଚେନାଏ ହସ ଖେଳାଇ କୁହେ ସୁମିତ୍ରା, ମୋ ପାଖରେ ଟିକେ ବସନ୍ତ କି ସକାଳେ-! ଲକ୍ଷ୍ମଣ ହସିଦେଇ କୁହେ, ଚୁଉପ୍‌ ମନ୍ଦିରକୁ ଯାଉଛି.....ତୋ ପାଇଁ ତ ରାତିଟା ପଡ଼ିଛି ।

 

ରାତିଟାରୁ କେହି ଭାଗନେଲେ ସହିପାରେନାହିଁ ସୁମିତ୍ରା । ସେଥିପାଇଁ ଅଧରାତିରେ ସେ ଫେରିଲେ ଦିନଯାକର ଡହକ ବିକଳକୁ ଶାନ୍ତ କରିବା ଲାଗି ସେ ଲକ୍ଷ୍ମଣକୁ ଭିଡ଼ି ଧରେ, ତା’ କାନ ଫୁଙ୍କେ, ନାହିରେ ସୁଲୁ ସୁଲୁ କରେ, ଛାତି ଉପରେ ନଖ ବୁଲାଏ ଆଉ ଅଣ୍ଟାର ଲୁଗାଟା ଖୋଲିଦିଏ-

 

ଲକ୍ଷ୍ମଣକୁ ସେ ତପସ୍ୟା କରି ପାଇଛି । ବରଷେ କାଳ ଲିଙ୍ଗରାଜଙ୍କ ମଥାରେ ପାଣି ଢାଳି, ବେଲପତ୍ର ଚଢ଼େଇବା ପରେ ଲକ୍ଷ୍ମଣ ସାଙ୍ଗରେ ଦେଖାହୁଏ ମନ୍ଦିର ବେଢ଼ାରେ । ତାକୁ ଯେପରି ଠାକୁରେ ତା’ ପାଇଁ ଡାକି ଆଣିଥିଲେ ମନ୍ଦିରକୁ । ଲକ୍ଷ୍ମଣକୁ ଦେଖିବା ପରେ ସୁମିତ୍ରାର ବାପା ମା’ ରାଜି ହୋଇଗଲେ । ସେଇଦିନୁ ସ୍ୱାମୀ ସ୍ତ୍ରୀ ହୋଇଛନ୍ତି ଦୁହେଁ । ସ୍ୱାମୀ ସୁମିତ୍ରାର ସବୁ । ଲକ୍ଷ୍ମଣ ସେଇଦିନୁ ପର ସ୍ତ୍ରୀ ମୁହଁକୁ ଆଉ ଅନାଏ ନାହିଁ ।

 

ବର୍ଷ ସରିବା ଉପରେ । ଆଉ କେତୋଟି ଦିନ ପରେ ପାଠୁଆ ପିଲାମାନେ ବାଣ ଫୁଟେଇବେ, ମଶାଲ ଜାଳିବେ । ଗତବର୍ଷ ଦଳେ ଟୋକା କବିସମ୍ମିଳନୀ ସାରି ରାତି ଗୋଟାକରେ ତା’ ଦୋକାନରେ ଖାଇଥିଲେ । ଏବର୍ଷ ବି ଦୋକାନ ଖୋଲିବା ପାଇଁ ସେମାନଙ୍କର ବରାଦ । ମାଂସ ଝୋଳ, ଭାତ, ଖଟା ବରାଦ କରି ଯାଇଛନ୍ତି । ସେମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା କରିଛି ଲକ୍ଷ୍ମଣ । ଓଡ଼ିଶା ସନ କେବେ ସରି ଆଉ ଗୋଟେ ପୁଣି ଆରମ୍ଭ ହୁଏ ସହରର ଲୋକେ ଜାଣନ୍ତି ନାହିଁ, ଗାଆଁର ଲୋକେ ବି ଭୁଲି ଆସିଲେଣି । ଇଂରାଜୀ ନୂଆବର୍ଷ ସମସ୍ତଙ୍କୁ ମାୟା ଲଗେଇ ଦେଇଛି ।

 

ଲକ୍ଷ୍ମଣର ଦୋକାନ ଭିତରକୁ ପଶିଆସି କହିଲା ଲୋକଟିଏ, ଦୁଇଟା ଗରମ ସିଙ୍ଗଡ଼ା ଆଉ କପେ ଚା’ ଦେ ପୁଅ...... ।

 

ଲକ୍ଷ୍ମଣର ସାନଭାଇ ଶତ୍ରୁଘ୍ନ ଗରାଖକୁ ବସେଇ ସିଙ୍ଗଡ଼ା ଛାଣିବାକୁ ଗଲା ।

 

ବୟସ ପଚାଶ ହେବ । ମଥାର କେଶରୁ କେତୋଟି ଧଳା ଦିଶୁଛି । ସମ୍ଭ୍ରାନ୍ତ ପରି ଦିଶୁଛି-

 

ଲକ୍ଷ୍ମଣ ନୂଆ ଗ୍ରାହକ ଦେଖି କହିଲା, କୋଉଠୁ ଆସିଲେ ଆଜ୍ଞା ? ବିଭୂତି କହିଲା, ଆଠଗଡ଼ରୁ ଆସିଲି ଏଇ ତାଳଚେର ଗାଡ଼ିରେ ।

 

- ଆଗରୁ କେବେ ଦେଖିନାଇଁ ବୋଲି ପଚାରିଲି...ବସନ୍ତୁ । ଇଏ ଆପଣଙ୍କ ଦୋକାନ...ଯେତେବେଳେ ଇଚ୍ଛା ଚାଲି ଆସିବେ... ।

 

ଲକ୍ଷ୍ମଣ ସହର ତଳିରେ ବଡ଼ ହୋଇ ସହରର ଆଦବ କାଏଦା ଗୁଡ଼ା ଆୟତ୍ତ କରି ନେଇଛି । ଗ୍ରାହକମାନେ ପୃଷ୍ଠପୋଷକ । ସେମାନଙ୍କୁ ସମ୍ମାନ କରିବାକୁ ହୁଏ, ଆଜ୍ଞା ଆପଣ କରି କଥା କହିବାକୁ ହୁଏ । ସେମାନଙ୍କୁ ପାଇଁ ଖବରକାଗଜ ଖଣ୍ତେ କିଣେ ସେ । କେହି କେହି ପଢ଼ନ୍ତି । ଲକ୍ଷ୍ମଣ ବି ସମୟ ପାଇଲେ ଆଖି ବୁଲେଇ ନିଏ ।

 

ଖବରକାଗଜ ଖଣ୍ତକ ତାଙ୍କ ହାତକୁ ବଢ଼େଇ ଦେଇ କହିଲା ଲକ୍ଷ୍ମଣ, ସିଙ୍ଗଡ଼ା ଚା’ ଆସୁ ଆସୁ ଆଖି ବୁଲେଇ ନିଅନ୍ତୁ ସାର୍‌ !

 

ବିଭୂତି ‘ସାର୍‌’ ସମ୍ବୋଧନ ଶୁଣି ଖୁସି ହେଲା । ଆଠଗଡ଼ ଗଡ଼ଜାତ ଥିଲା ବୋଲି ଲୋକେ କଥା କଥାକୁ ‘ଭାଇ’ କି ଆଉ କିଛି ସମ୍ବୋଧନ କରନ୍ତି । ରାଜଧାନୀର ଲୋକେ ତା’ପରି ଲୋକକୁ ବି ‘ସାର୍‌’ କହନ୍ତି । ଏମାନେ ସମ୍ମାନ ପାଆନ୍ତି ଯେପରି ସମ୍ମାନ ନିଅନ୍ତି ବି ସେପରି ।

 

ବିଭୂତି ଖବରକାଗଜଟା ପଢ଼ିସାରିବାବେଳକୁ ଗରମ ସିଙ୍ଗଡ଼ାଆଉ ଚା’ ତା ଆଗରେ ରଖି ଦେଇଗଲା ଶତ୍ରୁଘ୍ନ ।

 

ଜଳଖିଆ, ଚା’ ଖାଇସାରି ବିଭୂତି କହିଲା, ସତ୍ୟାଗ୍ରହରେ ତୁମେ ସବୁ ଯୋଗ ଦଉନ କି-?

 

ଲକ୍ଷ୍ମଣ କହିଲା ଦୋକାନ ବନ୍ଦ କଲେ କର୍ମୀମାନେ ଖାଇବେ କୋଉଠି ? ଖାଇବା ଦୋକାନ, ଔଷଧ ଦୋକାନ ଖୋଲା ରହିବ ।

 

ବିଭୂତି କହିଲା, ପଚାରୁଛି ବୋଲି କିଛି ମନେକରିବ ନାହିଁ । ହରତାଳ ସଫଳ ହେବ ତ-?

 

ଲକ୍ଷ୍ମଣ କହିଲା, ଆମ ଦଳ ଡାକ ଦେଇଛି..... ହବନି ?

ବିଭୂତି କହିଲା ‘ଅଭ୍ୟୁଦୟ ସମାଜ’ ତୁମ ଦଳ ?

 

- ଆଜ୍ଞା । ମଳିମୁଣ୍ତିଆଙ୍କ କଥା ବୁଝିବା ପାଇଁ ଏଇ ଗୋଟେ ଦଳ ଅଛି । ଗରିବଙ୍କ ହିତ ପାଇଁ ଏଇ ଗୋଟେ ଦଳ କାମ କରେ । ଆଉ ସବୁ ବଡ଼ ବଡ଼ିଆଙ୍କ ଦଳ । ନ୍ୟସ୍ତସ୍ୱାର୍ଥ..... ।

 

ଲକ୍ଷ୍ମଣ ମୁହଁରୁ ‘ଅଭ୍ୟୁଦୟ ସମାଜ’ର କଥାଶୁଣି ଖୁସିହେଲା ବିଭୂତି ।

 

ଆଉ ଟିକେ ବେଶୀ ଜାଣିବା ପାଇଁ କହିଲା ବିଭୂତି, ଶୈବାଳ ମହାପାତ୍ର କିମିତି ନେତା-?

 

ଲକ୍ଷ୍ମଣ ଅସନ୍ତୁଷ୍ଠ ହେଲା ପ୍ରଶ୍ନ ଶୁଣି । ସେ କହିଲା, ଶୈବାଳ ମହାପାତ୍ରଙ୍କୁ ଚିହ୍ନନ୍ତି ନି ଆପଣ ? ତାଜ୍ଜୁବ୍‌ ଲାଗୁଛି କଥା ଶୁଣି......ଯାଆନ୍ତୁ, ଲିଙ୍ଗରାଜଙ୍କ ଦର୍ଶନ କରନ୍ତୁ ବା ନ କରନ୍ତୁ, ତାଙ୍କୁ ଦର୍ଶନ କରନ୍ତୁ..... ।

 

ବିଭୂତି କହିଲା, ଏଇ ହ୍ୟାଣ୍ଡବିଲ୍‌ଟା ପଢ଼ିଛ ?

ବିଭୂତି ଲକ୍ଷ୍ମଣ ହାତକୁ ଛାପା ହଳଦିଆ କାଗଜ ଖଣ୍ତିଏ ବଢ଼େଇ ଦେଲା ।

 

ଲକ୍ଷ୍ମଣ ମୁହୂର୍ତ୍ତେ ଦେଖିନେଇ କାଗଜ ଖଣ୍ତକୁ ଫେରେଇ ଦେଇ କହିଲା, ଇଏ ଅନ୍ୟାନ୍ୟ ଦଳଙ୍କ କାର୍ଯ୍ୟ । ସେମାନଙ୍କ ଆସନ ଟଳମଳ ହେଲାଣି ଯେ....ଖାଲି ସେମାନେ ରାଜନୀତି କରିବେ, ଆଉ କେହି କରିବେ ନାହିଁ । ସେମାନଙ୍କୁ କେହି ଏଥିପାଇଁ ତମ୍ବା ପଟ୍ଟା ଲେଖିଦେଇଛି ?

 

ବିଭୂତି କହିଲା, କିନ୍ତୁ ଏଇ ଅଳ୍ପସମୟ ଭିତରେ ଶୈବାଳ ବାବୁଙ୍କ ସାମ୍ରାଜ୍ୟ ଯେମିତି ବଢ଼ିଛି.... ।

 

-ବଢ଼ିବ ନାହିଁ ? ସିଏ ତ ଚୋରି କରିନାହାଁନ୍ତି । ଋଣ କରି କାମ ଆରମ୍ଭ କରିଛନ୍ତି । ଯିଏ ଯୋଗ୍ୟ, ତା’ କାମ ଅଟକେ ନାହିଁ ମ..... । କୂଆକୁ ମଇଳା କେବଳ ଦେଖାଯାଏ, ଆଉ କିଛି ଦିଶେ ନାହିଁ ।

 

ବିଭୂତି କହିଲା, ଆଠଗଡ଼ର ଦାୟିତ୍ୱ ନବାପାଇଁ ମୁଁ ଆସିଛି । ସେଠାରେ ବି ଦଳପାଇଁ ଆଗ୍ରହ ବଢ଼ୁଛି ।

 

ଲକ୍ଷ୍ମଣ କହିଲା, ଦଳ ଗଠନ ହବା ଦିନୁ ଲୋକଙ୍କର ସୁଅ ଛୁଟିଛି । ଆଗେ ସମାଜସେବା କରୁଥିଲେ, ଏବେ ସମାଜସେବା ସାଙ୍ଗକୁ ରାଜନୀତି ବି କରିବେ । କ୍ଷମତା ନ ଥାଇ କିଛି କାମ କରିବା ଅସମ୍ଭବ ଏ ଦେଶରେ... ଦେଖୁନାହାଁନ୍ତି ଦୁର୍ନୀତି କିପରି ମାଡ଼ି ଯାଇଛି... ।

 

ବିଭୂତି କହିଲା, ଭଲ ହେଲା ତୁମ ଦୋକାନକୁ ଆସିଲି । ଭୁଲ ଜାଗାକୁ ଯାଇଥିଲେ ବୋକା ହୋଇ ଫେରିଥାଆନ୍ତି ।

 

ଲକ୍ଷ୍ମଣ କହିଲା, ଏଇ ବସ୍‌ଷ୍ଟାଣ୍ତର ସବୁ ଲୋକ ଆମ ଦଳର । ସବୁ ରିକ୍‌ସାବାଲା, ସବୁ କୁଲି ବି ଆମ ଲୋକ... ଏଇଠୁ ବୁଝି ପାରୁଥିବେ..... ।

 

ବିଭୂତି ବେଶ୍‌ ପ୍ରଭାବିତ ହେଲା ଲକ୍ଷ୍ମଣର କଥାଦ୍ୱାରା । ସେ ଏତେଟା ଆଶା କରି ନ ଥିଲା । ସେ ଭାବିଥିଲା ଯେ ଦେଶରେ ଛତୁ ଫୁଟିଲା ଭଳି ଯେପରି ଅନେକ ରାଜନୈତିକ ଦଳ, ସାମାଜିକ ବା ସାଂସ୍କୃତିକ ସଙ୍ଗଠନ ସାମୟିକ ଉତ୍ତେଜନାରେ ଗଢ଼ି ଉଠି ପୁଣି ବିଲୟ ଲଭୁଛି ସ୍ୱାଭାବିକ ରୀତିରେ, ଅଭ୍ୟୁଦୟ ସମାଜ ବି ସେହିପରି ଗୋଟିଏ ଅନୁଷ୍ଠାନ ହୋଇଥିବ ଯେଉଁଥିରୁ ସେ ଫାଏଦା ଉଠେଇ ଅନ୍ୟତ୍ର ଚାଲିଯିବ । କିନ୍ତୁ ଏଠାକୁ ଆସି ସେ ଯାହା ଦେଖିଲା ତାହା ଭିନ୍ନ ପ୍ରକାର । ଏ ଭିତରେ ଅଭ୍ୟୁଦୟ ସମାଜର ସଙ୍ଗଠନ କେବଳ ଦୃଢ଼ ହୋଇ ନାହିଁ, ଏହାର ଭିତ୍ତିଭୂମି ପ୍ରସାରିତ ହୋଇଛି ଏବଂ ଏହାର ଭୂମିକାର ପ୍ରୟୋଜନୀୟତା ଉପଲବ୍‌ଧି କରାଯାଉଛି । ଶୈବାଳ ମହାପାତ୍ର ଆଉ ପାଞ୍ଚଜଣଙ୍କ ପରି ବିବୃତିସର୍ବସ୍ୱ ନେତା ହୋଇ ଖବରକାଗଜର ପୃଷ୍ଠା ମଣ୍ତନ କରୁନାହିଁ, ସହରର ସ୍ୱର୍ଣ୍ଣାଲୋକ ବହୁ ଦୂରରୁ ଦେଖାଯିବାପରି ତା’ର ବାଣୀ ସହରର ସୀମା ଅତିକ୍ରମ କରି ଗ୍ରାମାଞ୍ଚଳକୁ ପ୍ରସରି ଯାଇଛି ।

 

ବିଭୂତି ଲକ୍ଷ୍ମଣଠାରୁ ଆହୁରି କିଛି ଖବର ସଂଗ୍ରହ କଲା । ଦଳ ଗଠନ କରିବା ପାଇଁ ଅର୍ଥର ପ୍ରୟୋଜନ ହୁଏ । ସେଇ ଅର୍ଥ ବିଦେଶରୁ ଆସେ କି ଚାନ୍ଦା ଆକାରରେ ସଙ୍ଗୃହୀତ ହୁଏ । ଏହାର ପୃଷ୍ଠପୋଷକ ବିରଳା, ଡାଲମିଆ ପରି ବଡ଼ ବଡ଼ ଶିଳ୍ପପତି ନା ମଳିମୁଣ୍ତିଆ ସର୍ବସାଧାରଣ । ଅନ୍ୟାନ୍ୟ ଦଳର କର୍ମୀମାନଙ୍କର ସ୍ୱଚ୍ଛଳତା ଆଖି ଦୃଶିଆ । ନେତାମାନଙ୍କର ଚଳଣି ମଧ୍ୟ ଦେଖିବା ଭଳି । ଦେଶର ସମୃଦ୍ଧି ହେଉ ବା ନ ହେଉ ନେତା ଏବଂ ଦଳାଲମାନଙ୍କର ସମୃଦ୍ଧି ଅଟକି ଯାଇନାହିଁ-। ବିଭୂତି ଏପରି ଏକ ଦଳରେ ଯୋଗ ଦବା ପାଇଁ ଚାହେଁ ଯାହା ଦିନେ କ୍ଷମତା ଦଖଲ କରିପାରିବାର ଯୋଗ୍ୟ ଏବଂ ଯେଉଁଠାରେ ଅର୍ଥର ଅଭାବ ନାହିଁ; ଅନ୍ତତଃ ସେ ଅନ୍ୟାନ୍ୟ ଦଳର କର୍ମୀମାନଙ୍କଠାରୁ ଅଧିକ ଆରାମରେ ନ ରହୁ; କିନ୍ତୁ ସେମାନଙ୍କଠାରୁ ନ୍ୟୂନ ମଧ୍ୟ ନ ହେଉ ।

 

ଲକ୍ଷ୍ମଣ କିନ୍ତୁ ନିରାଶ କଲା ବିଭୂତିକୁ । ଅଭ୍ୟୁଦୟ ସମାଜର ଚେର ଏଇ ଦେଶର ମାଟିରେ ତା’ର ବିକାଶ ଏଇ ଦେଶର ପାଣି ଓ ପବନରେ । ବିଦେଶ ସହିତ ସମ୍ପର୍କ ନାହିଁ କି ବିଦେଶରୁ ଅର୍ଥ ସଂଗ୍ରହ କରିବା ଭଳି କରିତ୍‌କର୍ମା ଏହି ଅନୁଷ୍ଠାନରେ ନାହାଁନ୍ତି । ସାଧାରଣ ଲୋକଙ୍କର ଚାନ୍ଦା ଉପରେ ଅନୁଷ୍ଠାନ ନିର୍ଭର କରେ । ବଡ଼ଲୋକ ବା ଶିଳ୍ପପତି ଯେ କିଛି ନ ଦିଅନ୍ତି ଏହା ନୁହେଁ, କିନ୍ତୁ ସେମାନେ ବାଧ୍ୟ ହୋଇ ଦିଅନ୍ତି, ଦୟା ଦେଖାଇବା ପାଇଁ ବା ଭବିଷ୍ୟତର ସ୍ୱାର୍ଥକୁ ସଂରକ୍ଷିତ କରିବା ନିମନ୍ତେ ନୁହେଁ ।

 

ଲକ୍ଷ୍ମଣ ଆହୁରି କହିଲା, ଦଳ ବଦଳ କରିବା ଲୋକ ଆମ ଦଳରେ ନାହାଁନ୍ତି; ଦଳ ଗଢ଼ିବା ଲୋକ ଅଛନ୍ତି ଅନେକ । ଦୋଷ ଦୁର୍ବଳତା ତ ମଣିଷର ସହଜାତ । କିନ୍ତୁ ତାଙ୍କ ମଧ୍ୟରୁ ପଦ୍ମର ଜନ୍ମ ପରି ଲୋକଙ୍କର ଦୋଷ ଓ ଗୁଣରୁ ଜନ୍ମ ଅଭ୍ୟୁଦୟ ସମାଜ ।

 

ବିଭୂତି ଦ୍ୱନ୍ଦ୍ୱରେ ପଡ଼ିଗଲା ।

 

ସେ ଯାହା ଆଶା କରି ଭୁବନେଶ୍ୱର ଆସିଥିଲା ତାହା ଯେ ସଫଳ ହେବାର ଅବକାଶ ନାହିଁ ଏହା ସେ ହୃଦୟଙ୍ଗମ କରୁଥିଲା । କିନ୍ତୁ ଫେରିଗଲେ ସମସ୍ତେ କହିବେ ବିଭୂତି ଖାଲିହାତରେ ଫେରିଆସିଲା, କୌଣସି ଦଳ ତାକୁ ଜାଗା ଛାଡ଼ିଦେଲେ ନାହିଁ, ଦାୟିତ୍ୱ ଦବା ପାଇଁ ଯୋଗ୍ୟ ବିବେଚିତ କଲେ ନାହିଁ । ବିଭୂତ ଚା’ ଜଳଖିଆ ଖାଇ ଲକ୍ଷ୍ମଣର ଦୋକାନରୁ ଫେରିଯିବ କି ଅଭ୍ୟୁଦୟ ସମାଜର ବାର୍ତ୍ତା ନେଇ ଆଠଗଡ଼ରେ ଅନୁଷ୍ଠାନର ନୂତନ ପତାକା ଉଡ଼ାଇବ ତାହା ବିଚାର କରିବାପାଇଁ ଚାଲିଲା ପୁରୁଣା ଭୁବନେଶ୍ୱର ଆଡ଼କୁ । ଲିଙ୍ଗରାଜ ପ୍ରତ୍ୟକ୍ଷ ଦେବତା । ତାଙ୍କରି ମୁଣ୍ତରେ ବେଲପତ୍ର, ଫୁଲ ଚଢ଼େଇ ସେ ପ୍ରମାଣ କରି ଆସିବ କିଛି କରିବା ପୂର୍ବରୁ ।

 

ସହର ବଢ଼ୁଛି ଦ୍ରୁତ ବେଗରେ । ପଚିଶ ବର୍ଷ ତଳେ ଅରଣ୍ୟ ହୋଇପଡ଼ିଥିବା ଜାଗାଗୁଡ଼ାକ ଆଉ ଆଖିରେ ପଡ଼ୁନାହିଁ । ଯେଉଁ ଅଞ୍ଚଳକୁ ପଥରକଟାଳିମାନେ କାଁ ଭାଁ ଆସୁଥିଲେ ପଥର କାଟିବା ପାଇଁ, ସେଇ ଅଞ୍ଚଳ ବସତିରେ ପୂର୍ଣ୍ଣ । ସେହି ଅଞ୍ଚଳର ରାସ୍ତାରେ ଛୁଟିଛି ଯାନବାହନ । ଉଦ୍‌ବୃତ୍ତ ଜମି ଶେଷ ହୋଇ ଆସୁଛି ।

 

ରାସ୍ତାରେ ନବଜୀବନ ନିର୍ମାଣ କର୍‌ପୋରେସନ୍‌ ପକ୍ଷରୁ ନିର୍ମିତ ହେଉଥିବା ବହୁତଳ ପ୍ରାସାଦ କିଛି ସମୟ ଛିଡ଼ାହୋଇ ଦେଖିଲା । ନିର୍ମାଣ କାର୍ଯ୍ୟ ଶେଷ ହବାପରେ ଅଫିସ, ବ୍ୟାଙ୍କ ପ୍ରଭୃତି ପାଇଁ ପ୍ରଶସ୍ତ ସ୍ଥାନ ମିଳିଯିବ । ତା’ ପଛକୁ ରହିବା ଘର ପାଇଁ ସ୍ଥାନ ନିର୍ଦ୍ଦିଷ୍ଟ ହୋଇ ରହିଛି । ଖବରକାଗଜରେ ବିଜ୍ଞାପନ ଛାପା ହୋଇଛି । ଜମି ଓ ବାସଗୃହ ଏକ ସୂତ୍ରରୁ ମିଳିବ । ଧାଡ଼ି ଲାଗିଛି ଲୋକଙ୍କର ଫର୍ମ ଓ ଅମାନତ ଜମା କରିବା ପାଇଁ । ଜମି ଓ ଗୃହ ପାଇଁ ସବୁ ଦେୟ ଏକ କିସ୍ତିରେ ଦବାକୁ ହେବ ।

 

ବିଭୂତିର ଆଗ୍ରହ ହେଲା ଅଧିକ ଜାଣିବା ପାଇଁ । ସେ ନିର୍ମାଣ ସ୍ଥାନର ଅନତିଦୂରରେ ରାମକୃଷ୍ଣ ମିସନ୍‌ ପାଖରେ ନବଜୀବନ ନିର୍ମାଣ କର୍‍ପୋରେସନ୍‌ ଅଫିସକୁ ଯାଇ ସବୁ ବୁଝିଲା ଏବଂ କୌତୂହଳ ଦମନ କରି ନ ପାରି ପାଞ୍ଚଟଙ୍କା ଦେଇ ଗୋଟେ ଫର୍ମ ଆଣିବା ପାଇଁ ଯିବାବେଳେ ପ୍ରବେଶ ପଥରେ ଲେଖାଥିବାର ଦେଖିଲା-ଚନ୍ଦ୍ରଗୁପ୍ତ....ଡାଇରେକ୍ଟର ।

 

ଏଇ ନାମ ଆଗରୁ କେବେ ଶୁଣି ନ ଥିଲା ବିଭୂତି । ଲୋକଟା ଓଡ଼ିଆ ନା ବଙ୍ଗାଳି ନା ମାରଓ୍ୱାଡ଼ି ?

 

ସେ ଭିତରକୁ ପଶିବ କି ନାହିଁ, ଏହା ସିଦ୍ଧାନ୍ତ କରି ନ ପାରି ଦ୍ୱନ୍ଦ୍ୱରେ ପଡ଼ିଥିବାବେଳେ ଜଣେ ଖର୍ବକାୟ, ମନେ ନ ରଖିବା ଭଳି ବ୍ୟକ୍ତି ବାହାରେ ତାକୁ ଛିଡ଼ା ହୋଇଥିବାର ଦେଖି କହିବାର ଶୁଣିଲା ସେ, ଯଦି କାମ ଅଛି ଭିତରକୁ ଆସ.... ।

 

ଆଉ ପଛଘୁଞ୍ଚା ଦବାର ସୁଯୋଗ ନ ପାଇ ଭିତରକୁ ଗଲା ବିଭୂତି ।

- ତୁମର ନାମ ?

- ବିଭୂତି ସାମଲ । ଘର ଆଠଗଡ଼ରେ ।

- ଫର୍ମ ନବ ?

- ହଁ ।

 

ଗୋଟେ ଫର୍ମ ଦେଇ କହିଲା ଚନ୍ଦ୍ରଗୁପ୍ତ, ନାମ ଓ ଠିକଣା ଏହି ଖାତାରେ ଲେଖି ଟଙ୍କା ଦାଖଲ କର ।

 

ବିଭୂତି ଅନନ୍ୟୋପାୟ ହୋଇ ସେହିପରି କଲା । ଚନ୍ଦ୍ରଗୁପ୍ତ କହିଲା, ତୁମର ଭାଗ୍ୟ ଭଲ.....ପାଞ୍ଜିରେ ଲେଖା ନ ଥାଏ-ସମୁଦ୍ରୋ ଭାଷଣଂ ଫଳମ.....ଠିକ୍‌ ସେହିପରି । ଜମି ଓ ଦୁଇକୋଠରୀ ବିଶିଷ୍ଟ ଗୋଟିଏ ବାସଗୃହ ମାତ୍ର ପଚାଶ ହଜାରରେ ସରକାର ମଧ୍ୟ ଦେଇପାରିବେ ନାହିଁ । ଆମେ ତ ସଦାବର୍ତ୍ତ ଖୋଲିନୁ, ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏଇ କାମ ହାତକୁ ନେଇଛୁ । ନୋ ପ୍ରଫିଟ୍‌ ନୋ ଲସ୍‌ । ଲାଭ ନାହିଁ କି ଲୋକସାନ ମଧ୍ୟ ନାହିଁ । ମୂଳ ଉଠିଲେ ହେଲା-

 

ବିଭୂତି କହିଲା, ଆଠଗଡ଼ର ଲୋକ ମୁଁ......ଟଙ୍କା ଯୋଗାଡ଼ କରିବାକୁ ସମୟ ଲାଗିବ ।

 

ଶୀଘ୍ର କରିବାକୁ ଚେଷ୍ଟା କର । ଡିମାଣ୍ତ ବଢ଼ୁଛି । ଆଠଗଡ଼ରେ ଘର ଥିବା ନ ଥିବା ସମାନ । କୋଉ କାମରେ ଆସିବ ? ଶୀଘ୍ର ସେଠିକାର ସମ୍ପତ୍ତି ବିକ୍ରୀକରି ଏଠାକୁ ଚାଲିଆସ । ରାଜଧାନୀର ଜଳବାୟୁ ଅଲଗା । ଏଠାରେ ଅଳ୍ପ ଦିନରେ ବି ଫୁଲ ଫୁଟେ ।

 

ବିଭୂତି କହିଲା, ଏଠାକୁ ଆସି ସେୟା ଦେଖୁଛି । ଆପଣ ମୋ କଥା ଭୁଲିଯିବେ ନାହିଁ, ଦୟା ରଖିଥିବେ ।

 

ରନ୍ଦ୍ରଗୁପ୍ତ କହିଲା, ଦୟା ଦେଖାଇବାର ଏ ଜାଗା ନୁହେଁ, ସେଥିପାଇଁ ଲିଙ୍ଗରାଜ ଅଛନ୍ତି । ତୁମେ ଟଙ୍କା ନେଇ ଆସ, ତୁମ କାଗଜପତ୍ର ବୁଝିନିଅ.....ବର୍ଷକ ମଧ୍ୟରେ ଘର ଅଧିକାର କରିବ ।

 

ବିଭୂତି ନଇଁପଡ଼ି ନମସ୍କାର କଲା ଏବଂ ଧୀରେ ଧୀରେ ସୁଇଂଡ଼ୋର ଖୋଲି ବାହାରକୁ ଆସିବାବେଳେ ପଛରୁ ଧକ୍‌କା ଦେଲା କବାଟ ।

 

ଦ୍ୱାରମୁହଁରେ ଛିଡ଼ା ହୋଇଥିବା ପିଅନ ହସି ପକେଇ କହିଲା, ନୂଆ ଆସିଛ ନା ?

 

ବିଭୂତି ବାକ୍ୟବ୍ୟୟ ନ କରି ସିଧା ଗଲା ଲିଙ୍ଗରାଜ ମନ୍ଦିରକୁ । ତାଙ୍କର ଦୟାରୁ ସବୁ । ରାଜନୀତି କରିବାକୁ ଆସି ଜମି ଓ ଘରର ମାଳିକ ହବାର ସୁଯୋଗ ପାଇଛି ସେ । ବିଭୁ କୃପା ନ ଥିଲେ ଇମିତି ହୁଏ ନାହିଁ । ରାଜଧାନୀରେ ଘର ଥିବା ଲୋକର ମାନ ସମ୍ଭ୍ରମ ଭିନ୍ନ ପ୍ରକାର । ନେତା, ମନ୍ତ୍ରୀ, ଯନ୍ତ୍ରୀ ଏବଂ ବଡ଼ ସାହେବମାନଙ୍କ ସହ ପରିଚୟ ହେବ । ଦେହରୁ ଗାଉଁଲି ଗଡ଼ଜାତି ଗନ୍ଧ ଛାଡ଼ିଯିବ । ସେଠାରେ କର୍ମୀହୋଇ ରହିଥାଆନ୍ତା, ଏଠାରୁ ଯିବ ନେତା ହୋଇ ।

 

ବିଭୂତି ସାମଲି ଲିଙ୍ଗରାଜଙ୍କୁ ଭକ୍ତିପୂତ ପ୍ରଣାମ ଜଣାଇ ନଡ଼ିଆ ଲାଗି କରି ଫୁଲ, ବେଲପତ୍ର ଓ ପ୍ରସାଦ ନେଇ ବାହାରିବାବେଳକୁ ଗୋଟାଏ ବାଜି ଯାଇଥିଲା ।

 

ସେଇଠି ମହାପ୍ରସାଦ ପୁଞ୍ଜାଏ ଖାଇ ନେଇ ଖରାପଡ଼ିବା ପରେ ପଦବ୍ରଜରେ ଚାଲି ଆସିଲା ରାଜଧାନୀକୁ ।

 

ଦୋକାନ ବଜାର ସବୁ ବନ୍ଦ । ରାସ୍ତାରେ ଯାନବାହନ ଚାଲୁ ନ ଥିବାର ବି ଲକ୍ଷ୍ୟକଲା ବିଭୂତି ।

 

ହରତାଳ ସଫଳ ହୋଇଛି । ନବଜୀବନ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି ।

ଆଜି ବୋଧହୁଏ ଆଉ କାହାରି ସହିତ ଦେଖା ହେବ ନାହିଁ ।

 

ରାଜଧାନୀର ରାସ୍ତା ସବୁ ଶୂନ୍‌ସାନ୍‌ ଦିଶୁଥିଲା । ପାଣିକଳ ଉପରେ ଆଉଜି ବସିଥିଲା ଭିକାରିଟିଏ । ଲୋକ ନାହାଁନ୍ତି ରାସ୍ତାରେ । ରୋଜଗାର ବନ୍ଦ ।

 

ପାଗଳଟିଏ ପ୍ରଳାପ କରି କରି ଯାଉଥାଏ । ସବ୍‌ ଶାଲା ଚୋର୍‌....କୋଇ ଆଚ୍ଛା ନେହିଁ.....କୋଇ ଭି ମରଦ ନେହିଁ......ସବ୍‌ ଶାଲେ ଶୁଅରକେ ବଚ୍ଚେ ..... ସବ୍‌ ଝୁଟ୍‌ ହେ.....ହମ୍‌, ତୁମ୍‌, ସବ୍‌ ଆଦମୀ ଝୁଟ୍‌ ହୈ..... ।

 

ବିଭୂତିକୁ ଦେଖି ଖଙ୍କାର ମେଞ୍ଚାଏ ପକେଇ ତା’ ଆଡ଼କୁ ମାଡ଼ି ଆସି କହିଲା, ଶଳା ବଦ୍‌ତମିଜି...ନିମକହାରାମ ... ହିଃ, ହିଃ... ଶଳା ସହରକୁ ଆସିଛୁ, ସଲାମ କରୁନୁ ।

 

ବିଭୂତି ଭୟ କରି ତାକୁ ଏଡ଼ିଯିବା ପାଇଁ କହିଲା, ନମସ୍କାର ।

ପାଗଳ କାନ୍ଦି ଉଠିଲା । ସେଇ କାନ୍ଦ ଖେଳି ବୁଲିଲା ରାଜଧାନୀର ନିର୍ଜନ ରାସ୍ତାରେ ।

 

ମୋର ବି ସବୁ ଥିଲା । ଘର, ସ୍ତ୍ରୀ, ସଂସାର । ଏଇ ସହରକୁ ଆସିବା ପରେ ସବୁ ଲୁଟ୍‌ ହୋଇଗଲା...ଆଜି ମୁଁ ଏକା... ମୁଁ ଶଳା ବୋକା...ମୁଁ ଝୁଟା ...ସବ୍‌ ଶାଲା ଝୁଟ...ତୁ ଶଳା ଚୋର...ମାର ଶାଲାକୁ ... ।

 

ତା’ ପାଖରୁ ରକ୍ଷା ପାଇବା ପାଇଁ ବିଭୂତି ପ୍ରାଣ ବିକଳରେ ଦଉଡ଼ିଲା ଗଙ୍ଗ ନଗର ରାସ୍ତାରେ । କିଛି ଦୂର ଯିବାପରେ ଗୁଡ଼ାଏ ଲୋକଙ୍କୁ ଗୋଟେ ଘର ସାମ୍ନାରେ ଏକତ୍ର ଦେଖି, ଦମ୍ଭପାଇ, ଛିଡ଼ାହବାବେଳକୁ ତା’ ଆଖିରେ ପଡ଼ିଲା କୋଠା ଆଗରେ ଥିବା ସାଇନ୍‌ବୋର୍ଡ଼ ଉପରେ–

 

‘ଅଭ୍ୟୁଦୟ ସମାଜ’

ଗଙ୍ଗ ନଗର, ଭୁବନେଶ୍ୱର ।

ବେଶ୍‌ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଥିଲା । ନିର୍ଭୁଲ ଠିକଣା ।

ଜଣେ କିଏ ତା’ ପାଖକୁ ଆସି କହିଲା, ହରତାଳ ସଫଳ ହୋଇଛି ନା ?

ହଁ, ହଁ, ସମ୍ପୂର୍ଣ୍ଣ ସଫଳ ହୋଇଛି...... ।

ଜୟ ଅଭ୍ୟୁଦୟ ସମାଜର ଜୟ

ଜୟ ଶୈବାଳ ମହାପାତ୍ର କି ଜୟ,

ବନ୍ଦେ ମାତରଂ .... ।

ଲେଖିକାର ଚିଠି ପଢ଼ି ସ୍ତବ୍‌ଧ ହୋଇଗଲା ଶୈବାଳ ।

 

ଏବଂ ଧୀରେ ଧୀରେ ଏକ ଅବ୍ୟକ୍ତ ବେଦନା ତାକୁ ତିଳ ତିଳ କରି ଦଗ୍‌ଧ କରିବାକୁ ଲାଗିଲା ।

 

ଜୀବନରେ ସେ ଆଉ ନ ଥିବ ଏତେବେଳକୁ । ବିଫଳ ପ୍ରଣୟର ଅନ୍ତର୍ଦାହ ସହ୍ୟ କରି ନ ପାରି ସେ ଆତ୍ମହତ୍ୟା କରିଥିବ ଅଜ୍ଞାତ ସ୍ଥାନର ରେଳ ଲାଇନ୍‌ ଉପରେ । ମହାନଦୀ ବା କୁଆଖାଇ ପୋଲ ଉପରୁ ଡେଇଁ ପଡ଼ିଥିବ ତଳକୁ ।

 

ନିଜର ନିର୍ଲିପ୍ତତା ଏଥିପାଇଁ ଦାୟୀ । ଶୈବାଳର ଛାତି ଭିତରଟା ହୁ ହୁ କରି ଜଳୁଥାଏ ସେତେବେଳକୁ ଏବଂ ଏକ ଅସ୍ୱାଭାବିକ ଶୂନ୍ୟତାବୋଧ ତା’ର ସମଗ୍ର ଶରୀରକୁ ଗ୍ରାସ କରି ସାରିଥାଏ ।

 

ଶୈବାଳର ଆଖି ଆଗରେ ଆକାଶରେ ଭାସି ବୁଲୁଥିଲେ କେତୋଟି ଉଦାସ ମେଘ । ବାର୍ତ୍ତା ପହୁଞ୍ଚିବା ଆଗରୁ ପ୍ରଣୟିନୀ ଶେଷ କରି ଦେଇଛି ନିଜକୁ ।

 

ହଠାତ୍‌ ଶୈବାଳ ସବୁ ଚିଠିଗୁଡ଼ାକୁ ଏକତ୍ର କରି ଛାତି ଉପରେ ଜାକି ଧରି ବହୁ ସମୟ ପର୍ଯ୍ୟନ୍ତ ଲେଖିକାର ସ୍ପର୍ଶ ଅନୁଭବ କରିବାକୁ ଲାଗିଲା ।

 

କିଏ ସେଇ ଲେଖିକା, କଅଣ ବା ତା’ର ପରିଚୟ ? ରକ୍ତମାଂସର ଲେଖିକାକୁ ଆଉ ସ୍ୱଚକ୍ଷୁରେ ଦେଖିପାରିଲା ନାହିଁ ସେ । ସେ ଗୁଣମୁଗ୍‌ଧା ପ୍ରଣୟିନୀ ହୋଇ ରହିଗଲା । ଇମିତି ହୁଏ-। ପ୍ରକୃତି ପ୍ରେମର ପରିଣତି ଏହିପରି କରୁଣ ।

 

ଜୀବନକାଳ ଭିତରେ ଦୁହଁଙ୍କର ସିନା ସାକ୍ଷାତ୍‍ ହେଲା ନାହିଁ କି ପରସ୍ପର ମଧ୍ୟରେ ନିଭୃତରେ ଗଢ଼ି ଉଠିଥିବା ପ୍ରେମ ସଞ୍ଜୀବିତ ହୋଇପାରିଲା ନାହିଁ, କିନ୍ତୁ ତା’ର ପ୍ରେମ ସହିତ ସେ ବି ଅମର ହୋଇଗଲା । ସେଇ ପ୍ରେମର ତାଜମହଲ ଶୈବାଳର ହୃଦୟ ଭିତରେ ଚିରସୁନ୍ଦର ହୋଇ ରହିଥିବ ।

 

ସେଇ ଶୂନ୍ୟତାବୋଧ ଆଉ ଗଲା ନାହିଁ ତା’ ମନରୁ । କାମର ମଣିଷ ସେ । ଦୈନନ୍ଦିନ କାର୍ଯ୍ୟସୂଚୀ ମଧ୍ୟରେ ନିଜକୁ ଦିମଜ୍ଜିତ କରି ରଖି ମଧ୍ୟ ଶାନ୍ତି ପାଇଲା ନାହିଁ ଶୈବାଳ । ମେଘୁଆ ଆକାଶର ଏକ ଅଖ୍ୟାତ ସ୍ଥାନରୁ ଯେପରି ଉଙ୍କିମାରେ ସୂର୍ଯ୍ୟାଲୋକ, ସେହିପରି ଶୋକାଚ୍ଛନ୍ନ ହୃଦୟ ଭିତରୁ ବେଳେ ବେଳେ ଉଙ୍କି ମାରେ ଲେଖିକାର ମୁହଁ, ତାର ଭାଷା । ଶୈବାଳ ଅସ୍ଥିର ଭାବରେ ଘର ଭିତରେ ବୁଲେ, ଅଫିସରେ କାମ କରୁ କରୁ ହଠାତ୍‌ ଚୌକିରୁ ଉଠିପଡ଼େ । ଅଧୀର ଭାବରେ କଅଣ ଖୋଜେ ।

 

ଚାରିଆଡ଼େ କାମ ପଡ଼ିରହିଛି । ସେ ନିଶ୍ଚିନ୍ତ ହୋଇ ବସି ରହିପାରିବ ନାହିଁ । ଯେତେବେଳେ ଉଦ୍ୟମର ସୁଫଳ ଫଳିବାକୁ ଆରମ୍ଭ କରିଥିଲା ସେତେବେଳେ ସେ ଚାଲିଗଲା ।

 

ଶୈବାଳ ଅସ୍ଥିର ଭାବରେ ଘର ଭିତରେ ବୁଲୁଥିଲା ।

 

ଶୈଳ ଘର ଭିତରକୁ ପଶି ଆସି କହିଲା, ଇମିତି ଚିନ୍ତିତ ଜଣାପଡ଼ୁଛ ଯେ...... ମୁହଁ ବି ଶୁଖିଲା ଦିଶୁଛି ...ହେଲା କଅଣ ?

 

ତାକୁ ବୁଝାଇବାକୁ ଅସମର୍ଥ ଶୈବାଳ, ତା’ ମୁହଁରେ ଭାଷା କୁଳୋଉ ନାହିଁ । ସେ ଶୈଳକୁ କେବଳ କହିଲା, ଆଉସବୁ କିମିତି ଚାଲିଛି ।

 

- ସବୁ ଠିକ୍‌ ଚାଲିଛି । ଖଣ୍ତଗିରି ସ୍କୁଲକୁ ଯାଇଥିଲି ମୁଁ । ପଚାଶ ଜଣ ଛାତ୍ର ହେଲେଣି । ଆହୁରି ହେବେ । ଜାଗାଟା ଟିକେ ଦୂର, କିନ୍ତୁ ଦୂରତ୍ୱ କେବେ ପ୍ରତିବନ୍ଧକ ହୋଇ ନାହିଁ ଏ କାମରେ ।

 

ଶୈବାଳ ଆଉ ଏକା ନୁହେଁ । ନିଃସଙ୍ଗତା ଅପସରି ଗଲା । ସତେ ଯେପରି ଅଲକ୍ଷ୍ୟରେ ଥାଇ କେହି ତାକୁ ପରୀକ୍ଷା କରୁଛି । ଶୈଳ ସହିତ ଦେଖା ହେବା ଆଗରୁ ଲେଖିକା ସହିତ ସମ୍ପର୍କ ।

 

ଶୈଳ କହିଲା, ତୁମକୁ କହିବାକୁ ଭୁଲିଯାଇଛି...ମହିଳା ସମାଜର ବାର୍ଷିକ ଉତ୍ସବ ହବ ଏ ଭିତରେ । ତାରିଖ ନବାପାଇଁ ଆସିଛି । ତୁମେ ମୁଖ୍ୟ ଅତିଥି ।

 

ଶୈବାଳ କହିଲା, ମହିଳା ସମାଜର ମୁଖ୍ୟଅତିଥି ମହିଳା ହେବା ଉଚିତ ହେବ । ମୋ ସ୍ଥାନରେ ବରଂ ତୁମେ ନିଜେ ବା ଆଉ କାହାକୁ ଡାକ..... ।

 

ଶୈଳ କହିଲା, ମହିଳା ସମାଜର ଉତ୍ସବରେ ପୁରୁଷମାନେହିଁ କେବଳ ମୁଖ୍ୟଅତିଥି ହେବାର ପରମ୍ପରା ସୃଷ୍ଟି ହୋଇଛି । ତୁମେ ଜଣେ ସୁପୁରୁଷ, ସୁବକ୍ତା ଏବଂ ନେତା, ତୁମଠାରୁ ଆଉ ଯୋଗ୍ୟ ଲୋକ କିଏ ଅଛି କୁହ ?

 

ତା’ ଚିଠିରେ ବି ସେ ଇମିତି ଲେଖୁଥିଲା ସେ କୁଆଡ଼େ ଯୋଗ୍ୟ, ଆଉ ସମସ୍ତେ ଅଯୋଗ୍ୟ ।

 

ନିଜର ଯୋଗ୍ୟପଣିଆ ନିଜ ଆଖିରେ ଆହୁରି ବଡ଼ ହୋଇ ଉଠିଲା ଏବଂ ଶୈବାଳ ପିଲାଦିନରୁ ଏଯାଏ କିପରି ଆଗେଇବା ଏବଂ ପଛେଇବା ମଧ୍ୟରେ ବେଶି ଆଗକୁ ଆସିଛି ତାହା ଗୋଟିଏ ପ୍ରମାଣ ଭାବରେ ତା’ ଆଖିରେ ପହଞ୍ଚିଲା ଆସି । ରେଢ଼ାଖୋଲରେ ରାଜୁଡ଼ା ଶାସନ ସମୟରେ ରଜାଙ୍କର ନିଶ ଥିଲା ବୋଲି ଆଉ କେହି ନିଶ ରଖିପାରୁ ନ ଥିବାର କାହାଣୀ ସେ ଶୁଣିଥିଲା ପିଲାଦିନେ । ସେଇ କାହାଣୀ ଶୁଣିବା ଦିନୁ ରେଢ଼ାଖୋଲର ରଜାଙ୍କ ପ୍ରତି ତା’ ମନରେ କିନ୍ତୁ କୌଣସି ଦ୍ୱେଷ ଜାତ ହୋଇ ନ ଥିଲା, ବରଂ ସେ ରଜାଙ୍କୁ ପ୍ରଶଂସା କରୁଥିଲା ମନରେ । ନିଶ ଥିବା ଲୋକ ଯେ ଶହେ ପୁରୁଷଙ୍କ ମେଳରେ ବାଛି ହୋଇ ପଡ଼ିବା ଭଳି ଜଣେ ପୁରୁଷ ତାହା ଜାଣିବା ଦିନୁ ତାଙ୍କୁ ଦେଖିବା ପାଇଁ ମନ ଛଟପଟ ହେଉଥିଲା । ସେ ଛାତ୍ର ହବା ବେଳକୁ ରଜା ଆଉ ସେଠାରେ ରହୁ ନ ଥିବାର ଶୁଣିଥିଲା ସେ । ଇମିତି ପାରଙ୍ଗମ ପୁରୁଷ କାହିଁକି ରେଢ଼ାଖୋଲ ଛାଡ଼ି ଚାଲିଗଲେ ବୋଲି ତା’ ମନରେ ବିସ୍ମୟ ସୃଷ୍ଟି ହୋଇଥିଲା ।

 

ଲେଖିକାର ଆଖିରେ ସେ ରଜାର ନିଶ ପରି ବଡ଼ ହୋଇଉଠିଛି । ସେ ଆଉ ସାମାନ୍ୟ ବ୍ୟକ୍ତି ନୁହେଁ, ଏକା କୁଦାରେ ନାୟକ ସାଜି ମଞ୍ଚ ଉପରକୁ ଉଠି ଆସିଛି ।

 

ଶୈଳ ଆଖିରେ ସେ ଆଉ ଛୋଟ ନୁହେଁ, ଅନେକ ବଡ଼ ।

 

ଶୈବାଳ କହିଲା, ନିଜକୁ ନିଜେ ଯୋଗ୍ୟ ଭାବିବାଠାରୁ ଖୁସିର ଖବର ଆଉ କିଛି ଥାଇ ନ ପାରେ । ତୁମର ଅନୁଷ୍ଠାନକୁ ଯିବା ପାଇଁ ଯେତେବେଳେ କହୁଛ, ସେଇଟା ତ ଆଉ ଅନୁରୋଧ ନୁହେଁ, ଆଦେଶ ହୋଇଗଲାଣି ।

 

ଶୈଳ ହଠାତ୍‌ ସିଧା ଚାହିଁରହିଲା ଶୈବାଳର ମୁହଁ ଉପରକୁ । ସେଇ ମୁହଁର ଭାଷା ତା’ ପାଖରେ ଯେତିକି ବୋଧ୍ୟ ସେତିକି ଅବୋଧ୍ୟ ହୋଇ ଉଠିଲା ।

 

ଶୈଳର ଉପସ୍ଥିତିରେ ଖବର ଆସିଲା ଚନ୍ଦ୍ରଗୁପ୍ତ ପାଖରୁ । ପୁଲିସ୍‍ ଅଭ୍ୟୁଦୟ ସମାଜ ଅଫିସକୁ ଘେରିଯାଇ ଖାନ୍‍ତଲାସ ଆରମ୍ଭ କରିଛନ୍ତି । ଖବର ପାଇ ଚନ୍ଦ୍ରଗୁପ୍ତ ଆସି ପହଞ୍ଚିବାବେଳକୁ ଅଫିସ ଭିତରେ ପୁଲିସ୍‍ ଖାନ୍‍ତଲାସ ଆରମ୍ଭ କରି ଦେଇଥିଲେ । ଅନେକ କାଗଜପତ୍ର ଜବତ କରିଛନ୍ତି । ଆଉ ଠିକ୍‌ ଏକ ସମୟରେ ବ୍ୟାଙ୍କରେ ବି ଖାନ୍‍ତଲାସ ଚାଲିଛି । ମ୍ୟାନେଜର ଅଛନ୍ତି ସେଠାରେ । ପ୍ରତ୍ୟେକ ଲକର, ଚେଷ୍ଟ ଏବଂ ଆଲମାରୀ ତନ୍ନ ତନ୍ନ କରି ଖୋଜୁଛନ୍ତି ।

 

ସବୁ ଶୁଣିସାରି ଚିନ୍ତିତ ହୋଇ କହିଲା ଶୈବାଳ- ଉପାୟ ? ଆମ ଉପରେ ପ୍ରତିଶୋଧ ନବାର କାରଣ କଣ ?

 

ସେ ପାଖରୁ କହିଲା ଚନ୍ଦ୍ରଗୁପ୍ତ , ଆମର ଲୋକପ୍ରିୟତା । କିନ୍ତୁ ଉପାୟ ମୁଁ ଚିନ୍ତା କରିଛି–

ଶୈବାଳର ମୁହଁର ଚିହ୍ନ ବଦଳିବାରେ ଲାଗିଲା ।

 

ଚନ୍ଦ୍ରଗୁପ୍ତ ସେପାଖରୁ କହିଲା, ବିଦେଶରୁ ସାଂସ୍କୃତିକ କାର୍ଯ୍ୟ ପାଇଁ ଆସୁଥିବା ଅର୍ଥ ଏବଂ ସେହି ସମ୍ପର୍କିତ ସମସ୍ତ ଖାତାପତ୍ର ମୋ ପାଖରେ ନିରାପଦରେ ଅଛି । ସେମାନେ ତା’ର କୌଣସି ସୂଚନା ପାଇବେ ନାହିଁ । ଦିନଯାକ ଖାନ୍‍ତଲାସ କରି କିଛି ରବ୍ଦି କାଗଜ ନେଇ ଫେରିବେ କେବଳ-। ପର୍ବତର ମୂଷିକ ପ୍ରସବ ଯେପରି.......

 

ସେ ପାଖରୁ ହସର ଫୁଆରା ଶୁଣାଗଲା ଏ ପାଖକୁ ।

 

ଶୈବାଳ କିନ୍ତୁ ନିରୁଦ୍ଦିଗ୍ନ ନ ହୋଇ କହିଲା, ବ୍ୟାଙ୍କର ପରିଚାଳନା ସମ୍ପର୍କରେ ଛୋଟ ଅଭିଯୋଗ ଅଛି । ସଂରକ୍ଷିତ ଜମା ସମ୍ପର୍କରେ ସବୁ ବିଧି ବ୍ୟବସ୍ଥା ବ୍ୟାଙ୍କ ତ ପାଳନ କରୁନାହିଁ । ତା’ ଛଡ଼ା ଅନ୍ୟାନ୍ୟ ନିୟମବିରୁଦ୍ଧ କାର୍ଯ୍ୟ ବି କିଛି କରାଯାଇଛି ।

 

- ସେସବୁ ସମସ୍ତେ କରନ୍ତି । ଆମେ ଏକା ନୋହୁଁ । ସମାଜସେବା, ରାଜନୀତି ଖାଲି ହାତରେ ହୁଏ ନାହିଁ, ସେଥିପାଇଁ ଅର୍ଥ ଦରକାର ହୁଏ । ସମସ୍ତେ ଯେଉଁ ସୂତ୍ରରୁ ଅର୍ଥ ଆଣନ୍ତି ଆମେ ମଧ୍ୟ ସେଇ ସୂତ୍ରରୁ ଆଣିଛୁ । କେବଳ ଉପାୟଟି ଭିନ୍ନ- ସେମାନେ ସିଧା ନେଉଛନ୍ତି, ଆମେ ଅନୁଷ୍ଠାନକୁ ମାଧ୍ୟମ କରି ।

 

ଶୈବାଳ କହିଲା, ଅଦାଲତର ଆଶ୍ରୟ ନେଲେ ଚଳିବ । ରିଟ୍‌ ଫାଇଲ କର । ଇଞ୍ଜେକ୍‌ସନ୍‌ ମିଳେ ଯେପରି । ଖର୍ଚ୍ଚ ପାଇଁ ଡରିବ ନାହିଁ । ବଡ଼ ବଡ଼ ବାରିଷ୍ଟରଙ୍କ ସହିତ ପରାମର୍ଶ କର । ମୁଁ ବିରୋଧୀଦଳର ନେତାମାନଙ୍କୁ ଏକତ୍ର କରି ଏକ ବିବୃତ୍ତି ପତ୍ରିକାମାନଙ୍କୁ ପଠେଇବାର ବ୍ୟବସ୍ଥା କରୁଛି । ସରକାରୀ ଦଳର ଏଇ ସ୍ୱେଚ୍ଛାଚାରିତା ଏବଂ ମେରୀରାୟ ନୀତି ଆମେ ବରଦାସ୍ତ କରିବୁ ନାହିଁ । ଆମେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛୁ ଏକ ସୁନାର ଓଡ଼ିଶା ଗଢ଼ିବା ପାଇଁ । ଆମ ପ୍ରତିଜ୍ଞାରେ ଅଟଳ ରହିବୁ ଆମେ ।

 

ଚନ୍ଦ୍ରଗୁପ୍ତ କହିଲା, ଗୋପବନ୍ଧୁଙ୍କର ସେଇ ପଦେ କବିତା ତୁମେ ବାରମ୍ଭାର ଆବୃତ୍ତି କର ଯେ...ମୋର ବି କହିବାକୁ ଇଚ୍ଛା ହେଉଛି ଯେ–

 

ପଛଘୂଞ୍ଚା ନାହିଁ ବୀରର ଜାତକେ,

ନ ମରେ ସେ କେବେ ପରାଣ ଆତଙ୍କେ.... ।

ଦମ୍ଭ ଧର । ମୁଁ ବ୍ୟବସ୍ଥା କରୁଛି ।

ଟେଲିଫୋନ୍‌ ରଖିଦେଲା, ଶୈବାଳ । ଅଶୁଭ ସମ୍ବାଦ ଶୁଣି ମନ ବିଷଣ୍ଣ ହୋଇଗଲା ।

ଶୈଳ କହିଲା, କଅଣ ହେଲା ?

 

ଚନ୍ଦ୍ରଗୁପ୍ତ ପାଖରୁ ଶୁଣିଥିବା ସମ୍ବାଦ ଶୈଳକୁ କହିଲା ଶୈବାଳ । ଶୈଳ କହିଲା- ଦାଣ୍ତକୁ ବାହାରି କାଦୁଅକୁ ଭୟକଲେ ଚଳେ ନାହିଁ । ମୁଁ ବରଂ ଯାଉଛି ଉପର ମହଲ ସହିତ ମୋର ଯୋଗାଯୋଗ ଅଛି, ତୁମର ବି ଥିବ । ଚେଷ୍ଟା କରାଯାଉ । ତୁମକୁ ଜବଦ କରିବାର ଇଏ ଗୋଟେ ଉପାୟ ।

 

ଶୈବାଳ କହିଲା, ପୁଲିସ୍‍ ଖାନ୍‍ତଲାସି ଶେଷ ହବାପରେ ସେମାନେ ଜଣେ ଦୁଇଜଣଙ୍କୁ ଆରେଷ୍ଟ କରି ମୋକଦ୍ଦମା ରଜୁ କରିବେ ନିଶ୍ଚୟ । ମୁଁ ସେଇ ସମୟକୁ ଅପେକ୍ଷା କରିବି ।

 

ଶୈଳ କହିଲା, କେହି ଯେପରି ଆରେଷ୍ଟ ନ ହୁଅନ୍ତି ସେଥିପାଇଁ ମୁଁ ଚେଷ୍ଟା କରିବି । ମିନିଷ୍ଟରଙ୍କୁ କହିବି । ଗଣତାନ୍ତ୍ରିକ ସମାଜରେ ଏପରି ଜବରଦସ୍ତି ଶୋଭନୀୟ ନୁହେଁ ।

 

- ତୁମେ ବରଂ କର୍ମୀ ଏବଂ ସ୍ୱେଚ୍ଛାସେବକମାନଙ୍କୁ ତତ୍ପର କରି ରଖ । ଆରେଷ୍ଟ ବନ୍ଦ କରିବା ପାଇଁ କିଛି ନ କରି ଆରେଷ୍ଟ କରିବା ପରେ ତା’ର ସୁଯୋଗ ନବାଲାଗି ଆମେ ପ୍ରସ୍ତୁତ ହେବା ଦରକାର ।

 

ଅଳ୍ପସମୟ ଆଲୋଚନା ପରେ କାର୍ଯ୍ୟକ୍ରମ ସ୍ଥିର ହୋଇଗଲା । ସ୍ୱାଧୀନତା ଆନ୍ଦୋଳନ ସମୟରେ ଜେଲଗୁଡ଼ିକ ମନ୍ଦିରରେ ପରିଣତ ହୋଇଥିଲା । ହଜାର ହଜାର ଦେଶଭକ୍ତମାନଙ୍କୁ ଜେଲରେ ବନ୍ଦୀ କରି ଇଂରେଜ ସରକାର ଜେଲଖାନାଗୁଡ଼ିକ ପବିତ୍ର ତୀର୍ଥସ୍ଥଳୀରେ ପରିଣତ କରିଥିଲେ । ସେହିଦିନୁ ଶ୍ରୀ ଅରବିନ୍ଦ, ତିଳକ, ଗୋଖେଲ, ଗାନ୍ଧିଜୀ, ନେହେରୁ, ସୁବାସ ପ୍ରଭୃତି ଦେଶଭକ୍ତ ଏବଂ ଆହୁରି ଅନେକ ଦେଶଭକ୍ତଙ୍କର ସାଧନାର ପୀଠ ହୋଇଥିଲା ଏଇ ଜେଲଖାନା । ତା’ପରେ ସ୍ୱାଧୀନ ଭାରତବର୍ଷରେ ଜେଲଖାନାର ମହତ୍ତ୍ୱ ବଜାୟ ରଖିବାକୁ ରାଜନୈତିକ କାରଣରୁ ଜେଲ ଯାଇଛନ୍ତି ଅନେକ ଲୋକ । ତେଣୁ ଜେଲ ଯିବା ଆଉ ସାମାଜିକ କଳଙ୍କ ଭାବରେ ବିବେଚିତ ନ ହୋଇ ବରଂ ଦେଶସେବାର ଏକ ପ୍ରମାଣପତ୍ର ଭାବରେ ବ୍ୟବହୃତ ହେଉଛି । ଜେଲ ଯାଇ ନ ଥିବା ନେତା ଜେଲ ଯାଇ ଆଗର ଚୂଡ଼ାନ୍ତ ନିଦର୍ଶନ ଦେଇଥିବା ଯୋଗୁ ଏ ଦିଗରେ ଆଗୁଆ-। ସେଥିପାଇଁ ଜେଲ ଯାଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ତ ପେନ୍‌ସନ୍‌ ଓ ତାମ୍ରପତ୍ର ମିଳୁଛି ।

 

ଶୈବାଳ ସେ ସୁଯୋଗ ହରାଇବ କାହିଁକି ? ଆଜି ପର୍ଯ୍ୟନ୍ତ ଲୋକମାନଙ୍କ ପାଇଁ କାମ କରି ମଧ୍ୟ ଜେଲ ଯାଇଥିବାର ଛାପ ତା’ ଦିହରେ ଲାଗି ନ ଥିବାରୁ ସେ ଅର୍ବାଚୀନ ବୋଲି ଗଣ୍ୟ ହେଉଥିଲା । କଥା କଥାରେ ଜେଲ ଯାଇଥିବା ଅନ୍ୟ ଦଳର ନେତାମାନେ କହୁଥିଲେ ଯେ ଜେଲ ନ ଯାଇଥିବା ବ୍ୟକ୍ତିର ତ୍ୟାଗ ଯେପରି କମ୍‌, ଅଭିଜ୍ଞତା ମଧ୍ୟ ତତୋଽଧିକ କମ୍‌ । ଜେଲ ଯିବା ଯେପରି ଗୋଟେ ବଡ଼ ଘଟଣା ରାଜନୈତିକ ଜୀବନରେ । ଅନେକ ଗର୍ହିତ କାର୍ଯ୍ୟ କରି ମଧ୍ୟ ସେହି କଳଙ୍କରୁ ମୁକ୍ତିଲାଭ କରିବା ପାଇଁ ଜେଲ ଯାଆନ୍ତି ଅନେକ । ସେମାନଙ୍କ ପରି କଳଙ୍କମୋଚନ ସକାଶେ ଜେଲ ଯିବାର ଆବଶ୍ୟକତା ନ ଥିଲେ ମଧ୍ୟ ଭବିଷ୍ୟତ ପାଇଁ ଏହି ଅଭିଜ୍ଞତା ବ୍ୟାଙ୍କର ଫିକ୍‌ସଡ଼୍‌ ଡିପୋଜିଟ୍‌ ପରି କାମ ଦବ, ଏୟା ଭାବି ଶୈବାଳ ଆରେଷ୍ଟ ହବା ପାଇଁ ପ୍ରସ୍ତୁତ ହୋଇ ରହିଲା । ସେମାନଙ୍କୁ ଆରେଷ୍ଟ କରି ହାଜତକୁ ନବାପରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ସନ୍ଧ୍ୟାବେଳେ ବସ୍‌ ଷ୍ଟାଣ୍ତରେ ଗୋଟିଏ ସାଧାରଣ ସଭାରେ ସରକାରୀ ଦମନ ଲୀଳାର ତୀବ୍ର ଜିନ୍ଦାବାଦ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ତୁରନ୍ତ ଖଲାସ କରିବା ପାଇଁ ଦାବି କରିବା ପାଇଁ ସ୍ଥିର ହେଲା । ସ୍ୱେଚ୍ଛାସେବକ ଏବଂ କର୍ମୀମାନଙ୍କୁ କାର୍ଯ୍ୟରେ ଲଗାଇବାର ଦାୟିତ୍ୱ ଶୈଳ ହାତରେ ସମର୍ପି ଦେଇ କହିଲା ଶୈବାଳ, ସମାଜସେବାରୁ ରାଜନୀତିକୁ ଯିବାର ଏଇ ପଥଟି ସହଜ । ଆମର କାମ ଆହୁରି ସହଜ କରିଦେଲେ ସରକାର । କିନ୍ତୁ ମନେରଖ, ପ୍ରତିପକ୍ଷକୁ କେବେ ଦୁର୍ବଳ ମନେକରିବ ନାହିଁ । ଏହା ସରକାରୀ କଳର ଦୁର୍ବଳତା ନୁହେଁ । କେତେବେଳେ ଯେ ସେମାନେ ନୂତନ ରଣକୌଶଳ ପ୍ରୟୋଗ କରି ଆଉକିଛି ଗୁରୁତର ଅଭିଯୋଗ ଆଣିବେ ଆମ ଅନୁଷ୍ଠାନ ବିରୁଦ୍ଧରେ, ତାହା କହିହେବ ନାହିଁ । ସେଥିପାଇ ସତର୍କ ରୁହ ।

 

ଶୈଳ କହିଲା, ଆଜି ଲାଗୁଛି ତୁମେ ପାରିବ, ନିଶ୍ଚୟ ପାରିବ । ତୁମର ସ୍ୱପ୍ନ, ତୁମର ସଂକଳ୍ପ ବ୍ୟର୍ଥ ହେବ ନାହିଁ ।

 

ଲେଖିକାର ସ୍ୱର ଶୁଣି ଚମକି ପଡ଼ିଲା ଶୈବାଳ । ସବୁ ଶୈଳ ଲେଖିକା ପରି ନା ସବୁ ଲେଖିକା ଶୈଳପରି କିଛି ସ୍ଥିର କରି ନ ପାରି ହଠାତ୍‌ ଶୈଳର ହାତ ଦୁଇଟିକୁ ଜାକି ଧରି କହିଲା ଶୈବାଳ, ସମୟ ହୁଏତ ଖସି ଯାଉଛି ମୋ ହାତରୁ......ମୋତେ କଥା ଦିଅ ଶୈଳ.....ଆମେ ବନ୍ଧୁହୋଇ ରହିବା ।

 

ଶୈଳର ଆଖି ଆଗରେ ଏତେବଡ଼ ଦୁର୍ଦ୍ଧର୍ଷ ପୁରୁଷ ଜଣକୁ ତରଳି ଯାଉଥିବାର ଦେଖିବା ପାଇଁ ଭଲ ଲାଗୁଥିଲା ତାକୁ । ସେ ମୁହଁ ନୁଆଁଇ ଆଣିଲା ଶୈବାଳର ମୁହଁ ତଳକୁ । ତା’ର ଓଠ ଉପରେ ଶୈବାଳର ଦଂଶନ ଅନୁଭବ କରିବାବେଳକୁ କବାଟ ଖୋଲିବାର ଶବ୍ଦ ଶୁଣି ଛିଟିକି ପଡ଼ିଲା ଶୈଳ ।

 

ଶୈବାଳ କିଛି ବୁଝିପାରିବା ଆଗରୁ ଯିମିତି କିଛି ହୋଇନାହିଁ ଏହିପରି ସହଜିଆ ଭଙ୍ଗୀକରି ଚନ୍ଦ୍ରଗୁପ୍ତକୁ କହିଲା ସେ, ଆପଣ ଏତେଶୀଘ୍ର ଆସିବେ ବୋଲି କିଏ ଜାଣିଥିଲା ? ଭଲ କଲେ..... ବର୍ତ୍ତମାନ ଆଉ ଭୟ ନାହିଁ ।

 

ଚନ୍ଦ୍ରଗୁପ୍ତ ବୋଧହୁଏ ଅନେକ ବାଟ ଦୌଡ଼ି ଆସିଥିଲା । ଭାରି ଭାରି ନିଶ୍ୱାସର ଶବ୍ଦ ବେଶ୍‌ ଶୁଣାଯାଉଥିଲା । ତାକୁ ଚାହିଁ ଦେଇ କିନ୍ତୁ ସତରେ ଶଙ୍କିଗଲା ଶୈବାଳ ।

 

କଅଣ ହେଲା ? ପଚାରିଲା ସେ ।

 

ତୁମେ ପଳେଇଯାଅ ପୁଲିସ୍ ତୁମ ପିଚ୍ଛା କରୁଛି । ମୁଁ ଫୋନ୍‍ ଛାଡ଼ିଦବା ପରେ ଏଇ ଖବର ପାଇ ଆଉଥରେ ଫୋନ୍‌ କରିବା ପାଇଁ ସମୟ ନ ପାଇ ଚାଲି ଆସିଲି । ଫୋନ୍‌ ଗୁଡ଼ା ତ ଆଜିକାଲି ନିରାପଦ ନୁହେଁ ଏସବୁ କଥାଭାଷା ପାଇଁ ।

 

ଶୈଳ କହିଲା, କିନ୍ତୁ କାହିଁକି ? ଜେଲ ଯାଇ ଫେରି ଆସିଲେ ଶୂନ୍ୟସ୍ଥାନ ପୂର୍ଣ୍ଣ ହୋଇଯିବ, ଖାଲିଥିବା ସ୍ଥାନଟା ନୂତନ ଅଭିଜ୍ଞତାଦ୍ୱାରା ପୂର୍ଣ୍ଣହୋଇ ଉଠିବ ।

 

ଚନ୍ଦ୍ରଗୁପ୍ତ ତ୍ରସ୍ତ ହବା ସ୍ୱରରେ କହିଲା, ଜେଲକୁ ଯାଇ ସେଇ ସମ୍ମାନ ପାଇବାଠାରୁ ବରଂ ବାହାରେ ରହି ହିସାବପତ୍ରଗୁଡ଼ା ଠିକ୍‌ କରିନିଅ । ବ୍ୟାଙ୍କ ପକ୍ଷରୁ ଯେଉଁ ଗୃହନିର୍ମାଣ ଯୋଜନା କରାଯାଇଥିଲା ସେଥିରେ ଅନେକ ହେରଫେର ହୋଇଥିବାର ପ୍ରମାଣ ପାଇଛି ପୁଲିସ୍‍ ।

 

କିଏ କହିଲା ଏସବୁ ?

 

- ବ୍ୟାଙ୍କର କର୍ମଚାରୀମାନଙ୍କ ମଧ୍ୟରୁ କେହି କହିଥିବ କିମ୍ବା ଯେଉଁମାନେ ଟଙ୍କା ଜମା କରିଥିଲେ ଘର କିଣିବା ପାଇଁ ସେମାନଙ୍କ ଭିତରୁ କେହି ଅଭିଯୋଗ କରିଥିବ ।

 

- ଭଲ ବାରିଷ୍ଟର ଠିକ୍‌ କର । ମୋକଦ୍ଦମା ଲଢ଼ିବାକୁ ହେବ । କିନ୍ତୁ ଆରେଷ୍ଟ ନ ହେଲେ ଏ ସବୁକୁ ରାଜନୈତିକ ରଙ୍ଗ ଦିଆଯାଇପାରିବ ନାହିଁ, ଆମେ ଲୋକଚକ୍ଷୁରେ ନିର୍ଦ୍ଦୋଷ ପ୍ରାମଣିତ ନ ହୋଇ ଦୋଷୀ ହୋଇଯିବା ।

 

ଚନ୍ଦ୍ରଗୁପ୍ତ କଅଣ ଭାବିଲା ଯେପରି । ତା’ର ବୁଦ୍ଧିର ଶେଷ ସୀମାରେ ପହଞ୍ଚି ସାରିଥିଲା ସେ-। ଏତେଶୀଘ୍ର ସେମାନଙ୍କର ବର୍ଦ୍ଧିଷ୍ଣୁ ସାମ୍ରାଜ୍ୟ ଭାଙ୍ଗିପଡ଼ିବ, ଏହା ସେ କଳ୍ପନା ବି କରି ନ ଥିଲା-

 

ଚନ୍ଦ୍ରଗୁପ୍ତର ମୁହଁ ଉପରେ ଶବର ନିସ୍ତେଜତା ଦେଖି ଆଖି ଫେରେଇଲା ଶୈବାଳ । ତାକୁ ସାହସୀ ବୋଲି ସେ ଭାବୁଥିଲା ଆଜିଯାଏ । କିନ୍ତୁ ପୁଲିସ୍‌ର ନାମ ଶୁଣି ପିଳେହି ପାଣି ହୋଇଥିବାର ଚାକ୍ଷୁଷ ପ୍ରମାଣ ଦେଇ ସମ୍ମୁଖରେ ଛିଡ଼ା ହୋଇଛି ଚନ୍ଦ୍ରଗୁପ୍ତ । ତା’ର ମୁହଁ ଉପରେ କା’ ପୁରୁଷତାର କଦର୍ଯ୍ୟ କାଳିମା ଲେପିହୋଇ ଯାଇଥିଲା । ପାଞ୍ଚଫୁଟ ଚାରି ଇଞ୍ଚର ଲୋକଟା ଆହୁରି ଛୋଟ ଏବଂ ପ୍ରାୟ ବାମନ ପରି ଦେଖାଯାଉଥିଲା ।

 

ଶୈବାଳ ଚନ୍ଦ୍ରଗୁପ୍ତକୁ ଯୋଗସୂତ୍ରର ମାଧ୍ୟମ କରିବା ପାଇଁ ତାକୁ କହିଲା, ତୁମେ ବରଂ ଚାଲିଯାଅ.....ଆଉ ଶୈଳ ତମେ ବି ଯାଅ । ମୁଁ ଏଇଠି ଅପେକ୍ଷା କରିବି....ସେମାନେ ହୁଏତ ଆସୁଥିବେ ।

 

ଚନ୍ଦ୍ରଗୁପ୍ତ ଆଉ ଅପେକ୍ଷା ନ କରି ଆଖି ପିଛୁଳାରେ ଅଦୃଶ୍ୟ ହୋଇଗଲା ।

 

ଶୈଳ ଘର ଭିତରୁ ବାହାରିବାବେଳକୁ ପୁଲିସ୍‍ ଗାଡ଼ିଟା ଆସି ଛିଡ଼ାହେଲା ଘର ସାମ୍ନାରେ ।

 

ପୁଲିସ୍‍ ଇନିସ୍‍ପେକ୍ଟର ଚିହ୍ନା ଲୋକ । ତଥାପି ନ ଚିହ୍ନିବା ପରି କହିଲେ, ଆପଣଙ୍କ ନାମରେ ଆରେଷ୍ଟ ଓ୍ୱାରଣ୍ଟ ଅଛି ସାର୍‌..... ।

 

ଶୈବାଳ କହିଲା, ଅଭିଯୋଗ କଅଣ ଜାଣିପାରେକି ?

- ଅନେକ ।

ଶୈବାଳ କହିଲା, ମୋତେ କେତେ ମିନିଟ୍‌ ସମୟ ଦେବେ ?

ଇନିସ୍‌ପେକ୍ଟର ରାଜି ହେଲେ ।

ପ୍ରସ୍ତୁତ ହୋଇସାରିବା ପରେ ଶୈଳକୁ କହିଲା ସେ, ମୁଁ ଚାଲିଲି.... ।

ଶୈଳର ଆଖି ଦିଓଟି ଓଦା ହୋଇଆସିଲା ।

 

ପୁଲିସ୍‍ ଇନିସ୍‌ପେକ୍ଟର ଆଗ୍ରହ ଦମନ କରି ନ ପାରି କହିଲେ, ଇଏ ଶୈଳ ଶୈଳ ଦେବୀ ନା ?

 

ଶୈଳକୁ ପରିଚୟ କରାଇ ଦବାକୁ ସୁଯୋଗ ନ ପାଇ କେବଳ ମଥା ହଲାଇଲା ଶୈବାଳ-

 

ପୁଲିସ୍‍ ଗାଡ଼ିଟା ଅଦୃଶ୍ୟ ହୋଇଯିବା ପରେ ଶୈଳ ଧୀରେ ଧୀରେ ଚାଲିଲା ରାସ୍ତା ଉପରକୁ ।

 

ତାକୁ ଅନେକ କାମ ଦେଇଯାଇଛି ଶୈବାଳ । ରାଜନୀତିର ଅଭିଧାନରେ ବିଶ୍ରାମ ବୋଲି ଗୋଟିଏ ଶବ୍ଦ ନାହିଁ । ଠେଲି ପେଲି ଆଗେଇବାକୁ ହେବ । କିଛି ନ କରି ହାତଗୋଡ଼ ବାନ୍ଧି ବସିଥିବାବେଳେ ବି କିଛି କରୁଥିବାର ସୂଚନା ଦବାକୁ ହେବ । ପ୍ରତିପକ୍ଷକୁ ସୁଯୋଗ ନ ଦେଇ ରାଜନୀତିରେ ନିଜକୁ ଚାଲୁ ରଖିବା ପାଇଁ ଖବରକାଗଜରେ ବିବୃତ୍ତି ଛାପିବାକୁ ହେବ ।

 

ସେ ସିଧା ଖବରକାଗଜ ଅଫିସକୁ ଯାଇ ଶୈବାଳ ମହାପାତ୍ର ଏବଂ ଅଭ୍ୟୁଦୟ ସମାଜର ଅନ୍ୟାନ୍ୟ ନେତାଙ୍କର ଗିରଫଦାରୀର ତୀବ୍ର ନିନ୍ଦାକରି ଏକ ଦୀର୍ଘ ବିବୃତ୍ତି ସମ୍ପାଦକଙ୍କ ହାତକୁ ବଢ଼ାଇ ଦେଇ କହିଲା, ବ୍ୟକ୍ତି ସ୍ୱାଧୀନତା କେବଳ ବିପନ୍ନ ହେବାକୁ ବସିନି ଲୋପ ପାଇବାକୁ ବସିଛି । ଆପଣ ଆମକଥା ନ ଛାପିଲେ ସତକଥାଟା ଲୋକେ ଜାଣିବେ ନାହିଁ ।

 

ସମ୍ପାଦକ ବୟସ୍କ ଓ ସୁଚତୁର । ବହୁଦିନର ଅଭିଜ୍ଞତା ତାଙ୍କର ଏ ଲାଇନରେ । ସେ ମୁହଁ ଉପରେ ଟିକେ ହସ ଖେଳାଇ କହିଲେ, ରାଜନୀତିର ରଣକୌଶଳ ଯିଏ ଯେତେ ଭଲଭାବରେ ଜାଣେ ସେ ସେତିକି ସଫଳ ରାଜନୀତିଜ୍ଞ । ମୋର ତ ମନେହୁଏ ଶୈବାଳ ବାବୁ ଖୁବ୍‌ ଚତୁରତା ଦେଖେଇଛନ୍ତି ।

 

ସରକାରୀ ବକ୍ତବ୍ୟ ପ୍ରକାଶ ପାଇବା ଆଗରୁ ଆମର ଯାହା କହିବାର ଅଛି ଲୋକେ ଜାଣନ୍ତୁ । ଶୈଳ କହିଲା ।

 

- ଲୋକେ ସବୁ ଜାଣନ୍ତି ଶୈଳ ଦେବୀ । ଆମର ଦୁର୍ଭାଗ୍ୟ ଯେ ସବୁ ଜାଣି ବି ଏ ଦେଶର ଲୋକେ ଅଜ୍ଞପରି କାମ କରନ୍ତି । ଆଇନର ଶାସନ ପ୍ରଚଳନ ପାଇଁ ସାମାନ୍ୟ ଯୋର ଜବରଦସ୍ତି କରିବାଦ୍ୱାରା ସରକାରଙ୍କର ଯେପରି ସୁନାମ ନଷ୍ଟ ହୁଏ, ଦୁର୍ନାମରୁ ରକ୍ଷାପାଇବା ଲାଗି ରାଜନୀତି କରୁଥିବା ଲୋକଙ୍କୁ ଜେଲ ଯିବାକୁ ହୁଏ । ଏ ଦୁଇଟି ବିରୋଧାଭାସ ମଧ୍ୟରେ ଯେଉଁଦିନ ସମାଧାନ ସମ୍ଭବ ହେବ ସେହିଦିନ ଏ ଦେଶର ଜନସାଧାରଣ ସୁଖରେ କାଳାତିପାତ କରିବେ ।

 

ଟେଲିପ୍ରିଣ୍ଟର ଯନ୍ତ୍ରରେ ଦେଶ ବିଦେଶରୁ ଆସୁଥିବା । ସମ୍ବାଦ ଉପରେ ଆଖି ପକେଇ ଦେଇ ଗୋଟିଏ ଛୋଟ ସ୍ଥାନୀୟ ସମ୍ବାଦ ଉପରେ ଆଖି ପଡ଼ିବା କ୍ଷଣି ଉତ୍କଣ୍ଠିତ ହବା ପରି କହିଲେ ସମ୍ପାଦକ, ସର୍ବନାଶ ... ।

 

ଶୈଳ ବିସ୍ମିତ ହୋଇ କହିଲା, କଅଣ ହେଲା ?

 

ସେହି ସମ୍ବାଦ ତଳେ ଲାଲ ଗାର ଟାଣି ତା’ ହାତକୁ କାଗଜ ଖଣ୍ତକ ବଢ଼େଇଦେଲେ ସମ୍ପାଦକ । ସେଥିରେ ଲେଖାଥିଲା-

 

ଅସାମାଜିକ କାର୍ଯ୍ୟରେ ଲିପ୍ତଥିବା ସମୟରେ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ କେତେଜଣ ଯୁବତୀଙ୍କୁ ପୁଲିସ୍‍ ସ୍ଥାନୀୟ ଏକ ତିନି ତାରକା ବିଶିଷ୍ଟ ଅତ୍ୟାଧୁନିକ ହୋଟଲରୁ ଧରିଆଣି ସେମାନଙ୍କ ସମ୍ପର୍କରେ ଆହୁରି ଅନୁସନ୍ଧାନ ଚଳେଇଛନ୍ତି । ଏହି ସଂକ୍ରାନ୍ତରେ ରାଜନୈତିକ ଏବଂ ପ୍ରଶାସନିକ କ୍ଷେତ୍ରର କେତେକ ବଡ଼ ବଡ଼ ବ୍ୟକ୍ତିଙ୍କ କ୍ରିୟାକଳାପ ସମ୍ପର୍କରେ ପୁଲିସ୍‍ କିଛି ଚମକପ୍ରଦ ତଥ୍ୟ ପାଇଥିବାର ଜଣାପଡ଼ିଛି ।

 

ଶୈଳ ସମ୍ପାଦକଙ୍କ ମୁହଁକୁ ପୁଣି ଆଉଥରେ ଅନେଇଲା ।

 

ବନ୍ଦ କୋଠରୀ ଭିତରକୁ ଛିଟିକି ପଡ଼ିଥିବା ଚେନାଏ ଖରାପରି ତାଙ୍କ ମୁହଁ ଉପରେ ଚେନାଏ ସ୍ମିତହାସ୍ୟ ଲୀଳା କରୁଥିଲା ଠିକ୍‌ ଆଗପରି ।

 

ଶୈଳ ଆଉ ଅପେକ୍ଷା ନ କରି ଚାଲିଲା ମାଳିସାହି ଆଡ଼କୁ ।

 

ବେଶୀ ସମୟ ଲାଗିଲା ନାହିଁ । ସରକାରୀ ଜମି ଜବରଦଖଲ କରି ସେଠାରେ ବସବାସ କରି ଏକ ଅସ୍ୱାସ୍ଥ୍ୟକର ଅସାମାଜିକ ପରିବେଶ ସୃଷ୍ଟି କରୁଥିବା ଅନେକ ଲୋକ ତାଙ୍କର ପ୍ରାପ୍ୟ ଆଗୁଆ ନେଇ ସଜ ହେଲେ ଶୋଭାଯାତ୍ରାରେ ସାମିଲେ ହେବା ପାଇଁ । ସ୍ଥିରହେଲା ଯେ ସନ୍ଧ୍ୟାବେଳେ ଶୋଭାଯାତ୍ରା ମାଳିସାହିରୁ ବାହାରି ଷ୍ଟେସନ ସ୍କୋୟାର ଦେଇ ଜନପଥ ଓ ରାଜପଥ ଦେଇ ବସ୍‌ଷ୍ଟାଣ୍ତକୁ ଆସିବ । ସେଇଠାରେ ସଭା ହେବ ଶୈଳ ପଟ୍ଟନାୟକଙ୍କ ସଭାପତିତ୍ୱରେ ।

 

ମାଳିସାହିର ମଣିଷମାନଙ୍କ ମଧ୍ୟରେ ଫେରିଆସିଲା ଚଞ୍ଚଳତା । ଚୋରା ମଦ ବିକ୍ରୀ କରୁଥିବା ବ୍ୟାଙ୍କ ପଛର ଦୋକାନ ଆଗରେ ଚଞ୍ଚଳତା ଦେଖାଗଲା ।

 

ମାଳିସାହିର ଲୋକମାନେ ଖଜଣାଖାନାର ଟଙ୍କାପରି । ଯାହାର ଯେତେବେଳେ ଦରକାର ସେମାନଙ୍କୁ ସେତେବେଳେ ବ୍ୟବହାର କରିପାରିବ । ସେମାନେ କାହାର ନୁହଁନ୍ତି, କିନ୍ତୁ ସମସ୍ତଙ୍କର; ପୁଣି ମୌକା ପଡ଼ିଲେ କେବଳ ନିଜର, ଠିକ୍‌ ଯିମିତି ବାକ୍‌ସ ଭିତରେ ଭୋଟ କାଗଜ ଖଣ୍ତକ ଗଳାଇ ଦବା ପୂର୍ବର ସତର୍କ ସଚେତନ ସ୍ୱାର୍ଥପରତା । ସେମାନେ ରାଜଧାନୀ ହବା ଆଗରୁ ଆସିଥିଲେ, ରାଜଧାନୀ ନିର୍ମାଣ ହବା ପରେ ଆଉ ସେମାନଙ୍କୁ କେହି ଛାଡ଼ି ନାହିଁ, ରହିଯାଇଛନ୍ତି । ସେମାନଙ୍କ ହାତର ଝାଳ, ଅଣ୍ଟାରେ ରକ୍ତ ଏବଂ ଶରୀରର ଶ୍ରମଦ୍ୱାରା ଇଟା ଯୋଡ଼ି ହୋଇ ପ୍ରାସାଦ ତୋଳା ହୋଇଛି, ବଗିଚା ତିଆରି ହୋଇ ମଖମଲି ଘାଷ ଚାଷ କରାଯାଉଛି, ଖାଲ ଢିପ ଅନ୍ଧାରୁଆ ଜାଗା ସମତଳ ଓ ଆଲୋକିତ ହୋଇଛି; କିନ୍ତୁ ସେମାନେ ସିମିତି ରହିଯାଇଛନ୍ତି ରାସ୍ତା କଡ଼ରେ ହଗିବା ପାଇଁ, ବର୍ଷାରେ ଭିଜିବା ପାଇଁ, ବଡ଼ଲୋକଙ୍କ ଗରଜ ମେଣ୍ଟେଇବା ପାଇଁ ଏବଂ ନିର୍ବାଚନବେଳେ ନିର୍ଦ୍ଦିଷ୍ଟ ବାକ୍‌ସରେ ଭୋଟ କାଗଜ ଭର୍ତ୍ତିକରି ଗୁଜୁରାଣ ମେଣ୍ଟେଇବା ପାଇଁ ।

 

ସେମାନେ ଆହୁରି ଅନେକ ଦିନ ରହିବେ । ରାଜପଥର ଦୁଇ ପାଖରେ କୃଷ୍ଣଚୁଡ଼ା ଗଛମାନଙ୍କର ଶୋଭା ପରି ସେମାନେ ବି ଶୋଭା ପାଉଥିବେ, ଗଛର ଛାଇପରି ସେମାନଙ୍କର ବି ଆବଶ୍ୟକତା ହେଉଥିବ ।

 

ଶୈଳ ମୁହଁରୁ ପ୍ରଥମ ସ୍ଲୋଗାନ ଟାଣି ନେଇ କହିଲା କୋଣ୍ତଲ ରାଓ,

ପୁଲିସ୍‌ ଦମନ ଚଳିବ ନାହିଁ

କଳା ଆଇନ ମାନିବୁ ନାହିଁ ।

ଆମ୍ଭରି ମୁହଁର ଗୋଟିଏ କଥା

ଶୈବାଳ ବାବୁ ସବୁରି ନେତା ।

 

ଏମାନେ ଥିବାପର୍ଯ୍ୟନ୍ତ ବିପ୍ଳବ ବଞ୍ଚିଥିବ । ଶୋଭାଯାତ୍ରା ଚାଲିଥିବ । ବସ୍‌ଷ୍ଟାଣ୍ତ ବା ପରେଡ଼ ପଡ଼ିଆରେ ସଭା ହେଉଥିବ ।

 

ଶୋଭାଯାତ୍ରା ଆଗେଇ ଚାଲିଲା ।

 

ଏତେବେଳେ ଶୈଳର ମନେପଡ଼ିଲା ଯେ ପଛକୁ ଫେରିବାର ବାଟ ବନ୍ଦ ହୋଇଯାଇଛି-। ଶୈବାଳ ସାଙ୍ଗରେ ତାଙ୍କୁ ଚାଲିବାକୁ ହେବ ।

 

ହଠାତ୍‌ ତା’ ଓଠ ଉପରେ ନିଭିଯାଇଥିବା ଶୈବାଳର ଉତ୍ତପ୍ତ ଦଂଶନ ସର୍ବାଙ୍ଗରେ ସଞ୍ଚରି ଯିବାକୁ ଲାଗିଲା । ଏକ ଅବ୍ୟକ୍ତ ଯନ୍ତ୍ରଣାକୁ ବ୍ୟକ୍ତ କରି ନ ପାରି ସେ ଆହୁରି ଜୋର୍‍ରେ ସ୍ଲୋଗାନ ଦବାପାଇଁ ଆହ୍ୱାନ ଦେଲା କର୍ମୀମାନଙ୍କୁ ।

 

ଇନ୍‌କିଲାବ ଜିନ୍ଦାବାଦ.....

ଚନ୍ଦ୍ରଗୁପ୍ତ ତାକୁ ଦେଇଥିବା ପତିଶ୍ରୁତିଗୁଡ଼ାକୁ ହିସାବ କରୁଥିଲା ସେବା ।

 

ତରାଜୁର ଗୋଟିଏ ପାଖରେ ପ୍ରତିଶ୍ରୁତିର ମୋଟା ଅଙ୍କ ଏବଂ ଅନ୍ୟପାଖରେ ଅପୂର୍ଣ୍ଣ ପ୍ରତିଶ୍ରୁତିର ଶୂନ୍ୟ ସ୍ଥାନ । ସେ ଠକି ଯାଇଛି ।

 

ହଠାତ୍‌ ସେବାର ମନଟା ହୁ ହୁ କରି ଜଳିବାକୁ ଲାଗିଲା । ବନସ୍ତରେ ନିଆଁ ଲାଗିଲେ ସମସ୍ତେ ଜାଣନ୍ତି, କିନ୍ତୁ ମନରେ ନିଆଁ ଲାଗିଲେ ନିଜେ ଦଗ୍‌ଧ ହେବା ଛଡ଼ା ବାହାର ଲୋକଙ୍କ ଆଖିକୁ ତାହା ଦିଶେ ନାହିଁ । ସେ ପ୍ରତିଶ୍ରୁତିର ଲୋଭରେ ନିଜକୁ ନିଃସ୍ୱ କରିଦେଇଛି । ନିଜକୁ ଶୂନ୍ୟ କରି ଚନ୍ଦ୍ରଗୁପ୍ତର ଭଣ୍ତାରକୁ ପୂର୍ଣ୍ଣ କରିଛି କେବଳ ।

 

ବଡ଼ ଅସହାୟ ମନେକଲା ସେବା । ନିଜର ବର୍ତ୍ତମାନ ଓ ଭବିଷ୍ୟତ ଘୁରି ଘୁରି ତାହାରି ଆଗକୁ ଫେରି ଆସିଲା ପୁଣି । ଚିନ୍ତାକୁ ମନରୁ ବହିଷ୍କାର କରିପାରିଲା ନାହିଁ ।

 

ସେ ଆଉ ଏକା ନୁହେଁ ।

 

ତା’ ଭିତରେ ଆଉ ଜଣକର ଉପସ୍ଥିତି ପ୍ରତିମୁହୂର୍ତ୍ତରେ ସେ ଅନୁଭବ କରୁଛି । ପ୍ରତିଶ୍ରୁତିର ବୋଝ ବୋହି ନେଇ ଅନାଗତ ଆସିପାରିବ ପୃଥିବୀର ଉତ୍ତପ୍ତ ଓ କଙ୍କରିତ ପଥକୁ ? ସେଇ ଅନାଗତର ପଦଧ୍ୱନି ଶୁଣି ସେ ଚମକି ପଡ଼ିଲା ।

 

ଇମିତି ରାଶି ରାଶି ପ୍ରତିଶ୍ରୁତି ପାଇଛି ମଣିଷ । ପ୍ରତିଶ୍ରୁତି ଦେଇଥିବା ଲୋକ ନିଜ କାମ ସାରି ବାହୁଡ଼ି ଗଲାଣି । ଆଖିରେ ଯେଉଁମାନେ ପଡ଼ନ୍ତି ସେମାନେ ସମସ୍ତେ ନୂଆ ଲୋକ । ଉଷାର ପ୍ରାକ୍‌କାଳରେ କେଉଁ ଏକ ଋଷି ଉଦାତ୍ତ କଣ୍ଠରେ କହିଥିଲେ, ହେ, ଅମୃତର ପୁତ୍ରଗଣ.... । ସେଇ ସମ୍ବୋଧନ ଏବେବି କାନରେ ବାଜୁଛି । ଅମୃତ ପାତ୍ର କିଏ ଉଠେଇ ନେଇ ବିଷ ପାତ୍ରଟିଏ ଥୋଇଦେଇଛି ।

 

ଇତିହାସର ଗର୍ଭରେ କେତେ ଋଷି, ଧର୍ମଯାଜକ, ସମ୍ରାଟ୍‍ ଏବଂ ଶାସକ ବିଲୀନ ହୋଇ ଗଲେଣି । ସେମାନଙ୍କର ପ୍ରତିଶ୍ରୁତିକୁ ବହନ କରି କ୍ଷୁଦ୍ରାଦପି କ୍ଷୁଦ୍ର ଅତି ନଗଣ୍ୟ ସାଧାରଣ ଲୋକଟିଏ ଚାଲିଛି ସେଇ ଅପହୁଞ୍ଚ ଲକ୍ଷ୍ୟ ଆଡ଼କୁ .... । ଗୋଟିଏ ରାସ୍ତା ସରିବାବେଳକୁ ଆଉ ଗୋଟିଏର ଆରମ୍ଭ । ରାସ୍ତାର ଶେଷ ନାହିଁ, ଜୀବନଦର୍ଶନର ବି ଅନ୍ତ ନାହିଁ ।

 

ସେବା ଦାର୍ଶନିକ ପରି ମନକୁ ମନ କହିଲା, ସେ ବି ହୁଏତ ଲୀନ ହୋଇଯିବ କାଳର ଅନନ୍ତ ଗର୍ଭରେ । ସେ ଥିବା ନ ଥିବା ସମାନ । କିନ୍ତୁ ଯିଏ ତାହାରି ଗର୍ଭରେ ଅପେକ୍ଷା କରୁଛି ତା’ର ଯାତ୍ରା ଏବେ ବି ଆରମ୍ଭ ହୋଇନି । ସୂର୍ଯ୍ୟର ଆଲୋକ ଏବେବି ତା’ର ପଥ ବରଣ କରିନାହିଁ । ଦକ୍ଷିଣା ପବନ ଏବେବି ତା’ ଦିହରେ ବାଜି ନାହିଁ । କେଉଁ ଅଧିକାରରେ ସେ ସେଇ ଅନାଗତକୁ ରୋକିଦବ ଯାତ୍ରାରମ୍ଭ ପୂର୍ବରୁ ?

 

ଚନ୍ଦ୍ରଗୁପ୍ତ ତାକୁ ଠକୁନାହିଁ ଯେ ନିଜକୁ ଠକୁଛି । ଶୈବାଳର ପଛରେ ଧାଇଁ ସେ ଯେଉଁଠାରେ ପହଞ୍ଚିବ ସେଇ ସ୍ଥାନ ତା’ର ସମ୍ପୂର୍ଣ୍ଣ ଅଜ୍ଞାତ । ତଥାପି ସେ ଧାଇଁଛି ତା’ ପଛରେ ।

 

ତାକୁ କେତେଥର କହିଛି ସେବା ନିଜକଥା ଭାବିବା ପାଇଁ । ନିଜକୁ ନିଜେ ଠକିଲେ ଆଉ କେହି ରକ୍ଷକ ହୋଇ ଆସିବ ନାହିଁ ।

 

ଏତେକଥା ଯଦି ମନରେ ଥିଲା ଚନ୍ଦ୍ରଗୁପ୍ତର, ତାକୁ ଏତେଦୂର ଟାଣି ଆଣିବାର ଅର୍ଥ କଅଣ ? ଚନ୍ଦ୍ରଗୁପ୍ତର ସ୍ତ୍ରୀ ହବାର ସୁଖଠାରୁ ପ୍ରବଞ୍ଚନାର ଦୁଃଖ ବଳିଯାଇଛି । ପୃଥିବୀ ଆଗରେ ପୁରୁଷକାରର ବାହାନା ପାଉଥିବା ଲୋକଟି ଯେ ନିର୍ବୀର୍ଯ୍ୟ ଏବଂ ନପୁଂସକ ତାହା କେହି ଜାଣନ୍ତି ନାହିଁ କି କେହି ବିଶ୍ୱାସ କରିବେ ନାହିଁ । ଚନ୍ଦ୍ରଗୁପ୍ତକୁ ଆଗରେ ରଖି ସେ ଯାହା ପାଇଛି ତାହା କିଛି ନ ପାଇବାଠାରୁ ଅଧିକ ଅଥଚ ଯିଏ ତା’ର ଆଉ ଏକ ଅଭିନବ ନୂତନ ସଂସ୍କରଣକୁ ତାହାରି ଭିତରେ ଛାଡ଼ି ଯାଇଛି ସେଇ ଲୋକଟି ସହିତ ଆଉ ସାକ୍ଷାତଖ ହୋଇନି ସେବାର । ଚନ୍ଦ୍ରଗୁପ୍ତର ସେଇ କରୁଣ ବେତ୍ରାହତ ପରି ରୂପକୁ ସେ ଜୀବନରେ କେବେ ଭୁଲିପାରିବ ନାହିଁ । ପୁରୁଷାର୍ଥ ତା’ ଦେହରେ ନିଶ୍ଚେଷ୍ଟ । କିନ୍ତୁ ପୁରୁଷାର୍ଥର ଡିଣ୍ତିମ ନ ପିଟିଲେ ତା’ର ଜୀବନ ଯେପରି ବ୍ୟର୍ଥ ହୋଇଯିବ ! ହାୟରେ ଚନ୍ଦ୍ରଗୁପ୍ତ ! ତୁ ଯଦି ଭୋଗ କରି ପାରିଥାଆନ୍ତୁ ଏ ଧରଣୀକୁ !

 

ଚନ୍ଦ୍ରଗୁପ୍ତର ସଂକୋଚମୟ ମୁହୂର୍ତ୍ତରେ ସେବା ଚରମ ସମ୍ପ୍ରସାରଣଶୀଳତାର ସ୍ୱାଦ ଅନୁଭବ କରିଥିଲା ସେଦିନ । ନିର୍ଲଜ ପରି ସେଇ ଅପରିଚିତ ପୁରୁଷକୁ ଜାଗା ଛାଡ଼ିଦେଇ ତା’ ପାଖରୁ ଚାଲିଯିବାବେଳେ ଚନ୍ଦ୍ରଗୁପ୍ତର ମୁହଁକୁ ଚାହିଁ ଦେଇ ଶିହରି ଉଠିଥିଲା ସେବା । ପୃଥିବୀର ସବୁ ଦାରିଦ୍ର୍ୟ ଯେପରି ମୂର୍ତ୍ତି ହୋଇଥିଲା ତାହାରି ମୁହଁରେ ।

 

ସେଇ ଅପରିଚିତ ପୁରୁଷ ଚନ୍ଦ୍ରଗୁପ୍ତର ବଂଶଧରକୁ ପୃଥିବୀ ପୃଷ୍ଠରେ ଜନ୍ମ ଦେଇ ନିଜେ ଅନ୍ଧକାର ଭିତରେ ନିଶ୍ଚିହ୍ନ ହୋଇଯାଇଛି । କିନ୍ତୁ ଜଗତରେ ଆଉ କେହି ନ ଜାଣିଲେ ମଧ୍ୟ ତିନିଜଣ ନିଶ୍ଚୟ ଜାଣନ୍ତି ଯେ ଯିଏ ଆସୁଛି ସିଏ ଜାରଜ, ବର୍ଣ୍ଣଶଙ୍କର ।

 

ସେଇ ବର୍ଣ୍ଣଶଙ୍କରମାନଙ୍କର କୋଳାହଳ ବୃଦ୍ଧି ପାଉଛି ପୃଥିବୀରେ । ସେମାନେ ପୃଥିବୀକୁ ଦଖଲ କରିବେ ଶେଷରେ ।

 

ଚନ୍ଦ୍ରଗୁପ୍ତ ତାକୁ ଠକି ନାହିଁ ଯେ ନିଜକୁ ଠକିଛି । ଅନ୍ୟର ପୁତ୍ରର ପିତା ହବାର ଗୌରବକୁ ସେ ବହନ କରି ଚାଲିଥାଉ ରାଜପଥରେ, ଆଉ କାହାର ନ ହେଲେ ମଧ୍ୟ ନିଜର ଦଂଶନରେ କ୍ଷତବିକ୍ଷତ ହେବ ନିଶ୍ଚୟ ।

 

ଛି, ଛି, ସେବା ଯଦି ଜାଣିଥାଆନ୍ତା ଯେ ସେ ବରଣ କରିଥିବା ପୁରୁଷଟି ଅକର୍ମଣ୍ୟ, ଅଣପୁରୁଷ...ତାକୁ ବାଦ୍‌ ଦେଇ ଆରମ୍ଭ କରିଥାଆନ୍ତା ସଂସାର । ପୃଥିବୀର କେତେ ଲୋକ ବାଦ୍‌ ପଡ଼ିଯାଆନ୍ତି ସୁଯୋଗ ନ ପାଇ ସେମାନଙ୍କର ହିସାବ ଯଦି କେହି ରଖିନାହିଁ କି ସେମାନଙ୍କ ପାଇଁ ଆହା କରିବାର ସମୟ କାହାରି ହୋଇ ନାହିଁ, ତା’ ହେଲେ ସେବା ଚନ୍ଦ୍ରଗୁପ୍ତର ବିଫଳତାର ଗଣ୍ଠିଲି ବୋହି ଚାଲିବା ପାଇଁ ପଣ କରି ନ ଥିଲେ ବି ଚଳିଥାଆନ୍ତା ।

 

ଚନ୍ଦ୍ରଗୁପ୍ତ ଯାହା ପାଇବା କଥା ପାଇସାରିଛି । ସେବାର ପାଳି ଏଥର । ସେ ତା’ର ପ୍ରାପ୍ୟ ଆଦାୟ ନ କରି ଛାଡ଼ିବ ନାହିଁ ।

 

ଚନ୍ଦ୍ରଗୁପ୍ତ କୋର୍ଟରୁ ଫେରିବାବେଳକୁ ମଧ୍ୟାହ୍ନ ଅତୀତ ହୋଇ ଯାଇଥିଲା । ସେ ନିଜେ ଜିମ୍ମାନାମା ଲେଖିଦେଇ ଶୈବାଳକୁ ଖଲାସ କରି ଆଣିଥିଲା ଅଦାଲତରୁ । ସେଇ ଗୌରବର ଛାପ ଦେହରେ ବୋଳିହୋଇ ଭିତରକୁ ପଶିବାବେଳକୁ ସେବା କହିଲା, ପରର ବୁକୁଚା ବୋହିବାର ଗୌରବରେ ତୁମେ ମସ୍‌ଗୁଲ୍‌ ହୋଇ ନିଜକୁ ବଞ୍ଚିତ କରୁଥାଅ ସବୁ ସୁଖରୁ, ମୁଁ କିନ୍ତୁ ଅନ୍ୟ ରକମର, ମୋର କିଛି କହିବାର ଅଛି ।

 

ସେବାର ଆଖିରେ ମୁକାବିଲାର ଚିହ୍ନ ଦେଖି ଶଙ୍କିଗଲା ଚନ୍ଦ୍ରଗୁପ୍ତ । ସେବାର ଏଇ ରୂପକୁ ସେ ଭୟକରେ, ଏଇ ସ୍ୱର ଶୁଣିଲେ ତା’ ଦିହରୁ ଝାଳ ବୋହିଯାଏ ।

 

ସେବା କହିଲା, କିଛି ନ କହି ଚୁପ୍‌ ହୋଇ ରହିବ ଆଉ କେତେକାଳ ? ସମୟ ଖସିଯାଉଛି ହାତରୁ ।

 

ଚନ୍ଦ୍ରଗୁପ୍ତ ଶୁଖିଲା ତଣ୍ଟିକୁ ଚାଟି ନେଇ କହିଲା, ଯାହା କହିବାର କଥା କହିଦିଅ । ମୋତେ ଗିଳିଯିବା ପରି ଆଉ ଅନାଅ ନାହିଁ ।

 

ସେବା ଚନ୍ଦ୍ରଗୁପ୍ତକୁ ଟାଣିନେଇ ନିଜ ପାଖରେ ବସେଇଲା । ଚନ୍ଦ୍ରଗୁପ୍ତର ଆଖି ଯୋଡ଼ିକର ଦୃଷ୍ଟି କି ଦ୍ୟୁତି ନ ଦେଖି ହଠାତ୍‌ ସବୁ ରାଗ ଅଭିମାନ ଭୁଲିଯାଇ ତା’ ଉପରେ ହାତ ବୁଲେଇ ଆଣି କହିଲା ସେବା, ଶୈବାଳର ଜାଗାଟା ଖାଲି ପଡ଼ିଛି.....ଏଇ ସୁଯୋଗରେ ବସିଯାଅ ।

 

- ଶୈବାଳକୁ ମୁଁ ନିଜେ ତ ଖଲାସ କରି ଆଣିଲି । କହିଲା ଚନ୍ଦ୍ରଗୁପ୍ତ ।

 

ତା’ର କଥା କୋଉ ଦୂରର ଶବ୍ଦପରି ଶୁଭିଲା ସେବାକୁ । ସେ ନିରସ୍ତ୍ର ନ ହୋଇ କହିଲା, ସେ ଫେରି ଆସିବେ ଏହା ମୁଁ ଆଶା କରୁଥିଲି । କିନ୍ତୁ ଫେରି ଆସିଲେ ତ ନିଜ ଜାଗାଟା ମନକୁ ମନ ମିଳିଯାଏ ନାହିଁ । ଯିବା ବେଳର ପୁରୁଷତ୍ୱ ଫେରିବାବେଳେ ନ ଥିଲେ କିଏ କାହିଁକି ବାଟ ଛାଡ଼ିଦବ ଯେ.... ।

 

ସେବା ଏଡ଼େ ନିଷ୍ଠୁର ହୋଇପାରେ ଏଇ ପ୍ରଥମ ଜାଣିଲା ଚନ୍ଦ୍ରଗୁପ୍ତ ।

 

ସେବାକୁ ସେ କଥା ଦେଇଥିଲା ଯେ ଗୋଟିଏ ସୁଖରୁ ସିନା ତାକୁ ବଞ୍ଚିତ କରିଛି କିନ୍ତୁ ଆଉ ଯାହା କିଛି ସେ ଚାହିଁବ ସବୁ ଦବ ସେ ।

 

ସେଇକଥା ସ୍ମରଣ କରାଇ ଦେଇ କହିଲା ସେବା, ତୁମେ କହିଥିବା କଥା ମନେପକାଅ-। ସମସ୍ତଙ୍କର ସବୁକଥା ମନେପଡ଼ୁଛି ଅଥଚ ମୋ କଥା ଭୁଲିଯାଉଛ ?

 

ଚନ୍ଦ୍ରଗୁପ୍ତ ସେବାର ମୁହଁକୁ ଅନାଇ ଦେଇ ସ୍ତବ୍‌ଧ ହୋଇ ରହିଗଲା ।

ଏଇ ମୁହଁରେ ଦବା ଅପେକ୍ଷା ନବାର ଦୃଢ଼ତା ଅନେକ ବେଶୀ ।

ଟିକେ ପରେ ଚନ୍ଦ୍ରଗୁପ୍ତ କହିଲା, ବିଶ୍ୱାସଘାତକତା କରିବାକୁ କହୁଛ ?

- ମୁଁ କାହିଁକି କହିବି, ତମେ କଅଣ କରିବ ନିଜ ମନକୁ ପଚାର । ମୋ ବିଶ୍ୱାସରେ ବିଷ ଦବାବେଳେ ତ ଏତେ କଥା ମନେପଡ଼ୁ ନ ଥିଲା !

ଚନ୍ଦ୍ରଗୁପ୍ତ ଯୁକ୍ତି ନ କରି କହିଲା-

- ସେ ମୋର ନେତା ।

- ତୁମେ ନେତା ନହବ କାହିଁକି ?

- ସମସ୍ତେ ନେତା ହୋଇପାରନ୍ତି ନାହିଁ ।

- ତୁମେ ହୋଇପାରିବ ।

- ମୋ ପଛରେ ଲୋକ ନାହାଁନ୍ତି ।

- ମୁଁ ଅଛି ।

- ତୁମର ନେତା ହୋଇପାରେ, ସମସ୍ତେ ନେତାବୋଲି ମୋତେ ଗ୍ରହଣ କରିବେ ନାହିଁ ।

- କରିବେ । ମୁଁ ଯାହା କହୁଛି ତୁମେ ସେୟା କର । ତୁମେ ସିନା ମୋ ପ୍ରତି ବିଶ୍ୱାସଘାତକତା କରିଛ ମୁଁ କିନ୍ତୁ ତୁମକୁ ସିଂହାସନରେ ବସେଇ ଦେବି ।

- ସେ ନିଶା ଛାଡ଼ ।

- ଗୋଟିଏ ନିଶାରେ ଆସିଥିଲି ତୁମ ପାଖକୁ । ତାହା କାଚପରି ଠୁଣ୍‌ ଠାଣ୍‌ ଭାଙ୍ଗିଗଲେ ବି ଭାଙ୍ଗିବାର ଶବ୍ଦଟା ଶୁଭେ ଆଉ କାନକୁ, ନ ଭାଙ୍ଗିବାର ସ୍ୱର ଶୁଭୁଛି କେବଳ । ଯେପରି କିଛି ହୋଇନି, ସବୁ ଠିକ୍‌ ବାଟରେ ଚାଲିଛି । ଏବେ କିନ୍ତୁ ଆଉ ଗୋଟେ ନିଶା ଜାଗିଛି ....ସେ ନିଶା ସହଜରେ ଛାଡ଼େ ନାହିଁ ।

 

ଚନ୍ଦ୍ରଗୁପ୍ତ ବୁଝିପାରୁ ନ ଥିଲା କିପରି ବୁଝେଇବ ସେବାକୁ ଯେ ସେ ଶୈବାଳକୁ ବି ସେହିପରି କଥା ଦେଇଛି

 

ସେଇ ଚୁକ୍ତି ଭାଙ୍ଗିଦବ ?

 

ଚନ୍ଦ୍ରଗୁପ୍ତ କିଂକର୍ତ୍ତବ୍ୟବିମୂଢ଼ ହୋଇ ବସି ରହିଲା କିଛିକ୍ଷଣ । ସେବା ସହିତ କେଉଁ ମୁହୂର୍ତ୍ତରେ ସାକ୍ଷାତ୍‍ ହୋଇଥିଲା କେଜାଣି ତା’ ପାଖରେ ସେ ଖାଲି ପରାଜୟ ପାଇ ଚାଲିଛି । ଜୀବନର ଯେଉଁ ଗୋପନତମ ଅପୂର୍ଣ୍ଣତା ସମସ୍ତଙ୍କ ପାଖରେ ଅପ୍ରକାଶ୍ୟ ହୋଇ ରହିଥିଲା ସେତକ ବି ଏକ ଦୁର୍ବଳତମ ମୁହୂର୍ତ୍ତରେ ପ୍ରକାଶିତ କରିଦେଲା ସେବା ପାଖରେ । ତା’ର ବାହାର ଜଗତର ସବୁ ଦମ୍ଭ, ସବୁ ଅହଙ୍କାର ଭାଙ୍ଗି ଚୂରମାର ହୋଇଗଲା । ସେଥିପାଇଁ ସେବାକୁ ଦେଖିଲେ ସେ ନିଜକୁ ଆହୁରି ଛୋଟ ମନେକରେ, ସେବା ପାଖରେ ଥିବାବେଳେ ତା’ର ବ୍ୟକ୍ତିତ୍ୱ ଆହୁରି ଅସମର୍ଥ, ଆହୁରି ଦୁର୍ବଳ ମନେହୁଏ ।

 

ଚନ୍ଦ୍ରଗୁପ୍ତ ଥରେ ସେଇ ଅନ୍ଧ ଗଳିରେ ହଜିଗଲେ ଆଉ ଥଳକୂଳ ପାଏ ନାହିଁ, ଅନନ୍ତ ଅକୁଳ ସମୁଦ୍ରରେ ଅଣଆୟତ୍ତ ହୋଇ ଭାସୁଥିବା ଛୋଟ ନୌକାଟି ପରି ଅନିର୍ଦ୍ଦିଷ୍ଟ ଏବଂ ଅନିଶ୍ଚିତ ଭାବରେ ଭାସିଯାଏ ।

 

ସେବାକୁ ପାଇବା ପରେ ସେ ବହୁ ପ୍ରତୀକ୍ଷିତ ସଙ୍ଗିନୀଟିଏ ପାଇଥିଲା । କହିପାରି ନ ଥିବା ନିଗୁଢ଼ତମ ବ୍ୟର୍ଥତାର କାହାଣୀ ପାଇଁ ଜଣକୁ ପାଇଥିଲା ପାଖରେ । ସେବା ତାକୁ ଗ୍ରହଣ କରିଥିଲା ପୂର୍ଣ୍ଣପ୍ରାଣରେ । ଦୁହେଁ ଦୁହିଁଙ୍କୁ ପାଇ ବି ସମ୍ପୂର୍ଣ୍ଣ ହୋଇ ପାରି ନ ଥିଲେ । ଜଣେ ଆଉ ଜଣଙ୍କର ଅପୂର୍ଣ୍ଣତା ଓ ଅସାମର୍ଥ୍ୟର କରୁଣତାରେ ବିଳପି ଉଠିଥିଲା । ବାସର ରାତିରେ ଅପେକ୍ଷା କରୁଥିବା ସେବା ପାଖକୁ ଯିବା ପାଇଁ ସାହସ ହୋଇ ନ ଥିଲା ତା’ର । କାଳେ ସେବା ଜାଣିଲେ ଏତେଦିନର ବନ୍ଧୁତ୍ୱ, ଗଢ଼ି ଉଠିଥିବା ଏଡ଼େ ଅନ୍ତରଙ୍ଗତା ଓ ବିଶ୍ୱାସ ନିଶ୍ଚିହ୍ନ ହୋଇଯିବ ଏଇ ଭୟରେ ସେ ପଶୁ ନ ଥିଲା କୋଠରୀ ଭିତରକୁ ।

 

ସେବା କିନ୍ତୁ ତା’ର ହାତ ଧରି ପାଛୋଟି ନେଇ ବନ୍ଧୁ ପରି କହିଥିଲା, ଭୟ କି, ମୁଁ ପରା ପାଖେ ପାଖେ ଅଛି...ଆମର ବନ୍ଧୁତ୍ୱର ଦିନକର ବା ଗୋଟିଏ ଜୀବନର ନୁହେଁ, ଅନନ୍ତକାଳର ।

 

ଚନ୍ଦ୍ରଗୁପ୍ତ ସେବାର ପିଠିରେ ହାତ ବୁଲାଇ ଆଣି କହିଥିଲା ସେଦିନ, ତୁମେ ଯଦି ଠକିଯାଅ ମୋତେ କ୍ଷମା ଦେଇପାରିବ ସେବା ?

 

ସେବା ସେହି ପ୍ରଶ୍ନର ଉତ୍ତର ଦବାକୁ ବିଳମ୍ବ ନ କରି କହିଥିଲା ଯେ ଯଦି ଠକିବାକୁ ହୁଏ ତାହାରି ପାଖରେ ଠକିବ, ଆଉ କେଉଁଠି ନୁହେଁ । ଜୀବନରେ କେତେ ଠକିବା ପରେ ଯାଇ ଶିଖେ ମଣିଷ, କେତେ ଦୁଃଖ ସୁଖ ଅଙ୍ଗରେ ନିଭାଇବା ପରେ ଉପଲବ୍‌ଧି ହୁଏ ଗଭୀର ।

 

ସେବା ପାଖରେ ସେଦିନ ନିଜ ଅପୌରୁଷତ୍ୱର କଥା କହି ଅନ୍ତର୍ଦାହକୁ ଲାଘବ କରିଥିଲା ଚନ୍ଦ୍ରଗୁପ୍ତ । ସେ ଭାବିଥିଲା ତା’ ମୁହଁରୁ କଥା ସରିବାବେଳକୁ ତାକୁ ଫୋପାଡ଼ି ଦେଇ ସେବା ହୁଏତ ଚାଲିଯିବ ତା’ ବାପା ମା ପାଖକୁ । କିନ୍ତୁ ସେପରି କିଛି କଲା ନାହିଁ ସେବା । ବରଂ ଚନ୍ଦ୍ରଗୁପ୍ତକୁ ହୃଦୟର ସମ୍ବେଦନ ଏବଂ ଆଶ୍ୱାସନା ଦେଇ ସେ କହିଥିଲା ପରାଜୟର ସେଇ ଚରମ ଦୁଃସମୟରେ ଯେ ଦେହର ସୁଖ ସବୁ ନୁହେଁ, ଯେଉଁଠାରେ ମନ ଓ ହୃଦୟର ସମ୍ପର୍କ ସ୍ଥିତ ଓ ସ୍ଥାୟୀ, ସେଠାରେ ବନ୍ଧୁତ୍ୱ ଚିରନ୍ତର ।

 

ସେଇଦିନୁ ଚନ୍ଦ୍ରଗୁପ୍ତକୁ କେବଳ କ୍ଷମା କରିଆସୁଛି ସେବା । ତା’ର ସବୁ ଅନୁରୋଧକୁ ଆଦେଶ ପରି ଗ୍ରହଣ କରିନେଇଛି ବଧୂ ହବାପାଇଁ ।

 

ଅଜି ସେବାର ଗୋଟିଏ ଅନୁରୋଧ ସେ ରଖିବ ନାହିଁ ?

ଚନ୍ଦ୍ରଗୁପ୍ତ କେବେ ଏପରି ସଙ୍କଟର ସମ୍ମୁଖୀନ ହୋଇ ନ ଥିଲା ।

ସେବା କହିଲା, ଏତେ ଭାବୁଛ କଅଣ, ମୋ ପ୍ରଶ୍ନର ଉତ୍ତର ଦବନି ?

 

ଚନ୍ଦ୍ରଗୁପ୍ତର ଆପାଦମସ୍ତକ ଥରୁଥିଲା ସେତେବେଳେ, ଗୋଟେ ନୂତନ ଉତ୍ତେଜନାରେ ସେ ବିହ୍ୱଳ ହୋଇ ଯାଇଥିଲା ।

 

ସେବା କହିଲା, ମୁଁ ତୁମର ସବୁ କଥା ମାନିଛି । ତମର କଥା ରକ୍ଷା କରିବା ପାଇଁ ଯାହା କେହି ସ୍ତ୍ରୀ ନ କରେ ତାହାବି କରିଛି, ତମର ମାନସ ସନ୍ତାନକୁ ଧାରଣ କରିଛି......ମୋର ଗୋଟେ ଅନୁରୋଧ ରଖିବନି ତୁମେ ?

 

ଚନ୍ଦ୍ରଗୁପ୍ତ ସେବାର ହାତ ଦୁଇଟିକୁ ନିଜ ହାତମୁଠା ଭିତରେ ନିଷ୍ପେଷିତ କରି କହିଲା, ତୁମର କଥାହିଁ ରହିବ ସେବା...ତୁମେ ଖାଲି କହିଯାଅ... ।

 

ସେବାର ମୁହଁ ଉପରେ ବିଜୟିନୀର ହସ । ତା’ର ଓଠ ଦୁଇଫାଲ ଏଡ଼େ ସୁନ୍ଦର, ତା’ର ହସ ଟିକକ ଏଡ଼େ ମଧୁର ତାହା ଏଇ ପ୍ରଥମ ଜାଣିଲା ଚନ୍ଦ୍ରଗୁପ୍ତ । ସେ ଯେପରି ନୂଆ କରି ଦେଖୁଛି ସେବାକୁ, ଆଉ ଯେତିକି ଦେଖୁଛି ସେତିକି ତାକୁ ଘେରି ଛିଡ଼ା ହୋଇଥିବା ରହସ୍ୟର ପାଚେରୀଟା ଭାଙ୍ଗିବାରେ ଲାଗିଛି ।

 

ସେବା ତା’ର ସ୍ତ୍ରୀହୋଇ ମଧ୍ୟ ତା’ଠାରୁ କିଛି ପାଇନାହିଁ । ବିନା ପ୍ରତିବାଦରେ ତା’ର ବଂଶରକ୍ଷା କରିବାକୁ ଯାଇ ସେଇ ଅପରିଚିତ ସହିତ ସହବାସ କରିଛି । ପ୍ରଶ୍ନ ପଚାରି ନାହିଁ, କେବଳ ତା’ର ଆଦେଶକୁ ତାଲିମ କରିଯାଇଛି । ନେଇ ନେଇ ସେ ଧନୀ ହୋଇଛି । ଆଉ ନବାର ସାହସ ନାହିଁ ଚନ୍ଦ୍ରଗୁପ୍ତର । ଏବେ ପ୍ରତିଦାନର ପାଳି ।

 

ଚନ୍ଦ୍ରଗୁପ୍ତ କହିଲା, ତୁମ କଥାହିଁ ରହିବ । ମୁଁ ତୁମର ବଶମ୍ବଦ ହୋଇ ରହିବାକୁ ଚାହେଁ-

 

ସେବାର ମୁହଁରେ ବିଜୟିନୀର ହସ । ସେ କହିଲା, ଗୋଲାମ ହବାର ବେଳ ଚାଲିଯାଇଛି, ଏବେ ପଡ଼ିଛି ସାହେବ ହବାର ପାଳି । ଶୈବାଳବାବୁ ଗୁଡ଼ାଏ ପ୍ରତିଶ୍ରୁତି ଦେଇଛନ୍ତି ଲୋକମାନଙ୍କୁ, ଆଗରୁ ଯେପରି ଦେଇଥିଲେ ଅନେକ । ପ୍ରତିଶ୍ରୁତି ଦେଇସାରିବା ପରେ ତାହା ପାଳନ କରିବାକୁ କାହାରି ମନେପଡ଼େ ନାହିଁ । ତୁମେ କିନ୍ତୁ ଘୋଷଣା କରିଦିଅ ଯେ ସବୁ ଅପୂର୍ଣ୍ଣ ପ୍ରତିଶ୍ରୁତିକୁ ତୁମେ ପୂର୍ଣ୍ଣ କରିବ, ହୃତ୍‍ ଗୌରବକୁ ଫେରେଇ ଆଣିବ ।

 

- ଠିକ୍‌ ସେୟା କହି ଯେ ଆରମ୍ଭ କରିଥିଲା ଶୈବାଳ । କହିଲା ଚନ୍ଦ୍ରଗୁପ୍ତ ।

 

- ସେଇ ଏକକଥା କୁହନ୍ତି ସମସ୍ତେ । ଇତିହାସର ପୃଷ୍ଠା ଓଲଟାଅ, ଦେଖିବ, ସେଇ ଆଦିକାଳରୁ ଏଇ ଗୋଟିଏ କଥା କହି ଆସୁଛନ୍ତି ସମସ୍ତେ ।

 

- ମୁଁ ବି ଫାଙ୍କି ଦେବି କହୁଛ ! ଚନ୍ଦ୍ରଗୁପ୍ତ ନିର୍ବୋଧ ପରି କହିଲା ।

 

- ମୁଁ ସେକଥା କହୁ ନାହିଁ । ତୁମେ ଚେଷ୍ଟାକରି ଦେଖିପାର । କିନ୍ତୁ କେହି ଯାହା ପାରିନାହାଁନ୍ତି ତୁମେ ପାରିବ ବୋଲି ମନେହୁଏନି । ପ୍ରତିଶ୍ରୁତି ପରି ସମସ୍ୟାଗୁଡ଼ାକ ବି ଠୁଳ ହୋଇଛି-। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କଠାରୁ ପିଇବା ପାଣି ସମସ୍ୟାର ସମାଧାନ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଥିଲା ଯେ ଏଯାଏ ଚାଲିଛି, ସମସ୍ୟାର ସମାଧାନ ହୋଇ ନାହିଁ । ଏବେବି କୁହାଯାଉଛି ଯେ ପ୍ରତି ଗ୍ରାମ ଓ ଘରକୁ ନିର୍ମଳ କଳପାଣି ଯୋଗାଇ ଦବାର ବ୍ୟବସ୍ଥାକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରାଯିବ । ଦେଖାଯାଉ କଅଣ ହଉଛି !

 

- ଦେଖି ଦେଖି ଆଖିରୁ ପାଣି ମଲା । ଯୁଗ ପରେ ଯୁଗ ବିତିଗଲା ।

 

ଶ୍ରୀକୃଷ୍ଣଙ୍କୁ ରାଧା ଅପେକ୍ଷା କରିବା ପରି ସମୃଦ୍ଧିର ଯୁଗକୁ ଅପେକ୍ଷା କରୁଛନ୍ତି ଲୋକେ । ତାହା ବୋଧହୁଏ ମରୁଭୂମିର ମରୀଚିକା ହୋଇ ରହିଯିବ ।

 

- କିନ୍ତୁ ମରୁଭୂମିରେ ପାଣିର ଧାର ଖୋଜି ଖୋଜି ବୁଲିବାବେଳେ କଣ୍ଟାଗଛ ଖାଏ ଓଟ-। ଜିଭ ଛିଡ଼ିଯାଏ, ଓଠରୁ ରକ୍ତ ଝରେ, ତଥାପି ସେଇ କଣ୍ଟାଗଛ ଖାଇବାରୁ ସେ ନିବୃତ୍ତ ହୁଏ ନାହିଁ । ଜୀବନଟା ଏହିପରି । ସକଳ ଦୁଃଖ, ନିର୍ଯ୍ୟାତନା ଓ ଲାଞ୍ଛନା ସତ୍ତ୍ୱେ ମଣିଷ ବଞ୍ଚିବାକୁ ଚାହେଁ, ଦୁଃଖ ଓ ଦୁର୍ଭାଗ୍ୟକୁ ଅଙ୍ଗେ ନିଭେଇବାକୁ ଚାହେଁ ।

 

ଚନ୍ଦ୍ରଗୁପ୍ତ ଭାବୁଥିଲା ଯେ ସେ ବି ଜଳଧାରା ଖୋଜି ଖୋଜି ଓଟ ପରି ଚାଲିବ । କଣ୍ଟାଗଛ ଖାଇବ । ଏଇ ପୃଥିବୀର ସେ ଆଉ ଅନ୍ୟ କାହାରି ମାର୍ଫତ୍‌ରେ ଆଶ୍ରୟ ନ ନେଇ ନିଜ ଠିକଣାରେ ରହିବ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ପରି ସେ ବି ଅସାଧାରଣ ହୋଇଯିବ । ଅତୀତର କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ଭାବପ୍ରବଣତାରେ ଭାସିଯାଇ ସେ ପିତୃପୁରୁଷଙ୍କ ପାଖରୁ ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ସାଙ୍ଗିଆଟାକୁ ନିଜ ନାମରୁ ବିଚ୍ଛିନ୍ନ କରି ନାମଗୋତ୍ର ଶ୍ରେଣୀହୀନ ସମାଜ ସୃଷ୍ଟି କରିବାର ମୂଳଦୁଆ ପକେଇଥିଲା ବୋଲି ଭାବିଥିଲା । ଆଜି କିନ୍ତୁ ବୁଝୁଛି ଯେ ଏସବୁ ଅର୍ଥହୀନ । ସାଙ୍ଗିଆ ଛାଡ଼ି, ଉପାଧି ବର୍ଜନ କରି ସମାଜକୁ ବଦଳାଇ ହୁଏ ନାହିଁ କି ଶାସନକୁ ପ୍ରଭାବିତ କରିହୁଏ ନାହିଁ । ଏଥିପାଇଁ ଯେଉଁ ଆନ୍ତରିକ ଉଦ୍ୟମ ଓ ଅଗାଧ ବିଶ୍ୱାସ ଲୋଡ଼ା ତାହାରି ଘୋର ଅଭାବ ରହିଛି ସମସ୍ତଙ୍କ ପାଖରେ । ଚରିତ୍ର ନ ବଦଳିଲେ ମହତ୍‌ ଲକ୍ଷ୍ୟ ବି ସ୍ୱପ୍ନ ହୋଇ ରହିଯିବ ।

 

କଲେଜ ଶିକ୍ଷା ସମାପ୍ତ କରିବା ପୂର୍ବରୁ ‘ସମ୍ପୂର୍ଣ୍ଣ ବିପ୍ଲବ’ରେ ଯୋଗ ଦବାପାଇଁ କଲେଜ ଛାଡ଼ି ଚାଲି ଆସିଥିଲା ସେ । ପାଞ୍ଚବର୍ଷ ‘ସମ୍ପୂର୍ଣ୍ଣ ବିପ୍ଳବ’ ପାଇଁ ଚାଲୁଥିବା ଆନ୍ଦୋଳନରେ ସାମିଲ ହୋଇ ବି ଯେତେବେଳେ ସେ ଦେଖିଲା ଯେ ‘ସମ୍ପୂର୍ଣ୍ଣ ବିପ୍ଳବ’ ନାମରେ କେବଳ ଏକ ନିଷ୍ଫଳ ଆନ୍ଦୋଳନ ଚାଲିଛି, ସେତେବେଳେ ସେ ସବୁ ଛାଡ଼ିଛୁଡ଼ି ଚାଲି ଯାଇଥିଲା ଋଷୀକେଶ । ଜୀବନ ନିରର୍ଥକ ମନେହୋଇଥିଲା । ସେଠାରେ ପ୍ରାୟ ତିନିମାସ କାଳ ରହି ସେ ଅନେକ ଆଶ୍ରମ ବୁଲିଲା, ଅନେକ ଗୁମ୍ଫା ଭିତରେ ସାଧୁ ଦର୍ଶନ କଲା, କିନ୍ତୁ କେହି ତାକୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସହଜ ସୂତ୍ରଟିଏ କହିପାରିଲେ ନାହିଁ । ଅନିଶ୍ଚିତ ପଛରେ ଅନୁସନ୍ଧାନ ନ କରି ଯାହା ନିଶ୍ଚିତ ତାହାରି ପଛରେ ଗୋଡ଼େଇବା ପାଇଁ ସେ ଫେରିଆସିଥିଲା ଗଙ୍ଗାକୂଳରୁ । ‘ସମ୍ପୂର୍ଣ୍ଣ ବିପ୍ଳବ’ରେ ଝାସ ଦେଇ ସାଙ୍ଗିଆକୁ ବିସର୍ଜନ ଦେଇଥିଲା ଚନ୍ଦ୍ରଗୁପ୍ତ, ପରମାର୍ଥର ସନ୍ଧାନ କରିବାକୁ ଯାଇ ଅର୍ଥାର୍ଥୀର ଗୂଢ଼ ସୂତ୍ରଟିକୁ ଉଦ୍ଭାବନ କରି ଫେରି ଆସିଥିଲା । ଏ ସଂସାରକୁ ଛାଡ଼ି ପଳେଇ ଯିବାରେ ବୀରତ୍ୱ ନାହିଁ, ଏହାରି ଭିତରେ ରହି ଦୁଃଖ ସୁଖର ସାମ୍‌ନା କରିବାରେହିଁ ଅଛି ବୀରତ୍ୱ ଓ ବିଜୟ ଉଭୟ ।

 

ଚନ୍ଦ୍ରଗୁପ୍ତ ଆଉ ପଛକୁ ନ ଚାହିଁ କେବଳ ଆଗକୁ ଚାହିଁବ । ଦିଗ୍‌ବଳୟର ପରିବର୍ତ୍ତନକୁ ଲକ୍ଷ୍ୟ କରି ନୂତନ କରି ଆରମ୍ଭ କରିବ ଆଉ ଏକ ଜୀବନ ଯେଉଁଠାରେ ସେ ହେବ ନେତା, ସେ ହେବ ହର୍ତ୍ତାକର୍ତ୍ତା ଦୈବବିଧାତା ।

 

ସେବା କହିଲା, ଏଥିରେ ବିଶ୍ୱାସଘାତକତାର ପ୍ରଶ୍ନ ଉଠୁନାହିଁ । ପ୍ରତିଯୋଗିତାରେ ଜଣେ କେହି ଆଗରେ ପହଞ୍ଚିବ । ଅନ୍ୟମାନେ ବନ୍ଧୁ ବୋଲି ସେମାନଙ୍କୁ ଅନୁକମ୍ପା କରି ସେମାନଙ୍କ ସହିତ ବା ପଛରେ ଦଉଡ଼ିବା ବନ୍ଧୁତ୍ୱର ଚିହ୍ନ ନୁହେଁ ନିଶ୍ଚୟ, କାପୁରୁଷତାର ଲକ୍ଷଣ । ତୁମର ଶକ୍ତିକୁ ଯଦି ତୁମେ ନ ଚିହ୍ନ, ଅନ୍ୟକେହି ଚିହ୍ନାଇ ଦବ ନାହିଁ ।

 

ଚନ୍ଦ୍ରଗୁପ୍ତର ଆଖି ଯୋଡ଼ିକର ଦୃଷ୍ଟି ଅସ୍ୱାଭାବିକ ଭାବରେ ଜଳିବାକୁ ଲାଗିଲା । ବଡ଼ ହବାର ଏଇ ସର୍ବଗ୍ରାସୀ ନିଶା ଥରେ ଲାଗିଲେ ଆଉ ସହଜରେ ଛାଡ଼େ ନାହିଁ । ଚନ୍ଦ୍ରଗୁପ୍ତ ମନ ଭିତରେ ବଡ଼ ହେବାର ଲୋଭ ଲାଉଡ଼ଙ୍କପରି ମାଡ଼ିବାକୁ ଆରମ୍ଭ କରିଛି, ପାଖ ଆଖରେ ଯାହାକୁ ଆଶ୍ରା କରିବ ତାକୁ କବଳିତ କରି ଆଗକୁ ବଢ଼ିବ ଆହୁରି । ନିଜର ସଫଳତାରେ ମୁଗ୍‌ଧ ହୋଇ ଚନ୍ଦ୍ରଗୁପ୍ତକୁ ଚୁମ୍ବନ କଲା ସେବା ।

 

ଜୀବନରେ ଅନେକ ଦୁର୍ଭୋଗ ଭୋଗିଛି ସେ । ପ୍ରାଥମିକ ଶିକ୍ଷକର ପରିବାରରେ ଜନ୍ମଗ୍ରହଣ କରି ଅନେକ ପାର୍ଥିବ ସୁଖରୁ ବଞ୍ଚିତ ହବାକୁ ହୁଏ । ଅଭାବର ସଂସାରରେ ତେଲଲୁଣର ହିସାବ କରୁ କରୁ ବେଳ ସରିଯାଏ । ସେଥିରୁ ବାଦ ପଡ଼ିନି ସେବା । ଦାରିଦ୍ର୍ୟର ସପ୍ତବ୍ୟୂହ ମଧ୍ୟରୁ ବାହାରି ଆସି ସ୍ୱଚ୍ଛଳତାର ସ୍ୱାଦ ପ୍ରଥମକରି ଚାଖୁଛି ସେ । ନୀତିନିୟମ ମାନି ଚଳିବାର ପୁରସ୍କାର ବାପା ପାଇଛନ୍ତି । ସେଇ ପୁରସ୍କାରର ଅଂଶ ସେମାନଙ୍କୁ ମଧ୍ୟ ମିଳିଛି । ଆଉ ନୁହେଁ, ସବୁ ବାଧାବିଘ୍ନକୁ ଅତିକ୍ରମ କରି ସେ ଡେଇଁ ପାର ହୋଇଯିବ ନୀତି ନିୟମର ପାଚେରୀଗୁଡ଼ାକୁ ।

ଶୈବାଳ ମହାପାତ୍ରକୁ ନେତା ହବା ପାଇଁ ଭଗବାନ ପଠାଇ ନାହାଁନ୍ତି । ସେ ନିଜେ ନିଜକୁ ପ୍ରସ୍ତୁତ କରିଛି ସେଥିପାଇଁ । ଚନ୍ଦ୍ରଗୁପ୍ତ ବଶମ୍ବଦ ହୋଇ ଅନ୍ୟର କାମ କରି ନେପଥ୍ୟରେ ଅଜସ୍ର ଅନାମଧେୟଙ୍କ ପରି ରହିବାର କୌଣସି ଅର୍ଥ ନାହିଁ । ରହିବ ବା କାହିଁକି ?

ଚନ୍ଦ୍ରଗୁପ୍ତଠାରୁ ସବୁ ଶୁଣିଥିଲା ସେବା । ସମାଜସେବାର ସେତୁ ଉପର ଦେଇ ଶୈବାଳ ମହାପାତ୍ରର ରଥ କିପରି ଆଗଉଥିଲା ତା’ର ସବୁ ତଥ୍ୟ ସଂଗ୍ରହ କରିଥିଲା ସେ । ନିକୁଞ୍ଜ ମହାନ୍ତି ପରି ବ୍ୟକ୍ତିକୁ ଅନୁଷ୍ଠାନକୁ ଡାକି ଆଣି ଶୈବାଳ ଯେ ଅନୁଷ୍ଠାନକୁ ଦୃଢ଼ ନ କରି ଦୁର୍ବଳ କରିଛି ଏଇକଥା ଚନ୍ଦ୍ରଗୁପ୍ତକୁ ବୁଝାଇଲା ସେବା । ସେଦିନ ସାରାରାତି ଦୁହେଁ ଏକତ୍ର ବସି ଶୈବାଳର ଦୁର୍ବଳତାଗୁଡ଼ିକୁ ତାଲିକାଭୁକ୍ତ କଲେ ଏବଂ ପ୍ରଥମ ସୁଯୋଗରେ ‘ଅଭ୍ୟୁଦୟ ସମାଜ’ରୁ ବାହାରିଯାଇ ଅସଲି ଅଭ୍ୟୁଦୟ ସମାଜ ଗଠନ କରିବାଲାଗି ସିଦ୍ଧାନ୍ତ କଲେ ଦୁହେଁ । ସେପର୍ଯ୍ୟନ୍ତ ଶୈବାଳ ସହିତ ରହି ସାବଧାନତାର ସହିତ ପାଦେ ପାଦେ ଲକ୍ଷ୍ୟସ୍ଥଳ ଆଡ଼କୁ ଅଗ୍ରସର ହବା ପାଇଁ ମଧ୍ୟ ସିଦ୍ଧାନ୍ତ କଲେ ସେମାନେ ।

ସେବା ସାମାନ୍ୟ ଝିଅ ନୁହେଁ । ସେ ଯେ ସାମାନ୍ୟ ସ୍କୁଲ ଶିକ୍ଷକ ଘରେ ଜନ୍ମ ହୋଇ ବି କୂଟନୀତିର ସବୁ ଅଧିକାର କରିଛି ଏହା କାର୍ଯ୍ୟରେ ପ୍ରମାଣ କରିଛି ସେବା ।

ସେ ଦିନର ସଂଗୃହୀତ ସବୁ ତଥ୍ୟକୁ ଗୁପ୍ତ ଫାଇଲରେ ସଜାଡ଼ି ରଖି ସକାଳେ ଖବରକାଗଜ ଅଫିସକୁ ଯାଇ ତରୁଣ ସାମ୍ବାଦିକ ତପନ ମିଶ୍ରକୁ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରି ଆସିଲା ସେବା ।

ତପନ ତ୍ରିପାଠୀ କଲେଜରେ ତା’ଠାରୁ ଦୁଇବର୍ଷ ସିନିଅର ଥିଲେ ବି ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ୱ ଥିଲା ବେଶ୍‌ ଘନିଷ୍ଠ । ସେଇ ବନ୍ଧୁତ୍ୱକୁ ଉପଯୋଗ କରିବା ପାଇଁ ସ୍ଥିର କଲା ସେବା ।

‘କଳ୍ପତରୁ’ ରେସ୍ତୋରାଁର ଏକ ନିଭୃତ କୋଣରେ ବସି ଗୋଟି ଗୋଟି କରି ତପନକୁ ସବୁ କହିଲା ସେ । ସାମାଜିକ ଜୀବନରେ ଯେପରି ରାଜନୈତିକ ଜୀବନରେ ମଧ୍ୟ ସେହିପରି ନିର୍ମଳ ପୁରୋଦୃଷ୍ଟି ଆବଶ୍ୟକ । ଏହା ସାଙ୍ଗକୁ ଚାରିତ୍ରିକ ସାଧୁତା ଏବଂ ସବଳତା ନେତୃତ୍ୱ ପକ୍ଷରେ ଅତ୍ୟାବଶ୍ୟକୀୟ ପ୍ରୟୋଜନୀୟତା । ଯେଉଁଠାରେ ଚରିତ୍ର ଦୁର୍ବଳ ସେଠାରେ ଅତି ମହାନ୍‌ ଲକ୍ଷ୍ୟ ମଧ୍ୟ କେବଳ ଅପହୁଞ୍ଚ ହୋଇ ରହିଯାଉନାହିଁ, ତାହା ସାମାଜିକ ଅସ୍ଥିରତା ସୃଷ୍ଟି କରୁଛି । ନିର୍ମଳ ପୁରୋଦୃଷ୍ଟି ପରି ନିର୍ମଳ ଚରିତ୍ର ଆବଶ୍ୟକ । ତ୍ୟାଗ ନ କରି ଭୋଗର ମନ୍ତ୍ରସାଧନ କରିବାଦ୍ୱାରା ଜାତୀୟ ଲକ୍ଷ୍ୟ ବିଫଳ ହେଉନାହିଁ, ସାମାଜିକ ବିଭ୍ରାଟ ଏବଂ ରାଜନୈତିକ ଅସ୍ଥିରତା ମଧ୍ୟ ଦେଖାଯାଉଛି । ଯେଉଁମାନେ ଛାତ ଉପରୁ ସାଧୁତା, ସଚ୍ଚୋଟପଣିଆ ଓ ନିଷ୍ଠା କଥା କହୁଛନ୍ତି ସେମାନଙ୍କର ନିଜ ଆଚରଣ ସିଜରଙ୍କର ପତ୍ନୀଙ୍କ ପରି ସନ୍ଦେହର ଉର୍ଦ୍ଧ୍ୱରେ ରହିବା ଦରକାର । କିନ୍ତୁ ଏସବୁ କେବଳ ବକ୍ତୃତାର ବିଷୟ ହୋଇ ରହିଛି । ଶୈବାଳ ମହାପାତ୍ର ପରି ଦେଶର ଭାବୀ କର୍ଣ୍ଣଧାରମାନେ ଯଦି ଲକ୍ଷ୍ୟଭ୍ରଷ୍ଟ ହୁଅନ୍ତି ତାହା କେବଳ ବ୍ୟକ୍ତିଗତ କ୍ଷତିରୂପେ ଗଣ୍ୟ ହେବ ନାହିଁ, ତାହା ଜାତୀୟ କ୍ଷତି ଭାବରେ ପରିଗଣିତ ହେବ । ସମ୍ପଦ ନଷ୍ଟହେଲେ ପୁଣି ଅର୍ଜନ କରିହୁଏ, ସ୍ୱାସ୍ଥ୍ୟ ନଷ୍ଟ ହେଲେ ପୁଣି ସେବାଯତ୍ନଦ୍ୱାରା ମଣିଷ ତାହା ଫେରିପାଏ, କିନ୍ତୁ ଚରିତ୍ର ଥରେ ନଷ୍ଟହେଲେ ତାହା ଚିରଦିନ ପାଇଁ ଚାଲିଯାଏ ।

ସେବା ଯୁକ୍ତି ସାଙ୍ଗକୁ ବହୁ ପ୍ରାମାଣିକ ତଥ୍ୟ ଯୋଗାଇ ଦେଇସାରି କହିଲା, ମୋ କର୍ତ୍ତବ୍ୟ ମୁଁ କଲି, ଏଥର ତମେ ତମର କର୍ତ୍ତବ୍ୟ କର । ତପନ ଛାତ୍ର ଜୀବନରେ ସେବାକୁ ପାଇବାପାଇଁ ବହୁ ଚେଷ୍ଟାକରି ମଧ୍ୟ ପାଇ ନ ଥିଲା । ଏହି ଅବସରରେ ସେଇ ସୁଯୋଗ ଫେରି ଆସିଥିବାର ଦେଖି କହିଲା, ସବୁ କଥା ବୁଝିଲି ଯେ, ଶୈବାଳ ମହାପାତ୍ରର କ୍ଷତି କରିବାଦ୍ୱାରା ତୁମର କଅଣ ଲାଭ ହେବ ମୁଁ ତ ବୁଝିପାରୁନି ସେବା ?

ଟେବୁଲ ତଳେ ତପନର ହାତମୁଠା ଭିତରେ ନିଜର ଉଷୁମ ହାତକୁ ଆହୁରି ଉଷୁମ କରି କହିଲା ସେବା, ମୋର ଲାଭ ଦୁଇଟି । ଗୋଟିଏ ବୃହତ୍ତମ ଏବଂ ଆଉ ଗୋଟିଏ ବ୍ୟକ୍ତିଗତ । ବୃହତ୍ତମଟି ହେଲା ଏହି ଯେ ଜାତୀୟ ଜୀବନ ଯେପରି କଳଙ୍କିତ ହୋଇ ଉଠିଲାଣି ତା’ର ପ୍ରତିକାର ଜଣକର ନୁହେଁ ସବୁ ନାଗରିକଙ୍କର ଦାୟିତ୍ୱ । ମୁଁ ଏହି କାମ କରି ସେଇ ଜାତୀୟ କର୍ତ୍ତବ୍ୟ ପାଳନ କରୁଛି ମାତ୍ର । ଦ୍ୱିତୀୟ କାରଣଟି ଏକାନ୍ତ ବ୍ୟକ୍ତିଗତ । ମୋ ସ୍ୱାମୀ ‘ଅଭ୍ୟୁଦୟ ସମାଜ’ର ଜଣେ ଟାଣୁଆ ନେତା ଏବଂ ବ୍ୟାଙ୍କ ଅଫ୍‌ ଦି ଉତ୍କଳର ଅନ୍ୟତମ ପ୍ରତିଷ୍ଠାତା ହୋଇ ମଧ୍ୟ ତାଙ୍କର ଏସବୁ ଗର୍ହିତ କାର୍ଯ୍ୟ ସହିତ କୌଣସି ସମ୍ପର୍କ ନାହିଁ, ଅଥଚ ସଙ୍ଗଦୋଷରୁ ସେ ବି ଦିନେ ଅପରାଧୀ ହୋଇଯିବେ । ତାଙ୍କୁ ସେଥିରୁ ମୁକ୍ତିଦବା ମୋର ପରମ କର୍ତ୍ତବ୍ୟ ନୁହେଁକି ?

ସେବାର ଛାତି ଉପରୁ ଖସି ପଡ଼ୁଥିବା ପଣତକୁ ଆଉ ଗୋଟାଇବାକୁ ନ ଦେଇ କହିଲା ତପନ, ଥାଉ, ସିମିତି ଥାଉ..... ।

ଲାଜେଇ ଯାଇ କହିଲା ସେବା, ଲୁଚେଇ ଲୁଚେଇ ଦେଖିବାରେ ଏତେ ଲୋଭ ?

ସାମନାସାମନି ଯେତେବେଳେ ଆଉ ତୁମକୁ ପାଇବାର ସମ୍ଭାବନା ନାହିଁ ଇମିତି ଗୋପନରେ ଦେଖିନବା ଭଲ ସେବା ।

ସେବା କହିଲା, ଦେଖିବା ପାଇଁ ଲୋକ ତ ଅଭାବ ହୁଏନି ତମର ।

ତପନ କହିଲା, ଯିଏ ଦୁର୍ଲଭ ତାହାରି କଥା ମନେପଡ଼େ ।

- ସତେ ! କହିଲା ସେବା ।

 

ତପନ ସୁଯୋଗ ନବାପାଇଁ କହିଲା, ତମ କାମ ହେଲା ବୋଲି ଜାଣ । ମୋ କାମଟା କିନ୍ତୁ ବାକି ପଡ଼ିଛି ଯେ ... ।

 

ସେବା କହିଲା, ତମେ ସିମିତି ଦୁଷ୍ଟ ରହିଯାଇଛ ।

- ମୋତେ ଶିଷ୍ଟ କରିବା ପାଇଁ ତମେ ତ ଆସିଲନି ସେବା....... ।

 

ତପନର ଆଖିରେ ଆଗ୍ନେୟଗିରିର ବିସ୍ଫୋରଣ । ଯେଉଁ ଆଖିକୁ ଦେଖି ଅତୀତରେ ଶଙ୍କିଯାଇ ହଟି ଯାଇଥିଲା ସେବା, ସେଇ ଆଖିଯୋଡ଼ିକୁ ଦେଖି ଗେଲ କରିବାକୁ ଇଚ୍ଛାହେଲା ତା’ର-। ସେ କହିଲା, କୋଉଠିକୁ ଯିବା କହୁଛ ?

 

ତପନ ତା’ର ହାତ ଯୋଡ଼ିକୁ ମୁଠା ଭିତରେ ରଖି କହିଲା, ମୁଁ ତ ଏକା ଅଛି...... ଯିବ ?

 

ତପନ ସାଙ୍ଗରେ ଟ୍ୟାକ୍‌ସିରେ ବସି ସେବା ଭାବୁଥିଲା ଯେ ନିଜକୁ ସମ୍ପୂର୍ଣ୍ଣରୂପେ ଫେରିପାଇବାର ସୁଯୋଗ ଆଜି ପାଇଛି ସେ ।

 

ତପନର ଘରଟି ଛୋଟ ହେଲେ ବି ଗୋଟିଏ ପରିବାର ପାଇଁ ଯଥେଷ୍ଟ । ବସିବା ଘରକୁ ପଶିଯାଇ କହିଲା ସେବା, ଇମିତି ଅବିନ୍ୟସ୍ତ କରି ରଖିଛ ସବୁ ? ଟିକେ ଅପେକ୍ଷା କର, ମୁଁ ସବୁ ସଜାଡ଼ି ଦିଏ ।

 

ଆଉ ଅପେକ୍ଷା ନ କରି ଡଷ୍ଟରଟା ଟେବୁଲ ଉପରୁ ଉଠେଇ ନେଇ ଚେଆର ଟେବୁଲ, ଫଟୋ ଏବଂ ଆଲମାରୀ ସବୁ ଆସବାବପତ୍ରଗୁଡ଼ାକୁ ପୋଛି ପକେଇ ଏଣେତେଣେ ପଡ଼ିଥିବା କାଗଜ ଓ ବହିପତ୍ର ସବୁକୁ ସଜାଡ଼ି ରଖିଲା । ସେଣ୍ଟର ଟେବୁଲ ଉପରେ ଥୁଆ ହୋଇଥିବା ଫୁଲଦାନୀର ବାସି ଫୁଲସବୁକୁ ବାହାରକୁ ଫିଙ୍ଗିଦେଇ ଆସିବାବେଳେ ବଜାରରୁ କିଣି ଆଣିଥିବା ରଜନୀଗନ୍ଧାରୁ ଗୁଚ୍ଛାଏ ଖୋସିଦେଲା ଫୁଲଦାନୀରେ । ସେତେବେଳକୁ ଶୋଇବା ଘରୁ ଫେରି ଆସିଥାଏ ତପନ । ସେ ବସିବା ଘର ଭିତରକୁ ପଶି ଆସି କହିଲା, ଏଥିପାଇଁ କବି କହିଛନ୍ତି ଯେ ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ । ମୋର ଦୁର୍ଭାଗ୍ୟ, ଭଗବାନ ମୋତେ ଆଉ ଏ ସୁଯୋଗ ଦେଲେ ନାହିଁ ।

 

ସେବା କହିଲା, ସୁଯୋଗଗୁଡ଼ା ଜାଣି ଜାଣି ନଷ୍ଟ କରି ଦିଅନି ତପନ.... ।

 

ତପନ ସେବାକୁ ଆକର୍ଷଣ କରି କହିଲା, ତୁମେ ମୋ ପାଖକୁ ଆସିବ ଏ ବିଶ୍ୱାସ ନ ଥିଲା ।

 

- କିନ୍ତୁ ନିଜେ ଆସି କିମିତି ତୁମକୁ ବିସ୍ମିତ କରିଦେଲି ଦେଖିଲ ତ!

 

- ଇମିତି ଚାଲି ଆସୁଥିବ ସଂକୋଚ ନ କରି... ମୋଘରର ଦ୍ୱାର ଆଉ ଏଇ ହୃଦୟର ଦ୍ୱାର ତୁମ ପାଇଁ ସଦା ଉନ୍ମୁକ୍ତ ରହିବ ।

 

ତା’ର ମୁହଁ ତଳେ ମୁହଁ ରଖି କହିଲା ସେବା, କଲେଜର ସେଇ ଦିନଗୁଡ଼ା ମନେପଡ଼େ?

 

ତପନ ତା’ର ଓଠରେ ଗାଢ଼ ଚୁମ୍ବନ ଆଙ୍କିଦେଇ କହିଲା, ଅତୀତ ଫେରି ଆସିଛି ଆଜି ... ଏଥିପାଇଁ କହନ୍ତି ଇତିହାସ ନିଜକୁ ପୁନରାବୃତ୍ତି ।

 

ତପନ ସାଙ୍ଗରେ ବସି ବସି ଅନେକ ଗଳ୍ପ କଲା ସେବା । ଆଉ ସେଇ ମଧ୍ୟରେ ଶୈବାଳ ମହାପାତ୍ର ସମ୍ପର୍କରେ ଯାହା କହିବାର ବାକି ଥିଲା ସବୁ କହି ଦେଲା ସେ । ଶେଷରେ ଅନୁରୋଧ କଲା ସେବା, ଶୈବାଳ ମହାପାତ୍ର ଅନ୍ୟର ମୁଣ୍ଡରେ ଅଠା ବୋଳି ନିଷ୍କଳଙ୍କ ପଥରେ ନେତା ହେବାକୁ ଚାହେଁ । ତୁମେ ସାମ୍ବାଦିକ, ଏହାର ସଦୁପଯୋଗ କର ।

 

- ଏଥିରେ ଶୈବାଳ ମହାପାତ୍ର କ୍ଷତିଗ୍ରସ୍ତ ହେବେ ନିଶ୍ଚୟ; କିନ୍ତୁ ତୁମର ଲାଭ କଅଣ ହବ? ପଚାରିଲା ତପନ ।

 

- ମୋର ଲାଭ ଲୋକସାନ ପାଇଁ ମୁଁ କହୁନାହିଁ, ଦେଶସେବାର ଛଳନା କରି ଯେଉଁମାନେ ନିଜର ସାମ୍ରାଜ୍ୟ ସ୍ଥାପନ କରୁଛନ୍ତି ପଦାରେ ପକାଇ ଦେବା ମୋର ଲକ୍ଷ୍ୟ । କହିଲା ସେବା ।

 

ତପନ ଆଉଥରେ ଲମ୍ବା ଚୁମ୍ବନଟିଏ ଆଙ୍କିଦେଇ କହିଲା, ଆଜି ଏତିକି ନା ଆହୁରି ... ।

 

ସେବା କଅଣ କହିଥାନ୍ତା କେଜାଣି କିନ୍ତୁ ଠିକ ସେଇ ମୁହୂର୍ତ୍ତରେ ଟେଲିଫୋନଟା ବାଜିଉଠିଲା । ରିସିଭରଟା ଉଠାଇ ନେଇ ତପନ କହିଲା ହ୍ୟାଲୋ...

 

କିଛିସମୟ କଥାଭାଷା କରିସାରି ରିସିଭରଟାକୁ ଯଥାସ୍ଥାନରେ ରଖିଦେଇ କହିଲା ତପନ, ସାମ୍ବାଦିକତା ଖାଲି ସୁଯୋଗ ଆଣେ ନାହିଁ, ଆଣେ ସଙ୍କଟ... ।

 

- କଅଣ ହେଲା ?

- ଏଇନେ ବାହାରିବାକୁ ହବ । ମନ୍ତ୍ରୀଙ୍କ ଘରୁ ତଲବ... ।

- ଏତେ ରାତିରେ ?

 

- ହଁ, ରାତିରେ ନିରୋଳାରେ ଦୁଇଟି କାମ କରାଯାଇପାରେ, ଗୋଟିଏ ହେଉଛି ସେକ୍‌ସ ଏବଂ ଆଉ ଗୋଟିଏ ଗୁପ୍ତମନ୍ତ୍ରଣା ।

 

- ପ୍ରଥମଟି ତ ଅସମ୍ପୂର୍ଣ୍ଣ ରହିଗଲା, ଆଉ ଦ୍ୱିତୀୟଟି ବି ସେହିପରି ଅସମ୍ପୂର୍ଣ୍ଣ ରହିଯିବନି ତ ?

 

-ଦେଖାଯାଉ କୋଉଠିକାର ପାଣି କେଉଁଠାକୁ ଯାଉଛି । ରାଜନୀତି ଅଚଳ ହୋଇଗଲାଣି... ମଧ୍ୟଯୁଗର କୂଟନୀତି, ଚକ୍ରାନ୍ତ, ପରସ୍ପରକୁ ନିଃଶେଷ କରିବାର ମନ୍ତ୍ରଣାହିଁ ଆଜି ରାଜନୀତିର ପ୍ରଧାନ କାର୍ଯ୍ୟ... ଗାନ୍ଧୀ ଆଜି ଅଚଳ ପଇସା... ଗଡ଼୍‍ସେର ଆଦର୍ଶ କିପରି ବ୍ୟାପୁଛି ଦେଖୁଥିବ ପ୍ରତିଦିନ.... ।

 

- କିନ୍ତୁ ତୁମେ ତ ହତ୍ୟାକରୁନ କାହାକୁ ! କେବଳ ସତ୍ୟର ଉଦ୍‌ଘାଟନ କରିବ ।

 

- ମୁଖା ଖୋଲିବା ମୋର କାମ । ସେଇ ମୁଖା ଯଦି କୌଣସି ନେତାର ବା ବଡ଼ଲୋକର ହୁଏ ତା’ହେଲେ ତାଙ୍କର ଅସଲ ରୂପଟି ଉଦ୍‌ଘାଟିତ ହେଲେ ଲୋକମାନେ ଦେଖିବେ, ଜାଣିବେ ଏବଂ କହିବେ– ଏଇ ଆମ ଭ୍ରାତାଙ୍କ ବଦନ ।

 

ସେବା କହିଲା, ମୋ କାମରେ ହେଳା ନ କର ଯେପରି ।

 

ତପନ ତାକୁ ପ୍ରତିଶ୍ରୁତି ଦେଇ ଶୋଇବା ଘରକୁ ଡାକିନେଇ କହିଲା, ଯିବା ଆଗରୁ ତୁମକୁ ଗୋଟେ ଜିନିଷ ନିଭୃତିରେ ଦେଇଯିବି.... ।

 

ସେବା ଆଉ କିଛି କହିଲା ନାହିଁ । ଜୀବନର ଅନେକ ଅତୃପ୍ତ, ଅସମ୍ପୂର୍ଣ୍ଣ ବାସନାକୁ ତୃପ୍ତ ଏବଂ ସମ୍ପୂର୍ଣ୍ଣ କରି ତା’ର ପ୍ରତି ଲୋମକୂପ ମୂଳରେ ପ୍ରସ୍ଫୁଟିତ ହେଉଥିଲା ଶତ ଶତ କଦମ୍ୱ, ସର୍ବାଙ୍ଗରେ ସମ୍ପୂଟ ହେଉଥିଲା ଅଜସ୍ର ଶିହରଣ ।

 

ସେଇ ସନ୍ଧ୍ୟାର ନୟନାଭିରାମ ସୂର୍ଯ୍ୟାଲୋକ ଅପସରି ଯିବାବେଳକୁ ଆରେଷ୍ଟ ହେଲା ଶୈବାଳ ।

 

ହଇଚଇ ପଡ଼ିଗଲା ସହରରେ ।

ପ୍ରତାରଣା, ଦୁର୍ନତୀ, ବିଶ୍ୱାସଭଙ୍ଗ ପ୍ରଭୃତି ବିଭିନ୍ନ ଅଭିଯୋଗ ଆସିଲା ତା’ ବିରୁଦ୍ଧରେ ।

 

କିନ୍ତୁ ହତାଶ ନ ହୋଇ ସେ ଯିବାପୂର୍ବରୁ କହିଲା ଶୈଳକୁ- ପ୍ରଥମ ଅଧ୍ୟାୟ ଶେଷ ହେଲା ଏଇଠାରେ । ଏହାପରେ ଦ୍ୱିତୀୟ ଅଧ୍ୟାୟ । ଜେଲ ଯାଇ ନ ଥିଲି ଏଯାଏ । ଏଇ ପ୍ରମାଣପତ୍ର ବଡ଼ କାମରେ ଲାଗିବ ଶୈଳ । ଏହାପରେ ଆମର ଅଗ୍ରଗତିକୁ ପ୍ରତିହିତ କଲାଭଳି କୌଣସି ବାଧାବନ୍ଧନ ରହିଲା ନାହିଁ ।

 

ଶୈଳ ବୁଝିପାରୁ ନ ଥିଲା କିଛି । ଖୋଲାଥିବା ରାସ୍ତାଗୁଡ଼ା ଧିରେ ଧିରେ ବନ୍ଦ ହୋଇ ଆସୁଥିଲା ଆଖି ଆଗରେ ।

 

କିନ୍ତୁ ତାକୁ ସାହସ ଦବାପାଇଁ କହିଲା ଶୈବାଳ, ଗାନ୍ଧିଜୀଙ୍କ ସହିତ ତାଙ୍କର ନୀତି ଓ ଆଦର୍ଶର ତିରୋଧନ ବି ଘଟିଛି ଦେଶରୁ । କିନ୍ତୁ ସଂଗ୍ରାମରେ ସେ ବ୍ୟବହାର କରୁଥିବା ଅସ୍ତ୍ରଗୁଡ଼ାକ ଏବେବି ଅଛି ଆମ ପାଖରେ । ଅସହଯୋଗ, ସତ୍ୟାଗ୍ରହ, ଧର୍ମଘଟ ଏବଂ ଶେଷରେ ଅନଶନ ।

 

ତୁମେ ନିଶ୍ଚିନ୍ତରେ ରୁହ । ଇଚ୍ଛା ଯଦି ହୁଏ ବାରିଷ୍ଟରଙ୍କୁ ଧରି ହେବିୟସ୍‌ କର୍ପାସ ପିଟିସନ୍‌ ଦାଖଲ କର ହାଇକୋର୍ଟରେ । ମୁଁ ନିଶ୍ଚିତ ଯେ ସେମାନେ ମୋତେ ବେଶୀଦିନ ରଖିପାରିବେ ନାହିଁ ଜେଲ ହାଜତରେ ।

 

ସେତେବେଳକୁ ଶୈବାଳ ଗିରଫ ହେବାର ଖବର ପ୍ରଚାରିତ ହୋଇଯାଇ ଥିଲା ସହରର ସର୍ବତ୍ର ।

 

ଶହ ଶହ ଲୋକ ଅଭ୍ୟୁଦୟ ସମାଜ କାର୍ଯ୍ୟାଳୟ ଆଗରେ ଠୂଳହେବାକୁ ଲାଗିଲେ ପୋଲିସର ଏତାଦୃଶ କାର୍ଯ୍ୟର ପ୍ରତିବାଦ କରିବା ପାଇଁ ।

 

ସେମାନଙ୍କୁ ସେଥିରୁ ନିବୃତ୍ତ ହେବାକୁ ଅନୁରୋଧ କରି ପୋଲିସ ଗାଡ଼ି ଭିତରକୁ ପଶିବା ପୂର୍ବରୁ କହିଲା ଶୈବାଳ- ଦେଶର କାମ ଅପେକ୍ଷା ଆଉ ବଡ଼ କାମ କିଛି ନାହିଁ । ଜନସାଧାରଣଙ୍କ ସ୍ୱାର୍ଥରକ୍ଷା କରିବା ମୋର ବ୍ରତ । ସେଥିପାଇଁ ସ୍ୱେଚ୍ଛାରେ ଶକ୍ତିସାମର୍ଥ୍ୟ ସହିତ ନିଜର ଜୀବନକୁ ବି ମୁଁ ଉତ୍ସର୍ଗ କରିଛି ।

 

ପୋଲିସ ଗାଡ଼ି ଅଦୃଶ୍ୟ ହୋଇଗଲା ପରେ ବି ଲୋକମାନେ ଧ୍ୱନି ଦେଉଥିଲେ -

ଆମର ନେତା ତୁମର ନେତା

ଶୈବାଳ ମହାପାତ୍ର ସବୁରି ନେତା

ଇନ୍‌କିଲାବ୍‌ ଜିନ୍ଦାବାଦ୍‌....... ।

Image